Unknown

 

 

 

 

 

 

 

 

 

ମିତ୍ରସ୍ୟ ଚକ୍ଷୁସା

(ସକାଳ ପରେ ସକାଳ)

ଚିତ୍ତରଞ୍ଜନ ଦାସ

 

–୧୪–

 

ଜଣେ ମଣିଷର ଅସଲ ଡୋର ହେଉଛି ତା’ର ପରିବାରବୋଧ । ସିଏ ଜନ୍ମହେବା ବେଳକୁ ଏକ ପରିବାର ହିଁ ତା’ ଲାଗି ଡୋରଗୁଡ଼ିକୁ ସଜାଡ଼ି ଅପେକ୍ଷା କରି ରହିଥାଏ, ତାକୁ ମୋ’ର କରି ପାଇବା ନିମନ୍ତେ କେତେ କେତେ ମଣିଷ ଅପେକ୍ଷା କରି ରହିଥାନ୍ତି । ଆଖିଟିଏ ପାଇ ପୃଥିବୀଆଡ଼କୁ ଅନାଇବାକୁ ସମର୍ଥ ହେବାମାତ୍ରକେ ହିଁ ମାୟା ଲାଗି ଲାଗି ଯାଉଥାଏ । ମାୟା ଛାଡ଼ି ଛାଡ଼ି ଯାଉଥାଏ, ମାୟା ଲାଗି ଲାଗି ଯାଉଥାଏ । ସତକୁ ସତ ଆଦୌ କିଛି ହେଲେ ଛାଡ଼ୁନଥାଏ, କେବଳ ପରିଧିଟା ହିଁ ବଢ଼ିବାରେ ଲାଗିଥାଏ । ପରିଧିଟା ବଢ଼ିଲେ ଅନେକ ମଣିଷ କାହିଁକି ଛାନିଆ ହୁଅନ୍ତି କେଜାଣି ? ଏବଂ, ଯେଉଁମାନେ ଏହି ମାୟାକୁ ଛିନ୍ନଭିନ୍ନ କରି ମାୟାବାଦର ଗୋଟାଏ ସିଦ୍ଧାନ୍ତକୁ ମୁଣ୍ଡରେ ମୁଣ୍ଡାଇ ବଜାରକୁ ବାହାରି ଥାଆନ୍ତି, ସେମାନେ ମଣିଷର ମଣିଷ ସହିତ ଲାଗି ରହିଥିବା ଡୋରଗୁଡ଼ିକୁ ପ୍ରକୃତରେ କେତେ ଅଳପ ବୁଝନ୍ତି । ନିଜ ଭିତରେ କେଉଁଠାରେ ଅସଲ ଡୋରଟି ଛିଣ୍ଡି ଯାଇଥାଏ ବା ଅସଲ ଆଖିଟି ହଜି ଯାଇଥାଏ ବୋଲି ହୁଏତ ସେମାନେ ବାହାରେ ମଧ୍ୟ ଆଦୌ କିଛିହେଲେ ଯୋଡ଼ି ପାରନ୍ତିନାହିଁ । ଯୋଡ଼ି ନପାରିବାର ଏହି ଅସମର୍ଥତାଟାକୁ ସିଦ୍ଧାନ୍ତୀମାନେ ଅନେକ ସମୟରେ ବୈରାଗ୍ୟ ବୋଲି କହନ୍ତି ।

 

ଭାରତବର୍ଷର ଗାଆଁମାନଙ୍କରେ ପରିବାରର ଗଢ଼ଣଟା ଏକାବେଳେକେ ମାଟିଟାର ଗୁଣରୁ ଏପରି ଯେ, ଏଠି ଏକୁଟିଆ ଲାଗିବାଟା ପ୍ରକୃତରେ ସତେଅବା ଏକ ନିଷିଦ୍ଧ ବ୍ୟାପାର ହୋଇ ରହିଥାଏ । ଆମ ନିଜ ଘରଟା ହିଁ ଆମକୁ କେବେହେଲେ ଏକୁଟିଆ ନଲାଗିବା ପାଇଁ ସତକୁ ସତ ଏକ ରକ୍ଷାକବଚ ପରି ହୋଇ ରହିଥିଲା । ବାପା, ବୋଉ, ବଡ଼ମାଆ, ବଡ଼ବାପା,–ଆଉ ବୋଉ-। ତା’ ସହିତ ଆମେ ଭାଇମାନେ ମିଶି ଛଅଜଣ, ଏବଂ ଭଉଣୀ ତିନିଜଣ । ମାୟା ଛାଡ଼ିଯିବାର ଅଥବା ଏହି ସଂସାରକୁ ମିଛ ଓ ମାୟା ବୋଲି କହିବାର କୌଣସି କାରଣ ନଥିଲା । ଏଇଟା ଆମ ଘର, ସେଇଟା ତାଙ୍କ ଦାଣ୍ଡ, ଏଇଟା ଆମ ବାରି ଓ ସେଇଟା ତାଙ୍କ ତୋଟା ବୋଲି କହିବାର ଚଳଣିଟିଏ ରହିଥିଲା ସିନା, ମାତ୍ର ବାଡ଼ ଥାଇ ମଧ୍ୟ କୌଣସି ବାଡ଼ ପଡ଼ିନଥିଲା । ଅନ୍ତତଃ ପିଲାଙ୍କ ସକାଶେ ଆଦୌ କେଉଁଠାରେ କୌଣସି ବାଡ଼ ନଥିଲା । ନିଜ ଘର ଭିତରୁ ବାହାରିଲେ ଏଡ଼େ ବଡ଼ ଦୁଆର । ସେହି ଦୁଆର କାହାରି ନୁହେଁ ଏବଂ ସମସ୍ତଙ୍କର । ସେଇ ଦୁଆରେ ସବୁ ଘରର ପିଲାମାନେ ଏକାଠି ହୁରୁମା ହୁଅନ୍ତି, ସମସ୍ତଙ୍କ ପାଇଁ ପନ୍ଥେଇ ଖୋଳାହୁଏ, ସବୁ ଝିଅଙ୍କର ଚାନ୍ଦପୂଜା ହୁଏ । ସେଇ ସାହିଟା ଭିତରେ ଗୋଟାଏ କାହା ଘରେ ରଜହେଁସ ପଡ଼େ । ବାରିପଟକୁ ଗଲେ ପୋଖରୀ, —ସେଇଟା ସାହିଯାକଙ୍କର । ଘୁଅବଣ ବି ସମସ୍ତଙ୍କର । ସେଇ ବାରିଆଡ଼େ କୋଉଠି କେତେଟା ପଥର କୋଉ ଭଟ୍ଟଙ୍କ ଅମଳରୁ ପଡ଼ିଥିବା ଜାଗାରେ ଆମେ ପିଲାମାନେ ଲୁଚି କରି ତାଆସ ଖେଳୁଥିଲୁ, ମିଛିମିଛିକା ଦୋକାନ କରୁଥିଲୁ ଅଥବା ମିଛିମିଛିକା ଭାତତୁଣ ରାନ୍ଧୁଥିଲୁ-। ନିସ୍ତବ୍ଧ ଖରାବେଳ ସାହିର ଅପା ଓ ଭାଉଜମାନେ କୋଉଠି କାହା ପିଣ୍ଡାରେ ବସି କାଞ୍ଜିପଟା କିମ୍ବା ମାଗଣ ଖେଳରେ ବି ବସି ଯାଉଥିଲେ । ଆଡ଼ ହେବା ପ୍ରବଳ ଥିଲା ସତ, ମାତ୍ର କିଏ କାହାଠାରୁ ଦୂର ହୋଇ କେବଳ ନିଜକୁ ନେଇ ଅଲଗା କ’ଣଟିଏ ଭାବିବା ବିଶେଷ ସମ୍ଭବ ନଥିଲା ।

 

ଦାଣ୍ଡକୁ ଆସିବାକୁ ହେଲେ ତୁମକୁ ମେଲା ବାଟଦେଇ ଆସିବାକୁ ପଡ଼ିବ । ସେହି ମେଲାଟା ସମସ୍ତଙ୍କର । ଚାଳରେ ଗୋଟାଏ ଦିଇଟା ସବାରି ଟଙ୍ଗା ହୋଇଥିବ । ଯାହାଘରେ ବଳକା ମରଦମାନେ ଅଛନ୍ତି ଓ ଘରେ ଯଥେଷ୍ଟ ଜାଗା ନାହିଁ, ସେମାନେ—ରାତିରେ ମେଲା ଭିତରେ ଶୋଇବେ । ଦାଣ୍ଡକୁ ବାହାରି ଡାହାଣକୁ ଗଲେ ଦଧିବାମନ ଠାକୁରଙ୍କର ମନ୍ଦିର ଓ ବାଆଁଆଡ଼େ ଗଲେ ଦୋଳମୁଣ୍ଡାଇ, —ସେଠାରେ ମହାଦେବ କରଞ୍ଜେଶ୍ଵରଙ୍କ ମନ୍ଦିର । ଦୋଳଠାକୁରଙ୍କର ବେଦୀଟି ମଧ୍ୟ ସେଇଠି । ବହୁ ଲୋକଙ୍କର ବସାଉଠାର ଜାଗା, ରାତିରେ ଶୋଇବାର ସ୍ଥାନ । ସେଇ ଚଉଛକୀରୁ ରାସ୍ତାମାନ ଗାଆଁର ବିଭିନ୍ନ ସାହିକୁ ଚାଲିଯାଉଛି । ଛକର ଅସଲ ସନ୍ତକଟା ହେଉଛି ବିଶାଳ ବରଗଛଟି, —କୋଉ ପୁରୁଷରୁ ସେହିପରି ବିଶାଳ ହୋଇ ଛିଡ଼ା ହୋଇଛି । ଏବେ ଗାଆଁର ନିମ୍ନପ୍ରାଥମିକ ଇସ୍କୁଲଟି ସେଇ ଜାଗାରେ, ଡାକଘର ଓ ଯୁବକସଂଘର ଘର ବି ସେଇଠି । ଗାଆଁରେ ଜାତି ରହିଛି, ପାରମ୍ପରିକ ଦୂରତାମାନ ରହିଛି । ତଥାପି, ବାସ୍ତବ ଓ ସାମୂହିକ ଜୀବନର ନାନା ସମ୍ବନ୍ଧଡୋରରେ ସମସ୍ତେ ଏପରି ଅଭ୍ୟସ୍ତ ଭାବରେ ବାନ୍ଧିହୋଇ ରହିଛନ୍ତି ଯେ ଆପଣାକୁ ଅପାର ସମସ୍ତଙ୍କ ଠାରୁ ଭିନେ ବୋଲି ଭାବିବାପାଇଁ କୌଣସି ଅବକାଶ ନାହିଁ । ଆର୍ଥିକ ଭୋଗବାଞ୍ଛା ଏବଂ ସାମାଜିକ ଭାବନାର କ୍ଷେତ୍ରରେ ଗାଆଁର ମଣିଷମାନେ ଭାରି ଅଲଗା ହୋଇ ରହିଥିଲେ ମଧ୍ୟ ଭାବବତ ବହୁ ସ୍ତର କଥା ଅବସରରେ ତଥାପି ପରସ୍ପର ସହିତ କେଡ଼େ ଯୋଡ଼ି ହୋଇ ରହିଛନ୍ତି । ଏଥିରୁ ଏହି କଥାଟିର ଏକ ସୂଚନା ମିଳିଯାଉଛି ଯେ ଆର୍ଥିକ ଏବଂ ସାମାଜିକ କ୍ଷେତ୍ରଗୁଡ଼ିକର ସର୍ବନିମ୍ନ ଆବଶ୍ୟକତାଗୁଡ଼ିକ ସମସ୍ତଙ୍କ ସକାଶେ ଉପଲବ୍ଧ ହୋଇଗଲେ ମଧ୍ୟ ତଥାପି ଆଉ ଏକ ସଂହତିର ଆବଶ୍ୟକତା ଅବଶ୍ୟ ରହିଥିବ, ଯାହାର ଅଭାବ ଥିଲେ ଜୀବନ ଭାରି ଖଣ୍ଡିଆ ପରି ଅନୁଭୂତ ହେଉଥିବ ଏବଂ ସବୁ କିଛି ସଂପୂର୍ଣ୍ଣ ଆଖିଦୃଶିଆ ଭାବରେ ଥାଇ ମଧ୍ୟ ମଣିଷମାନେ ତଥାପି ଅଲକ୍ଷଣା ହୋଇ ରହିଥିବେ ।

 

ମୁଁ ଆମ ଗାଆଁର ଯେଉଁ ସମୟଟିର କଥା କହୁଛି, ସେତେବେଳେ ଗାଆଁର ବେଶ୍ ବହୁତ ମଣିଷ ସହରରେ ଜୀବିକାର୍ଜନ କରୁଥିଲେ ସିନା, ମାତ୍ର ସେମାନଙ୍କ ଜୀବନରେ ଅସଲ ନାଟିକାଗୁଡ଼ିକ ଗାଆଁରେ ହିଁ ରହିଥିଲା ବାହାଘର, ବ୍ରତଘର ସବୁକିଛି ଗାଆଁରେ ହେଉଥିଲା, ରଜ ବା ଦଶହରାକୁ ପ୍ରବାସୀମାନେ ସମସ୍ତେ ଗାଆଁରେ ଆସି ଠୁଳ ହୋଇ ଯାଉଥିଲେ । କଟକରେ ବା ବାହାରେ ଆଉ କେଉଁଠି ପଢ଼ୁଥିବା ଆମେ ପିଲାମାନେ ଛୁଟିରେ ଆସି ଗାଆଁରେ ଥିଏଟର କରୁଥିଲୁ-। ପର୍ବକୁ ଗାଆଁକୁ ଅର୍ଥାତ୍ ଘରକୁ ନଆସି ପାରୁଥିଲେ ମନଭିତରେ ଭାରି ଖେଦ ରହି ଯାଉଥିଲା-। ମୋ’ର ଯେମିତି ମନେ ପଡ଼ୁଛି, ସେତେବେଳେ ଗାଆଁର ଜଣେ କେହି ଆପଣାର ଚାକିରିଜାଗା କଟକରେ ଘର ବନାଇବେ ବୋଲି ଜମି ଖଣ୍ଡେ କିଣିବାର ଚିନ୍ତା ହିଁ କରିନଥିଲେ । ସେତେବେଳେ ଭୁବନେଶ୍ଵରରେ ଘର ବନାଇବାର ପ୍ରଶ୍ନ ହିଁ ନଥିଲା । ଆମ ଗାଆଁର ପଚାଶରୁ ଊର୍ଦ୍ଧ୍ଵ ଘର ସେତେବେଳେ ଜାମସେଦପୁରର ଟାଟା କାରଖାନା ସହିତ କର୍ମସଂସ୍ଥାନଦ୍ଵାରା ଯୋଡ଼ା ହୋଇ ରହିଥିଲେ । ସେମାନଙ୍କ ଭିତରୁ କେହି ଜଣେ ମଧ୍ୟ ସେଠାରେ (ସେତେବେଳେ ଜାମଶେଦପୁରକୁ ଆମ ସ୍ଥାନୀୟ ଭାଷାରେ କାଳିମାଟି ବୋଲି କୁହା ଯାଉଥିଲା ।) ଘର କରି ରହିବା ବିଷୟରେ କଳ୍ପନା ହିଁ କରୁନଥିଲେ । ଏକ ପରିବାରବୋଧ ଗାଆଁକୁ ଅଭିଷିକ୍ତ କରି ରଖିଥିଲା । ଏବଂ, ସେହି ବୋଧଟି ନିଜ ଘରସ୍ତରରେ ଆହୁରି ଅଧିକ ନିବିଡ଼ ହୋଇ ରହିଥିଲା ।

 

ଘରେ ବାପାବୋଉ ଥିଲେ; ଜମିବାଡ଼ିରୁ ଫସଲ ଅମଳ ହୋଇ ଘରକୁ ଆସୁଥିଲା । ଘରକୁ ଯଥେଷ୍ଟ ହୋଇ ଚାଉଳ କଟକ ବି ଯାଉଥିଲା । ସାହିଯାକର ପୋଖରୀ ବ୍ୟତୀତ ଆମ ନିଜ ବାରିରେ ବି ପୋଖରୀଟିଏ ଥିଲା, ଯେଉଁଥିରେ କି ଆମେ ପିଲାମାନେ ଛୁଟିରେ ଘରକୁ ଆସିଥିବା ସମୟରେ ହିଁ ମାଛ ମରା ହେଉଥିଲା । ବାପାଙ୍କୁ ବେଢ଼ି ଆମେ ସମସ୍ତେ ଏକାଠି ଏକାବେଳେକେ କେତେଟା ଥାଳୀ ଓ କେତେଟା କଂସାରୁ ଯାହାକୁ ଆହର କରୁଥିଲୁ, ସେଥିରେ କ୍ଷୁଧାଜନିତ ଉଦରପୂର୍ତ୍ତି ଅପେକ୍ଷା ଏକ ଅବର୍ଣ୍ଣନୀୟ ଭାବସଂହତି ହିଁ ଅନେକ ଅଧିକ ପରିମାଣରେ ରହିଥିଲା । ସତେଅବା ଏକ ସାଂସ୍କୃତିକ ସ୍ତର ଯାଏ ଉତ୍ତୋଳିତ ହୋଇ ରହିଥିଲା । ତଥାପି, ସେହି ଘର ଆମକୁ କେବେହେଲେ ବାନ୍ଧି ରଖିବାକୁ ଚେଷ୍ଟା କରୁନଥିଲା । ଜାଗ୍ରତ ଜୀବନରେ ଅଧିକାଂଶ ସମୟ ଆମ ସାଙ୍ଗ ମେଳରେ କଟାଇ ଦେଉଥିଲୁ । ଆଦୌ କୌଣସି ଔପଚାରିକତା ନରଖି ଆମେ ଖାଇବାର ସମୟ ହେଲେ ୟା’ ତା’ ଘରେ ଖାଇ ଦେଉଥିଲୁ । ଘର ଲୋକେ କାହିଁକି ଘରକୁ ଆସି ଖାଇଲୁ ନାହିଁ ବୋଲି କେବେହେଲେ ଆପତ୍ତି କରୁନଥିଲେ । ହଠାତ୍ ନିଷ୍ପତ୍ତି ହୋଇ କାହାଘରେ କେଉଁଦିନ ଆମେ କେତେକ ସାଙ୍ଗ ମିଶି ଭୋଜୀଟାଏ ବି କରି ପକାଉଥିଲୁ । ଯାହାଘରେ ଭୋଜି ହେଉଥିଲା, ସେହି ଘରର ମାଆ ଓ ଖୁଡ଼ିମାନେ, ଦେଈ ଓ ଭାଉଜମାନେ କିପରି କେଡ଼େ, ସ୍ଵତଃପ୍ରବୃତ୍ତ ଭାବରେ ଆମପାଇଁ ଭୋଜି ରାନ୍ଧି ଦେଉଥିଲେ, ସହଜତାର ସେହିସବୁ ଅନୁଭବ ଏକ ସମଗ୍ର ଜୀବନଦୃଷ୍ଟିରୁ ନିର୍ମାଣରେ କିପରି ମୂଳଦୁଆ ପରି କାର୍ଯ୍ୟ କରିଛି, ସେକଥାକୁ ପ୍ରମାଣ କରି ଦେଖାଇ ଦିଆଯାଇ ପାରିବନାହିଁ ସିନା, ତଥାପି ଅସ୍ଵୀକାର ବି କରି ହେବନାହିଁ ।

 

ଗାଆଁଟାଯାକରେ କେଡ଼େ ସ୍ଵାଭାବିକ ଭାବରେ ଏକ ଚବିଶଘଣ୍ଟିଆ ପରିବାରବୋଧ, ଏବଂ ନିଜର ପରିବାର ମଧ୍ୟରେ ତାହାର ପ୍ରତିଫଳନ ହେବ ହିଁ ହେବ । ଗୋଟିଏ ପରିବାର ଗୋଟା ଗାଆଁଟିକୁ ପ୍ରଭାବିତ କରି ପାରିବ କି ନାହିଁ, ସେକଥା କେହି ବାଜି ରଖି କହି ପାରିବନାହିଁ; ମାତ୍ର ଗାଆଁଟିର ନିତ୍ୟପ୍ରାତ୍ୟହିକ ଶରୀରଟିକୁ ବେଢ଼ କରି ରହିଥିବା ଜଳବାୟୁର ଛାପ ପରିବାର ଉପରେ ପଡ଼ିବ ହିଁ ପଡ଼ିବ । ପରିବାର କହିଲେ ଜୀବନର ଏକ ଅତ୍ୟାବଶ୍ୟକ ଅଙ୍ଗରୂପେ ବିକଶିତ ହୋଇ ଆସୁଥିବା ଏକ ପରିବାରବୋଧକୁ ଯେ ସବାଆଗ ବୁଝାଇବ, ଗାଆଁର ପିଲା ହିସାବରେ ଆମକୁ କେହି ସେକଥା ଉପଦେଶ ଦେଇ ଆଦୌ ଶିଖାଇ ନଥିଲେ । ଆମେ କୌଣସି ଶାସ୍ତ୍ରରୁ ମଧ୍ୟ ସେକଥା ପଢ଼ି ଜାଣିନଥିଲୁ । ଗାଆଁର ଆତ୍ମିକ ଗହଣ ଭିତରେ ଏପରି କିଛି ରହିଛି, ଯାହାକି ଆମକୁ ପିଲାଦିନରୁ ହିଁ ସେହି ଅନୁସାରେ ମଣ କରି ଆଣିଥିଲା, ସତେଅବା ଏକ ଅନ୍ତର୍ଗତ ତାଲିମ ଦେଇ ଆସିଥିଲା । ସେତେବେଳେ ମଣିଷମାନେ ବେଶୀ ପାଠ ପଢ଼ି ନଥିଲେ, ସାନ ଗାଆଁଟି ଭିତରେ ସେମାନଙ୍କର ଭିତରେ ବାହାର ସବୁକିଛିର ଆତଯାତ ହେଉଥିଲା,—କ’ଣ ସେଇଥି ସକାଶେ ସେମାନଙ୍କର ହୃଦୟରେ ରହିଥିବା ଆଖିଗୁଡ଼ିକ ସେଇ ଗାଆଁଟିର ନିୟତି ଭିତରେ ହିଁ ଏଡ଼େ ନିବିଡ଼ ଭାବରେ ବାନ୍ଧିହୋଇ ରହୁଥିଲା କି ? ସେ ଗାଆଁ ଆଜି କାହିଁକି ସେହିପରି ହୋଇ ରହିଲାନାହିଁ ବୋଲି କହି ମୁଁ କେବେହେଲେ ବିଳାପ କରିନାହିଁ; ମାତ୍ର, ପିଲାଦିନରେ ଗ୍ରହଣପାତ୍ରରେ ପିଲାଦିନେ ମୋ’ ଗାଆଁ ଅତ୍ୟନ୍ତ ଅକୃପଣ ଭାବରେ ଯାହାକିଛି ଭରି ଦେଇଥିଲା, ପରବର୍ତ୍ତୀ ବର୍ଷମାନଙ୍କରେ ଯାବତୀୟ ସଂସାର—ଏବଂ ସମ୍ବନ୍ଧ ବଣିଜରେ ତାହାହିଁ ଯେ ମୋତେ ସବୁଠାରୁ ଅଧିକ ହିମ୍ମତ ଦେଇଛି, ସେକଥା ମୁଁ ଅବଶ୍ୟ ସ୍ଵୀକାର କରିବି । ମୋ’ର ସମସ୍ତ ଜୀବନଟା ସତେଅବା ସେହି ସ୍ଵୀକୃତିର ହିଁ ଏକ ସନ୍ତକରୂପେ ବିକଶିତ ହୋଇ ଆସିଛି ।

 

ଆମର ସେଇ ଗୋଟିଏ ଘରେ ଏତେ ପିଲା ଯେ ଚାନ୍ଦକଳା ପରି ବଢ଼ୁଥିଲୁ, ସେଥିପାଇଁ ସବୁଯାକ ଶ୍ରେୟ ସେଇ ପରିବାରକୁ ହିଁ ଦେବାକୁ ପଡ଼ିବ । ଆମେ ବୟସରେ ସାନ ବଡ଼ ଥିଲୁ, ରୁଚିରେ ବି ଆମଭିତରେ କେତେ ଫରକ ରହିଥିଲା । କିଏ ଭଲ ପାଠ ପଢ଼ୁଥିଲା ତ ଆଉକିଏ ଅଧିକ ଭଲ ପାଠ ପଢ଼ୁଥିଲା । କିଏ ହୁଏତ ଏପରି ଆଚରଣ ଦେଖାଉଥିଲା ଯେ ଆଉମାନେ ତାକୁ ମାଇଚିଆ ବୋଲି କହିଥିଲେ । ସମୟ ଜାଣି ଝିଅମାନେ ଝିଅଙ୍କ ପରି ବଢ଼ିଲେ ତ ପୁଅମାନେ ପୁଅଙ୍କ ପରି ବଢ଼ିଲେ । ବଡ଼ଭାଇ କଟକରେ ଚାକିରି କରୁଥିଲେ; ଆମେ ଭାଇମାନେ ତାଙ୍କରି ପାଖରେ ରହି ପାଠ ପଢ଼ୁଥିଲୁ । ଗାଆଁର ପ୍ରାଥମିକ ପାଠ ଓ ପ୍ରାଥମିକ ଖେଳଗୁଡ଼ିକୁ ଶେଷ କରି ଆମେ କଟକ ଚାଲି ଯାଉଥିଲୁ । ବଡ଼ ଭାଇ ହିଁ ଆମ ପାଠପଢ଼ା ବିଷୟରେ ନିଷ୍ପତ୍ତି ନେଉଥିଲେ । ମୁଁ ଆଖିଦୃଶିଆ ଭାବରେ ଭଲ ପଢ଼ୁଥିଲି ବୋଲି ମୋତେ ଗାଆଁରୁ ପୁନଙ୍ଗ ନେଲେ ଓ ପୁନଙ୍ଗରୁ ଗାଆଁକୁ ଆଣି ପୁଣି ଗାଆଁରୁ କଟକ ନେଲେ । ସବା ବଡ଼ଭାଇ ବଡ଼ବାପାଙ୍କ ପୁଅ ଭାଇ । ସିଏ ଯାହାକିଛି ବରାଦ କରୁଥିଲେ, ବାପା ଓ ବୋଉ ସେଥିରେ ଆଦୌ କୌଣସି ପାଟି ଫିଟାଉ ନଥିଲେ-। ପିଲାଦିନେ ବୋଉ ଅପେକ୍ଷା ଆମେ ପିଲାମାନେ ବଡ଼ ମାଆଙ୍କ ସହିତ ହିଁ ଅଧିକ ସମୟ କଟାଉଥିଲୁ । ବୋଉ ଘରର ସାନ ବୋହୂ ହିସାବରେ ଭିତର ଘରେ ରୋଷେଇ କରିବାରେ ହିଁ ତା’ର ଅଧିକ ସମୟ ଯାଉଥିଲା । ନିଜ ପିଲାଙ୍କର ଦାୟିତ୍ଵକୁ କେଡ଼େ ନିଦକ ହୋଇ ସିଏ ବଡ଼ମାଆଙ୍କ ପାଖରେ ଆପଣ କରି ଦେଇଥିଲା । ପିଲାମାନଙ୍କୁ ମୋ’ର ବୋଲି କହିବାର ସବୁଯାକ ଲୋଭ ବୋଉର ଅବଶ୍ୟ ରହିଥିଲା, ମାତ୍ର ନିଜ ପିଲାଙ୍କର ପୃଥିବୀଟା ଆଉଜଣକ ଚାରିପାଖରେ ଗଠିତ ହୋଇ ରହିଥିବାରୁ ତା’ ଭିତରେ କେବେହେଲେ କୌଣସି ଦ୍ଵେଷ ଦେଖା ଦେଉନଥିଲା । ଦୁଇ ଯାଆ ବିରକ୍ତ ହେଲାବେଳେ ଝଗଡ଼ା ବି କରୁଥିଲେ, ଦବି ରହିଥିବା ଉତ୍ତାପଗୁଡ଼ାକ ରୋଷପୂର୍ଣ୍ଣ କେତେ କ’ଣ ଭାଷାରେ ରୂପ ଗ୍ରହଣ କରି ପଦାକୁ ବାହାରି ପଡ଼ିଥିଲେ,—ମାତ୍ର ସେହି ଦ୍ଵେଷ-ଅଭିଧାନରେ କେବେହେଲେ ଆମ ପିଲାମାନଙ୍କର ନାମୋଲ୍ଲେଖ ହେଉନଥିଲା । ପିଲାମାନଙ୍କର ଆୟୁଷ ବିଷୟରେ କୌଣସି ଚର୍ଚ୍ଚା ହେଉନଥିଲା କିମ୍ବା ଭିନେ ହୋଇଯିବାରୁ କୌଣସି ପ୍ରସ୍ତାବ ମଧ୍ୟ ସ୍ଥାନ ପାଉନଥିଲା । ଠିକ୍ ସେଇ ଜାଗାଟିକୁ ଆସି ବୋଉ ଓ ବଡ଼ମାଆ ଉଭୟେ ଅଟକି ଯାଉଥିଲେ-। ଗୋଟାଏ ଅକାଟ୍ୟ ପରିବାରବୋଧ ସେମାନଙ୍କର ସୀମାଟିକୁ ସତେଅବା ସର୍ବଦା ନିର୍ଦ୍ଦେଶିତ କରି ରଖିଥିଲା ।

 

ଗାଆଁର ଅନ୍ୟ ଅନେକଙ୍କ ତୁଳନାରେ ଆମର ଅଧିକ ଜମି ଥିଲା । କେବଳ ନିଜ ଗାଆଁ ଭିତରେ ନୁହେଁ, ଅନ୍ୟ ଗାଆଁମାନଙ୍କରେ ମଧ୍ୟ ଜମି ଥିଲା । କେବଳ ଆମ ଧୋଇଆରେ ନୁହେଁ, ନାଳକୂଳିଆ ଜମି ବି ରହିଥିଲା । ଆମ ପିଲାମାନଙ୍କ ପାଇଁ ତାହାକୁ ଅଗୋଚର କରି ରଖା ଯାଇଥିଲା । ଆମେସବୁ ଯେତେବେଳେ ଛୁଟିରେ କଟକରୁ ଘରକୁ ଆସୁଥିଲୁ, ସେତେବେଳେ ଆମପାଇଁ ଅନ୍ୟ ବହୁବିଧ ଆକର୍ଷଣକୁ ଏପରି ଅଗ୍ରାଧିକାର ଦିଆଯାଇ ରଖିଦିଆ ଯାଉଥିଲା ଯେ, ଆମେ ଗାଁରେ କୋଉ କୋଉ ଚକରେ ଆମର ଜମି ରହିଛି, ସେକଥା ଜାଣିବାକୁ ଚେଷ୍ଟା ମଧ୍ୟ କରୁନଥିଲୁ । ହଁ, ଆମ ଆମ୍ବଗଛଗୁଡ଼ିକୁ ଅବଶ୍ୟ ଖୁବ୍ ଭଲଭାବରେ ଚିହ୍ନିଥିଲୁ । ଗାଆଁର ତିନି ଜାଗାରେ ତୋଟାଗୁଡ଼ିକ ଅବସ୍ଥିତ ଥିଲେ । ପ୍ରତ୍ୟେକ ଗଛର ଗୋଟିଏ ଗୋଟିଏ ନାଆଁ ମଧ୍ୟ ଥିଲା । ଆମ୍ବ ପରାହେବା ସମୟରେ ଆମେ ବି ମନ ହେଲେ ତୋଟାକୁ ଯାଉଥିଲୁ । ତୋଳାହେବାର କର୍ମଟିରେ କୌଣସି ଭାଗ ନେଉନଥିଲୁ, ମାତ୍ର ସମସ୍ତ ପ୍ରକ୍ରିୟାଟିକୁ ଉପଭୋଗ କରୁଥିଲୁ । ଘରେ ବନ୍ଧା ହୋଇଥିବା ଗାଈ ଓ ବଳଦମାନଙ୍କର ନାଆଁ ଥିଲା । ମୋ’ର ଯେତିକି ମନେ ପଡ଼ୁଛି, ବାରିବଗିଚାରେ ଯାହା ମୋ’ର ବିଶେଷ ଭାବରେ ଖୁବ୍ ଆଗ୍ରହ ରହିଥିଲା । ଓଳି ତଳେ କଖାରୁ ପାଇଁ ମନ୍ଦା ଖୋଲାହେଲା ବେଳେ, ବର୍ଷାଦିନ ଆସିବା ପୂର୍ବରୁ ବାରିରେ ଜହ୍ନି, ଭେଣ୍ଡି, କାକୁଡ଼ି ଲଗାହେବା ସମୟରେ ମୁଁ ବୋଉ ବା ବାପାଙ୍କ ସହିତ ରହି ସାନ ସାନ କାମରେ ଅବଶ୍ୟ ସାହାଯ୍ୟ କରୁଥିଲି । ସିଏ ମଞ୍ଜି ଲଗାଇଲେ ତା’ ହାତରେ ଭଲ ଫଳ ଫଳେ ବୋଲି ବୋଉର ଏକ ବିଶ୍ଵାସ ମଧ୍ୟ ରହିଥିଲା । ଜଣେ ଜଣେ ମଣିଷ କୁଆଡ଼େ ଥାଆନ୍ତି, ଯେଉଁମାନଙ୍କ ହାତ ବାଜିଲେ ମୋଟେ କିଛିହେଲେ ଉଧାଏ ନାହିଁ । ସେମାନେ ପୋତିଥିବା ଗଛ ବଞ୍ଚେନାହିଁ ଓ ଲଗାଇଥିବା ମଞ୍ଜିର ପେଟକୁ ପିମ୍ପୁଡ଼ିମାନେ ବିଦାରି ନିଅନ୍ତି । ବୋଉକୁ ଦେଖି ଦେଖି ଓ ତା’ର ସେହି ନିର୍ଦ୍ଦୋଷ ଆତ୍ମପ୍ରଶଂସା ଶୁଣି ଶୁଣି କେତେବେଳେ ଯେ ସେହି ଆଗ୍ରହ ଓ ସେହି ହାତ ମୋ’ ପାଖକୁ ମଧ୍ୟ ଚାଲି ଆସିଥିଲା, ମୁଁ ମୋଟେ ସେକଥା କହି ପାରିବନାହିଁ ।

 

ଘର ନିଜର ଥିଲା ବୋଲି ତା’ ଉପରେ ଆମ ପିଲାମାନଙ୍କର ଅଧିକାର ମଧ୍ୟ କିଛି କମ୍ ନଥିଲା । ଏହି ଘରେ କୌଣସି ଦୋଷ କରି ଧରାପଡ଼ିବାକୁ ମଧ୍ୟ ଭିତରେ ସେତେ ଭୟ ନଥିଲା । ଖରାଦିନେ ଆମ୍ବ ତୋଳା ହୋଇ ଘରକୁ ଆସିଲେ ସେଗୁଡ଼ିକୁ ଘର ଭିତରେ ଖଟତଳେ ବାଲି ଉପରେ ବସାଇ ଦିଅ ଯାଉଥିଲା । ବାଲି ଉପରେ ବସି ବସି ଆମ୍ବଗୁଡ଼ିକ ପାଚୁଥିଲା ଏବଂ ଖିଆ ଯାଉଥିଲା । ଆମ୍ବ ନେଇ ଖାଇବାପାଇଁ ବେଳ ଅବେଳ ଆଦୌ କିଛି ବି ନଥିଲା । ଭାତ ଖାଇବା ସମୟରେ ଆମେ ବାପାଙ୍କର ମେଳରେ ଆମ୍ବ ଖାଇବା ସମୟରେ ପେଟ ଅବଶ୍ୟ ପୁରୁଥିଲା । ତଥାପି, ଆଉ କୋଉ ପେଟମାନ ତଥାପି ପୂରୁନଥିଲେ କି କ’ଣ କେଜାଣି, ତଥାପି ବାସନାମାନେ ବାକି ରହି ଯାଉଥିଲେ । ଖରାବେଳେ ହୁଏତ କୋଉ ସାଙ୍ଗକୁ ଆଣି କୋଉ ଘର ଖଟଉପରେ ଆମେ ଛଟା ଗାଳି ଶୋଇ ଯାଉଥିଲୁ । ଘରକାମ ସରିବା ସରିବା ପରେ ବୋଉ ବି ଶୋଇ ପଡ଼ୁଥିଲା । ଯେତିକିବେଳେ ଖଟ ତଳକୁ ହାତ ବଢ଼ାଇ ଗୋଟି ଗୋଟି କରି ଆମ୍ବ ହାତକୁ ନେଇ ସାଙ୍ଗମାନଙ୍କ ସାଙ୍ଗରେ ଅଧୁଆ ଆମ୍ବ ଖାଇବାଟା ଯେ ଆଉଗୋଟିଏ ବିଶେଷ ଭୋକର ନିବାରଣ କରାଉଥିଲା, ସେକଥାକୁ ଆଦୌ ଟାଳିଦେଇ ହେବନାହିଁ । ଏହି ବିଦ୍ୟାଟିକୁ କଦାପି ଚୋରି ବୋଲି କୁହା ଯିବନାହିଁ । ଏହି କାର୍ଯ୍ୟଟି କରିବାବେଳେ ଭିତରେ କିଛି ଭୟ ଅବଶ୍ୟ ଥିଲା, ମାତ୍ର ତାହାକୁ ଚୋରି କରି ଧରା ପଡ଼ିବାର ଭୟ ବୋଲି କାହିଁକି କୁହାଯିବ ? କେତେଥର ଧରା ପଡ଼ିଗଲେ ମଧ୍ୟ ନିଜକୁ ଆଦୌ ଚୋର ବୋଲି ଲାଗୁନଥିଲା । ଧରୁଥିବା ଗୁରୁଜନମାନେ ମଧ୍ୟ କାର୍ଯ୍ୟଟିକୁ ମୋଟେ ସେପରି ଦୃଷ୍ଟିରେ ଦେଖୁନଥିଲେ । ବେଳେ ବେଳେ ବାଲି ଉପରେ ଖାଲି ଜାଗାଗୁଡ଼ିକ କ୍ରମେ ବାରିହୋଇ ପଡ଼ୁଥିଲେ ଓ ସଂପୃକ୍ତ ବଡ଼ମାନେ ସେକଥା ଦେଖି ହୁଏତ ସବୁ ବୁଝି ବି ଯାଉଥିଲେ । ଏହି କାଣ୍ଡ ପିଲାମାନେ କରିଛନ୍ତି ବୋଲି ପାଟି ଖୋଲି କହି ପକାଉଥିଲେ । ମାତ୍ର ସେମାନେ ଆହୁରି ବେଶୀ ବାଟ କେବେ ଆଗକୁ ଯାଉନଥିଲେ ଅଥବା ଦୁର୍ଘଟଣାରେ ତଦନ୍ତ କରୁନଥିଲେ । ପରିବାର ଭିତରେ ସବୁବେଳେ ବହୁତ ନୀତି ରହିଥାଏ, ମାତ୍ର, ପରିବାରବୋଧ ଭିତରେ ଯାବତୀୟ ନୀତିର ଅତୀତ ଆଉ ଏପରି କ’ଣଗୋଟିଏ ରହିଥାଏ, ଯାହାକି ସତେଅବା ଆଉ ଏକ ସ୍ତରର ବିବେକଦ୍ଵାରା ପରିଚାଳିତ ହୋଇ ନୀତିଗୁଡ଼ିକୁ ଅତିକ୍ରମ କରିଯାଏ ।

 

ଭାରତୀୟ ଯୌଥ ପରିବାର ଏକ ବିଚିତ୍ର ବ୍ୟବସ୍ଥା । ପୃଥିବୀର ବହୁତ ବହୁତ ସମାଜରେ ଆଗେ ସେହି ଯୌଥ ପରିବାର ହିଁ ଥିଲା ବୋଲି ସମାଜକୁ ଅଧ୍ୟୟନ କରୁଥିବା ପଣ୍ଡିତମାନେ ମତ ଦିଅନ୍ତି । ସେହି ବ୍ୟବସ୍ଥାକୁ କେହି କଦାପି ମୁଣ୍ଡ ଖର୍ଚ୍ଚ କରି ତିଆରି କରିନଥିବେ । ଏକ ପରିବାରବୋଧ ହିଁ ତାହାକୁ ସମ୍ଭବତଃ ଅତ୍ୟନ୍ତ ଅଜାଣତ ଭାବରେ ଗଢ଼ିଆଣିଛି । ଏହି ପରିବାରବୋଧ ଜଙ୍ଗଲୀ ଏକୁଟିଆ ମଣିଷମାନଙ୍କୁ ପରସ୍ପର ପାଖକୁ ଆକର୍ଷିତ କରି ଆଣିବାରେ ଖୁବ୍ ସାହାଯ୍ୟ କରିଥିବ । ମଣିଷ ପାଖରେ ଏଡ଼େବଡ଼ ମୁଣ୍ଡଟାଏ ରହିଥିଲେ ମଧ୍ୟ ଓ ସେହି ମୁଣ୍ଡଟା ଦ୍ଵାରା ମଣିଷ ଆପଣାକୁ ଅଧିକରୁ ଅଧିକ ପରିମାଣରେ ପରିଚାଳିତ କରିବା ନିମନ୍ତେ ମନ କରି ଆସିଥିଲେ ମଧ୍ୟ ତା’ର ହୃଦୟ ସତେଅବା ଆଗକୁ ବାହାରି ପଡ଼ି ତା’ର ସେହି ପରିବାରବୋଧକୁ କାଳେ କାଳେ ସାହସ ଯୋଗାଇ ଆସିଛି, ଏବେ ମଧ୍ୟ ଯୋଗାଉଛି । ମଣିଷକୁ ଅଧିକ କୋମଳ କରିଛି, ଅନ୍ୟକୁ ବାଟ ଛାଡ଼ିଦେଇ ଶିଖାଇଛି । କମ୍ ଦମ୍ଭୀ କରାଇଛି, ଅସଲ ଆତ୍ମବୋଧଟି ଯେ ଅହଙ୍କାର ଭିତରେ ଆଦୌ ନାହିଁ, ମଣିଷକୁ ତା’ର ନାନା ପାଠଶାଳାରେ ସେକଥାକୁ ଶିଖାଇ ଆସିଛି-। ଆପଣାକୁ ଦେଇ ପାରିବାର, ଅର୍ଥାତ୍ ଅନ୍ୟମାନଙ୍କ ଲାଗି ଅଧିକରୁ ଅଧିକ ବଞ୍ଚି ଅପଣାଲାଗି ଅଧିକ ମୂର୍ତ୍ତି ଏବଂ ଅଧିକ ନିଶ୍ଚିତ ଭାବରେ ବଞ୍ଚି ପାରିବାର ଯେଉଁ ପ୍ରବୃତ୍ତିଟି ସଭ୍ୟତାର ଗତିକ୍ରମ ଅନୁସାରେ ବିକଶିତ ହୋଇଆସିଛି, ତା’ର ପରିବାରବୋଧ ସେଥିରୁ ଜନ୍ମ ନେଇଛି । ଅଥବା, ତା’ ଭିତରେ ପରିବାରବୋଧ ନାମକ ମୌଳିକ ବସ୍ତୁଟିଏ ତା’ ଜୀବନକୁସୁମନର ସତେଅବା ଏକ ମୂଳଧାତୁ ରୂପେ ଅନ୍ତର୍ନିହିତ ହୋଇ ହୁଏତ ରହିଛି, ଯାହାକି ତାକୁ ଏକ ଯୌଥ ପାରିବାରିକ ଜୀବନ ଆଡ଼କୁ ଅଧିକ ନିର୍ଭର ସହିତ ଆକୃଷ୍ଟ କରି ରଖିଛି । ମଣିଷର ଭିତରୁ ଅଥବା ବାହାରୁ କେତେ କେତେ ବୃତ୍ତି ଓ ପ୍ରବୃତ୍ତି ତାକୁ ଏକୁଟିଆ ହୋଇ ଯିବାରୁ, ଆପଣାର ଜୀବନଟିକୁ କେବଳ ଆପେ ଉପଭୋଗ କରିବାକୁ ନାନା ମନ୍ତ୍ରଣା ଦେଇ ଆସିଥିବା ସତ୍ତ୍ୱେ, ମନୁଷ୍ୟର ଅଧିକତର ବିକାଶ ସେହି ପରିବାରବୋଧ ଉପରେ ଅଧିକ ନିର୍ଭରଶୀଳ ହୋଇ ରହିଛି, ମୋ’ ନିଜ ଘର ଓ ନିଜ ଗାଆଁ ଯେ ମୋ’ର ଅତି ପିଲାଦିନରୁ ସେହି ପାଠରେ ମୋ’ର ଖଡ଼ି ଛୁଆଁ କରାଇ ଆଣିବାରେ ଏକ ଶକ୍ତିଶାଳୀ ନିମିତ୍ତରୂପେ କାର୍ଯ୍ୟ କରି ଆସିଛି, ଅଶେଷ କୃତଜ୍ଞତା ସହିତ ମୁଁ ଉଭୟ ପଛକୁ ଏବଂ ଆଗକୁ ଅନାଇ ସେହି କଥାଟିକୁ ହୃଦୟଙ୍ଗମ କରିଛି ।

 

ପରିବାର କହିଲେ ସତ ଅନ୍ୟସମ୍ପର୍କୀୟତାକୁ ବୁଝାଇଲାଣି । ସଂସାର ଛାଡ଼ିଥିବା ସନ୍ନ୍ୟାସୀମାନେ ସଂସାର କହିଲେ ଯେପରି ସତେଅବା ଗୋଟାଏ ଗାତକୁ ବୁଝୁଥିଲା ପରି ମନେ ହେଉଥିଲେ, ଏବେ ସଂସାରୀମାନେ ମଧ୍ୟ ଅନେକ କ୍ଷେତ୍ରରେ ସଂସାର କହିଲେ ପ୍ରାୟ ସେହିପରି ଗୋଟିଏ ଗାତଭିତରେ ଯାଇ ପଶିଯିବାକୁ ବୁଝୁଛନ୍ତି । ସନ୍ନ୍ୟାସୀମାନେ ସଂସାରକୁ ଛାଡ଼ୁଥିଲେ ବୋଲି ସମ୍ଭବତଃ ଅସୂୟା ଅଥବା ଅସ୍ପୃହା ସକାଶେ ସଂସାରକୁ ଗର୍ତ୍ତବୋଲି କହୁଥିଲେ । ଅନେକ ସଂସାରୀ ସତେଅବା ପରମ ଶ୍ରଦ୍ଧାରେ ହିଁ ଯେଉଁ ଗାତରେ ପଶି ଯାଉଛନ୍ତି, ତାହାକୁ ସଂସାର ବୋଲି କହୁଛନ୍ତି । ପରିବାରବୋଧ କମି କମି ଯାଉଛି ବୋଲି ସମ୍ଭବତଃ ଗାତ ଭିତରେ ଯାଇ ପଶିଯିବାକୁ ହିଁ ସଂସାର ବୋଲି ଭ୍ରମ କରାଯାଉଛି । ତଥାକଥିତ ପରିବାର କହିଲେ ଏଣିକି ଏଣିକି ମିଆଁ, ବିବି ଓ ସେମାନଙ୍କର ନିଜ ସନ୍ତାନମାନକୁ ହିଁ ବୁଝାଉଛି । ହୃଦୟ-ଅଭିଧାନର ଏକ ଅର୍ଥସ୍ତରରୁ ପରିବାରନାମକ ଶବ୍ଦଟି ସତେଅବା ଅନ୍ୟକୌଣସି ପ୍ରୟୋଜନ ଦ୍ଵାରା ପରିଚାଳିତ ହୋଇ ଗୋଟାଏ ଗର୍ତ୍ତର ଦୁରାତ୍ମତା ପାଖରେ ଆସି ପହଞ୍ଚିଲାଣି । ଆମ ପିଲାଦିନେ ଏପରି ହୋଇନଥିଲା । ମୂଳତଃ ଏକ ପରିବାରବୋଧ ହିଁ ଯାବତୀୟ ପାରିବାରିକତାକୁ ଉଦବୋଧିତ କରି ରଖିଥିଲା । ସମ୍ଭବତଃ ହୃଦୟଟାକୁ ଟପିଯିବା ପାଇଁ ମସ୍ତିଷ୍କଟା ସେପରି କୌଣସି ତାଲିମ ପାଇନଥିଲା ବୋଲି ସେପରି ହୋଇଥିଲା । ବାହାରେ ଗଣନା କରିବାକୁ ଅର୍ଥାତ୍ ମୋ’ର ବୋଲି କହିବାକୁ ମଣିଷମାନଙ୍କ ପାଖରେ ସେପରି ବହୁତ କିଛି ନଥିଲା ବୋଲି ଆଉ ସେଭଳି ହେଉଥିଲା କି ?

 

ଯେଉଁ ଘର ମୋତେ ପିଲାଟି ଦିନରୁ ସେହିପରି ଏକ ପରିବାରରବୋଧର ନିର୍ଭର ଭିତରେ ସଦାସିକ୍ତ କରି ରଖିଥିଲା । ସେହି ଘର ପାଖରେ ମୁଁ ସର୍ବଦା କୃତଜ୍ଞ ରହିଥିବି । ଏପରି ଗୋଟିଏ ଘର, ଯାହାକି ତୁମକୁ ସ୍ନେହ ଦିଏ, ଯତ୍ନ ଦିଏ, ଆଶିଷ ଦିଏ, ଯାବତୀୟ ସଦିଚ୍ଛା ଦେଉଥାଏ ଏବଂ ତଥାପି ତୁମର ଗୋଡ଼କୁ ଟାଣି ରଖେନାହିଁ, ବାଧ୍ୟ କରେନାହିଁ, ନିଜ ଆଗ୍ରହର ପରିଧିଗୁଡ଼ିକୁ ସେହି ଗୋଟିଏ ଆୟତନର ପରିଧି ଭିତରେ ମୋଟେ ଆବଦ୍ଧ କରି ରଖିବାକୁ ଚେଷ୍ଟା କରେନାହିଁ । ମୋ’ ବାପା ଅତ୍ୟନ୍ତ କଡ଼ାଲୋକ ଥିଲେ ବୋଲି ସେତେବେଳେ ପାଖଆଖର ଗାଆଁମାନଙ୍କରେ ମଧ୍ୟ ଖ୍ୟାତି ରହିଥିଲା; ମାତ୍ର ସିଏ ମୋତେ ଦିନେହେଲେ ବି ନାଲିଆଖି ଦେଖାଇ ନାହାନ୍ତି । ମୋ’ର ବଡ଼ଭାଇଆମକୁ ପାଠ ପଢ଼ାଇଛନ୍ତି, ବଡ଼ ହୋଇ ଆମେ ନିଜ ନିଜ ସକାଶେ ବାଟ ପରି ବାଟଟିଏ ପାଇବୁ ବୋଲି ସିଏ ତଥାକଥିତ ନିଜର ସୁଖକୁ ପଛରେ ପକାଇ ଆମମାନଙ୍କ କଥା ଆଗ ଭବିଛନ୍ତି, ଏବଂ ତଥାପି ଆମେ ତାଙ୍କରି କଥା ମାନିବାକୁ ବାଧ୍ୟ ବୋଲି କଦାପି ବାଟ ଓଗାଳି ବସିନାହାନ୍ତି । ଭାଇବୋଉ ଘରକୁ ଆସିଲା, ଭାଇଙ୍କର ନିଜର ପିଲା ହେଲେ, ବଡ଼ ହେଲେ, —ତଥାପି ପ୍ରାୟ ସଂସାରରେ ରହିଥିବା ପର୍ଯ୍ୟନ୍ତ ନିଜର ଛୁଆମାନଙ୍କ ସାମନାରେ ଆମେ ଭାଇମାନେ ହିଁ ତାଙ୍କ ପାଇ ସବାଆଗ ବୋଲି କେଡ଼େ ଗୌରବର ସହିତ ଘୋଷଣା କରିଛନ୍ତି । ତାଙ୍କ ମୁହଁରୁ ଏକାନ୍ତ ଅକୃତ୍ରିମ ଭାବରେ ବାହାରୁଥିବା ଏହି କଥାଗୁଡ଼ିକ ଶୁଣିବା ସମୟରେ ନିଜର ମୁଣ୍ଡ ତାଙ୍କର ଗୋଡ଼ତଳେ ଯାଇ ଯେ ଖାଲି ଲାଗି ଯାଉଥିଲା, ତା’ ନୁହେଁ, ପରିବାର କହିଲେ ଯେ ଗୋଟାଏ ଏକାନ୍ତ ସ୍ଵାର୍ଥପ୍ରଣୋଦିତ ଗାତକୁ ନବୁଝାଇ ବସ୍ତୁତଃ ଏକ ସଦାସମ୍ପ୍ରସାରଣକ୍ଷମ ବୋଧକୁ ବୁଝାଏ, ସେହି ସତ୍ୟାନୁଭବଟି ଜୀବନାଗ୍ରହର ଏକ ଅଂଶରେ ହିଁ ପରିଣତ ହୋଇ ଯାଉଥିଲା ।

 

ଭାଉଜମାନେ ଆମ ଘରକୁ ଆସିବା ପରେ ଘର ଭାଙ୍ଗିଲାନାହିଁ କି ଭାଗ ହେଲାନାହିଁ, ଘରର ଶୋଭା ଆହୁରି ବଢ଼ି ଯାଇଥିଲା । ଦୁଇ ନମ୍ବର ଭାଉଜ ଆମ ଘରକୁ ଆସିଲାବେଳେ ଆମ ଘରକୁ ଲକ୍ଷ୍ମୀଟିଏ ଆସିଲା ବୋଲି ସାହି ଭାଇରେ ସମସ୍ତେ କହୁଥିଲେ । ସଂସାରରୁ ବିଦା ହୋଇ ଯିବାଯାଏ ସିଏ ପ୍ରକୃତରେ ଲକ୍ଷ୍ମୀଟିଏ ହିଁ ଥିଲା । ଆମ ଘରକୁ ଆସିବା ସମୟରେ ସିଏ ନିରକ୍ଷରା ଥିଲା, ଆମ ଘରେ ଆସି ଅକ୍ଷର ଶିଖିଲା, ଚିଠି ଲେଖି ଓ ବହି ପଢ଼ି ପାରିଲା । ନିଜ ବାପାଙ୍କର ସିଏ ଏକମାତ୍ର ଅଲିଅଳୀ ଝିଅ ହୋଇ ବଢ଼ିଥିଲା, ସମ୍ଭବତଃ ସେଇଥିପାଇଁ ଆମ ଘରକୁ ଆସି ସମସ୍ତଙ୍କୁ ଆପଣାର କରିନେଇ ପାରିଲା । ତା’ ପରେ ତା’ର ସାନଯାଆମାନେ ଘରକୁ ଆସିଲେ ଓ ତା’ ଆଦର ଓ ଅନୁରାଗର କାନିତଳକୁ ଆସି ସତେଅବା ସବୁ ବୁଝିଗଲେ ଓ ନୂଆ ଘରଟି ସହିତ ଖାପ ଖାଇଯାଇ ପାରିଲେ । ଦ୍ଵିତୀୟ ଭାଉଜ ବହୁଦୂରରୁ ଆସିଥିଲା । ଏଥି ପୂର୍ବରୁ ଆମ ଗାଆଁର ଆଉ କେହି ଏତେଗୁଡ଼ାଏ ଦୂରରେ ବନ୍ଧୁ ବାନ୍ଧି ନଥିଲେ । ଆମ ଗାଆଁରୁ ମେଳାଏ କୁଣିଆଁ ବରସାଙ୍ଗରେ ଯାଇଥିଲେ । ସେଠାରେ କୁଆଡ଼େ ସେମାନଙ୍କର ଯଥୋଚିତ ଚର୍ଚ୍ଚା ହେଲାନାହିଁ । ଆଗରୁ ଯୌତୁକ ବିଷୟରେ କିଛି ଛିଣ୍ଡିନଥିଲେ ମଧ୍ୟ ଡାକ୍ତର ବରକୁ ତା’ ଶଶୁରଘର ନିଶ୍ଚୟ କ’ଣ ସବୁ ଦେବେ ବୋଲି ଅବଶ୍ୟ ଆଶା ପୋଷଣ କରଯାଇଥିଲା । ସେମାନେ ଯାହା ଦେଲେ, ତାହା କାହାରି ପସନ୍ଦକୁ ପାଇଲା ନାହିଁ । ତେଣୁ ହୁରୁଡ଼ି ଆସିବାପରେ ସମସ୍ତେ ବରକନ୍ୟାକୁ ନେଇ ସେଠାରୁ ଆସିଥିଲେ । ଏବଂ, ସେହି ଦୁଃଖ ଓ ଖେଦଜନିତ ଆକ୍ରୋଶଗୁଡ଼ିକ ଘରକୁ ଆସି ନୂଆ ବୋହୂଟି ଉପରେ ଶୁଝିଲା । ସାଇପଡ଼ିଶା ଘରକୁ ବୋହୂ ଦେଖିବାକୁ ଆସିଲେ ଏବଂ ମୁହଁ ମୋଡ଼ି କଥା ସବୁ କହିଲେ । ନୂଆ ବୋହୂଟି ତ କଥା କହି ପାରିବ ନାହିଁ, ତଥାପି ନିଜକୁ ସିଏ କେଡ଼େ ଅସହାୟ ଓ ଏକୁଟିଆ ମନେ କରିନଥିବ । ତାଙ୍କ ଘରବାଲା କ’ଣ କଲେ ବା ନକଲେ, ଆମ ଘରକୁ ଆସିବାପରେ ସିଏ କେଉଁ ନ୍ୟାୟରେ ସେଥିରେ କାହିଁକି ଭାଗୀ ହେବ ? ମୁଁ ସହି ପାରିଲିନାହିଁ, ଘରକୁ ନୂଆ ବୋହୂଟିଏ ଆସିଲେ ସଂପୃକ୍ତ ସମସ୍ତେ ଯେପରି ଖୁସୀ ହେବା କଥା, ଆମ ଘରେ ସେହି ଖୁସୀଟି ମୋଟେ ଦିଶୁନଥାଏ । କେହି କିଛି କହୁନଥାନ୍ତି ସିନା, ମାତ୍ର ବାତାବରଣଟା ସତେଅବା ଭାରି ଅଶ୍ଵସ୍ତିମୟ ହୋଇ ରହିଥାଏ । ମୁଁ ପ୍ରଥମେ ମୁହଁ ଖୋଲିଲି, ଏହି ଅଣନିଃଶ୍ଵାସୀ ପରିବେଶଟା ଦୂର ନହେବା ପର୍ଯ୍ୟନ୍ତ ମୁଁ ଏ ଘରେ ଖାଇବିନାହିଁ ବୋଲି ଘୋଷଣା କରିଦେଲି । କ୍ଷଣକପାଇଁ ସମସ୍ତେ କିଞ୍ଚିତ୍ ଇତସ୍ତତଃ ହୋଇଗଲେ ସିନା, ମାତ୍ର ତା’ପରେ ସବୁ ହାଲୁକା ହୋଇ ଆସିଲା । ସେତେବେଳେ ମୁଁ ଜେଲରୁ ଖଲାସ ହୋଇ ଆସିଥାଏ । ଦୁଇମାସ ପରେ ଶାନ୍ତିନିକେତନ ଯିବାର ଥାଏ । ସେହି ଖରା ଛୁଟୀରେ ଗାଆଁରେ ଆମେ ମୁଁ ନାଟକରୂପ ଦେଇଥିବା ‘ମାଟିର ମଣିଷ’ ମଞ୍ଚସ୍ଥ କରିବାକୁ ଯାଉଯାଉ, ଯେଉଁଥିରେ କି ମୁଁ ‘ବରଜୁ’ର ଭୂମିକାରେ ଅଭିନୟ କରୁଥାଏ ।

 

ମୁଁ ଖାଇବିନାହିଁ ବୋଲି ଘୋଷଣା କରିଦେବା ଦ୍ଵାରା ଘରେ ଯେଉଁ ସଙ୍କଟଟିର ସୃଷ୍ଟି ହୋଇଗଲା, ତାହାହିଁ ମୂଳ କଥାଟିର ସମାଧାନ କଲା । ମୁଁ ନଖାଇଲେ ଭାଉଜମାନେ ଖାଆନ୍ତେ ବି କିପରି ? ବୋଉ ମଧ୍ୟ କିପରି ଶାନ୍ତି ହୋଇ ରହନ୍ତା ? ସେହିଦିନ ଠାରୁ ଆମ ଘରେ ଘରକୁ ଯୌତୁକ ନଆସିବା ବିଷୟରେ କୌଣସି ଚର୍ଚ୍ଚା ହିଁ ହୋଇନାହିଁ । ସେହି ସେକାଳର ନୂଆ ଭାଉଜ ବର୍ତ୍ତମାନ ଆଈ ହେଲେଣି । କିନ୍ତୁ ସେହି କାରଣରୁ କି କ’ଣ କେଜାଣି, ଆମେ ଦିଅର ଭାଉଜ ପରସ୍ପରକୁ ଅଧିକ ନିକଟ ବୋଲି ଅନୁଭବ କରି ଆସିଛୁ । ଘରକୁ ଦେଇଥିବା ଅଧିକାଂଶ ଚିଠି ମୁଁ ସେହି ଭାଉଜର ନାଆଁରେ ଦେଇଛି । ମୁଁ ଡେନମାର୍କରେ ପାଠ ପଢ଼ୁଥିବା ସମୟରେ ସେଇ ଭାଉଜର ଠିକଣାରେ ପ୍ରାୟ ସବୁଯାକ ଚିଠି ଦେଉଥିଲି । ଆମ ଦୁହିଁଙ୍କର ବୟସରେ ବେଶୀ ଅନ୍ତର ନଥିଲା ଏବଂ, ଆହୁରି ଗୋଟିଏ ଅସଲ କଥା ହେଉଛି ଯେ, ଭାଉଜଙ୍କର ମଧ୍ୟ ଲେଖା ଲେଖିରେ ସଉକ ଥିଲା ଓ ବହି ପଢ଼ାରେ ଆଗ୍ରହ ଥିଲା । ଚିଠିରେ ଆମେ ବେଳେ ବେଳେ ସାହିତ୍ୟର ଆଲୋଚନା ମଧ୍ୟ କରିଛୁ । ବର୍ତ୍ତମାନ ସେହି ଭାଉଜ ବିଲାତରେ । ସେଠାକୁ ଯିବାପରେ ସିଏ କେତେ ଗପବହି ଓ ଅନ୍ୟ ରଚନା ଲେଖିଛି ଓ ତାହା ଏଠି କଟକରୁ ଛପାଯାଇଛି । ତାଙ୍କର ସାହିତ୍ୟିକ ଆଗ୍ରହ ଏବେ ମଧ୍ୟ ଉଜାଗର ହୋଇ ରହିଛି । ସେହି ପରିବାରକୁ ପ୍ରକୃତରେ ଧନ୍ୟ କହିବା, ଯେଉଁଠାରେ କେତେକ ମଣିଷ ରକ୍ତସମ୍ପର୍କରେ ବାନ୍ଧି ହୋଇ ରହିଥିଲେ ମଧ୍ୟ ତଥାପି ନିଜ ଆକାଂକ୍ଷା ଓ ଅନୁରାଗଗୁଡ଼ିକର ଗବାକ୍ଷଗୁଡ଼ିକୁ ପୃଥିବୀ ଆଡ଼କୁ ଖୋଲି ରଖିଥାନ୍ତି । ବୋହୂଟିଏ ରନ୍ଧାବଢ଼ା କରେ, ପିଲାନେଞ୍ଜରା ଭିତରେ ଥାଏ, ନିଜ ସ୍ଵାମୀ ଅଥବା ପିଲାମାନଙ୍କ ପାଇଁ ଓଷାଉପାସ କରୁଥାଏ, ତଥାପି ତଥାକଥିତ ସେହି ନିତାନ୍ତ ପାରିବାରିକତାର ହିଡ଼ଗୁଡ଼ିକୁ ଡେଇଁ ନିଜର ଆଉ ଗୋଟିଏ କୌଣସି ଆଗ୍ରହ ରଖିଥାଏ, ବହିଟିଏ ପଢ଼ି ନିଜ ଭିତରେ ଉତ୍ତୋଳିତ ଅନୁଭବ କରୁଥାଏ ଅଥବା ବହିଟିଏ ଲେଖି ସତେଅବା କୋଉ ଭଗବାନଙ୍କଠାରେ ଦେଇ ଆସିଥିବା ଜବାବଟିଏ ପୂରଣ କରି ପାରିଲା ବୋଲି ନିଜକୁ ଧନ୍ୟ ବୋଲି ମନେ କରୁଥାଏ । ଅସଲ ପରିବାରବୋଧ ଦ୍ଵାରା ହିଁ ତାହା ସମ୍ଭବ ହୁଏ । ଯେଉଁଠି ଶାଶୁ ବୋହୂ, ବାପ ପୁଅ ଓ ଭଉଣୀ ତଥା ଭାଇ ବୋଲି ଉପଚାର ଅନୁସାରେ ସମସ୍ତେ ଖାତାରେ ଲେଖାହୋଇ ରହିଥାଆନ୍ତି ସତ, ତଥାପି ଆପଣା ଆପଣାର ଆଗ୍ରହର ମାର୍ଗରେ ଯାଇ ପାରୁଥାନ୍ତି, ଜଣେ ଜଣେ ବ୍ୟକ୍ତି ହିସାବରେ ଆପଣାର ଅନ୍ତରଙ୍ଗ ଧର୍ମଗୁଡ଼ିକର ଅନୁଶୀଳନ କରି ପାରୁଥାନ୍ତି । ଭାଇଟିଏ, ବୋଉଟିଏ କିମ୍ବା ଭାଉଜଟିଏ ହୋଇ ରହିଲା ବୋଲି ଯଦି କାହାର ସେହି ହିଡ଼ ଡେଇଁବାର ସ୍ଵତନ୍ତ୍ରତା ନଥାଏ, ତେବେ ତଦ୍ଦ୍ଵାରା ସେହି ବ୍ୟକ୍ତିଟିର ତ ପ୍ରଭୂତ କ୍ଷତି ହୁଏ, ମାତ୍ର ସେହି ପରିବାରଟି ମଧ୍ୟ ସତେଅବା କୋଉ ଯାନ୍ତ୍ରିକତା ଭିତରେ ପଡ଼ି ଛଟପଟ ହେଉଥାଏ । ସମସ୍ତେ ଗୋଟାଏ ଚାଳ ତଳେ ଏକାଠି ରହିଲେ ଯେ ମଣିଷମାନେ ସତକୁ ସତ ପରସ୍ପରର ନିକଟବର୍ତ୍ତୀ ହୋଇ ରହନ୍ତି, ସେକଥା ଆଦୌ ନୁହେଁ । ସେମାନେ ନିକଟବର୍ତ୍ତୀ ହୋଇ ରହିଛନ୍ତି ବୋଲି ଖୁବ୍‍ ଦେଖା ଯାଉଛନ୍ତି, ତଥାପି ଅସଲ ଥାନଗୁଡ଼ିକରେ ଭାଟି ବାଧ୍ୟ ହୋଇ ରହିଥାନ୍ତି । ଭିତରେ ଆତ୍ମାମାନେ ବଡ଼ ଛଟପଟ ହେଉଥାନ୍ତି । ସମସ୍ତେ ସମସ୍ତଙ୍କର ଗୋଡ଼ଗୁଡାକୁ ଯାବୁଡ଼ି ଧରିଥାନ୍ତି । କେହି କାହାରିକୁ ଆଗକୁ ଛାଡ଼ି ଦେଉନଥାନ୍ତି, କାହା ଭିତରେ କିଛି ସ୍ଵତନ୍ତ୍ରତା ପ୍ରକାଶ ପାଇଲେ ସିଏ ଯନ୍ତ୍ର ଭିତରୁ ବାହାରି ଯାଉଛି ବୋଲି କହି ଓ ଈର୍ଷା କରି ପରିହାସ କରୁଥାନ୍ତି । ରକ୍ତ ସମ୍ପର୍କକୁ ଆତ୍ମିକ ସମ୍ପର୍କଠାରୁ ଅଧିକ ସତ୍ୟ ବୋଲି କହୁଥିବା ଦୁରାଗ୍ରହର କବଳରେ ପଡ଼ି, ରହିଥାନ୍ତି । ସଂସାରର ବହୁତର ବିଭ୍ରାନ୍ତି ସେଇଥିରୁ ହିଁ ଜନ୍ମଲାଭ କରିଥାଏ ।

 

୧୯୫୪ ମସିହା ଆରମ୍ଭ ବେଳକୁ ମୁଁ ଡେନମାର୍କରୁ ଫେରିଲି । ନିଜ ବୋଇତଟିକୁ ବୋଝେଇ କରି ଏକମୁହାଁ ହୋଇ ଘରକୁ ଫେରିଥିବା ଜଣେ ସାଧବ ପରି ନିଜକୁ ଲାଗୁଥାଏ । ଜୀବନରେ ନିଜପାଇଁ ନିଷ୍ପତ୍ତିଟିଏ କରି ସାରିଥିଲେ ମଣିଷକୁ ନିଜ ଭିତରର ବହୁତ ଉପଦ୍ରବରୁ ରକ୍ଷା ମିଳେ । ତାକୁ ଆଉ ପାଞ୍ଚ ପ୍ରକାର ଓଜନଯୁକ୍ତ ପାଞ୍ଚଟା ବା ସାତଟା ଅନୁରକ୍ତିଦ୍ଵାରା ଅନୁକ୍ଷଣ ଟାଣିହୋଇ ରହିବାକୁ ପଡ଼େନାହିଁ । ନିଜେ ନିଜପାଇଁ ଗୋଟାଏ ଭଲକୁ ବାଛିସାରିବା ପରେ ଆହୁରି ଅଧିକ ଭଲ ବୋଲି ପୃଥିବୀରେ ହୁଏତ କିଛି ରହିଗଲା ବୋଲି ଉଖାରି ହେବାକୁ ଆଦୌ ମନ ହୁଏନାହିଁ, ସମ୍ଭବତଃ ଏହିପରି ଏକ ଅବସ୍ଥାକୁ ମଣିଷର ଗୌରବ ଏବଂ ଗଞ୍ଜଣାଗୁଡ଼ାକୁ ବୁଝୁଥିବା ଦରଦୀମାନେ ପ୍ରେମ ବୋଲି କହିଛନ୍ତି, ଯେଉଁଟିପାଇଁ ତୁମେ ସବୁ ଦେବାକୁ ପ୍ରସ୍ତୁତ ହୋଇଯାଇଛ, ତୁମେ ତାହାକୁ ହିଁ ପ୍ରେମ କରୁଛ ବୋଲି ଆଖି ବୁଜି କୁହାଯାଇ ପାରିବ । ମୁଁ ଏହିପରି ଗୋଟିଏ ପ୍ରେମରେ ସତକୁ ସତ ପଡ଼ି ସାରିଛି ବୋଲି ଆମ ଘରେ ମୋ’ ଗୁରୁଜନମାନେ ସମସ୍ତେ ବୁଝି ପାରୁଥିଲେ । ସେମାନେ ଏପରି ଏକ ପ୍ରେମରେ ପଡ଼ିବାକୁ ସମ୍ଭବତଃ ପସନ୍ଦ କରୁନଥିଲେ ସତ, ମୁଁ ମୋ’ ନିଜର ବାଟଟିଏ ବାଛି ସମସ୍ତେ ବାଟ ବୋଲି କହୁଥିବା ଗୁଳାଟିରେ ନଯାଇ ନିଜ ବାଟରେ ଯାଏ ଚାଲି ମୋ’ର ହିତ ବିଷୟରେ ସେମାନଙ୍କର ଯାବତୀୟ ଅନ୍ଦାଜ ଦୃଷ୍ଟିରୁ ଖୁବବେଶୀ ଇଚ୍ଛା କରୁନଥିଲେ ସତ, ମାତ୍ର ମୋତେ ତଥାପି କୌଣସି ବାଧା ଦେଉନଥିଲେ । ସେମାନେ ମୋ’ ଆଖିରେ ମୋ’ ବାଟଟି ମୋତେ କିପରି ଦିଶୁଥିବ, ସମ୍ଭବତଃ ତାହାକୁ କିଞ୍ଚିତ୍ ପରିମାଣରେ ବୁଝି ପାରୁଥିଲେ, ତେଣୁ ମୋ’ର ବାଟରେ ଆସି ଠିଆ ହେବାକୁ ଇଚ୍ଛା କରୁନଥିଲେ । ତଥାପି ପାରିବାରିକ କର୍ତ୍ତବ୍ୟ ହିସାବରେ ସେମାନେ ମୁଁ ବିଦେଶରୁ ଫେରି ଆସିବା ପରେ ମୋ’ର ବିବାହ ବିଷୟରେ ଚିନ୍ତାକଲେ । ମୋ’ର ବଡ଼ ଭାଇ ସମସ୍ତେ ଯେଉଁ ବୟସରେ ବିବାହ କରିଥିଲେ, ମୁଁ ସେହି ବୟସକୁ କୋଉଦିନୁଁ ଅତିକ୍ରମ କରି ସାରିଥିଲି । ତେଣୁ, ସେମାନେ ଆଉ କେତେ ଦିନ ଅପେକ୍ଷା କରନ୍ତେ ? ତାଙ୍କର ହିସାବରେ ମୁଁ ଏଥର ସେମାନଙ୍କର ବୋଲ ମାନିବାର ଏକ ପ୍ରୟୋଜନ ଆସି ପହଞ୍ଚିଥିଲା ।

 

ମୋ’ ପାଇଁ କନିଆଁ ଖୋଜାହେଲା । ପ୍ରସ୍ତାବ ଆସିଲା । ସେତେବେଳକୁ ମୁଁ ଚମ୍ପତିମୁଣ୍ଡାରେ ମାତିଥାଏ, ନିଜ ଜୀବନରେ ଦ୍ଵିଜ ହେବାର ସେହି ଆକର୍ଷଣକାରୀ ଉତ୍ସବଟି ମଧ୍ୟରେ ମଜ୍ଜି ରହିଥାଏ । ବିବାହ କରିବାରେ ମୋ’ର ଆପତ୍ତି ନଥାଏ ସିନା, ମାତ୍ର ମୋ’ର ବାଟକୁ ବନ୍ଧୁ ପରି ବୁଝି ମୋ’ ସହିତ ଜୀବନ ବଞ୍ଚିବା ଲାଗି ରାଜି ହେଉଥିବା ମଣିଷଟିଏ ନମିଳିଲେ ମୁଁ ଅତ୍ୟନ୍ତ ଅନାବଶ୍ୟକ ଭାବରେ ଗୁଡ଼ାଏ ନିରର୍ଥକ ଗଣ୍ଠି ଭିତରେ ବାନ୍ଧି ହୋଇଯିବ ଏବଂ ଅପର ଯେଉଁ ଜୀବଟି ବାପାମାଆଙ୍କର ବୋଲ ମାନି ମୋ’ ପାଖକୁ ଆସିଥିବ, ସିଏ ବିଚାରୀ ବି ଜୀବନଯାକ ଭାରି ଛଟପଟ ଯେ ହେବ, ଏଥିରେ ମୋ’ର କୌଣସି ସନ୍ଦେହ ନଥିଲା । ମୁଁ ସବୁଠାରୁ ଅଧିକ ସୁଖ ପାଇବି ବୋଲି ନିଜପାଇଁ ଯେଉଁ ବାଟଟିକୁ ବାଛିଥିଲି, ବହୁବିଧ ସୁଖ ରହିଥିବ; ଏହି ପୃଥିବୀରେ ଆଉଜଣେ କାହିଁକି ବାଧ୍ୟ ହୋଇ ସେହି ବାଟରେ ମୋ’ ବେ କଚା ବହି ଚାଲିବ ଏବଂ ତାହାକୁ ହିଁ ଭାଗ୍ୟ ବୋଲି ଗ୍ରହଣ କରିନେବ ? ସେତେବେଳର କର୍ମଭୂମିରେ ମୁଁ ଶ୍ରୀମତୀ ମାଳତୀ ଚୌଧୁରୀଙ୍କୁ ମୋ’ର ମାଆ ବୋଲି ଗ୍ରହଣ କରି ନେଇଥିଲି । ସବାଆଗ ତାଙ୍କର ଉଦ୍ୟମରେ ମୁଁ ପାଠ ପଢ଼ି ବିଦେଶ ଯାଇଥିଲି ଓ ତାଙ୍କର ପାଖରେ ପ୍ରତିଶ୍ରୁତି ରହି ହିଁ ମୁଁ ମୋ’ ପରବର୍ତ୍ତୀ ବର୍ଷଗୁଡ଼ିକର କର୍ମପନ୍ଥା ସ୍ଥିର କରିଥିଲି । ତେଣୁ, ଘରେ ଗୁରୁଜନମାନଙ୍କୁ କହିଲି ଯେ, ସେମାନେ ଯେଉଁଠାରେ କନିଆଁ ଠାବ କରିବେ କରନ୍ତୁ, ମାତ୍ର ଶ୍ରୀମତୀ ମାଳତୀ ଦେବୀ ମଧ୍ୟ କନିଆକୁ ଦେଖିବେ ଓ ନିଜର ଅନୁମୋଦନ ଦେବେ । ଏବଂ, ତାଙ୍କର ହଁ ଶୁଣିଲେ ମୁଁ ମଧ୍ୟ ହଁ ବୋଲି କହିବି । ସ୍ଵୟଂ ମାଳତୀ ଦେବୀ ମଧ୍ୟ ମୋ’ର ବିବାହ ଲାଗି ଚିନ୍ତାମାନ କରିଥିଲେ । ଗୋଟିଏ ପ୍ରସ୍ତାବରେ ମୋତେ ସିଏ କନ୍ୟାଘର ସହିତ ପରିଚିତ ହେବା ସକାଶେ ସେବାଗ୍ରାମ ପଠାଇଥିଲେ । ମୁଁ କୁହାମାନି ଯାଇଥିଲି । ଯାହାକୁ ମୁଁ ବିବାହ କରିବି, ସିଏ ନିଜଗୁଣରେ ଯେଡ଼େ ଯୋଗ୍ୟା ଏବଂ ଅନନ୍ୟା ହୋଇଥିଲେ ମଧ୍ୟ ମୋ ଭାଉଜମାନଙ୍କ ସହିତ ଏବଂ ସମଗ୍ର ଭାବରେ ଦେଖିଲେ ଆମ ଘର ସହିତ ମୋଟେ ମିଶି ପାରିବ ନାହିଁ ବୋଲି ତେଣୁ ଫେରିଆସି ଜଣାଇ ଦେଇଥିଲି । ନିଜକୁ ତୁଚ୍ଛା ଜଣେ ବୋଲି ଭାବୁଥିଲେ ମୁଁ ହୁଏତ ବିଦେଶରେ ହିଁ କେଉଁଠି ଖୁଣ୍ଟରେ ବାନ୍ଧି ହୋଇ ଯାଇଥାଆନ୍ତି, ସିଆଡ଼େ ରହିଥାଆନ୍ତି ଓ ମୁଠା ମୁଠା ପଇସା ଅର୍ଜନ କରି ଏଠି ବଦାନ୍ୟତା ଦେଖାଇ ପରିବାରର ମଣିଷମାନଙ୍କୁ ଓ ଗ୍ରାମବାସୀଙ୍କୁ କେତେମନ୍ତେ ଉପକୃତ କରି ପାରିଥାଆନ୍ତି । ମାତ୍ର, ସେଇ ଗୋଟିଏ କଥା ମୋତେ ସେଥିରୁ ନିରସ୍ତ କରି ରଖିଥିଲା; ଏହି ଇପ୍‍ସିତମାନେ କ’ଣ ଆମ ଘରକୁ ମାନିବେ, ମୋ’ ଭାଉଜମାନଙ୍କ ସହିତ ଏକାଠି ଗୁନ୍ଥି ହୋଇଯାଇ ପାରିବେ, ମୋତେ ଗ୍ରହଣ କଲେ ବୋଲି ମୋତେ ମୋ’ ଘରୁ, ଗାଆଁରୁ ଓ ଦେଶରୁ ଏକପାଖିଆ ଭାବରେ ଛିଣ୍ଡାଇ ଆଣିଦେବ ନାହିଁ ତ ଏଣେ ମୋତେ ଗୋଟାସୁଦ୍ଧା ସ୍ଵୀକାର କଲେ ବୋଲି ତେଣୁ ମୋତେ ଅରକ୍ଷିତ କରିଦେବେ ନାହିଁ ତ—ଇତ୍ୟାଦି, ଇତ୍ୟାଦି । ମୋ’ର ଭବିଷ୍ୟଚିତ୍ରରେ ମୋ’ ଗାଆଁ, ମୋ’ ସମାଜ ଯଦି ସବାଆଗ ରହିଛି, ତେବେ ମୋ’ର ତଥାକଥିତ ସଂସାର ତା’ର ବଇରୀ ହୋଇ ଛିଡ଼ା ନହେଉ ଓ ମୁଁ କାହାକୁ ଭଲ ପାଇ ନିଜ ଘରକୁ ଆଣିଲି ବୋଲି ସିଏ ନିଜ ଘରୁ ଛିନ୍ନବୃନ୍ତ ହୋଇ ଆସିଥିବା କଳିଟିଏ ପରି ଜୀବନଯାକ ଏଠି ଡହଳବିକଳ ନହେଉ ବୋଲି ମୁଁ ସବୁବେଳେ ଅନୁଭବ କରୁଥିଲି । ନିଜ ସହିତ ମଧ୍ୟ କୌଣସି ସାଲିଶ୍ କରିବାକୁ ଇଚ୍ଛା କରୁନଥିଲି ।

 

ଘରବାଲା କୋଉଠି ଗୋଟିଏ ଠିକ୍ କଲେ । ଶ୍ରୀମତୀ ମାଳତୀ ଦେବୀ ଝିଅ ଦେଖି ଆସିଲେ ଓ ଅନୁମୋଦନ ଜଣାଇଲେ । ମୁଁ ବାହା ହେଲି । ମୋ’ର ପିଇସୀ ଯେଉଁ ଘରେ ବାହା ହୋଇଥିଲେ, ପ୍ରମିଳା ସେଇ ଘରର ଝିଅ । ବାହାଘର ପୂର୍ବରୁ ମୁଁ ମଧ୍ୟ ତାଙ୍କ ଘରକୁ ଯାଇଥିଲି । ତାଙ୍କ ଘରେ ଥାକ ଥାକ ବହି ଦେଖି ଆକର୍ଷିତ ହୋଇ ପଡ଼ିଥିଲି । ସେତେବେଳେ ଚମ୍ପତ୍ତିମୁଣ୍ଡାରେ ମୁଁ କେଳାଙ୍କ ପରି ରହୁଥାଏ । ମୋ’ ପାଇଁ ଅଲଗା ଘରଟିଏ ତିଆରି ହେବାପରେ ପ୍ରମିଳା ମଧ୍ୟ ଚମ୍ପତ୍ତିମୁଣ୍ଡା ଆସିଲା । ସେଠା ଜୀବନ ତାକୁ ଭଲ ବା ମନ୍ଦ କ’ଣ ଲାଗିଲା, ସିଏ ସେବିଷୟରେ କିଛି କହୁନଥିଲା । ଏଡ଼େ ନୀରବ ମଣିଷଟିଏ ମୁଁ ଆଗରୁ କେବେହେଲେ ଦେଖି ନଥିଲି । ସିଏ ମୁଁ ଯାହା ଖାଇବି, ତାହା ରାନ୍ଧି ବାଢ଼ି ଦେଉଥିଲା । ପିଲାମାନଙ୍କ ଠାରୁ ଅଲଗା ହୋଇ ଖାଇବାକୁ ମୋତେ ଅସହଜ ଲାଗିଲା ବୋଲି ପ୍ରତିଦିନ ଖରାବେଳେ ଦୁଇଜଣ ପିଲା ଆସି ଆମ ଘରେ ମୋ’ ପାଖରେ ବସି ଖାଉଥିଲେ । ପ୍ରମିଳା ସମସ୍ତଙ୍କ ପାଇଁ ରାନ୍ଧି ଦେଉଥିଲା । ମୁଁ ବିଦ୍ୟାଳୟର କାମରେ ଏଣେ ତେଣେ ବାହାରି ଯାଉଥିଲି, ସିଏ ବସି ବହି ପଢ଼ୁଥିଲା । ନିଜର ମନ ଖୋଲି କିଛି କହିବା, ନିଜର ଏକ ମତ ଅଛି ବୋଲି ପ୍ରମାଣ ଦେବା, କୌଣସି ବିଷୟରେ ଜଣକ ସହିତ ରାଜି ନହେବା, —ଏଗୁଡ଼ିକୁ ମୁଁ ସବୁଦିନେ ଏକ କ୍ରିୟାଶୀଳ ମଣିଷମନର ଲକ୍ଷଣ ବୋଲି ବୁଝି ଆସିଥିଲି । ମାତ୍ର ପ୍ରମିଳାଠାରୁ ସେପରି କୌଣସି କିଛିର ଆଭାସ ପାଉନଥିଲି । ଏକାବେଳେକେ ବ୍ୟକ୍ତିଗତ ଜୀବନ ପାଇଁ ଚମ୍ପତ୍ତିମୁଣ୍ଡାରେ ମୋତେ ଖୁବ୍ କମ୍ ସମୟ ମିଳୁଥିଲା । ସେତେବେଳେ ମୁଁ ତଥାପି ଝୁରି ଖାଇଲାଭଳି କେତେ କଥା ପକାଇବାକୁ ଚେଷ୍ଟା କରୁଥିଲି । ଆର ମଣିଷଟିକୁ ବୁଝିବା ସକାଶେ ତା’ ଠାରୁ କିଛି ନଶୁଣିଲେ ପୁଣି କିପରି ହେବ ? ଜଣେ ବ୍ୟକ୍ତି ଆଦୌ କୌଣସି ପ୍ରତିକ୍ରିୟା ବ୍ୟକ୍ତ ନକରୁଥିଲେ ତାକୁ ଚିହ୍ନିହେବ ବା କିପରି; ଅପେକ୍ଷା କରି ରହିବା ବ୍ୟତୀତ ଉପାୟ ନଥିଲା । ଜଣକ ସହିତ ମୁଁ ଏତେ ଚଳପ୍ରଚଳ ହେବି ଅଥଚ ସିଏ ମୁହଁ ଖୋଲି କିଛି କହିବନାହିଁ, ସବୁକିଛି ମିଶି ମୋତେ ବଡ଼ ଅଡ଼ୁଆ ଲାଗୁଥାଏ ।

 

ଏବଂ, ନିଜ ଭିତରେ ଅପରାଧୀ ପରି ବି ଲାଗୁଥାଏ । ମୋ’ର ଏପରି ଏକ ଜୀବନଧାରଣ ଦେଖି ଆର ମଣିଷଟି ପଥର ହୋଇ ଗଲାନାହିଁ ତ ? ସିଏ ତ ଶୁଣିଥିବ ଯେ ସିଏ ଯାହାକୁ ବାହା ହେବ, ସିଏ ବିଦେଶରେ ପାଠ ପଢ଼ି ଫେରିଛି । ହୁଏତ ମନ ଭିତରେ ସେହି ଅନୁସାରେ କେତେ କ’ଣ କଳ୍ପନା କରି ପକାଇଥିବ । ତା’ର ବାପା ସହରରେ ରହୁଥିଲେ । ପିଲାମାନଙ୍କର ଆଖି ନିଶ୍ଚୟ ଅଲଗା ପ୍ରକାରେ ତାଲିମ ପାଇଥିବ । ଅନ୍ଦାଜମାନେ ସେହି ଅନୁସାରେ ଅନ୍ୟ ପ୍ରକାରେ ହୋଇଥିବେ । ଏହି ବାହାଘରର ବ୍ୟାପାରଟି ଦ୍ଵାରା ମୁଁ ଅପର ଜନଟିର ସମସ୍ତ ଅଟ୍ଟାଳିକାଟିକୁ ଭାଙ୍ଗିଦେଲି ନାହିଁତ ? ଏହିପରି ଏକ ମୋହଭଙ୍ଗ ଫଳରେ ସୁକୁମାରୀ ଝିଅଟି ପଥର ପାଲଟି ଗଲାନାହିଁ ତ ? ନାନା କାର୍ଯ୍ୟରେ, ଏକ ନୂତନ ବିଦ୍ୟାଳୟ ସହିତ ସଂପୃକ୍ତ ଅନ୍ତରର ଓ ବାହାରର ନାନା ସଂଘର୍ଷ ଓ ସଂଗ୍ରାମ ଭିତରେ ବେଳେ ବେଳେ ସେହି କଥାଟି ମୋତେ ଭାରି ବିରସ କରି ରଖୁଥିଲା । ତଥାପି ମୁଁ ନିଜ ଆୟତରେ ଥିଲି । ଅର୍ଥାତ୍, ବିଶ୍ଵାସ ହରାଉ ନଥିଲି । ଜୀବନରେ ମୁଁ ଆଉ ଜଣେ ମଣିଷକୁ ନିଜର ଗୋଟାଏ ଛାୟା ପରି କରି ରଖିବାକୁ ଆଦୌ ଇଚ୍ଛା କରୁନାହିଁ, ଆଉଜଣେ ମୋ’ ସାଙ୍ଗରେ ବାଟଚାଲୁ, ମୋତେ ବଳ ଦେଉ, ବୁଦ୍ଧି ଓ ଉତ୍ସାହ ଦେଉ, —ସିଏ ଏତିକି ବୁଝୁ ବୋଲି କେତେ ଆଶା ରଖି ମୁଁ ଅପେକ୍ଷା କରୁଥିଲି । ନିଜ ଭିତରର ଶିଶୁଟିକୁ ଚିହ୍ନିଥିବା ଜଣେ ବ୍ୟକ୍ତି ପରି ସିଏ ମଧ୍ୟ ତା’ ଭିତରର ଶିଶୁଟିକୁ ବାହାରକୁ ବାହାର କରି ଆଣୁ ବୋଲି ଅପେକ୍ଷା କରୁଥିଲି । ସର୍ବଦା ସ୍ପଷ୍ଟ ଦେଖି ପାରୁଥିଲି ଯେ ମୋ’ ସ୍ଵପ୍ନଗୁଡ଼ିକ ସହିତ ତା’ ସ୍ଵପ୍ନଗୁଡ଼ିକର ସତେଅବା ଆଦୌ କୌଣସି ମେଳ ନଥିଲା । ତେବେ, ସେଥିପାଇଁ ସିଏ ପ୍ରତିବାଦ କରୁନଥିଲା କାହିଁକି ? ଆପଣାର ସ୍ଵପ୍ନଗୁଡ଼ିକ ସେ ପ୍ରକୃତରେ କ’ଣ, ସିଏ ମୋତେ ଅଭିଯୋଗ କରି ମଧ୍ୟ ତାହା କହୁନଥିଲା କାହିଁକି ? ଜୀବନରେ ମୋ’ର ଆଉଜଣେ ଦାସୀ ହୋଇ ରହୁ, ଏହି କଥାରେ ଆପ୍ୟାୟିତ ହୋଇ ରହିବାର ଦାସମନ ମୋ’ର କେବେହେଲେ ନଥିଲା । ବଡ଼ ସାନ ସମସ୍ତଙ୍କୁ ସାଥୀ ଓ ସହଚାରୀ କରି ପାଇଲେ ମୁଁ ସବୁଠାରୁ ଅଧିକ ଖୁସୀ ହୁଏ । ସେଇଥିରୁ ଅଶେଷ ଉତ୍ସାହ ପାଏ ଏବଂ ଅଧିକ ଉତ୍ସାହରେ ଆଗକୁ ଗୋଡ଼ ପକାଇବାର ଖୋରାକ ବି ପାଇଯାଏ । ଯାହାକୁ ପାଇ ଓ ଯାହାକୁ ସାଙ୍ଗରେ ନେଇ ମୁଁ ସବୁଠାରୁ ଅଧିକ ବଳ ପାଉଥାନ୍ତି, ତାକୁ ଏପରି ନୀରବ ଓ ଉଦାସୀନ ଦେଖି ବେଳେ ବେଳେ ନିଜକୁ ବି ଭାରି ବୋକା ହୋଇ ଯାଉଥିବା ପରି ମନେ ହେଉଥାଏ ।

 

ଚମ୍ପତିମୁଣ୍ଡାରେ ପର୍ଯ୍ୟାୟଟି ସରିବା ପରେ ମୁଁ ଆଗ୍ରା ଆସିଲି । ସେଠାରେ ଏଡ଼େ ବଡ଼ ବାସଗୃହରେ ଆମେ ଦୁଇଟି ମାତ୍ର ପ୍ରାଣୀ । ଭାରି ବିଶ୍ଵାସ ରଖିଥାଏ ଯେ ଏଥରକ ସବୁ ବଦଳିଯିବ-। ଆଗ୍ରାରେ ମୁଁ ପାଠ ପଢ଼ାଏ, ସେହି କାମଟି ସାରି ଘରକୁ ଆସେ । ତଥାପି, ଅପର ଜଣକର ମୌନ ଭାଙ୍ଗେ ନାହିଁ । ରାନ୍ଧି ବାଢ଼ି ଜଣେ ମଣିଷକୁ ଖାଇବାକୁ ଦେବା ଓ ବହି ପଢ଼ିବା, ଏହି ଦୁଇଟି ବ୍ୟତୀତ ପ୍ରମିଳାର ଯେପରି ଅନ୍ୟ କୌଣସି ଆଗ୍ରହ ହିଁ ନଥାଏ । ମୁଁ ବଗିଚାରେ କାମ କରେ, ସିଏ ମୁଁ କ’ଣ କରୁଛି ବୋଲି ଦେଖିବାକୁ ତଥାପି ଘରୁ ବାହାରେ ନାହିଁ । ବନ୍ଧୁମାନେ ନିମନ୍ତ୍ରିତ ହୋଇ ଆସନ୍ତି । ସିଏ ଚିତ୍ରପ୍ରତିମାଟି ପରି ବରାଦ ମୁତାବକ ରାନ୍ଧି ବାଢ଼ି ଦିଏ, ପରଷି ଦିଏ, ପଛରେ ଆଣି ଦିଏ । କିଏ କ’ଣ କହିଲେ ନୀରବରେ କିଞ୍ଚିତ୍ ହସିଦେଇ ନିଜର ପ୍ରତିକ୍ରିୟା ଜଣାଏ-। ଯୋଉଦିନ ଖାଇବା ପାଇଁ ଆମେ ଦୁଇଜଣ ମାତ୍ର ଥାଉ, ସେଦିନ ଦୁହେଁ ଏକାବେଳେକେ ଖାଇବା ବୋଲି ମୁଁ କେଡ଼େ ଉତ୍ସାହିତ ହୋଇ କହେ ସିନା, ମାତ୍ର ମୋ’ର କଥା ରହେନାହିଁ । ସିଏ ମୋ’ ପାଇଁ ଖାଇବା ବାଢ଼ିଦେଇ ଖଣ୍ଡେ ତଫାତରେ ମେଞ୍ଚାଟିଏ ହୋଇ ବସିଥାଏ, ବେଳ ଜାଣି ମନ ଜାଣି ପଛରେ ପରଷି ଦିଏ । ମୁଁ ଉଠିଗଲା ପରେ ନିଜେ ଖାଏ । ମୁଁ ସ୍ଵଭାବତଃ ସାତଟା ଜାଗାରେ ସତରଟା ପ୍ରକାର ଖାଇବାକୁ ଯେତିକି ହକ ହକ ହେଉଥାଏ, ବିସ୍ମିତ ଭାବରେ ଦେଖେ ଯେ ମୋ’ ପାଖରେ ରହୁଥିବା ମନୁଷ୍ୟଟି ଅତ୍ୟନ୍ତ ନିଷ୍ପୃହ ହୋଇ ଯାହା ଖାଉଛି, ତାହାକୁ କୌଣସି ଚଢ଼େଇର ଆହାରସଂସ୍କାର ସହିତ ତୁଳନା କରାଯାଇ ପାରିବ । କେତେ କେତେ ଖାଦ୍ୟକୁ ସିଏ ଅଭୋଜ୍ୟ ବୋଲି କୋଉକାଳୁ ଛାଡ଼ି ସାରିଛି । ଏସବୁ ଦେଖି ଆପଣାକୁ ଭାରି ପରିତ୍ୟକ୍ତ ଭଳି ବୋଧ ହୁଏ, ମୋ’ର ସଙ୍ଗଲୋଭୀ ରୁଚିଟା ଆଘାତ ପାଇ ବାହୁଡ଼ି ଆସିବା ପରି ଲାଗେ । ମଣିଷ ଯେ କାହିଁକି ଏହି ସଙ୍ଗଭରା, ଶବ୍ଦଭରା ସଂସାରରେ ଉଦାସୀନ ହୋଇ ରହିବାକୁ ଏପରି ନିଷ୍ପତ୍ତି କରି ପକାଏ, ମୁଁ ତାହାରି କିଛି ଅନ୍ତ ପାଏନାହିଁ । କାହାପାଖରେ ଗୁହାରୀ ମଧ୍ୟ କରି ପାରେନାହିଁ ।

 

ଆଦୌ ସନ୍ତପ୍ତ ଭାବରେ ନୁହେଁ, ଅତ୍ୟନ୍ତ ସଂପୃକ୍ତ ଭାବରେ ମୁଁ ଏହିସବୁ କଥା ଭାବୁଥିଲି-। ନିଜକୁ ପାରମ୍ପରିକ ଅର୍ଥରେ କେବଳ ଜଣେ ପୁରୁଷ ଅଥବା କେବଳ ଏକ ସ୍ଵାମୀ ବୋଲି ଭାବୁଥିଲେ ରାଜଚକ୍ରବର୍ତ୍ତୀ ପରି ମୁଁ ହୁଏତ ମୋ’ର ସାମାଜ୍ୟଟିକୁ ସାଧ୍ୟ କରି ପାରିଥାନ୍ତି-। ମୁଁ ସେପରି କରି ପାରିଲିନାହିଁ । ଜଣେ ମଣିଷକୁ ମୋ’ର ଜଣେ ଆଜ୍ଞାକାରିଣୀ, ଏପରିକି ଏକ ଭୋଗବସ୍ତୁରୂପେ ବା ସମ୍ପତ୍ତିରୂପେ ଭାବିଥିଲି ମୁଁ ହୁଏତ ଯାହାକରି ପାରିଥାନ୍ତି, ତାହା କରି ପାରିଲିନାହିଁ । ଦାମ୍ପତ୍ୟ ଜୀବନକୁ ଯଦି ସତେଅବା ଗୋଟାସୁଦ୍ଧା ଏକ ଭୋଗ ବୋଲି ଧରି ନିଆଯାଏ, ତେବେ ତୁଚ୍ଛା ଏକପାଖିଆ ହୋଇ ଜଣେ କିପରି ଆଉଜଣକୁ ଭୋଗ କରିବ, ସେକଥା ଭିତରେ ମୁଁ ଆଦୌ କୌଣସି ଥଳ ପାଇ ପାରେନାହିଁ । ଭୋଗବେଳେ ଏକ ସହଚାରିତା ଅର୍ଥାତ୍ ସହସମ୍ମତିର ସମ୍ଭବତଃ ଅଧିକ ଆବଶ୍ୟକତା ରହିଛି । ଏବଂ, ଦାମ୍ପତ୍ୟ କହିଲେ ଯଦି ଏକ ମିଳିତ ଜୀବନକୁ ହିଁ ବୁଝାଏ, ତେବେ ଏଥିରେ ଉଭୟ ପକ୍ଷର ଏକ ଭୂମିକା ରହିବ ହିଁ ରହିବ-। ଗୋଟାଏ ପାଖ ପୂରା ନିଷ୍କ୍ରିୟ ରହିବ ଓ ଆଉ ଗୋଟିଏ ପାଖ ତାକୁ ନିଜର ମରଜି ଅନୁସାରେ ଚଳାଇ ନେଉଥିବ, ଏହାଦ୍ୱାରା ପ୍ରକୃତରେ କେଉଁ ସଂସାର ସମ୍ଭବ ହେବ କେଜାଣି ? ମଣିଷ ମାତ୍ରକେ ପ୍ରତ୍ୟେକର ଏକ ଅଭିଳାଷ ଥାଏ, ଏକ ଆରୋହଣର ଯୋଜନା ରହିଥାଏ, ସ୍ଵପ୍ନ ଥାଏ, ନିଜର ବାଟ ବୋଲି କ’ଣ ସବୁ ଧାରଣା ମଧ୍ୟ ରହିଥାଏ । ଏଗୁଡ଼ିକୁ ଏକ ପାରସ୍ପରିକତା ମଧ୍ୟରେ ଫେଣ୍ଟି ନପାରିଲେ ସଂସାରପଥରେ କିପରି କୌଣସି ଦାମ୍ପତ୍ୟର ଆସ୍ଵାଦନ କରାଯାଇ ପାରିବ ? ତେଣୁ, ମୁଁ ସତେଅବା ବକାଙ୍କ ପରି ଅନାଇ ରହିଥାଏ, ତଥାପି ଆଶାବାନ ହୋଇ ଅପେକ୍ଷା କରିଥାଏ-। କିନ୍ତୁ ସମ୍ଭବତଃ ତାହା ହେବାର ହିଁ ନଥିଲା ।

 

ଦିନେ ଅଧ୍ୟାପନା ସାରି ଘରକୁ ଫେରିବାବେଳକୁ ଗୋଟାଏ ଘରେ ଭିତରୁ କବାଟ ଦିଆ ଯାଇଥିଲା । ମୁଁ ଡାକି ଡାକି ଉଦବିଗ୍ନ ହୋଇ ପଡ଼ିଲି । ପଡ଼ିଶାରୁ କାହାକୁ ଡାକି ଆଣିଲି । ଗୋଇଠା ମାରି କବାଟ ଫିଟିଗଲା । ମୁଁ ଯାହାଲାଗି ଅପେକ୍ଷା କରି ରହିଥିଲି, ସିଏ ଛାତରୁ ଶବ ହୋଇ ଝୁଲୁଥିଲା । ମୁଁ ପଥର ହୋଇଗଲି । ଏବଂ ଅନ୍ୟ ବଖରାଟିକୁ ଚାଲି ଆସିଲି । ଯାହାକିଛି କରଣୀୟ, ତାହା ଅନ୍ୟ ଅଧ୍ୟାପକ ବନ୍ଧୁମାନେ କରିଥିଲେ, ମୋ’ ତୁଣ୍ଡରୁ ପଦେ ହେଲେ କଥା ବାହାରି ନାହିଁ । ସନ୍ଧ୍ୟା ସମୟକୁ ସବୁ ସଜ ହୋଇଗଲା । ଯମୁନାନଦୀ କୂଳରେ ଶବକୁ ଦାହ କରାଗଲା । ମୁଁ ଚିତା ପାଖରେ ବସି ରହିଥାଏ । କ’ଣ ସବୁ ଚିନ୍ତା କରୁଥାଏ କେଜାଣି ? ଯୋଉ ମଣିଷଟି ମୋ’ ସହିତ ଏକାଠି ବାଟଟିଏ ଚାଲିବାକୁ ଆସିଥିଲା, ସିଏ ଏମିତି ଚୁପ୍ ହୋଇ ରହିଲା କାହିଁକି ଓ ପରିଶେଷରେ ଚୁପ୍ ହୋଇ ଚାଲିଗଲା କାହିଁକି ? ପ୍ରତ୍ୟେକ ମନୁଷ୍ୟ ଭିତରେ ହୁଏତ ଏକ ଅଭିଯୋଗକାରୀ ରହିଛି, ପୃଥିବୀରେ ତା’ ଜୀବନରେ ଭୋଗିଥିବା ଅନେକ ତଥାକଥିତ ଅତୃପ୍ତି ନିମନ୍ତେ ପ୍ରତିଶୋଧ ନେବାର ଚିନ୍ତା କରୁଥିବା କ୍ରୋଧୀଟିଏ ବି ହୁଏତ ରହିଛି । ମାତ୍ର ନିଜ ହାତରେ ନିଜର ନିଧନ ଘଟାଇ ମଣିଷ କାହା ବିରୁଦ୍ଧରେ ପ୍ରତିଶୋଧ ନିଏ ? ଏକ ଗରମ ଅସହାୟତା ନିଜକୁ ଗୋଟାସୁଦ୍ଧା ଅଣଅକ୍ତିଆର କରି ପକାଉ ନଥିଲେ ମଣିଷ ସମ୍ଭବତଃ କଦାପି ଏଭଳି ଗୋଟିଏ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି କରୁନଥାନ୍ତା । ସଂସାରରେ ମଣିଷ କେତେ ଉତ୍କଟ ଭାବରେ କେବଳ ନିଜକୁ ଦେଖୁଥିଲେ ଯାଇ ହୁଏତ ଏପରି ଅଣଅକ୍ତିଆର ହୋଇପଡ଼େ । ନିଜର ତଥାକଥିତ ଦୁଃଖଗୁଡ଼ାକୁ ସତେଅବା ଏକ କେଉଁ କ୍ରୋଧର ବଶବର୍ତ୍ତୀ ହୋଇ ଗୋଟାଏ ପାହାଡ଼ ପରି ଭାରି ଏକଜିଦିଆ ହୋଇ ନିଜର ମୁଣ୍ଡଉପରେ ବୋହିବାର ସେହି ପୀଡ଼ାଦାୟକ ଆନନ୍ଦ ଆଡ଼କୁ ମନ ବଳାଇଲେ ସମ୍ଭବତଃ ମଣିଷ ଏକ ଅସ୍ଵାଭାବିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ସେହି ପାହାଡ଼ଟା ତଳେ ନିଜ ନିଃଶେଷିତ ହୋଇଯିବାକୁ ହିଁ ଝଟକରି କରିପକାଏ । ହଠାତ୍ ଖସିଯାଇ ସଂସାରରେ ସମସ୍ତଙ୍କୁ ଏକ ଚରମ ସଜା ଦେବ ବୋଲି ମନସ୍ଥ କରି ସିଏ ଏପରି ଗୋଟିଏ ରସାତଳକୁ ଗୋଡ଼ ଖସାଇ ଦିଏ ଯେ, ତଦ୍ଦ୍ଵାରା ନିଜେ ପ୍ରତାରିତ ହୁଏ; ସିଏ ସଜା ସେଇ ଚାଲି ଯାଇଥିବା ତା’ ଲୋକମାନେ କିପରି ସଜା ପାଉଛନ୍ତି, ସେହି କଥାଟିକୁ ମଧ୍ୟ ଦେଖିବାକୁ ରହି ପାରେନାହିଁ ।

 

ମୋ’ ଭିତରେ ମୋ’ ବିବେଚନାର ସକଳ ଗଣିତକୁ ବିଦାରି ପକାଇ ଉତ୍‍ଥିତ ହେଉଥିବା ପ୍ରଶ୍ନଗୁଡ଼ିକୁ ମୁଁ ଯାହାକୁ ପଚାରି ଥାଆନ୍ତି, ସିଏ ଆଉ କୋଉଠି ଏହି ରହିଲା ଯେ ମୁଁ ତାକୁ ସେଗୁଡ଼ିକୁ ପଚାରି ପାରିବି ? ସମାଜବିଜ୍ଞାନରେ ମଣିଷ କେଉଁସବୁ ପରିସ୍ଥିତିରେ ଶରବ୍ୟ ହୋଇ ଆପେ ଆପଣାର ଜୀବନ ନିଏ, ସେହି ବିଷୟରେ ସିଦ୍ଧାନ୍ତ ଭାବରେ ମୁଁ କେତେ କ’ଣ ପଢ଼ିଥିଲି, ପିଲାମାନଙ୍କୁ କେତେ କ’ଣ ପଢ଼ାଇଥିଲି । ନିଜ ଜୀବନର କୁରୁକ୍ଷେତ୍ରରେ ଛିଡ଼ା ହୋଇ ସେଇଟି ଉପରେ ଦୃଷ୍ଟିପାତ କରୁଥିବା ସମୟରେ ସେହିସବୁ ସିଦ୍ଧାନ୍ତ ଆଦୌ ମିଛ ହୋଇଗଲେନାହିଁ ସତ, ମାତ୍ର ସେଗୁଡ଼ିକ ଆଦୌ କୌଣସି ସମାଧାନ ଆଣି ଦେଇ ପାରିଲେନାହିଁ । ପ୍ରତ୍ୟେକ ପାଇବା ଯେପରି ଅନନ୍ୟ, ପ୍ରତ୍ୟେକ ହରାଇବା ମଧ୍ୟ ସେହିପରି ଅନନ୍ୟ; ଏଣୁ ପ୍ରତ୍ୟେକ ସହିବା ମଧ୍ୟ ଅବଶ୍ୟ ଅନନ୍ୟ । ମୋତେ ସହିବାକୁ ହିଁ ପଡ଼ିବ । ଆପେ ବୋକା ବନିଥିବାର ଏହି ଘଟଣାଟିକୁ ମାନିନେବାକୁ ହିଁ ପଡ଼ିବ । ଠିକ୍ ଭୁଲ ବିଚାର କରି ବସିଲେ ନିଜର ପ୍ରୀତ୍ୟର୍ଥେ ଗୋଟାଏ ବହି ଲେଖିଦେଇ ହେବ ସିନା, ତଥାପି ସହିବାକୁ ପଡ଼ିବ । ନିଜ ଉପରକୁ ଆଦରି ନେବାକୁ ପଡ଼ିବ । ଯାହା ଘଟିଲା, ସେଥିଲାଗି ସବୁ ଘଟାଇଥିବା ବିଧାତା ପାଖରେ କୃତଜ୍ଞ ରହିବାକୁ ପଡ଼ିବ ଏବଂ ଆଗକୁ ବାଟ ଚାଲିବାକୁ ହେବ । ବାଟଗୁଡ଼ିକ ସବୁବେଳେ ରହିଛି; ଆମେ ବାଟଗୁଡ଼ିକୁ ସ୍ଵୀକାର ନକଲେ ମଧ୍ୟ ତଥାପି ବାଟମାନେ ରହିଛନ୍ତି; ଆମଲାଗି ଆହ୍ଵାନ ପରି ହୋଇ ରହିଛନ୍ତି, ଆମଲାଗି ସାନ୍ତ୍ଵନା ପରି ହୋଇ ରହିଛନ୍ତି, ଜନନୀ ପରି ହୋଇ ରହିଛନ୍ତି, କ’ଣ ସବୁ ମନାସି ଯେଉଁ ବିଧାତା ଆମକୁ ଏହି ସଂସାର ଭିତରକୁ ପଠାଇଛି, ସତେଅବା ସେହି ବିଧାତା ହିଁ ବାଟ ହୋଇ ଆମକୁ ବନ୍ଧୁ ପରି ଆହ୍ଵାନ କରୁଛି । ଜୀବନରେ ଖେଦର ସ୍ଥାନ ଅବଶ୍ୟ ରହିଛି, ଅଦୃଷ୍ଟଦ୍ଵାରା ପରିହସିତ ହେବାର ଅବକାଶମାନ ରହିଛି, ତଥାପି ସମ୍ମୁଖରେ ଶିଖରଟିଏ ରହିଛି, ଯିଏ କି ଆମକୁ ଶ୍ରଦ୍ଧାର ସହିତ ଡାକିବାରେ ଲାଗିଛି । ଯଦି ତୁମର ଖେଦଗୁଡ଼ିକ ହିଁ ଏହି ଶିଖରଆହ୍ଵାନ ଠାରୁ ଅଧିକ ବଳଶାଳୀ ବୋଲି ପ୍ରତିପାଦିତ ହୁଅନ୍ତି, ତେବେ ତୁମକୁ ପ୍ରକୃତରେ ଧିକ୍ ବୋଲି କହିବାକୁ ହେବ । ନିଜର ଖେଦଗୁଡ଼ିକୁ ବୁଜୁଳା କରି ତୁମେ ନିଜକୁ ଏହି ପଥ ଉପରୁ ଅବଶ୍ୟ ଅପସାରିତ କରିନେଇ ପାରିବ, ତୁମର ସର୍ବଦା ସେହି ସ୍ଵାଧୀନତା ରହିଛି । ମାତ୍ର ନିଜ ଶିଖରଟିକୁ ଭୁଲିଯିବା ପାଇଁ ତୁମର କି ଅଧିକାର ରହିଛି କହିଲ ?

 

ପିଲାଦିନେ ପ୍ରମିଳା କଲିକତାରେ ଥିଲା । ତେଣୁ ବଙ୍ଗଳା ଭାଷା ସହିତ ତା’ର ସୁପରିଚୟ ଘଟିଥିଲା । ସିଏ ଓଡ଼ିଆ ବହି ଯେତିକି ପଢ଼ୁଥିଲା, ବଙ୍ଗଳା ବହି ସେତିକି ବା ତା’ ଠାରୁ ଅଧିକ ପଢ଼ୁଥିଲା । ମୋ’ ପାଖରେ ବି ବଙ୍ଗଳା ବହି ଆଦୌ କମ୍ ନଥିଲା । ତା’ର ଅଧିକ ସମୀପକୁ ଆସିବାର ବାଟ ପାଇଗଲା ପରି ମୁଁ ଥରେ କ’ଣ ଭାବି ପରେ ତାକୁ ଶ୍ରୀଯୁକ୍ତ ବିଭୁତି ବନ୍ଦୋପାଧ୍ୟାୟଙ୍କର “ସ୍ମୃତିର ରେଖା” ବହିଟିକୁ ପଢ଼ିବାକୁ ଦେଇଥିଲି । ସିଏ ପଢ଼ିଲା । ବହିଟି ହୁଏତ ତାକୁ ଭଲ ଲାଗିଥିଲା । ମୁଁ ବି ଆଗରୁ ସେହି ବହିଟିକୁ ପଢ଼ି କେତେ ଖୁସୀ ହୋଇଥିଲି । ପ୍ରମିଳା ସେହି ବହିଟିର ଓଡ଼ିଆ ଅନୁବାଦ କରୁ ବୋଲି ମୁଁ ଏକ ପ୍ରସ୍ତାବ ଦେଲି । ସିଏ ଅରାଜି ହେଲା ନାହିଁ, ବହିଟିର ଅଧାଯାଏ ଅନୁବାଦ କରି ପକାଇଥିଲା । ମୁଁ ନିଜ ଆଗ୍ରହରେ ମାଗି କରି ସିନା ଅନୁବାଦଟିକୁ ମଝିରେ ମଝିରେ ଆଣି ପଢ଼ୁଥିଲି, ସିଏ ନିଜେ କେବେହେଲେ ନିଜ ଆଗ୍ରହରେ ତା’ ଲେଖାଟିକୁ ମୋତେ “ପଢ଼” ବୋଲି କହି ପଢ଼ିବାକୁ ଦେଉନଥିଲା । ଯୋଉ ମଣିଷ ଆଦୌ କୋଉଥିରେ ଅରାଜି ହୁଏନାହିଁ ଅଥଚ ନିଜଆଡ଼ୁ ମଧ୍ୟ ଆଗ୍ରହ ପ୍ରକାଶ କରି କେବେ କିଛି କରେନାହିଁ, ସେହି ମଣିଷର ଭିତରଟା ପ୍ରକୃତରେ କିପରି ହୋଇଥିବ, କେଜାଣି ? ତଥାପି, ଆର ମଣିଷଟିର ପାଖରେ ଯାଇ ପହଞ୍ଚି ପାରିବ ବୋଲି ମୋ ପାଖରେ ଯେତିକି ବଳ, ଆୟୁଧ ଓ ଭରସା ରହିଥିଲା, ସେହି ସବୁଗୁଡ଼ିକୁ ନେଇ ମୁଁ ଅପେକ୍ଷା କରି ରହିଥିଲି । ସେହି ମଣିଷଟି ପ୍ରକୃତରେ କିପରି, ଯିଏକି ଆଉ ଜଣେ ତା’ ସକାଶେ ଅପେକ୍ଷା କରି ରହିଛି ବୋଲି ଜାଣି ପାରେନାହିଁ ? ନିଜକୁ ନିଜ ଚାରିପାଖରେ କେତେ ଅଧିକ ପରିମାଣରେ ଗୁରାଇ ତୁରାଇ ରଖିଥିଲେ ମଣିଷ ସେହି ସାମର୍ଥ୍ୟଟିକୁ ଲାଭ କରି ପାରେନାହିଁ ? ବହୁଦିନ ପର୍ଯ୍ୟନ୍ତ ମୁଁ ଶୂନ୍ୟକୁ ଅନାଇ ଏବଂ ତାହାକୁ ହିଁ ଉଦ୍ଦେଶ୍ୟ କରି ଏହି ପ୍ରଶଗୁଡ଼ିକୁ ପଚାରିଛି । ସନ୍ତପ୍ତ ହୋଇ ନୁହେଁ, ସଂପୃକ୍ତ ଭାବରେ ହିଁ ପଚାରିଛି ।

 

ସେବର୍ଷ ଖରାଛୁଟୀରେ ମୁଁ ଗଙ୍ଗୋତ୍ରୀ, ଯମୁନୋତ୍ରୀ ଓ ଗୋମୁଖ ଗଲି । ହିମାଳୟ ମୋ’ର ଆପଣା ଘରକୁ ପୁନର୍ବାର ଫେରି ଆସିବାରେ ବହୁତ ସାହାଯ୍ୟ କରିଥିଲା । ଯୋଉ ପୃଥିବୀରେ ହିମାଳୟ ପରି ଶୁଭ୍ର ବିସ୍ତାରଟିଏ ରହିଛି, ସେଠି ମଣିଷ ନିଜ କ୍ଷୋଭ ଏବଂ କର୍କଶତାର ସାନ ଘରଟି ଭିତରେ କିଳିହୋଇ ରହିପାରୁଛି କିପରି ? ବିଧାତା ମଣିଷକୁ ଯେଉଁ ସାନ ଆଖିଦିଓଟି ଦେଇଛି, ସେଥିରେ ଏହି ବିରାଟ ଭୁବନଟି ଆହୁରି ବିରାଟ କରି ଦେଖିବାର ଅଶେଷ ସାମର୍ଥ୍ୟ ଭରପୁର ହୋଇ ରହିଛି । ସେହି ଆଖିବାଟେ ସିଧା ହୃଦୟଯାଏ ପହଞ୍ଚି ପାରିବାର ସମ୍ଭାବନାଟିଏ ମଧ୍ୟ ପ୍ରତ୍ୟେକ ମଣିଷ ଭିତରେ ରହିଛି । ବାହାରର ଆଖିରେ ବିସ୍ତାରର ପ୍ରସ୍ଥ ଦେଇ ଯାହାକୁ ଅନୁଭବ କରି ହେଉଛି, ହୃଦୟ ମଧ୍ୟରେ ଠିକ୍ ସେଇଟିକୁ ହିଁ ଠୁଳ ଭାବରେ ଧାରଣ କରି ଦେଉଛି । ତେଣୁ, ଖେଦଗୁଡ଼ିକ ମଧ୍ୟ କେଡ଼େ ସହଜ ଭାବରେ ଆସ୍ପୃହାର ପରିଣତ ହୋଇ ଯାଉଛି । ସମଗ୍ର ପୃଥିବୀର ସମୁଦାୟ ଦୁଃଖଟିର ଚିତ୍ରପଟ ଉପରେ ନିଜର ତଥାକଥିତ ଦୁଃଖଗୁଡ଼ିକ ସତେଅବା କେତେ କେତେ ବିମୋଚନକାରୀ ଉପଲବ୍ଧି ମଧ୍ୟରେ କୁଆଡ଼େ ମିଆଇ ଯାଉଛି । ଦରିଦ୍ର ଓ ଅଳ୍ପବଳ ମନଟା ନିଜର ଖାତାଟା ଉପରେ ଯେଉଁସବୁ ହିସାବର ସମାଧାନ କରି ପାରୁନାହିଁ, ହୃଦୟସ୍ତରକୁ ଆସି ସେଗୁଡ଼ିକ କେତେ କେତେ ଉତ୍ତୋଳନର ସମ୍ଭାବନାକୁ ଉନ୍ମୋଚିତ କରିଦେଇ ପାରୁଛି । ଉତ୍ସବ ଲାଗି ରହିଛି । ନୂଆ ଭେଟ ଲାଗି ରହିଛି । ନୂଆ ଭିତରେ ପୁରୁଣାର ପୁନଃଦର୍ଶକ ହୋଇଯାଉଛି ।

 

ସେହି ଯେଉଁ ଥରେ ବୋକା ବନିଗଲି, ତା’ ପରେ ବେଶ୍ ବର୍ଷ ପର୍ଯ୍ୟନ୍ତ ପୁନର୍ବାର ସଂସାର କରିବା ବିଷୟରେ ଆଉ ଚିନ୍ତା ହିଁ କରି ନଥିଲି । ସଂସାର ଭିତରେ ଆପଣାକୁ କେତେପ୍ରକାରେ ବନ୍ଦ ରଖିଥିଲି । ହଁ, ମଝିରେ ଅଧ୍ୟାପନା କରିବାକୁ ଜର୍ମାନୀ ବି ଗଲି । ଖାସ୍ ନିଜର ବୋଲି କହି ପାରିବାକୁ ପରିବାରଟିଏ ନରହିଲେ ଯେ ମଣିଷ ଅବଶ୍ୟ ତେରଛିଣ୍ଡା ଅରକ୍ଷିତପ୍ରାୟ ହୋଇଯାଏ ଓ ତା’ର ସବୁଯାକ ଖୁଣ୍ଟ ଉପୁଡ଼ିଯାଏ, ଅବଶ ହୋଇ ମୋ’ ମନ ଭିତରେ କେବେ ଥରେହେଲେ ସେହି ଧାରଣା ଆସିନାହିଁ । ନିଜକୁ ଦେଇ ପାରିବାର ଯୋଗ୍ୟତା ଥିଲେ ଓ ନିଜେ ଦେଇ ପାରିବ ସକାଶେ ରାଜି ହୋଇ ରହିଥିଲେ ସଂସାରରେ ଏକୁଟିଆ ଲାଗିବାର କୌଣସି କାରଣ ହିଁ ନଥାଏ । ମୁଁ ଯେ ତଥାପି ନିଜକୁ ପ୍ରତ୍ୟାଖ୍ୟାତ ବୋଲି ଅନୁଭବ କରୁନଥିଲି, ନିଜର ବାପା ମାଆ, ଭାଇ ଭଉଣୀ ଏବଂ ଭାଉଜମାନଙ୍କ ପାଖରେ ମୁଁ ସେଥିଲାଗି ସବୁଠାରୁ ଅଧିକ କୃତଜ୍ଞ ରହିବି । ସେମାନେ ମୋ’ କଥା ଭାବିଲାବେଳେ ଭିତରେ କ’ଣ ସବୁ ଭାବୁଥିଲେ କେଜାଣି, ଉପରେ କେବେହେଲେ କିଛି ପ୍ରକାଶ କରୁନଥିଲେ । ମଝିରେ ମୋ’ର ସବା ସାନଭାଇର ଓ ମଝିଆଁ ଭଉଣୀର ବି ବିଭାଘର ହୋଇଗଲା । ୧୯୬୭ ମସିହା ଆରମ୍ଭରେ ଦୁଇ ପୁତୁରାଙ୍କର ବି ବିବାହ ହେବାର ଥାଏ । ପ୍ରଥମ ପୁତୁରାର ବିବାହକୁ ଓଡ଼ିଶା ଆସିବାକୁ ସଜବାଜ ହେଉଛି ସେତିକିବେଳେ ତା’ ବାପା ଅର୍ଥାତ୍ ମୋ’ର ବଡ଼ଭାଇଙ୍କ ଠାରୁ ଚିଠିଖଣ୍ଡେ ପାଇଲି । ସେମାନେ ମୋ’ ପାଇଁ ମଧ୍ୟ ଗୋଟିଏ ଜାଗାରେ ଠିକ୍ କରିଛନ୍ତି, —ମୁଁ ରାଜି ହେବାକୁ ଯାହା ଅପେକ୍ଷା ରହିଛି । ଓଡ଼ିଶା ଆସି ମୁଁ କନିଆଁ ଦେଖିଲି ଏବଂ ମୋ’ର ଦ୍ଵିତୀୟ ବିବାହ ସମ୍ପନ୍ନ ହୋଇଗଲା । ଏହି ବିବାହଟି ବେଳକୁ ମୁଁ ପ୍ରଥମଥର ଭଳି ଆଦୌ ମନ ମୋଟା ହୋଇନଥିଲି ।

 

ଉଷା କଟକ ମେଡ଼ିକାଲ କଲେଜରେ ଅଧ୍ୟାପନା କରୁଥାଏ । ସେମାନେ ଦଶ ଭଉଣୀ ଓ ଚାରିଭାଇ । ବଡ଼ଭାଇ ହେଉଛନ୍ତି ଘରର ଅତିଭାବକ । ଭୁବନେଶ୍ଵରରେ ବିଭାଘର ହେଲା ଓ ଆମେ ସେଠୁ ବାଗଲପୁର ଆସିଲୁ । ପାରମ୍ପରିକ ରୀତି ଅନୁସାରେ ବୋହୂ ଆସିବାର ପରଦିନ ଗାଆଁର ଗୁରୁଜନମାନେ ଘରକୁ ଆସନ୍ତି, ଯୌତୁକରେ ଆସିଥିବା ସରଞ୍ଜାମ ପ୍ରଭୃତି ଦେଖିକରି ଯାଆନ୍ତି । ମୋ’ ବେଳକୁ ଦେଖିଲା ଭଳି କିଛି ନଥିଲି । ମୁଁ ଦ୍ଵିତୀୟ ଥର ବିବାହ କଲି ଓ ଘରକୁ ପୁଣି ବୋହୂଟିଏ ଆସିଲା ବୋଲି ବାପା ଖୁସୀନିଶାରେ ଗୋଟାସୁଦ୍ଧା ବୁଡ଼ି କରି ରହିଥାନ୍ତି । “ବୋହୂ କିଛି ଜିନିଷ ଆଣିନାହିଁ” ବୋଲି ପ୍ରମୁଖ ଗ୍ରାମବାସୀମାନେ ପ୍ରଶ୍ନ କରିବାରୁ ବାପା ଆହୁରି ଅଧିକ ଫୁଲିଉଠିଲା ପରି ଉତ୍ତର ଦେଲେ, “ହଇଓ ମୋ’ର ଆଉ ଜିନିଷରେ କି ଲୋଡ଼ା ? ମୋ’ ବୋହୂତ ହଗିଲେ ସେଥିରୁ ଟଙ୍କା ବାହାରିବ ।” ମନର କଥାଟାକୁ ସିଏ କଦାପି ଅଧିକ ପ୍ରଭାବଶାଳୀ ଭାବରେ କହି ପାରିନଥାନ୍ତେ । ବିବାହ ପରେ ଉଷା ଓ ମୁଁ ଆଗ୍ରା ଆସିଲୁ । ପ୍ରଥମେ ଆମ ଅନୁଷ୍ଠାନର କର୍ତ୍ତାମାନେ ଚେଷ୍ଟା କଲେ ଯେପରିକି ଉଷା ସ୍ଥାନୀୟ ସରକାରୀ ମେଡ଼ିକାଲ କଲେଜକୁ ଆସିପାରିବ । ତେବେ ମୁଁ ମଧ୍ୟ ବିଶ୍ଵାସଯୋଗ୍ୟ ଭାବରେ ସପରିବାର ଆଗ୍ରାରେ ରହିପାରିବ । ସେହି ଉଦ୍ୟମଟା ସରକାରଙ୍କର ରାଜ୍ୟ ଭିତରେ ରହିଥିବା କଟକଣା ହେତୁ ବେଶୀ ଆଗକୁ ଯାଇ ପାରିଲାନାହିଁ । ଉଷା ଆଗ୍ରାରେ କେତେ ମାସ ରହି ପୁଣି କଟକ ଆସି ନିଜର କାର୍ଯ୍ୟରେ ଯୋଗ ଦେଲା । ମୁଁ କଟକରୁ ଆଗ୍ରା ଓ ଆଗ୍ରାରୁ କଟକ ହେଉଥାଏ । ୧୯୬୮ ମସିହା ମାର୍ଚ୍ଚ ମାସରେ ଆମ ପୁଅ ମାନୁ ଜନ୍ମ ହେଲା ।

 

ପୁଅର ଏକୋଇଶିଆ ପୂଜା ଉଷାର ମେଡ଼ିକାଲ କଲେଜ ହତା ଭିତରେ ଥିବା ବସାରେ ହିଁ ହେଲା । ବାପା ବୋଉ, ଭାଇ ଭାଉଜ ସମସ୍ତେ ଭର୍ତ୍ତି ହୋଇଥାନ୍ତି । ଦୁଇ ପକ୍ଷର ମଣିଷରେ ଦୁଆର ପୂରିଥାଏ । ପୁଅର କ’ଣ ନାଆଁ ଦିଆହେବ, ସେଥିପାଇଁ ବଡ଼ଭାଇ କ’ଣ ସବୁ ଆଗରୁ ଭାବିକରି ଆସିଥାନ୍ତି । ତଥାପି, ମୁଁ ନିଜେ ସେପରି କୌଣସି ନାଆଁ ସ୍ଥିର କରିଛି କି ନାହିଁ, ସିଏ ମୋତେ ସେକଥା-ପଚାରିଲେ । ଭାଇଙ୍କର ସାନ ଖାତାଟିଏ ରହିଥାଏ, ଯେଉଁଥିରେ କି ମାଳେ ପୁଅନାଆଁ ଓ ଆଉମାନେ ଝିଅନାଆଁ ଫନ୍ଦା ହୋଇଥାଏ । ମୁଁ ମଧ୍ୟ କ’ଣପାଇଁ ଆଗରୁ ନାଆଁଟିଏ ଭାବିକରି ରଖିଥିଲି । ଭାଇଙ୍କୁ ସେହି ନାଆଁଟି କହିବା ମାତ୍ରକେ ସିଏ ସେଇଥିରେ ହିଁ ରାଜି ହୋଇଗଲେ । କହିଲେ, ମୁଁ ତିନିଚାରୋଟି ନାଆଁ ଭାବିକରି ଆସିଥିଲି ଯେ ତୋ’ ଦିଆ ନାଆଁଟି ସେଗୁଡ଼ିକ ଠାରୁ ଅଧିକ ଭଲ । ପୁଅର ନାଆଁ ମାନବେନ୍ଦ୍ର ରହିଲା । ମୁଁ କହିଲି, ଡାକନାମ ମୁଣ୍ଟୁ ରହିବ । ଆଫ୍ରିକାର ସ୍ଵାହିଲି ଭାଷାରେ ମୁଣ୍ଟୁର ଅର୍ଥ ହେଉଛି ମନୁଷ୍ୟ । ମୋ’ ନିଜ ପାଖରେ ସେହି ଶବ୍ଦଟିର ଅଶେଷ ଆବେଦନ ରହିଥିଲା । ସମସ୍ତେ ରାଜି ହେଲେ ସିନା, କିନ୍ତୁ ଆହୁରି ସରଳ କରି ସେମାନେ ପୁଅକୁ ମାନୁ ବୋଲି ଡାକିଲେ । ମାନବେନ୍ଦ୍ର ଶବ୍ଦଟି ସହିତ ମାନୁ ଶବ୍ଦଟି ଅଧିକ ମେଳ ଖାଉଥିଲା । ତେଣୁ, କାଳକାଳକୁ ସେହି ମାନୁ ହିଁ ରହିଲା । ମୁଁ ମଧ୍ୟ ମୁଣ୍ଟୁ ଛାଡ଼ି ମାନୁରେ ଅଭ୍ୟସ୍ତ ହୋଇଗଲି ।

 

ଅଧ୍ୟାପିକା ଓ ଅଧ୍ୟାପକଙ୍କୁ ଏଣିକି ମାଆ ଓ ବାପାର ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼ିବ । ଜଣେ ଅଧ୍ୟାପକର ଜୀବନ ହେଉଛି ସ୍ଵାଧୀନ ଚିନ୍ତାର ଜୀବନ, ସ୍ଵାଧୀନ ସ୍ଵପ୍ନମାନ ଦେଖି ସ୍ଵାଧୀନ ସ୍ଵପ୍ନମାନ ଦେଖାଉ ଥିବାର ଜୀବନ । ତାହାହିଁ ଜଣେ ଅଧ୍ୟାପକ ପାଇଁ ସବୁଠାରୁ ବଡ଼ ଆନନ୍ଦ । ବହିମାନଙ୍କର ସଂସାର ନୂଆ ନୂଆ ଆହରଣ ଦ୍ଵାରା ନୂଆ ନୂଆ ନାନା ସତ୍ୟପ୍ରତ୍ୟୟ ପାଖରେ ଧରା ଦେଉଥିବାର ଏକ ଆନନ୍ଦମୟ ସଂସାର । ସତକୁ ସତ ସ୍ଵାଧୀନ ଭାବରେ ବିଚରଣ କରି ହେଉଥିବାର ସଂସାର ବୋଲି ଏକ ଆନନ୍ଦମୟ ସଂସାର । ମାତ୍ର, ମାଆଟିଏ, ବାପାଟିଏ ହୋଇ ପାରିବାର ସଂସାରଟି କ’ଣ କମ୍ ଆନନ୍ଦମୟ ଓ କମ୍ ସ୍ଵାଧୀନତା ଦ୍ଵାରା ପୁଷ୍ଟ ? ବାପ ଆଗ୍ରାରେ ଅଧ୍ୟାପନା କରିବ, ମାଆ କଟକରେ ମେଡ଼ିକାଲ ପିଲାଙ୍କୁ ପାଠ ପଢ଼ାଇବ, ରୋଗୀମାନଙ୍କୁ ଦେଖିବ, ସନ୍ତାନପ୍ରସବ କ୍ରିୟାର ତତ୍ତ୍ଵାବଧାନ କରିବ, ଆବଶ୍ୟକ ହେଲେ ଅପରେଶନ୍ କରିବ । ଡକରା ପଡ଼ିଲେ ରାତି ଅଧରେ ମଧ୍ୟ ତାକୁ ଡାକ୍ତରଖାନା ଯିବାକୁ ହେବ । ଅର୍ଥାତ୍ ବାବୁଟି ପରିଚାରିକା ହାତରେ ବଢ଼ିବ । ଏସବୁ ମୋତେ ପ୍ରଥମରୁ ହିଁ କେମିତି କେମିତି ଲାଗିଲା । ମୁଁ କ’ଣ ଖାଲି ଅଧ୍ୟାପନା ପାଇଁ ଅର୍ଥାତ୍ ତୁଣ୍ଡରେ ଗାଇବା ପାଇଁ ମନୋବିଜ୍ଞାନ ପଢ଼ିଥିଲି-? ମୋ’ ନିଜ ଛୁଆତ ମନୋବିଜ୍ଞାନର କୌଣସି ଫଳ ଚାଖିବନାହିଁ, ବାପା ମାଆ ରହିଥିଲେ ମଧ୍ୟ ଆଉଜଣଙ୍କ ପାଖରେ ବଢ଼ିବ । ସମୟ ଅନୁସାରେ ତା’ର ସବୁ କାମ ହେଉଥିବ ଏବଂ ତେଣେ ବାପାମାଆଙ୍କର ସମୟ ଅନ୍ୟଭାବେ କଟିବ,–ଏଇଟା ବଡ଼ ଅଡ଼ୁଆ ଲାଗିଲା । ଅଡ଼ୁଆ ଲାଗିବାରୁ ହିଁ ଆଗ୍ରରୁ ମନ ଛାଡ଼ି ଛାଡ଼ି ଆସିଲା । ବିଧାତାର ବରାଦରୁ ଆଗ୍ରାରେ ମଧ୍ୟ ଏପରି କେତେକ ଘଟଣା ଘଟିଲା, ଯାହାକି ସେଠାରୁ ମୋ’ର ମାୟା ଛଡ଼ାଇ ଆଣିଲା । ମୁଁ ଆଗ୍ରା ଛାଡ଼ି କଟକ ଆସିଲି-। ୧୯୪୫ ଅଧାରେ ଓଡ଼ିଶା ଛାଡ଼ିଥିଲି ଏବଂ ଠିକ୍ ପଚିଶିବର୍ଷ ପରେ ଓଡ଼ିଶାକୁ ଫେରି ଆସିଲି-। ପ୍ରଥମେ ମିଛିମିଛିକା ପୁଅର ଯାବତୀୟ ପରିଚର୍ଯ୍ୟା କଲି ତା’ ପରେ ଅଚିରେ ସତକୁ ସତ ସେଇଥିରେ ବାନ୍ଧି ହୋଇଗଲି । ଜାଣି ଜାଣି ବାନ୍ଧି ହୋଇଗଲି ।

 

ଜାଣି ଜାଣି ବାନ୍ଧି ହୋଇଗଲେ ହିଁ ଯାବତୀୟ କର୍ମରୁ ଏକ ଅପୂର୍ବ ଆନନ୍ଦ ମିଳିଥାଏ । କର୍ମଗୁଡ଼ିକ ଭାରି ସହଜ ହୋଇଯାଏ । ସାନ ପିଲାଟି ବି ତା’ ନିଜ ଅଭିଧାନ ଓ ନିଜ ବ୍ୟାକରଣ ଦେଇ ମୋତେ ଚିହ୍ନିଥିଲା କି କ’ଣ କେଜାଣି ତା’ର ପରିଚର୍ଯ୍ୟା ଦ୍ଵାରା ତାକୁ ଚିହ୍ନିବାରେ ମୁଁ କେତେ ନା କେତେ ଆନନ୍ଦ ପାଇଲି । ସାନ ପିଲାଟି ସାଙ୍ଗରେ ତା’ର ଯାବତୀୟ ଦିନଚର୍ଯ୍ୟାର ମଧ୍ୟଦେଇ ମୁଁ ବି ବାଟ ଚାଲୁଥିଲି । ଶ୍ରଦ୍ଧାର ସହିତ କାମଗୁଡ଼ିକ କରି ପାରୁଥିଲେ କେଉଁଟି ବାପାର କାମ ଓ କେଉଁଟି ମାଆର କାମ, ତା’ର ଆଦୌ କୌଣସି ହିସାବ ହିଁ ରହି ପାରେନାହିଁ । ଭୂମିକାଗୁଡ଼ିକ କେଡ଼େ ସ୍ଵାଭାବିକ ଭାବରେ ଛନ୍ଦିହୋଇ ଯାଉଛନ୍ତି । ତଥାକଥିତ ବାପାଟି ଭିତରେ ଯେ କୋଉଠି ମାଆଟିଏ ଲୁଚି ରହିଥାଏ, ସେଇଟି ଭରସା ପାଇ ବାହାରକୁ ବାହାରିଆସେ ଏବଂ ଧନ୍ୟ ହୁଏ । ପୁଅ ଉଠିବା ବେଳକୁ ମୁଁ ନିତ୍ୟକର୍ମ ସାରି ଗାଧୋଇ ପାଧୋଇ ତା’ ପାଇଁ ପ୍ରସ୍ତୁତ ହୋଇ ରହିଥାଏ । ସିଏ ଉଠିବା ବେଳକୁ ତା’ ପାଇଁ ବାପାଟାଏ ପ୍ରସ୍ତୁତ ହୋଇ ରହିଛି ବୋଲି ବାଳୁତ ପିଲାଟା ଗୋଟାସୁଦ୍ଧା ବୁଝିପାରେ କି କ’ଣ କେଜାଣି, ଉଠିବା ମାତ୍ରକେ ହିଁ ତା’ର ମୁହଁ ଉପରେ ହସ ଫୁଟିଉଠେ । ଗୋଟାଏ ପୂରା ସଂସାର ସୃଜନସଦୃଶ ମୋ’ ଲାଗି ଅପେକ୍ଷା କରି ରହିଛି ବୋଲି ଯେଉଁ ମଣିଷ ପ୍ରତିଦିନ ଉଠିବା ସମୟରେ ଅନୁଭବ କରି ପାରୁଥିବ, ପୃଥିବୀରେ ସିଏ ମୋଟେ ନିଃସଙ୍ଗ ହେବନାହିଁ । ମାଆ ଡାକ୍ତରଖାନା ଯିବା ପୂର୍ବରୁ ପୁଅର କାମ ଯେମିତି କରିବାକୁ ସମୟ ପାଏ, ସେତିକି କରିଦେଇ ଯାଏ । ତରତର ହୋଇ ନିଜ କାମକୁ ପଳାଏ । ପୁଅ ଆଉ ମୁଁ ମାଆ ପୁଣି ଖରାବେଳେ ଘରକୁ ଫେରିବା ପର୍ଯ୍ୟନ୍ତ ଘରକୁ ପୂର୍ଣ୍ଣ କରି ରଖିଥାଉ, ମୋ’ ପାଖରେ ଆଉଜଣେ କିଏ ନିୟତ ରହିଛି ବୋଲି ଅନୁଭବ ହେଉଥିବା ପର୍ଯ୍ୟନ୍ତ ହିଁ ମଣିଷ ନିଜ ଭିତରୁ ଯେଉଁ ପ୍ରତ୍ୟୟଟି ପାଉଥାଏ, ତାହା ହେଉଛି ପୂର୍ଣ୍ଣତାର ପ୍ରତ୍ୟୟ । ଖାଲି ବଡ଼ମାନଙ୍କ ପାଇଁ ନୁହେଁ, ସାନ ପିଲାଟିଏ ବଡ଼ ହେବାର ପ୍ରକ୍ରିୟା ମଧ୍ୟରେ ବି ସେହି ପ୍ରତ୍ୟୟଟିର ଏକ ନିରନ୍ତର ଆବଶ୍ୟକତା ରହିଥାଏ । ପୂର୍ଣ୍ଣତାର ସେହି ବୋଧଟି ରହିଥିବା ପର୍ଯ୍ୟନ୍ତ ମଣିଷକୁ ମୋହନାମକ ସେହି ଅନ୍ୟ ପଦାର୍ଥଟି ମୋଟେ ଗ୍ରାସ କରି ପାରେନାହିଁ । କୋଉଠି କ’ଣ ଅପୂରଣ ହୋଇ ରହିଥିବା ଭଳି ଲାଗିଲେ ହିଁ ମଣିଷ ବିକଳ ହୋଇପଡ଼େ, ବିକଳ ହୋଇ ଯାବୁଡ଼ି ଧରିବାକୁ ଇଚ୍ଛା କରେ; ହାତରେ ଯାବୁଡ଼ି ଧରିଥିବା ଦ୍ରବ୍ୟଟି କାଳେ ହାତଛଡ଼ା ହୋଇଯିବ ବୋଲି ଏକ ନିତ୍ୟଶଙ୍କା ତା’ର ମନଟାକୁ ଆଛନ୍ନ ଓ ସମାକୁଳି କରି ରଖିଥାଏ । ଅଙ୍ଗେ ନିଭାଇଥିବା ବିଜ୍ଞମାନେ ତାହାକୁ ହିଁ ମୋହ ବୋଲି କହିଛନ୍ତି ଓ ମୁନିଋଷିମାନେ ସେହି ମୋହକୁ ପରିତ୍ୟାଗ କରିବାକୁ କେତେ ପରାମର୍ଶ ଦେଇଛନ୍ତି ।

 

ପୁଅ ବଡ଼ ହେଉଥିବା ସଙ୍ଗେ ସଙ୍ଗେ ତା’ର ଭାବ-ଇନ୍ଦ୍ରିୟଗୁଡ଼ିକ କ୍ରମେ ଅଧିକ ସକ୍ରିୟ ହୋଇ ଆସୁଥାନ୍ତି । ଏକ ଶିଶୁକୁ ତା’ର ସେହି ଅବସ୍ଥାରେ ନିବିଡ଼ ଭାବରେ ଲକ୍ଷ୍ୟ କରିବାର ସୁଯୋଗ ଲାଭ କରିବା, —ତାହାହିଁ ବଡ଼ମାନଙ୍କର ଜୀବନରେ ଆନନ୍ଦଲାଭର ଏକ ବଡ଼ ଉତ୍ସ ହୋଇ ରହି ପାରୁଥିବା ଉଚିତ । ପୁଅର ଶୋଇବା, ପୁଅର ଉଠିବା, ପୁଅର ଖାଇବା, ପୁଅର ଖେଳିବା, —ନିଜର ଜୀବନଚର୍ଯ୍ୟାକୁ ମଧ୍ୟ ମୁଁ ସେହି ଅନୁସାରେ ଅନୁକୂଳିତ କରି ଆଣିଥିଲି । କ୍ରମେ ମୁଁ ସବୁ ଶିଖିଗଲି । ଏବଂ, ତା’ ମାଆ ନିପୁଣ ଭାବରେ ମୋତେ ସବୁକିଛି ଶିଖାଇ ଦେଉଥିଲା । ପୁଅ କେଉଁସବୁ ସମୟରେ କ’ଣ ଖାଇବ, ତା’ ଖାଇବା ପଦାର୍ଥ ଗୁଡ଼ିକ କିପରି ତିଆରି ହେବ, —ସବୁ ବିଦ୍ୟାକୁ ମୁଁ ଠିକେ ଠିକେ ତାହାରିଠାରୁ ଶିକ୍ଷା କରି ନେଇଥିଲି । ଏବଂ ସେହି ଅନୁସାରେ ସମୟ ଜାଣି ମୁଁ ସବୁ ଯୋଗାଡ଼ କରି ରଖୁଥିଲି । ଗୋଟିଏ ପିଲାକୁ ଭୋକ କଲାବେଳକୁ ତା’ର ଭୋଜନ ତିଆରି ହୋଇ ରହିଥିବ ଓ ଜଣେ ମଣିଷ ସେହି ଭୋଜନକୁ ତା’ ପାଖରେ ଆଣି ପହଞ୍ଚାଇ ଦେଉଥିବ, ତାକୁ ନିଦ ମାଡ଼ିଲା ବେଳକୁ ତା’ ମନ ଜାଣି ବିଛଣାଟିଏ ପରା ହୋଇରହିଥିବ, ତାକୁ ମୂତ ବା ହଗ ମାଡ଼ିବା ବେଳକୁ ଚିହ୍ନା ମଣିଷଟିଏ ପୂର୍ଣ୍ଣ ସହଯୋଗିତାର ମୁଦ୍ରାରେ ତା’ ପାଖରେ ମହଜୁଦ ହୋଇ ରହିଥିବ, ସିଏ ନିଦରୁ ଉଠିବା ବେଳକୁ ଚିହ୍ନା ମୁହଁଟିଏ ତା’ ସହିତ ଖେଳିବାଲାଗି ତା’ ପାଖରେ ହାଜର ଥିବ, ଏପରି ହୋଇପାରିଲେ ପିଲା ଏହି ସଂସାରରେ ନିଜକୁ ବିଦେଶୀ ବୋଲି ମନେ କରିବାକୁ ଆଦୌ କୌଣସି କାରଣ ନଥିବ । ଘର ଭିତରୁ ବାହାରକୁ ଯିବାପାଇଁ ତାକୁ ଆଉ ଡର ମାଡ଼ିବ ନାହିଁ; ଯିଦ୍ କରି କାନ୍ଦିବାଲାଗି ତା’ ପାଖରେ ଆଉ ଆଦୌ କୌଣସି ଅବକାଶ ହିଁ ରହିବନାହିଁ । ସେହି ଛୁଆ ସଂସାରକୁ ମୋଟେ ଡରିବନାହିଁ, ସଂସାରରେ ଆଦୌ କିଛିକୁ ବି ଅଜଣା ବୋଲି ଭାବି ଦୂରରେ ରହିବାକୁ ଇଚ୍ଛା କରିବନାହିଁ । ସଂସାର ତାକୁ ଭଲ ଲାଗେ; ଗୋଟିଏ ଫୁଲକୁ ସାରା ବଗିଚାଟି ଯେପରି ଭଲ ଲାଗେ, ପ୍ରାୟ ସେହିପରି । ସିଏ ଆଉ ଈର୍ଷା ବି କରିବନାହିଁ, ତାକୁ ଟପିଯାଇ ଆଉକିଏ ଅଧିକ ସ୍ନେହ, ଯତ୍ନ, ବା ଆଉ କ’ଣସବୁ ପାଇଗଲା ବୋଲି ସିଏ ଆଦୌ କୌଣସି ଖେଦ କରିବନାହିଁ । ବଡ଼ ହୋଇ ସେଇ ପିଲା ହିଁ ପୃଥିବୀର ବହୁତ କାମରେ ଲାଗିପାରିବ-

 

ମୋ’ର The Life Divineର ଅନୁବାଦ କାମ ଆରମ୍ଭ ହେଲାବେଳକୁ ପୁଅକୁ ଦୁଇବର୍ଷ ପୂରିବାକୁ ଯାଉଥିଲା । ସେତେବେଳକୁ ସିଏ ଠିଆ ହୋଇ ଠୁଙ୍ଗୁ ଠୁଙ୍ଗୁ ହୋଇ ଚାଲିଲାଣି । ମୁଁ ଏ ଘରୁ ସେଘରକୁ ଗଲେ ସିଏ ମଧ୍ୟ ମୋ’ ପଛେ ପଛେ ଯିବାକୁ ଆରମ୍ଭ କଲାଣି । ଆମେ ଶୋଇବା ଖଟକୁ ଲାଗି କରି ଆଡ଼ରେ ଖଟ ପଡ଼ିଥାଏ । ସେଇଠି ବସି ମୁଁ ଗ୍ରନ୍ଥଟିର ଅନୁବାଦ କରେ-। ପୁଅ ଶୋଇପଡ଼ିଲେ ମୋ’ର ସେହି କାର୍ଯ୍ୟଟି ଆରମ୍ଭ ହୁଏ । ପୁଅ ଉଠିବା ମାତ୍ରକେ ମୁଁ ଅନୁବାଦ କାର୍ଯ୍ୟ ଛାଡ଼ି ତା’ ପାଖକୁ ଚାଲିଆସେ । ସିଏ ଉଠୁଛି ବୋଲି ସଙ୍କେତ ମିଳିବା ମାତ୍ରକେ ମୁଁ ବହି ଓ କାଗଜକୁ ଆଡ଼େଇ ଦେଇ ତା’ ପାଖରେ ଖେଳିବା ପାଇଁ ତିଆରି ହୋଇ ବସିଥାଏ । ତାହାରି ଇଚ୍ଛା ହେବେ ଆମେ ବାରିଆଡ଼କୁ ବାହାରକୁ ଯାଉ, ପୁଣି ତାହାରି ଇଚ୍ଛା ହେଲେ ଘର ଭିତରେ ବି ଖେଳୁ-। ମାନୁ ପିଲାଦିନେ କୌଣସି କାରଣରୁ ଥରଟିଏ ବି କେବେ କାନ୍ଦିନାହିଁ, ଏବେ ମଧ୍ୟ ଭାରି ବିସ୍ମିତ ହୋଇ ମୁଁ ସେହିକଥା ଭାବେ । କେତେ ପିଲାଙ୍କର କାନ୍ଦ ହିଁ ଘରେ ବଡ଼ମାନଙ୍କର ମୁଖ୍ୟ ସମସ୍ୟା ହୋଇ ରହିଥାଏ —ପିଲାମାନେ କାନ୍ଦଦ୍ଵାରା ଦୃଷ୍ଟି ଆକର୍ଷଣ କରନ୍ତି, ନିଜର ଅସହାୟତା ବ୍ୟକ୍ତ କରନ୍ତି, —ବଡ଼ମାନଙ୍କର ଶାନ୍ତିଭଙ୍ଗ କରନ୍ତି । ଆମଘରେ ସେପରି ଘଟଣା ଗୋଟିଏ ଥର ବି ଘଟିନାହିଁ । ନିଜକୁ ଏକୁଟିଆ ବୋଲି ଭାବିବାକୁ ପୁଅ ସେତେବେଳେ କୌଣସି ଅବକାଶ ହିଁ ପାଉନଥିଲା । ଆଜିକାଲି ବଡ଼ମାନେ ବି ନିଜକୁ ଯେ ଏତେ ଏକୁଟିଆ ମନେ କରୁଛନ୍ତି ଓ କବିମାନେ ଯେ କବିତାର ମାଧ୍ୟମରେ ଆପଣାର ସେହି ଏକୁଟିଆପଣଟାକୁ ନିଠ କରି ଏତେ ଉଖାରି ହେଉଛନ୍ତି, ଏଇଟି କ’ଣ ସେମାନେ ପିଲାଦିନେ ନାନା କାରଣରୁ ନିଜକୁ ଏକୁଟିଆ ବୋଲି ଅନୁଭବ କରିଥିବାର ଗୋଟିଏ ପରିମାଣ କି, ବେଳେବେଳେ ମୁଁ ଏପରି ଚିନ୍ତା ବି କରିଥାଏ । ଯୋଉଠି ବଡ଼ମାନେ ବାଧ୍ୟ ହୋଇ ନିଜର ପିଲାମାନଙ୍କର କାମସବୁ କରିଥାନ୍ତି ସେହିସବୁ କ୍ଷେତ୍ରରେ ବୋଧହୁଏ ସେପରି ଘଟିଥାଏ । ମାତ୍ର, ଯେତେବେଳେ ମାଆଟିଏ କି ବାପାଟିଏ ଖୁସୀ ହୋଇ ପିଲାର ପରିଚର୍ଯ୍ୟା କରୁଥାଏ ଓ ପିଲାକୁ ସଖ୍ୟ ଦେଉଥାଏ, ସେତେବେଳେ ପିଲା କାହିଁକି ନିଜକୁ ଏକୁଟିଆ ବୋଲି ମନେକରିବ ?

 

ମାନୁକୁ ଚାରିବର୍ଷ ହେଲାରୁ ସିଏ ପାଠ ଆରମ୍ଭ କଲା । ମାଆର ପସନ୍ଦ ଅନୁସାରେ ସିଏ ତଳ ତେଲେଙ୍ଗା ବଜାରର ଗୋଟିଏ ସ୍କୁଲକୁ ପଢ଼ିବାକୁ ଗଲା । ସ୍କୁଲରୁ ସାଇକେଲ ଗାଡ଼ିଟିଏ ଆସି ପିଲାମାନଙ୍କୁ ସଂଗ୍ରହ କରି ନେଇଯାଏ । ମୁଁ ବି ଗାଡ଼ି ପଛରେ ସାଇକେଲ ଚଢ଼ି ପୁଅର ଇସ୍କୁଲକୁ ଯାଏ । ସ୍କୁଲ ଛୁଟି ହେବାପରେ ପୁଣି ଗାଡ଼ି ପଛେ ପଛେ ଘରକୁ ଫେରେ । ସାଙ୍ଗରେ The Life Divine ବହି ଓ କାଗଜପତ୍ର ନେଇ ଯାଇଥାଏ । ସେମାନେ ମୋତେ ଅଫିସ୍‍ଘର ଟେବୁଲ ଉପରେ ମୋ’ ଅନୁବାଦକାମ କରିବାକୁ ଅନୁମତି ଦିଅନ୍ତି । ଅଧ୍ୟକ୍ଷାଙ୍କର ଅଫିସକାମ ଚାଲିଥାଏ, ଲୋକମାନଙ୍କର ଯିବାଆସିବା ମଧ୍ୟ ଲାଗି ରହିଥାଏ ଓ ମୁଁ ଅନୁବାଦରେ ମଗ୍ନ ହୋଇ ରହିଥାଏ । ମଗ୍ନ ହୋଇ ରହିଥାଏ, ତେଣୁ ଅନ୍ୟମନସ୍କ ହେବାର ଆଉ କୌଣସି ସମ୍ଭାବନା ନଥାଏ । କ୍ରମେ ମୋ’ ସାଇକେଲର ରଡ଼୍ ଉପରେ ମାନୁପାଇଁ ସାନ ସିଟଟିଏ ବି ଲାଗିଲା । ମୁଁ ଯୁଆଡ଼େ ଯାଏ, ପୁଅକୁ ନେଇକରି ଯାଏ । ସନ୍ଧ୍ୟାବେଳେ, ବିଶେଷ କରି ମହାନଦୀରେ ବଢ଼ିପାଣି ଆସିଥିବା ସମୟରେ ଆମେ ଚାଲି ଚାଲି ଜୋବ୍ରା ଆନିକଟ ପର୍ଯ୍ୟନ୍ତ ମଧ୍ୟ ଯାଉ । ମଝିରେ ଆମେ ଘରେ ଚିନ୍ତା କଲୁ ଯେ ଯଦି ଘରପାଖରେ ଇସ୍କୁଲଟିଏ ଥାଆନ୍ତା, ତେବେ ପୁଅକୁ ଆଦୌ ଏତେ ବାଟ ଯିବାକୁ ପଡ଼ନ୍ତା ନାହିଁ । ମାଆଟା ଏମିତି ତିଆରି ହୋଇଛି ଯେ, ତା’ ମୁଣ୍ଡରେ ଥରେ ଗୋଟାଏ କଥା ଆସି ପଶିଲେ ସିଏ ତାକୁ କାର୍ଯ୍ୟରେ ପରିଣତ ନକରି ମୋଟେ ଛାଡ଼େନାହିଁ । ଆମରି ଘରେ ସଭା ଡକାହେଲା । ଶ୍ରୀମତୀ ରମା ଦେବୀଙ୍କର ଅଧ୍ୟକ୍ଷତାରେ ସମସ୍ତେ ସ୍ଥିର କଲେ ଯେ ଆମ ଘରଆଗରେ ରହିଥିବା ପୁରୁଣା କୋଠାରୁ କେତେ ବଖରା ନେଇ ପିଲାଙ୍କ ପାଇଁ ପାଠଶାଳାଟି ଆରମ୍ଭ ହେବ । ଏଣିକି ପୁଅ ପଡ଼ିଶାରେ ଥିବା ତା’ ଖେଳସାଥୀମାନଙ୍କ ସହିତ ଏକାଠି ବସି ସେଇଠି ପାଠ ପଢ଼ିଲା । ଜରୁରୀ ଅବସ୍ଥା ଜାରି ହୋଇ ସରକାର ଦିନେ ଅଚାନକ ଆସି ଇସ୍କୁଲ ଘରେ ତାଲା ପକାଇଦେବା ପର୍ଯ୍ୟନ୍ତ ସ୍କୁଲ ଚାଲୁଥିଲା ।

 

ପୁଅ ଅକ୍ଷର ଶିଖିଲା, ବଡ଼ ହେଲା, ବହି ଖୋଜିଲା । ସମ୍ଭବତଃ ବହିର ନିଶା ହିଁ ତା’ ଜୀବନର ସର୍ବପ୍ରଥମ ନିଶାରେ ପରିଣତ ହେବାକୁ ଆରମ୍ଭ କଲା । ସିଏ ଯେତିକି ଚାହିଁଲା, ତା’ ଠାରୁ ଅଧିକ ବହି ତାକୁ ମିଳିଗଲା । ଓଡ଼ିଆ ଯେତିକି, ଇଂରାଜି ମଧ୍ୟ ସେତିକି । ଏ ପିଲାଟାକୁ ବହି ଧରାଇଦେଇ ଯେ ତା’ର କେତେ କେତେ ଅନଟକୁ ଶାନ୍ତି କରିଦେଇ ହେବ, ମୁଁ ସେହି ଗୁପ୍ତ କଥାଟିର ସନ୍ଧାନ ମଧ୍ୟ ପାଇଗଲି । ଅନ୍ୟ ପରିବାରମାନଙ୍କରେ ପିଲାଙ୍କର ମୁଁ କେତେ ପ୍ରକାରର ଜିଦ୍ ଦେଖିଛି; ମିଛ ଜିଦ୍ ଓ ସତ ଜିଦ୍, ସମ୍ଭବ ଓ ଅସମ୍ଭବ କେତେ ଜିଦ୍ ଏପରିକି ଅନେକ ସମୟରେ ତୁଚ୍ଛାଟାରେ ଜିଦ୍ ଓ ଜିଦ୍‍ପାଇଁ ଜିଦ୍ । ବଡ଼ମାନଙ୍କର ଦୃଷ୍ଟି ଆକର୍ଷଣ କରିବାପାଇଁ ଜିଦ୍, ବଡ଼ମାନଙ୍କୁ ବିରକ୍ତ କରି କିଞ୍ଚିତ୍ ଆନନ୍ଦଲାଭ କରିବା ସକାଷେ ମଧ୍ୟ ଭଳି ଭଳି ଜିଦ୍ । ଆମ ଘରେ ଏସବୁ ଥରେହେଲେ ବି ଭୋଗିବାକୁ ପଡ଼ିନାହିଁ । କେଡ଼େ ସହଜରେ ଏଡ଼େବଡ଼ ସମସ୍ୟାର ସମାଧାନ ହୋଇଯାଏ, ପୁଅର ଦୃଷ୍ଟାନ୍ତରେ ତାହାର ପ୍ରମାଣ ଦେଇ ମୁଁ ବେଳେ ବେଳେ ଭାରି ଆଶ୍ଚର୍ଯ୍ୟ ହୋଇ ଯାଉଥିଲି । ମନେଅଛି, ମୁଁ ଭୁବନେଶ୍ଵରରେ ଥାଏ, ମାଆ କଟକରୁ ଫୋନ୍ ଲଗାଇଦେଲା । ପୁଅ ତୃତୀୟ ବା ଚତୁର୍ଥରୁ ଉପର ଶ୍ରେଣୀକୁ ଉଠିଥାଏ । ତିନିଚାରିଟା ବିଷୟରେ ଶ୍ରେଣୀର ଅନ୍ୟ ସମସ୍ତଙ୍କ ଠାରୁ ବେଶୀ ନମ୍ବର ରଖିଥାଏ । ମୁଁ ଖବର ଶୁଣି ଖୁସୀ ହୋଇ ତାକୁ ପଚାରିଲି, ଏହିପାଇଁ ତୋ’ର କି ପୁରସ୍କାର ଦରକାର ? ପୁଅ କେଡ଼େ ନିର୍ଲୋଭ ଭାବରେ ଉତ୍ତର ଦେଲା ! ମୁଁ ଯେତିକି ବିଷୟରେ ସର୍ବୋଚ୍ଚ ନମ୍ବର ପାଇଛି, ମୋ’ର ଠିକ୍ ସେତିକିଟା ନୂଆ ବହି ଦରକାର । ସେଦିନ ପୁଅ ମୋ’ର ସାଙ୍ଗ ପରି ଲାଗିଲା । ଏପରି ସାଙ୍ଗଟିଏ ପାଇ କୋଉ ବାପ ଖୁସୀ ନହେବ ? ଆମେ ଆମ ଓ ବାପା ଅତ୍ୟନ୍ତ ଭାଗ୍ୟବାନ୍ ଯେ ଆମକୁ ନିଜ ପିଲାଟାକୁ ମଣିଷ କରିବାପାଇଁ କେବେ କୌଣସି ଶାସନ କରିବାକୁ ପଡ଼ିନାହିଁ । ଯାହା ହେବାର ତାହା ମନକୁ ହୋଇଯାଇଛି । ଦୁଇ ପକ୍ଷକୁ ଖୁସୀ କଲାଭଳି ହିଁ ହୋଇଛି । ହଁ, ଆମକୁ ପିଲାର ପକ୍ଷରୁ କୌଣସି ଶାସନ ଭୋଗିବାକୁ ମଧ୍ୟ ପଡ଼ିବନାହିଁ । ଏତିକି ବି କ’ଣ କମ୍ କଥା ?

 

ପୁଅ ତା’ ମାଆକୁ ମାଆ ବୋଲି ଡାକୁଥିଲା । ଆମଆଡ଼େ ବୋଉକୁ ବୋଉ ବୋଲି ଡାକନ୍ତି । ମାଆ ମୂଳତଃ ବାଲେଶ୍ଵରର ହୋଇଥିବାରୁ ସମ୍ଭବତଃ ତାହାରି ମାଧ୍ୟମରେ ହିଁ ‘ମାଆ’ ଶବ୍ଦଟା ଆମ ଘରେ ପ୍ରବେଶ କରିଥିଲା । ବୋଉ ବା ମାଆକୁ ପିଲାଏ ‘ତୁ’ କରନ୍ତି, ଆମ ପୁଅ ମାନୁ ବି ସେଇଆ କରୁଥିଲା । ସେଥିରେ ଚିନ୍ତା କରିବାର ଆଦୌ କିଛି ନଥିଲା । ମାତ୍ର, କେଜାଣି କାହିଁକି ମାନୁ ମୋତେ ମଧ୍ୟ ‘ତୁ’ କଲା । ଏବେ ତାକୁ ଅଠେଇଶି ବର୍ଷରେ ମଧ୍ୟ ସିଏ ସେହିପରି ‘ତୁ’ କରୁଛି । ଏବଂ, ମୋତେ ତାହା ଭଲ ବି ଶୁଭୁଛି । ପିଲାଦିନେ ତା’ ମାଆ ଏଥିରେ କେତେଥର ଆପତ୍ତି କରିଛି; ଲୋକମାନେ ଭୁଲ ବୁଝିବେ ଓ ପିଲାଟା ଭଦ୍ରତା ଶିଖିନାହିଁ ବୋଲି ଭାବିବେ, —ଏହିପରି କେତେ କେତେ ବାରଣ ଦର୍ଶାଇଛି । ତଥାପି ସେଇ ‘ତୁ’ ହିଁ ରହିଯାଇଛି । ଏବଂ ଏଥିରେ ମାଆ ବି କ୍ରମେ ଅଭ୍ୟସ୍ତ ହୋଇ ଯାଇଛି । ପୁଅକୁ କିଏ କେତେବେଳେ ଏପରି ଶିଖାଇଲା କେଜାଣି, ପୁଅ ମୋତେ ସେଇଦିନୁଁ ‘ବାଆ’ ବୋଲି ଡାକି ଆସିଛି । ଆମ ଗାଆଁରେ ହାଟୁଆ ଘରେ ପିଲାଏ ବାପାମାନଙ୍କୁ ବାଆ ବୋଲି ସମ୍ବୋଧନ କରନ୍ତି । ବ୍ରାହ୍ମଣ ବା କରଣସାହିରେ ଏହି ସମ୍ବୋଧନ କେବେହେଲେ ଶୁଣିବାକୁ ମିଳିବନାହିଁ ।

 

ପୁଅ ଚାରି ପାଞ୍ଚବର୍ଷର ହେବା ଦିନଠାରୁ ଆମେ ତାକୁ ସିନେମା ଦେଖାଇ ନେଇଛୁ । ଆମେ ସିନେମା ଦେଖି ଗଲାବେଳେ ଯେ ତାକୁ ସାଙ୍ଗରେ ନେଇ ଯାଉଛୁ, ସେକଥା ଆଦୌ ନୁହେଁ । ବରଂ, ସିଏ ସିନେମା ଦେଖିବ ବୋଲି ଆମେ ତା’ ସହିତ ଯାଇଛୁ । ତାକୁ ଛାଡ଼ି, ଆମେ ତା’ର ବାରଚଉଦ ବର୍ଷ ହେବାଯାଏ କୌଣସି ସିନେମା ଦେଖିନାହୁଁ । ଏବଂ, ସିଏ ଏଡ଼େ ପିଲା ବୟସରେ ସବୁ ପ୍ରକାରର ସିନେମା ଦେଖିପାରିବ ନା ବୁଝିପାରିବ ? ତେଣୁ, ଆମ ବାପାମାଆଙ୍କର ରୁଚିରେ ଅନ୍ତତଃ ସେହି କେତେବର୍ଷ ସକାଶେ ଆମେ ସ୍ଵତଃପ୍ରବୃତ୍ତ ଭାବରେ ଏକ ପରିବର୍ତ୍ତନ ଘଟାଇଛୁ । ତାକୁ ଆମେ ସବୁଯାକ ପୌରାଣିକ ବିଷୟର ସିନେମା ଦେଖାଇ ନେଇଛୁ । କ୍ରମେ ଏମିତି ହୋଇଗଲା ଯେ, ତା’ ଦେଖିବାଭଳି କୌଣସି ବଙ୍ଗଳା, ଇଂରାଜି ଅଥବା ହିନ୍ଦୀ ସିନେମା ଆସିଲେ ପୁଅକୁ ମୁଁ ଦେଖାଇ ନେଇଛି ଏବଂ ଓଡ଼ିଆତକ ତା’ ମାଆ ଦେଖାଇ ନେଇଛି । ଅମୁକ ସିନେମାଟାକୁ ଆମେ ଦେଖିବାକୁ ଯିବା ବୋଲି ପୁଅ କେବେହେଲେ ଆମକୁ ଆସି କହିନାହିଁ । ପ୍ରସ୍ତାବ ସବୁବେଳେ ଆମ ତରଫରୁ କରାଯାଇଛି । ମାଆ ଯିବା ସମୟରେ ଆଗରୁ ସେଥିପାଇଁ ପ୍ରସ୍ତୁତ ହେବାକୁ ପଡ଼ିଛି ସିନା, —ମାତ୍ର ମୁଁ ପୁଅକୁ ନେଇ ଗଲାବେଳେ ସବୁକିଛି ଅଧିକ ସରଳ ହୋଇଯାଇଛି । ସିଏ ସ୍କୁଲରୁ ଆସିବାପରେ ମୁଁ ଆମେ ଆଜି ସିନେମା ଦେଖିଯିବା ବୋଲି କହିଛି । ସମୟ ଜାଣି ସିଏ ସହଳ ହୋଇ ଖେଳରୁ ଫେରିଆସିଛି ଓ ତା’ ପରେ ମୁଁ ତାକୁ ସାଇକେଲ ଆଗରେ ବସାଇଛି ଓ ଆମେ ସିନେମା ଦେଖି ଯାଇଛୁ । ଏହି ରୀତିଟି ସହିତ ପୁଅ ଏପରି ଚମତ୍କାର ଭାବରେ ଅଭ୍ୟସ୍ତ ହୋଇ ଯାଇଛି ଯେ, ପୁଅ ସିନେମା ଦେଖିଯିବାକୁ ମୋଟେ ନିଜଆଡ଼ୁ ଏକ ଭୋକ ପରି ଅନୁଭବ କରିନାହିଁ । ସିନେମାଟିଏ ଦେଖିବାର ଉପଯୁକ୍ତ ହେଲେ ବାପାମାଆ ସେମାନଙ୍କ ନିଜ ତରଫରୁ ପ୍ରସ୍ତାବ ଯେ ବାଢ଼ିବେ, ଏହି ବିଷୟରେ ସିଏ ସଂପୂର୍ଣ୍ଣ ଭାବରେ ନିଶ୍ଚିନ୍ତ ହୋଇ ରହିଛି । ଥରକର କଥା ଖୁବ୍ ମନେ ଅଛି । କ’ଣ ଗୋଟିଏ ପୁରୁଣା ହିନ୍ଦୀ ଫିଲ୍ମ ଥାଏ; ମୁଁ ଓ ପୁଅ ଦେଖିବାକୁ ଯାଇଥାଉ । ଶନିବାର କି ରବିବାର ମ୍ୟାଟିନି ଥାଏ । ମଧ୍ୟାନ୍ତର ସମୟରେ ପୁଅ ପଛକୁ ଅନାଇ ତା’ କ୍ଲାସର ଆଉଗୋଟିଏ ପିଲାକୁ ଦେଖିବାକୁ ପାଇଲା । ଖୁସୀ ହୋଇ ତା’ ପାଖକୁ ଦଉଡ଼ିଗଲା, କିଛି ସମୟ ସେମାନେ ଏକାଠି କଥାବାର୍ତ୍ତା ହେଲେ ଓ ପୁଅ ପୁଣି ମୋ’ ପାଖକୁ ନିଜ ଜାଗାକୁ ଫେରିଆସିଲା । ମୋତେ କହିଲା ଯେ ସାଙ୍ଗଟି ଏକୁଟିଆ ସିନେମା ଦେଖିବାକୁ ଆସିଛି । କେତେ କୌତୁହଳ ସହିତ ପୁଅ ମୋତେ ପଚାରିଲା, ବାପା ସିଏ ଏକୁଟିଆ କାହିଁକି ଆସିଛି, ତା’ ବାପା କାହିଁକି ତା’ ସହିତ ଆସିନାହାନ୍ତି ? ମୁଁ ଆଉ କି ଉତ୍ତର ଦେଇଥାନ୍ତି ? ପୁଅ ବୁଝିପାରିବା ଭଳି କହିଲି, ତା’ ବାପାଙ୍କର ଏତେ ସମୟ ନଥିବ । କହିବା ବାହୁଲ୍ୟ, ପିଲାଟି ଘରୁ ଲୁଚିକରି ଏକୁଟିଆ ଆସିଥିଲା ।

 

ପୁଅକୁ ଛଅବର୍ଷ ହେବାଠାରୁ ମୋ’ ମୁଣ୍ଡକୁ ଆଉ ଗୋଟାଏ ବିଚାର ଆସି ଢୁକିଥିଲା । ତା’ ମାଆକୁ ପ୍ରସ୍ତାବ ଦେଇ କହିଲି ଯେ; ପ୍ରତ୍ୟେକ ବର୍ଷ ଖରାଦିନେ ଆମେ ପୁଅକୁ ନେଇ ଗୋଟାଏ ମାସ ପାଇଁ ଭାରତବର୍ଷର କୌଣସି ଏକ ଅଞ୍ଚଳକୁ ବୁଲି ବାହାରିଯିବା । ଡାକ୍ତରମାନଙ୍କର ଛୁଟି ନଥାଏ କି ବେଳ ମଧ୍ୟ ନଥାଏ । ତଥାପି ସିଏ ରାଜି ହେଲେ । ମାନୁକୁ ଚଉଦ ବର୍ଷ ହେବା ପର୍ଯ୍ୟନ୍ତ ଆମେ ପ୍ରତ୍ୟେକ ବର୍ଷ ଏହିପରି କୁଆଡ଼େ ନା କୁଆଡ଼େ ବୁଲି ବାହାରିଛୁ । ପଣ୍ଡିଚେରୀ, ଜବଲପୁର, ନାଗପୁର, ସେବାଗ୍ରାମ, ଶାନ୍ତିନିକେତନ, ବନାରସ, କେରଳ, କୋଡ଼ାଇ, କେନାଲା, ମଦୁରାଇ, ବାଙ୍ଗାଲୋର, ହାଇଦ୍ରାବାଦ, ଧରୱାଡ଼୍, କଲିକତା, ହାଟକଲ୍ୟାଣୀ, ବଦ୍ରୀନାଥ, ନୈନିତାଲ୍ ଏହିପରି କେତେ କେତେ ଜାଗା । କେରଳକୁ ଯାଇଥିବା ବର୍ଷ କନ୍ୟାକୁମାରୀ ଓ ରାମେଶ୍ଵର ମଧ୍ୟ ସେହି ଯାତ୍ରା ମଧ୍ୟରେ ଅନ୍ତର୍ଗତ ହୋଇ ରହିଥିଲା । ବାଙ୍ଗାଲୋର୍ ଯାଇଥିବା ବେଳେ ଆମେ ମହୀଶୁର, ଶ୍ରବଣବେଲଗୋଲା, ବେଲୁଡ଼୍ ଓ ହାଲେବିଡ଼୍ ମଧ୍ୟ ଦେଖି ପାରିଥିଲୁ । ଧନ୍ୟ କହିବା ସେହି ଶାନ୍ତିନିକେତନକୁ, ସେଇଦିନୁଁ ଏହି ଦେଶଟାଯାକ ମୋ’ର କେତେ କେତେ ବନ୍ଧୁ ବିଛାଇ ହୋଇ ରହିଛନ୍ତି । ଯାଯାବରମାନେ କୁଆଡ଼େ ଘୂରି ବୁଲିବାକୁ ଏତେ ଭଲ ପାଆନ୍ତି ଯେ କୌଣସି ଗୋଟିଏ ଜାଗାରେ ସ୍ଥାୟୀ ଭାବରେ ରହି ପାରନ୍ତିନାହିଁ । ଭାରତ ବର୍ଷରେ ମୁଁ କେତେ କୁଆଡ଼େ ବୁଲିଛି, ମାତ୍ର ଯାଯାବର ଭାବରେ ମୋଟେ ନୁହେଁ । ମୁଁ ଯୋଉଠାକୁ ଯାଇଛି, ସେଠି ମଞ୍ଜି ପୋତି ଆସିଛି ।

 

ଭାରତବର୍ଷ ଗୋଟାଏ ଏଡ଼େବଡ଼ ଓ ଏତେ ବୈଚିତ୍ରମୟ ଦେଶ ଯେ, ଏଠି ନାନାଆଡ଼େ ବୁଲି ନାନା ଜାଗାରେ ମଞ୍ଜି ପୋତି ନ ଆସିଲେ ଏହାକୁ ନିଜର ଦେଶ ଓ ନିଜର ଘର ବୋଲି ମୋଟେ ଅନୁଭବ କରି ହେବନାହିଁ । ଏବଂ, ଏତେ ବଡ଼ ଗୋଟାଏ ଭୂଖଣ୍ଡରେ ବାସ କରୁଥିଲେ ମଧ୍ୟ ତଥାପି ନିଜକୁ ସ୍ଥାନୀୟ ବୋଲି ଭାବିବାର ପ୍ରମାଦ ମଧ୍ୟ ସବୁବେଳେ ରହିଥିବ । ମୁଁ ପୁଅ ବିଷୟରେ ଠିକ୍ ସେହିକଥା ଭାବୁଥିଲି । ସିଏ ମଧ୍ୟ ବଡ଼ ହୋଇ ନିଜ ଆଖିରେ ଯେପରି ହିମାଳୟ ଓ କନ୍ୟାକୁମାରୀକୁ ଏକାବେଳେକେ ଦେଖିପାରିବ, ସେଥିପାଇଁ ଉପାୟ ଚିନ୍ତା କରୁଥିଲି । ଦେଖିବା ଅପେକ୍ଷା ନିବିଡ଼ ଭାବରେ ଜାଣିବାର ଅଧିକ ଭଲ କୌଣସି ମାଧ୍ୟମ ରହିଛି ବୋଲି ମୁଁ ଏବେ ମଧ୍ୟ ଜାଣି ପାରିନାହିଁ । ମୋ’ର ପ୍ରକୃତରେ ଭାଗ୍ୟ ଯେ ତା’ର ମାଆ ମଧ୍ୟ ମୋର ପ୍ରସ୍ତାବରେ ରାଜି ହୋଇ ଯାଇଥିଲା । ଆମେ ପୁଅ ସାଥିରେ ଓ ପୁଅ ଆଖିରେ ଭାରତବର୍ଷକୁ ପ୍ରାଣ ଭରି ଦେଖିବାର ଏକ ସୁଯୋଗ ଲାଭ କଲୁ । ପୁଅ ଦଶମ ଶ୍ରେଣୀ ଶେଷ କରିବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମଟି ପୂର୍ଣ୍ଣ ବିଶ୍ଵାସର ସହିତ ଚାଲିଥିଲା । ପ୍ରାୟ କୌଣସି ଥର ଆମେ କେବେ ହୋଟେଲରେ ରହିନଥିଲୁ କିମ୍ବା ଟୁରିଷ୍ଟ ପରି କିଛି ଦେଖିନଥିଲୁ । ସବୁଥର ସବୁଠାରେ ମୋ’ର ଚିହ୍ନା ବନ୍ଧୁମାନଙ୍କର ଘରେ ରହୁଥିଲୁ-। ତେଣୁ, କେତେ ଅଧିକ ଦେଖି ପାରୁଥିଲୁ ଓ ଅଧିକ ବୁଝି ମଧ୍ୟ ପାରୁଥିଲୁ । ପୁଅ ବେଳେ ବେଳେ ଖୁବ୍ ଅବାକ୍ ହୋଇ ଯାଉଥିଲା । ଏଡ଼େ ବଡ଼ ଆଁ କରି “ତୋ’ର କ’ଣ ଚାରିଆଡ଼େ ଚିହ୍ନା ଅଛନ୍ତି-?” ବୋଲି ମୋତେ ପଚାରୁଥିଲା । ତାକୁ ହଁ ବୋଲି ଉତ୍ତର ଦେବା ଆଗରୁ ହଁ ମୋ’ କଲିଜାଟା ହୃଷ୍ଟ ହୋଇ ଉଠୁଥିଲା ।

 

ଏହି ପାରିବାରିକ ସଂସାର, —ଇଏ ଭଲ ପାଇବାର, ଏକାଠି ବାଟ ଚାଲିବାର, ଏକାଠି ସହିବାର ଏବଂ ଏକାଠି ବୋଝ ବୋହିବାର ଏକ ମହାନନ୍ଦମୟ ଓ ଅତ୍ୟନ୍ତ ବିଶ୍ଵାସଯୋଗ୍ୟ ପରୀକ୍ଷାଗାର । ଯୋଉ ପରିବାରରେ ଜଣକର କୁହା ଅନୁସାରେ ସଂସାର ଚାଲେ, ତାହା ସେଠାରେ ପ୍ରକୃତରେ କିପରି ଚାଲୁଥିବ କେଜାଣି ? ଜଣେ କହିବ ଓ ଆଉ ସମସ୍ତେ ରାଜି ହୋଇ ଯାଉଥିବେ; ଜଣେ କମାଉଥିବ ଓ ଆଉ ସମସ୍ତେ ଖାଉଥିବେ, ଇଏ କିପରି ପରିବାର ହୋଇଥିବ କେଜାଣି ? ଆମ ସମାଜରେ ସମ୍ଭବତଃ ସେଇଟାକୁ ହିଁ ଆଦର୍ଶ ବୋଲି ଧରି ନିଆଯାଏ ବୋଲି ସାଧାରଣତଃ ପୁଅ ଲାଖି ଝିଅଟିଏ ଖୋଜାଯାଏ, ପୁଅର ବରାଦ ଅନୁସାରେ ସବୁକିଛି ହୁଏ । ପୁରୁଷ ପ୍ରଧାନ ପରିବାରରେ ତାହାହିଁ ଯାବତୀୟ ଶାନ୍ତି ଓ ସୁଖର କାରଣ ବୋଲି ବିଶ୍ଵାସ କରାଯାଏ । ପୁରୁଷ ସୁଖ ଭୁଞ୍ଜିବାକୁ ରହିଥାଏ, ନାରୀ ସୁଖ ଦେବାକୁ ରହିଥାଏ । ଆମ ମୁନିମାନେ ମଧ୍ୟ ସେହି ପୁରୁଷପ୍ରଧାନ ସମାଜର ପ୍ରବକ୍ତା ରୂପେ ପୁରୁଷପ୍ରଧାନ ପରିବାରଟିକୁ ସୁହାଇଲା ଭଳି ଶାସ୍ତ୍ରବିଧାନ କରି ଯାଇଛନ୍ତି-। ସାହିତ୍ୟ ଭିତରେ ସେହି ପରିବାରକୁ ମୂଳ ବୋଲି ଗ୍ରହଣ କରି କବିତା ଓ କାହାଣୀମାନ ଲେଖା ଯାଇଛି । ପୁରାଣରେ ଦେବତାମାନେ ମଧ୍ୟ ପ୍ରାୟ ତାହାରି ନମୁନା ହୋଇ ରହିଛନ୍ତି । ଗୋଟାଏ ପାଖ ପୁରା ନିଷ୍କ୍ରିୟ ହେବ ଓ ଆଉଗୋଟାଏ ପାଖ ଜୀବନ ନାମରେ ମନମୁଖୀ ମୃଗୟା କରୁଥିବ ଏବଂ ତାହାକୁ ହିଁ ସଂସାର ସୁଖ ବୋଲି କୁହା ଯାଉଥିବ, ଏହି ଦୃଷ୍ଟି ଭଙ୍ଗୀଟାରେ ମର୍ମଟାକୁ ମୁଁ ଏବେ ମଧ୍ୟ ଭଲ କରି ବୁଝି ପାରିଲି ନାହିଁ । ପୃଥିବୀରେ ଯହୁଁ ଯହୁଁ ଅଧିକ ଦେଖିଲି, ଅଧିକ ସମଝିଲି, ଭିତରର ସେହି ସଂଶୟଟା ଅଧିକ ହେଲା ସିନା, ମାତ୍ର କଟିଲାନାହିଁ । ଜଣେ ପୁରୁଷ ଆଗ ପୁରୁଷ ନା ଆଗ ଜଣେ ମଣିଷ ? ପୁରୁଷ ଓ ନାରୀ ଉଭୟେ ସବାଆଗ ମଣିଷ ଓ ସବାଆଗ ସେମାନଙ୍କୁ ଜଣେ ଜଣେ ମଣିଷର ଧର୍ମକୁ ପାଳନ କରିବାକୁ ହେବ । ଜଣେ ପୁରୁଷର ଭୂମି ଉପରେ ଓ ଆଉ ଜଣେ ନାରୀର ଭୂମି ଉପରେ ସେହି ଧର୍ମକୁ ପାଳନ କରିବ । ଏବଂ, ଯେଉଁ ସମାଜ ନାରୀକୁ ତା ବହି ଅନୁସାରେ ଆଗ ନାରୀ ଏବଂ ଜଣେ ପୁରୁଷକୁ ଆଗ ପୁରୁଷ ହେବ ପାଇଁ ଅଫିମ ଖୁଆଇବାକୁ ବାହାରିବ, ସେହି ସମାଜ ନାନାପ୍ରକାରେ ଅସୁସ୍ଥ ହୋଇ ରହିବାକୁ ଅବଶ୍ୟ ବାଧ୍ୟ ହେବ-। ଯେ କୌଣସି ସମାଜର ସ୍ୱାସ୍ଥ୍ୟ ଓ ଅସ୍ଵାସ୍ଥ୍ୟକୁ ଆମେ ଏହି ଦିଗଟିରୁ ବି ବିଚାର କରିପାରିବା ।

 

କୋଉ ପୁରୁଷ ଭିତରେ ନାରୀଟିଏ ନାହିଁ ଓ କୋଉ ନାରୀ ଭିତରେ ପୁରୁଷଟିଏ ବି ନାହିଁ-? ଦୟା, କ୍ଷମା, ସହିଷ୍ଣୁତା ପ୍ରଭୃତି ଯେଉଁସବୁ ଗୁଣକୁ ପୁରୁଷମାନଙ୍କର ବିବେଚନାରେ ନାରୀର ଗୁଣ ବୋଲି କୁହାଯାଇ ଆସିଛି, କୋଉ ପୁରୁଷକୁ ତାହା ଯୁଗେ ଯୁଗେ ଉଜ୍ଜ୍ଵଳ ଏବଂ ନିର୍ମଳ ହେବାରେ ସହାୟତା ନ କରିଛି ? ପାରିବାରିକ ଜୀବନରେ ଥରେ ଧୋକା ଖାଇବାପରେ ମୁଁ ବୋଧହୁଏ ଅଧିକ ସଂପୃକ୍ତ ଭାବରେ ସେହି କଥାଟିକୁ ଅଙ୍ଗେ ନିଭାଇ ପାରୁଥିଲି । ଗୋଟିଏ ପରିବାରରେ ପୁରୁଷ ଓ ନାରୀର ସମ୍ପର୍କ କେବଳ ସେହି ସମାଜର ଚଳଣିଗୁଡ଼ିକ ଦ୍ଵାରା ନିର୍ଦ୍ଧାରିତ ହେବାକୁ କାହିଁକି ବାଧ୍ୟ ହେବ, ମୁଁ ଅଧିକ ଆନ୍ତରିକତା ସହିତ ସେକଥା ଭାବୁଥିଲି । ମୋ’ ସହିତ ଯିଏ ପରିବାରଟିଏ ଗଢ଼ିବ, ସିଏ କାହିଁକି ମୋ’ର ମନଲାଗି ହେବ ? ମୁଁ ଯେପରି ବାଟଟିଏ ଚାଲୁଛି, ବାଟଟିଏ ବାଛିଛି, ସିଏ କାହିଁକି ବାଟଟିଏ ବାଛି ସେହି ଅନୁସାରେ ଚାଲୁନଥିବ ? ପରିବାରର ଧର୍ମ ସଂପୃକ୍ତ ବ୍ୟକ୍ତିମାନଙ୍କର ସ୍ଵଧର୍ମ ଦ୍ଵାରା ହିଁ ପରିଚାଳିତ ହୋଇ ପାରୁଥିବା ଉଚିତ । ଏବଂ, ସ୍ଵଧର୍ମ ବ୍ୟକ୍ତି ଅନୁସାରେ ସ୍ଵତନ୍ତ୍ର ହେଲେ ମଧ୍ୟ ପରିବାରଟିଏ ଗଢ଼ିଥିବା ଦୁଇଜଣଯାକ ବ୍ୟକ୍ତି ପରସ୍ପରକୁ ଆଗକୁ ଯିବାରେ ଅର୍ଥାତ୍ ଅଳପରୁ ଅଧିକ ହେବାରେ ସାହାଯ୍ୟ କରି ନପାରିବେ କାହିଁକି; ଭାରତୀୟ ସମାଜରେ ନାରୀକୁ ଚିରଦିନ ଅଧସ୍ତନ କରି ରଖାଯାଇଛି ଏବଂ ପରିବାର ମଧ୍ୟ ଅଧସ୍ତନତାର ସେହି ନ୍ୟାୟଟି ଅନୁସାରେ ଚଳି ଆସିଛି । ଭାରତବର୍ଷ ସମେତ ପୃଥିବୀରେ ଅଧ୍ୟାତ୍ମର ଯେଉଁ ପରମ୍ପରାଟି ରହିଛି, ତାକୁ ଅବିବେକୀମାନେ କାହିଁକି ସର୍ବଦା ଏକ ସ୍ଥାନୀୟ ସାମାଜିକତା ଦ୍ଵାରା ବାଧ୍ୟ କରି ରଖିଛନ୍ତି କାହିଁକି କେଜାଣି ?

 

ମୁଁ ବୋଲି ବତାଉଥିବି, ଭର୍ତ୍ତା ହୋଇ ରହିଥିବ, ଏବଂ ଆଉଜଣେ ମୋ’ କଥା ମାନି ଯାଉଥିବ,–ଏକଥାଟା ମୋତେ କେବେହେଲେ ଭଲ ଲାଗିନାହିଁ । ମୋ’ ସାଙ୍ଗମାନଙ୍କ ଉପରେ ମଧ୍ୟ ମୁଁ ମୋ’ ନିଜର କଥାଗୁଡ଼ାକୁ କେବେହେଲେ ଲଦିଦେବାକୁ ଚେଷ୍ଟା କରିନାହିଁ । ମୋର କୌଣସି ଛାତ୍ର ଯେତେବେଳେ ମୋ’ କଥାରେ ନିଜର ମତଟିଏ ଦେଇ ଆଲୋଚନାଟିଏ ଆରମ୍ଭ କରିଛି, ସେତେବେଳେ ମୁଁ ସ୍ଵଭାବତଃ ଅଧିକ ଖୁସୀ ହୋଇଛି । ଆଉଜଣେ ମୋ’ କଥାକୁ ଦେବବାକ୍ୟ ଅଥବା ବେଦବାକ୍ୟ ପରି ମାନିନେବ, ପତିବ୍ରତା ବୋଲାଇବ ଏବଂ ସ୍ମରଣୀୟା ପଞ୍ଚକନ୍ୟାଙ୍କର ଗୁଳାରେ ଚାଲିବ, ଏସବୁ ମୋତେ ଭାରି ଅଡ଼ୁଆ ଲାଗିଛି । ମୋ’ ପଦକ ଶୁଣି ଆଉଜଣେ ଆଉପଦେ କହିଲେ ସିନା ଆମ ଦୁହିଁଙ୍କର ମନର ଆହୁରି ଉପରକୁ ରହିଥିବା ସତ୍ୟଗୁଡ଼ିକ ଦୃଷ୍ଟିଗୋଚର ହେବାରେ ଅଧିକ ଅନ୍ତକୁଳତା ରହିଥିବ । ଜଣେ କହିବ ଓ ଆଉଜଣେ ମାନିବ, ଜଣେ ଚଳାଇବ ଓ ଆଉଜଣେ ଚାଲୁଥିବ, ଏହାଦ୍ୱାରା ସମ୍ପୃକ୍ତ ଦୁଇଜଣଯାକ ହିଁ ଅତିରିକ୍ତ ଭାବରେ ଅବଦମିତ ହୋଇ ରହିଥିବେ ଏବଂ ଯେ କୌଣସି ଅବମିତ ଜୀବଙ୍କ ଭଳି ପ୍ରତ୍ୟେକ ଏକାବେଳେକେ ଦୁଇଟା ଜୀବନ ବଞ୍ଚୁଥିବେ । ଏବଂ, ଏହି ପରିସ୍ଥିତିରେ ଆଦୌ କୌଣସି ପାରିବାରିକ ସହଚର୍ଯ୍ୟା ସମ୍ଭବ ବା କିପରି ହେବ ? ଘର କହିଲେ ଯଦି ଗୋଟିଏ ଗଉଡ଼ର ନିୟମରେ ଚଳୁଥିବା ଗୋଟାଏ ଗୁହାଳକୁ ଆଦୌ ବୁଝାଉନଥିବ, ତେବେ ଘରର ସଂପୃକ୍ତ ଦୁଇଜଣଯାକ ପରସ୍ପରକୁ ମଣିଷ ଭାବେ ସବାଆଗ ସ୍ଵୀକାର କରି ପାରୁଥିବା ଉଚିତ୍ ।

 

ମୋ’ କପାଳଟା ଭାରି ଭଲ ଯେ, ଉଷା ଆଦୌ ମୋ ମିଜାଜକୁ ଖାପ ଖାଇଗଲା ପରି ଅନୁଗତା ନାରୀଟିଏ ଆଦୌ ନଥିଲା । ତା’ର ଓ ମୋ’ର ପୃଷ୍ଠଭୂମି ଭିନ୍ନ ଭିନ୍ନ ଥିଲା । ତେଣୁ ଚିନ୍ତାର ଗତିପଥ ମଧ୍ୟ ଅଲଗା ଅଲଗା ପ୍ରକାରର ଥିଲା । ଭଲ ମନ୍ଦ, ଉଚିତ ଅନୁଚିତ, ସୁନ୍ଦର ଅସୁନ୍ଦର ବିଷୟରେ ତା’ର ନିଜସ୍ୱ ମତ ସବୁଥିଲା ଏବଂ ସେହି ମତଗୁଡ଼ିକୁ ସିଏ ନିଜର ଅଭିଜ୍ଞତାରୁ ଚୟନ କରିଥିଲା । ତେଣୁ, ସବୁ କଥାରେ ଆମେ ଯେ ରାଜି ହୋଇଯିବୁ, ତାହାର ପ୍ରଶ୍ନ ହିଁ ନଥିଲା । ମୁଁ କେତେ କେତେ ବହି ପଢ଼ି ଭାବୁଥିଲି ଯେ ମୁଁ ଯାହା କହେ ସବୁବେଳେ ଠିକ୍ କଥା କହେ । ସିଏ ବି ପାଠ ପଢ଼ିଥିଲା, ସଂସାର ସମ୍ବନ୍ଧରେ ତା’ର ବାସ୍ତବ ଅଭିଜ୍ଞତା ଅଧିକ ଥିଲା । କେଡ଼େ ଏକପାଖିଆ ଭାବରେ ସିଏ ଆମ ପାରିବାରିକ ସଂସାରର ପ୍ରାୟ ସବୁଯାକ ଦାୟିତ୍ଵ ଓ କର୍ତ୍ତବ୍ୟକୁ ନିଜେ ସ୍ଵୀକାର କରି ନେଇଥିଲା, ସେକଥା ଦେଖି ମୁଁ ଅନେକ ସମୟରେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲି । ମୋ’ ଅଭିଭାବକତ୍ଵକୁ ସିଏ କାହିଁକି ମାନି ନେଇଥାନ୍ତା ? ମୂର୍ଖଙ୍କ ପରି ମୁଁ ପହିଲେ ପହିଲେ ତା’ ପାଖରେ ମୋ’ର ମତ ଓ ରୁଚି ଗୁଡ଼ାକୁ ଜାହିର କରିବାରେ ଭାରି ତତ୍ପର ହୋଇ ପଡ଼ିଥିଲି । ସିଏ ବି ତା’ ଗୁଡ଼ାକୁ ଜାହିର କରିବାରେ ଆଦୌ କୌଣସି କାପଣ୍ୟ କରିନଥିଲା । ଏହାଦ୍ୱାରା ଆମେ ପରସ୍ପରକୁ ବେଶ୍ କେତେଥର ଝୁଣ୍ଟିଲୁ । ଚେଙ୍ଖ ପାଇଲୁ । ସେଇ ରାଗରେ ପରସ୍ପରକୁ ବେଳେ ବେଳେ ଶିଙ୍ଘ ବି ଦେଖାଇବାରେ ଉତ୍ସାହ ପ୍ରକାଶ କରୁଥିଲୁ । ଆମେ, ସିଏ ବା ମୁଁ କେହି ଯେ ଚଳନ୍ତି ସମାଜଟାର ଅର୍ଥରେ ମୋଟେ ସୁନାପିଲା ନଥିଲୁ, ସେହି କଥାଟି ବେଶ୍ ଧରା ପଡ଼ିଗଲା । ଦୁହେଁ ଦୁହିଁଙ୍କର ବଳ ଜାଣିଗଲା ପରେ ପରସ୍ପର ପ୍ରତି ଆମର ଏକ ସମ୍ମାନବୋଧ ଆସିଗଲା । ଜଣେ ମୋ ଗୁଳାରେ ଯାଉନଥିବ ଓ ମୁଁ, ତା’ ଗୁଳାରେ ଯାଉନଥିବି, —ଅଥଚ ଉଭୟେ ବାଟଟିଏ ଚାଲୁଥିବୁ, ପରସ୍ପରକୁ ସମ୍ମାନ ଦେଉଥିବୁ, —ଅସଲ ବନ୍ଧୁତା ଓ ଅସଲ ପ୍ରୀତି ସେହିଠାରୁ ହିଁ ଆରମ୍ଭ ହୋଇଥାଏ । ଏବଂ, ଏହି କ୍ଷେତ୍ରରେ ପରସ୍ପର ପ୍ରତି ଉଦାସୀନ ହୋଇ ରହିବାର ମଧ୍ୟ କୌଣସି ପ୍ରଶ୍ନ ନଥାଏ । ଜଣେ ମନୁଷ୍ୟ ବାଧ୍ୟ ହୋଇ ଏକ ଗୁଳା ଭିତରେ ରହିବାର ଗ୍ଳାନିବୋଧରୁ ହିଁ ପୃଥିବୀରେ ପ୍ରାୟ ଯାବତୀୟ ଉଦାସୀନତା ଜନ୍ମଲାଭ କରିଥାଏ । ନିଜର ବାଟଟି ପ୍ରତି ଏକ ପ୍ରକାରର ଉତ୍ତେଜିତ ଅନ୍ଧ ମୋହ ରହିଥିଲେ ମଧ୍ୟ ଜଣେ ମଣିଷ ଅନ୍ୟ ବାଟଗୁଡ଼ିକ ବିଷୟରେ ଉଦାସୀନ ହୋଇଯାଏ । ସମ୍ପ୍ରଦାୟମାନେ ପରସ୍ପର ପ୍ରତି ଅତ୍ୟନ୍ତ ସକ୍ରିୟ ଭାବରେ ଉଦାସୀନ ହୋଇ ରହିଥାଆନ୍ତି ।

 

ମାତ୍ର, ନିଷ୍ଠାର ସହିତ ନିଜର ବାଟଟିଏ ଖୋଜି, ପାଇ,ଚାଲୁଥିବା ମଣିଷ ପାଇଁ ଅନ୍ୟବାଟ ଗୁଡ଼ିକୁ ଖୋଜିବାର ଏବଂ ବୁଝିବାର ପ୍ରକ୍ରିୟାଟି କେବେହେଲେ ସରିନଥାଏ । ଏହିପରି ଏକ ଦୃଷ୍ଟିକୋଣକୁ ଆମେ ହୁଏତ ସହାନୁଭୂତି ବୋଲି କହିପାରିବା । ଆପେ ଗ୍ରହଣଶୀଳ ହୋଇ ରହିଥିଲେ ମଣିଷ ନିଜର ନିର୍ବାଚିତ ବାଟଟିକୁ ମଧ୍ୟ ସତତ ସମୃଦ୍ଧ କରିପାରିବା ଲାଗି ସତକୁ ସତ ବହୁତ ଖୋରାକ ପାଇଥାଏ । ଅସଲ ଧର୍ମ, ଅସଲ ପ୍ରେମ ଓ ଅସଲ ପରିବାର ଜଣେ ମନୁଷ୍ୟକୁ କଦାପି ଗ୍ରହଣକାତର କରେନାହିଁ । ଗୋଟିଏ ପରିବାରରେ ଥିବ ଅଥଚ ମଞ୍ଜି ଭିତରେ ଗ୍ରହଣକାତର ହୋଇ ରହିଥିବ, ଇଏ ପୁଣି କୋଉ ରାଇଜର କଥା ! ପରସ୍ପରକୁ ନିଜର ବୋଲି ଗ୍ରହଣ କରି ନେଇଥିବ, ପିଲାମାନଙ୍କୁ ନିଜର ସବାବଡ଼ ଧନ ବୋଲି କହୁଥିବ, ଅଥଚ ପରସ୍ପରକୁ ମୁଖା ଦେଖାଇ ସ୍ଵାଗତ କରୁଥିବ, କପଟାଚାର କରି ପରସ୍ପରକୁ ତୁଷ୍ଟ କରି ରଖିବାକୁ ବହୁ ଶ୍ରମ କରୁଥିବ, ଇଏ ପୁଣି କୋଉ ରୀତି ? ଓଡ଼ିଆ ରୀତିସାହିତ୍ୟରେ ପୁରୁଷ ରସରାଜମାନେ ନାରୀର ଦେହ ବ୍ୟତୀତ ସମ୍ଭବତଃ ଆଉ କିଛିହେଲେ ଦେଖି ପାରୁନଥିଲେ, ସେଥିଲାଗି ସେମାନେ ତାକୁ ଅତିରଞ୍ଜିତ ବହୁ ବର୍ଣ୍ଣନାଦ୍ଵାରା ତୁଷ୍ଟ କରି ଟେକି ଧରିବାରେ ଭାରି ସରାଗ ପ୍ରକାଶ କରୁଥିଲା । ଏବେ ମଧ୍ୟ ଆମର ତଥାକଥିତ ଏବର ସମାଜରେ ବହୁ ପଲ୍ଲୀ ଏବଂ ପତି ରହୁଛନ୍ତି, ଯେଉଁମାନେ କି ଖାସ୍ ନିଜକୁ ଲୁଚାଇ ରଖିବାର ଉଦ୍ଦେଶ୍ୟରେ ପରସ୍ପରକୁ ତୋଷି ପୋଷ ମନାଇ ରଖିବାରେ ଭାରି ସମୟ ଖରଚ କରନ୍ତି । ଆମ ଭାଷାରେ ଲିଖିତ ବହୁତ ସଫଳ ଓ ସିଦ୍ଧିପ୍ରାପ୍ତ ଉପନ୍ୟାସରେ ମଧ୍ୟ ତାହାରି ଦୃଷ୍ଟାନ୍ତମାନ ଖୁନ୍ଦି ହୋଇ ରହିଥାଏ । ମୁଁ ଅନ୍ୟପ୍ରକାରେ ଭାବିଥାଏ । ମୁଁ ଭାବେ, ମୁଖା ପିନ୍ଧିବା ଅପେକ୍ଷା ବରଂ ମଝିରେ ମଝିରେ କିଞ୍ଚିତ୍ କ୍ଷିପ୍ତ ହୋଇ ପରସ୍ପର ଆଡ଼କୁ ଜିଭ ଦେଖାଇବା ଅନେକ ଅଧିକ ଭଲ । ତୋଷଣ-କୌଶଳରେ ପରସ୍ପରକୁ ଟପିଯିବାର ଚେଷ୍ଟା କରି ହନ୍ତସନ୍ତ ହେବା ଅପେକ୍ଷା ବରଂ ନିଜର ଯାବତୀୟ ଭିନ୍ନତା କିମ୍ବା ଅପୂର୍ଣ୍ଣତା ସତ୍ତ୍ୱେ ପରସ୍ପରର ପରିପୂରକ ହୋଇ ରହିବାଦ୍ଵାରା ମଣିଷ ଅଧିକ ସୁସ୍ଥ ଏବଂ ସ୍ନେହଶୀଳ ହୋଇ ରହିପାରିବ । ପରିବାର କହିଲେ ମୁଁ ସବାଆଗ ଏହି ପରିପୂରକତାକୁ ବୁଝିଥାଏ ।

 

ପୁଅଟି ଆସି ମଝିରେ ହାବୁଡ଼ିଯିବା ପରେ ଆମର ଶିଙ୍ଗଗୁଡ଼ିକ କ୍ରମେ ମଣ ହୋଇ ଆସିଲେ । ଅଧିକରୁ ଅଧିକ ସ୍ପଷ୍ଟ ହୋଇଯିବାରେ ଲାଗିଲା ଯେ ଏହି ପୁଅଟି ପାଖରେ ଆମେ ଉଭୟେ ଗୋଟିଏ ଗଣ୍ଠିରେ ବନ୍ଧା ପଡ଼ିଥିବା ହେତୁ ହିଁ ଆମେ ପରସ୍ପର ଉପରେ ଆପଣାର ଏତେ ଏତେ ଲଦି ଦେବାକୁ ଉତ୍ସାହ ପ୍ରକାଶ କରୁଥିଲୁ । ପୁଅ ଆମଭିତରେ ଆମର ବ୍ୟକ୍ତିଗତ ଭଗ୍ନାଂଶଗୁଡ଼ିକୁ ଏକାଠି ଯୋଗ କରି ରଖିବାପାଇଁ ଏକ ସାଧାରଣ ସଂଖ୍ୟା ପରି କାର୍ଯ୍ୟ କରିଥିଲା ଓ ଆମକୁ ଉଦ୍ଧାର କଲା । ପାରିବାରିକ ଜୀବନରେ ଅଧିକ, ସମୃଦ୍ଧି ପ୍ରାପ୍ତ ହୁଏ, ଯଦି ସ୍ଵାମୀ ଓ ସ୍ଵାମୀଜୀ ପରସ୍ପର ସହିତ ପୂରାପୂରି ଖାପ ଖାଉନଥାନ୍ତି ଅଥବା ଯଦି ଗୋଟିଏ ପକ୍ଷ ଅନ୍ୟପକ୍ଷଟି ପାଖରେ ଗୋଟାସୁଦ୍ଧା ନିଜର ପଗଡ଼ିଟାକୁ କାଡ଼ି ତଳେ ଆରଜଣଙ୍କର ଗୋଡ଼ପାଖରେ ନେଇ ରଖି ଦେଇନଥାଏ । ତଦ୍ଦ୍ଵାରା ସଂପୃକ୍ତ ପ୍ରତ୍ୟେକ ପକ୍ଷ ଅଧିକ ଉପକୃତ ହୁଅନ୍ତି, ଅଧିକ ଲାଭବାନ ହୁଅନ୍ତି-। ସଂସାର ପ୍ରତି ଅଧିକ ଲୋଭ ସେତିକିବେଳେ ସମ୍ଭବ ହୁଏ ଓ ସଂସାର ସେତିକିବେଳେ ଯାଇ ଅଧିକ ଆନନ୍ଦ ଦିଏ । ମୋହ ନଥାଏ, ଗିଳି ପକାଇବାର ଅଥବା ଗଦ ସୁଙ୍ଘାଇବାର କୌଣସି ମନ୍ଦଶ୍ରମ ନଥାଏ, —ତଥାପି ନିବିଡ଼ ଡୋରଟିଏ ଲାଗି ରହିଥାଏ । ପରିବାର କହିଲେ କ୍ରମେ ପରିବାରର ବାହାରକୁ ମଧ୍ୟ ସୂତାଗୁଡ଼ିକ ଖୋଲି ଖୋଲି ଯାଉଥାଏ, —ଆଦୌ କିଛି ଛାଡ଼ି ଦେଇ ଆସିଲା ପରି ମନେ ହେଉନଥାଏ ।

 

ସାଂପ୍ରତିକ ସଂସାରରେ ପ୍ରବୃତ୍ତିଗୁଡ଼ିକୁ ଦେଖି ମନେ ହେଉଛି ଯେ ଆଗାମୀ ପରିବାର ସେହି ପରିପୂର୍ଣ୍ଣତାର ହିଁ ଏକ ସଂସାର ହୋଇ ରହିବ । ପରିବାରବୋଧର ପ୍ରସ୍ଥଗୁଡ଼ିକ ପ୍ରାୟ ଅବାରିତ ଭାବରେ ପୃଥିବୀ ଆଡ଼କୁ ପ୍ରସାରିତ ହୋଇ ଯାଉଥିବା ସଙ୍ଗେ ସଙ୍ଗେ ଆମର ପରିବାରଗୁଡ଼ିକ କଦାପି ଗୋଟିଏ ଗୋଟିଏ ନିବୁଜ ଦୁର୍ଗପରି ହୋଇ ରହିବନାହିଁ ଅଥବା ଏକ ଷଡ଼ଯନ୍ତ୍ରକାରୀ କୂପବତ୍ କାର୍ଯ୍ୟ କରିବନାହିଁ । ସେହି ପରିବାରର ଅନେକ ଅଧିକ ଝରକା ରହିବ, ତେଣୁ ଯାବତୀୟ ଭିନ୍ନତା ସତ୍ତ୍ୱେ ଏବର ତୁଳନାରେ ଅନେକ ଅଧିକ ବିଶ୍ଵାସର ଆବଶ୍ୟକତା ରହିବ-। ନୈତିକତା ଅର୍ଥାତ୍ ସ୍ଥାନୀୟତାମାନେ ହଟିଯିବେ, ଏକ ଅଭିନବ ଆତ୍ମୀୟତା ମଣିଷ ସହିତ ମଣିଷକୁ ଏକାଠି ଗୁନ୍ଥି ରଖିଥିବ-। ଗୋଟିଏ ଗୋଟିଏ ଦର୍ପଣ ପରି ବ୍ୟକ୍ତିମାନେ ପରସ୍ପର ପାଖରେ ଅଧିକ ସ୍ଵଚ୍ଛ ହୋଇ ଦିଶି ପାରୁଥିବେ ଏବଂ ଏକ ବୃହତ୍ତର ପୃଥ୍ଵୀରେ ଆପଣାକୁ ପରିପୂର୍ଣ୍ଣତା ଆଡ଼କୁ ପରିଚାଳିତ କରି ନେଇଥିବା ଆକାଶ ହିଁ ଜୀବନ ବଞ୍ଚିବାର ସବାବଡ଼ ଆବେଦନ ହୋଇ ରହିଥିବ-। ତେବେ ସ୍ଥାବର ଜମିବାଡ଼ୀ ବା ସମ୍ପତ୍ତି ନୁହେଁ, ମୁଖା ନୁହେଁ, ଅଧିକାର କରିନେବାର କୌଣସି ପ୍ରମତ୍ତତା ମଧ୍ୟ ନୁହେଁ, ପରିପୂରକତା ଓ ଗତିଶୀଳତା ହିଁ ଏକ ପରିବାରର ଅସଲ ସନ୍ତକ ହୋଇ ରହିବ ।

 

ପୁଅ ଯେତେବେଳେ ପାଠ ସାରିଲା, ଚାକିରି ପାଇଗଲା, ସେତେବେଳେ ମାଆର ଉପସ୍ଥିତିରେ ଦିନେ ମୁଁ ତାକୁ କହିଥିଲି ଯେ, ଏଣିକି ତା’ର ସଂସାର କରିବାର ବେଳ ଆସି ପହଞ୍ଚିଗଲା । ସଂସାର କରିବାର ବେଳ ଅର୍ଥାତ୍ ବିବାହ କରିବାର ବେଳ ଆସି ପହଞ୍ଚିଲା । ଯଦି ସିଏ ମୂର୍ଖଟିଏ ଦେଖି ବିବାହ କରିବାକୁ ଇଚ୍ଛା କରୁଥିବ, ତେବେ ସିଏ ଆସିଲେ ଘରକୁ ଘରଣୀଟିଏ ହୋଇ ରହିବ; ଘରର ସବୁ କାମ କରିବ, ରାନ୍ଧିବାଢ଼ି ଦେବ, ସୁଖ ଦେବ, ଆରାମ ଦେବ । କିନ୍ତୁ ମୂକ ହୋଇ ରହିଥିବ । ସତେଅବା ନିଜର ଗୋଟିଏ ସମ୍ପତ୍ତି ପରି ଲାଗୁଥିବ । ମାତ୍ର, ଯଦି ସିଏ ଏପରି ଗୋଟିଏ ଝିଅ ଚାହୁଥିବ, ଯିଏକି ପାଠ ପଢ଼ିଥିବ, ଦରକାର ପଡ଼ିଲେ ଚାକିରି ବି କରିପାରିବ, ଯାହାସହିତ ଏକାଠି ବାଟ ଚାଲୁଥିବା ପରି ସର୍ବଦା ଅନୁଭବ ହେଉଥିବ, ତେବେ ତାକୁ ଅର୍ଥାତ୍ ପୁଅକୁ ମଧ୍ୟ କ୍ରମେ ସବୁ କାମ କରି ଶିଖିବାକୁ ପଡ଼ିବ; ଅର୍ଥାତ୍ ଘରର ସବୁକାମକୁ ପତ୍ନୀ ଯେପରି କରିବ, ପତି ମଧ୍ୟ ସେହିପରି କରି ପାରୁଥିବ । ସେଥିପାଇଁ ପୁଅକୁ ମଧ୍ୟ ରାନ୍ଧି ଶିଖିବାକୁ ହେବ, ବାସନ ଧୋଇ ଶିଖିବାକୁ ହେବ, ବିଛଣା କରି ଶିଖିବାକୁ ହେବ, ଇତ୍ୟାଦି, ଇତ୍ୟାଦି । ସେଦିନ ମୁଁ ତାକୁ ଆଉଗୋଟିଏ କଥା ମଧ୍ୟ କହିଥିଲି । ସିଏ କାହାସହିତ ସଂସାର କରିବ ଅର୍ଥାତ୍ କାହାକୁ ବିଭା ହେବ, ସେହି ଝିଅଟିକୁ ଯଦି ସିଏ ନିଜେ ଠିକ୍ କରିବାକୁ ଇଚ୍ଛା କରୁଥିବ, ତେବେ ବାପା ଓ ମା’ଆ ହିସାବରେ ସେଥିରେ ଆମର ଆଦୌ କୌଣସି ଆପତ୍ତି ରହିବ ନାହିଁ । ସେଥିରେ କେବଳ ଏହି ଗୋଟିଏ ସର୍ତ୍ତ ରହିବ ଯେ, ଝିଅର ବାପା ଓ ମାଆ ମଧ୍ୟ ସେହି ପ୍ରସ୍ତାବରେ ରାଜି ଥିବେ । ସେମାନେ ରାଜି ହେଲେ ଆମେ ଏପଟୁ ମଧ୍ୟ ରାଜି ହୋଇଯିବୁ । ମାତ୍ର, ଯଦି ପୁଅ ନିଜେ ଠିକ୍ କରିବାକୁ ଇଚ୍ଛା କରୁନଥିବ, ଅଥବା ନିଜେ ଖୋଜି ମନଲାଖି ମଣିଷଟିଏ ନପାଇବାରୁ ଘର ତରଫରୁ ସେକଥା ଠିକ୍ ହେଉ ବୋଲି ଯଦି ସିଏ ଇଚ୍ଛା କରିବ, ତେବେ ଆମକୁ ଜଣାଇବ ଓ ଆମେ ବାପାମାଆ ତା’ ପାଇଁ କନିଆଁଟିଏ ସ୍ଥିର କରିଦେବୁ । ମାତ୍ର, ସିଏ ଆମକୁ ନକହିଲା ପର୍ଯ୍ୟନ୍ତ ଆମେ ଏଦିଗରେ ଆଦୌ କୌଣସି ମୁଣ୍ଡ ଖେଳାଇବୁ ନାହିଁ ।

 

ଅବଶ୍ୟ ମାଆ ଟିକିଏ ଆପତ୍ତି କରିଥିଲା । ଆମର ଏଡ଼େ ବଡ଼ ଯୌଥ ପରିବାର, ବାପାମାଆଙ୍କ ବ୍ୟତୀତ ପୁଅର ବଡ଼ ବାପା, ବଡ଼ ମାଆ, ଦାଦି, ଖୁଡ଼ୀ, ମାମୁଁ, ମାଇଁ ଓ ମାଉସୀ ମଉସାମାନେ ଅଛନ୍ତି । ସେମାନଙ୍କର ଅନୁମୋଦନ ନଥାଇ ପୁଅ କୋଉଠୁ ମନ କୋଉଠୁ ଗୋଟାଏ କାହାକୁ ଘରକୁ ଆଣିବାକୁ ଇଚ୍ଛା କରିବ, —ଏକଥା ମୋଟେ ହୋଇ ପାରିବନାହିଁ ବୋଲି ମାଆ କହିଥିଲା । ମୁଁ କହିଥିଲି,—ପୁଅ ତ କିଛି ପର ଆଉକେହି ନୁହେଁ, ଆମରି ପୁଅ । ସିଏ କଦାପି ଆମକୁ ପ୍ରତ୍ୟାଖାନ କରି ମନ ଇଚ୍ଛା ଯାହାକୁ ତାହାକୁ ଠିକ୍ କରିବନାହିଁ । ସେଦିନ ବେଶ୍ ହାଲୁକା ଭାବରେ ଏହି କଥାଟି ପଡ଼ିଥିଲା । ସତକୁସତ ସେହିକଥା ଘଟିଲା । ପୁଅ ବାଙ୍ଗାଲୋରରୁ ଚିଠି ଲେଖିଲା ଯେ ସିଏ ନିଜପାଇଁ ଝିଅଟିଏ ଠିକ୍ କରିଛି । ଝିଅଟି କର୍ଣ୍ଣାଟକର, ବ୍ରାହ୍ମଣ ଘରର, ପୁଅ ସହିତ ଏକାଠି ଇଞ୍ଜିନିଅରିଂ ପଢ଼ୁଥିଲା । ମାଆକୁ ଖବରଟା ଶୁଣି ହଠାତ୍ ଖଟା ଖଟା ଲାଗିଲା । ଏପରି ଏକ ଘଟଣାରେ ଆମ ଘରର ଅନ୍ୟମାନେ କ’ଣସବୁ ଭାବିବେ ବୋଲି ସିଏ ଚିନ୍ତା କରୁଥିଲା-। ବର୍ତ୍ତମାନ ତ ଦୁଇ ପରିବାର ଭିତରେ କଥା ପଡ଼ିବା ତଥା । ମାଆ ବାଙ୍ଗାଲୋର ଗଲା-। ଝିଅ ଦେଖିଲା ତା’ ବାପାମାଆଙ୍କ ସହିତ କଥାବାର୍ତ୍ତା ହେଲା । ପୁରା ରାଜି ହୋଇଗଲା-। ଝିଅ ଆଙ୍ଗୁଠିରେ ମୁଦି ପିନ୍ଧାଇ ଆସିଲା । ତା’ ପରେ ଜାତକ ଦେଖାହେଲା ଓ ଶୁଝିଗଲା । ପ୍ରାୟ ଆଠ ନଅମାସ ପରେ ବାହାଘର ଏଇଠି ଭୁବନେଶ୍ଵରରେ ହେଲା । କନ୍ୟାପଟ ବ୍ୟକ୍ତିମାନେ କିଛିଦିନ ଆଗରୁ ଏଠାରେ ଆସି ପହଞ୍ଚିଲେ, ଓଡ଼ିଆ ରୀତିରେ ବିଭାଘର ହେଲା । ତେଣୁ ଆମ ଘର ତରଫରୁ ହିଁ ଉଭୟ ପକ୍ଷର ବ୍ୟବସ୍ଥା କରିବାକୁ ହେଲା । ବଡ଼ ଭାଇ ଓ ଭାଉଜୋଉ ବିଲାତରୁ ଆସି ପହଞ୍ଚିଗଲେ । ମୋ’ର ସବା ସାନଭାଇ ବିଭାଘରର ସବୁ କାମକୁ ପ୍ରାୟ ଏକା ଏକା ଆଦରିନେଲା-। ଆମ ବାପାମାଆଙ୍କୁ ଆଦୌ କୌଣସି ଚିନ୍ତା କରିବାକୁ ପଡ଼ିଲାନାହିଁ । ଷଢ଼ୁମାନେ ବି ସପରିବାର ଆସି ପହଞ୍ଚିଗଲେ । ମାମୁ ମାନେ ବି ଆସିଲେ, ଆମ ଘରଟା ଗୋଟାଏ ଛାଉଣିପରି ବୋଧ ହେଉଥାଏ । ବାଣୀ ଆମଘରକୁ ବୋହୁ ହୋଇ ଆସିଲା । ଆମ ପଟର ସଂପୃକ୍ତ ସମସ୍ତେ କେଡ଼େ ଖୁସୀ ହୋଇଗଲେ ।

 

ଶୁଦ୍ଧ ଜାତିବିଚାରର ତରାଜୁରେ ତଉଲି ଦେଖିଲେ ଏହି ବିବାହରେ ଆମର ପ୍ରମୋଶନ ହୋଇଗଲା । ମୋ’ ପିଲାଦିନେ କରଣ ଘରେ ବନ୍ଧୁ ବାନ୍ଧି କେତେ ଅନ୍ୟ ଜାତି କରଣ ହୋଇ ଯାଉଥିଲେ । ସେପରି ମଣିଷମାନ ହୁଏତ ଏବେ ମଧ୍ୟ ରହିଥିବେ । ଆମେ ବ୍ରାହ୍ମଣଘରେ ବନ୍ଧୁ ବାନ୍ଧି ଯେ ବ୍ରାହ୍ମଣ ହୋଇଯିବୁ, ଆମ ଘରେ ସେପରି ଅଭିଳାଷ ମୋଟେ କାହାରି ନଥିଲା । ସମସ୍ତଙ୍କର ମନଲାଖି ଝିଅଟିଏ ଆମ ଘରକୁ ଆସିଲା, ସେଇଥିରେ ହିଁ ସମସ୍ତଙ୍କର ଖୁସୀ । ନିଜର ତଥାକଥିତ ଜାତି ବା ପଂକ୍ତି ବାହାରେ ବିଭାଘର ହେବା —ଆମ ପରିବାର ଲାଗି ଏଇଟା ଆଦୌ ନୂଆ ଘଟଣା ନଥିଲା । ମୋ’ର ଏକାବେଳେକେ ୧୯୬୭ ମସିହାରେ ଆରମ୍ଭ କଥା ମନେ ପଡ଼ିଯାଉଛି । ବଡ଼ ଭାଇଙ୍କର ବଡ଼ ପୁଅ ବଙ୍ଗାଳି କାୟସ୍ଥଘରେ ନିଜର ବିବାହ ସ୍ଥିର କରିଥିଲା । ସେମାନେ ଦୁହେଁ ପରସ୍ପରକୁ ଏକାବେଳେକେ ଅତି ପିଲାଦିନରୁ ଚିହ୍ନିଥିଲେ । ବଡ଼ ହେଲେ ଏବଂ ଅନ୍ୟଭାବରେ ପରସ୍ପର ଆଡ଼କୁ ଆକର୍ଷିତ ହେଲେ । ତଥାପି ବିବାହର ପ୍ରସ୍ତାବଟାକୁ ପରିବାର ଭିତରକୁ ଆଣି ପକାଇବା ନିମନ୍ତେ ସେମାନଙ୍କର ସାହାସ ହେଲାନାହିଁ । କାଳେ କୋଉ ପକ୍ଷରେ କେହି ଅରାଜି ହେବ ଏବଂ ସବୁ ଫସରଫାଟି ଯିବ । ପୁତୁରା ଇଞ୍ଜିନିଅର୍ ଓ ଝିଅଟି ଅର୍ଥନୀତିରେ ଅଧ୍ୟାପିକା । ସେମାନେ ରେଜଷ୍ଟ୍ରୀ କରି ବାହାହୋଇ ପଡ଼ିଲେ ଓ ତା’ ପରେ ଯାଇ ବାପା ମାଆଙ୍କ ଆଗରେ ଘଟଣାଟିକୁ ଜଣାଇଲେ । ଘରେ ହୁଲସ୍ତୁଲ ପଡ଼ିଗଲା । ସତେ ଯେମିତି କିଏ କ’ଣଗୋଟାଏ ନିତାନ୍ତ ଅଧମସ୍ତରୀୟ କରି ପକାଇଲା ଓ କୁଳର ମୁଣ୍ଡଟାକୁ ଏକାବେଳେକେ ଭୂଇଁରେ ଲୋଟାଇଦେଲା । ବଡ଼ଭାଇ ମୁଣ୍ଡ ବାଡ଼େଇହେଲେ, ମୋ’ ବାପା ମଧ୍ୟ ବ୍ୟସ୍ତ ହୋଇ ଉଠିଲେ ।

 

ଭାଉଜୋଉଙ୍କ ଠାରୁ ଚିଠି ପାଇ ମୁଁ ଆଗ୍ରାରୁ କଟକରେ ଆସି ପହଞ୍ଚିଲି । ଘଡ଼ିକେ ସବୁ କଥା ଜାଣିଗଲି । ମୋ’ ନିଜର କୌଣସି ପ୍ରତିକ୍ରିୟା ବ୍ୟକ୍ତ ନକରି ସବାଆଗ ଭାଉଜୋଉଙ୍କ ପାଖକୁ ଗଲି । କ’ଣ ଗୋଟାଏ ଭାରି ବଡ଼ ଅଘଟଣା ଘଟି ଯାଇଥିବା ପରି ସିଏ ଗୋଟାସୁଦ୍ଧା ମ୍ରିୟମାଣ ହୋଇ ପଡ଼ିଥାନ୍ତି । ମୋତେ ଏକାକୀ ପାଇ ଭିତରର ସବୁଯାକ କ୍ଷୋଭକୁ ମୋ’ ଆଗରେ ଅଜାଡ଼ି ଦେଲେ । କାହା ଉପରେ ରାଗନାହିଁ, ଅଥଚ ଭିତରଟା ଦୁଃଖରେ ପ୍ରାୟ ଆର୍ଦ୍ର ହୋଇ ରହିଛି, ସେଇଟା ମଧ୍ୟ ମଣିଷର ଗ୍ରହଣଶୀଳ ହୋଇ ରହିଥିବାର ଏକ ଲକ୍ଷଣ । ମୁଁ ସତେଅବା ଏକ ଅନୁକୂଳତା ପାଇଗଲି ।

 

ଭାଉଜବୋଉଙ୍କର ଆପତ୍ତି, ଏଇଟା ତା’ ପୁରୁଷର ପ୍ରଥମ ବାହାଘର, —ପୁଅଟା ଭିତରେ ଭିତରେ ଏତେସବୁ କାଣ୍ଡ କଲା । ଅଥଚ କାହାକୁ ଟିକିଏ ଜଣାଇଲା ବି ନାହିଁ । ନିଜର ନାଆଁ ପକାଇଲା ଘରଟାଯାକର ମଧ୍ୟ ନାଆଁ ପକାଇଲା । ତାକୁ କ’ଣ ଝୁଅ ମିଳିନଥାନ୍ତେ ଯେ ସିଏ ବଙ୍ଗାଳିଘରେ ଯାଇ ପଶିଲା । ମୁଁ ବୁଝିଲି, ଭାଉଜବୋଉଙ୍କର ବିବେଚନାରେ ଅସଲ ପାତକଟା ଯାଇ ସେଇଠି । ପୁତୁରା ଯଦି ଆଗରୁ ତା’ ମନକଥାକୁ ଘରେ କହି ଦେଇଥାନ୍ତା, ତେବେ ତା’ ମନଲାଖି ବ୍ୟକ୍ତିଟି ସହିତ ଏକାଠି ସଂସାର ଗଢ଼ିବାର ତା’ର ସେହି ବାସନାରେ ମଧ୍ୟ ସେଇଠି ଯେ ଗଣ୍ଠି ପଡ଼ି ଯାଇଥାନ୍ତା, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ତେଣୁ, ତାଙ୍କ ପୁଅ ନିମନ୍ତେ କଥାଟିକୁ ସମସ୍ତଙ୍କ ପାଖରୁ ଲୁଚାଇ ରଖିବା ବ୍ୟତୀତ ଆଉ କୌଣସି ଉପାୟ ହିଁ ନଥିଲା । ତେଣୁ, ଆଗ କାଗଜରେ ଅର୍ଥାତ୍ ଆଇନସମ୍ମତ ଭାବରେ ବିଭାଘରଟା ହୋଇଯାଉ, ତା’ପରେ ତ ବଳେ ସମସ୍ତେ ଜାଣିବେ ଏବଂ, ଯାହା ହେବ ଦେଖାଯିବ, —ସେମାନେ ସେହିପରି ନିଶ୍ଚୟ ଭାବିଥିବେ । ଭାଉଜବୋଉଙ୍କ ମୁହଁରୁ ଅନ୍ଦାଜ କଲି ଯେ, ସିଏ ବୁଝିବାକୁ ଚେଷ୍ଟା କରୁଛନ୍ତି, କିଞ୍ଚିତ୍ କୋମଳ ହୋଇ ଆସୁଛନ୍ତି । ଅଭିଯୋଗକାରିଣୀରୁ କ୍ରମେ ମାଆର ଭୂମିକାକୁ ଅବତରଣ କରି ଆସୁଛନ୍ତି । ତେଣୁ, ଆଉ ଡେରି କରିବା ଆଦୌ ଉଚିତ ନୁହେଁ । ମୁଁ କହିଲି “ଭାଉଜୋଉ, ତୁମେ ଆଗ ପୁଅ କୋଉ ଜାତିରେ ଯାଇ ବିବାହ କଲା ବୋଲି କାହିଁକି ଭାବୁଛ ? ଆମ ପୁଅ ଯାହାକୁ ବାହା ହେଲା, ସିଏ ଯିଏ ହୋଇଥାଉ ପଛକେ, ସିଏ ହେଉଛି ଆମର ବୋହୂ–ତୁମେ ଏପରି ବି ତ ଭାବି ପାରନ୍ତ ।” ମୁଁ ଆଶ୍ଚର୍ଯ୍ୟ ହେଲି, ଭାଉଜବୋଉ ବଦଳିଗଲେ । ଅର୍ଥାତ୍ ବୁଝିଗଲେ । କହିଲେ, “ମୁଁ ସିନା ବୁଝିବି, କିନ୍ତୁ ଅନ୍ୟମାନେ ବି ବୁଝିବେ କିପରି ।” ମୋ’ର ସାହସ ପାଇଗଲା ।

 

ଅନ୍ୟମାନେ, ଅର୍ଥାତ୍ ବଡ଼ ଭାଇ ଓ ବାପା । ପୁତୁରାର ବାପା ଓ ଜେଜେ । କ’ଣ ପାଇଁ କେଜାଣି ମୁଁ ପ୍ରଥମେ ମୋ’ ବାପାଙ୍କ ପାଖକୁ ଯିବାକୁ ମନସ୍ଥ କଲି । ଗାଆଁରେ ବାପା ମୋତେ ଦେଖିବା ମାତ୍ରକେ ଅଗ୍ନିଶର୍ମା ହୋଇଗଲେ । ଆମେ ଯେତେ ଯିଏ ଏକାଳର ମଣିଷ ହିସାବରେ ଏବର ପାଠଗୁଡ଼ାକୁ ପଢ଼ିଛୁ ସେମାନେ ସମସ୍ତେ ତୁଚ୍ଛା ମୂର୍ଖ ବ୍ୟତୀତ ଆଉ କିଛି ନୋହୁ ବୋଲି ସିଏ ଅଭିଯୋଗ କରୁଥାନ୍ତି । ମୁଁ ଖାଲି ଶୁଣି ଯାଉଥାଏ । ପୂରା କଥାଗୁଡ଼ିକୁ ଶୁଣି ସାରିବାପରେ ବାପାଙ୍କର ଅସଲ ଦୁଃଖର ନାଡ଼ୀଟାକୁ ବୁଝି ହୋଇଗଲା । ସିଏ କହିବାକୁ ଇଚ୍ଛା କରୁଥିଲେ, ଏ ଘରର ସିଏ ସବାବଡ଼ ନାତି, ଏମିତି ବାହା ହୋଇ ପଡ଼ିଲା ଯେ ସାହିଭାଇ କେହି ଜାଣିଲେନାହିଁ । ତାଙ୍କ ବଡ଼ପୁଅ ଅର୍ଥାତ୍ ବର୍ତ୍ତମାନର ଆସାମୀଟିର ବାପା ବିଭା ହେଲାବେଳେ କେତେ କ’ଣ ହୋଇଥିଲା । ଗାଆଁ କୁ ପହିଲିଥର ପାଇଁ କଟକରୁ ବାଜାବାଲା ଆସିଥିଲେ, ବରସାଙ୍ଗରେ ଶହେରୁ ଅଧିକ କୁଣିଆ ଯାଇଥିଲେ, ଗାଆଁର ବିରାଦମାନେ ଆମ ଘରେ ଚାରିଥର ଖାଇବାକୁ ଆସିଥିଲେ, ବାହାର ଚାରିଦିନ ଆଗରୁ ଦାଣ୍ଡରେ ଖୁଣ୍ଟ ପୋତା ହୋଇ ଦିନଯାକ କେତେ ଉଞ୍ଚରେ ନହବତ ବାଜା ବାଜୁଥିଲା ଯେ ଖଣ୍ଡମଣ୍ଡଳକୁ ଶୁଣା ଯାଉଥିଲା । ଏ ପୁତୁରାଟା ଏମିତି ପାଞ୍ଚରେ ବିଭା ହୋଇଗଲା ଯେ, ସାହିଭାଇ ବନ୍ଧୁବାନ୍ଧବ କେହି ଜାଣିଲେ ନାହିଁ । ଘରର ମୁରବୀ ହିସାବରେ ତାଙ୍କର ମୁଣ୍ଡ ତଳେ ଲୋଟିଗଲା ପରି ହେଲା । ଲୋକେ ଛି ଛି କହିବାଟା ହିଁ ସାର ହେଲା । ମୁଁ ଥଳ ପାଇଗଲି ।

 

ମୁଁ ଝଅଟ କରି ବାପାଙ୍କୁ ଉତ୍ତର ଦେଇ କହିଲି, ପୁତୁରା ତା’ ବାଟରେ ବାହା ହୋଇଗଲା ବୋଲି ବାହାଘର ସରିଗଲା ବୋଲି କିଏ କହିଲା ? ଘର ତରଫରୁ ଘରବାଗରେ ବାହାଘର ଅଲବତ ହେବ । ମଙ୍ଗନହାଣ୍ଡି ବସିବ, ସାହିଭାଇ ବନ୍ଧୁ ବାନ୍ଧବ ସମସ୍ତ ନୂଆ ଲୁଗା ପିନ୍ଧିବେ, ବରଧରା ଆସିବ, ପୁଅ ବେଦୀରୁ ପାଲିଙ୍କିରେ ବସି ବାହା ହେବାକୁ ଯିବ ଓ କୁଣିଆମାନେ ଯଥାରୀତିରେ ବର ସାଙ୍ଗରେ କଟକ ଯିବେ । ବାଜା, ବାଣ, ରୋଷଣି ସବୁ ବରାଦ ମୁତାବକ ହେବ-। ବାପା ଆଁ କରି ଅନାଇଥାନ୍ତି ଓ ବୁଝି ଆସୁଥାନ୍ତି । ତାଙ୍କର ମୁହଁ ଉଜ୍ଜ୍ଵଳ ହୋଇ ଆସୁଥିଲା । ଏସବୁ ଯଦି ହେବ, ଯଦି ପୂର୍ଣ୍ଣ ବିଧିରେ ବିଭାଘର ହେବ, ତେବେ ଆପତ୍ତି କରିବା ସକାଶେ ଆଉ କାହିଁକି କ’ଣ ରହିବ ? ମାଆ ବୁଝିଥିଲେ, ଘରର ଅସଲ ମହୁଡ଼ମଣି ବୁଝିଲେ, —ତେଣୁ ପୁଅର ବାପା ନବୁଝି ଆଉ ଗତି କୁଆଡ଼ୁ ଥାଆନ୍ତା ? ପୂର୍ଣ୍ଣ ସନ୍ତର୍ପଣରେ ବାହାଘର ହେଲା । ପୁତୁରାଟା ଯେ କୌଣସି ଏକ ଅଘରୁ ବୋହୂ ଆଣିଛି, ସେହି ଆନନ୍ଦରେ ସମସ୍ତେ ସେକଥାକୁ କୁଆଡ଼େ ପାସୋରି ପକାଇଲେ । ବୋହୂ ବି ଆସି ଆମ ଘରଟା ସହିତ କେଡ଼େ ସହଜରେ ମିଶିଗଲା । ସେର, ମାଣ ସବୁ ପୂରିଗଲା । ସମସ୍ତଙ୍କର ଇଜତ ରହିଲା । ସଙ୍କଟ ଦୂର ହେଲା । ଏବେ ପୁତୁରାର ପୁଅ ଓ ଝିଅମାନେ ବି ପାଠ ପଢ଼ି ବାହା ହେବାକୁ ହେଲେଣି । ସେମାନେ ଓଡ଼ିଆ କି ବଙ୍ଗାଳି, କିଛି ବାରି ହେଉନାହିଁ । ସେମାନେ ସେହିସବୁ ଫରକକୁ ଆମ ମରହଟ୍ଟୀମାନଙ୍କର ମନରୁ ବି ଉଡ଼ାଇ ନେବାରେ ସେମାନଙ୍କର ଅଜାଣତରେ ଭାରି ସାହାଯ୍ୟ କରିଛନ୍ତି । ଘରଟା ଯେ ଆଗ ଘର, ଏକ ପ୍ରଶସ୍ତ ହୃଦୟ ପରି ପ୍ରଶସ୍ତ । ଆମ ନିଜ ଘରେ ଆମ ସମସ୍ତଙ୍କ ପାଇଁ ତାହା ପ୍ରମାଣିତ ହୋଇ ଯାଇଛି ।

 

ଏବେ ବର୍ଷେ ଦେଢ଼ବର୍ଷ ତଳେ ମୋ’ ସାନଭାଇର ସାନପୁଅର ବାହାଘର ହେଉଥିଲା । ଆମେ ଭୁବନେଶ୍ଵରରେ ବର ଶୋଭାଯାତ୍ରାରେ ବାହାରିଥାଉ । ବର ସହିତ ବରବାପାର ମଧ୍ୟ ଗୋଟିଏ ଗାଡ଼ିରେ ବସିବା କଥା । ମାତ୍ର ସାନଭାଇ ମୋତେ ନେଇ ବର ପାଖରେ ବସାଇଦେଲା । କହିଲା, “ମୁଁ ବି ଟିକିଏ ନାଚିବି, ତେଣୁ ଆପଣ ପୁଅ ପାଖରେ ବସିବେ ।” ବାଜା, ଆଲୁଅ ଓ ବାଣ ଭିତରେ ଶୋଭାଯାତ୍ରା ଚାଲିଥାଏ । ବର ବେଶରେ ବସିଥିବା ପୁତୁରା ମୋତେ କହିବାକୁ ଆରମ୍ଭ କଲା, “ବଡ଼ବାପା, ଆମ ଗାଆଁରେ ଯାହା କେବେ ହୋଇନଥିଲା, ଆମ ଘର ଏକାବେଳେକେ ଏକାଧିକ ଦୃଷ୍ଟାନ୍ତରେ ତାହା କରି ଦେଖାଇଦେଲା ।” ଅର୍ଥାତ୍, ଆମ ଘରୁ ଏତେ ଏତେ ଜଣ ବାହାଘର ମାଧ୍ୟମରେ ଜାତି ଡେଇଁଗଲେ, କୁଳ ଡେଇଁଗଲେ, ଓ ରାଜ୍ୟ ଡେଇଁଗଲେ । ତା’ର କହିବା ଅନୁସାରେ ସର୍ବପ୍ରଥମେ ମାନୁ ଆରମ୍ଭ କଲା ଏବଂ ତା’ ପଛକୁ ସିଏ ଓ ତା’ ନିଜର ବଡ଼ଭାଇ ମଧ୍ୟ ତାହାହିଁ କଲା । ମାନୁ କର୍ଣ୍ଣାଟକରେ ବିବାହ କଲା, ବ୍ରାହ୍ମଣଘରେ ବିଭା ହେଲା; ତା’ ନିଜ ବଡ଼ଭାଇ ଦୀପ୍ତ ବିହାରୀ ଘରେ ଓ ବ୍ରାହ୍ମଣକୂଳରେ ବିବାହ କଲା ଏବଂ ସିଏ ନିଜେ ତାମିଲ ଝିଅକୁ ବାହାହେଲା । ଆମ ଘରେ ସତେଅବା ଭାରତବର୍ଷର ଉତ୍ତର ଦକ୍ଷିଣ ଆସି ସମ୍ମିଳିତ ହୋଇଗଲା । ଆଦୌ କିଛି ବାରଣ ରହିଲାନାହିଁ । ନାନା ସ୍ଥାନୀୟତାକୁ ବିଧି ବୋଲି ମାନି ଆମର ପୁଅମାନେ ମୋଟେ ସେହି ପୁରୁଣା ଗୁଳାରେ ଯିବାଲାଗି ମନ କଲେନାହିଁ । ସେମାନେ ଜାଣି ଜାଣି ଅଣଓଡ଼ିଆ ବା ଅଣଅମୁକଟାଏ ବାହା ହେବେ ବୋଲି ଯେ ଏପରି କଲେ ସେକଥା ଆଦୌ ନୁହେଁ । ସେମାନେ କାହାକୁ ନିଜର ବୋଲି ଚିହ୍ନିଲେ, ସେମାନଙ୍କୁ ଆଉ କେଉଁମାନେ ନିଜର ବୋଲି ଚିହ୍ନିଲେ ଓ ତାହା ଏକ ବିବାହଦ୍ଵାରା ଗୋଟିଏ ପରିବାରର ବୃତ୍ତ ଭିତରକୁ ସ୍ଵୀକୃତ ହୋଇ ଆସିଲା । ସେମାନେ ବାଛିଲେ ଏବଂ ପରିବାରରେ ଆମେ ତାହାକୁ ସ୍ଵୀକାର କରିନେଲୁ, କେଉଁଠି କ’ଣ ଅସ୍ଵାଭାବିକତା ରହିଲା ବୋଲି ମୋଟେ ଅନୁଭବ ହେଲାନାହିଁ । ଜୀବନର ମହତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକୁ ଗ୍ରହଣ କରୁଥିବା ସମୟରେ ଆଗ ମଣିଷଟି ଦେଖାଯାଏ ନା ଆଗ ତା’ର କୁଳ, ବର୍ଣ୍ଣ ଓ ରାଜ୍ୟଟି ଦେଖାଯାଏ, ଅସଲ କଥାଟି ସେଇଠି ଯାଇ ରହିଛି । ଘର କହିଲେ ଗୋଟାଏ ନିର୍ଦ୍ଦିଷ୍ଟ ଗୁଳା ଅର୍ଥାତ୍ ନିର୍ଦ୍ଦିଷ୍ଟ ଶାସନକୁ ବୁଝାଏ ନା ମଣିଷ ମଣିଷ ଭିତରେ ଆଉଗୋଟାଏ କ’ଣ ଡୋର ବନ୍ଧା ହୋଇ ରହିଥିବାରୁ ନିଷ୍ପନ୍ନ ହୋଇ ଆସିଥିବା ଏକ ସମ୍ପ୍ରସାରଣକ୍ଷମ ଆତ୍ମୀୟତାକୁ ବୁଝାଏ, ଏଠାରେ ଆଗ ସେହି ପ୍ରଶ୍ନଟିର ହିଁ ସମାଧାନ କରିବାକୁ ହୋଇଥାଏ ।

 

ଏବେ ଗାଆଁରେ ଆମର ଘର ନାହିଁ, ଘରଡିହଟା ଯାହା ପଡ଼ିଛି । ଏଠାରେ କେବେ ଖଞ୍ଜାଏ ଘର ଯେ ରହିଥିଲା, ଦଦରା ହୋଇ ପଡ଼ିଥିବା କୂଅଟାରୁ ଯାହା ତାହାର କିଞ୍ଚିତ୍ ସୂଚନା ମିଳୁଛି । ଗାଆଁକୁ ଗଲେ ଗୁରୁଜନମାନଙ୍କର ଆମ ପାଇଁ କେବଳ ସେଇ ଗୋଟିଏ କଥା, —ଏ ଘର ଦିନେ କ’ଣ ଥିଲା, ତୁମେମାନେ କିଏ କୋଉଠି ଯାଇ ରହିଲ ଯେ ଏଠି ଆଉ ଘର ବୋଲି କିଛିହେଲେ ରହିଲାନାହିଁ । ଶୁଣିଲେ କେମିତି କେମିତି ଲାଗେ ସତ, ମାତ୍ର କୌଣସି ଦୁଃଖ ହୁଏନାହିଁ-। ଘର ହେଉଛି ଏକ ସ୍ଥିତିସ୍ଥାପକ ଅନୁଭବସାମଗ୍ରୀ, ଯାହାକି ମଣିଷମାନଙ୍କର ଆଖିଗୁଡ଼ିକ ବିସ୍ତୃତ ହୋଇ ଯାଉଥିବା ସଙ୍ଗେ ସଙ୍ଗେ ଲମ୍ବିଯିବାରେ ଲାଗିଯାଏ । ଠିକ୍ ନିଜର ଭାଷାଟି ପରି-। ଗୋଟିଏ ଭାଷାକୁ ସମ୍ବଳ କରି ମଣିଷ ଏକାଧିକ ଭାଷା ଶିଖେ, ଭାଷାର ମାଧ୍ୟମରେ ପୃଥିବୀର କେତେ କେତେ ଐତିହ୍ୟ ମଧ୍ୟକୁ ବିସ୍ତାରିତ ହୋଇଯାଏ, କେତେ କେତେ ସଂସ୍କୃତି, ସାହିତ୍ୟ ଓ ମନୁଷ୍ୟ ପରିବେଶ ମଧ୍ୟକୁ ପ୍ରବେଶାଧିକାର ଲାଭ କରେ । ତଦ୍ଦ୍ଵାରା ତା’ର ପ୍ରଥମ ଭାଷାଟିକୁ ସେ କଦାପି ପାସୋରି ପକାଏ ନାହିଁ । ମଣିଷଟା ଏତେ ଏତେ ଭାଷା ଶିକ୍ଷା କରି ଏତେଆଡ଼କୁ ଖେଳାଇ ହୋଇଗଲା ବୋଲି ତା’ର ମାତୃଭାଷା ମୋଟେ ଈର୍ଷା କରେନାହିଁ । ମାତୃଭାଷା ତା’ ସଙ୍ଗେ ସଙ୍ଗେ ରହିଥାଏ । ଆପଣାର ଦ୍ରବ୍ୟଟିକୁ ଭଲ ପାଇବାର ବିଧିଟିର ସଂଜ୍ଞା ବିସ୍ତୃତ ହୋଇ ଯାଉଥାଏ ସିନା, ମାତ୍ର ସେହି ମୂଳ ଦ୍ରବ୍ୟଟି ତଥାପି ରହିଥାଏ ।

 

ମଣିଷର ପରିବାରବୋଧକୁ ମଧ୍ୟ ଆମେ ସେହିପରି ଗୋଟିଏ ବ୍ୟଞ୍ଜନା ଦେଇ ବୁଝିବାକୁ ଚେଷ୍ଟା କରି ପାରିବା । ପିଲାବେଳେ ତା’ ନିଜର ଘର ବା କୁଟୁମ୍ବଟି ତା’ ଆଖିରେ ଯେଉଁ ଗ୍ରହଣଶୀଳତା ଏବଂ ଭାବସଂବେଗର କଜ୍ଜ୍ଵଳଟିକୁ ଲଗାଇ ଦେଇଯାଏ, ତାହା ଜୀବନଯାକ ତା’ର ସାଥୀ ହୋଇ ରହିଥାଏ, ତା’ର ଏକ ମୂଳଭୂତ ଜୀବନଦୃଷ୍ଟିରେ ପରିଣତ ହୋଇଯାଏ । ନିଜର ମୂଳ ଘରଟିରେ ଯଥାର୍ଥ ସ୍ନେହ ପାଇଥିବା ଏବଂ ଯଥାର୍ଥ ସ୍ନେହ ଦେଇ ପାରିଥିବା ମଣିଷଟି ପୃଥିବୀ ନାମକ ଏହି ବୃହତ୍ତର ଘରଟିରେ ଯେଉଁଠାକୁ ଯାଏ, ସେଠାରେ ମଧ୍ୟ ସିଏ ସ୍ନେହ ଦେବାକୁ ଏବଂ ସ୍ନେହ ପାଇବାକୁ ସମର୍ଥ ହୁଏ । ଆମେ ଆଧୁନିକ ବହୁସାଧନଯୁକ୍ତ ଏହି ଯୁଗଟି ପାଖରେ ପ୍ରକୃତରେ ବଡ଼ କୃତଜ୍ଞ ହୋଇ ରହିବା ଯେ, ତାହା ଆମପାଇଁ ଘରର, ପରିବାରର ସଂଜ୍ଞାଟିକୁ ପ୍ରସାରିତ କରିଦେଇ ପାରିବାଲାଗି ଏକ ଅନୁକୂଳ ଆହ୍ଵାନ ଆଣି ଯୋଗାଇଦେଇ ପାରୁଛି । ଆମେ ଏଠି ଇଚ୍ଛା କଲେ, ଯଥୋଚିତ ଭାବରେ ଗ୍ରହଣକ୍ଷମ ହୋଇପାରିଲେ ଘରର ଚଉହଦୀ ଗୁଡ଼ିକୁ ନିରନ୍ତର ବଢ଼ାଇ ଦେଇ ପାରୁଥିବା ଏବଂ ସେହି ସବାପ୍ରଥମ କାନ୍ଥଗୁଡ଼ିକ ଭିତରେ ଅବରୁଦ୍ଧ ହୋଇ ରହିବାପାଇଁ ଆଦୌ ମନ କରିବାନାହିଁ । ମୁଁ ଯେ ଗୋଟିଏ ଗାଆଁରେ ଜନ୍ମ ହୋଇଥିଲି, ମୋ’ର ବୋଲି ଜାଣିଥିବା ଗୋଟିଏ ନିର୍ଦ୍ଦିଷ୍ଟ ପରିବାରରୁ ଯଥାର୍ଥ ସ୍ନେହ ପାଇଥିଲି, ସେଥିଲାଗି ମୁଁ ସବୁଦିନେ ଗୌରବ ଅନୁଭବ କରୁଥିବି । ସେହି ପ୍ରଥମ ମୂଳଦୁଆଟିରୁ ମୁଁ ଏପରି କିଛି ପାଇଥିଲି ଯାହାକି ମୋତେ ଯାବତୀୟ ନିଃସଙ୍ଗତାରୁ କେଡ଼େ ସ୍ଵାଭାବିକ ଭାବରେ ବଞ୍ଚାଇ ରଖିଛି, ଆପଣାକୁ କେତେ କେତେ ମଣିଷବୃତ୍ତର ଏହି ବୃହତ୍ତର ପୃଥିବୀରେ ମୁଖ୍ୟତଃ ସଙ୍ଘୀଟିଏ, ମିତ୍ରଟିଏ ହୋଇ ରହିବାର କଳାକୁ ଶିଖାଇ ପାରିଛି, କେତେ ବିଶ୍ଵାସର ସହିତ ମୋତେ ଶିଖର ଉଠିବାକୁ ଛାଡ଼ି ଦେଇଛି । ନିଜର ଶିଖରଗୁଡ଼ିକୁ ଉଠିବାର ସେହି ଅହରହ ପ୍ରକ୍ରିୟାରେ ମୁଁ ସେହି ମୂଳ ଘରଟିକୁ ମୂଳ ଗାଆଁଟିକୁ ବାର ବାର ଆବିଷ୍କାର କରି ଚାଲିଛି ।

 

–୧୫–

 

ଜଣେ ଜଣେ ମଣିଷଙ୍କର ସାହିତ୍ୟ ଆଡ଼କୁ କାହିଁକି ମନ ଯାଏ କେଜାଣି ? ଅନେକ ମଣିଷ ଲେଖିବାକୁ ଏକ ସଉକ ବୋଲି ନେଇଥାନ୍ତି । ସାହିତ୍ୟ ଜଣଜଣକର ଜୀବନରେ ପ୍ରାୟ କୌଣସି ରୋଗ ପରି ମଧ୍ୟ ବେଶ୍ ଅବସ୍ଥାନ କରିବାର ଦେଖା ଯାଉଥାଏ । ଦେହର ରୋଗ ସକାଶେ ମଣିଷ ପାଖରେ ଯେପରି କେତେ ପ୍ରକାରର ପେଖନା ରହିଥାଏ, ଜଣେ ଜଣେ ମଣିଷ ସେହିପରି କେତେଟା ପେଖନା ସକାଶେ ସାହିତ୍ୟଭିତରେ ରହିଥାଆନ୍ତି । କିଏ କହେ, ସାହିତ୍ୟର ଉନ୍ମତି ନହେଲେ ଜାତିର ଉନ୍ନତି ମୋଟେ ହୋଇ ପାରିବନାହିଁ; ଆଉ କିଏ ନିଜର ଲେଖିବା ସଉକଟାକୁ ଏକାବେଳେକେ ସରସ୍ଵତୀଙ୍କ ସହିତ ନେଇ ଯୋଡ଼ି ଦେଇଥାଏ ଏବଂ ଖାସ୍ ସରସ୍ଵତୀଙ୍କର ଦୟା ବା କରୁଣାରୁ ଜଣେ ବ୍ୟକ୍ତି ଭିତରେ ସାହିତ୍ୟ ଲେଖିବା ପ୍ରତି ଗୋଟାଏ ଝୁଙ୍କ ଆସି ଜନ୍ମ ନେଇଥାଏ ବୋଲି ବିଶ୍ଵାସ ମଧ୍ୟ କରୁଥାଏ । ନିଜ ନିଜ ସଂସ୍କାର ଅନୁସାରେ ସମସ୍ତେ ସାହିତ୍ୟର କାରଣ ନିରୂପଣ କରିବାକୁ ସମ୍ଭବତଃ ବାଧ୍ୟ ବି ହୋଇଥାନ୍ତି । ସତ କାରଣଟା ଯାହା ହୋଇଥାଉ ପଛକେ, ସେମାନେ ନିଜପାଇଁ ଗୋଟାଏ ଗୋଟାଏ କାରଣକୁ ଅନୁମାନ କରିନେଇ ସେଥିରୁ ପ୍ରେରଣା ପାଇଥାନ୍ତି, ଉଲ୍ଲସିତ ମଧ୍ୟ ହୁଅନ୍ତି ।

 

ହେତୁ ହେବାଦିନୁଁ ମୋତେ ପଢ଼ୁଥିବା ପାଠ ସବୁବେଳେ ଭଲ ହିଁ ଲାଗୁଥିଲା । ପାଠ କହିଲେ ପ୍ରଧାନତଃ ବହିମାନଙ୍କୁ ବୁଝାଏ । ତେଣୁ, ସେହି ହେତୁ ହେବା ଦିନରୁ ବହିମାନେ ବି ଭଲ ଲାଗୁଥିଲେ । ପାଠ କହିଲେ ପାଠ ପଢ଼ାଉଥିବା ଶିକ୍ଷକମାନଙ୍କୁ ବୁଝାଏ । ମୋତେ ସେହି ପିଲାଦିନରୁ ହିଁ ଶିକ୍ଷକମାନେ ଭଲ ଲାଗୁଥିଲେ, ଭାରି ନିଜର ବୋଲି ମନେ ହେଉଥିଲେ । ଜଣେ ଶିକ୍ଷକ ବ୍ୟତୀତ ନିଜର ଅର୍ଜିତ ଧନକୁ ସମ୍ଭବତଃ ଅନ୍ୟମାନଙ୍କୁ ଦେବା ନିମନ୍ତେ ଆଉ କେହିହେଲେ ଏତେବେଶୀ ଆଗଭର ହୁଅନ୍ତିନାହିଁ ବୋଲି ମୁଁ ପିଲାଦିନରୁ ଅନୁଭବ କରିଆସିଛି । ନିଜ ଘର ଆଶ୍ରୟ ଦିଏ, ନିର୍ଭର ଦିଏ, ଅଭୟ ଦିଏ; ସେହିପରି ଶିକ୍ଷକମାନେ ଜୀବନରେ ବିସ୍ତାର ଆଣି ଦିଅନ୍ତି, ଜୀବନରେ ଘରର ସଂଜ୍ଞାକୁ ପୂରା ବଦଳାଇ ଦିଅନ୍ତି, —ଏକାବେଳେକେ ଏକ ଅନ୍ୟ ପ୍ରକାର ଅଭୟର କାରଣ ହୋଇଥାନ୍ତି । ବହିମାନେ ମଧ୍ୟ କମ୍ ବିସ୍ତାର ଆଣି ଦିଅନ୍ତିନାହିଁ, ଘର ହେଉଛି ଏକ ଅଦ୍‍ଭୂତ ପ୍ରକାରର ଆଶ୍ରୟ ସେହି ଆଶ୍ରୟ ପାଇଲେ ମଣିଷପିଲାଟିଏ ନିଜର ମୂଳଟା କୋଉଠି ଟାଣ ହୋଇ ରହିଛି ବୋଲି ଅନୁଭବ କରିଥାଏ ଏବଂ ସେହିଭଳି ଅନୁଭବ କଲା ପରେ ଯାଇ ସିଏ ପୂରା ନିଦକ ହୋଇ ଏକ ବିସ୍ତାର ମଧ୍ୟ ଇଚ୍ଛା କରେ । ସମ୍ଭବତଃ ଏହି କାରଣରୁ ପୃଥିବୀକୁ ମଧ୍ୟ ଘର ବୋଲି ଅନୁଭବ କରିବାକୁ ଶିକ୍ଷା କରେ । ବହି ମଧ୍ୟ ମଣିଷକୁ ସାରା ପୃଥିବୀ ସହିତ ନେଇ ବାନ୍ଧିଦିଏ । ଘରକୁ ଭାଙ୍ଗି ଦିଏନାହିଁ, କାନ୍ଥଗୁଡ଼ିକୁ ହିଁ ଭାଙ୍ଗିଦିଏ । କାନ୍ଥଗୁଡ଼ିକୁ ଭାଙ୍ଗିଦିଏ, ତେଣୁ ଘରର ଅନୁଭବକୁ ମଜବୁତ ହୋଇ ଆସିବାରେ ଭାରି ସାହାଯ୍ୟ କରିଥାଏ ।

 

ପାଠ ଭଲ ଲାଗୁଥିଲା, ବହି ଭଲ ଲାଗୁଥିଲା ଓ ଶିକ୍ଷକମାନେ ଭଲ ଲାଗୁଥିଲେ;–ବୋଧହୁଏ ଏହି କାରଣରୁ ହିଁ ମୁଁ ସ୍ଵାଭାବିକ ଭାବରେ ସେଇ ପିଲାଟିଦିନୁଁ ଏତେ ଗ୍ରହଣଶୀଳ ହୋଇପାରିଲି । ଜୀବନରେ ବେଶୀ ସଙ୍କୋଚ ରହିଲାନାହିଁ । ମିଛଟାରେ ଡର ମାଡ଼ିଲାନାହିଁ ଏବଂ ମଣିଷ ସମେତ ପୃଥିବୀଲାଗି ମୁଁ ଏକ ଅନ୍ତରଙ୍ଗ ଆକର୍ଷଣ ଅନୁଭବ କରି ଶିଖିଥିଲି । ସେଇ ପିଲାଦିନୁଁ ପ୍ରକୃତି ଭଲ ଲାଗିଲା, ମଣିଷମାନେ ବି ଭାରି ଭଲ ଲାଗିଲେ । ବାର ବର୍ଷ ପର୍ଯ୍ୟନ୍ତ ସଦରକୁ ଆସିନଥିବା ପିଲାଟିକୁ ପଛକୁ ଅନାଇ ମୁଁ ପ୍ରକୃତରେ ଧନ୍ୟବାଦ ଦେବି । ଗାଆଁରେ, ଘରେ ଓ ଘର ବାହାରେ ଗୁରୁଜନମାନେ ଅବଶ୍ୟ ରହିଥିଲେ; ସେମାନେ ମୋ’ର ଭଲ ଇଛା କରୁଥିଲେ, ମାତ୍ର ମୋତେ ସେମାନଙ୍କର ମନ ଅନୁସାରେ ଗୋଟାଏ ଭଲ କ’ଣ ମନ କ’ଣରେ ପରିଣତ କରିବାର ଆଗ୍ରହାତିଶଯ୍ୟରେ ମୋ’ ଉପରେ କେବେ କୌଣସି ଦୌରାତ୍ମ୍ୟ କରିନାହାନ୍ତି । ସମ୍ଭବତଃ ସବାଆଗ ସେହି କାରଣରୁ ମୁଁ କୁଟିଳ ଗ୍ରନ୍ଥିଳ ହୋଇ ବଢ଼ିବାର ଦୁର୍ଭାଗ୍ୟରୁ ରକ୍ଷା ପାଇ ଆସିଛି । ସହଜ ହୋଇଛି, ସହଳ ହେବାର ସବୁଯାକ ସୌଭାଗ୍ୟ ଲାଭ କରିଛି । ନିଜକୁ ଲୁଚାଇ ରଖିବା ସକାଶେ ଅନେକ ମଣିଷ ଯେପରି ପରିସ୍ଥିତି ଦ୍ଵାରା ବାଧ୍ୟ ହୁଅନ୍ତି, ମୁଁ ସେପରି କେବେହେଲେ ସେତେ ବେଶୀ ବାଧ୍ୟ ହୋଇନାହିଁ । ନିଜକୁ ଛୋଟ ମନେ କରିବାର ଅନେକ ଆବଶ୍ୟକତାରୁ ସତେ କେଡ଼େ ସହଜରେ ରକ୍ଷା ପାଇଯାଇଛି । ନିଜ ଭିତରେ ନିଜ ସହିତ ଲଢ଼ିବାର ମୋ’ର ପ୍ରାୟ କୌଣସି ସମୟ ବରବାଦ ହୋଇନାହିଁ । ଶ୍ରଦ୍ଧାର ଚକ୍ଷୁ ନେଇ ନିଜକୁ ଦେଖିଲେ ଶ୍ରଦ୍ଧାର ଚକ୍ଷୁ ନେଇ ଅନ୍ୟମାନଙ୍କୁ ଦେଖିଲେ ଓ ଶ୍ରଦ୍ଧାର ଚକ୍ଷୁ ନେଇ ନିଜର ପରିବେଶଟାକୁ ଦେଖି ପାରୁଥିଲେ ଜଣେ ମଣିଷ କଦାପି ଆପଣାକୁ ଲୁଚାଇ ରଖିବାକୁ କୌଣସି ଚେଷ୍ଟା କରିବନାହିଁ । ଖୋଲା ମନ ଓ ଖୋଲା ହୃଦୟ ନେଇ ବାଟ ଚାଲୁଥିବ,–ଦୁଆରଗୁଡ଼ାକ, ଝରକାଗୁଡ଼ାକ ସର୍ବଦା ଖୋଲା ହୋଇ ରହିଥିବା ପରି ଅନୁଭବ କରୁଥିବ । ସଂସାରକୁ ସିଏ ଆପଣାକୁ ଅଭିବ୍ୟକ୍ତ କରି ପାରିବାର ଏକ ଅନୁକୂଳ ଘର ବୋଲି ଗ୍ରହଣ କରିନେବ ।

 

ପିଲାଦିନେ ସାହିତ୍ୟ ବହିରେ ମୋତେ ଗଦ୍ୟଗୁଡ଼ିକ ଅପେକ୍ଷା ପଦ୍ୟଗୁଡ଼ିକ ଅଧିକ ଭଲ ଲାଗୁଥିଲା । ପଦ୍ୟଗୁଡ଼ିକ ହିଁ ମୁଖସ୍ଥ ନକରି ମଧ୍ୟ ମନେ ରହି ଯାଉଥିଲା । ସବୁ ପିଲାଙ୍କର ଜୀବନରେ ହୁଏତ ସେହିପରି ଘଟୁଥିବ । ଆମ ସାହିତ୍ୟ ଶିକ୍ଷକମାନେ ମଧ୍ୟ ଗଦ୍ୟ ତୁଳନାରେ ପଦ୍ୟ ପଢ଼ାଉଥିବା ସମୟରେ ଅଧିକ ମୁଗ୍ଧ ଓ ସ୍ଵତଃସ୍ପୂର୍ତ୍ତ ଭାବରେ ଆମକୁ ପଢ଼ାଇ ପାରୁଥିଲେ । ଅବଶ୍ୟ ଆହୁରି ଅନେକ ଅନେକ କାରଣ ରହିଥିବ; ମାତ୍ର ଏଇଟି ଗୋଟିଏ ବଡ଼ କାରଣ, ଯେଉଁଥିପାଇଁ ପିଲାଦିନେ ଆଗ ପଦ୍ୟ ଲେଖିବାକୁ ମନ ହୋଇଥାଏ । ଆଗେ ସାହିତ୍ୟ କହିଲେ ପଦ୍ୟକୁ ହିଁ ବୁଝାଉଥିଲା । ବୋଉର ପେଡ଼ିରୁ ଦେଖିଛି, ସିଏ ତା’ ବାପଘରୁ କେତେ ପଦ୍ୟବହି ସାଙ୍ଗରେ ଆଣି ଆମ ଘରକୁ ଆସିଥିଲା । ଜୀବନର ଶେଷ ଚରଣ ପର୍ଯ୍ୟନ୍ତ ମଧ୍ୟ ସେ ମୋ’ ପାଖକୁ ପଦ୍ୟରେ ଚିଠି ଲେଖି ପଠାଉଥିଲା । ଆମ ସାହିରେ ଜାନିଦେଈ ଥିଲା । କ’ଣ ପାଇଁ କେଜାଣି, ମୁଁ ତା’ ପାଖକୁ ଚିଠି ଦେଉଥିଲି ଏବଂ ଯେତେବେଳେ ବିଶେଷ ଖୁସୀ ଲାଗୁଥିଲା, ସେତେବେଳେ ଚିଠିଗୁଡ଼ାକୁ ପଦ୍ୟରେ ଲେଖି ପକାଉଥିଲି । ପୁନଙ୍ଗରେ ପାଠ ପଢ଼ିବା ବେଳେ ଘରକୁ ଚିଠି ପଠାଇବା ସହିତ ଜାନିଦେଇ ପାଖକୁ ମଧ୍ୟ ଖଣ୍ଡେ ଗୀତଚିଠି ଅବଶ୍ୟ ରହୁଥିଲା । ଷଷ୍ଠ ଶ୍ରେଣୀରେ ଗାଆଁ ମାଇନର ସ୍କୁଲରେ ଛାତ୍ରାବାସରେ ରହୁଥିବା ସମୟରେ ଜୀବନରେ ବୋଧହୁଏ ସର୍ବପ୍ରଥମ ଥର ସକାଶେ ଲାଇବ୍ରେରୀରୁ ଆମେ ଉପନ୍ୟାସ ପଢ଼ିବାକୁ ପାଇଥିଲୁ । କହିବା ବାହୁଲ୍ୟ, ସେତେବେଳେ ଉପନ୍ୟାସକୁ ଆମେ ଗୋଟାସୁଦ୍ଧା ଗପ ବୋଲି ଭାବୁଥିଲୁ । ମୁଁ ବି କାହିଁକି ନଲେଖିବି ବୋଲି ଭାରି ଭାବିଲି । ଜଣେ ସାଙ୍ଗ ସହିତ ସେହି ବିଷୟରେ ସଲାସୁତୁରା ବି ହେଉଥିଲା । ଯେତେଦୂର ମନେ ପଡ଼ୁଛି, ଆମେ ସେହି ଉତ୍ସାହରେ ପାଞ୍ଚ ଛଅ ପୃଷ୍ଠା ଲେଖି ବି ପକାଇଲୁ । ‘ଦୁଃଖ ପରେ ସୁଖ’ ନାମକ ଏହି ପ୍ରଥମ ପ୍ରୟାସଟି କାରିଗରୀ ଅଭାବରୁ ବେଶୀ ବାଟ ଆଦୌ ଆଗେଇ ପାରି ନଥିଲା । ଅମୁକ ବାବୁଙ୍କର କୁଟୁମ୍ବରେ ପ୍ରଥମେ ସୁଖ ଥିଲା, ତା’ ପରେ ଦୁଃଖ ଆସିଲା । ତା’ ପରେ ସୁଖ, ପୁଣି ଦୁଃଖ । ଏହିପରି ଭାବରେ ଛଅ ପ୍ରକାର ଦୁଃଖ ଓ ସାତପ୍ରକାର ସୁଖର କ୍ରମାନ୍ଵୟତାରେ ପାଞ୍ଚ ଛଅପୃଷ୍ଠା ଲେଖି ହୋଇ ଯାଇଥିଲା । ନିଜର ଏହି କୀର୍ତ୍ତିମତ୍ତାରେ ଦୁଇଟି ସୁକୁମାର ମନ ସତେଅବା କେଡ଼େ ଖୁସୀ ହୋଇ ଯାଉଥିଲେ ।

 

ମାତ୍ର, ଆଉ ବିଶେଷ କିଛି ପଇଟିଲା ନାହିଁ ଓ ଗାଡ଼ି ବନ୍ଦ ହୋଇଗଲା । ସ୍ପଷ୍ଟ ବୁଝିହେଲା ଯେ ଏଭଳି ଭାବେ ଆଦୌ ଉପନ୍ୟାସ ହୁଏନାହିଁ । ସେହି ସମୟରେ ଏକଦା ଔପନ୍ୟାସିକ ଶ୍ରୀଯୁକ୍ତ ଗୋଦାବରୀଶ ମହାପାତ୍ର ଆମ ଗାଆଁକୁ ଆସିଥିଲେ । ସ୍କୁଲକୁ ଯାଇ ଆସ ସହିତ ବହୁତ ସମୟ କଟାଉଥିଲେ । କ୍ଲାସକୁ କେବେ ଯାଇନାହାନ୍ତି, ମାତ୍ର ସେହି କେତେଟା ଦିନର କ୍ଲାସବାହାର ସମୟରେ ସିଏ ଆମର ଗୋଟାସୁଦ୍ଧା ନିଜର ହୋଇଗଲେ । ବୁଝେ, ନବୁଝେ, ସେତେବେଳକୁ ମୁଁ ତାଙ୍କର କେତୋଟି ଉପନ୍ୟାସ ପଢ଼ି ସାରିଥାଏ । ତେଣୁ, ତାଙ୍କପ୍ରତି ଆକର୍ଷଣ ବଢ଼ିଲା, ସମ୍ପର୍କଟିଏ ସ୍ଥାପିତ ହୋଇଗଲା, —ସିଏ ବାଣପୁର ଫେରିଯିବା ପରେ ମଧ୍ୟ ପତ୍ରାଳାପ ଚାଲିଥିଲା । ଇସ୍କୁଲର ପାଠ ବାହାରେ ଯେ ଆନନ୍ଦ ରହିଛି, ନିଜର ବହିଗୁଡ଼ିକୁ ଲେଖି ସେହିପରି ଏକ ଆନନ୍ଦ ପାଉଥିବା ତାଙ୍କଠାରୁ ମୁଁ ସେହି କଥାଟିକୁ ଶିଖିଥିଲି । ସେହି ଶିକ୍ଷାର ମୂଲ୍ୟ ଆଦୌ କମ୍ ନୁହେଁ । ଗୁଳା ବାହାରେ ଯେ ଜୀବନଟାଏ ଅଛି, ଗୁଳା ବାହାରକୁ ବାହାରିଗଲେ ମଣିଷ ଯେ ନିଜପାଇଁ ମଧ୍ୟ ଅଧିକା ଗୁଳାଟିଏ ତିଆରି କରିପାରିବ ଓ ସେଥିରେ ବିଚରଣ କରି ଯେ ଏକ ଅଧିକ ପ୍ରଗାଢ଼ ଆନନ୍ଦ ପାଇପାରିବ, ହେତୁର ଆଖିଟି ପ୍ରସାରିତ ହୋଇ ଯାଉଥିବା ସଙ୍ଗେ ସଙ୍ଗେ ମୁଁ ସେହି କଥାଟିକୁ ମଧ୍ୟ ବୁଝି ପାରୁଥିଲି ।

 

ପାଠବହିକୁ ମୁଁ କେବେହେଲେ କୌଣସି ସଂତ୍ରାସଭାବନା ସହିତ ଗ୍ରହଣ କରି ନଥିଲି । ସେତେବେଳେ ସହରରେ ବା ମିନିଙ୍ଗ୍ ବହି ନଥିଲା, ଶିକ୍ଷକମାନେ ମଧ୍ୟ ପ୍ରାୟ ଆତ୍ମବିସ୍ମୃତି ହୋଇ ପଢ଼ାଇ ପାରୁଥିଲେ; ପାଠ ପଢ଼ାଇବା ନିମନ୍ତେ ଚାକିରି କରିଛନ୍ତି ଓ ତେଣୁ ବାଧ୍ୟ ହୋଇ ଛୁଆମାନଙ୍କୁ ପଢ଼ାଉଛନ୍ତି ବୋଲି କ୍ଵଚିତ୍ ଅନୁଭବ କରୁଥିଲେ । ସମ୍ଭବତଃ ସେହି କାରଣରୁ ହିଁ, ପାଠବହି ପଢ଼ାଉଥିବା ସମୟରେ ସେମାନେ ସେହି ବହିଗୁଡ଼ାକାର ସୀମା ଭିତରୁ ଆହୁରି ଆହୁରି କୁଆଡ଼କୁ ବାହାରି ଯାଉ ପାରୁଥିଲେ । ଆମ ନୟନରେ କେତେ କୁଆଡ଼ର ଅଞ୍ଜନ ବୋଳି ଦେଇ ପାରୁଥିଲେ । ନହେଲେ, ଏଗାର ବାରବର୍ଷର ପିଲାଙ୍କୁ ସେମାନେ କିପରି ‘ନଦୀପ୍ରତି’,‘ଆକାଶ ପ୍ରତି’ ଓ ‘ଜୀବନ ଚିନ୍ତା’ ପ୍ରଭୃତି ପଦ୍ୟକୁ ବୁଝାଇଦେଇ ପାରୁଥିଲେ, ତାହାର ଉତ୍ତର ମୁଁ ହୁଏତ ଏଯାଏ ମଧ୍ୟ ପାଇ ପାରିନଥାନ୍ତି । ସେହି କବିତା ଭିତରେ ଯଦି ସେହି ବୟସର ମନଟା ମୋଟେ ପଶି ପାରିନଥାନ୍ତା ଓ ଯଦି ଖାଲି ଘୋଷି କରି ମୁଁ ପାଠଗୁଡ଼ାକୁ ଆୟତ୍ତ କରିଥାନ୍ତି, ତେବେ ସେହିସବୁ କବିତାରୁ ବହୁତ ବହୁତ ଧାଡ଼ୀ ଆଜି ଏତେବର୍ଷ ପରେ ମଧ୍ୟ ମନେ ରହିପାରିଲା କିପରି ? ଯୋଉ ପାଠ ବଳେ ବଳେ ମନେ ରହିଯାଏ, ସେହି ପାଠକୁ ପଢ଼ାଇଥିବା ଶିକ୍ଷକକୁ କିଛି କିମିଆଁ ଅବଶ୍ୟ ମାଲୁମ ରହିଥିବ । ଏବେ ତ ପଢ଼ାବହି ଓ ସାହିତ୍ୟ ଭିତରେ କେତେ ତଫାତ କରାଗଲାଣି । ସାହିତ୍ୟରୁ କୋଉଠୁ ବେନାଏ ଆଣି ପାଠ୍ୟପୁସ୍ତକରେ ପୁରାଇ ଦିଆଯିବା ମାତ୍ରକେ ସେଥିପ୍ରତି ଆକର୍ଷଣ ପ୍ରାୟ ନିୟମତଃ ଊଣା ହୋଇ ଯାଉଛି । ସେକାଳେ ଏପରି ହେଉ ନଥିଲା କାହିଁକି କେଜାଣି; ଅନ୍ତତଃ ମୋ’ କ୍ଷେତ୍ରରେ ସେଭଳି କେବେ ହୋଇ ନଥିଲା । ପାଠ୍ୟପୁସ୍ତକ ନିଜର ଗ୍ରହଣଶୀଳତାକୁ ବଢ଼ାଇବାରେ ବନ୍ଧୁ ପରି ସାହାଯ୍ୟ କରୁଥିଲା ।

 

ରେଭେନ୍ସା କଲେଜିଏଟ୍ ସ୍କୁଲରେ ଆମ ଅଷ୍ଟମ ଶ୍ରେଣୀରେ ଇଂରାଜି ପଢ଼ା ବହିରେ ସକ୍ରେଟିସଙ୍କ୍‍ର ଜୀବନଚରିତ ବିଷୟରେ ପାଠଟିଏ ରହିଥିଲା । ଆମ ଶିକ୍ଷକ ଶ୍ରୀଯୁକ୍ତ ଅଧିରାଜ ମୋହନ ସେନାପତି ସେହି ବିଷୟବସ୍ତୁଟିକୁ ଏଡ଼େ ହୃଦୟସ୍ପର୍ଶୀ ଭାବରେ ପଢ଼ାଇଥିଲେ ଯେ ସେଥିରେ ମୋ’ର ଆଖି ଛଳ ଛଳ ହୋଇ ଉଠୁଥିଲା । ବିଷୟଟିର ପାଠ ସରିବାପରେ ସିଏ ଆମମାନଙ୍କ ଦ୍ୱାରା ସେଇଟିର ଅଭିନୟ ମଧ୍ୟ କରାଇଥିଲେ । ଠିକ୍ ସେହିପରି ସେକ୍‍ସପିଅର୍‍ଙ୍କ ‘ମଚ୍ୟଣ୍ଟଅ ଭେନିସ୍’ ବିଷୟଟିକୁ ମଧ୍ୟ ଆମେ ପଢ଼ାଇସାରିବା ପରେ ଶ୍ରେଣୀରେ ତାହାର ଅଭିନୟ ହୋଇଥିଲା । ମୋ’ର ମନେ ପଡ଼ୁଛି, ମୁଁ ସେଥିରେ ପୋର୍ସିଆଙ୍କର ଭୂମିକାଟିକୁ ଅଭିନୟ କରିଥିଲି । ସାଙ୍ଗ ପିଲାଏ ଭାରି ଦାନ୍ତ ନିକୁଟୁଥାନ୍ତି । ବିନା ରୂପ ଓ ବେଶରେ ଆମେ କବଳ ଚରିତ୍ରମାନଙ୍କର ବକ୍ତବ୍ୟଗୁଡ଼ିକୁ କହି ଅଭିନୟ କରୁଥିଲୁ । ତଥାପି, ସକ୍ରେଟିସଙ୍କ ବିଷୟଟି ମୋ’ କିଶୋର ଚେତନାକୁ ଭାରି ଛୁଇଁଥିଲା । ବେଶ୍ କେତେଦିନ ପାଇଁ ସକ୍ରେଟିସ ମୋ’ର ସମଗ୍ର ଅନ୍ତରଟିକୁ ପୂର୍ଣ୍ଣ କରି ରଖିଥିଲେ । ନିଜ କଳ୍ପନାରେ କାହାସହିତ ଏକାତ୍ମତା ଅନୁଭବ କରିବା, —ମୋ’ ଜୀବନରେ ବୋଧହୁଏ ଏଇ ହେଉଛି ସର୍ବପ୍ରଥମ । ଶେଷକୁ ସତେଅବା କୋଉ ନୂଆ ଚାହାଳୀରେ ଖଡ଼ିଛୁଆଁ ହୋଇଗଲା ପରି ମୁଁ କଥା, ଭାବନା ଏବଂ ମୂର୍ଚ୍ଛନାଗୁଡ଼ିକୁ ଏକାଠି ଗୁନ୍ଥି ଓଡ଼ିଆରେ ଲେଖାଟିଏ ଲେଖିଥିଲି । ଭାରି ଖୁସୀ ଲାଗିଲା, ଭାରି ଉଶ୍ଵାସ ବି ଲାଗିଥିଲା । ଲେଖାଟିକୁ ନେଇ ସାରଙ୍କୁ ଦେଇଥିଲି । ସେଇଟି ଆମ ବିଦ୍ୟାଳୟର ମୁଖପତ୍ର ‘ଛାତ୍ରବନ୍ଧୁ’ରେ ପ୍ରକାଶ ପାଇଥିଲା । ଜୀବନରେ ସତେଯେପରି ନୂଆ ଝରକାଟିଏ ଖୋଲି ଯାଇଥିଲା । ନିଜ ଭିତରୁ ଗୋଟାଏ ନୂଆ ମହକ ପାଇଲି । ନିଜ ଭିତରୁ ପାଇଥିବା ଏହିପରି ଗୋଟିଏ ମହକ ଯେତେବେଳେ ଖୁସୀ ହୋଇ ପୃଥିବୀଯାକକୁ ସ୍ପର୍ଶ କରିବାଲାଗି ସତୃଷ୍ଣ ହୋଇଉଠେ, ହୁଏତ ସେତିକିବେଳେ ସାହିତ୍ୟ ଆଡ଼କୁ ମନ ହୁଏ । ଏକାବେଳେକେ କାହାର ହୋଇଗଲା ପରି ମନେ ହୁଏ ।

 

ନବମ ଶ୍ରେଣୀରେ ଆମେ କେତେଜଣ ସାଙ୍ଗପିଲା ମିଶି ହାତଲେଖା ପତ୍ରିକାଟିଏ ମଧ୍ୟ ବାହାର କରୁଥିଲୁ । ବର୍ଷକୁ ଥରେ କି ଦୁଇଥର । ଆମେ ନିଜ ହାତରେ ଲେଖାଗୁଡ଼ିକୁ ଲେଖୁଥିଲୁ । ଆମର କେତେଜଣ ଶିକ୍ଷକ ଏ ବିଷୟରେ ଅବଗତ ଥିଲେ ଏବଂ ଏଥିପାଇଁ ଆମକୁ ଉତ୍ସାହ ଦେଉଥିଲେ ସତ, ମାତ୍ର ଔପଚାରିକ ଭାବରେ ଏହି ଉଦ୍ୟମଟି ସହିତ ବିଦ୍ୟାଳୟର କୌଣସି ସମ୍ପର୍କ ନଥିଲା । ନିଜ ରଚନାଗୁଡ଼ିକୁ ଆମେ ନିଜ ହାତରେ ପତ୍ରିକାରେ ଲେଖୁଥିଲୁ ଏବଂ ଶ୍ରେଣୀର ସବୁ ପିଲା ତାହାକୁ ନେଇ ପଢ଼ୁଥିଲେ । ତେଣେ ମୁଁ ଛାତ୍ରବନ୍ଧୁ ପାଇ ମଧ୍ୟ ନିୟମିତ ଭାବରେ ଲେଖା ଦେଉଥାଏ ଓ ସେଗୁଡ଼ିକ ପ୍ରକାଶ ପାଉଥାଏ । କେତେବେଳେ ଗଦ୍ୟ, ପୁଣି କେତେବେଳେ ପଦ୍ୟ । କେତେବେଳେ ଓଡ଼ିଆରେ, ପୁଣି କେତେବେଳେ ଇଂରାଜୀରେ । ଲେଖାଟିଏ ବାହାରିଲେ ସେହି ପିଲା ବୟସରେ ମଧ୍ୟ ସତେଅବା ନିଜକୁ ଭାରି ସମ୍ମାନିତ ବୋଧ ହେଉଥିଲା । ଆଦୌ ଗର୍ବ ନୁହେଁ କି ଅହଙ୍କାର ନୁହେଁ, —ନିଜ ଭିତରେ ନିଜଠାରୁ ଆହୁରି ବଡ଼ ହୋଇ କିଛି ରହିଛି ବୋଲି ସତେଅବା ଏକ ପରିଚୟ ହୋଇ ଯାଉଥିଲା ଓ ସମ୍ଭବତଃ ସେଇଟି ପ୍ରତି ହିଁ ଏକ ସମ୍ମାନର ଭାବ ପ୍ରକାଶ ପାଉଥିଲା । ‘ଛାତ୍ରବନ୍ଧୁ’ ପତ୍ରିକାରେ ସେତେବେଳେ ମୁଁ କ’ଣ ସବୁ ଲେଖିଥିଲି, ସେସବୁ ମୋ’ର କିଛି ମନେନାହିଁ । ପାଖରେ ସେହି ପତ୍ରିକାଗୁଡ଼ିକ ଥିଲେ ହୁଏତ କିଞ୍ଚିତ୍ ସମ୍ବାଦ ମିଳି ପାରୁଥାନ୍ତା । ତଥାପି ପରିଷ୍କାର ମନେ ପଡ଼ୁଛି ମୁଁ ସେଥିରେ ଥରେ ବସୁନ୍ଧରା ନାମକ ଗୋଟିଏ ଦୀର୍ଘ କବିତା ଚୋଖୀ ରାଗରେ ଲେଖିଥିଲି । ସେତେବେଳକୁ ଲେଖିବା ପ୍ରତି ଏକ ସ୍ଥାୟୀ ଅନୁରାଗ ମଧ୍ୟ ନିଜ ଭିତରେ ଜନ୍ମଲାଭ କରି ସାରିଥିଲା । ନିଜେ କ’ଣ କେତେବେଳେ ଲେଖିବାକୁ ମନ ହେଲେ ଲେଖି ପାରିବ ବୋଲି ସ୍ଵତନ୍ତ୍ର ଖାତାଟିଏ ମଧ୍ୟ ତିଆରି କରି ରଖିଥିଲି । ଉଚ୍ଚପ୍ରାଥମିକ ପାଠର ଦୁଇବର୍ଷ ପୁନଙ୍ଗରେ ରହୁଥିବା ସମୟରେ ବଙ୍ଗଳା ଅକ୍ଷର ଶିଖି ଯାଇଥିଲି । କ୍ରମେ ବଙ୍ଗଳା ଭଲ କରି ମଧ୍ୟ ପଢ଼ି ହୋଇଗଲା । ବଙ୍ଗଳା ନାଟ୍ୟକାର ଶ୍ରୀଯୁକ୍ତ ଦ୍ଵିଜେନ୍ଦ୍ରଲାଲ ରାୟଙ୍କର ‘ସାକାହାନ୍’ ପାଠ କରି ମୋ’ର ବି କାହିଁକି ନାଟକ ଲେଖିବାକୁ ଖୁବ୍ ଇଚ୍ଛା ହୋଇଥିଲା । ଦ୍ଵିଜେନ୍ଦ୍ରଲାଲଙ୍କର ଉକ୍ତ ନାଟକରେ ପୁଅଙ୍କର ଚରିତ୍ରଟି ମୋତେ ଖୁବ୍ ଭଲ ଲାଗିଥିଲା ଏବଂ ମୁଁ ସୁଜାଙ୍କୁ ମୁଖ୍ୟ ଚରିତକେନ୍ଦ୍ର କରି ନାଟକଟିଏ ଲେଖିବି ବୋଲି ମନସ୍ଥ କରି ପକାଇଥିଲି । ମନେ ପଡ଼ୁଛି କେତେ ପୃଷ୍ଠା ଲେଖି ମଧ୍ୟ ହୋଇଥିଲା । ମାତ୍ର, ପୁଣି କାହିଁକି ବନ୍ଦ ହୋଇଗଲା, ସେବିଷୟରେ ଆଦୌ କିଛି ମନେ ନାହିଁ । ପୁରୁଣା ଛନ୍ଦ ବୋଧହୁଏ ସେତେବେଳେ ଭାରି ଆକର୍ଷକ ଲାଗୁଥିଲା । ବେଳେ ବେଳେ ନିଜର ବି କିଛି ହାତ ଚଳାଇ ପରୀକ୍ଷାଟିଏ କରିବାକୁ କିଛିଦିନ ଭାରି ମନ ହେଲା । ‘ବ’ ଅକ୍ଷରରେ ପଦଗୁଡ଼ିକୁ ଆରମ୍ଭ କରିବାର ଝୁଙ୍କରେ ‘ବିପରୀତ ହେଲାରେ, ବିଧାତାର ଏ ପୃଥିବୀକୁ ଗତି କରିଲାରେ’ ବୋଲି ଏକଦା ଆରମ୍ଭ କରି ଦେଇଥିଲି । ଉଦ୍ୟମଟି ବୋଧହୁଏ ସେହି ପ୍ରଥମ ପଦରେ ହିଁ ରହି ଯାଇଥିଲା-

 

ହଁ, ସେତେବେଳେ ଆମ ଗାଆଁରେ ବୀଣାପାଣି କ୍ଲବ ତରଫରୁ ପ୍ରତିବର୍ଷ ନାଟକମାନ ମଧ୍ୟ ମନସ୍ଥ ହେଉଥିଲା । ଦଶମ ଏକାଦଶ ଶ୍ରେଣୀ ବେଳକୁ ମୋ’ ବୟସର ପିଲାମାନେ ବି ପ୍ରବେଶାଧିକାର ପାଇଥିଲେ । ପ୍ରଥମେ ପିଲାପାଟ୍ ନେଇ ଆବିର୍ଭାବ ମାତ୍ର ଘଟୁଥିଲା । ତା’ପରେ ଭୂମିକାମାନ ବୃହତ୍ତର ହୋଇଥିଲା । ମୋ’ ନିଜ ବଡ଼ଭାଇ ସେତେବେଳେ ସେହି ନାଟକ ଅଭିନୟମାନଙ୍କରେ ନାରୀଭୂମିକାରେ ଅଭିନୟ କରୁଥିଲେ । ଅଭିନୟର ଗୋଟିଏ ଅଙ୍କପରେ ପରବର୍ତ୍ତୀ ଅଙ୍କଟି ପାଇଁ ପ୍ରସ୍ତୁତ ହେବାକୁ ସମୟ ଲାଗୁଥିଲା । ସେହି ସମୟରେ ମଞ୍ଚ ଉପରେ ଭାଇ ନର୍ତ୍ତକୀ ସାଜି ଗୋଟିଏ ଗୀତ ବୋଲି ନାଚି ବାହାରୁଥିଲେ । ନାଟକ ଗୁଡ଼ିକରେ ମଧ୍ୟ ବେଳେ ବେଳେ ଗୀତମାନ ଖଞ୍ଜିବାକୁ ହେଉଥିଲା । ସେହି ଗୀତଗୁଡ଼ିକୁ ଲେଖିବାର କାମ ଭାଇ ମୋ’ ଉପରେ ଦେଉଥିଲେ । ସିଏ ସୁରଟିଏ ବତାଇ ଦେଉଥିଲେ ଓ ମୁଁ ଶବ୍ଦଗୁଡ଼ିକୁ ବସାଇ ଦେଉଥିଲି । ୧୯୩୯ ମସିହାର ଗ୍ରୀଷ୍ମଛୁଟୀରେ ଭାଇଙ୍କର ବିଭାଘର ଅବସରରେ ମଧ୍ୟ ମୁଁ ଗୋଟିଏ ଗୀତ ଲେଖି ଦେଇଥିଲି ଏବଂ ସେଇଟା ଛପା ହୋଇ ବେଦୀରେ ହାତଘଣ୍ଟି ପଡ଼ିସାରିବା ପରେ ବେଦୀ ଚାରିପାଖରେ ବଣ୍ଟା ଯାଇଥିଲା । ହାଇସ୍କୁଲର ଶେଷ ପରୀକ୍ଷା ପରେ ଯେଉଁ ବେଶ୍ କେତେ ମାସର ଖାଲି ସମୟ ମିଳୁଥିଲା, ସେତେବେଳେ ମୁଁ ବଡ଼ଭାଇଙ୍କ ପାଖକୁ ଗଞ୍ଜାମ ଜିଲ୍ଲାର ବଡ଼ଗଡ଼ ଯାଇଥିଲି । ସେଠାରେ ଶ୍ରୀ ରାମପ୍ରସାଦ ସିଂହଙ୍କର ‘ଯୁଗାନ୍ତର’ ଉପନ୍ୟାସଟିକୁ ମୁଁ ନାଟକରୂପେ ଦାନ କରିଥିଲି । ସେହି ଗ୍ରୀଷ୍ମଛୁଟୀରେ “ପୁନିଅ” ନାମକ ସେଇଟି ଆମ ଗାଆଁରେ ମଞ୍ଚସ୍ଥ ହୋଇଥିଲେ । ମୁଁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲି । ଠିକ୍ ସେହିପରି,‘ଭାରତ ଛାଡ଼’ ଆନ୍ଦୋଳନ ପରେ ଯେତେବେଳେ ଆମେ ସମସ୍ତେ ଜେଲରୁ ମୁକୁଳି କରି ଆସିଲୁ, ସେତେବେଳେ ମଧ୍ୟ ଶ୍ରୀଯୁକ୍ତ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ‘ମାଟିର ମଣିଷ’ ଉପନ୍ୟାସଟି ମୋ’ ଦ୍ୱାରା ଦିଆଯାଇଥିବା ନାଟ୍ୟରୂପରେ ଅଭିନୀତ ହୋଇଥିଲା । ମୁଇଁ ‘ବରଜୁ’ ଭୂମିକାରେ ଅଭିନୟ ବି କରିଥିଲି । ନାଟକଟି ଦେଖି ଆମ ଗାଆଁରେ ସମସ୍ତେ ଭାରି ପ୍ରଶଂସା କରିଥିଲେ । ସମ୍ଭବତଃ ସେଇଥିରୁ ସରାଗ ହେବାରୁ ମୁଁ ସେହି ପାଣ୍ଡୁଲିପିଟିକୁ କଟକରେ ଶ୍ରୀଯୁକ୍ତ କାଳୀଚରଣ ପଟ୍ଟନାୟକଙ୍କୁ ନେଇ ଦେଇଥିଲି । ସିଏ ସେଇଟିକୁ ପଢ଼ି ମୋ’ର ପ୍ରଶଂସା କରିଥିଲେ ଓ ଏଥିରେ କିଛି ଘଷାମଜା ଦରକାର ବୋଲି ଚିଠିରେ ଲେଖିଥିଲେ । ଆବଶ୍ୟକ ଘଷାମଜା ସକାଶେ ମୁଁ ନାଟକଟି ତାଙ୍କରି ପାଖରେ ଛାଡ଼ି ଆସିଥିଲି । ସେଇଟି ଆଉ ବାହୁଡ଼ିଲା ନାହିଁ । କବିଚନ୍ଦ୍ର ମୋତେ ସବୁଥର ସମ୍ପୂର୍ଣ୍ଣ ସଂଶୋଧନ କରି ଫେରାଇଦେବେ ବୋଲି କହୁଥିଲେ, କିନ୍ତୁ କାହିଁକି ଫେରାଇଲେ ନାହିଁ କେଜାଣି ?

 

ଅଗଷ୍ଟ ଛାଡ଼ ଆନ୍ଦୋଳନର ଅବଧି ଭିତରେ କଟକ ଓ ବାଙ୍ଗାଲୋର୍ ଜେଲରେ ଯେଉଁ ପ୍ରାୟ ଦୁଇବର୍ଷ ସମୟ କଟିଲା, ସେତିକିବେଳେ ପ୍ରାୟ ଯୋଜନା କରି ଲେଖିବାର ଅଭ୍ୟାସ କରିଥିଲେ । ପ୍ରଧାନତଃ କବିତା । ଖୁବ୍ ମନେ ଅଛି, ଅବିଚ୍ଛିନ୍ନ ଭାବରେ ମାସ ମାସ ଧରି ପ୍ରତ୍ୟହ ପୂର୍ବାହ୍ନରେ ଏକ ନିର୍ଦ୍ଦିଷ୍ଟ ସମୟରେ ମୁଁ ନିଜକୁ ଗୋଟିଏ ପ୍ରକୋଷ୍ଠ ମଧ୍ୟରେ ନିରୋଳାରେ ବସାଇ ପ୍ରାୟ କୋଟା ପୂରଣ କଲାପରି କବିତା ଲେଖୁଥିଲି । ସେହି ସମୟର ମୋଟା କବିତା ଖାତାଟି ମୋ’ ପାଖରେ ଏବେ ମଧ୍ୟ ରହିଛି । ତାରିଖ ଦିଆହୋଇ କବିତାଗୁଡ଼ିକ ଲେଖାଯାଇଛି । ସେଥିରୁ ଜାଣିପାରୁଛି, ପ୍ରତ୍ୟହ ପ୍ରାୟ ଚାରିପାଞ୍ଚଟା ଯାଏ କବିତା ଲେଖା ଯାଉଥିଲା । ମୁକ୍ତ ଛନ୍ଦରେ ଲେଖା ହେଉଥିଲା । ସେତେବେଳେ ବଙ୍ଗଳାରେ ଦୁର୍ଭିକ୍ଷ ଲାଗିଥାଏ, ତେଣେ ଇଉରୋପର ରଣକ୍ଷେତ୍ରରେ ସାମ୍ୟବାଦୀ ରୁଷିଆରେ ସେନାବାହିନୀ ଅଦ୍ଭୁତ ଉତ୍ସର୍ଗ ଭାବନା ସହିତ ଆକ୍ରମଣକାରୀ ସହିତ ଯୁଦ୍ଧ କରୁଥାଏ । ସେହି ସଂଗ୍ରାମର ବୀରକାହାଣୀ ଆମେ ସମ୍ବାଦପତ୍ରରେ ନିତି ପଢ଼ୁଥାଉ । ସେହି ରୁଷିଆରୁ ହିଁ ଯୁଦ୍ଧର ଗତି ବଦଳିଲା ଏବଂ ପୃଥିବୀର ମହତ ରହିଲା । କୋଡ଼ିଏ ବର୍ଷର ଏକ ମୁକୁଳିତ ମନକୁ ଏହିସବୁ ଘଟଣା ସେତେବେଳେ ମୋତେ ମାଧ୍ୟମ କରି କୁମ୍ଭ ଉଦବୋଧନ ଦେଇନାହାନ୍ତି ଓ ମୋ’ର ଚିତ୍ତରେ କମ୍ ଉଦବୋଧନ ସୃଷ୍ଟି କରିନାହାନ୍ତି । ହଁ, କଟକ ଜେଲରେ ‘ମୁକ୍ତିସ୍ନାନ’ ବୋଲି ଗୋଟିଏ ଅଙ୍କର ନାଟକଟିଏ ବି ଲେଖିଥିଲି ଓ ସେଇଟି ସେହି ବନ୍ଦୀଶାଳାରେ ମଞ୍ଚସ୍ଥ ହୋଇଥିଲା । ମହାତ୍ମା ଗାନ୍ଧୀଙ୍କର ଲେଖାଗୁଡ଼ିକୁ ଓଡ଼ିଆରେ ଅନୁବାଦ କରିବାଲାଗି ପ୍ରୋତ୍ସାହନ ମଧ୍ୟ ସେଇଠାରୁ ପାଇଥିଲି । ଜଣେ ସାଧାରଣ ମଣିଷ ସହଜରେ ବୁଝିପାରିବା ଭଳି ତତ୍କାଳୀନ ଭାରତୀୟ ପରିସ୍ଥିତିଗୁଡ଼ିକ ବିଷୟରେ ‘ଏଇ ମୋର ଦେଶ’ ବୋଲି ଗୋଟିଏ ବହି ସେହି କାରାଗୃହରେ ପ୍ରସ୍ତୁତ ହୋଇଥିଲା । ଆମ ଦେଶର ସାମାଜିକ ଅବସ୍ଥା, ରାଜନୀତିକ ଅବସ୍ଥା, ଆର୍ଥିକ ଅବସ୍ଥା ଇତ୍ୟାଦି ଭିନ୍ନ ଭିନ୍ନ ଅଧ୍ୟାୟ ସେଥିରେ ରହିଥିଲା । ଜେଲ୍ ଜୀବନ କାଳରେ ଭାରତବର୍ଷ ବିଷୟରେ ଯେଉଁସବୁ ଅନ୍ୟ ପୁସ୍ତକ ପଢ଼ି ଭାରତବର୍ଷ ସହିତ ମୁଁ ଆପେ ପରିଚିତ ହୋଇଥିଲି, ସେଥିରୁ ପାଇଥିବା ତଥ୍ୟଗୁଡ଼ିକୁ ମୁଁ ମୋ’ ନିଜଦ୍ଵାରା ଲିଖିତ ଏହି ବହିଟିରେ ବ୍ୟବହାର କରିଥିଲି । ଜେଲରୁ ଖଲାସ ହୋଇ ବାହାରକୁ ବାହାରିବା ସମୟକୁ ବହୁତ ତଥ୍ୟ ପୁରୁଣା ହୋଇ ଯାଇଥିଲେ । ତଥାପି କଟକ ପବ୍ଲିଶିଂ ହାଉସର ଶ୍ରୀଯୁକ୍ତ ଉମାଚରଣ ମହାନ୍ତି ତାହାକୁ ଛପାଇଦେବେ ବୋଲି ରାଜି ହେବାରୁ ମୁଁ ତଥ୍ୟଗୁଡ଼ିକୁ ଏବଂ ସମଗ୍ରତଃ ଲେଖାଗୁଡ଼ିକୁ ବଦଳାଇ ଦେଇଥିଲି । କିଛି ଯୋଡ଼ି ବି ପକାଇଥିଲି । ଲେଖିବାର ଆଗ୍ରହଟି ମୋ’ ସହିତ ଜୀବନସାରା ଯେ ରହିବ, ସେତିକିବେଳୁ ସେହି କଥାଟି ମୋ’ ଭିତରେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ପ୍ରକଟ ହୋଇ ଯାଉଥିଲା । ମୁଁ ନିଜ ଭିତରେ ରାସ୍ତାଟିଏ ବି ଦେଖି ପାରୁଥିଲି ।

 

ସେହି କଟକ ଜେଲରେ କଣ୍ଠଟା ମଧ୍ୟ ଖୋଲି ଯାଇଥିଲା । ଯେତେଦୂର ହେତୁକୁ ଆସୁଛି, ମୁଁ ପିଲାଦିନେ କେବେହେଲେ ଗୀତ ବୋଲି ନଥିଲି । ଗୀତ ଶୁଣିବାପାଇଁ ଚିରଦିନ ଆଗ୍ରହ ରହି ଆସିଥିଲା ସତ, ମାତ୍ର ନିଜେ ଗୀତ ଗାଇବାକୁ ମୁଁ କେବେ ସାହସ କରିନଥିଲି । ଏଇଠାକୁ ଆସି ସାହସ ହୋଇଗଲା । ଶ୍ରୀ ଅନିଲ କୁମାର ଘୋଷ ଆମ ସହିତ ଏକାଠି ଗୋଟିଏ ୱାର୍ଡ଼ରେ ରହୁଥିଲେ । ତାଙ୍କୁ ଓଡ଼ିଆ ଓ ବଙ୍ଗଳା ବହୁତ ଗୀତ ବୋଲି ଆସୁଥିଲା । ଗୀତ ଗାଇ ପାରୁଥିବା ଆହୁରି ଅନ୍ୟମାନେ ମଧ୍ୟ ରହିଥିଲେ । ଗୀତ ବୋଲୁ ବୋଲୁ ଗୀତ ଲେଖିବାକୁ ବି ମନ ହେଲା । ଅନିଲ୍‍ଦା ସୁର ଯୋଗାଇଦେଲେ । ଅର୍ଥାତ୍, ସିଏ ଯେଉଁସବୁ ବଙ୍ଗଳା ଗୀତ ଗାଉଥିଲେ, ମୁଁ ସେଇଗୁଡ଼ିକର ଧିସାରେ ଓଡ଼ିଆରେ ଗୀତ ଲେଖିବାକୁ ଆରମ୍ଭ କରିଦେଲି । ଆମେ ଦୁହେଁ ମୋ’ ଗୀତଗୁଡ଼ିକୁ ମଧ୍ୟ ଏକାଠି ଗାଉଥିଲୁ । ଅନ୍ୟମାନେ ଖୁସୀ ହେଉଥିଲେ । ୧୯୪୩ ମସିହା ଏପ୍ରିଲ ମାସରେ ଆମେ ଶହୀଦ-ସପ୍ତାହ ପାଳନ କରୁଥିଲୁ । ସେଥିଲାଗି ଆଲୋଚନା-ସଭା ପ୍ରତ୍ୟହ ବସୁଥିଲା ଏବଂ ସଭା ଆରମ୍ଭରେ ସେହି ଆରମ୍ଭରେ ସେହି ଅବସରକୁ ଘେନିଲାଭଳି ଗୀତଟିଏ ବୋଲା ହେଉଥିଲା । ସଭା ନିମନ୍ତେ ମୁଁ ଗୋଟିଏ ଲେଖାଏଁ ଗୀତ ରଚନା କରିଥିଲି । ସୁର ଖୋଜି ଖୋଜି କୌଣସି ସିନେମାରୁ ହିନ୍ଦୀ ଗୀତର ସୁରକୁ ମଧ୍ୟ ଦୁହିଁ ଆଣୁଥିଲି । “କେତେ ରକ୍ତମନ୍ଦାର ଦେବି ଗୋ ଜନନୀ”, “ଯାଇଛ ଯଦି ବନ୍ଧୁ ଯାଅ, ବନ୍ଧୁ ଯାଅ”, “ଯିବାର ସାଥୀ ଯାଇଛି ଚାଲି ଯାଇଛ ଲେଖି ଆମର ଲିପି, ରହିଛି ସବୁ ସେ ହାତ ଅଙ୍କା, ଆଙ୍କିଛି ଯେତେ ଦେଶ-ଶିଳ୍ପୀ” —ଏବଂ ଆହୁରି କେତୋଟି ଗୀତ ସେହି ଅବସରରେ ଲେଖା ହୋଇଥିଲା ଏବଂ ମୁଁ ଅନିଲ୍‍ଦା ସେଗୁଡ଼ିକୁ ସଭାରେ ଗାନ କରିଥିଲୁ । ସବାଶେଷ ଗୀତଟିର ସମ୍ପୂର୍ଣ୍ଣ ପଦଗୁଡ଼ିକ ଏହିପରି ଥିଲା :

 

ମୂକର ପ୍ରାଣେ ମୁଖର ଭାଷା

ହତାଶ ଦେଶେ ଆଲୋକଆଶା

ଜାଳିଛି ଦୀପ, ଜୀବନଧୂପ ଗାଇଛି ସାରା ଦିନ ଯାପି ॥

ସୁନାର ତରୀ ଆକୁଳ ଭୟେ ଅନ୍ଧାରେ ଦୂରେ ମଗନ ଆଜି

ମରଣଜିଣା ମନ୍ଦ୍ର ବୀଣା ନଫୁରେ ଆଉ ନଉଠେ ବାଜି

ଦୀନର ସାଥୀ ଜନମବନ୍ଧୁ

ନୀରସ ପ୍ରାଣେ ସରସ ସିନ୍ଧୁ

କହ ହେ କଥା ଯାଉ ଜଡ଼ତା ଭାଜୁ ଏ ତନ୍ଦ୍ରା ଭୀମରୂପୀ ॥

 

ଏହାର ଦୁଇମାସ ପୂର୍ବରୁ ଆଗା ଖାଁ ପ୍ରସାଦର ବନ୍ଦୀଶାଳାରେ ମହାତ୍ମା ଗାନ୍ଧୀ ଅନଶନ କରିଥିଲେ । ସେତେବେଳେ ଆମେ ବି ଆମ ବନ୍ଦୀଶାଳାରେ ଅତ୍ୟନ୍ତ ଉଦବେଳିତ ଅବସ୍ଥାରେ ରହିଥିଲୁ । କେତେବେଳେ କ’ଣ ହୁଏତ ଘଟିଯିବ ବୋଲି ସର୍ବଦା ଆଶଙ୍କା କରା ଯାଉଥିଲା । ଶୁଣା ଯାଉଥିଲା ଯେ ଅନଶନକାରୀଙ୍କର ଶେଷକ୍ରିୟା ସକାଶେ ଇଂରେଜ ସରକାର କାଠର ବି ଯୋଗାଡ଼ କରି ସାରିଥିଲେ । ସେତେବେଳେ ଏକ ଅତ୍ୟନ୍ତ ଦୋଳାୟମାନ ମାନସିକ ଅବସ୍ଥାରେ ମୁଁ ଏହି ଗୀତଟିକୁ ଲେଖିଥିଲି :

 

ଦୁର୍ଗମ ମରୁପଥରେ ଆକୁଳ ସନ୍ଧ୍ୟାରେ

କିଏ ତିନ୍ତାଏ ରେ ତୋ’ ଦେଶ ଧୂଳି ।

ଦେଶ-ଦେବତା ତୋ’ର ତୁ ତା’ର ଗଣ୍ଠିସାର

ତାକୁ କି ଶେଷେ ଆଜି ଯିବୁ ତୁ ଭୁଲି

ଅନ୍ତରେ ବାଜେନା କି ତା’ ତପ୍ତ ନିଃଶ୍ଵାସ

ଆକାଶେ ଶୁଭେନା କି ତା’ ଗୀତ ଉଚ୍ଛ୍ଵାସ

ତୋ’ ପାଇଁ କାମ କରି ତୋ’ ଲାଗି ପଡ଼େ ଝରି

ବିକଳେ ଢାଳେ ସିନା ଲୋତକ ଖାଲି ॥

 

ତା’ ଗୀତେ ପାଗଳ ତୁ ତା’ର ପତାକା ଧରି

ଥକି କି ଗଲୁ ଆଜି ଖସଡ଼ା ବାଟ ଚାଲି

ତୋ’ ରାତି ପାହିଛି କି ତୋ’ ଜାତି ଜାଗିଛି କି

ମରୀଚିକାରେ ଭାଇ ଗଲୁ କି ଭୁଲି ॥

ଉଠରେ ସର୍ବହରା ଦେଶର ଯୁବକ

ହୁଅ ସେ ଦେବତାର ପଥରେ ପଥିକ

ଦୂର ଦୁର୍ଗମ ପଥ ଡେଇଁଯାଉ ତୋ’ ରଥ

ସକାଳର ସୁଷମା ପଡ଼ୁରେ ଝରି ॥

 

ସେତେବେଳେ ଯେ ଖାଲି ଦେଶାତ୍ମବୋଧାତ୍ମକ ଗୀତର ଫାଶ ଭିତରେ ମୁଁ ପଡ଼ି ଯାଇଥିଲି, ସେକଥା ଆଦୌ ନୁହେଁ, ଶ୍ରୀଯୁକ୍ତ ଅନିଲ୍ କୁମାର ଘୋଷ ମୋତେ କେତୋଟି ରବୀନ୍ଦ୍ର-ସଙ୍ଗୀତ ମଧ୍ୟ ଶିଖାଇ ଦେଇଥିଲେ । ସେଗୁଡ଼ିକୁ ଗାଉଥିବା ସମୟରେ ଯେଉଁ ପୁଲକ ମୋ’ର ଦ୍ଵାରଗୁଡ଼ିକୁ ଖୋଲିଦେଇ ଯାଉଥିଲା, ତାହାରି ଉଚ୍ଛ୍ଵାସରେ ମୁଁ ନିଜେ ବି ରବୀନ୍ଦ୍ର-ସଙ୍ଗୀତର ସୁରରେ ଗୀତ ଲେଖିବାକୁ ମନ କଲି । “ଆମି କାନ୍ ତୋତେ ରଇ” ଗୀତଟିର ସୁର ଅନୁସାରେ ଯେଉଁ ଗୀତଟି ଲେଖିଥିଲି ଓ ଗାଇ କରି ସେଠି ଅନେକଙ୍କୁ ଶୁଣାଇଥିଲି, ସେଇଟି ମୋ’ର ଏବେ ମଧ୍ୟ ପୂରା ମନେଅଛି :

 

(ମୁଁ ଯେ) ଗୀତ ଗାଇଯାଏ—

 

ସେ ଦେବତା ନୃତ୍ୟକାଳେ ପାଗଳ ପ୍ରାଣେ ବନ୍ୟା ଆଣେ ଗୀତ ଗାଇଯାଏ ॥

ମୋ’ର ପରାଣ ଖେଳେ ଛନ୍ଦରୋଳେ ପୂର୍ଣ୍ଣ ପ୍ରାଣେ ବନ୍ୟା ଆଣେ ଗୀତ ଗାଇ ଯାଏ ॥

ସାଗର ମାତେ ଉର୍ମି ନାଚେ ନିତ୍ୟ ନୂତନ ପ୍ରଭାତ ରଚେ

ବଇଁଶୀ ସୁରର ଲହଡ଼ି ଆସେ ମତୁଆଳେ ମୁକୁତାମାଳେ—ଗୀତ ଗାଇ ଯାଏ ॥

ସେ ଯେ କେତେ ଦୂର ନାଚେ କି ତାନେ

ଜାଣେନା ଚପଳ ପଥି–

ଜାଣେନା କାହିଁକି ନାଚେ ତା’ ସୁରେ କାନନବୀଥି

ଅନ୍ଧ ଆଜି ହୋଇଛିରେ       ବନ୍ଧ ଆଜି ଭାଙ୍ଗିଛିରେ—

ମୂକର ମୁଖେ ଭରିଛି ଭାଷା ଦେବତା ଲାଗି ଉଠିଛି ଜାଗି ଗୀତ ଗାଇଯାଏ–”

 

ସକାଳଗୁଡ଼ିକର ମନୋରମ ସମୟଟିକୁ ଗୀତର ଭାଷା ଦେଇ ମୁଁ ଦିନେ ଏପରି ବି ଲେଖି ଦେଇଥିଲି :

 

ଉଠ ଗୋ ନିଶିଥଶେଷ ଅଭିସାରିକା

ତୁମ ଆଲୋକ ଭରାଇ ଦିଅ ବନବୀଥିକା ॥

ଦେଖ ଉଷାର କୋରକଦଳ            ଯଉବନେ ଟଳମଳ

ଗାଅ ଗୀତ ହସିବ ବନକଳିକା ॥

ସପନେ ଭରିଛି ଆଖି ବନକେତକୀ

ତା’ର ମରମେ ଗୁଞ୍ଜରେ କା’ର—କା’ର ପ୍ରଭାତପକ୍ଷୀ ।

ଉଷାର ଆଲୋକଗାଥା ଗୋପନେ ରଚୁଛି କଥା

ଉଷା ତୁମେ ଦେବ ବୋଲି ମାଗେ ସେ ଭିକ୍ଷା ॥

 

ଏଇଟି କୋଉ ବଙ୍ଗଳା ଗୀତର ସୁରରେ ଲେଖା ହୋଇଥିଲା । ଶ୍ରୀଯୁକ୍ତ ଅନିଲ୍ ଘୋଷ ମୋତେ ଶିଖାଇ ଦେଇଥିଲେ । ଜେଲ୍ ଭିତରେ ଗୀତ ଗାଇବାର ଲୋକ ଆଦୌ ଊଣା ନଥିଲେ । ଭଳି କି ଭଳି ରୁଚି ଓ ଭଳିକି ଭଳି ଆବେଦନରୁ ରଚିତ ହୋଇ ସୁର ଦିଆ ଯାଇଥିବା ଗୀତ । ‘ନାଚ ନାଚ ନୟନେ ଗିରିଧାରୀ’ ବୋଲି ଗୋଟିଏ ଓଡ଼ିଆ ଗୀତ ଶୁଣିଲା ବେଳକୁ ସମ୍ଭବତଃ ଅତ୍ୟନ୍ତ ଭଲ ଲାଗୁଥିଲା, —ସେହି ଧିସାରେ ମୁଁ ଏହି ଗୀତଟିକୁ ଲେଖିଥିଲି :

 

ଜାଗ ଜାଗ ଜାଗିଛି ଜାଗରଣୀ ।

ଆଗୋ ଉଷା ଆଲୋକର ରୂପରାଣୀ ॥

ସିନ୍ଦୂର ରଥର ସୁରେ ସୁରେ ସରସ ପ୍ରାଣର କଥା ଫୁରେ

ଜାଗେ ମଧୁମାଧବିକା ଚପଳ କଳିକା ଶୁଭ ପ୍ରଭାତର ଆବାହନୀ ॥

 

କାରାଗାର ପରେ ମୋ’ ଜୀବନର ଆଉଗୋଟିଏ ତାତ୍ପର୍ଯ୍ୟପୂର୍ଣ୍ଣ ବିଦ୍ୟାଳୟ ହେଉଛି ଶାନ୍ତିନିକେତନ । ସେଠି କେଉ ଜନନୀ ସତେଯେପରି ମୋତେ କେଉଁ ବୃହତ୍ତର ଜଗତର ଶିକ୍ଷା ଦେବେ ବୋଲି ଅପେକ୍ଷା କରି ରହିଥିଲେ । ସେତେବେଳେ ଶାନ୍ତିନିକେତନ ସଙ୍ଗୀତମୁଖର ହୋଇ ରହିଥିଲା । ସଭ୍ୟ ଏବଂ ସ୍ନେହର ପରିଧିଗୁଡ଼ିକୁ ବଢ଼ାଇ ଦେବାରେ ଆଦୌ କେଉଁଠାରେ ହେଲେ ବାଧା ନଥିଲା । ପ୍ରାୟ ସବୁ ସପ୍ତାହରେ ସାହିତ୍ୟସଭା, —ସବୁଦିନ ସନ୍ଧ୍ୟାରେ ନାନା ଆଲୋଚନା ଓ ଆଦାନପ୍ରଦାନର ଅବସର । ସେଠାରେ ମୋ’ ଡେଣାକୁ ସତେଅବା ଶାଖା ଓ ଉପଶାଖାମାନ ମିଳି ଯାଇଥିଲା । ମୁଁ ନିଜେ ଅଟକି ନଯାଇଥିଲା ପର୍ଯ୍ୟନ୍ତ ମୋତେ ଅଟକାଇବାକୁ ଆଦୌ କେହି ନଥିଲେ-। ଗ୍ରହଣର ଶତଦ୍ଵାରକୁ ମୁଁ ଉନ୍ମୋଚିତ କରିଦେଇ ସେଠାରେ ବିଚରଣ କରିବାକୁ ଲାଗିଲି-। ନିର୍ଭୟ ହୋଇ ସଞ୍ଚରଣ କଲି, ନିର୍ଭୟ ହୋଇ ସଂଗ୍ରହ ବି କରିଥିଲି । ମୋର ମହାଭାଗ୍ୟକୁ ମୋତେ ସେଠାରେ କେତେଜଣ ଶିକ୍ଷକ ମିଳିଲେ ଯେଉଁମାନେ କି ବନ୍ଧୁ ଭଳି ମୋତେ ହାତ ଧରି ନେଇଯିବାକୁ ଆସି ପହଞ୍ଚିଗଲେ । ମୋ’ ଭିତରକୁ ଓ ବାହାରକୁ ନାଟ ଦେଖାଇବାରେ ସେମାନେ ସତେଅବା ନିମିତ୍ତ ହେବାଲାଗି କାହାର ନିର୍ଦ୍ଦେଶରେ ଆସି ମୋ’ ପାଖରେ ପହଞ୍ଚି ଯାଇଥିଲେ-। ଜଣେ ଅଧ୍ୟାପକ ଆମକୁ ଇଂରାଜି ପଢ଼ାଉଥିଲେ । ସିଏ କାହିଁକି ଦିନେ ମୋତେ ବଙ୍ଗଳା ବର୍ଣ୍ଣମାଳା ଶିଖିବା ନିମନ୍ତେ ପରାମର୍ଶ ଦେଲେ । ମୁଁ ବଙ୍ଗଳାରେ ହସ୍ତାକ୍ଷର ଲେଖିଲି, ସିଏ ସଂଶୋଧନ କରି ଦେଉଥିଲେ । ଆଗରୁ ମୁଁ ବଙ୍ଗଳା ପଢ଼ି ପାରୁଥିଲି, କହି ପାରୁଥିଲି, ଏଥର ଲେଖିବାଟା ବି ସାଧ୍ୟ ହୋଇଗଲା । ଅକ୍ଷରମାନେ ଆୟତ୍ତ ହୋଇଯିବା ପରେ ବଙ୍ଗଳାରେ କବିତା ଲେଖିବାକୁ ମନ ହେଲା । କେତେଟା ଲେଖି ମଧ୍ୟ ପକାଇଥିଲି । ଏକାବେଳେକେ ନିଶା ଖାଇଥିବା ପରି-। ଟିକିଏ ସମୟ ମିଳିଲେ ଖାତାଟାକୁ ଧରି ବସି ଯାଉଥିଲି ଅଥବା ଭିତରୁ ବାସନାଟିଏ ସଙ୍କେତ ଦେବା ମାତ୍ରକେ ସାଙ୍ଗମାନଙ୍କର ମେଳ ଭିତରୁ ଅନ୍ତରାଳକୁ ଚାଲି ଯାଉଥିଲି । ଆଗରୁ କ’ଣ ସବୁ ଓଡ଼ିଆରେ ଲେଖିଥିଲି, —ସେଗୁଡ଼ିକୁ ଭାରି ଖୁସୀରେ ବଙ୍ଗଳାରେ ଅନୁବାଦ କରି ପକାଇଥିଲି-। ଏହି ଅନୁବାଦ କୋଉ ବଙ୍ଗଳା ପତ୍ରିକାରେ ବାହାରିବ, ନାଆଁ ପଡ଼ିବ, ମୁଁ ଟିକିଏ ଅଧିକ ପରିମାଣରେ ଖୁସୀ ହେବି, —ସେସବୁ ଚିନ୍ତା ସେତେବେଳେ ଆଦୌ ଆସିନଥିଲା-। ଶାନ୍ତିନିକେତନରେ ପ୍ରତ୍ୟେକ ଦିନ ରବୀନ୍ଦ୍ର—ସଙ୍ଗୀତ ଶୁଣିବାକୁ ମିଳୁଥିଲା, —ଶୁଣି ଶୁଣି ଖୁବ୍ ମନେ ରହିଗଲା । ସେଥିମଧ୍ୟରୁ କେତୋଟା ବିଶେଷ ଭାବରେ ମୋତେ ସ୍ପର୍ଶ ବି କରୁଥିଲା-। ସତେଅବା ମୋ’ ଭିତରେ କିଏ ଫୁଟି ଉଠୁଥିବାର ଜାଣି ସେଥିପାଇଁ ମୋତେ ତାହାକୁ ଚିହ୍ନିବା ନିମନ୍ତେ ଆଖିଟିଏ ଯୋଗାଇଦେଇ ଯାଉଥିଲା । ସେହି ଆନନ୍ଦରେ ମୁଁ କେତୋଟି ରବୀନ୍ଦ୍ର ସଙ୍ଗୀତର ବି ଓଡ଼ିଆ ଅନୁବାଦ କରି ପକାଇଲି । ଭାଷା ଓଡ଼ିଆ, ତଥାପି ମୂଳ ସ୍ଵରରେ ସେଇଟିକୁ ଗାଇହେବ-। ବର୍ତ୍ତମାନ ଦେଖୁଛି, ସମ୍ଭବତଃ ଏକ ଯୋଜନା ପରି ରବୀନ୍ଦ୍ର-ସଙ୍ଗୀତର ଓଡ଼ିଆ ଅନୁବାଦ କରିବି ବୋଲି ସ୍ଵତନ୍ତ୍ର ଖାତାଟିଏ ବି ତିଆରି ହୋଇ ଯାଉଥିଲା ।

 

ପ୍ରଥମେ ପାରମ୍ପରିକ କୌଶଳରେ ପଦକୁ ପଦ ମିଳାଇ କବିତା ଲେଖୁଥିଲି । ସେଠା ସାହିତ୍ୟସଭା ମାନଙ୍କରେ ସମସ୍ତେ ଅନ୍ୟ ବାଗରେ, ମୁକ୍ତ ଉଚ୍ଛ୍ଵାସର ଶବ୍ଦବସାଣରେ କବିତା ଲେଖୁଥିଲି । କବି ରବୀନ୍ଦ୍ରନାଥ ମଧ୍ୟ ନିଜ ଜୀବନର ଶେଷ ପ୍ରାୟ କୋଡ଼ିଏ ବର୍ଷ ଏହି ଆଧୁନିକ ଶୈଳୀରେ କବିତା ଲେଖିଛନ୍ତି । ହୁଏତ, ସେଇଥିରୁ ଉତ୍ସାହ ପାଇ ସତେଅବା କ’ଣ ଭାବି ମୁଁ ମଧ୍ୟ ବଙ୍ଗଳା ଭାଷାରେ ଦୁଇଟି କବିତା ଲେଖି ପକାଇଥିଲି । ନିଜ ଅଧ୍ୟାପକଙ୍କ ଆଗରେ ସେଗୁଡ଼ିକୁ ପଢ଼ି ଶୁଣାଇ ବି ଦେଇଥିଲି । ତା’ ପରେ ପୁଣି କ’ଣ ଭାବି ସେଗୁଡ଼ିକର ଓଡ଼ିଆ ଭାଷାନ୍ତର ମଧ୍ୟ କରି ପକାଇଲି । ସୃଜନଶୀଳ ହେବାରେ ସେହି ଉଦ୍ଦ୍ୟମ ପ୍ରଥମ ଚରଣରେ ସମ୍ଭବତଃ ଏକାବେଳେକେ ସବୁ କିଛି ସାଧ୍ୟ କରିବା ନିମନ୍ତେ ଏହିପରି ମନ ହୋଇଥାଏ । ଓଡ଼ିଆ ଅନୁବାଦ ଦୁଇଟି ଏବେବି ପାଖରେ ଅଛି :

 

ଟାଇମ୍‍ପିସ୍‍ର କ୍ରିନ୍ କ୍ରିନ୍ ଶବ୍ଦରେ

ମୋ’ର ରାତି ପାହିଲା ॥

ମଲା ମେଘର ଭୁରୁ ଟେକିଦେଇ

ସୂର୍ଯ୍ୟ ଅନାଇଲା ମୋ’ ଖିଡ଼ିକିବାଟେ ।

ମୁଁ ହାଇ ମାରି ଆଖି ଫିଟାଇଲି ॥

ସକାଳର ଷାଠିଏ ଡିଗ୍ରୀ ଖରାତପରେ

ମୋ ମନଭିତରେ–

ଛାଇଟା ଲମ୍ବା ହୋଇଗଲା ।

ଆଚ୍ଛା,

ଏଇ ଛାଇଟା ଯଦି

ସୂର୍ଯ୍ୟର କିରଣକାଠି ପରି

ଲମ୍ବା ହୋଇ ଯାଆନ୍ତା !

 

ମୁଁ ଉଠିଲି ଏଇ ସୂର୍ଯ୍ୟ ପରି

ଯେକୌଣସି ସାମ୍ରାଜ୍ୟର ସମ୍ରାଟ ବୋଲି ବି କହିପାରେ ।

ଚଞ୍ଚଳ ମୋ’ର ଦରବାରକକ୍ଷରେ

ବିରାଟ ଅନେକର ମସନଦ ବସିଲା ।

ଶୁଦ୍ଧ “ମୁଁ” ଟିର ନାନା କାର୍ଯ୍ୟ ଏବଂ ଅକାର୍ଯ୍ୟରେ

ନରମ ଆଙ୍ଗୁଳି, ଗରମ ଚାହା ଓ ଖବରକାଗଜରେ

ବ୍ୟାଙ୍କ୍, ବିଜ୍ଞାପନ,–

କାଶ୍ମୀରଠାରୁ ପ୍ୟାରିସ୍ ଯାଏ

ବ୍ୟାପ୍ତ ହେଲି ମୁଁ ॥

ପୋଲିସ୍ ଷ୍ଟାଣ୍ଡର ଟିଣ ଶେଡ଼ଭିତରୁ

ଏକ ସଦ୍ୟଜାଗ୍ରତ ମଣିଷ ବାହାରିଲା ।

ଏବେ ସୁଦ୍ଧା ନିଦ ଭାଙ୍ଗିନାହିଁ—

ସେଥିଲାଗି

ସମୟଟାକୁ ଶୁଆଇ ନେବାକୁ

ସିଏ ବାହାରି ପଡ଼ିଲା ଦ୍ୱାରାନ୍ତରେ ॥

ଖାଲି କଟାଇଦେବ,

ଖାଲି ମିଶିଯିବ କଳା ମୁଣ୍ଡର ଗଣତିରେ;

ତେଣୁ, କାଲି ଯେମିତି ନିଜ ହାତରେ

ସେ ନିଜକୁ ସମର୍ପଣ କରିଥିଲା,

ଆଜି ଠିକ୍ ସେମିତି ଫେରିପାଇଲା–

ତା’ର ଗ୍ରାସର ଉଚ୍ଛିଷ୍ଟ ॥

ହଠାତ୍ ଭାବୁଛି,

ଏମାନେ ଉଠିଲେ କାହିଁକି ?

କାହିଁକି ଏମାନଙ୍କର ନିଦ ଭାଙ୍ଗିଲା–

ସେଇ ନିଦ ଏବଂ ରାତି ଭିତରେ !

ଆଉ ଏକ ରାତ୍ରିର ଝଡ଼,

ସୂର୍ଯ୍ୟଶାସନର ନିର୍ମମ ଅଗ୍ରଦୂତ,

Unknown

ବଜ୍ରବିଷାଣ ପଛକୁ ଆଗାମୀ ଢେଉର ଫଣା,

ସବୁ ଏଇମାନଙ୍କ ଲାଗି ॥

ଏହି କ୍ଷୁଣ୍ଣ ସକାଳସମୟରେ

ହଠାତ୍ ମୁଁ ପଚାରି ବସିଛି,–

ନ ଉଠିଲେ ଯଦି କ୍ଷତି ନଥିଲା,

ତେବେ ଆଜି କାହିଁକି

ଏମାନଙ୍କର ସୂର୍ଯ୍ୟ ଉଠିଲା ?

ପୁନଶ୍ଚ, ଆଉଗୋଟିଏ,

ସେଦିନ ପାର୍କରେ

ନଈ କୂଳରେ

ତୁମକୁ ପାଇଥିଲି ଖୁବ୍ ନିକଟରେ ।

ମୋତେ ବରଣ କରି

ସେହି ହସର ପ୍ରଥମ ଆମନ୍ତ୍ରଣରେ

ତୁମେ ମୋତେ ଡାକି ନେଇଥିଲ

ନିର୍ଜନ, ନିବିଡ଼, ଅତିବିସ୍ତାରିତ

ନିକଟକୁ –

ଆପଣାର ଅନ୍ତର ଭିତରକୁ ।

ସମସ୍ତ ପଥକୁ ପଛରେ ପକାଇଦେଇ

ଆମେ ଚାଲିଗଲେଁ

ଅନେକ ଅନେକ ଦୂରକୁ— ଦୂରକୁ—

ସତେଅବା ଆଉ ଏକ ବିଶ୍ଵକୁ ପୂର୍ଣ୍ଣ କରି ।

ଆମ ଉଦୟସନ୍ଧ୍ୟାର ପଥକୁ

ଆହୁରି ପ୍ରଶସ୍ତ କରିଦେଇ

ସୂର୍ଯ୍ୟ ବୁଡ଼ିଗଲା ॥

ସେଦିନ,

ଗନ୍ଧବିହଳ ସନ୍ଧ୍ୟାଫୁଲର

ସହସ୍ର ପାଖୁଡ଼ା ଖୋଲି

ଫୁଟିଉଠିଲା ସେଇ ଏକମେବ ଆମେ ।

ଚାରୋଟି ଅଦୃଶ୍ୟ ଅଶ୍ରୁବିନ୍ଦୁ

କେଉଁ ମୁହୂର୍ତ୍ତହୀନ ନଦୀ ପରି

ପୂର୍ଣ୍ଣ କରିଦେଲା ସତେଅବା କେଉଁ ପାରାବାରକୁ

ସିପ୍ରାର ଜନ୍ମ ସାର୍ଥକ ହେଲା ॥

ଆଜି ତେଣୁ ବେଶ୍ ହସ ମାଡ଼ିଲା,

ତୁମେ ଯେଉଁ ଚିଠିରେ ଲେଖିଛି,

“ମୋତେ ତୁମେ ଭୁଲିଯିବନି ଟି ।”

 

ଦୁଇଟିଯାକ କବିତା ଲେଖା ହୋଇଥିଲା ୧୯୪୮ ମସିହା ସେପ୍ଟେମ୍ବର ମାସରେ । କମ୍ ଖୁସୀ ହୋଇଥିଲି ସେଦିନ ? ତା’ର ଦୁଇବର୍ଷ ପୂର୍ବରୁ, ଯେତେବେଳେ ଆମେ ଗାଆଁ ବାଗଲପୁରରେ ହରିଜନ ମନ୍ଦିର ପ୍ରବେଶ ପାଇଁ ପ୍ରଚାର ହେଉଥିଲା; ସେତେବେଳେ ସେହି ଅବସର ପାଇଁ ମଧ୍ୟ ମୁଁ କେତୋଟି କବିତା ଲେଖି ପକାଇଥିଲି । ସେଗୁଡ଼ିକୁ ଗାଇ ଗାଇ ଆମେ ଭିନ୍ନ ଭିନ୍ନ ଗାଆଁକୁ ଯାଉଥିଲୁ ଓ ପ୍ରଚାରକାର୍ଯ୍ୟକୁ କରୁଥିଲୁ । ଗୋଟିଏ ବହୁପଦୀ ବଡ଼ ଗୀତ, ଯାହାକୁ କି ଆମେ ବେଶ୍ କେତେଦିନ ଲଗାଏତ୍ ଗାଇଥିଲୁ । ୧୯୪୭ ମସିହା ଜୁନ୍ ମାସ ସାତ ତାରିଖରେ ଲେଖା ହୋଇଥିବା ସେହି ଗୀତଟି:

 

ଜାଣିଲୁଣି ଆମେ ଜୀଇବାକୁ ହେଲେ ଛାଡ଼ିବା ଏ ହୀନ ବେଶ

ବୁଝିଲୁଣି ଆମେ ଏ ଦେଶ ଆମର, ଆମେ ଇ ଗଢ଼ିବା ଦେଶ ॥

କଉଶଳୀ କିଏ କରି କେତେ କୂଟ

ଦେଖୁଥିଲା ଖାଲି ଆମର ସୁକୁଟ

ଛନ୍ଦି ରଖିଥିଲା କରି ବଡ଼ ଛୋଟ ଆଜି ହେବ ତା’ର ଶେଷ ॥

ଉଚ୍ଚ ସମାଜର ଯେତେ ବଡ଼ପଣ୍ଡା

ଶାହାସ୍ତ୍ର କାଢ଼ନ୍ତି ଖାଲି ଗଣ୍ଡାଗଣ୍ଡା

ବାର ଫନ୍ଦି ଖାଲି ବାନ୍ଧି ରଖିବାକୁ ତହିଁ ନାହିଁ ସୁଖ ଲେଶ ॥

ବଢ଼ ଯେ ହୋଇଛି ମାରି ଆମ୍ର ଢୋକ

(ସେ ତ) ବଡ଼ ଲୋକ ନୁହେଁ ଖାଲି ବଡ଼ ପୋକ

ପିଇବ ରକତ ଟାକିଛି ସେ ଯୋକ ଜଗତ କରିବ ଧ୍ଵଂସ ॥

ରଖିଦିଅ ତୁମ ଧରମର ଢମ

ମଣିଷଠୁଁ ବଳି ବଡ଼ କେଉଁ ଧର୍ମ

ଧର୍ମବକ ଯେତେ କୋଢ଼ି ହୀନକର୍ମ ସମାଜରେ ଢାଳି ବିଷ ॥

ଗଲେ ପଛେ ଆମେ ନରକକୁ ଯିବୁ

ମରମ କଥାକୁ କିଆଁ ନକହିବୁ

ସତ କହିବାକୁ ଡରି ମରୁଥିବ ସେଦିନ ହେଲାଣି ଶେଷ ॥

ଶିଖିବୁନି ଆଉ ଖାଇ ଗାଳି ଛାଟ

ସୁନାପୁଅ ପରି ଚାଟଶାଳୀ ପାଠ

ଆମେ ତ ଗଢ଼ିବୁ ଆମଲାଗି ବାଟ ଆମରି ନେତା ଆଦେଶ ॥

ଆସରେ ମିଳିବା ଭୋଜୀ ଦୁଃଖୀ ରଙ୍କୀ

ସହସ୍ର ଧିକ୍କାର ଯିବାନାହିଁ ଶଙ୍କି

ଶିଖିବା ମଣିଷ-ଜାତି ମାନ ରଖି ଏକ ଆମେ ଏକ ଦେଶ ॥

ଛୁଆଁ ଅଛୁଆଁର ଫମ୍ପାଢ଼ୋଲ ଭୂଆଁ

(ଆଉ) ନମାନିବୁ ଆମେ କଟିଲାଣି ଧୂଆଁ

ନୂଆ ଯୁଗଲାଗି ଆସ୍ଥାନ ହେଲାଣି-ମାଲିକ ହେବୁରେ ମ୍ଳେଜ୍ଜ ॥

ଫିଜରା ଭିତରୁ ଭୋକୀ ଭଗବାନ

ମୁକତି ପାଇବ କଲାଣି ଉଚ୍ଛନ୍ନ

ଛୁଟିଆସ ଆଜି କୋଟି ନାରାୟଣ ଜୟ ମୂଳକ-ମଣିଷ ॥

ସେତିକିବେଳର ଆହୁରି ଗୋଟିଏ ଗୀତ:

ମୋର ସୁନ୍ଦର ଭାରତ ବନ୍ଦେ

ତୋ’ର ବଗିଚାର ସଜ ଫୁଟାଫୁଲ ଆମେ ମାତିବୁ ମୋହନ ଗନ୍ଧେ ॥

ଆମେ ମଜୁରିଆ ଚାଷୀ କୁଲି

ସବୁ ଭେଦାଭେଦ ଯିବୁ ଭୁଲି

ମୋ’ର ଦେଶ ଉଠିବ ଉଚ୍ଛୁଳି ଭାଇ-ଭାଇ ମିଳନର ଛନ୍ଦେ ॥

ପେଟଭରା ଭାତ ବଳଭରା ହାତ

କାର ଦୁଆରେ ନହେବୁ ଯୋଡ଼ହାତ

ଭବନ ଭବନ ସରଗଭୁବନ ବଞ୍ଚିବୁ ପ୍ରାଣ ଆନନ୍ଦେ ॥

ଯିବ ଯୁଗ ଯୁଗ ବାଧା ତୁଟି

ଆମେ ପାଇବୁ ଅସୀମ ଛୁଟୀ

ଆମେ ଚାଖିବୁ ପରମ ମୁକ୍ତି ଦେଶ ଗଢ଼ିବୁ ସପନମଦେ ॥

 

ମନ୍ଦିର-ପ୍ରବେଶ ଦିନ ଗାଆଁର ଗୋଚରପଡ଼ିଆରେ ଗୋଟିଏ ସାଧାରଣ ସଭା ହେବାର ଥିଲା । ସେଇଠି ଉଦବୋଧନ ସଙ୍ଗୀତରୂପେ ବୋଲାଯିବ ବୋଲି ମୁଁ ସ୍ଵତନ୍ତ୍ର ଗୀତଟିଏ ଲେଖିଥିଲି । ସ୍ଵଦେଶୀ ଯୁଗରେ କବି ରବୀନ୍ଦ୍ରନାଥ ରଚନା କରିଥିବା ଗୋଟିଏ ଗୀତର ସୁରରେ ଏଇଟି ଲେଖା ହୋଇଥିଲା :

 

ଛୋଟ ବଡ଼ ତୋ’ର ବନ୍ଧ ଯେତେ ଭାଙ୍ଗିଦେ’ ରେ

ଗାନ୍ଧୀରାଜା ଦେଲାଣି ଡାକ ॥

ଆସରେ ସବୁ ଜାତି-ଭାଇ ଗୀତ ଗାଇ

ସବୁରି ପ୍ରାଣ ଦେ’ ମତାଇ–

ଆସ ସରବେ ରେ ଗୌରବେ ରେ

ବୀରପୁଅ ଲଢ଼ୁଆ ଥାଟ ॥

ଛୁଆଁ ଅଛୁଆଁ ର ମୁଦା ପାଚେରୀ

ତୋତେ ଅନ୍ଧ କରି ରହିଛି ଘେରି

ଥାଉଁ ଗୋଡ଼ହାତ ପଡ଼ିଛି ବେଡ଼ୀ ।

କାନ୍ଦି କାନ୍ଦି ଦିନ ଗଲାରେ      ଭସାଇ ସବୁ ନୟନଧାରେ

ଛାଡ଼ି ଆ’ ରେ ଫିଙ୍ଗି ଆ’ ରେ

ମରହଟ୍ଟୀ ମଇଳାଯାକ ॥

 

୧୯୪୭ ମସିହାରେ ଗ୍ରୀଷ୍ମଛୁଟୀ ବେଳକୁ ପଶ୍ଚିମ ବଙ୍ଗଳାର ରାଇଗଞ୍ଜଠାରେ “ଶସ୍ତା ଭବିଷ୍ୟତ”ଶୀର୍ଷକରେ ଆଉ ଗୋଟିଏ କବିତା ଲେଖିଥିଲି । ସେତେବେଳକୁ ପରାଧୀନ ଭାରତର ସେହି ଚିହ୍ନା ଯୁଗଟିର ବେଳ ରତ ରତ ହେଉଥାଏ । ସ୍ଵାଧୀନତା ନାମକ ଗୋଟାଏ ନୂଆ କ’ଣ ଆସୁଥାଏ । ସମସ୍ତେ ଅପେକ୍ଷା କରିଥାନ୍ତି । ସବୁରି ଆଖିଆଗରେ ଭବିଷ୍ୟତର ଚିତ୍ରଟିଏ ଝଲଝଲ ହେଉଥାଏ । ସମସ୍ତେ ଉଲ୍ଲସିତ ହେଉଥାନ୍ତି । ତଥାପି ଅନେକ କିଛି ଅସ୍ପଷ୍ଟ ଭଳି ଲାଗୁଥାଏ । ଆସୁଥିବା ସମୟଟିର ନୂତନ ନେତୃତ୍ଵ ପ୍ରକୃତରେ ଯାହାସବୁ ଦାବୀ କରିବ, ଏହି ଦେଶରେ ତାହା ଉପଲବ୍ଧି ହୋଇଯିବ ତ ? ନା—ଧୋକା ଦେବାକୁ କେହି ଥିବେ, —ମୂହୁର୍ତ୍ତଟା ହାତଛଡ଼ା ହୋଇଯିବ । କବିତାଟି ଏହିପରି :

 

ଗାଆଁ ନଈଘାଟ ମହାବଟ ମୂଳେ ଆରତିର ଘଣ୍ଟା ଠନଠନ୍

ବାଜୁଥିଲା, ଆସି ପହଞ୍ଚିଲେ ହାତେ ଛତା ବାଡ଼ୀ ଆଉ ଲଣ୍ଠନ–

ମୋଟା ଖଦୀପିନ୍ଧା ଧନେଶ୍ଵର ବାବୁ ଚରଣ ଯୁଗଳେ ମୋଟା ଚଟି,

ପଧାନପଡ଼ାର ପରିଦାସ ବୁଢ଼ା ବସିବାକୁ ଦେଲା ତାଳପଟି ।

“ଏତେବେଳେ ବାବୁ ପଡ଼ିଲା କି କାମ ?” ପଚାରି ବସିଲା ଦାମ ଭୋଇ

“କାମକଥା କିଆଁ ପଚାରୁଛୁ,ଦାମ, ନିତିଦିନ ପରା କାମ ଏଇ ।

ଦୁନିଆରେ କେତେ ଅଦଳବଦଳ, ସରିଲା ଲଢ଼େଇ ଘନଘଟା

ସରିଯିବ ଆଉ ଦିନକେଇଟାରେ ଦୁଃଖ ଅଭାବ ହଟହଟା ।

ତୁମ ଦେଶେ ତୁମ ମାଲିକ ହେବେରେ ଶେଷ ହେଲା ରାଜା ରାଜଭୋଗ

ସାଜସରଞ୍ଜାମ ବାନ୍ଧିଲାଣି ସିଏ ସୁନାପୁଅ ପରି ଚାଲିଯିବ ।

ତୁମଲାଗି କେତେ ରକତ ଢାଳିଲେ କେତେ ବୀର ଦେଲେ ମଥାବଳି

ତୁମର ସକାଶେ ବରିଲେ କଷଣ କେତେ ବିପଦର ଅରଗଳି

ତୁମର ଦେଶରେ ନୂଆ ମଉଚ୍ଛବ–କେତେ ନୂଆ କଥା ଗଢ଼ା ହେବ,

ଦେଶର ମଣିଷ, ତୁମେମାନେ, ଯଦି ଏ ଦେଶ ଖବର ନଶୁଣିବ–

ନିତି ନୂଆ କଥା ଶୁଣାଇବା ପାଇଁ କର୍ମୀ ଯଦି ଆମେ ନଆସିବୁ

କାଲ ଖଞ୍ଜ ହୋଇ ପଡ଼ିଥିବ, ଆଗେ ବଳିଯିବେ ଆନ ଦେଶସବୁ ।”

ସତୁରୀ ବରଷ ସତୁରୀ ପଧାନ କହିଲା ତୋଳିଣ ଉଚ୍ଚ ହୋଇ

“କହିଲ ତ ସତ କଥାଗୁଡ଼ା, କିନ୍ତୁ ମନକୁ କାହିଁକି ଗଲାନାଇଁ ।

ଏଇମିତି କଥା କହୁଛ ତ ନିତି କୋଉଠି କଅଣ ହେଲା କିସ ?

ଚାରି ବରଷରେ ତେବେ ଗଲାନାହିଁ ମହରଗ ସନ-ତେୟାଳିଶ ।

ସେଇ କଣ୍ଟ୍ରୋଲ, ସେଇ ଖେଣ୍ଟାଖେଣ୍ଟି, ମାଣ ଅଧମାଣ ବଣ୍ଟୁ ଆରା,

ତୁମେ ତ ସାଆନ୍ତେ କାଗଜ ପଢ଼ୁଛ ପାଉଥିବ ସବୁ ପତିଆରା ।

ବସନ ବିହୁନେ ଲାଜ ମାନ ଗଲା ଦୁଆର ଡେଇଁବା ହେଲା ବନ୍ଦ–

ସ୍ତିରୀ ପିଲାଙ୍କର, ସୋରିଷ ତେଲର ଛଅମାସ ହେଲା ନାହିଁ ଗନ୍ଧ ।

ଦିହଦୁଃଖ ବେଳେ ସପନ ହେଲାଣି ମିଶିରି ନବାତ ସାଗୁଦାନା

ଜୀବ ତ ଗଲାଣି, ମଲେ କି ଉଡ଼ିବ ତୁମ ସ୍ଵରାଇଜ ମୁନାବାନା ?”

ଆରେକ କହିଲା,“ଦି’ମାସ ହେଲା ମାଆ ବାଧିକିଚି ତାର ପାଇ

ହାବୁଡ଼ା ଦେଶରୁ ପହଞ୍ଚିଲା କାଲି ମଦନା ମଳିକ ସାନ ଭାଇ ।

କମ୍ପାନୀର ଭଡ଼ା ହୋଇଗଲା ଚଢ଼ା, କହିଲା ଟଙ୍କାରେ ଅଣା ଏକ,”

“ସବୁ ତ ତୁମରି ସୁଶାସନ ପାଇଁ ଦୁଇଟା ମାସରେ ହାଲ ଦେଖ ।

ନୂଆ ସରକାର ଆମେରିକା ଦେଶୁଁ ଅଣାଉଛି ନୂଆ ରେଳଗାଡ଼ୀ

ନୂଆ କଥା କେତେ ଖଞ୍ଜାହେବ ପୁଣି ଆଖିରେ ଦେଖିବ ଅସୁମାରି ।

ତୁମଲାଗି ବସି ଭାବେ ଦିନରାତି ଦିଲ୍ଲୀ ଆସନରେ ବଡ଼ ମଥା

ଦେଶୀ ସରକାର ମାଲିକ ହେଲାଣି ଅଭାବ ରହିବ, କୋଉ କଥା ?

ଯେଉଁମାନେ କାଲି ତୁମରିପାଇଁକି ନଡ଼ରିଲେ ତୋପ ବନ୍ଧୁକ

ରଜା ଆଜି ସେଇ, ବାଜୁ କି ନଥିବ, ତାଙ୍କରି କାନରେ ତୁମ ଦୁଃଖ ?

ତୁମ ପାଇଁ ବସେ ସଭା ମେଳାମେଳା ଉଠୁଛି ଖବରକାଗଜରେ

କେତେ କଳ୍ପନା ହେଲାଣି ସିଆଡ଼େ ପଶିବନାହିଁ ତ ମରଜରେ

ନୂଆ ନୂଆ ଘର ବଗିଚା ପଡ଼ିଆ ଚିକଣ ସଡ଼କ ଚକଚକ

ବିନା ପଇସାର ଡାକ୍ତରଖାନା—ଜାଲ ବୁଣାହେବ ଦେଶଯାକ ।

କେତେ ଫେଶନର କାରଖାନା କେତେ, ବିଜୁଳି-ଆଲୁଅ, ପାଣି-କଳ,

ଦେଢ଼ଶ ଟଙ୍କାରେ ଉଡ଼ି ଚାଲିଯିବ ଘଡ଼ିକେ ବଙ୍ଗଳା ଯାଦୁଘର ।

ସ୍ଵରାଜ-ବ୍ୟବସ୍ଥା ହୋଇଯିବ ସବୁ ଦେଖିବ କେଇଟା ବରଷରେ

‘ହେଲାନାହିଁ କିଛି, ହେଲାନାହିଁ’ ବୋଲି ତୁମେ କିଆଁ ବସି ଭାବୁଛରେ ?”

ଯହୁଁ ଯହୁଁ ରାତି ହୋଇଲା ଅଧିକ ସରିଲା ସେଦିନ ସଞ୍ଜଖଟି

ଲେଉଟିଲେ ସବୁ ଅଧବୁଝା ମନ ଖାଇ ଭବିଷ୍ୟର ଶସ୍ତା ବଟି ॥

ମୋଟା ଖଦୀପିନ୍ଧା ଧନେଶ୍ଵର ବାବୁ କେତେଆଡ଼େ ତାଙ୍କ ନାଆଁ ଡାକ

କେତେ ବଡ଼ ଲୋକ, ଟିପ ଇସାରାକୁ ପଡ଼ିବ ଉଠିବ ଥାନାଯାକ ।

ପାଞ୍ଚ ପୁରୁଷର ବୁନିଆଦୀ ଘର ସାତଶେଣୀ—ଚାଷ ଚାରିହଳ

ବଡ଼ପୁଅ ଏବେ ହାକିମ ହୋଇଛି ସଦର କଚେରୀ କଟକର ।

ଦୁଃଖୀଲାଗି କେତେ ସହିଛନ୍ତି ଦୁଃଖ, କେଡ଼େ ଦୟାବନ୍ତ ପୁରୁଷ ସେ

ହଇଜା ବସନ୍ତ ବଢ଼ି ମଡ଼କରେ ଆଖିରୁ ତାଙ୍କର ଲୁହ ଖସେ ।

ମହରଗେ କେତେ ବାଣ୍ଟିଥିଲେ ଧାନ ଦୁଇଟା ଅମାର ଖାଲି କରି

ଅପାର କରୁଣା ଊଣା କରିଥିଲେ ଭୋକୀ ପ୍ରଜା ଯାଇଥାନ୍ତେ ମରି ।

ଭୋକଶୋଷ ମାରି ଭବିଷ୍ୟବଚନ ଶୁଣାନ୍ତି ବୁଲି ସେ ଥାନାସାରା

ବଡ଼ ଟାଣମଥା, ବଡ଼ ହାକିମକୁ ଓଲଟଜବାବ ଦେଲାବାଲା ।

ଅଜାତି ଅଛୁଆଁ ଭେଦ ଭୁଲି ଖାଲି ଆମଲାଗି ନିତି ମୁଣ୍ଡବଥା

ଆମ ମର୍ମକଥା କହିପାରନ୍ତି ଯେ ସେ କ’ଣ କହିବେ ମିଛ କଥା ?

ସ୍ଵରାଜ ଆସୁଛି, ସରଗ ବସିବ ଶୋଭାର ବଜାର ଭଳି ଭଳି

ସଭିଙ୍କ ଭାଗରେ ରାମରାଜ୍ୟ-ଭୋଗ ବଡ଼ମଥା ଦେବେ ଅଣ୍ଟି ଭରି ।

ଚାଉଳ, କପଡ଼ା, ନବାତର କଳ ଆଖିପିଛୁଳାର କାରବାର

ନିଅଣ୍ଟ ବଜାର କାୟା ପାଲଟିବ କୁବେର ରାଜାର ଦରବାର ।

ହାତପାଆନ୍ତାରେ ଖୋଲିଦେବ ସିଏ କେତେ କମ୍ପାନୀ କଳଘର

ଟଙ୍କା ଗଣି କିଆଁ ପୁଅ ଆଉ ଯିବ ସାଁତରାଗାଛର ଚଟକଳ ?

କିରାସିନି ତେଲ ନଈ ବହିଯିବ ସହରେ ଖୋଲିବ ଧାନଗୋଲା

ତାମ୍ବୂଳ ସୁପାରି ନିଜ ଅସୁମାରି ଚିନି ଭର୍ତ୍ତି ହେବ ବୋରା ବୋରା ।

ମାସ ମାସ ଧରି ଗାଆଁକୁ ଆସିବ ଯାବତ ଯାବତ ଜୀବିକା-ସାମିଗିରୀ

ବାହାପୁଆଣିରେ ଯିବିନାହିଁ ଆଉ ଦାନ୍ତ ନିକୁଟି ପାଦେ ପଡ଼ି ।

ମନ ଖୁସୀ କରି ବାଣ୍ଟି ଦେବେ ସବୁ କରଣସାହିର କଳୁବାବୁ

ଲୋଚା ଲାଞ୍ଚୁଆଙ୍କ ମିଛ କାରସାଦି ଫିସାଦ ଫିକର ହେବ କାବୁ ।

ଗାଆଁରେ ବସିବ ବିଜୁଳି ରୋଷନି ଧାଡ଼ୀ ଧାଡ଼ୀ ଘର, ସଫା ଦାଣ୍ଡ

ସହରଦିଆଲୀ ଦେଖିବାକୁ ଆଉ ମାଇପେ ଖାଇବେ ନାହିଁ ମୁଣ୍ଡ ।

ବିନା ପଇସାରେ ପାଠ ବଣ୍ଟାହେବ ସଭିଏଁ ପିନ୍ଧିବେ ଜୋତା ଜାମା

ଗାଆଁରେ ଗାଆଁ ରେ ମାଗଣା ଔଷଧ ଦିଲ୍ଲୀରେ ହେଲାଣି ରାଜିନାମା ।

ଦୁଷ୍ଟ ନାଶିବ ଦର୍ପ ଦଳିବ ଫଉଜ ଲଗାଇ ସରକାର

ଚାଳଚୁଲ୍ଲୀ ମୋ’ର ରଖିବାକୁ ଆଉ ମୋ’ ହିମ୍ମତ କିଆଁ ଦରକାର ?

ଏତେଦିନେ ଟିକେ ନିଶ୍ଚିନ୍ତ ହେବି କରିବି ଆରାମ ଫୁରସତ

ଏତେଦିନେ ଆହା ନିଃଶ୍ଵାସ ନେବ ଦଦରା ଶରୀର ଭଙ୍ଗା ରଥ ।

ଘରେ ମୁଁ ବସିବି, ମୋ’ ଲାଗି କରିବ ରାଜ୍ୟରଚନା ବଡ଼ମତି

ମୋ’ ଦୁଃଖହରଣ ଖଣ୍ଡା ଧରିଛି ଯେ ଉଡ଼ୁ ତା’ନାମରେ ପାଟଛତି ।

ପାଞ୍ଚ ବରଷରେ ଖାଲି ଥରେ ଯାଇ ଥାନାରେ ତା’ ନାମେ ଭୋଟ୍ ଦେବି

ମୋ’ କାମ ସରିଲା,ସବୁ ଖଞ୍ଜିବ ଯେ ମୋ’ଲାଗି, ମୁଁ ଖାଲି ଭୋଗୁଥିବ ।

କେତେ ମୁଣ୍ଡବଥା କାମ କଷଣର କଳିଯୁଗ ଶେଷ ଧରଣୀରେ

ଆଇନ୍ ବସାଇ ରାମରାଜ୍ୟ ହେବ କି କାରଣ ଆଉ ଖଟଣିରେ ?

ସରକାର ହାତେ ଜୀବନର ଅଢ଼ା, ସଜାଇବ, ସେଇ ଚଳାଇବ

ଭେଟିନି ମୁଁ ବସି, ଭୋଟ୍ ନେବ ସିଏ, ସିଏ ମୋ’ ଦେଉଳ ତୋଳାଇବ ।

କହିଛନ୍ତି ପରା ଧନେଶ୍ଵର ବାବୁ ନୂଆ ଯୁଗ ଆସେ ନାହିଁ ଭୟ

ମହାଆରାମରେ ସୁଖ ଖଞ୍ଜିବ ସେ; ସେ ଦାନୀ ବୀରର ଜୟ ଜୟ ।

ରାଇଜର ଯେତେ ଢିପ ଢାଲୁ ଯେବେ ସରକାର ସିଧା କରିଦେବ

ରାଇଜମଣିଷ ଦୁଃଖ ଯିବ, ସିଏ ଭୋଗ କରି ଖାଲି ବୁଢ଼ା ହେବ ।

 

ଏହିପରି ଭାବରେ ଲେଖା ଚାଲିଥାଏ । ଲେଖିବାକୁ ଆଗ୍ରହ ବଢ଼ୁଥାଏ । ଲେଖିବାଟା ଯେ ଜୀବନର ଏକ ଧର୍ମରେ ପରିଣତ ହୋଇପାରିବ, ସେଇଆଡ଼କୁ କ୍ରମେ ପାଦ ପଡ଼ି ପଡ଼ି ଯାଉଥାଏ । ମନେ ପଡ଼ୁଛି ରେଭେନ୍ସା କଲେଜରେ ପ୍ରଥମ ବର୍ଷରେ ପଢ଼ୁଥିବା ସମୟରେ ‘ପାଗଳ ସର୍ଦ୍ଦାର’ ବୋଲି ଗପଟିଏ ଲେଖିଥିଲି । ଶାନ୍ତିନିକେତନର ଅଧ୍ୟୟନ ସମୟରେ ସତେଅବା ସେହି ପରିବେଶରୁ ପରାଗଗୁଡ଼ିକୁ ପାଇ ଭିତରେ ଏକ ନୂଆ ଶାଖା ପଲ୍ଲବିତ ହୋଇ ଉଠିଥିଲା । ଭାରି ହାଲୁକା ଲାଗୁଥାଏ, ଭାରି ଖୁସୀ ଲାଗୁଥାଏ । ଗ୍ରହଣର ଦ୍ଵାରସବୁ ଅଧିକ କ୍ରିୟାଶୀଳ ହେବାରେ ଲାଗିଥାନ୍ତି । ଏକାବେଳେକେ ଚାରିଟା ଆଖିରେ ପୃଥିବୀକୁ ଦେଖିବା ସକାଶେ ଭିତରେ କେହି ସତୃଷ୍ଣ ହୋଇ ଉଠୁଥାଏ । ସେତେବେଳେ ‘ପ୍ରଜାତନ୍ତ୍ର’ ସମ୍ବାଦପତ୍ରର ମୀନାବଜାର ସ୍ତମ୍ଭକୁ ମଧ୍ୟ ପଦ୍ୟ ଗଦ୍ୟ ଅନେକ ପଠାଇଥିଲି । ୧୯୪୮ ମସିହାରେ ଢେଙ୍କାନାଳର ବାଜିରାଉତ ମଧ୍ୟ ଗୋଟିଏ କବିତା ଲେଖିବା ପାଇଁ ପ୍ରେରଣା ଯୋଗାଇ ଦେଇଥିଲା । କବିତାଟି ‘କୃଷକ’ ସାପ୍ତାହିକ ପତ୍ରିକାରେ ପ୍ରକାଶିତ ହୋଇଥିଲା :

 

ସହେନା ଅନ୍ଧାର ମରଣଡ଼ର ନୀରବତା

ଗଗନେ ଗରଜେ ବଜ୍ର ପିନାକ ଦେବତା ।

ଯମୁନା ପ୍ରବଳ ବାଟ କାଢ଼ିନିଏ ବିଜୁଳି

ଝଡ଼ ପିଟେ,–ଯାଏ କଂସାକବାଟ ହୁଗୁଳି ॥

 

ଅନ୍ଧାର ଗରଜେ ନଦୀଜଳ କଳା-ନାଗରେ

ଗଗନ ଭେଦାଇ ଡାକିଲା ସେ ଜାଗ ଜାଗରେ ।

ଅଧା ବଅସରେ ମରଣକୁ କରି ବରଣି

ନଉକା-ରଜ୍ଜୁରେ ଅମରକୁ କଲା ସରଣୀ ॥

 

ନୁହେଁ ଢେଙ୍କାନାଳ ବିଜୟଡଙ୍କା-ଆଳ ସେ

ଗଜା ପିଲା ନୁହେଁ,ରଜାପୋକଙ୍କର କାଳ ସେ ।

ରାଣ୍ଡୀପୁଅ ନୁହେଁ, ସେ ଶତ ନିଃଶ୍ଵାସ ଗରଭେ

ବଳେ ମୁଁ ତାରେ ଉତ୍ସର୍ଗ ପ୍ରାଣ-ଅରଘେ ॥

 

ବାଜି ମରିନାହିଁ, ବାଜି ସରିନାହିଁ ମହୀରେ

ବାଜିଲାଣି ତୁରୀ, ଆଜିର ସମର ଗହୀରେ ।

ସଉକୀ ସରଗ ସଜାଇ କରେ ଯେ ବଡ଼ାଇ

ମଣିଷର ମେଇ ଅମଣିଷେ ହେବ ଲଢ଼ାଇ ॥

 

ଜୋକ ଯଖଙ୍କର ଭରି ବଇଡ଼ୁର୍ଯ୍ୟ ଥାଇତି

ଜନବଳ ହେଲେ ଭାଙ୍ଗି ଦେବ, ଭୟ ନାହିଁଟି ।

ବାଜି ବୀର କାଲି ଦେଇଗଲା ମହା ଅସ୍ତର

ଯୁଗଗଢ଼ା ବେଳେ ସେଇ ମୋ’ର ବୀଜ-ମନ୍ତର ॥

ବଜ୍ର ବିଜୁଳି ବାଜି ହେବ କଳା ଆକାଶେ

ସବୁ ତୋପ ଗୁଳି ବଳିଦେବ, ନାହିଁ ଶଙ୍କା, ସେ ।

ତୋହରି ମୋହରି ସଭିଙ୍କ ପ୍ରଚଣ୍ଡ ମନରେ

ଅର୍ଜ୍ଜୁନ ରଥେ ଆସେ ବାଜି ଜନାର୍ଦ୍ଦନରେ ॥

 

ମହାତ୍ମା ଗାନ୍ଧୀଙ୍କୁ ଯେଉଁଦିନ ହତ୍ୟା କରାଗଲା, ସେଦିନ ମୁଁ କଟକରେ ଥିଲି । ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଜବାହରଲାଲ “ଦୀପ ନିଭିଗଲା” ବୋଲି ସିନା କହିଲେ, —ସେଦିନ ମୋ’ ଭିତରେ ସତେଯେପରି ଏକାବେଳେକେ ଅନେକ ଦୀପ ଜଲିଉଠିଲା ପରି ଅନୁଭବ ହୋଇଥିଲା । ସଂକଳ୍ପର ଦୀପ, ବିଶ୍ଵାସର ଦୀପ, ବୋଝଗୁଡ଼ାକୁ ସତେଅବା ନିଜ କାନ୍ଧ ଉପରକୁ ଉଠାଇ ନେବାର ଦୀପ, —ଯୋଗ୍ୟ ଓ ଟାଣ ହୋଇ ତିଆରି ହେବାର ଦୀପ । ସ୍ଵାଧୀନ ଭାରତରେ ଚବିଶି ବରଷର ଯୁବକଟିଏ କେତେ କ’ଣ ଭାବନାର ବୋଇତ ନେଇ ପ୍ରବେଶ କରିଥିଲା । ଏହି ଯାତ୍ରା ଆଦୌ ଆରାମର ନୁହେଁ । ଏହା ଶକ୍ତିମାନର ଯାତ୍ରା, ଯଥାସମ୍ଭବ କୋଳାହଳଶୂନ୍ୟ ଭାବରେ ସତେଅବା କୌଣସି ଏକ ଲକ୍ଷ୍ୟର ନିକଟବର୍ତ୍ତୀ ହେଉଥିବାର ଯାତ୍ରା । ସେହି ଗୋଟିଏ ଘଟଣାରେ ମୋ’ ଭିତରେ କ’ଣ ଘଟିଲା ଓ ମୋ’ର ଚାରିପାଖରେ ଏହି ଦେଶ, ଏହି କାଳ, ଏହି ପୃଥିବୀ, —ଏମାନେ କେଉଁ ଆହ୍ଵାନର ଅବତାରଣାର ଆସି ଅନୁଭୂତ ହେଲେ କେଜାଣି, ମୋ’ ଚେତନାର ଗୋଡ଼ଗୁଡ଼ିକ ସତେଅବା ଆପଣାକୁ ଅଧିକରୁ ଅଧିକ ଟାଣକରି ପ୍ରସ୍ତୁତ କରିନେବାକୁ ନିଜ ପାଖରେ ଶପଥ କରି ନେଇଥିଲେ । ଏକ ଶକ୍ତ ସମରର ସମୟ ଆସୁଥିବା ପରି ମନେ ହେଲା । ରାସ୍ତା ଆଦୌ ସହଜ ନୁହେଁ, ଅତ୍ୟନ୍ତ ଦୀର୍ଘ । ଏଣିକି ଉପଦ୍ରବୀମାନେ କେତେ ଉପଦ୍ରବ କରିବେ, ତୁମକୁ ମଧ୍ୟ ମୁଖା ପିନ୍ଧିବାକୁ କେତେ ଫୁସଲାଇବେ,–ତଥାପି ନିଜର ତାରାଟିକୁ ଦେଖି ବାଟ ଚାଲିବାକୁ ହେବ । ଭିତରେ ତିଆରି ହେବା ଓ ବାହାରେ ବାଟଟିଏ ଚାଲିବା, —ଦୁଇଟି ଭିତରେ ଏଣିକି ଆଦୌ ଖୁବ୍ ବେଶୀ ପାର୍ଥକ୍ୟ ରହିବ ନାହିଁ ।

 

ଗାନ୍ଧୀ ହତ୍ୟାର ଦୁଇଦିନ ପରେ କଟକ ରେଭେନ୍ସା କଲେଜରେ ମୁଁ ସେହି ଅବସରଟିକୁ କେନ୍ଦ୍ରରେ ରଖି ଗୋଟିଏ କବିତା ଲେଖିଥିଲି :

 

କାନ୍ଦିବି କିପରି ଆଖିରେ ଅଶ୍ରୁ ନାହିଁରେ

ରକତ ସ୍ତବ୍ଧ ପବନ ନପାରେ ଧାଇଁରେ

ଦେଶ ଲୁହ-ଲହୁ ଜୀବନ୍ତ ହୋଇ ଜଳୁଥିଲା ଯେ ମୂର୍ତ୍ତି

ପାପୀ ଅପଘାତୀ ଦୈତ୍ୟ ହାତରେ ହେଲା ତା’ ଜୀବନ-ପୂର୍ତ୍ତି ।

ବହିର ମହାତ୍ମା ମୁତ୍ରାତ୍ ଆଉ ଈଶା

ମରିଥିଲେ ଯେବେ ମଣିଷେ ଘାରିଲା ନିଷା

ଗାନ୍ଧୀ ତ ଚାହିଁନି ମରିବ ଏମିତି ପୂଜାରେ ପାଇବ ତୋଷ

ମଣିଷ-ବିକଳ ହୋଇଥିଲା ସିଏ,–ଏଇ କ’ଣ ତା’ର ଦୋଷ ?

 

କିଏ ସେ କହୁଚ ଗାନ୍ଧୀକି ମାରିଛି ହିନ୍ଦୁ ?

କିଏ ତୁ ଦେବତା କାରେ ପରଶଂସୁ ନିନ୍ଦୁ ?

କାଲି ମରିଛି ଯେ ଜୀଇ ଉଠିଲାଣି ଆଜି

ଲକ୍ଷ ମନରେ ଲକ୍ଷ ଯୁଗରେ ସାଜି ॥

 

ହୁଅ ତୁ ହିନ୍ଦୁ ହୁଅ ବା ମୁସଲମାନ

(ଆଜି)ଜାତି-ହାଣଶାଳେ ବିଦ୍ରୋହୀ ସବୁ ମଣିଷ-ଭଗବାନ ।

କୋଟି ପ୍ରତିଜ୍ଞାରେ ଭୋକିଲା ଗାନ୍ଧୀ ଜାଗେ

ଅତି କାଙ୍ଗାଳ ହାଡ଼ବାଡ଼ ଡେଇଁ ସବୁରି ବିବେକ ମାଗେ ॥

 

ମହାତ୍ମା ଗାନ୍ଧୀ ଆତତାୟୀର ହାତରେ ଏହି ଭାରତବର୍ଷରେ ନିହତ ହେଲେ ଏହି କଥାଟି ମତେ ଦୀର୍ଘ ଅନେକ ଦିନଯାଏ କଳ୍ପନାନିମଗ୍ନ କରି ରଖିଥିଲା । ଭାରତବର୍ଷର ଅସଲ ମୂଳଟି ସତେଅବା ଦୋହଲି ଯାଇଥିବା ପରି ମନେ ହେଉଥିଲା । ସେତେବେଳକୁ ଶାନ୍ତିନିକେତନରେ ମୋ’ର ତିନୋଟି ବର୍ଷ ଅତିବାହିତ ହୋଇ ସାରିଲାଣି । ବହୁତ ମଣିଷଙ୍କର ଯେପରି ହୋଇଛି ଅଥବା ହୋଇଥାଏ, ଶାନ୍ତିନିକେତନର ପ୍ରାଣଟିକୁ ଅଧିକରୁ ଅଧିକ ଅନ୍ତରଙ୍ଗ ଭାବରେ ଚିହ୍ନୁଥିବା ସଙ୍ଗେ ସଙ୍ଗେ ମୋ’ର ସେପରି ହୋଇ ନଥିଲା । ମୁଁ ରବୀନ୍ଦ୍ରନାଥ ଓ ମହାତ୍ମା ଗାନ୍ଧୀ ଦୁହିଁଙ୍କୁ ପରସ୍ପରର ପରିପୂରକ ବୋଲି ଅନୁଭବ କରୁଥାଏ । ସମ୍ଭବତଃ ମୋ’ ନିଜ ଜୀବନରେ ମୁଁ ସେମାନଙ୍କୁ ଠିକ୍ ସେହିପରି ଭାବରେ ଗ୍ରହଣ କରି ନେଇଥିଲି ବୋଲି ମୋ’ର ସେହିପରି ଅନୁଭବ ହେଉଥାଏ । ଭାରତର ଆତ୍ମା, ଭାରତର ଉଚ୍ଚ ଭାବନା, ଅନ୍ତରର ଅନୁଶୀଳନ ଉପରେ ଭାରତବର୍ଷର ମହତ୍ତ୍ଵପ୍ରଦାନ, —ଗୋଟିଏ କଥାରେ କହିଲେ ଭାରତୀୟ ସଂସ୍କୃତିର ବିଶେଷ ଆବେଦନମାନ, —ଏସବୁ ବିଷୟରେ ସେତେବେଳକୁ ମୁଁ କେତେ କଥା ପଢ଼ି ସାରିଥିଲି, ଶୁଣି ବି ସାରିଥିଲି । କଥାଗୁଡ଼ିକ ଭିତରେ ଯେ ବହୁତ ଭାବପ୍ରବଣତାକୁ ମିଶାଇ ଏପରି ଦାବି କରା ଯାଇଥିଲା, ଏଣିକି ମୁଁ ସେକଥାଟିକୁ ଅଧିକ ଭଲ ଭାବରେ ବୁଝିବାକୁ ଆରମ୍ଭ କଲି । ସଂସ୍କୃତି ଗୋଟିଏ ପଥ, —ଜୀବନରେ ଜଣେ ବ୍ୟକ୍ତି ଅଥବା ଗୋଟିଏ ସମୂହ ଯାହାକିଛି ଜୀବନମୂଲ୍ୟକୁ ନିଜର ସମ୍ପଦ ବୋଲି ବାଛିବ, ସିଏ ଆମର ବହିରେ ଅଛି ଅଥବା ଆମେ ଉପାସନା କରୁଥିବା ପ୍ରତୀକମାନେ ସେହି ସବୁର ସନ୍ଦେଶକୁ ପ୍ରଚାର କରୁଛନ୍ତି ବୋଲି କହିଲେ ଆଦୌ ଯଥେଷ୍ଟ ହେବନାହିଁ । ଆସ୍ଥାନଟିଏ ତିଆରି କରିବାକୁ ହେବ ଏବଂ ପାହାଚ ପାହାଚ କରି ଗଢ଼ିନେବାକୁ ବି ହେବ । ମହାତ୍ମା ଗାନ୍ଧୀ ସମ୍ଭବତଃ ସେହି କଥାଟି ଉପରେ ସର୍ବଦା ଗୁରୁତ୍ଵ ଦେଉଥିଲେ । ଭୂମିଟି ଯେଉଁପରି ଭାବରେ ତିଆରି ହେଲେ ମଥାନଗୁଡ଼ିକ ମଧ୍ୟ ସୁସ୍ଥ ହୋଇପାରିବ, ସିଏ ତାହାରି ସୂଚନା ଦେଇ ଆସିଥିଲେ । ଏବଂ, ଭାରତବର୍ଷ ସ୍ଵାଧୀନ ହେଉ ହେଉ, ଏଠାରେ ମଧ୍ୟ ଅନୁକୂଳ ଭୂମିଟିଏ ତିଆରି କରିବାର ଅଭିପ୍ରାୟରେ ଅନୁକୂଳ ପଦକ୍ଷେପମାନ ନିଆ ନ ହେଉଣୁ, ଯେଉଁମାନେ ମହାତ୍ମା ଗାନ୍ଧୀଙ୍କୁ ଆମ ନିୟତିଗୁଡ଼ିକର ମାର୍ଗ ଉପରୁ ହଟାଇ ନେଇଗଲେ, ଏହାଦ୍ଵାରା ସେମାନେ କାହାର ବନ୍ଧୁ ବା କାହାର ଶତ୍ରୁ ବୋଲି ନିଜର ପରିଚୟ ଦେଲେ, ଚିନ୍ତା କଲାବେଳକୁ ମୁଁ ସତେଅବା ଥଳ ପାଉନଥିଲି । ଏଣିକି ଭାରତବର୍ଷରେ ଯାହାସବୁ ଘଟିବ, ସେଥିରେ ସମ୍ପୃକ୍ତ ସମସ୍ତେ ସତେଅବା କାଳକାଳର ଏକ ସ୍ଥାୟୀ ମୂଳଦୁଆଠାରୁ ହଟି ଆଉକୁଆଡ଼େ ଚାଲି ଯାଉଥିବା ପରି ହିଁ ମନେହେବ, ଏପରି ଶଙ୍କାଟିଏ ବି ହେଉଥିଲା ।

 

୧୯୪୮ ମସିହା ପ୍ରାୟ ଶେଷଯାଏ ମୋତେ ଯେଉଁସବୁ ଭାବନା ସଂଶ୍ଳିଷ୍ଟ କରି ରଖିଥିଲା, ସେଠି କେନ୍ଦ୍ରରେ ମହାତ୍ମା ଗାନ୍ଧୀ ହିଁ ରହିଥିଲେ । ଯେଉଁ ସମୟଟି ଆସୁଛି, ସେଥିପାଇଁ ନିଜ ଜୀବନରେ ଏକ ନିଷ୍ପତି ନେବାକୁ ପଡ଼ିବ । ନହେଲେ ସିଏ ଯେପରି ତୁମକୁ ଗୋଟାସୁଦ୍ଧା ଗିଳି ପକାଇବ, ସେହିପରି ମନେ ହେଉଥିଲା । ସେହି ସମୟରେ ଲେଖିଥିବା କବିତାଟିଏ ହେଉଛି :

 

‘ଗାନ୍ଧୀ ଗଲା, ଅନ୍ଧ ହେଲା କୋଟି ଆଖି ଚରାଚରବାସୀ—

ଅସ୍ତ ହେଲା ସ୍ଵସ୍ତି-ତାରା; ହେ ସଂତ୍ରସ୍ତ, କ୍ରନ୍ଦନବିଳାସୀ,

ଯେତେ ତୁ କହୁଥା ପଛେ, ମନ କହି ବସେ—

‘କିଏ ଗଲା, କିଏ ଆସିଥିଲା ? ଚିରସଖା, ଚିରଦିନର ସେ ।’

Unknown

ଦୁର୍ଦ୍ଦମ ଏ ଜୀବନର ସୁଅ ଦ୍ରୁତେ ଧାଏଁ ଅନନ୍ତ ଅବଧି,

ମରିଯିବୁ,ବାଷ୍ପ ହୋଇଯିବୁ, କଳା ମେଘ, ଧକା ଦେବୁ ଯଦି :

ଦୈତ୍ୟ ଆଉ ଦେବତାର ନିୟତ ସମର

ମାରି ଜଣେ ମରେ, ଜଣେ ପ୍ରାଣ ଦେଇ ହୁଅଇ ଅମର ।

 

ଦୂର-ଦୂର କଳ୍ପନା ସେପାଖୁଁ ଝଲସେ ତା’ଆଲୋକର ଠାବ

ଏ ସଂସାର ଖଦ୍ୟୋତଯାତ୍ରାରେ ଆଖି କାହିଁ, କରିବୁ ହିସାବ ?

ବାଡ଼ ଦେଇ କରିବୁ ତୁ ମନା ?

ଶତ ବାଡ଼ ଚୂର୍ଣ୍ଣି ସିଏ ପୂର୍ଣ୍ଣ ପଥେ ଛୁଟିଯାଏ ଅନା !

ବଶା ଆରେ ନପାରିଲୁ ବୁଝି, କି ବୁଝନ୍ତୁ ମଣିଷ ମୁଣ୍ଡରେ ?

ଛ’ ହାତର ମୋଟା ଖଦୀ ତଳେ ହାଡ଼ ଚମ ସାତ ଚାଖଣ୍ଡରେ

ଭାବିଛୁ କିଳିଣି ଦେଇ ଧରିବୁ ତୁ ଗାନ୍ଧୀ ?

 

ସୃଷ୍ଟିର ତଡ଼ିତସ୍ରୋତ ବହିଚାଲେ କି ରଖିବୁ ବାନ୍ଧି ।

ଅସୁର ମଣିଷ ହେବ,ମହୀତଳେ ସୁନ୍ଦର ସମାନ

ସଳଖ ସହଜ ସ୍ଵର୍ଗ—ସମୁଖେ ଚାଲିବ ବହମାନ ।

ପ୍ରାଣଧାତା ନିତି ନିତି ଆପଣାରେ ଦିଏ,

ଜନ୍ମ ଲଭେ ଜୀବନ-ସୀମାରେ, ବାରମ୍ବାର ଉଗାଳିବ କିଏ ?

 

ଏହା ବିବର୍ତ୍ତନର କଥା । ଆମେ ଏହାକୁ ସାହିତ୍ୟର ମଧ୍ୟ ଅସଲ କଥା ବୋଲି କହିପାରିବା । ଯାହା ଅଛି, ଯେତିକି ଅଛି, ତାହା ଚିରକାଳ ଲାଗି କଦାପି ସେହିପରି ସେତିକି ହୋଇ ରହିବନାହିଁ । ଜୀବନର ଧାରା, ଚେତନାର ଧାରା ସତେଅବା ଗୋଟିଏ ନଦୀ ପରି ଧାଉଁଛି; ଅଥବା, ଏକ ସଂକଳ୍ପଯୁକ୍ତ ପଥିକ ପରି ପାହାଡ଼ ଚଢ଼ି ଚଢ଼ି ଯାଉଛି । ମୋ’ ନିଜ ଭିତରେ ମଧ୍ୟ ନଈଟିଏ ବୋହିଯାଉଛି, ପଥିକଟିଏ ପାହାଡ଼ ଉଠୁଛି । ମନୁଷ୍ୟ-ସମୂହର ସାହିତ୍ୟ, —ଆମେ ମନ କଲେ ତାହା ଆମପାଇଁ ମଧ୍ୟ ଏକ ବହମାନ ସ୍ରୋତ ଅଥବା ପର୍ବତାରୋହଣ ପରି କାର୍ଯ୍ୟ କରିପାରିବ । ଅନେକ ମଣିଷ କ’ଣ ଭାବି କେବଳ ନିଜପାଇଁ ନିଜ ଜୀବନଟିକୁ ବଞ୍ଚନ୍ତି, ସେଥିରୁ ଅଶେଷ ସୁଖ ମିଳେ ବୋଲି କହୁଥାନ୍ତି । ବିବର୍ତ୍ତନର ବାଟରେ ସେମାନେ ସତେଅବା ଗୋଟିଏ ଗୋଟିଏ ଗଣ୍ଠି ହୋଇ ରହିଥାନ୍ତି, ବାଟ ଓଗାଳି ବସିଥାନ୍ତି । ଅମୁକଟାକୁ ସତ୍ୟ ବୋଲି କହନ୍ତି, —ସତ୍ୟକୁ ଯେ ଆବିଷ୍କାର କରାଯାଏ,ସେକଥା ସ୍ଵୀକାର କରନ୍ତି ନାହିଁ । ସେମାନେ ସମ୍ଭବତଃ ଅତି କମ୍ ପାଇଥାନ୍ତି ଓ ସେଇଥିରେ ବୋଧ ହୋଇ ରହିଥାନ୍ତି । ସେମାନେ ଯାହା ଲେଖନ୍ତି ବା ଯାହା ପଢ଼ି ଆନନ୍ଦ ପାଆନ୍ତି, ତାହା ପ୍ରକୃତରେ ଆଉ ଗୋଟାଏ ପ୍ରକାରର ସାହିତ୍ୟ । ଭିତରେ, ବାହାରେ ବାଟ ଚାଲୁଥିବା ସମୟରେ ଯେଉଁ ସାହିତ୍ୟକୁ ମନ ହୁଏ, ତାହା ନିଜଭିତରେ ସତେଅବା କୌଣସି ବିରାଟର ପରିଚୟ ଦେଇ ଯାଉଥାଏ; ଅଥୟ କରେ । ନିଜ ଭିତରେ ଏକ ଗିରିଶିଖରର ପରିଚୟ ମିଳେ; ସେହି ଶିଖରଟି ଟାଣେ, —ନିଜ ଭିତରେ କା’ଟିଏ ପରି ଶିଖରଧର୍ମୀ କଣ ଗୋଟିଏ ରହିଥାଏ ବୋଲି ଶିଖରଟି ଟାଣିବାରେ ଲାଗିଥାଏ । ତାହାରି କାହାଣୀ ହେଉଛି ସାହିତ୍ୟ, —ଭାଷାର ବସନ ପରିଧାନ କରି ତାହା ଆପଣାକୁ ଅଭିବ୍ୟକ୍ତ କରେ । ନିଳ ଭିତରଟାକୁ ବାହାରର ଦର୍ପଣ ଉପରେ ଫୁଟାଇ ଦେଉଥାଏ ଏବଂ ବାହାରଟାକୁ ପ୍ରତିଫଳିତ କରି ସେଇଥିରୁ କେତେ ନା କେତେ ବଳ ପାଉଥାଏ ।

 

ଭାରତବର୍ଷ ସ୍ଵାଧୀନ ହେଲା, ଅର୍ଥାତ୍ ଏଥର ଯେ ସିଏ ନିଜ ବାଟଟିକୁ ଚାଲିବା ଲାଗି ସମର୍ଥ ହେବ, ଭିତରୁ ସିଏ ସେଇ ଭରସାଟିକୁ ଲାଭ କଲା । ଭାରତବର୍ଷ ସ୍ଵାଧୀନ ହେଲାବେଳେ ତରୁଣମାତ୍ରକେ ଆମେ କେତେକିଏ ଏହି ଦେଶର ସବୁକିଛିକୁ ନେଇ କେତେ କେତେ ସ୍ଵପ୍ନ ଦେଖିଥିଲୁ । ସେତେବେଳେ ଭବିଷ୍ୟତଟା ହିଁ ସବୁଠାରୁ ଅଧିକ ଉଜ୍ଜ୍ୱଳ ହୋଇ ଦେଖା ଯାଉଥିଲା । ସେହି ଭବିଷ୍ୟତଟାକୁ ଗଢ଼ିବାକୁ ହେବ; କେବଳ ଏକ ରାଷ୍ଟ୍ରୀୟ ଭବିଷ୍ୟ ନୁହେଁ, ତା’ଠାରୁ ଆହୁରି ବହୁତ କିଛି । ଓଡ଼ିଆରେ ଠିକ୍ ସେତିକିବେଳେ ଗୋଟାଏ ଅଲଗା ସ୍ଵର ଶୁଭିବାକୁ ଆରମ୍ଭ କଲା । ଥୋକେ କବି ବାହାରିଲେ, ଯୋଉଁମାନେ ସତେଅବା ଗୋଟାଏ ସର୍କସପାର୍ଟି ପରି ଓଡ଼ିଶାରେ ଆସି ପହଞ୍ଚିଲେ । ଘୋଷଣା କଲେ ଯେ ସେମାନେ କବିତାରେ ଏଣିକି ନୂଆ ଖେଳ ଦେଖାଇବେ, —ଯାହାକୁ କି ତୁମେ ଆଧୁନିକ ବୋଲି କହିପାରିବ । ପ୍ରାୟ ଦଶବର୍ଷ ପୂର୍ବରୁ ଓଡ଼ିଶାରେ ‘ଆଧୁନିକ’ ବୋଲି ଯେଉଁ ପତ୍ରିକାଟିଏ ବାହାରିଥିଲା, ଏ ନୂଆ ଆଧୁନିକତାର ସେଇଟି ସହିତ ଆଦୌ କୌଣସି ସମ୍ପର୍କ ନଥିଲା । ସେଇ ଆଗର ‘ଆଧୁନିକ’କୁ ମାରିଦେବାକୁ କ’ଣ ଏହି ଅନ୍ୟ ଆଧୁନିକତାଟା ଆସି ଆମ ଘର ଭିତରେ ପ୍ରବେଶ କରିଥିଲା କି ? ସବୁଠାରୁ ଅଧିକ ଭେରେସା କଥାଟା ହେଉଛି ଯେ, ଆଗ ‘ଆଧୁନିକ’ ଭିତରେ ସାମିଲ୍ ହୋଇ ଆସିଥିବା କେତେଜଣ କାରିଗର କ’ଣ ଭାବି ବର୍ତ୍ତମାନ ଏହି ନୂଆ କବିତା ଲେଖିବାର ଅଡ଼ାଟି ଭିତରେ ଆସି ପଶିଲେ । ଗୋଟାଏ ଯୁଗ ଆରମ୍ଭ ହେଲା, ଯାହାକୁ ସେମାନେ ଆଧୁନିକ ଯୁଗ ବୋଲି କହିଲେ । ଭାରତବର୍ଷ ରାଜନୀତିକ ସ୍ଵାଧୀନତା ଲାଭ କଲାପରେ ଆଧୁନିକତାର ଯେଉଁ ଆହ୍ଵାନଗୁଡ଼ିକ ଏଠି ଉଦୟକାମୀ ଅନୁରାଗଗୁଡ଼ିକ ଭିତରେ ଉଦବେଳନ ସୃଷ୍ଟି କରିଥାନ୍ତା, ସତେଅବା ସେହି ଆହ୍ଵାନଗୁଡ଼ିକର କ୍ଷେତ୍ରରେ ଆମକୁ ଗୋଟାସୁଦ୍ଧା ବିସ୍ମୃତ ଓ ଅଚେତ କରି ରଖିବାକୁ ସାହିତ୍ୟର ଏହି ନୂଆ ଆଧୁନିକତାଟିକୁ ଡାକି ଅଣା ଯାଇଥିଲା । ଏହି ଏକାନ୍ତ ନବୀନ ମାନେ ଇଂରାଜି ସାହିତ୍ୟରୁ ପ୍ରେରଣା ଆଣିଥିଲେ । ସ୍ଵାଧୀନ ଭାରତକୁ ଅର୍ଥାତ୍ ଭାରତରେ ସ୍ଵାଧୀନ ମଣିଷକୁ ଗଢ଼ିବାରେ ବା ଏପରିକି ସ୍ୱୟଂ ସେହିପରି କିଛି ହୋଇ ଗଢ଼ିହେବାରେ ଏମାନଙ୍କର କୌଣସି ଅଭିଳାଷ ନଥିଲା ବୋଲି ସେମାନେ ନୂଆ କବିତାର ପରମିଟ୍ ଧରି ଆମର ଏହି ମାଟିଟାକୁ ତଥାପି ପଡ଼ିଆ ପକାଇ ରଖିବେ ବୋଲି ଆସି ପହଞ୍ଚିଲେ କି-?

 

ଇଉରୋପକୁ ତ ବୁଝି ହେଉଥିଲା, ମାତ୍ର ଆଧୁନିକତା ନାମରେ ନିଜ ପିନ୍ଧିବା ଲୁଗାଟାକୁ ଅକାତକାତ ଉତ୍ସାହରେ ମୁଣ୍ଡରେ ଠେକା କରି ବାନ୍ଧିଥିବା ଏଠି ଏମାନଙ୍କୁ ସତରେ ବୁଝି ହେଲାନାହିଁ-। ଦ୍ଵିତୀୟ ମହାଯୁଦ୍ଧ ପରେ ଇଉରୋପ କ୍ଷତବିକ୍ଷତ ହୋଇ ପଡ଼ିଥିଲା, —ବିଶ୍ଵାସର ଘରମାନଙ୍କରେ କୁଆ ଉଡ଼ୁଥିଲେ, —ନିଜେ ଭିଆଣ କରିଥିବା ସୁଆଙ୍ଗଟା ସତେଅବା ସେଠି ମଣିଷମାନଙ୍କୁ, ସମୂହଗୁଡ଼ିକୁ ଓ ଆଦର୍ଶମାନଙ୍କୁ ନିଆଁ ପରି ଚାଟିନେଲା । ଇଉରୋପର ମୋହଭଙ୍ଗକୁ ପ୍ରକୃତରେ ବୁଝି ହେଉଥିଲା । ତେଣୁ, ଇଉରୋପର କବିକୁ ମଧ୍ୟ ବୁଝି ହେଉଥିଲା । ମାତ୍ର, ଇଉରୋପକୁ ଇଂରାଜୀ ବହିରୁ ପଢ଼ିଥିବା ଭାରତବର୍ଷର ଥୋକେ କବି କାହିଁକି ହଠାତ୍ ଏପରି ଆନମନା ହେଲେ, ସେହି ବିଷୟରେ ଆହୁରି ଅଧିକ ଗଭୀର ଭାବରେ ଆଲୋଚନା ହେବା ଉଚିତ-। ଠିକ୍ ସେତିକିବେଳେ ସାମ୍ରାଜ୍ୟବାଦର ଶେଷ ଘୋଷଣା କରି ପୃଥିବୀରେ ପ୍ରାୟ ଏକ ନୂତନ ଯୁଗାରମ୍ଭର ସନ୍ଦେଶ ଆଣି ଦେଇଥିବା ଭାରତବର୍ଷରେ କେତେ କେତେ ନିର୍ମାଣର କ୍ଷେତ୍ର ଅପେକ୍ଷା କରି ରହିଥିଲା । ଭାରତର ତାରୁଣ୍ୟ ଅଧିକ ଯୋଗ୍ୟ ହୋଇଥାନ୍ତା, ବିଦେଶରୁ ସାଧବପରି ତା’ ନିର୍ମାଣର ଅନୁକୂଳ ସାମଗ୍ରୀଗୁଡ଼ିକୁ ବୋହି ଆଣିଥାନ୍ତା, —ଏବଂ କବିତାରେ ମଧ୍ୟ ସେହି ନିର୍ମାଣର ବାର୍ତ୍ତା ହିଁ ପ୍ରାଣ ପାଇ ଉଠିଥାନ୍ତା । ଭାରତବର୍ଷରେ ସ୍ଵାଧୀନତା ପାଇଁ ସଂଗ୍ରାମଟିଏ ଲାଗିଥିଲା ବେଳେ ଏହି କବିମାନେ ଆମ ସହିତ ନଥିଲେ କି ? ସ୍ଵାଧୀନ ଭାରତବର୍ଷ ବହୁ ସୁଯୋଗ ଆଣି ଆସିବ, ତେଣୁ ତୁମେ ଆବଶ୍ୟକ ଭାବରେ ସେହି ସୁଯୋଗଗୁଡ଼ିକୁ ନିଜେ ଭୋଗ କରିବାକୁ ପ୍ରସ୍ତୁତ ଓ ସତର୍କ ହୋଇଯାଅ, —ନୂଆ ଆଧୁନିକ କବିତାର ଗର୍ଭରେ ସତେଅବା ଏହିଭଳି ଗୋଟିଏ କୁମନ୍ତ୍ରଣା ଲୁକ୍କାୟିତ ହୋଇ ରହିଥିଲା । ଅର୍ଜୁନକୁ ଅବସାଦ ଘାରି ପକାଇବାକୁ ଆସିଥିବା ସମୟରେ ଶ୍ରୀକୃଷ୍ଣ କ’ଣସବୁ କହି ତାକୁ ସଚେତ କରାଇ ଦେଲେ, ତାର କ୍ଳୈବ୍ୟ ଦୂର କଲେ-। ନୂଆ ହୋଇ ସ୍ଵାଧୀନତା ପାଇଥିବା ଗୋଟିଏ ଦେଶରେ ତରୁଣର ମନ ନେଇ ସମ୍ପୃକ୍ତ ସମସ୍ତେ ଆମେ ନୂତନ ଗଠନର କ୍ଷେତ୍ରରେ କିପରି ଭୂମିକା ଗ୍ରହଣ କରିବା ଓ ସେଥିପାଇଁ କିପରି ପ୍ରସ୍ତୁତ ହେବା ବୋଲି ଯେ ଭାବିବା, କାଳ ସେଇଥିଲାଗି ଅପେକ୍ଷା କରି ରହିଥିବା ସମୟରେ ଏହି କବିମାନେ କ’ଣ ଭାବି ମଣିଷମାନଙ୍କ ସମେତ ସମସ୍ତ ଯୁଗଟାକୁ ହିଁ କ୍ଳୀବ କରି ରଖିବାକୁ ଏପରି ଉତ୍ସାହୀ ହେଲେ ? ଭାରତବର୍ଷର ଭାଗ୍ୟ ଅତ୍ୟନ୍ତ ମନ୍ଦ ଯେ, ପରବର୍ତ୍ତୀ ବହୁ ଦଶକ ପର୍ଯ୍ୟନ୍ତ କ୍ଳୈବ୍ୟ ହିଁ ଯାବତୀୟ ନେତୃତ୍ଵସ୍ଥାନରେ ଏଠି ରାଳା ହୋଇ ବସିଥିଲା । ଶାସନର କ୍ଳୈବ୍ୟ ସାହିତ୍ୟକୁ କ୍ଳୀବ କରି ରଖିଲା ଏବଂ ସାହିତ୍ୟର କ୍ଳୈବ୍ୟ କ୍ଳୀବ ଶାସନଟାକୁ ମଧ୍ୟ ସହନୀୟ କରି ଆଣିବାରେ ଭାରି ସହଯୋଗ କଲା ।

 

ଓଡ଼ିଆ କବିତାରୁ ଏହି ଆଧୁନିକତା ଓଡ଼ିଆ ନାଟକକୁ ସଂକ୍ରାମିତ ହେଲା । ଏକ ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ଭବତଃ ଅଧିକ ପାରୁଆମାନେ ତାହାକୁ ଗଳ୍ପ ଏବଂ ଉପନ୍ୟାସ ଭିତରକୁ ଆଣିବାକୁ ପ୍ରୟାସ କରିଥିଲେ । ଏହି ସବୁକିଛିକୁ କେଡ଼େ କେଡ଼େ ଅଳିଅଳରେ ପ୍ରୟୋଗ ବୋଲି କୁହାଗଲା । ଅସଲ ଯାବତୀୟ ପ୍ରୟୋଗ ମଣିଷ ନିଜକୁ ନେଇ କରେ । ମାତ୍ର, ଗୋଟାଏ ମୋହଯୁକ୍ତ ଅନୁକରଣକୁ କବିତାର ଧାଡ଼ୀଗୁଡ଼ାକରେ ଅଙ୍କାଇ ବଙ୍କାଇ ଉକୁଟାଇ ଆଣିବାକୁ କାହିଁକି ଏକ ପ୍ରୟୋଗ ବୋଲି କୁହାଗଲା କାହିଁକି ? କାହିଁକିର ଉତ୍ତର ହେଉଛି, ଯେଉଁ ପ୍ରବୀରମାନେ ଏହି ଭାବାତିଶଯ୍ୟରେ ମାତିଥିଲେ, ସେମାନେ କାଳର ହିସାବ ଅନୁସାରେ ଶିକ୍ଷିତ ଥିଲେ, ଇଂରାଜି ସାହିତ୍ୟର କାଞ୍ଚନକୁଣ୍ଡରେ ସ୍ନାନ କରିଥିଲେ ଏବଂ ସାଧାରଣତଃ ଉଚ୍ଚ ପଦରେ ରହିଥିଲେ । ସମ୍ଭବତଃ ଏହି କାରଣରୁ ଆଧୁନିକତା ବୋଲାଉଥିବା ସାହିତ୍ୟର ଏହି ଯୁଗଟି ଆମରି ଏଠି ଏପର୍ଯ୍ୟନ୍ତ ରହିଛି ଓ ତୁଣ୍ଡ ବଜାଇ ହେଉଛି । ସ୍ଵାଧୀନତା-ପରବର୍ତ୍ତୀ ଭାରତର ଶାସନ ପରି ସ୍ଵାଧୀନତା-ପରବର୍ତ୍ତୀ କବିତାର ଏହି ଯୁଗଟି ମଧ୍ୟ ପ୍ରାୟ ଧର୍ମତଃ କୁହେଳିକାଚ୍ଛନ୍ନ ହୋଇ ରହିଛି । ଏହି ଦେଶର ପୂର୍ବବର୍ତ୍ତୀ ସାହିତ୍ୟଯୁଗଟି ମଧ୍ୟରେ ଏହି କବିତାର ଆଦୌ କୌଣସି ଚେର ନାହିଁ । ଯେଉଁଠାରେ ଆଧୁନିକତା ଆମ ପୂର୍ବବର୍ତ୍ତୀ ଅଭିବ୍ୟକ୍ତିଗୁଡ଼ିକର ଏକ ଅବିଚ୍ଛିନ୍ନ ସଂପ୍ରସାରଣ ଓ ବିବର୍ତ୍ତନ ପରି ଆମଯାଏ ଲମ୍ବି ଆସି ନଥାଏ, ସେଠାରେ କେଉଁଠି ନା କେଉଁଠି କ’ଣ ଗୋଟାଏ ରୁଗ୍ଣତା ରହି ଯାଇଥାଏ, ସତେଅବା ଅତ୍ୟନ୍ତ ପରାକ୍ରମ ସହିତ କିଏ ଗୋଟାଏ ପ୍ରବଞ୍ଚନା କରୁଥାଏ ଓ ଆଉ କେଉଁମାନେ ପ୍ରବଞ୍ଚିତ ହେବାରେ ଲାଗିଥାନ୍ତି । ଏହି ନୂଆ କବିତାମାନ ଏଠି ଆଦୌ କେଉଁଠାରେ ହେଲେ ଭୂଇଁ ଉପରେ ଛିଡ଼ା ହୋଇଥିବା ପରି ଦିଶୁ ନଥାନ୍ତି, ସତେଅବା ଉପରୁ କୋଉଠୁ ଓହଳି କରି ରହିଥାନ୍ତି । ଭାରତବର୍ଷର ଶାସନ, ଶିଷ୍ଟତା, ସାଧୁତା ଏବଂ ଶିକ୍ଷିତତା ଯେମିତି ଅଧିକାଂଶତଃ ଓହଳି କରି ରହିଛି ଏବଂ ତାହାକୁ ମୋଟେ ଭୂଇଁଟିଏ ମିଳି ପାରୁନାହିଁ, ଇଏ ପ୍ରାୟ ସେହିପରି ଗୋଟିଏ ବ୍ୟାପାର ।

 

ଶାନ୍ତିନିକେତନରେ ସଭାମାନଙ୍କରେ ଯେଉଁ କବିତାମାନ ପଢ଼ାହୁଏ, ସେଥିରେ ଏହିଭଳି ଏକ ଆଧୁନିକତା ଭରପୂର ହୋଇ ରହିଥାଏ । ହୁଏତ ବକ୍ତବ୍ୟ କିଛି ନଥାଏ, ତଥାପି ଭଙ୍ଗୀ ବା ଶୈଳୀଟା ସତେଅବା କାହାଣେ ରୌପ୍ୟମୁଦ୍ରା ଦିଆହୋଇ କିଣା ହୋଇ ଆସୁଥିବା ପରି ମନେ ହେଉଥାଏ । କବିତାମାନେ ସତେଅବା ଆଦୌ କୌଣସି ଭୂମି ଉପରେ ଛିଡ଼ା ହୋଇନଥାନ୍ତି, ତଥାପି ଚକଚକ ଦିଶୁଥାନ୍ତି । ସତେଅବା ଯାବତୀୟ ଭୂମିକୁ ଅସ୍ଵୀକାର କରିବା ନିମନ୍ତେ କବି କବି ଭିତରେ ପ୍ରତିଯୋଗିତା ଲାଗିଥାଏ । ନିଜ ସାଙ୍ଗମାନେ ହିଁ ତ କବି, ତେଣୁ ସେମାନଙ୍କୁ ସଭାର ବାହାରେ ବି ଦେଖିବାର ଓ କଳନା କରିବାର ବହୁ ସୁଯୋଗ ମିଳି ଯାଉଥାଏ । ସତେଅବା ଦୁଇଟା ମଣିଷ ଗୋଟାଏ ଧଡ଼କୁ ଆଶ୍ରା କରି ରହିଛନ୍ତି । ଗୋଟାଏ ଆଉ ଗୋଟାକର କୌଣସି ଖବର ରଖୁନାହିଁ । ମନୋବିଶ୍ଳେଷକ ସିଗ୍‍ମୁଣ୍ଟ୍‍ ଫ୍ରଏଡ଼୍‍ ଫ୍ରଏଡ଼ଙ୍କର ପରିଭାଷା ଅନୁସାରେ ସୂତ୍ରଟିଏ ପକାଇ କହିଲେ, ଯେତେବେଳେ ଗୋଟାଏ ଶୋଇ ପଡ଼ୁଛି, ସେତେବେଳେ ଆରଟା ପ୍ରକୋପ କରିବାକୁ ଆସି ପହଞ୍ଚି ଯାଉଛି; ଏବଂ ଯେତେବେଳେ ସେହି ପ୍ରଥମଟା ବାଡ଼ି ଧରି ଦୁଆରବନ୍ଧ ଉପରେ ଜଗି ବସୁଛି, ସେତେବେଳେ ଦ୍ଵିତୀୟଟା ସତେଅବା କୋଉଠି ଯାଇ ଲୁଚି ବସୁଛି । ପ୍ରକୃତରେ ବଡ଼ ଦୁଃସହ ଏ ଜୀବନ, —ମଣିଷକୁ ଭାରି ଅକାମୀ କରି ପକାଏ, ଜୀବନଟାକୁ ବଡ଼ ଅସହଜ କରି ରଖିଥାଏ । ଯେତିକି କଥାରେ ପ୍ରକାଶିତ ହୁଏ, ତାହାର ଦଶଗୁଣ ହୁଏତ ପ୍ରକାଶିତ କଥାଗୁଡ଼ିକର କେତେ କେତେ ରନ୍ଧ୍ର ଭିତରେ ଲୁଚି ରହିବାକୁ ଇଚ୍ଛା କରୁଥାଏ । ଯାହାର ଆତ୍ମାଟି ତା’ କବିଆତ୍ମାଟି ସହିତ ଏହିପରି ଭାବରେ ଅସଂପୃକ୍ତ ହୋଇ ରହିଥାଏ । ସେହି କବିକୁ ପ୍ରକୃତରେ ଧନ୍ୟ କହିବ ।

 

ମୋତେ ସାହିତ୍ୟ ଭଲ ଲାଗୁଥିଲା, କାରଣ ଜୀବନ ମୋତେ ଭଲ ଲାଗୁଥିଲା ଓ ମୁଁ ସେହି ଜୀବନସହିତ ନିବିଡ଼ ଭାବରେ ଯୁକ୍ତ ହୋଇ ରହିବାକୁ ଚାହୁଥିଲି । ସ୍ଵାଧୀନତା ପରେ ଓଡ଼ିଆ କବିତା ଯେପରି ସତେଅବା ଶବ୍ଦର ଆଭରଣ ଭିତରେ କବିର ଅସଲ ଓ ସମଗ୍ର ପରିଚୟଟିକୁ ଲୁଚାଇ ରଖିବ ବୋଲି ମନ କରୁଥିଲା ଏବଂ ଆଧୁନିକ କବିତା ବୋଲି କହିଲେ ହିଁ ଯେପରି ନିଜକୁ ଲୁଚାଇ ରଖିବାର ଏକ କଳାତ୍ମକ କାରିଗରିକୁ କ୍ରମେ ବୁଝାଇବାକୁ ଆରମ୍ଭ କଲା, ମୂଳତଃ ସେହି କାରଣରୁ କବିତା ଆଡ଼ୁ ମୋ’ର ସରାଗ ଛିଣ୍ଡି ଛିଣ୍ଡି ଆସିଲା କି ? ଯଦି ସାହିତ୍ୟ କହିଲେ ଆହୁରି କେତେ ପ୍ରକାର ସର୍ଜନତ୍ମକତାକୁ ବୁଝାଇବ, ତେବେ ଅଧିକାଂଶ ମଣିଷ ସବାଆଗ କବିତା ଓ ଗଳ୍ପକୁ ହିଁ କାହିଁକି ସୃଜନାତ୍ମକ ସାହିତ୍ୟ ବୋଲି କହନ୍ତି । କେବଳ ପଦ୍ୟ ଚାଲୁଥିବା ଯୁଗରେ ଗଦ୍ୟକୁ ସର୍ଜନାତ୍ମକ ବୋଲି ସୁମାରି କରିବାକୁ ସୁଧୀମାନେ ମୋଟେ ରାଜି ହେଉନଥିଲେ । ଏବେ ବି ସାହିତ୍ୟ ସହିତ ଅନୁରାଗ ସୂତ୍ରରେ ବାନ୍ଧି ହୋଇ ରହିଥିବା ବହୁତ ବ୍ୟକ୍ତି ସୃଜନାତ୍ମକ ସାହିତ୍ୟ କହିଲେ କେବଳ କବିତା, ଗଳ୍ପ ଓ ଉପନ୍ୟାସକୁ ବୁଝୁଥିବେ । ମୁଁ ଜୀବନରେ ଲୁଚି ରହିବାକୁ, ରୁଷି ବସିବାକୁ ଗ୍ରହଣର ଦ୍ଵାରଗୁଡ଼ିକୁ ସଙ୍କୁଚିତ କରିବାକୁ ନିଜ ଜୀବନରେ କୌଣସି ପ୍ରୟୋଜନ ଅନୁଭବ କରିନାହିଁ । ତାହାକୁ ଏକ ସଉକରେ ପରିଣତ କରି ରଖିବା ବିଷୟରେ ତ ସେଥିଲାଗି ଆହୁରି କମ୍ ପ୍ରୟୋଜନ ରହିବା ହିଁ ଉଚିତ୍ । ତେଣୁ କବିତାମାନେ ମହୁଫେଣା ପରି ଭର୍ତ୍ତିହୋଇ ରହିଥିବା ଶାନ୍ତିନିକେତନର ତୋଟା ଭିତରକୁ ଆସି କ୍ରମେ କବିତା ଭିତରୁ ମୋହ ତୁଟି ଆସିଥିଲା । ଗାନ୍ଧୀଜୀଙ୍କର ପ୍ରୟାଣ ପରେ ସେହି ଘଟଣାଟିକୁ ଅବସରରୂପେ ବ୍ୟବହାର କରି କେତୋଟି କବିତା ଲେଖିଥିଲି । ‘ଗାନ୍ଧୀ କୋଇଲି’ ବୋଲି କ’ଣଟିଏ ଲେଖିଥିଲି ଓ ତାହା ଗାନ୍ଧୀ ଶ୍ରାଦ୍ଧ ସଂଖ୍ୟା ‘କୃଷକ’ ରେ ବାହାରିଥିଲା ବୋଲି ବେଶ୍ ମନେପଡ଼ୁଛି । ଏବଂ, ତା’ପରେ ଆଉ କେତେବେଳେ କବିତା ଲେଖିବାକୁ ଆଗ୍ରହ ହୋଇନାହିଁ । ତଥାପି, ଯେକୌଣସି ସାହିତ୍ୟ ପ୍ରତ୍ରିକା ହାତକୁ ଆସିଲେ, ଏବେ ମଧ୍ୟ ମୁଁ ତାହାର କବିତାଂଶଟିକୁ ଆଗ ପାଠ କରିବାକୁ ସବୁବେଳେ ଇଚ୍ଛା କରିଥାଏ ।

 

ଯେତେଦୂର ମନେ ପଡ଼ୁଛି, ଶାନ୍ତିନିକେତନ ବିଷୟରେ ଲେଖାଟିଏ ଲେଖି ମୁଁ ଡକ୍ଟର ମାୟାଧର ମାନସିଂହଙ୍କ ଦ୍ଵାରା ସମ୍ପାଦିତ ‘ଶଙ୍ଖ’ ପତ୍ରିକାକୁ ପଠାଇଥିଲି । ସେଇଟି ପ୍ରକାଶିତ ହୋଇଥିଲା । ପ୍ରବନ୍ଧଟିକୁ ପ୍ରସ୍ତୁତ କରିବାକୁ ବହୁତ କସରତ କରିବାକୁ ପଡ଼ିଥିଲା, ଇଚ୍ଛା ହେଉଥିଲା, ଶାନ୍ତିନିକେତନ ସମ୍ବନ୍ଧରେ ମୁଁ ଜାଣିଥିବା ସବୁ କଥାକୁ ଗୋଟିଏ ପ୍ରବନ୍ଧ ମଧ୍ୟରେ ଖୁନ୍ଦି ଖୁନ୍ଦି ଲେଖିଦେଇ ପାରନ୍ତି କି ? ସିଏ ଏକ ଅଦ୍ଭୁତ ପ୍ରବୃତ୍ତି, ଯାହା ଭାରି ଜଞ୍ଜାଳରେ ପକାଏ ଓ ସବୁଠାରୁ ଭଲ କରି କ’ଣଟିଏ ଲେଖି ପ୍ରସ୍ତୁତ କରିବାର ପ୍ରୟାସଟି ସେହି ପ୍ରକ୍ରିୟାରେ ପ୍ରସ୍ତୁତ ହେଉଥିବା ସାମଗ୍ରୀଟିକୁ ଭାରି କ୍ଷତବିକ୍ଷତ କରିପକାଏ । ତେଣୁ, ସବୁ ଲେଖକ ବୋଧହୁଏ ପ୍ରବନ୍ଧକୁ ମନ କରନ୍ତି ନାହିଁ । ନିଜ ଲଗାମ ଯେତିକି ଯେତିକି ନିଜ ହାତକୁ ଆସେ, ନିଜ ସହିତ ରହି ଆସିଥିବା ଉଭା ଓ ପୋତା ଅନେକ ବଇରୀପଣକୁ ପରିହାର କରିବାକୁ ପଡ଼େ, ଏକ ଅତ୍ୟନ୍ତ ଚିହ୍ନା ଘରଟିଏ ପରି ଇଚ୍ଛା ହେଲା ମାତ୍ରକେ ନିଜ ଭିତରେ ଯେତେ ଇଚ୍ଛା ସେତେ ଦୂରଯାଏ ଯାଇହୁଏ, ଆପଣାକୁ ବିନା ସଙ୍କୋଚରେ ଛୁଇଁ ହୁଏ—ହୁଏତ ତେବେ ଯାଇ ପ୍ରବନ୍ଧକୁ ହିଁ ନିଜ ଲେଖାର ପ୍ରଧାନତମ ଆଙ୍ଗିକରୂପେ ଗ୍ରହଣ କରିହୁଏ । ପ୍ରବନ୍ଧରୁ ଭ୍ରମଣ କାହାଣୀକୁ ମନ ବାଲିଲା । ଭ୍ରମଣ କାହାଣୀରୁ Belles-Letters, ଯାହାକୁ ଓଡ଼ିଆରେ ଆମେ ଗେହ୍ଲାକରି ରମ୍ୟରଚନା ବୋଲି କହୁଛୁ । ନିଜକୁ ଯଥାସମ୍ଭବ ସଂପୂର୍ଣ୍ଣ ଭାବରେ ସାଙ୍ଗରେ ନେଇ ଜୀବନ ଭିତରେ ଶ୍ରଦ୍ଧାର ସହିତ, ସତେଅବା କୋଉଠି କୋଉ ମିତ୍ରମାନଙ୍କୁ ଠାବ କରିବାର ଅଭିଳାଷ ସହିତ ବାହାରିଥିବା ପରି ଭ୍ରମଣ କରି ପାରିଲେ, ଆମେ ତାହାକୁ ହିଁ ରମ୍ୟରଚନା ବୋଲି କହିପାରିବା । ପ୍ରବନ୍ଧ, ଭ୍ରମଣ କାହାଣୀ, ରମ୍ୟରଚନା,–ଏହି ସବୁକିଛିରେ ଆଗ ଆତ୍ମିକ, ତା’ପରେ ଯାଇ ଆଙ୍ଗିକ । ଆଗ ଆତ୍ମାଟିଏ, ତା’ପରେ ସେହି ଅନୁସାରେ ତା’ର ଶରୀର ବିନ୍ୟାସ । ଅର୍ଥାତ୍ ଆଗ ସନ୍ଦେଶଟିଏ ଏବଂ ତା’ପରେ ଯାଇ ସେହି ଅନୁସାରେ ଗୋଟିଏ ଶୈଳୀ । ଏଗୁଡ଼ିକ ପ୍ରତ୍ୟେକଟି ହେଉଛନ୍ତି ମନୁଷ୍ୟ ସାନ୍ନିଧ୍ୟର ଗୋଟିଏ ଗୋଟିଏ ସହୃଦୟତାପୂର୍ଣ୍ଣ ମୁଚାଲିକା ପରି । ଏସବୁରେ ହାତ ଦେଲେ ଅର୍ଥାତ୍ ଏଗୁଡ଼ିକୁ ସାହିତ୍ୟ ରଚନାର ଛାଞ୍ଚରୂପେ ଗ୍ରହଣ କଲେ ମଣିଷ ଆଉ ମୋଟେ ଉଦାସୀନ ହହୋଇ ରହିପାରିବ ନାହିଁ । ନିଜପ୍ରତି ବି ଉଦାସୀନ ହୋଇ ରହିପାରିବ ନାହିଁ । ଏହି ଲେଖାଗୁଡ଼ିକରେ ଯେତେଯାହା ପ୍ରସଙ୍ଗର ଉତ୍‍ଥାପନ କରାଯିବ, ସେଥିରେ ନିଜେ ମଧ୍ୟ ଓତପ୍ରୋତ ଓ ଅନ୍ତରଙ୍ଗ ଭାବରେ ସଂଯୁକ୍ତ ହୋଇ ଅବଶ୍ୟ ରହିଥିବ । ହୁଏତ ତାହାହିଁ ଏକ ବଡ଼ କାରଣ, ଯେଉଁଥିପାଇଁ ପ୍ରବନ୍ଧଟିଏ କିମ୍ବା ରମ୍ୟରଚନାଟିଏ ଲେଖିସାରିବା ପରେ ନିଜ ଭିତରେ ମଧ୍ୟ ସାତଟା ଗଣ୍ଠି ଖୋଲି ଯାଇଥିବା ପରି ଅନୁଭବ ହୋଇଥାଏ, ସତେଅବା ନିଜେ ସନ୍ଧାନରେ ବାହାରିଥିବା କୌଣସି କେନ୍ଦ୍ର ଆଡ଼କୁ ସାତ ପାହୁଣ୍ଡ ଆଗେଇ ଯିବା ପରି ଅନୁଭବ ହୋଇଥାଏ ।

 

କବିମାନେ ଭାରି ବାନ୍ଦର ଲାଗନ୍ତି । ଏକ ଆରେକୁ ସହ୍ୟ କରି ପାରନ୍ତି ନାହିଁ । ସଂସାରରେ କେବଳ ଜଣେ କବି ରହିଥାନ୍ତା, ଅର୍ଥାତ କେବଳ ମୁଇଁ ଥାଆନ୍ତି—ଅଧିକାଂଶ କବି ସତେଅବା ନିଜ ବୃତ୍ତିଗତ କୌଣସି ତାଡ଼ନାର ବଶବର୍ତ୍ତୀ ହୋଇ ନିଜକୁ ଆଉ କାହା ପଙ୍ଗତରେ ନେଇ ବସାଇଲେ ମୋଟେ ଖୁସୀ ହୁଅନ୍ତି ନାହିଁ । କ’ଣ ପାଇଁ କେଜାଣି, ଭାରି ମାନୀ ହୁଅନ୍ତି, ନିଜ ପାଇଁ ଦ୍ଵୀପଟିଏ ଅଥବା ଢିପଟିଏ ତିଆରି କରି ତାହାରି ଉପରେ ଉଚ୍ଚ ହୋଇ ବସିବାକୁ ଭାରି ଭଲ ପାଉଥାନ୍ତି ।

 

ନିଃସଙ୍ଗ ହେଲେ ପ୍ରବନ୍ଧ ଲେଖା ହୁଏନାହିଁ । ଜୀବନ ବଞ୍ଚି ବି ହୁଏନାହିଁ । ଜୀବନରୁ ପଳାଇ ଯାଇହୁଏ । ଭାରତବର୍ଷରେ ସଂସାରଟାକୁ ଯାବତୀୟ ଦୁଃଖ ଓ କ୍ଷଣଭଙ୍ଗୁରତାର କ୍ଷେତ୍ର ବୋଲି ଘୋଷଣା କରି ଯୂଥ ଯୂଥ ଅଭିମାନୀ ମଣିଷ ବାବାଜୀ ହୋଇ ପଳାଇଛନ୍ତି । ଏମାନେ ଖୁବ୍ ସମ୍ଭବ କାହାରି ସଙ୍ଗୀ ହୋଇ ପାରିଲେନାହିଁ ବୋଲି ଅରଣ୍ୟକୁ ପଳାଇଛନ୍ତି । ଅରଣ୍ୟକୁ ସଂସାରର ବାହାରେ ବୋଲି ବିଚାର କରିଛନ୍ତି । ଗାଡ଼ିରେ ଚଢ଼ି ଯା’ ଆସ କରୁଥିବା ଏମିତି ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ସେମାନଙ୍କୁ କେହି ଉଚିତ ରୀତିରେ ଅଭ୍ୟର୍ଥନା କରିବାକୁ ନଆସିବା ପର୍ଯ୍ୟନ୍ତ ଗାଡ଼ିରୁ ଓହ୍ଲାନ୍ତିନାହିଁ । ଏମାନେ ସଂସାର ପାଖକୁ ଯାଆନ୍ତିନାହିଁ, ସଂସାର ସେମାନଙ୍କ ପାଖକୁ ଆସୁ ବୋଲି ଖୁମାଣ କରି ବସିଥାନ୍ତି । ସାହିତ୍ୟରେ ମଧ୍ୟ ଏହିଭଳି ମଣିଷଙ୍କ ସହିତ ଖୁବ୍ ଭେଟ ହୁଏ । ଏହି ଅଭିଲା ମଣିଷମାନେ ନିଜେ ଲେଖୁଥିବା ସାହିତ୍ୟକୁ ସତେଅବା ଗୋଟିଏ ଗାଡ଼ି ପରି ମନେ କରନ୍ତି ଏବଂ ସମୁଚିତ ଅଭ୍ୟର୍ଥନା ପାଇଁ ଚାହିଁ ବସିଥାନ୍ତି । ଭାରି ସନ୍ତାପିତ ହୋଇ ରହିଥାନ୍ତି । ଅନ୍ୟମାନେ ସେମାନଙ୍କର ତରାଜୁରେ ଓଜନ କରି ସେମାନଙ୍କୁ ଯେତିକି ସ୍ଵୀକୃତ ଦେଉଥାନ୍ତି, ସେମାନେ ସେତିକିକୁ ଆଦୌ ସମୁଚିତ ବୋଲି ଭାବନ୍ତିନାହିଁ, ବର˚ ସେମାନେ ସ୍ୱୟଂ ନିଜର ଗେଲବସରିଆ ସ୍ଫଟିକଟା ଉପରେ ନିଜକୁ ଯେତିକି ବଡ଼ କରି ଦେଖୁଥାନ୍ତି, ଚରାଚର ସମସ୍ତେ ସେମାନଙ୍କୁ ସେତିକି ପୃଥକ କରି ଦେଖୁ ବୋଲି ସେମାନେ ପ୍ରାୟ ଏକ କଳାତ୍ମକ ଉଗ୍ରତାରେ ପାଚି କରି ରହିଥାନ୍ତି । ସାହିତ୍ୟକୁ ସେମାନେ ସତେଅବା ନିଜର କନିଆଁ ପରି ଦେଖୁଥାନ୍ତି, ବା, ନିଜକୁ ନିଜର କନିଆଁ ବୋଲି ଭ୍ରମ କରି ତାହାରି ସହିତ ବାହା ହୋଇ ପଡ଼ିଥାନ୍ତି । ହୁଏତ ଲାଖ ବିନ୍ଧି ଆସେନାହିଁ, ତଥାପି ସେମାନେ ନିଜ ତରଫରୁ ବଇନା ପଠାଇ ସ୍ୱୟଂବର ସଭାମାନଙ୍କରେ ଯାଇ ବସିଥାନ୍ତି । ଓଡ଼ିଶାରେ ସାହିତ୍ୟ ବା ସଂସ୍କୃତିକୁ ଆଳ କରି ଯେଉଁ ସଭା ସବୁ ବସେ, ସାହିତ୍ୟର ଆଖି ନେଇ ସେଠାକୁ ଯାଇଥିବା ଯେକୌଣସି ମଣିଷର ଆଖିରେ ସେହି କାରଣରୁ ତାହା ସତେଅବା ଏକ ସ୍ୱୟଂବର—ସଭା ପରି ଦେଖା ଯାଉଥାଏ ।

 

ସାହିତ୍ୟକୁ ଅଥବା ନିଜକୁ ନିଜର କନିଆଁ ବୋଲି ଭାବୁଥିବା ମଣିଷମାନଙ୍କର କଦର ଯେଉଁ ସମାଜରେ ବେଶୀ ଥାଏ, ସେହି ସମାଜରେ ସତେଅବା ନିପାତନସିଦ୍ଧ ଭାବରେ ଅତିରିକ୍ତ ପରିମାଣରେ କବିତା, ଗପ, ଉପନ୍ୟାସ ଏବଂ ନାଟକ ଲେଖାହୁଏ । ପ୍ରବନ୍ଧ ପାଇଁ ସେତେବେଶୀ ହୋସ୍ ରହେନାହିଁ । କାମୁକ ଲୋକମାନେ ଏପରି ପ୍ରବଳ ଭାବରେ ଆପଣାର କାମ ପ୍ରବୃତ୍ତିଟା ସହିତ ଜଡ଼ିତ ହୋଇ ରହିଥାନ୍ତି ଯେ ପ୍ରେମଯାଏ ଯାଇ ପହଞ୍ଚି ପାରିବାକୁ ସେମାନଙ୍କର ଧୈର୍ଯ୍ୟ ନଥାଏ, ବଳ ମଧ୍ୟ ନଥାଏ । ଆଧୁନିକ ସାହିତ୍ୟାଙ୍ଗନ ମାନଙ୍କରେ ସ୍ଵାଧୀନ ଭାରତବର୍ଷର ବିଗତ ପଚାଶବର୍ଷରେ ଯେଉଁ ନିଃସଙ୍ଗତା କଥା କୁହାଗଲା, ହୁଏତ ଏହିପରି ଏକ ପୃଷ୍ଠ ଭୂମିରେ ତାହାର ବିଚାର କରାଯାଇପାରେ । ଭାରତବର୍ଷ ସ୍ଵାଧୀନ ହେଲା ସମୟରେ ଏଠି ପାଠୁଆ ଅଳପ ଥିଲେ, ତା’ଠାରୁ ଆହୁରି ଅଳପଙ୍କର ବହି ସହିତ ଆଦୌ କୌଣସି ସମ୍ପର୍କ ଥିଲା । ସ୍ଵାଧୀନ ଭାରତବର୍ଷଟାକୁ ପ୍ରଧାନତଃ ସେଇମାନେ ଭୋଗ କଲେ । ସମୀକ୍ଷାକୁ ଦେଶାନ୍ତରିତ କରି ରଖିଲେ, ଗୋଟାଏ ଭାରି ବହଳମୁହା ସ୍ପୃହାହୀନତାକୁ ସେମାନେ ଅତ୍ୟାଗ୍ରହ ସହିତ ଆଦରି ରହିଲେ । ଆମ ସାହିତ୍ୟମାନଙ୍କୁ ଭୂଇଁଛଡ଼ା କରି କେତେ କୁଆଡ଼େ ହୁରୁଡ଼ାଇ ନେଲେ । ସେମାନେ ମୂଳତଃ ନିଜ ପ୍ରୀତିରେ ମଜ୍ଜିଗଲେ; —ଦେଶରେ ଯେ ଆଉ କୋଟି କୋଟି ମଣିଷ ଅଛନ୍ତି, ସ୍ଵାଧିନତାର ତୋରଣଦେଶକୁ ଆସି କେତେ କେତେ ପୁନର୍ଗଠନ ଓ ନବନିର୍ମାଣ ଯେ ଏହି ଦେଶର ମଣିଷପାଇଁ ଅପେକ୍ଷା କରି ରହିଛି, ଆତ୍ମରତିମାନେ ସେକଥାକୁ ସତେଅବା ସ୍ଵପ୍ରୟୋଜନରେ ପଡ଼ି ପାସୋରି ପକାଇଲେ । ଏହି ପର୍ଯ୍ୟାୟଟାରେ ଯେ କୁଢ଼ କୁଢ଼ କବିତା ଓ ଗପ ଲେଖାହେଲା, କ୍ଳାନ୍ତ ଅପରାହ୍ନମାନଙ୍କରେ ଅବଶ ପ୍ରଜାପତିମାନେ ଯେ ଜୀବନକୁ ସତେଅବା ଉଢ଼ୁଆଳ କରି ରଖିବାକୁ ସାହିତ୍ୟକୁ କଲବଲ କଲେ, ଏହା ଆମକୁ ଆଦୌ ବିଚିତ୍ର ଲାଗିବା ଉଚିତ ନୁହେଁ । ବିତର୍କ ବେଆଇନ୍ ହୋଇ ରହିଗଲା । ସତ୍ୟ ଯେ ଅନେକାନ୍ତ ହୋଇପାରେ,many splendoured ହୋଇପାରେ, ସେକଥା ଅନ୍ଦାଜ କରିବାକୁ ସାହିତ୍ୟରେ ରମଣ କରୁଥିବା ସାମନ୍ତବର୍ଗ ଆଉ ଆବଶ୍ୟକ ମନେ କଲେନାହିଁ । ସତେଅବା କୌଣସି ଏକଆଖିଆ ରାଜା ପରି ନିଜ ନିଜ ନଅର ଭିତରେ ଉଦ୍ଧତ ହୋଇ ରହିଲେ । ଯେଉଁ ସମାଜ ଅଧିକ ବିତର୍କ ନିମନ୍ତେ ରାଜି ହୁଏ, ସେହି ସମାଜରେ ହିଁ ସାହିତ୍ୟରେ ପ୍ରବନ୍ଧନାମକ ସେହି ବିଶେଷ ଧାରାଟି ଯଥେଷ୍ଟ ଅନୁକୂଳତା ଲାଭ କରିଥାଏ । ପ୍ରବନ୍ଧ ଗେହ୍ଲାମାନଙ୍କର ଧନ୍ଦା ନୁହେଁ, ତାହା ଯବନମାନଙ୍କର ସାରଣୀ । ଆଧୁନିକ ଓଡ଼ିଶାରେ ଆମ ସାହିତ୍ୟିକ ଯାବତୀୟ କରଣା କାହିଁକି ଗେହ୍ଲାମାନଙ୍କର କନ୍ଦୁକପ୍ରାୟ ହୋଇଗଲା, ତାହାର ମଧ୍ୟ ଏକ ଗବେଷଣା କରା ଯାଇପାରେ-

 

ଶାନ୍ତିନିକେତନରେ, ହୁଏତ ସେଠା ପରିବେଶରୁ ସେମାନେ ସେହିପରି କିଛି ପାର ବି ଯାଆନ୍ତି, ଅଧିକାଂଶ ମଣିଷ କବି ହୁଅନ୍ତି । ସେତେବେଳେ ଆମ ଛାତ୍ରାବାସରେ ଯେଉଁ କେତେଜଣ ସାହିତ୍ୟ ଭିତରେ ଥିଲେ, ସେମାନେ ପ୍ରାୟ ସମସ୍ତେ କବିତା ଲେଖୁଥିଲେ । ମୁଁ ମଧ୍ୟ ଆରମ୍ଭରେ ତାହାହିଁ କରୁଥିଲି । ମାତ୍ର, ଦୁଇ ତିନିବର୍ଷ ପରେ ପୂରାପୂରି ମୋଡ଼ ବଦଳିଗଲା । ମୋ’ର ଆଖିରେ ଅଧିକରୁ ଅଧିକ ଅନ୍ତରଙ୍ଗ ଭାବରେ ପ୍ରକୃତି ଧରା ଦେଲା, ପୃଥିବୀ ଧରା ଦେଲା, —ମଣିଷମାନେ ଧରା ଦେଲେ । ମୁଁ କାହାକୁ ଛାଡ଼ିବି ଓ କାହାକୁ ରଖିବି, କିଛି ବୁଝି ପାରୁନଥାଏ । ସେହି ସ୍ଥାନର ଗ୍ରନ୍ଥାଗାର ମୋତେ ପୃଥିବୀକୁ ସତତ୍ ବୃହତ୍ତର ରୂପରେ ଆବିଷ୍କାର କରିବା ସଙ୍ଗେ ସଙ୍ଗେ ଯାବତୀୟ ଅର୍ଥରେ ନିଜର ଅସଲ ଧର୍ମଟି ପାଖକୁ ଫେରି ଆସିବାରେ ପ୍ରକୃତରେ ଜନନୀ ପରି କାର୍ଯ୍ୟ କରିଥିଲା । ସମୀକ୍ଷା ବ୍ୟତୀତ ସାହିତ୍ୟ କିପରି ସମ୍ଭବ ହେବ ? ସମୀକ୍ଷା ନଥିଲେ କବିତା ବି କିପରି ସମ୍ଭବ ହେବ ? ଏବଂ, ସମୀକ୍ଷା ନଥିଲେ ଆପଣାକୁ ଜାଣିହେବ ବା କିପରି ? ଏବଂ, ଆପଣାକୁ ନଜାଣିଲେ ଆପଣାକୁ ଦେଇହେବ କିପରି ? ମୁଁ ଏହିପରି ଭାବରେ ସତେଅବା ଏକ ସରୋବର ମଧ୍ୟରୁ ସମୁଦ୍ର ଭିତରେ ପ୍ରବେଶ କରୁଥିଲି । ହୁଡ଼ାଗୁଡ଼ାକ କିପରି ସାବଲୀଳ ଭାବରେ ଭାଙ୍ଗିଗଲା, ମୁଁ ତାହାର କୌଣସି ସଂକେତ ବି ପାଇଲିନାହିଁ । ଶାନ୍ତିନିକେତନରେ ଦୁଇବର୍ଷ ଗବେଷଣାରେ ଥିଲି । ସ୍ଥାନୀୟ କୌଣସି ବିଷୟକୁ କିପରି ସମଗ୍ର ବିଶ୍ଵର ପରିପ୍ରେକ୍ଷୀରେ ବିଚାର କରି ହେବ ଏବଂ ଏହିପରି ଦେଖିପାରିଲେ ନିଜର ଦେଖିବାର ରୀତିଟି ମଧ୍ୟ ଯେ କିପରି ଅଧିକରୁ ଅଧିକ ମଳମୁକ୍ତ ହୋଇ ଯାଉଥିବ, ବହିଗୁଡ଼ିକ ଭିତରେ ବାଟ ଚାଲୁ ଚାଲୁ ଏବଂ ମୋ’ର ସମୀକ୍ଷାଜନିତ ସଂଶୟଗୁଡ଼ିକର ରୋମନ୍ଥନ କରୁ କରୁ ମୁଁ ତାହାର ରହସ୍ୟଟିକୁ ପାଇଗଲି । ସେହି ବାଟଟି ଆକର୍ଷକ ଓ ଆନନ୍ଦମୟ ଲାଗିଲା । ସତେଅବା ମୁଁ ସ୍ଵଧର୍ମକୁ ଆସିଗଲି । ନିଜର ଧର୍ମଟିକୁ ପାଇଗଲେ ଯେ ମଣିଷକୁ ଅପର ଧର୍ମଗୁଡ଼ିକ ସହିତ ବୈରଭାବ କରିବାକୁ ହୁଏ, ସେକଥା ଆଦୌ ନୁହେଁ । ନିଜ ଘରଟିକୁ ଖୋଜି ପାଇଥିବା ଲୋକ ଅନ୍ୟ ମଣିଷମାନେ କାହିଁକି ସେମାନଙ୍କର ନିଜ ନିଜ ଘରେ ରହିଛନ୍ତି ବୋଲି ଅଭିଯୋଗ କରେନାହିଁ ବା ସେମାନଙ୍କୁ ଈର୍ଷା କରେନାହିଁ ।

 

ଏକଦା ସାହିତ୍ୟକୁ ଏକ ବିଳାସ ବୋଲି କୁହା ଯାଉଥିଲା । କବିତା, ଗପ, ନାଟକ ଓ ଉପନ୍ୟାସ ଲେଖିବା ସଂପୃକ୍ତ ବ୍ୟକ୍ତିଟି ଇଚ୍ଛାକଲେ ତାପାଇଁ ହୁଏତ ଏକ ବିଳାସ ହୋଇପାରେ, —ମାତ୍ର ଯଦି ଆପଣ ପ୍ରବନ୍ଧକୁ ମନ କରିବେ, ତେବେ ସାହିତ୍ୟ ଆପଣକୁ କଦାପି ଏକ ବିଳାସ ବୋଲି ଲାଗିବନାହିଁ । ଆଗକାଳର ରାଜସଭାମାନଙ୍କର ଆଉ ଯାହାକିଛି ହେଉଥିଲା ପଛକେ, ପ୍ରବନ୍ଧ ପାଠ କଦାପି ହେଉନଥିଲା । କାରଣ, ରାଜସଭାରେ ସାହିତ୍ୟକୁ ଉପସ୍ଥିତ ସମସ୍ତେ ଏକ ବିଳାସ ରୂପେ ଗ୍ରହଣ କରୁଥିଲେ । ଏବେ ମଧ୍ୟ ଯେଉଁମାନେ ସାହିତ୍ୟସଭାକୁ ରାଜସଭା ବୋଲି ଭାବନ୍ତି, ସେମାନେ ଆଉ ଯାହାକିଛିକୁ ମନ କରନ୍ତି ସିନା, ପ୍ରବନ୍ଧକୁ କଦାପି ମନ କରନ୍ତିନାହିଁ । ଶାନ୍ତିନିକେତନର ମୁକ୍ତି ମୋତେ ପ୍ରବନ୍ଧ ଭିତରକୁ ଆଣିବାରେ ପ୍ରକୃତରେ ଭାରି ସାହାଯ୍ୟ କରିଥିଲା-। ସେଠାରେ ଗଛ ବୃକ୍ଷର ତୋଟାମାନ ମୋତେ ଆଦୌ ଅଟକାଇ ଦେଉନଥିଲେ, ବରଂବାଟ ବତାଇ ଦେଉଥିଲେ । ସେଠା ଜୀବନରେ ଅନ୍ତତଃ ମୋ’ର ସମ୍ପର୍କ ଗୁଡ଼ିକର ବ୍ୟାସଟି ଭିତରେ ଏପରି ମୋଟେ କିଛି ନଥିଲା, ଯାହାକି ମୋତେ କୃତ୍ରିମ ହେବାକୁ ଆଦୌ କୌଣସି ପ୍ରରୋଚନା ଦେଇଥାନ୍ତା । ସେଠାରେ ମୁଁ ଯେଉଁ ବିଶେଷ କେତେଜଣ ଶିକ୍ଷକଙ୍କର ସଂସ୍ରବ ଭିତରକୁ ଆସିଥିଲି, ସେମାନେ କେଡ଼େ ସହଜରେ ମୋ’ ଭିତରର କେତେ କେତେ ଗଣ୍ଠିକୁ ଛିଣ୍ଡାଇ ମୋତେ ସହଜ କରି ଦେଇଥିଲେ । ମଣିଷ ସମ୍ଭବତଃ ଯେତିକି ଯେତିକି ସହଜ ହୋଇଯାଏ, ତା’ର ସଂଗ୍ରହ ଓ ଚୟନଗୁଡ଼ିକ ମଧ୍ୟ ସେତିକି ପୂର୍ଣ୍ଣତାଯୁକ୍ତ ହେବାରେ ଲାଗିଥାଏ । ନିଜକୁ ଲୁଚାଇ ରଖିବାକୁ, ତୁଚ୍ଛା ବାଡ଼ ଏବଂ ଅବରୋଧଗୁଡ଼ାକ ଭିତରେ ମୋଟେ ଅଣଆୟତ୍ତ ହୋଇ ରହିବାକୁ ପଡ଼େନାହିଁ । ଭିତର ବାହାର କେଡ଼େ ଉଶ୍ଵାସ ଲାଗେ, ତେଣୁ ଲୁଚି ରହିବାର ଯାବତୀୟ ଅପକଳାର କୌଣସି ପ୍ରୟୋଜନ ନଥାଏ । ନିଜର ଲେଖା ମଧ୍ୟଦେଇ ଆପଣାକୁ ଲୁଚାଇ ରଖିବାକୁ ନୁହେଁ, ଆପଣାକୁ ଦେଇଦେବାକୁ ହିଁ ଅଧିକ ମନ ହୁଏ । ମୁଁ ଲେଖିଥିବା ପ୍ରବନ୍ଧଗୁଡ଼ିକର ମାଧ୍ୟମରେ ହିଁ ମୁଁ ମୋ’ର ଯାବତୀୟ ଜଗତକୁ ନିବିଡ଼ କରି ପାଇଛି ।

 

ମୋ’ ପ୍ରବନ୍ଧଗୁଡ଼ିକ ମୋତେ ପାଦ ପାଦ ହୋଇ ଆଗକୁ ଯିବାରେ ସାହାଯ୍ୟ ମଧ୍ୟ କରିଛି-। ମୋତେ ପରିଚୟ ପରେ ପରିଚୟର ସ୍ତରଗୁଡ଼ିକୁ ପରିଚାଳିତ କରିନେଇଛି । ଗୋଟିଏ ବା କେତୋଟି ପ୍ରବନ୍ଧ ଲେଖିବା ପୂର୍ବରୁ ମୁଁ ଯାହା ଥିଲି, ସେଇଟିକୁ ବା ସେଗୁଡ଼ିକୁ ଲେଖି ସାରିବା ପରେ ମୁଁ ଆଦୌ ସେତିକି ହୋଇ ରହିନାହିଁ । ସାହିତ୍ୟ ଯେ ଆମର ଆରୋହଣ ଅର୍ଥାତ୍ ଆମର ଯାବତୀୟ ଅତିକ୍ରମଣରେ ଠିକ୍ ବନ୍ଧୁଭଳି ସାହାଯ୍ୟ କରିପାରେ, ନିଜ ପ୍ରବନ୍ଧ ଗୁଡ଼ିକୁ ଲେଖିବା ସମୟରେ ମୁଁ ବାରମ୍ବାର ସେକଥା ହୃଦୟଙ୍ଗମ କରିଛି । ସେଥିଲାଗି, ଅଧିକାଂଶ ସମୟରେ, ମୋ’ ନିଜଭିତରେ ଯେଉଁ ପ୍ରଶ୍ନ ଅଥବା ସଂଶୟଟି ମୋତେ ଉଦବେଳିତ କରି ରଖିଛି, ମୁଁ ପ୍ରାୟ ସେଇଥିରୁ ପ୍ରେରଣା ଓ ଉତ୍ସାହ ନେଇ ପ୍ରବନ୍ଧଟିଏ ଲେଖିବାକୁ ମନ କରିଛି ଅର୍ଥାତ୍, ପ୍ରବନ୍ଧଟିଏ ପାଇ ବିଷୟଟିଏ ପାଇଛି । ଅର୍ଥାତ୍, ଯଦି ମୁଁ ବିଭିନ୍ନ ସମୟରେ ଲେଖିଥିବା ପ୍ରବନ୍ଧଗୁଡ଼ିକୁ ସମୟାନୁକ୍ରମିକ ଭାବରେ ଗୁଛାଇ ରଖିପାରିବ । ତେବେ ସେଥିରୁ ସେହି ଅବଧିଟି ମଧ୍ୟରେ ମୁଁ ନିଜ ଅନୁଭବ ତଥା ଅଙ୍ଗୀକାରଗୁଡ଼ିକରେ ଅତିକ୍ରମ କରି ଆସିଥିବା ପଥଟିକୁ ମଧ୍ୟ ବେଶ୍ ବାରିନେଇ ପାରିବି-। ଯେଉଁମାନେ କବିତା, ନାଟକ, ଗଳ୍ପ, ଓ ଉପନ୍ୟାସ ଲେଖନ୍ତି, ସେମାନେ ନିଜର ସେହି ଲେଖାଗୁଡ଼ିକ ସହିତ ସତକୁ ସତ ସେତିକି ଛନ୍ଦ ହୋଇ ରହିଥାଆନ୍ତି କି ନାହିଁ କେଜାଣି ? ଯେଉଁମାନେ ରହିଥିବେ, ସେମାନଙ୍କର ବିଷୟରେ ଅନ୍ତତଃ ଏତିକି କଥା ସଂପୂର୍ଣ୍ଣ ନିଃଶଙ୍କୋଚ ଭାବରେ କୁହାଯାଇ ପାରିବ ଯେ ସେମାନେ କେବେହେଲେ ନିଃସଙ୍ଗ ହେବେ ନାହିଁ । ପୃଥିବୀ ସେମାନଙ୍କର ଅଧିକ ନିକଟ ହୋଇ ଆସୁଥିବ । ସେମାନେ ପୃଥିବୀର ଅଧିକ ନିକଟ ହୋଇ ଆସୁଥିବେ । ଜଣେ ପ୍ରବନ୍ଧଲେଖକ କଦାପି ବାବାଜୀ ହେବ ନାହିଁ ! ତାକୁ ସଂସାର ଭଲ ଲାଗିବ, —ସଂସାର ଭିତରେ ଆତଯାତ ହେଉଥିବା ମନୁଷ୍ୟମାନେ ଏଠି ଜୀବନର ସମଗ୍ର ନିୟତିଟିକୁ ଅଗ୍ରସର କରାଇ ନେବାପାଇଁ ଯେଉଁ ଉଦ୍ୟମ କରୁଛନ୍ତି, ସେହି ଉଦ୍ୟମଟି ମଧ୍ୟ ତାକୁ ଭାରି ଭଲ ଲାଗିବ । ଭଗବାନ ତାକୁ ଏହି ପୃଥିବୀରେ ହିଁ ଜିଣିବେ । ନିଃସଙ୍ଗମାନେ ମନ କଲେ ସାହିତ୍ୟ ଭିତରେ ସଉକ କଲା ପରି ଭଳି ଭଳି ପ୍ରବନ୍ଧ ଅଲବତ ଲେଖିପାରିବେ ସତ, ମାତ୍ର, ସେମାନଙ୍କର ସେହି ତଥାକଥିତ ଗୁଡ଼ିକ ଠିକ୍ ସେହିମାନଙ୍କ ଭଳି ଖାରିଆ ଲାଗିବ ହିଁ ଲାଗିବ ।

 

ପ୍ରବନ୍ଧର ଆଗ୍ରହ ନେଇ ସାହିତ୍ୟରେ ପ୍ରବେଶ କରିବାର ମୂଳ ମନଟି ମୋତେ ପ୍ରକୃତରେ କେତେ ନା କେତେ ଆଡ଼କୁ ବହକାଇ ନେଇଗଲା । ହୁରାଡ଼ି ନେଲାନାହିଁ, ବିସ୍ତାରିତ କରି ନେଇଥିଲା । କବିତା ଭଲ ନଲାଗିଲେ କବିତାର ଆଲୋଚନା ବା ସମୀକ୍ଷାଟିଏ ଆଦୌ ଲେଖି ହୁଅନ୍ତାନାହିଁ; ସେହିପରି ଗଳ୍ପ, ଉପନ୍ୟାସ ବା ନାଟକମାନେ ଭଲ ନଲାଗିଲେ ସେଗୁଡ଼ିକ ବିଷୟରେ ତୁମେ ଆଉ କି ସମୀକ୍ଷା ଲେଖିପାରିବ ? ତେଣୁ, ଆଉ ପ୍ରାୟ କୌଣସି ବାରଣ ରହିଲା ନାହିଁ । ଯାବତୀୟ ପ୍ରବେଶ ବେଡ଼ା ଭିତରେ ପ୍ରବେଶ କଲା ପରି ଲାଗିଲା, ଯାବତୀୟ ଦର୍ଶନ ଦେବଦର୍ଶନର ଅନୁଭବ ଆଣିଦେଲା । କବିତା, ଗଳ୍ପ, ଉପନ୍ୟାସ ବା ନାଟକ, —ଏହି ସବୁକିଛିରେ ଏପରି କ’ଣ ରହିଛି, ଯାହାକୁ ସ୍ପର୍ଶ କରି ପାରିଲେ ଅଥବା ଅନ୍ତତଃ ଯାହାକୁ ଖୋଜିଗଲେ ଏହି ସବୁକିଛି ବିଭାବ ତୁମକୁ ପ୍ରକୃତରେ ଭଲ ଲାଗିବ ? ପୃଥିବୀ ମଧ୍ୟରେ ରହିଥିବା ଏତେ ଏତେ ସଂଖ୍ୟକ ଘରେ ପ୍ରକୃତରେ ଏପରି କ’ଣ ରହିଛି, ଯାହାକୁ ଖୋଜି ଜାଣିଲେ ତୁମକୁ ପୃଥିବୀର ସବୁ ଘର ଠିକ୍ ନିଜ ଘର ପରି ଲାଗିବ ? ଶାନ୍ତିନିକେତନରେ ଯହୁଁ ଯହୁଁ ମୋ’ ଗଣ୍ଠି ଗୁଡ଼ାକ ଖୋଲିଯିବାରେ ଲାଗିଲା, ତହୁଁ ତହୁଁ ପ୍ରବନ୍ଧ ଆଡ଼କୁ ମନ ବଳିଲା, ଶ୍ରଦ୍ଧା ଢଳିଗଲା । କବିତାର ସମୀକ୍ଷକ ଗୋଟିଏ କବିତା ଭିତରେ କ’ଣ ଦେଖିବ ? — ତା’ଶୈଳୀକୁ, ତା’ ଶବ୍ଦଚାତୁରୀକୁ, ସତେଅବା ମୋହରେ ପଡ଼ିଥିବା ପରି ନାନା ପଗଳ୍‍ଭତାର ଗହନ କିମ୍ବା କାନ୍ତାର ଭିତରେ ଅତ୍ୟନ୍ତ ଅଣଆୟତ୍ତ ଭାବରେ ଉବୁଡ଼ୁବୁ ହେଉଥିବା ଓ ସତକୁ ସତ କିଛିନାହିଁ ବୋଲି ଧରା ପଡ଼ି ଯାଉଥିବା ପଲ୍ଲବଗ୍ରାହିତାକୁ ? ଅଥବା, ଗୋଟିଏ ଗଳ୍ପ, ଗୋଟିଏ ଉପନ୍ୟାସ ବା ଗୋଟିଏ ନାଟକରେ ତୁମେ ସମ୍ପୃକ୍ତ କଥାକାର, ଉପନ୍ୟାସକାର ବା ନାଟକକାର କୋଉଠୁ କେତେ ଅନୁକରଣ କରି ଆଣିଛି, ସେଠୁ ବାଣ ଚୋରି କରି ଆଣି ଏଠି ନିଜର ବୋଲି କହି ଫୋଟକା ମାରୁଛି, କ’ଣ ସେତିକି ଅନୁସନ୍ଧାନ କରି ଶାନ୍ତ ହୋଇଯିବ ? ନା ଏହି ସବୁକିଛିକୁ ସେଗୁଡ଼ିକର ଯଥୋଚିତ ସ୍ଵୀକୃତି ଦେଇ ଅଥଚ ସେଗୁଡ଼ିକୁ ତଥାପି ଅତିକ୍ରମ କରାଯାଇ ନିଜକୁ ବ୍ୟକ୍ତ କରିବା ନିମନ୍ତେ ସ୍ଵକୀୟ ରୀତିରେ ପ୍ରୟାସ କରିଥିବା ଜଣେ ମନୁଷ୍ୟକୁ, ପଥିକକୁ, ପ୍ରେମରେ ପଡ଼ିଥିବା ମଣିଷକୁ ଓ ଏପରିକି ଜଣେ ସହଯାତ୍ରୀ ମିତକୁ ମନ କରିବ ? ସଖ୍ୟ ବଢ଼ାଇବା ହେଉଛି ସମ୍ଭବତଃ ଯାବତୀୟ ସାହିତ୍ୟର ସର୍ବମୂଳ ତଥା ସର୍ବଶେଷ ଧର୍ମ । ସମୀକ୍ଷା ସେହି ସଖ୍ୟର ଅନୁସନ୍ଧାନରେ ବାହାରିଥାଏ । ସେତୁଟିଏ ପରି କାର୍ଯ୍ୟ କରେ । ସମ୍ଭବତଃ ଏପରି ବି କୁହାଯାଇ ପାରିବ ଯେ, ସାହିତ୍ୟସ୍ଥ ଯାବତୀୟ ସୃଜନାତ୍ମକତାର କ୍ଷେତ୍ରରେ ସାହିତ୍ୟସମୀକ୍ଷା ସତେଅବା ମୁଣ୍ଡଟିଏ ମାରିବ ବୋଲି ସ୍ପର୍ଦ୍ଧା ରଖିଥାଏ ।

 

ମୋ’ ଭିତରେ ମୋ’ର ସର୍ଜନାତ୍ମକ ଶ୍ରଦ୍ଧାଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ଆବେଦନ ଯୋଗାଇ ଦେବାପାଇଁ ମୋତେ ଶାନ୍ତିନିକେତନ ଠାରୁ ଅଧିକ ଉପଯୁକ୍ତ ପରିସରଟିଏ ଆଉ କେଉଁଠିହେଲେ ମିଳି ନଥାନ୍ତା ସେଠି ହାତ ବୁଲାଇଦେଲେ ସମଗ୍ର ଭାରତବର୍ଷକୁ ସ୍ପର୍ଶ କରି ହେଉଥିଲା । ଭାରତବର୍ଷର ପ୍ରାୟ ସବୁ ଭାଷା ଓ ସାହିତ୍ୟର ଜିଜ୍ଞାସୁମାନେ ଶାନ୍ତିନିକେତନରେ ସେତେବେଳେ ଥିଲେ । ବିରାଟକୁ, ବିସ୍ତୃତକୁ ଓ ବିଚିତ୍ରକୁ ଏହି ହାତପାଆନ୍ତାରେ ପାଇବା, —ଶାନ୍ତିନିକେତନରେ ମୁଁ ସବାଆଗ ସେଇଟିକୁ ହିଁ ମୋ’ର ମହାଭାଗ୍ୟ ବୋଲି ମଣୁଥିଲି । ବର୍ତ୍ତମାନ ଭାବୁଛି, ସେତେବେଳର ସେହି ଶାନ୍ତିନିକେତନରେ ମୁଁ ଯେତେବେଳେ ଯେପରି ଇଚ୍ଛା କଲି, ସେତେ ଥାନକୁ କିପରି ପ୍ରବେଶାଧିକାର ପାଇଗଲି କେଜାଣି ? ସେ ସାହାସ ମୋତେ ମୋ’ ଭିତରୁ କିଏ ଦେଲା, ଅଥବା ଶାନ୍ତିନିକେତନର ତତ୍କାଳୀନ ଗୃହପରିସରଟି ଏକ ଉଦାର ଯଜ୍ଞୋପବୀତ ପରି ମୋ’ ଚେତନାର ଦେହରେ ଆସି ଗୁଡ଼ାଇହୋଇ ଯିବାରୁ ମୁଁ ଏତେ ସାହାସ ଲାଭ କରିପାରିଲି । ଏବେ ମଧ୍ୟ ସ୍ତବ୍ଧ ହୋଇ ମୁଗ୍ଧ ହୋଇ ଏବଂ ସନ୍ଦିଗ୍ଧ ହୋଇ ମୁଁ ନିଜକୁ ସେହି ପ୍ରଶ୍ନଟିକୁ ପଚାରିଥାଏ । ସେଠାରେ ଥିବା ତତ୍କାଳୀନ ବହୁସଂଖ୍ୟକ ବନ୍ଧୁ ଓ ସତୀର୍ଥଙ୍କର ମାଧ୍ୟମରେ କେଡ଼େ ସହଜରେ ମୁଁ ଭାରତୀୟ ଏକାଧିକ ଭାଷା ଓ ତାହାର ସାହିତ୍ୟ ଆଡ଼କୁ ଆକୃଷ୍ଟ ହୋଇ ଯାଇଥିଲି । ଇଂରାଜି ସାହିତ୍ୟ, ଭାରତର ଷଡ଼ଦର୍ଶନ, ଇଉରୋପୀୟ ମେଧା ଓ ଜ୍ଞାନପ୍ରତିଭା, ଚୀନ୍ ଦେଶର ସାଂସ୍କୃତିକ ସମ୍ପଦ, ଖ୍ରୀଷ୍ଟିଆ ଧର୍ମର ସଂବଦ୍ଧ ଆଗ୍ରହୋଦ୍ଦୀପକ ଧାରାଟି,–ତତ୍କାଳୀନ ଶାନ୍ତିନିକେତନରେ ଏଗୁଡ଼ିକ ସହିତ ତୁମର ଅନ୍ତରଙ୍ଗ ପରିଚୟ ଘଟାଇ ଦେବାକୁ ଗୁଣୀ ଓ ଚକ୍ଷୁଷ୍ମାନ୍‍ମାନେ ରହିଥିଲେ । ଏବେ ପଛକୁ ଅନାଇ ଦେଖୁଛି, ସେତେବେଳ ପରି ଆଉ ଜୀବନରେ କେବେହେଲେ ମୁଁ ଏତେବେଶୀ ଲୋଭରେ ପଡ଼ିନାହିଁ, —ଏବଂ ସେହି ଲୋଭରେ ପଡ଼ିବାର ପର୍ଯ୍ୟାୟ ମୋତେ ମୋ’ର ତମାମ୍ ଜୀବନକାଳ ଲାଗି କେତେମନ୍ତେ ଉପକୃତ କରି ରଖିଛି । ଏବଂ ମୋ ଭିତରେ ମୋ’ ସାହିତ୍ୟକୁ ହେତୁ ନାମକ ସେହି ବ୍ୟାପାରଟି ଯେତିକି ପରିପକ୍ଵ ହୋଇଛି, ମୁଁ ସେତେ ଅଧିକ ଔଚିତ୍ୟ ସହିତ ପ୍ରବନ୍ଧ ଆଡ଼କୁ ଢଳି ଆସିଛି । ହ, ଅଧିକ ନିର୍ଭୁଲ ଭାବରେ କହିଲେ, ତାହାହିଁ ମୋ’ର ପରବର୍ତ୍ତୀ କାଳର ରମ୍ୟ ରଚନା, ଭ୍ରମଣ କାହାଣୀ ପର୍ବ ଏପରିକି ବାଙ୍ଗ ମଧ୍ୟକୁ ବି ସଂକ୍ରାମିତ ହୋଇ ଆସିଛି ।

 

ଅନ୍ତତଃ ମୋ’ର ସାହିତ୍ୟରଚନା ଲାଗି ଭାରି ଭଲ ହୋଇଛି ଯେ, ଇଉରୋପରେ ମୋ’ର ଅଧ୍ୟୟନ-ପ୍ରବାସରେ ମୁଁ ସମାଜବିଜ୍ଞାନ ଓ ମନୋବିଜ୍ଞାନ ଭିତରକୁ ଟାଣି ହୋଇ ଯାଇଛି । ଏହିସବୁ ଜ୍ଞାନବିଭାଗର ପରିସରଟି ଜଣେ ମନୁଷ୍ୟର ଜୀବନପରି ବହୁବ୍ୟାପୀ । ନିଜର ଅଳ୍ପତାଗୁଡ଼ାକୁ ମୁଁ ଯେପରି କେବେହେଲେ ଯଥେଷ୍ଟ ବୋଲି ଦେଖାଇ ହେବିନାହିଁ, କୌଣସି ମତକୁ ମୁଁ ଯେପରି ସର୍ବକାଳର ଏକମାତ୍ର ମତ ବୋଲି ମାନି ନେବିନାହିଁ, ଅଧିକରୁ ଅଧିକ ଜାଣିବା ଏବଂ ବୁଝିବା ସଙ୍ଗେ ସଙ୍ଗେ ଆହୁରି ଅନେକ ଅଧିକ ଗୁଣ ଜାଣିବାକୁ ରହିଛି ବୋଲି ଯେପରି ମୋ’ର ନିତ୍ୟ ହୃଦବୋଧ ହୋଇ ଯାଉଥିବ, ସମାଜବିଜ୍ଞାନ ଓ ମନୋବିଜ୍ଞାନ ସେଥିରେ ମୋତେ ପ୍ରଭୂତ ଭାବରେ ସାହାଯ୍ୟ କରିଛନ୍ତି । ମନୋବିଜ୍ଞାନ, ମନୋବିଶ୍ଳେଷଣ ଓ ମନଃଚିକିତ୍ସାର କ୍ଷେତ୍ରଗୁଡ଼ିକରେ ଜଣେ ଜଣେ ମନୁଷ୍ୟ ହିସାବରେ ଅଧିକରୁ ଅଧିକ ଗଭୀରଯାଏ ଯାଇ ପାରିବାଲାଗି ଯେଉଁ ଆଲୋଡ଼ନକାରୀ ଅର୍ନ୍ତଦୃଷ୍ଟିମାନ ରହିଛି, ତାହା ମୋତେ ବହୁବିଧ ଗୁହାମଧ୍ୟରୁ ମୁକ୍ତ ହୋଇ ଆସିବାରେ ବହୁତ ସହାୟତା କରିଛି । ଏବଂ, ଏହିଭଳି ଭାବରେ ମୁକ୍ତ ହୋଇ ନଆସିଲେ ଜଣେ ବ୍ୟକ୍ତି ହୁଏତ ପ୍ରବନ୍ଧ ଆଡ଼କୁ ଖୁବ୍ ବେଶୀ ମୋଟେ ମନ କରିବ ନାହିଁ । ଭାରତୀୟ ସଂସ୍କୃତି ଆଗ ସଂସ୍କୃତି ନା ଆଗ ଭାରତୀୟ, ଓଡ଼ିଆ ସାହିତ୍ୟ ଆଗ ସାହିତ୍ୟ ନା ଆଗ ଓଡ଼ିଆ ସାହିତ୍ୟ, —ଏହି ବିଷୟରେ ଆମ ସମୀକ୍ଷାର ରୀତିଗୁଡ଼ିକୁ ପ୍ରାୟ ବ୍ୟାଧିଗ୍ରସ୍ତ କରି ରଖିଥିବା ପ୍ରରୋଚନା ଗୁଡ଼ିକର ଫାନ୍ଦରେ ଯଦି ତୁମେ ଯାଇ ପଡ଼ିଯିବ, ତେବେ ତୁମର ଆଦୌ ପ୍ରବନ୍ଧ ଭିତରେ ପଶିବା ଉଚିତ ହେବନାହିଁ । ଅମୁକ ରଚନା ବା ଅମୁକ ରଚୟିତା ଓଡ଼ିଆ ସାହିତ୍ୟକୁ ଏତେ ପ୍ରକାରେ ଧନ୍ୟ ବା ଅନୁଗୃହୀତ କରି ଯାଇଛନ୍ତି, ଏଇଟି ପ୍ରବନ୍ଧର ଉକ୍ତି ନୁହେଁ; ଏହା ଭାଟର ଉକ୍ତି । ଭାଟମାନେ ସାଧାରଣତଃ ପ୍ରବନ୍ଧକୁ ଆଦୌ ମନ କରନ୍ତିନାହିଁ । ଭାବ ଖୋଜି ଯିବାର ଅସଲ ଧର୍ମଟିକୁ ସେମାନେ ନାନା ମାଂସଳ ଭାବପ୍ରବଣତା ଦ୍ଵାରା ଭାରି ଲୋସଡ଼ାଇ ପକାନ୍ତି । ସର୍ଜନାତ୍ମକତାର ଅନ୍ୟ ନାମ ହେଉଛି ଅନନ୍ୟତା । ସମାଜ, ଜାତି, ଦେଶ, ସଭ୍ୟତା ଏବଂ ସଂସ୍କୃତି ମନୁଷ୍ୟର ସେହି ଅନନ୍ୟତାକୁ ବିକଶିତ ହୋଇ ଆସିବାକୁ ଏକ ଆବଶ୍ୟକ, ସର୍ବନିମ୍ନ ଭୂମି ଯୋଗାଇଦେବ । ବ୍ୟକ୍ତିକୁ ତାହା କେବେହେଲେ ପଘାରେ ବାନ୍ଧି ରଖିବାକୁ ଚେଷ୍ଟା କରିବନାହିଁ । ପ୍ରତ୍ୟେକ ଜାତିର ଇତିହାସରେ ଏକ ଜାତୀୟତାବାଦୀ ପର୍ଯ୍ୟାୟ ଅବଶ୍ୟ ରହିଥିବ ସତ, ମାତ୍ର ଗୋଟିଏ ଦେଶ ତା’ର ରାଜନୀତିକ ସ୍ଵାଧୀନତା ଲାଭ କରିବାର ପଚାଶବର୍ଷ ପରେ ମଧ୍ୟ ଯଦି ତୁମ୍ଭେ ସେହି ଦେଶର ମଣିଷଙ୍କୁ ସେହି ପୁରୁଣା ଭାବପ୍ରବଣତାର ଜାତୀୟତାବାଦୀ ବାହାନା ଭିତରେ ଭଣ୍ଡାଇ ରଖିବାକୁ ଇଚ୍ଛା କରୁଛ, ତେବେ ତୁମର ସମଗ୍ର ଅଭିପ୍ରାୟଟି ଭିତରେ ନିଶ୍ଚୟ କୌଣସି ମନୁଷ୍ୟର ମହିମା କ୍ଷୟକାରୀ ଉପାଦାନ ରହିଯାଇଛି ବୋଲି ସନ୍ଦେହ କରିବାଲାଗି ନିଶ୍ଚୟ ଏକାଧିକ କାରଣ ରହିଥିବ-। ଯେକୌଣସି ସାହିତ୍ୟରେ ପ୍ରବନ୍ଧର କ୍ଷେତ୍ରଟି ସମୁଚିତ ଭାବରେ ସଚେତନ ରହିଥିଲେ ଯାଇ ତାହା ସମ୍ଭବ ହୋଇପାରିବ ।

 

ମୋ’ ସାହିତ୍ୟରେ ସରହଦ ସରିଛି କେଉଁଠି ଓ ଆଉ ଏକ ସାହିତ୍ୟ ସରହଦ କେଉଁଠାରୁ ଆରମ୍ଭ ହୋଇଛି ? ନିଜର ଧର୍ମ, ନିଜର ଦେଶପ୍ରୀତି, ନିଜର ଜଗତକଳ୍ପନାରେ ଅନେକ ମଣିଷ ଯେପରି ଗୋଟାଏ ଥାନକୁ ଆସି ସତେଅବା ଅଠା ଲାଗି ଯାଇଥିଲା ପରି ଅଟକି ଯାଇଥାନ୍ତି, ଇଏ ପ୍ରାୟ ସେହିପରି ଗୋଟାଏ କଥା ହେବ । ସାହିତ୍ୟରେ ପ୍ରବନ୍ଧ ଭିତରେ ଯଥୋଚିତ ଶ୍ରଦ୍ଧାଟିକୁ ନେଇ ପ୍ରବେଶ କରିଥିଲେ ଯାଇ ଏହିସବୁ ପ୍ରମାଦ ଓ ସଙ୍କଟରୁ ରକ୍ଷା ମିଳିଥାଏ । ନିଜର କ୍ଷୁଦ୍ର କ୍ଷୁଦ୍ର ଅନୁରକ୍ତି ଏବଂ ଅତି ପ୍ରୀତିଗୁଡ଼ିକ ସକାଶେ ଅନେକେ ପ୍ରବନ୍ଧ ଭିତରକୁ ମଧ୍ୟ ସେହିସବୁ ପ୍ରମାଦ ଏବଂ ସଙ୍କଟକୁ ସତେଅବା ଡାକିଆଣିଥାନ୍ତି ଏବଂ ସାହିତ୍ୟର ଉନ୍ମୋଚନ କ୍ଷେତ୍ରରେ ସତେଅବା ନାନାବିଧ ଅର୍ଗଳ ପକାଇ ରଖିଥାନ୍ତି । କବିତା, ଗଳ୍ପ, ଉପନ୍ୟାସ, ନାଟକ, —ଏଗୁଡ଼ିକର ରଚନା ଅବଶ୍ୟ ଗୋଟାଏ ପ୍ରକାର ମୁକ୍ତି ଆଣି ଦେଇଥାନ୍ତି । ସେତିକି ମୁକ୍ତି ମଧ୍ୟ ବହୁ ବିରେଚନର କାରଣ ହୋଇପାରେ । ଗ୍ରୀକ୍ ପ୍ରାଚୀନ ବିଚାରରେ ସମ୍ଭବତଃ ସେହି ସିଦ୍ଧିଟିକୁ katharsis ବୋଲି କୁହାଯାଇଛି । ପ୍ରବନ୍ଧ ମାଧ୍ୟମରେ ସାହିତ୍ୟର ପ୍ରାଣକୁ ଚିହ୍ନିବାର ଯେଉଁ ସ୍ଵତନ୍ତ୍ର ଆଗ୍ରହଟି, ତାହା ସେତିକିରେ ମୋଟେ ସନ୍ତୁଷ୍ଟ ହୋଇ ପାରେନାହିଁ । ଗଭୀରରୁ ଅଧିକ ଗଭୀରକୁ ସ୍ପର୍ଶ କଲେ ମଧ୍ୟ ଏକ ମୁକ୍ତିର ଅଧିକାର ଉପଲବ୍ଧ ହୋଇଥାଏ । ସାହିତ୍ୟରେ ହୁଏତ ପ୍ରବନ୍ଧ ଏହି ବିଶେଷ ମୁକ୍ତିଟିର ଭାଜନ ହେବାରେ ସର୍ବଦା ସାହାଯ୍ୟ କରିଥାଏ । ଶାସ୍ତ୍ରର ଭାଷାରେ ଯାହାକୁ ଆନନ୍ଦ ବୋଲି କୁହାଯାଇଛି, ଓଡ଼ିଆ ଭାଷାରେ ଯାବତୀୟ ସ୍ଵତନ୍ତ୍ର ବ୍ୟଞ୍ଜନାରେ ଆମେ ତାହାକୁ ହୁଏତ ଖୁସୀ ବୋଲି କହିବା । ପ୍ରବନ୍ଧ ରଚନାରେ ପ୍ରବେଶ ଘଟିଲେ ଜଣେ ବ୍ୟକ୍ତି ସେହି ଖୁସୀଟିର ଅଧିକାରୀ ହୁଏ । ଗିଳି ପକାଇ, ଆଉ କାହାଦ୍ଵାରା ନିଜକୁ ଗିଳିହୋଇ ଯିବାକୁ ଛାଡ଼ିଦେଇ ମଧ୍ୟ ଅନେକ ମଣିଷ ଖୁସୀ ପାଆନ୍ତି । ପୃଥିବୀରୁ ବିତାଡ଼ିତ ହୋଇ ବାହାରି ଆସିଥିବା ପରି କେବଳ ସ୍ଵଗତରେ ଚାଲିବାର, କେବଳ ଏକ ତଥାକଥିତ ନିଃସଙ୍ଗତାର ଭାଣ ଭିତରେ ଗୋଟାଏ ପ୍ରକାରର ମୋହ ଅନୁଭବ କରିବା, —ଏସବୁରୁ ମଧ୍ୟ ଅନେକଙ୍କୁ କମ୍ ଖୁସୀ ମିଳେନାହିଁ । ପ୍ରବନ୍ଧ ଏତିକି ଖୁସୀକୁ ନିତାନ୍ତ ଅଳ୍ପ ଓ ତେଣୁ ଅତ୍ୟନ୍ତ ବଞ୍ଚନାପୂର୍ଣ୍ଣ ବୋଲି ଦେଖାଇ ଦେବାକୁ ପଣ କରି ବାହାରିଥାଏ । ଅସଲ ଖୁସୀ ହେଉଛି ଏକ ଅଦ୍ଭୁତପୂର୍ବ ସଖ୍ୟ ଲାଭ କରିଥିବାର ଖୁସୀ । ଯଦି ତୁମର କୌଣସି ଗଡ଼ଟିଏ ଜୟ କରିବାର ଅଭିସନ୍ଧି ରହିଛି, ଯଦି ନିଜର କୌଣସି ତଥାକଥିତ ସତ୍ୟକୁ ପ୍ରାୟ ଏକ ସଂପ୍ରଦାୟର ଅନୁସ୍ତରକୁ ନେଇଆସି ପ୍ରଚାର କରିବାର ଉତ୍ସାହ ତୁମକୁ କାମୁଡ଼ି ଧରିଛି, ତେବେ ତୁମେ ଗପରେ ରହ, କବିତାରେ ଓ ନାଟକରେ ରହ, —ମାତ୍ର ପ୍ରବନ୍ଧ ଭିତରକୁ ମନ କରନାହିଁ । ପ୍ରବନ୍ଧର ମହତ ନିଅନାହିଁ ।

 

ପ୍ରବନ୍ଧର ଭାଷାକୁ ଅନେକେ ଏପରି କଣ କରିଥାନ୍ତି ଯେ, ଅନେକ ପାଠକ ପ୍ରଧାନତଃ ସେହି କାରଣରୁ ହିଁ ପ୍ରବନ୍ଧ ଭିତରକୁ ଆସିବାଲାଗି ଭୟ କରୁଥାନ୍ତି । ପ୍ରବନ୍ଧ ଭିତରେ ହୁଏତ ଏତେ ଏତେ ଗୋଡ଼ି ଭର୍ତ୍ତିହୋଇ ରହିଥାଏ ଯେ, ଚୋବାଇବା ମଣିଷର ଦାନ୍ତ କାଳେ ଭାଙ୍ଗି ଯିବ ବୋଲି ସର୍ବଦା ଏକ ତ୍ରାସ ବି ରହିଥାଏ । ପ୍ରବନ୍ଧର ଭାଷା କଠିନ ହେବାକୁ କ’ଣପାଇଁ ବାଧ୍ୟ ହେବ ? ଆଧୁନିକ ଅନେକ କବି ଆପଣାର ବକ୍ତବ୍ୟକୁ ସ୍ୱୟଂ ପର୍ଯ୍ୟାପ୍ତ ପରିଷ୍କାର ବୁଝି ନଥାନ୍ତି (ସେଗୁଡ଼ିକୁ ଜୀବନରେ ବଞ୍ଚିବା ତ ଆହୁରି ଅଧିକ ଦୂରର କଥା) ବୋଲି ଯେପରି ନାନା ସ୍ଥାନ ଓ ଅସ୍ଥାନରେ ଅବୋଧ୍ୟ ହୋଇ ରହିଥାନ୍ତି, ଆମର ଏହି କଥାଟିକୁ ମଧ୍ୟ ଅନୁରୂପ ଭାବରେ ବିଚାର କରାଯାଇ ପାରିବ । ସେମାନେ ଭାବବିହ୍ଵଳ ଭାବରେ କ’ଣସବୁ ହୁଏତ ଉଦ୍‍ଗାରି ପକାନ୍ତି, ଏବଂ ଅସଲ ଭାବ ଅର୍ଥାତ୍ ଉପଲବ୍ଧ ସତ୍ୟଗୁଡ଼ିକର ଅନୁପସ୍ଥିତିଟିକୁ ଢାଙ୍କି ରଖିବେ ବୋଲି ହୁଏତ ଦୁଷ୍ପାଚ୍ୟ ଶବ୍ଦଗୁଡ଼ିକୁ ଏଣୁତେଣୁ ଦୁହିଁ ଆଣିଥାନ୍ତି । ଭାଷା ଓ ଶବ୍ଦରେ ସାଧୁ ଓ ଅସାଧୁର ବାଛବିଚାର ସେହିମାନେ କରନ୍ତି-। ନିଜ କଲମର କଥାକୁ ନିଜ ମୁହଁର କଥାଯାଏ ବିମୋଚିତ କରି ଆଣିବାକୁ ଏମାନଙ୍କୁ ଶଙ୍କା ଲାଗୁଥାଏ । ଆମେ ଆମ ଜୀବନସତ୍ୟଗୁଡ଼ିକୁ ଯେତିକି ନିଜ ଅନ୍ଵେଷଣ ବଳରେ ପାଇଥିବା ଓ ସେଗୁଡ଼ିକ ଯେତିକି ସଙ୍ଗତିର ସହିତ ଆମ ଜୀବନର ଗୋଟିଏ ଗୋଟିଏ ସଂପ୍ରତ୍ୟୟରେ ପରିଣତ ହୋଇ ପାରିଥିବେ, ଆମର ଭାଷା ଓ ଉପସ୍ଥାପନାର ରୀତି ସେତିକି ଅଧିକ ସ୍ପଷ୍ଟ ହେବ, ସୁବୋଧ୍ୟ ହେବ, ସେତିକି ସହଜରେ ତାହା ଆଉଜଣକର ଚିତ୍ତକୁ ସ୍ପର୍ଶ ବି କରିପାରିବ । ଭାଗକୁ ଓଡ଼ିଆ ଭାଷାରେ ସନ୍ଧି ଓ ସମାସର ବ୍ୟବହାର ବିଷୟରେ ଏକ ସୁମାର୍ଜିତ ସୀମା ଓ ରୁଚି ରହିଛି-। ଆମେ କହୁଥିବା ଓଡ଼ିଆ ଭାଷାରେ ସେଗୁଡ଼ିକର ପ୍ରାୟ କୌଣସି ଉପଦ୍ରବ ଦେଖିବାକୁ ମିଳେନାହିଁ-। ତେଣୁ, ଓଡ଼ିଆ ପ୍ରବନ୍ଧର ଶବ୍ଦ ବ୍ୟବହାର କାହିଁକି ଯେ ଦାନ୍ତ ଭାଙ୍ଗି ଦେଉଥିବା ପରି ହେବ, ତାହାର କୌଣସି କାରଣ ନାହିଁ । ଆମର ଭାବନାଟି ଗଭୀର ଏବଂ ଗାମ୍ଭୀର୍ଯ୍ୟପୂର୍ଣ୍ଣ ହେଲେ ଭାଷାର ଗୋଡ଼ରେ କାହିଁକି ପଥର ବାନ୍ଧି ଦିଆଯିବ, ତାହାପଛରେ ବି ଆଦୌ କୌଣସି ଯୁକ୍ତି ରହିବା ଉଚିତ ନୁହେଁ ।

 

ପ୍ରବନ୍ଧ କ’ଣ ଭଲ ଗଳ୍ପ ବା କବିତା ପରି ସରଳ, ସହଜ ଓ ସଳଖ ହୋଇ ପାରନ୍ତା ନାହିଁ-? କବିତା ଏବଂ ଗଳ୍ପ ଲେଖିବାକୁ ସତେଅବା ଏକ ଗେଲବସରିଆ ସଉକ ଓ ପ୍ରବନ୍ଧକୁ ପ୍ରାୟ ଏକ ନୈତିକତାପୂର୍ଣ୍ଣ ପ୍ରବଚନ ପରି ଧାରଣା କରି ରହିଥିବା ପର୍ଯ୍ୟନ୍ତ ହୁଏତ ତାହା ସମ୍ଭବ ହେବା କଷ୍ଟକର ହେବ । ଅର୍ଥାତ୍, ଅଧିକ ପ୍ରାଞ୍ଜଳ କରି କହିଲେ, କବିତା, ଗଳ୍ପ ଇତ୍ୟାଦି ମନୋରଞ୍ଜନ ପାଇଁ ରହିବ ଓ ପ୍ରବନ୍ଧର ଯାବତୀୟ ଧନ୍ଦାଟି ସତେଅବା କୌଣସି ଗୁରୁଜନଙ୍କର ଗୁରୁପରାମର୍ଶ ହୋଇ ରହିଥିବ, ଏପରି ଏକ ଧାରଣା ଆମ ଅନେକଙ୍କର ମୁଣ୍ଡ ଭିତରଟାକୁ କାମୁଡ଼ି ଧରିଥିବା ପର୍ଯ୍ୟନ୍ତ ଅବସ୍ଥା ଠିକ୍ ସେହିପରି ହୋଇ ରହିବାକୁ ବାଧ୍ୟ ହେବ । ମନୋରଞ୍ଜନ ନିମନ୍ତେ ଅନେକ ମନୁଷ୍ୟ ସାହିତ୍ୟ ମଧ୍ୟକୁ ଆସୁଥିଲେ ହେଁ ମନୋରଞ୍ଜନ କଦାପି ସାହିତ୍ୟର ମୂଳ ମତଲବ ହୋଇ ପାରିବନାହିଁ । ଗୋଟିଏ ଯୋଗ୍ୟ କବିତା, ଯୋଗ୍ୟ ଗଳ୍ପ ଓ ଉପନ୍ୟାସ ତଥା ଯୋଗ୍ୟ ନାଟକର ଉଦ୍ଦେଶ୍ୟ ଯାହା ଗୋଟିଏ ଯୋଗ୍ୟ ପ୍ରବନ୍ଧର ଉଦ୍ଦେଶ୍ୟ ମଧ୍ୟ ମୂଳତଃ ତାହାହିଁ ହୋଇ ରହିଥାଏ-। ଏକ ମୂଳଭୂତ ଅର୍ଥରେ ଦେଖିଲେ ଆତ୍ମଉନ୍ମୋଚନ ହେଉଛି ସାହିତ୍ୟ ନାମରେ କରା ଯାଉଥିବା ଯାବତୀୟ ଉଦ୍ୟମର ମୂଳ ଧର୍ମ । ଅବଶ୍ୟ କେହି ଯଦି ସାହିତ୍ୟର ମାଧ୍ୟମରେ ଆତ୍ମଗୋପନ କରି ରହିବାକୁ ଜଣେ ମନୁଷ୍ୟ ହିସାବରେ ଆପଣାର ଦାୟିତ୍ଵଗୁଡ଼ିକୁ ଫାଙ୍କି ଦେବାକୁ ମନ ରଖିଥିବ, ତାକୁ ପ୍ରାୟ ସଚରାଚର ଗଳ୍ପ ଓ କବିତା ଭଲ ଲାଗିବ । ସିଏ ପ୍ରବନ୍ଧଠାରୁ ଯଥାସମ୍ଭବ ଦୂରରେ ରହିବାକୁ ଚେଷ୍ଟା କରୁଥିବ । ଏବେ କବିତାର ପାଠୋତ୍ସବମାନ ରାତିଦିନ ହେଉଛି, ଗଳ୍ପ—ପାଠୋତ୍ସବ ବି ବେଳେ ବେଳେ ହେଉଥିବ, —ମାତ୍ର ପ୍ରବନ୍ଧପାଠର ଏକ ସମବେତ ଅବସର କଥା ହୁଏତ ପାଠକ ବା ଲେଖକ କେହିହେଲେ ଚିନ୍ତା କରି ପାରୁନାହାନ୍ତି । ସେଥିରୁ କଣ ଇଷତ୍ ସୂଚନା ମିଳିବ ଯେ ଆମର ଏକାଳରେ ଅଧିକାଂଶ ମଣିଷ ପ୍ରଧାନତଃ ଏକ ଶ୍ଳଥନ ଲାଗି ସାହିତ୍ୟକୁ ଲୋଡ଼ୁଛନ୍ତି, ନିଜର କୌଣସି ପଳାଇଯିବା ଅଥବା ରୁଷି ବସିବାର ଏକ କଳାତ୍ମକ ଅର୍ଥାତ୍ ବିକ୍ଷେପକାରୀ ସମର୍ଥନ ଖୋଜି ଏହି ମନୁଷ୍ୟମାନେ ସାହିତ୍ୟକୁ ଲୋଡ଼ୁଛନ୍ତି ? ଏହିପରି ଏକ ଦୃଷ୍ଟିଭଙ୍ଗୀ ବା ଚିତ୍ତସ୍ଥିତ ଯେ ସବୁକାଳରେ ରହିବ, ସେପରି ଭାବିବାର କୌଣସି କାରଣ ନାହିଁ ।

 

ଅନେକ ସମୟରେ ମନ ହୋଇଥାଏ ଯେ ପଦ୍ୟ ଓ ଗଦ୍ୟ ଭିତରେ ପ୍ରାୟ ପରମ୍ପରାଗତ ହୋଇ ରହି ଆସିଥିବା ଦୂରତାରେ କ୍ରମଶଃ ହ୍ରାସ ଘଟୁଥିବା ସଙ୍ଗେ ସଙ୍ଗେ, କଳ୍ପନାର ଅଲିଅଳ ଉଦ୍ୟାନଗୁଡ଼ିକୁ ଛାଡ଼ି ମନୁଷ୍ୟ ଭୂଇଁ ଉପରକୁ ଅର୍ଥାତ୍ ବାସ୍ତବକୁ ଫେରି ଆସୁଥିବା ସଙ୍ଗେ ସଙ୍ଗେ ଆଖର ପ୍ରବନ୍ଧ ହିଁ ଚକ୍ରବର୍ତ୍ତୀ ହେବ । କଳ୍ପନାରେ ପଳାଇ ନଯାଇ ନିଜ ସମ୍ମୁଖରେ ଉପସ୍ଥିତ ଆହ୍ଵାନଗୁଡ଼ିକର ସମ୍ମୁଖିନ ହେବା ହେଉଛି ପ୍ରକୃତ ଆଧୁନିକତା । ସଭାର ବିଶେଷ ଆଳିନ୍ଦଗୁଡ଼ିକୁ ଛାଡ଼ି ଏକ କପଟରହିତ ଏବଂ ସଙ୍କୋଚହୀନ ସାର୍ବଜନୀନତା ଭିତରକୁ ଆସିବା ହେଉଛି ଆଧୁନିକତାର ଅସଲ ଆସ୍ପୃହା । ଏବଂ, ଅଭିବ୍ୟକ୍ତିର ଏକ ସବା ବଡ଼ ମାଧ୍ୟମ ହିସାବରେ ଯାବତୀୟ ଦୃଷ୍ଟିରୁ ଗଦ୍ୟରେ ହିଁ ପଦ୍ୟ ଅପେକ୍ଷା ଅପେକ୍ଷାକୃତ ଅଧିକ ସମର୍ଥତା ରହିଛି । ଯାହା ନିତିଦିନର ଭାଷା, ତାହାହିଁ ଗଦ୍ୟ । ଆଧୁନିକ ଯୁଗର ଆଗମନ ସହିତ ଗଦ୍ୟ ହିଁ ସାହିତ୍ୟରେ ଏକ ବୃହତ୍ ସ୍ଥାନ ମାଡ଼ିବସିଲା ପରି କଦାପି କୁହାଯାଇ ପାରିବନାହିଁ । ଗଦ୍ୟ ଅଧିକ କାମ ଦେଲା, ତେଣୁ ଗଦ୍ୟର ବେଳ ଆସିଲା । ପଦ୍ୟନାମକ ଅଳଙ୍କାରଗୁଡ଼ିକୁ କେହି ଅସାର ବୋଲି କହି ଫିଙ୍ଗି ଦେଲେନାହିଁ ସତ, ତଥାପି ଜୀବନ କହିଲେ ଯେ ଯେକୌଣସି ଆଳଙ୍କାରିକତାଠାରୁ ଅନେକ ଅଧିକକୁ ବୁଝାଏ, ଆଧୁନିକ ସଂସାରଟିକୁ ନାନାବିଧ ନୂତନ ସମ୍ପର୍କ ଏବଂ ଅଙ୍ଗୀକାର ସହିତ ଚିହ୍ନି ନେଉଥିବା ମଣିଷ ତାହା ହୃଦୟଙ୍ଗମ କଲା । ଗଦ୍ୟକୁ ଆଗରୁ ଶୁଷ୍କ ବୋଲି କୁହାଯାଇ ଆସିଥିଲା; କେବଳ ପଦ୍ୟର ଆଳଙ୍କାରିତାରେ ପ୍ରବୀଣ ପଣ୍ଡିତମାନେ ଭ୍ରମର ସେହି କୁହୁଡ଼ିଟାକୁ ବ୍ୟାପ୍ତ କରି ରଖିଥିଲେ । ମଣିଷ ଶୁଷ୍କ ହେଲେ ତା’ର ଗଦ୍ୟ ବି ଶୁଷ୍କ, ପଦ୍ୟ ବି ଶୁଷ୍କ । ଯେତେ ଯେତେ ଭାବ୍ୟ ଆଳଙ୍କାରିତା ଦ୍ଵାରା ଯେଡ଼େ ଆଚମ୍ବିତ ପରି ଦିଶୁଥିଲେ ଓ ଶୁଭୁଥିଲେ ମଧ୍ୟ ତାହା ଶୁଷ୍କ ହେବାକୁ ବାଧ୍ୟ । ଯମକ ଏବଂ ଅନୁପ୍ରାସ ସହିତ ଆମ କାବ୍ୟଗହନର ପାଟହାତୀମାନେ ରଚନା କରିଥିବା କେତେ କେତେ ଅପଦ୍ୟ ପଦ୍ୟ ନାମରେ ଚଳୁଥିଲେ ମଧ୍ୟ ତଥାପି କିପରି ଅତ୍ୟନ୍ତ ଶୁଷ୍କ ହୋଇ ରହିଥାଏ ଏବଂ ଅଭିଧାନଟାଏ ଧରିଲେ ଯାଇ ତା’ ଭିତରୁ କିଛି ରସର ଆବିଷ୍କାର କରିହୁଏ, ସେକଥା ଅନେକେ ଅବଶ୍ୟ ଅଙ୍ଗେ ନିଭାଇଥିବେ ।

 

ଏବେ ପଦ୍ୟମାନେ ଗଦ୍ୟ ପରି ଲେଖାଗଲେଣି । ଆଗେ ଯେପରି ପଦ ପକାଇ ଅକ୍ଷର ଗଣି କାବ୍ୟ ଓ କବିତାମାନ ଲେଖା ଯାଉଥିଲା, ଏଯୁଗରେ କେହି ସେହିପରି ଲେଖିଲେ ବର୍ତ୍ତମାନ ଆମ କବିମାନେ ମଧ୍ୟ ତାହାକୁ କବିତା ବୋଲି ଗଣିବାକୁ ଇଚ୍ଛା କରୁନାହାନ୍ତି । କବିତା ସୁନ୍ଦରୀଙ୍କର ଏହିପରି ଏକ ଯେଉଁ ସ୍ଵାଭାବିକ ଗଦ୍ୟାୟନ, ଏହାକୁ ମଧ୍ୟ କ’ଣ କେବଳ ଏକ ଆକସ୍ମିକ ଘଟଣା ବୋଲି କୁହାଯିବ ? ଏବେ ତ ବରିଷ୍ଠ କବିମାନଙ୍କର କବିତାମାନେ ଗୋଟିଏ ଗୋଟିଏ ପ୍ରବନ୍ଧ ପରି ଲାଗିଲେଣି । ଆଧୁନିକ ଉପନ୍ୟାସରେ ମଧ୍ୟ ଜୀବନର ଗୂଢ଼ ତତ୍ତ୍ଵଗୁଡ଼ିକୁ ବଖାଣି କହିବାର ଉତ୍ସାହରେ ପ୍ରାୟ ପ୍ରବନ୍ଧର ଶୈଳୀକୁ ଗ୍ରହଣ କରି ନିଆଗଲାଣି । ଓଡ଼ିଆ ସାହିତ୍ୟରେ ପୃଷ୍ଠା ପୃଷ୍ଠା, ଠିକ୍ ଲଟେଇ ରହିଥିବା ଏପରି ଅନେକ କବିତା ରହିଛି, ଯେଉଁଥିରେ କି ପ୍ରାୟ କୌଣସି ବୀଜଗଣିତର ବାଗରେ କବି ନିଜର ବକ୍ତବ୍ୟଗୁଡ଼ିକୁ ପ୍ରତିପାଦନ କରିବା ସକାଶେ ପ୍ରୟାସ କରିଛନ୍ତି-। ତେଣୁ, ହୁଏତ ଖୁସୀରେ କୁହାଯାଇ ପାରିବ ଯେ, ଆଗାମୀ ଯୁଗ ସମ୍ଭବତଃ ପ୍ରବନ୍ଧର ହିଁ ଏକ ଯୁଗରୂପେ ସମ୍ପୃକ୍ତ ସମସ୍ତଙ୍କର ସମର୍ଥନ ଲାଭ କରିବାକୁ ଯାଉଛି । ଜୀବନ ଯଦି ମିତଟିଏ ପରି ହେଲା, ଜୀବନକୁ ଯଦି ଆମେ ବୋଝଟାଏ ମଣି ଫିଙ୍ଗି ଦେବାକୁ ବା ତା’ ଭିତରୁ ପଳାୟନ କରିବାକୁ ମନ ନକଲୁ, ତେବେ ଯାହାକିଛି କହିବାର କଥା, ତାହାକୁ ଏକ ପ୍ରବନ୍ଧର ପରିଚ୍ଛଦରେ କହିବାଟା ହିଁ ସବୁଠାରୁ ଅଧିକ ସମୀଚୀନ ବୋଲି ମନେ ହେବ । ଏକ କାବ୍ୟିକତାପୂର୍ଣ୍ଣ ସହଜ ଓ ବହମାନ ଗଦ୍ୟ, ତାହାହିଁ ଗୋଟିଏ ଭଲ ପ୍ରବନ୍ଧର ପରିଚୟ । ଆମେ ସରଳ ହେଲେ,ସମଗ୍ର ହେଲେ ସମ୍ଭବତଃ ଆମେ ମଧ୍ୟ ସତେଅବା ଏକ ଅନ୍ୟ ନିଷ୍ପତ୍ତି ନେଇଥିବା ପରି କବିତାକୁ, ଗପ ଉପନ୍ୟାସ ଏବଂ ନାଟକକୁ ଛାଡ଼ି ଅଧିକରୁ ଅଧିକ ସମ୍ମତ ଓ ଭୟମୁକ୍ତ ହୋଇ ପ୍ରବନ୍ଧର ଜଗତକୁ ଯେ ଲୋଡ଼ି ଆସିବା, ଏପରି ଏକ ଅନୁମାନ ବି କରାଯାଇ ପାରିବ ।

 

ଯାହାର ଆଖିକୁ ପୃଥିବୀ ଭଲ ଲାଗେ, ପ୍ରବନ୍ଧ ଲେଖୁ ଲେଖୁ ସେଇ ଭ୍ରମଣକାହାଣୀ ଆଡ଼କୁ ପ୍ରସାରିତ ହୋଇଯାଏ । ଓଡ଼ିଆ ସାହିତ୍ୟରେ କେତେକ କବି ମଧ୍ୟ ଭ୍ରମଣକାହାଣୀ ଲେଖିଛନ୍ତି ସତ, ମାତ୍ର ସେଥିରେ ସେମାନଙ୍କର କବିପ୍ରବୃତ୍ତିଟା ହିଁ ଯେପରି ଅଧିକତର ପରିମାଣରେ ପ୍ରକଟ ହୋଇ ଯାଇଛି । ମୋ’ର ସର୍ବପ୍ରଥମ ପଦ୍ୟ ଲେଖା ହେଉଛି ଏକ ଭ୍ରମଣକାହାଣୀ । ହିମାଳୟର ବକ୍ଷରେ ବଢ଼ୁଥିବା ନେପାଳକୁ ଦେଖି ମୋତେ ଏପରି ଭଲ ଲାଗିଲା ଯେ ମୁଁ ସେହି ଭଲ ଲାଗିବାର ଅନ୍ତରଙ୍ଗ କାହାଣୀଟିକୁ ବହିଟିଏ କରି ଲେଖିଦେଲି । ଉଚିତ ଆଖି ନେଇ ଦେଖି ପାରୁଥିଲେ ଖାଲି ଦୂର ହିମାଳୟରୁ ନେପାଳ ନୁହେଁ ଘରପାଖ ଗଞ୍ଜାମମାଳ ବି କେଡ଼େ ଜୀବନ୍ତ ଓ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇ ଦେଖା ଯାଇପାରେ । ମାତ୍ର ସାତଦିନରେ ମୁଁ ସେଠି ପ୍ରକୃତରେ କେତେ ଅଳପ ଦେଖିଥିଲି, ତଥାପି ସଂପୂର୍ଣ୍ଣ ବହିଟାଏ ଲେଖି ହୋଇଗଲା । ଏହାପରେ ଅସଲ ଭ୍ରମଣକାହାଣୀ ‘ଶିଳାତୀର୍ଥ’ ଲେଖାହେଲା । ନିଜ ଭିତରକୁ ଯାତ୍ରା, ନିଜ ବାହାରେ ବିସ୍ତାରି ରହିଥିବା ଏହି ଭୁବନମଧ୍ୟକୁ ବି ଯାତ୍ରା,—ଦୁଇଟିଯାକ ଏକାଠି ହେଲେ ତୁମକୁ ଯେଉଁ ବିଶେଷ ଭାଗ୍ୟଟିଏ ମିଳେ, ‘ଶିଳାତୀର୍ଥ’ ବହି ସେହିପରି ଏକ ମଗ୍ନସଚଳ ଅବସ୍ଥାର ଭାଗ୍ୟବାନ୍ ସନ୍ତାନ । ଏବେ ବି ଖୁବ୍ ମନେ ଅଛି, ବହିଟିକୁ ଲେଖୁଥିବା, ସମୟରେ ତାହା ମୋ’ ଭିତରର କେତେ କ୍ଷତଲାଗି ସତେଅବା ଜନନୀର ହାତ ପରି କାର୍ଯ୍ୟ କରିଥିଲା । ଜୀବନରେ ଆଉ କୌଣସି ବହିରୁ ମୁଁ ନିଜେ ଏତେ ଉପକାର ପାଇଛି ବୋଲି ମୋ’ର ଆଦୌ ମନେ ପଡ଼ୁନାହିଁ । ଏହାପରେ ମଧ୍ୟ ଭ୍ରମଣକାହାଣୀର ଧାଡ଼ୀରେ ଚୀନ୍ ଆସିଲା, ଇସ୍ରାଏଲ୍ ଆସିଲା । ଏହି ବିଶ୍ଵଟିକୁ ତୁମେ ଯେତିକି ଅନ୍ତରସ୍ଥ କରି ଗ୍ରହଣ କରିପାରିବ, ତୁମର ଜୀବନ ସେତିକି ଧନ୍ୟ ହେବ, ତୁମର ନିଜ ଘରଟି ମଧ୍ୟରେ ସମଗ୍ର ବିଶ୍ଵ ଆସି ସମୁପସ୍ଥିତ ହୋଇଛି ବୋଲି ଅନୁଭବ ହେବ । ଗୋଟିଏ ବିନ୍ଦୁରେ ଅବସ୍ଥିତ ରହିଥିଲେ ମଧ୍ୟ ସହସ୍ର ବିନ୍ଦୁ ସହିତ ତୁମର ଡୋର ଲାଗି ରହିଛି ବୋଲି ଅନୁଭବ ହେବ ଏବଂ ତୁମ ନିଜ ଜୀବନରେ ତାହା ସତେଅବା ପୁନର୍ନବା ପରି କାର୍ଯ୍ୟ ଦେବ । ଅନେକ ଭୟ ଅର୍ଥାତ୍ ସ୍ପର୍ଶକତରତା ଛାଡ଼ି ଚାଲିଯିବେ ।

 

ସେଇ କୋଉ ପିଲାଦିନେ ନିଜର ଡାଏରୀ ଲେଖିବା ଆରମ୍ଭ କରିଥିଲି ଯେ ତାହା ଏବେ ମଧ୍ୟ ଚାଲିଛି । ପୃଥିବୀରେ ଅନେକ ମଣିଷ ନିଜ ନିଜର ଭିନ୍ନ ଭିନ୍ନ ଦୃଷ୍ଟିକୋଣଦ୍ଵାରା ନିର୍ଦ୍ଦେଶିତ ହୋଇ ସେମାନଙ୍କର ଡାଏରୀ ଲେଖିଛନ୍ତି । ମୋ’ ଡାଏରୀ ମୋ’ର ଅନ୍ତରଙ୍ଗତମ କଥାଗୁଡ଼ିକୁ କହି ପାରିବାର ଏକ ଉଦ୍ୟମ । ଡାଏରୀ ସର୍ବଥା ଏକ ଗୋପନୀୟ ବ୍ୟାପାର ହୋଇ ରହିଥାଏ । ଡାଏରୀ ଲେଖିବା ଆରମ୍ଭ କଲା ସମୟରେ ତାହାକୁ ମୁଁ ଗୋପନୀୟ କରି ରଖୁଥିଲି । କେବେ ବି କାହାକୁ ଦେଖାଉ ନଥିଲି । ଥରେ ଗୋଟିଏ ଡାଏରୀଖାତା ଚୋର ନେଇଗଲା । ଚୋର ନେଇଥିବା ଅନ୍ୟାନ୍ୟ ଦ୍ରବ୍ୟଗୁଡ଼ିକ ତୁଳନାରେ ମୁଁ ଦିନଲିପିର ସେହି ଖାତାଟିକୁ ହିଁ ଅଧିକ ଝୁରି ହେଉଥିଲି । ସତେଯେପରି ମୋ’ ଦେହରୁ କେଉଁଠି ଖଣ୍ଡେ ଛିଣ୍ଡି ରହି ଯାଇଥିଲା ଓ ମୋତେ ଦାରୁଣ ଜ୍ଵାଳା ଦେବାରେ ଲାଗିଥିଲା । ମୁଁ ଡାଏରୀ ଲେଖୁଛି ବୋଲି ସେହି ଦିନଠାରୁ ସମସ୍ତେ ଜାଣିଲେ । ପଢ଼ିବାକୁ ଆଗ୍ରହ ପ୍ରକାଶ କଲେ । ସବୁ ମଣିଷ ଜୀବନର ଗୋଟିଏ ବିନ୍ଦୁରେ ଏକାଠି ଖିଅକୁ ଖିଅ ଯୋଡ଼ାହୋଇ ରହିଥାନ୍ତି ବୋଲି ପରସ୍ପରଠାରୁ ଯେତେ ଭିନ୍ନ ହେଲେ ମଧ୍ୟ ତଥାପି ଏଡ଼େ ସହଚାରୀ, ସହାନ୍ଵେଷୀ ଓ ସତୀର୍ଥ ପରି ଲାଗନ୍ତି । ପୃଥିବୀକୁ ଦେଖି ମୋ’ର ଅନୁଭବ ଗୁଡ଼ିକୁ ମୋ’ ଦିନଲିପି ମଧ୍ୟରେ ଫୁଟାଇ ମୁଁ ଅଧିକରୁ ଅଧିକ ପରିମାଣରେ ସେହି ଖିଅଟିକୁ ହିଁ ଚିହ୍ନିଛି ତାହାକୁ ଚିହ୍ନିବାର ମାର୍ଗ ଦେଇ ହିଁ ଆପଣାକୁ ଅଧିକ ଅନ୍ତରଙ୍ଗ ଭାବରେ ଅନୁଭବ କରି ଶିଖିଛି । ରୋହିତ ପାଖରେ ମୁଁ ନିତି ପ୍ରଣାମ ଜଣାଉଥିବି ଯେ ସିଏ ମୋ’ ଭିତରେ ରହି ଯାହା ମୋ’ ଦ୍ଵାରା ଲେଖାଇ ନେଇଛି ଓ ନେଉଛି ତାହାହିଁ ମୋ’ ପାଇଁ ନିଜକୁ ଅଧିକରୁ ଅଧିକ ଶିନ୍ତରଙ୍ଗ ଭାବରେ ଆବିଷ୍କାର କରି ପାରିବାଲାଗି ଓ ଅଧିକରୁ ଅଧିକ ସଂପୂର୍ଣ୍ଣ ଭାବରେ ସ୍ଵୀକାର କରିନେବା ଲାଗି ସମର୍ଥ କରିଆଣିଛି । ରୋହିତ ମୋତେ ଆପଣା ପାଖରେ ପ୍ରବାସୀ ହୋଇ ରହିବାର ପ୍ରମାଦରୁ ନିରନ୍ତର ବଞ୍ଚାଇ ରଖିଛି । ରୋହିତ ସହିତ ଅବିଛିନ୍ନ ଭାବରେ ହୋଇ ଚାଲିଥିବା ମୋ’ର କଥୋପକଥନ ମୋତେ ଯାବତୀୟ ନିଃସଙ୍ଗତାରୁ ମୁକ୍ତ କରି ରଖିଛି । ମୋ’ର ସଂକଳ୍ପକୁ ଦୃଢ଼ କରିଛି, ମୋତେ ସଂସାରପଥରେ ନିର୍ଭୟ, ନିଃସଙ୍କୋଚ ଏବଂ ନିରଳସ ଭାବରେ ବାଟ ଚାଲି ଶିଖାଇଛି ।

 

ଭିତରେ ରୋହିତ ସଙ୍ଗୀ ହୋଇ ରହିଛି ବୋଲି ପୃଥିବୀରେ କାହାରି ଲାଗି କୌଣସି ଦ୍ଵେଷ-ରଖି ଆପେ ଦହିହେବାର ପ୍ରମତ୍ତତାରୁ ମୁଁ ସର୍ବଦା ବାହାରେ ରହିଆସିଛି । ଯିଏ ନିଜେ ଭିତରେ ଦହିହେବାରେ ଲାଗିଥାଏ, ବାହାର ଜୀବନରେ ତା’ର ଯାବତୀୟ ଅନୁଧାବନ ସର୍ବଦା ଭାରି ଅଲଗା ପ୍ରକାରର ହୋଇଯାଏ । ତା’ ଅନୁରାଗରେ କୋଉଠି କୋଉଠି ପୋକ ପଶି ଯାଇଥାନ୍ତି । ସେହି ଦୁର୍ଦ୍ଦଶା ହେତୁ ତା’ର ସାହିତ୍ୟ, ତା’ର ସାଥିତ୍ଵ ଏବଂ ତାହାର ଯାବତୀୟ ସମ୍ବଦ୍ଧ ମଧ୍ୟ ଅଲଗା ପ୍ରକାରର ହୋଇଥାଏ । ଭିତରେ ପୋଡ଼ି ଯାଉଥିବା ମଣିଷମାନେ ବାହାରଟାକୁ ପୋଡ଼ି ପକାଇବାରେ ଲାଗିଥାନ୍ତି ଏବଂ ବାହାରେ ମୁଖା ପିନ୍ଧି ଜୀବନରେ କେତେ ଧାଁଧପଡ଼ କରୁଥିବା ମଣିଷମାନେ ହୁଏତ ନିଜପାଖରେ ମଧ୍ୟ ଅଭିନୟ କରୁଥାନ୍ତି, ଆଦୌ ନିଜର ନିକଟବର୍ତ୍ତୀ ହୋଇ ପାରନ୍ତିନାହିଁ । ନିଜପାଖରେ ମୋ’ର ଯେତେବେଳେ ଯାହା କହିବାର କଥା, ମୁଁ ତାହାକୁ ସର୍ବଦା ସହଜ ଭାବରେ ରୋହିତକୁ ଆସି କହିପାରିଛି । ପ୍ରତ୍ୟେକ ମନୁଷ୍ୟ ଭିତରେ ଏପରି ଆଉଜଣେ କିଏ ଥାଏ, ଯିଏକି ଏକାଧାରରେ ବନ୍ଧୁ ଭାବରେ, ଜନନୀ ଭାବରେ ଓ ପ୍ରେମିକ ଭାବରେ ତାକୁ ପୃଥିବୀ ଲାଗି ଅନୁରୂପ କରି ତିଆରି କରି ଦେଉଥାଏ । ସେମାନଙ୍କର କେଡ଼େ ଦୁର୍ଭାଗ୍ୟ,ଯେଉଁମାନେ ବାହାରର ବହୁବିଧ ତ୍ରାସଦ୍ଵାରା ପୀଡ଼ିତ ହୋଇ ଭିତରର ସେହି ଅସଲ ଦୋସରଟିର ମୁହଁକୁ ବନ୍ଦ କରି ରଖିଥାନ୍ତି । ନିଜକୁ ଢାଙ୍କି ରଖିବା ନିମନ୍ତେ ସେମାନେ ଗରଜରେ ପଡ଼ି ବହୁ ମିଛକୁ ବଞ୍ଚୁଥାନ୍ତି । ରୋହିତ ପାଖରେ ମୁଁ ଅତ୍ୟନ୍ତ କୃତଜ୍ଞ, ସିଏ ମୋତେ ଏହି ଯାବତ ଦୁର୍ବିପାକରୁ ରକ୍ଷା କରି ଆସିଛି । ଏବଂ, ଜୀବନର ରୋହିତର ସାକ୍ଷାତକାର ଲାଭ କରିଛି ବୋଲି ସଂସାରରେ ମନୁଷ୍ୟ ସହିତ ମୋ’ର ଯାବତୀୟ ସାକ୍ଷାତକାର ମୋତେ ଭଲ ଲାଗିଛି, ଧନାଢ଼୍ୟ କରିଛି ।

 

ରୋହିତକୁ ତ ମୁଁ ଆପଣାର ନିବିଡ଼ଟି ଭିତରେ ସାଇତି ରଖିଥାଆନ୍ତି, ତାକୁ ସାହିତ୍ୟ ଭିତରକୁ ଆଣିବାଲାଗି ମନ କଲି କାହିଁକି ? ଅନ୍ୟ ପ୍ରତ୍ୟେକ ମନୁଷ୍ୟ ଭିତରେ ମୋ’ର ରୋହିତ ସହିତ ହିଁ ଭେଟ ହୋଇଗଲା କି ? ମଣିଷମାନେ ବାଟ ଚାଲୁଥିବା ସମୟରେ ସତେଅବା କେତେ ଗଡ଼ ଜିତନ୍ତି, କେତେ କେତେ ଶତ୍ରୁଙ୍କୁ ସାଧ୍ୟ କରନ୍ତି, ଆପଣାର ବିଜୟଦାନା ଉଡ଼ାଇବାରେ ଲାଗିଥାନ୍ତି । ମୁଁ କୌଣସି ଗଡ଼କୁ ଜିତିବା, ଶତ୍ରୁକୁ ସାଧ୍ୟ କରିବା ଏବଂ ଖାଲି ବିଜୟ ପରେ ବିଜୟ ହାସଲ କରିବାରୁ କେବେ କୌଣସି ଆନନ୍ଦ ଲାଭ କରିନାହିଁ । ହୁଏତ ସେଇ ରୋହିତ ତା’ ନିଜ ବିଦ୍ୟାଟିକୁ ପଢ଼ାଇ ମୋତେ ଚଢ଼ାଇ ଦେଇଛି ଯେ, ସମସ୍ତଙ୍କର ହୋଇଗଲେ ଯାଇ ମଣିଷ ସମସ୍ତଙ୍କୁ ପ୍ରକୃତରେ ନିଜର ବୋଲି ପାଇଥାଏ, ଆପେ ସମସ୍ତଙ୍କ ନିମନ୍ତେ ଦୁଆରଟିକୁ ଖୋଲି ରଖି ପାରିଥିଲେ ଯାଇ ସେ ପୃଥିବୀରେ କେଡ଼େ ସହଜରେ ପ୍ରବେଶାଧିକାର ଲାଭ କରିଥାଏ । ଭଗବାନଙ୍କର ହୋଇଯାଇ ପାରିଲେ ଭଗବାନ୍ ନିଜର ହୁଅନ୍ତୁ ବୋଲି ଯେଉଁ ଅନୁଭବୀମାନେ କାଳେ କାଳେ କହି ଆସିଛନ୍ତି । ମନୁଷ୍ୟ ମନୁଷ୍ୟ ଭିତରେ ଅଭିପ୍ରେତ ହୋଇ ରହିଥିବା ସମ୍ପର୍କଗୁଡ଼ିକର କ୍ଷେତ୍ରରେ ମଧ୍ୟ ସେହି ସତକଥାଟି କାହିଁକି ଲାଗୁ ହୋଇ ନପାରିବ ? ପରସ୍ପର ମଧ୍ୟରେ ରୋହିତକୁ ଆବିଷ୍କାର କରିବାର ଅର୍ଥ ହେଉଛି ପରସ୍ପର ମଧ୍ୟରେ ସେହି ଭଗବାନଙ୍କୁ ହିଁ ଆବିଷ୍କାର କରିବା । ପୃଥିବୀର ଇତିହାସରେ ଯେଉଁ ଯଥାର୍ଥ ପଥିକମାନେ ଏକାବେଳେକେ ଏହି ଧୂଳିର ସବାତଳ ସ୍ତରଟିଠାରୁ ଜୀବନସମ୍ଭାବନାର ପରମାର୍ଥ ଉକ୍ତିଟି ପର୍ଯ୍ୟନ୍ତ ଆପଣାର ଅବବୋଧ ମଧ୍ୟରେ ସେତୁଟିଏ ପକାଇ ପାରିଛନ୍ତି, ସେମାନେ ନିଜ ଭିତରେ ସବା ଆଗ ସେହି ରୋହିତକୁ ହିଁ ଆବିଷ୍କାର କରିଥିବେ । ଅନ୍ୟ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ରୋହିତଟିଏ ଅବଶ୍ୟ ରହିଥିବ ବୋଲି ବିଶ୍ଵାସ କରୁଥିବାରୁ ହିଁ ମୁଁ ତା’ ସହିତ ମୋ’ ନିଜର କଥୋପକଥନକୁ ସାହିତ୍ୟ ଭିତରକୁ ଆଣିଛି । ଯଦି ସାହିତ୍ୟକୁ ହିଁ ନିଜ ଜୀବନରେ ମୁଁ ଅଭିବ୍ୟକ୍ତିର ଏକ ମାର୍ଗ ବୋଲି ଗ୍ରହଣ କଲି, ତେବେ ମୁଁ ମୋ’ ଜୀବନର ଅନ୍ତରଙ୍ଗତମ ସଂଳାପଗୁଡ଼ିକ କାହିଁକି କାହାଠାରୁ ଲୁଚାଇ ରଖିବାକୁ ମନ କରିବି ? ରୋହିତ, ଅର୍ଥାତ୍ ଏ ବାଟ ଚାଲୁଥାଏ, ବାଟ ସରେନାହିଁ, ତେଣୁ ରୋହିତ ମଧ୍ୟ ବୁଢ଼ା ହୁଏନାହିଁ । ରୋହିତର ଭଗବାନ ମଧ୍ୟ ସିଏ ଅଗ୍ରଗତି କରୁଥିବା ସଙ୍ଗେ ସଙ୍ଗେ ଆପଣାର ପ୍ରସ୍ଥଗୁଡ଼ିକର କ୍ଷେତ୍ରରେ ବୃଦ୍ଧିଲାଭ କରୁଥାନ୍ତି ।

 

ଜୀବନର ବିବରଣୀରୁ ଡାଏରୀ, ସେହି ବିବରଣୀଟିର ଏକ ସମଗ୍ର ସଂସ୍କରଣ ହେଉଛି ଜଣେ ବ୍ୟକ୍ତିର ଆତ୍ମଜୀବନୀ । ଆତ୍ମଜୀବନୀ ଅର୍ଥାତ୍ ଜଣେ ଋଣୀ ମଣିଷର, କୃତଜ୍ଞ ମନୁଷ୍ୟର ଜୀବନକଥା । ଶାସ୍ତ୍ରରେ ମିତ୍ରପରି ଆପଣାର ସମୀକ୍ଷା କରିବାକୁ ହୁଏ ବୋଲି କୁହାଯାଇଛି । ମିତ୍ରର ଆଖିରେ ନିଜକୁ ଦେଖିବା, ମିତ୍ରର ଆଖିରେ ଅନ୍ୟମାନଙ୍କ ଦ୍ଵାର ପୂର୍ଣ୍ଣ ହୋଇ ରହିଥିବା ଏହି ପୃଥିବୀକୁ ଦେଖିବା,—ଏଇଟି ବି ଜୀବନରେ ଯାବତୀୟ ଦେଖିବାର ଏକ ଶୈଳୀରେ ପରିଣତ ହୋଇପାରେ । ସଂସାରକୁ ଭଲ କରି ବାହାରିଥିବା ବ୍ୟକ୍ତିମାନେ ସଂସାରକୁ ମିତ୍ରବତ୍ ଦେଖି ପାରନ୍ତି ନାହିଁ । ସେମାନେ ଦୁର୍ଦ୍ଦାନ୍ତ ହୁଅନ୍ତି, ଅନେକ ସମୟରେ ଏହି ଦୁର୍ଦ୍ଦାନ୍ତ ହେବାକୁ ହିଁ ଆଦର୍ଶବାଦ ବୋଲି କହନ୍ତି । ପୃଥିବୀକୁ ଅଲକ୍ଷଣା କରି ପକାଇବାରେ ଏହି ଦୁର୍ଦ୍ଦାନ୍ତମାନଙ୍କର ସର୍ବଦା ଏକ ବୃହତ୍ତ ଭୂମିକା ରହିଆସିଛି । ପୃଥିବୀରେ ଅନ୍ୟ ମଣିଷମାନଙ୍କ ସହିତ ମୋ’ର ସଂସର୍ଗ ମୋତେ କେଉଁ ବଳ ଓ କେଉଁ ଭରସା ଯୋଗାଇ ଦେଇଛି କେଜାଣି, ସେଇଥିରୁ ହିଁ ମୁଁ ନିଜକୁ ବନ୍ଧୁର ଆଖିରେ ହିଁ ଦେଖିପାରିବା ଓ ମିତ୍ରର ଚକ୍ଷୁରେ ହିଁ ନିଜର ସମୀକ୍ଷା କରିବାର ପ୍ରତ୍ୟୟଟିକୁ ହାସଲ କରିପାରିଛି । ଏହି ଜୀବନ ସତେଅବା ଏକ ତୀର୍ଥ ଦର୍ଶନ ପରି ମନେ ହୋଇଛି । ନିଜ ଉପରେ ପୋଲିସ୍ ହୋଇ ନିଜ ଭିତରେ ଠାବ କରିଥିବା କେଉଁ ଚୋର ପଛରେ ଅଥବା, ନିଜ ଭିତରେ ସତେଅବା ଦୁଇଖଣ୍ଡ ହୋଇଯାଇ ଗୋଟାଏ ଭାଗ ଆଉଗୋଟାଏ ଭାଗକୁ ଚାଟ ବୋଲି ମଣି ତା’ ଉପରେ ଅବଧାନୀ କରିବାରେ ଲାଗିଥିବା,—ଏଗୁଡ଼ାକ ମୋ’ର କେବେହେଲେ ମନ ବଳିନାହିଁ । ନିଜକୁ ନିଜର ସାଥୀ ଓ ମିତ୍ର କରି ପାଇବା, ତାହା ହେଉଛି ଏକ ସୌଭାଗ୍ୟ ।

 

ସାହିତ୍ୟର ଆଧୁନିକ ଯୁଗରେ ହିଁ ଆତ୍ମଜୀବନୀ ଲେଖିବା ଆରମ୍ଭ ହେଲା । ସଂସାରକୁ ଅର୍ଥାତ୍ ଏହି ପାର୍ଥିବ ଜୀବନକୁ ଅନିତ୍ୟ ଓ ନଶ୍ଵର ବୋଲି କହିବା ପଛରେ ନିଜକୁ ଏଠାରେ ଯଥାସମ୍ଭବ ଅଧିକ ପରିମାଣରେ ଲୁଚାଇ ରଖିବାର ଏକ ଅପସଂସ୍କାର ମଣିଷ ଭିତରେ କାଳେ କାଳେ ରହି ଆସିଛି । ଆଗକାଳର ସାହିତ୍ୟ ମଣିଷକୁ ନିଜକୁ ଏହି ଲୁଚାଇ ରଖିବାରେ ଅପେକ୍ଷାକୃତ ଅଧିକ ସାହାଯ୍ୟ କରି ଆସିଥିଲା । ସେହି କାରଣରୁ ହିଁ ସାହିତ୍ୟର ତତ୍ତ୍ଵ ଲେଖାଗଲା, ସାହିତ୍ୟରେ ଅଳଙ୍କାରର ଆଲୋଚନା ହେଲା । ଗୋଟାଏ ଗୋଟାଏ ମହୁଡ଼ ତ ଏପରି ଭାବରେ ତିଆରି ହେଲା, ଯେଉଁମାନେ ପ୍ରୀତିଠାରୁ ରୀତିକୁ ଅଧିକ ବୋଲି କହିଲେ । ପ୍ରୀତିକୁ ରୀତିର ଅତ୍ୟାଚାର ତଳେ ଘୋଡ଼ାଇ ଦିଆଯାଇଥିଲା । ପୁନଶ୍ଚ, ଯେଉଁ ସାହିତ୍ୟ ସବାଆଗ ସଭାକୁ ଆଖି ଆଗରେ ରଖି ତିଆରି ହେଉଥିଲା, ଆପଣାକୁ ଲୁଚାଇ ରଖିବା ବ୍ୟତୀତ ତା’ର ଆଉ କେଉଁ ଚାରା ରହିଥାନ୍ତା ? ଭାରି ଭଲ ହେଲା, ମଣିଷର ଆଖି ବଡ଼ ହେଲା, ବହୁତ ଦେଖିଲା ଓ ଭୂମାକୁ ବିଶ୍ଵଜୀବନର ପ୍ରାତ୍ୟହିକ ଉଦ୍ୟମଟି ମଧ୍ୟରେ ଅନୁଭବ କରି ଶିଖିଥିଲା । ହୁଏତ ତା’ପରେ ଯାଇ ମଣିଷ ସମସ୍ତଙ୍କ ସହିତ ଏକତ୍ର ସୁଖ ଓ ଦୁଃଖକୁ ମିଳାଇ ବାଟ ଚାଲିବାର କଳ୍ପନା କରିପାରିଲା । ବୃହତ୍ତର ବିଶ୍ଵ ପରି ନିଜର ଭିତରେ ମଧ୍ୟ ସିଏ ଏକ ବିବିଧତାର ଦର୍ଶନ ପାଇଲା । ତେଣୁ, ଏଇଟାକୁ ଲୁଚାଇ ରଖି ସେଇଟାକୁ ଦେଖାଇ ବୁଲିବାର ଧୃଷ୍ଟତା ମଧ୍ୟ ପୃଥିବୀରେ କମ୍ ହୋଇ ଆସିଲା । ତା’ପରେ ଯାଇ ଆତ୍ମଜୀବନୀ ସାହିତ୍ୟ ଭିତରକୁ ଆସିଲା । ମୋ’ ବାଟଚଲାର ଅନ୍ତରଙ୍ଗ କଥାଗୁଡ଼ିକୁ ଅନ୍ୟମାନଙ୍କ ଆଗରେ କହିଦେଇ ପାରିଲେ ମଣିଷ ନିଜ ଆଖିରେ ଯେ ଅଧିକ ସମଗ୍ର ଏବଂ ଅଧିକ ଆକର୍ଷକ ହୋଇ ଦେଖାଯାଏ, ନିଜର ଆତ୍ମଜୀବନୀକୁ ଲେଖି ମୁଁ ସେହି ସତ୍ୟଟିକୁ ଅଙ୍ଗେ ନିଭାଇଛି । ଅନେକ ସମୟରେ କେତେ ମଣିଷ ନିଜେ ଲେଖୁଥିବା କବିତା ଅଥବା ଗଳ୍ପ-ଉପନ୍ୟାସ ଜରିଆରେ ତଥାପି ଜୀବନଟାକୁ କଳା ଓ ଧଳା, ଏହିପରି ଦୁଇ ଭାଗରେ ବିଭକ୍ତ କରି ଦେଖାଇବାକୁ ଚେଷ୍ଟା କରିଥାନ୍ତି । ଅନେକ ମଣିଷ ହୁଏତ କୋଉଠି କେଉଁ କଳାଗୁଡ଼ିକୁ ବାଆଁରେଇ ଦେବାପାଇଁ ଖାଲି ଧଳାଗୁଡ଼ିକୁ ହିଁ ମେଞ୍ଚା ମେଞ୍ଚା କରି ବଖାଣିବାରେ ଲାଗିଥାନ୍ତି । କଳା ଓ ଧଳାକୁ ଦି’ଫାଳ କରି ଦେଖାଇବାର ଉତ୍ସାହରେ ଅନେକ ସମୟରେ ଭଗବାନଙ୍କୁ ଏବଂ ଧର୍ମନାମକ ଆଚାରଟିକୁ ମଧ୍ୟ କେଡ଼େ ସନ୍ତର୍ପଣରେ ବ୍ୟବହାର କରାଯାଇଥାଏ । ଏହିସବୁ କ୍ଷେତ୍ରରେ ମଣିଷ ନିଜେ ନିଜର ମିତ୍ର କଦାପି ହୋଇ ପାରେନାହିଁ ।

 

ନିଜକୁ ନିଜର ମିତ୍ର ବୋଲି ଗ୍ରହଣ କରି ମୁଁ ଏକାଧିକ ଭାବରେ ଅହଙ୍କାରୀ ହେବାରୁ ରକ୍ଷା ପାଇଯାଇଛି । ସେଇଥିଲାଗି ଜୀବନରେ ଉଠି ଉଠି ଆସିଥିବା ସୋପାନଗୁଡ଼ିକ ମୋ’ପାଇଁ ସତେଅବା ଗୌରବର ହିଁ ଗୋଟିଏ ଗୋଟିଏ ସନ୍ତକ ହୋଇ ରହିଛନ୍ତି । ଆପଣାକୁ ମିତ୍ରବତ୍ ଦେଖୁନଥିଲେ ଜୀବନଟାକୁ ହୁଏତ ମୁଁ ଏକାବେଳେକେ ଅନ୍ୟପ୍ରକାରେ ଦେଖିଥାନ୍ତି, —ଭିତରେ ମିତ୍ରହରା ହୋଇ ବାହାରେ ମଧ୍ୟ ଭାରି ନିଃସଙ୍ଗ ଗୋଇ ରହିଥାନ୍ତି । ମଝିରେ କେତେବର୍ଷ ଆମ କବିତା ଓ କାହାଣୀରେ ଯେଉଁ ନିଃସଙ୍ଗତାର ଜୟଜୟକାର କରା ଯାଉଥିଲା, ତା’ପଛରେ ସେହିଭଳି କୌଣସି କାରଣ ରହିଥିଲା କି ? ଅନ୍ତର୍ଗତ ବହୁ କାରଣରୁ ଆପଣାକୁ ସବୁଟିଠାରୁ ବିଚ୍ଛିନ୍ନ କରି ରଖିଥିବା ମଣିଷଟିଏ ଯେ ବିଚ୍ଛିନ୍ନତାବୋଧର କବଳରେ ପଡ଼ିଯାଏ, ଆଧୁନିକ ସାହିତ୍ୟରେ ତାହାର ସମର୍ଥନ କରୁଥିବା ବହୁତ ନମୁନା ସବୁବେଳେ ମିଳିଯିବ । ଜଣେ ଲେଖକ ନିଜ ସହିତ ମିତ୍ରଟିଏ ହୋଇ ରହିଛି ବା ନିଜସହିତ ଏକ ନିତ୍ୟକଳହରେ ସନ୍ତାପିତ ହୋଇ ରହିଛି, ସିଏ ଲେଖିଥିବା କବିତା, ଗଳ୍ପ, ଉପନ୍ୟାସ ଓ ନାଟକ ସବୁକିଛିରୁ ତା’ର ବେଉରା ଅବଶ୍ୟ ମିଳିଯାଇ ପାରିବ । ତା’ର ସଂକ୍ରାମଣଶକ୍ତି ମଧ୍ୟ ତାହାରିଦ୍ଵାରା ନିର୍ଣ୍ଣିତ ହୋଇ ଯାଉଥିବ ।

 

ଜାତି ଆଗ ନା ସାହିତ୍ୟ ଆଗ ? ଜୀବନରେ ଆମଠାରୁ ଏତେ ଏତେ ଦାବୀ କରୁଥିବା ଏହି ଦୁଇଟି ପ୍ରତି ରହିଥିବା ଆମର ଅନୁରକ୍ତି ମଧ୍ୟରେ କିଏ ଆଗ କିଏ ପଛ ? ନିଜର ଜାତିକୁ ଭଲ ପାଇବାଦ୍ଵାରା ଉଦ୍‍ବୁଦ୍ଧ ହୋଇ ପୃଥିବୀରେ ପ୍ରାୟ ପ୍ରତ୍ୟେକ ଭାଷାରେ ସାହିତ୍ୟ ସାହିତ୍ୟ ଲେଖାଯାଇଛି ଏବଂ ଆମ ଭାବଗୁଡ଼ିକର ଉତ୍ତୋଳନରେ ତାହା ଆମକୁ ଅବଶ୍ୟ ସାହାଯ୍ୟ କରିଛି । ମାତ୍ର, ଆମର ଭଲ ପାଇବା ଆମ ଜାତିପ୍ରତି ରହିଥିବା ଆମ ଅନୁରକ୍ତିର ବୃତ୍ତିସୀମାଟି ପାଖରେ ଅଟକି ରହିଯିବ ନା ଆମ ଜାତିପ୍ରୀତି କ୍ରମସଂପ୍ରସାରିତ ଏବଂ କ୍ରମୋତ୍ତୋଳିତ ହୋଇ ଆମକୁ ଆହୁରି ଆଗକୁ ବାଟ ଛାଡ଼ିଦେବ ? ପ୍ରାୟ ପ୍ରତ୍ୟେକ ସାହିତ୍ୟରେ ରହିଥିବା ଜାତୀୟତାର ଯୁଗଟି ମଣିଷମାନଙ୍କୁ ସେମାନଙ୍କର କ୍ଷୁଦ୍ର ବ୍ୟକ୍ତିଗତ ସ୍ଵାର୍ଥର ଅନ୍ଧାରଗୁଡ଼ିକ ଭିତରୁ ବାହାରକୁ ବାହାରି ଆସିବାଲାଗି କେତେ କେତେ ପ୍ରେରଣା ଦେଇ ଆସିଛି । ଜାତି ବାହାରେ ବୃହତ୍ତର ପୃଥିବୀଟିଏ ସବୁବେଳେ ରହିଛି । ଠିକ୍ ନିଜଗାଆଁ ନଈ ସେପାଖକୁ ଆହୁରି ଆହୁରି ଗାଆଁମାନେ ଯେପରି ରହିଛନ୍ତି, ଠିକ୍ ସେହିପରି । ତା’ ବୋଲି ମୁଁ ନଈ ଡେଇଁ ସେହି ଅନ୍ୟ ଗାଆଁଗୁଡ଼ିକୁ ଯିବିନାହିଁ ବୋଲି କାହିଁକି ନିଜକୁ ଆକଟ କରି ରଖିବି ? ସାହିତ୍ୟରେ, ଆମ ସାହିତ୍ୟ ଲଗାଏତ୍ ଯେଉଁ ଜାତୀୟତାବାଦୀ ଯୁଗଟି ରହିଛି, ଏହିଭଳି ଏକ ଅନ୍ୟ ବିବେକର ସହିତ ଆମକୁ ତାହାର ବିଚାର କରିବାକୁ ପଡ଼ିବ । ମୋ’ ଗାଆଁର ବା ମୋ’ ଦେଶର ନଈ, ପାହାଡ଼, ଅରଣ୍ୟ ମୋତେ ଭାରି ସୁନ୍ଦର ଦେଖାଯାଆନ୍ତି, —ମାତ୍ର ତା’ହେଲେ ତ ଆମ ଭିତରେ ରହିଥିବା ଭାବଜଗତଟିର ନିୟମ ଅନୁସାରେ ଅନ୍ୟ ନଦୀ, ପାହାଡ଼ ଓ ଅରଣ୍ୟ ମଧ୍ୟ ମୋତେ ସୁନ୍ଦର ଦେଖାଯିବା ଉଚିତ । ଜାତି ଜାତି ତଥା ଦେଶ ଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ଓ ତା’ପଛରେ ରଞ୍ଜକ ପରି କାର୍ଯ୍ୟ କରି ଆସିଥିବା ଘୃଣାର କ୍ଷେତ୍ରରେ ଜାତୀୟତାବାଦୀ ସାହିତ୍ୟର ଏକ ସ୍ପଷ୍ଟ ଭୂମିକା ରହି ଆସିଛି ।

 

ସାହିତ୍ୟ ଘୃଣାର ପ୍ରଚାର କରିବାର ନିମିତ୍ତ ହେଲେ ପ୍ରକୃତରେ ଏକ ଅସାହିତ୍ୟରେ ପରିଣତ ହୋଇଯାଏ । ଆମ ପିଲାଦିନେ ଆମେ ଭାରତବର୍ଷକୁ ଜନନୀ ବୋଲି ଅନୁଭବ କରିବାକୁ ଶିକ୍ଷା ପାଉଥିଲୁ, ତା’ପରେ ଆଉ କିଛି ମଣିଷ ଆସି ଆମକୁ ଉତ୍କଳ ଜନନୀଙ୍କର ନୂଆ ସନ୍ଦର୍ଭଟିକୁ ଆଣି ଦେଇଥିଲେ । ହୃଦୟରେ ବେଶ୍ ଦ୍ଵନ୍ଦଟିଏ ବି ସୃଷ୍ଟି ହୋଇ ଯାଇଥିଲା । ଏବେ ତ ଆଞ୍ଚଳିକତା ଭିତରକୁ ଏହି ଜନନୀ-ଭାବନାଗୁଡ଼ିକ ପଶି ଆସିଲେଣି । ସାହିତ୍ୟ ମଧ୍ୟ ଏହି କ୍ଷେତ୍ରରେ ନିଜର ଦୃଷ୍ଟିଭଙ୍ଗୀଟିକୁ ଅବଶ୍ୟ ସ୍ପଷ୍ଟ କରିବ । ଯେଉଁଠି ଗୋଟାଏ ନିର୍ଦ୍ଦିଷ୍ଟ ସୀମା ଭିତରେ ହିଁ ଅଟକି ଯିବାପାଇଁ ପ୍ରରୋଚନା ଦିଆଯାଏ, ଯେଉଁଠାରେ ଏଇଟାକୁ ନିଜର ମଣି ଭଲ ପାଇବ ବୋଲି ସେଇଟାକୁ ଘୃଣା କରିବାକୁ ମନ୍ତ୍ରଣା ହେଉଥାଏ, ସେଠି ଏକ ମୋହାଚ୍ଛନ୍ନତା ମଣିଷମାନଙ୍କୁ ଗ୍ରାସ କରି ରହିବାର ଚକ୍ରାନ୍ତ କରୁଥାଏ । ସାହିତ୍ୟ ସୁନ୍ଦରକୁ ଅବଶ୍ୟ ଦେଖିବ, ସୁନ୍ଦରର ଅବଶ୍ୟ ପ୍ରଶଂସା ଗାନ କରିବ, —ସୀମା କାଟି ଆପଣାକୁ ମୋଟେ କିଳି ରଖିବନାହିଁ । କିଳି ରଖିବାକୁ ଚେଷ୍ଟା କଲେ ହିଁ ପ୍ରମାଦ ଉପସ୍ଥିତ ହେବ । ମୋ’ ଓଡ଼ିଶା ବା ମୋ’ଭାରତବର୍ଷ ଭଳି ବିଶ୍ଵଯାକ ମଣିଷ ରହିଛନ୍ତି । ନାନାବିଧ ମିଛତତ୍ତ୍ଵର କୁହେଳି ରଚନା କରି ପୃଥିବୀର ଅଧେ ମଣିଷଙ୍କୁ ଜୀବନର ସର୍ବନିମ୍ନ ଆବଶ୍ୟକତା ଗୁଡ଼ିକରୁ ବଞ୍ଚିତ କରି ରଖାଯାଇଛି । ଜାତି-ଅଭିମାନର କ୍ଷେତ୍ରରେ ବଡ଼ ବୋଲାଉଥିବା ଦେଶମାନଙ୍କରେ ବି ବଞ୍ଚିତ ମଣିଷମାନେ ରହିଛନ୍ତି । ତେଣୁ, ପ୍ରକୃତ ସାହିତ୍ୟ ଜାତିଠାରୁ ମଣିଷକୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ସ୍ଵୀକାର କରିବ । ଜାତିକୁ ବଡ଼ କରିବାର ମତଲବରେ ଆଜି କେତେ କେତେ ଦେଶରେ ମଣିଷମାନଙ୍କୁ ଅକିଞ୍ଚନ ଏବଂ ଅସହାୟ କରି ରଖାଯାଇଛି । ନିଜ ଜାତିକୁ ଭଲ ପାଉଥିବା କବିଟିଏ ଆଗ ସେହି ଅସହାୟ ମଣିଷମାନଙ୍କର କଥାକୁ ହିଁ ଭାଷା ଦେବ, ଆପଣାକୁ ସେଇମାନଙ୍କର ନିକଟବର୍ତ୍ତୀ କରି ରଖିଥିବ ।

 

ଅକସ୍ମାତ୍ ଏକ ପୋଡ଼ଶୀ ରାଜ୍ୟ ଏବଂ ପୋଡ଼ଶୀ ଭାଷା ସହିତ ଟକ୍କର ଖାଇ ହିଁ ଓଡ଼ିଶାରେ ଜାତୀୟତା ଏକ ଆଦର୍ଶ ରୂପେ ଉନ୍ମେଷଲାଭ କରିଥିଲା । ସେତେବେଳେ ସେଥିପାଇଁ ଯେଉଁ ନେତୃତ୍ଵଟି ଉପଲବ୍ଧ ହେଲା, ତାହା ତତ୍କାଳୀନ ପରିସ୍ଥିତି ମଧ୍ୟରେ ହୁଏତ ସେତିକି ମଧ୍ୟରେ ନିଜକୁ ସୀମାବଦ୍ଧ କରି ରଖିବାକୁ ବାସ୍ତବତା ବୋଲି ମନେ କରିଥିଲା । ମାତ୍ର, ଓଡ଼ିଶାର ମଣିଷମାନଙ୍କ ବିଷୟରେ ସେହି ନେତୃତ୍ଵ ପ୍ରକୃତରେ କେତେ ଅଳପ ଜାଣିଥିଲା । ନୂଆ କରି ଜନ୍ମଲାଭ କରିଥିବା ଜାତୀୟତାକୁ ଆବଶ୍ୟକ ଉତ୍ତେଜନା ଆଣି ଯୋଗାଇ ଦେବାକୁ ସେତେବେଳେ ବିଶିଷ୍ଟମାନେ ଯେଉଁ ଔପଚାରିକ ସମ୍ମିଳନୀମାନ ବସାଉ ଥିଲେ, ସେଥିରେ ଯାବତୀୟ ଅଭିପ୍ରାୟରେ ଓଡ଼ିଶା ଭିତରେ ଗଡ଼ଜାତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଉ ନଥିଲା । ଗଡ଼ଜାତର ରାଜାମାନେ ଏହିସବୁ ସମ୍ମିଳନୀରେ ବସି ପୂର୍ଣ୍ଣାଙ୍ଗ ଉତ୍କଳର ଭାବନା ଭାବିଲାବେଳେ ନିଜ ନିଜର ଶାସନାଞ୍ଚଳକୁ କାହିଁକି ବହିର୍ଭୂତ କରି ରଖିଥିଲେ, ଓଡ଼ିଆ ଆନ୍ଦୋଳନର କର୍ତ୍ତାମାନେ ଏବେ ମଧ୍ୟ ସେହି କଥାଟିର ଆଲୋଚନାଟିର ସାମନାକୁ ଆସିନାହାନ୍ତି । ତେଣୁ, ଓଡ଼ିଆ ଜାତୀୟତାବାଦୀ ସାହିତ୍ୟ ଏହି ବିଷୟରେ ସବୁବେଳେ ସାବଧାନ ରହିବ । ମଣିଷମାନଙ୍କୁ ସବାଆଗ ଦେଖିବ, ମଣିଷକୁ ଯାବତୀୟ ନିୟତି ଏବଂ ଅଗ୍ରଗତିର ସର୍ବମୂଳ ଏକକରୂପେ ଗ୍ରହଣ କରିବ । ଏହି ଭୂଇଁରେ ମଣିଷମାନେ ବାସ କରୁଛନ୍ତି ବୋଲି ଏହାର ଏକ ସ୍ଵତନ୍ତ୍ର ପରିଚିତ ରହିଛି । ଏ ଭୂଇଁର ଯାବତୀୟ ଉଦ୍ୟମ ମଣିଷମାନଙ୍କୁ ଆଗକୁ ଆଗକୁ ନେଇଯିବା ପାଇଁ ଉଦ୍ଦିଷ୍ଟ ହୋଇ ରହିବ । ମଣିଷମାନେ ଗଧ ହୋଇ ରହିବେନାହିଁ, ଅନ୍ୟ ମଣିଷମାନଙ୍କ ଦ୍ଵାରା ଶୋଷିତ ହେବେନାହିଁ, ମର୍ଯ୍ୟାଦାର ସହିତ ବଞ୍ଚିବାକୁ ଏବଂ ଜୀବନଗଠନ କରିବାକୁ ସେମାନେ ଆବଶ୍ୟକ ସୁଯୋଗ ପାଇବେ । ସଚେତନ ହେବେ, ନିଜର ଅସଲ ବଳଗୁଡ଼ିକୁ ସେମାନେ ନିଜଠାରୁ ଏବଂ ପରସ୍ପରଠାରୁ ପାଇବେ, —ସାହିତ୍ୟ ଏହିସବୁ ବିଷୟରେ ସଦାଜାଗ୍ରତ ହୋଇ ଅବଶ୍ୟ ରହିଥିବ । ନହେଲେ, ଆମ ସାମୂହିକତା ଏବଂ ସାମୂହିକ ବିବେକର ଚକଗୁଡ଼ିକ ଏପରି ଆବାଗିଆ ହୋଇ ଘୂରି ଯାଉଥିବେ ଯେ, ଏଠି ଥୋକେ ମଣିଷ ଅଧିକ ମଣ୍ଡନ ଦିଶିପାରିବେ ବୋଲି ଆଉଥୋକେ ସେହି ଚକଗୁଡ଼ିକ ତଳେ ପେଷିହୋଇ ଯାଉଥିବେ । ଆଗାମୀ ଯେଉଁ ଯୁଗଟି ଆସୁଛି, ସେଇଟି ସବାଆଗ ମନୁଷ୍ୟ ମହିମାକୁ ସ୍ଵୀକୃତି ଦେବ । ମଣିଷକୁ ତା’ର ଜାତିଠାରୁ, ଦେଶଠାରୁ ଅଧିକ ମୂଲ୍ୟର ସନ୍ତକ ବୋଲି ଦେଖିବ । ଆଗାମୀ ସେହି ଯୁଗଟି ପାଇଁ ବିଶ୍ଵ-ଅର୍ଥନୀତି ବିଶ୍ଵ-ରାଜନୀତି ଏବଂ ବିଶ୍ଵ-ସାମାଜିକ । ବିଚାର ସହିତ ବିଶ୍ଵସାହିତ୍ୟ ମଧ୍ୟ ପ୍ରସ୍ତୁତ ହେଲାଣି । ଏବଂ, ସବୁଠାରୁ ଅସଲ କଥା ହେଉଛି, ଗୋଟିଏ ଦେଶ । ରାଜନୀତିକ ସ୍ଵାଧୀନତା ଲାଭ କଲାପରେ ମଧ୍ୟ ସେଠାରେ ମଣିଷ ପଛରେ ରହିଥିବ ଓ ଜାତୀୟତାକୁ ଯେ ମଣିଷଠାରୁ ବଡ଼ କରି ଦେଖା ଯାଉଥିବ, ସାହିତ୍ୟ ତାର ଅବଶ୍ୟ ପ୍ରତିବାଦ କରିବ ।

 

ଏଠାର କଥାକୁ ମୁଁ ପ୍ରବନ୍ଧ ବ୍ୟତୀତ ସାହିତ୍ୟର ଅନ୍ୟ କୌଣସି ମାଧ୍ୟମରେ ଆଦୌ କରି ପାରିନଥାନ୍ତି । ହୁଏତ କବିତାରେ, ଗଳ୍ପ ବା ଉପନ୍ୟାସରେ ଯେତେ ଯେତେ କଥାଦେଇ କହିଦେଇ ପାରୁଥିଲେ ମଧ୍ୟ ତାହା ଅସଲ କଥାଗୁଡ଼ିକୁ ସତେଅବା ଜାଣିଶୁଣି ବଙ୍କେଇ ଦେଉଥିବା ପରି ହେଉଥାଆନ୍ତା । ଏକ ଅସୁସ୍ଥ ଓ ମୋହପୂର୍ଣ୍ଣ ସମାଜରେ ସାହିତ୍ୟ କରୁଥିବା ଦଳେ ବାବାଜୀସ୍ଵଭାବର ଏପରି ଲୋକ ଥାଆନ୍ତି, ଯେଉଁମାନେ କି ସାହିତ୍ୟକୁ ସତେଅବା ଜୀବନଠାରୁ ବଡ଼ ଏକ ମହାସମ୍ପଦ ବୋଲି କହୁଥାନ୍ତି । ସେମାନେ ସାହିତ୍ୟ ପାଇଁ ବାଇଆ ହୋଇ ସଂସାରକୁ ଆଖି ବୁଜି ଦେଇଥାନ୍ତି । ଏହି ସଂସାର ଭିତରେ ଥାଆନ୍ତି, ଅନେକ ଅଧିକଙ୍କ ଠାରୁ ଅପେକ୍ଷାକୃତ ଅଧିକ ଭଲରେ ଥାଆନ୍ତି, ଅଧିକ ଭୋଗ କରୁଥାନ୍ତି । ସେମାନେ ସଭାମାନଙ୍କରେ ସାହିତ୍ୟକୁ ନେଇ କେତେମନ୍ତେ ଫୁଲେଇ ହୁଅନ୍ତି । ଯେଉଁ ଜାତିର ସାହିତ୍ୟ ଯେତେ ବଡ଼, ସେହି ଜାତି ମଧ୍ୟ ସେତିକି ବଡ଼ ବୋଲି କହିବାରେ ଲାଗିଥାନ୍ତି ଏବଂ ଏଣେ ଜାତିର ଅଧିକରୁ ଅଧିକ ମଣିଷ ନରଖର ହୋଇ ରହିଥାଆନ୍ତି । ଏହିପରି ଭାବରେ ସାହିତ୍ୟକୁ ଏକ ବିନୋଦନସାମଗ୍ରୀ କରି ରଖିଥିବା ମନୁଷ୍ୟମାନେ ପାପିଷ୍ଠ ହୁଅନ୍ତି, ପରଶ୍ରୀକାତର ହୋଇ ରହିଥାନ୍ତି । ସେମାନଙ୍କର ସମ୍ବେଦନଶୀଳତାର ମାନଚିତ୍ରରେ ସାହିତ୍ୟ ସତେଅବା ଏକ ହସ୍ତମୁଦିମାହାଲରେ ପରିଣତ ହୋଇ ରହିଥାଏ, ଯେଉଁଠାରେ କି ସେମାନେ ଘଡ଼ିଏ ଘଡ଼ିଏ ରମଣ କରିବାକୁ ଯାଆନ୍ତି । କେବଳ ନିର୍ମମମାନେ ହିଁ ଆପଣାର ପ୍ରୀତ୍ୟର୍ଥେ ସାହିତ୍ୟକୁ ଜୀବନର ସମଗ୍ରାୟତନଠାରୁ ଏକ ଅଲଗା ଇଲାକାପରି ଗାର ଦେଇ ରଖିଥାନ୍ତି । ଭାରତବର୍ଷର ସାହିତ୍ୟ ଅଧିକାଂଶତଃ ଆଗପରି ଏବେ ମଧ୍ୟ ସେହିଭଳି ହୋଇ ରହିଛି ଏବଂ ସାହିତ୍ୟକାରମାନେ ସତେଅବା ଜଣେ ଜଣେ ସଂପୂର୍ଣ୍ଣ ମନୁଷ୍ୟ ହିସାବରେ ସେମାନଙ୍କର ଦାୟିତ୍ଵଗୁଡ଼ିକୁ ପାସୋରି ରହିବାର ମତଲବରେ ସାହିତ୍ୟକୁ ଏକ ଚତୁରାରଣ୍ୟ ରୂପେ ବ୍ୟବହାର କରୁଛନ୍ତି ।

 

ପ୍ରାଚୀନ କାଳରେ ମନୁଷ୍ୟ ତା’ ନିଜ ବିଷୟରେ ପ୍ରକୃତରେ କେତେ ଅଳପ ଜାଣିଥିଲା ଓ ନିଜକୁ କେତେ ଅଳପ ବୁଝିଥିଲା । ତେଣୁ, ସାହିତ୍ୟ କହିଲେ କେତେଟା ବିଶେଷ ଭାବରେ ଅଳଙ୍କୃତ କାବ୍ୟସର୍ଜନାକୁ ବୁଝିବା ଛଡ଼ା ଆଉ ଅଧିକ ସମ୍ଭାବନା ହିଁ ନଥିଲା । କ୍ରମେ ଆମର ଏଯୁଗଯାଏ ଆସିବାର ପଥରେ ମଣିଷ ଆପଣାକୁ ବ୍ୟକ୍ତିଗତ ତଥା ସାମୂହିକ ଦର୍ପଣଗୁଡ଼ିକ ଉପରେ କେତେ କେତେ ନୂତନ ପ୍ରସ୍ଥ ଏବଂ ନୂତନ ବ୍ୟଞ୍ଜନା ଦେଇ ଜାଣିଲା, ପ୍ରକୃତି ସହିତ ତାର ମର୍ମ ପରିଚୟ କ୍ରମଶଃ କେତେ ବିସ୍ତାରିତ ଏବଂ ଅନେକାନ୍ତ ହୋଇଗଲା । ସେ ବିଜ୍ଞାନର ନୂଆ ଆଖିଗୁଡ଼ିକୁ ଦେଇ ପ୍ରକୃତିକୁ ପରଖି ଶିଖିଲା, କାହାର ପ୍ରକୃତିକୁ ଜାଣୁ ଜାଣୁ ପ୍ରାୟ ଏକ ଅନୁପ୍ରସ୍ଥ ଏବଂ ଅନୁଲମ୍ବ ପ୍ରସାରଣରେ ସିଏ ନିଜର ଅନ୍ତଃପ୍ରକୃତିକୁ ମଧ୍ୟ ଅଧିକ ସମଗ୍ର ଭାବରେ ଚିହ୍ନିଲା; ସମାଜର ବିକାଶ ହେଲା, ଅର୍ଥନୀତିର ବ୍ୟବସ୍ଥାମାନ କଳର ଆବଶ୍ୟକତା ଅନୁସାରେ ବଦଳିବାକୁ ଆରମ୍ଭ କଲେ, କେବଳ ଏକ ରାଜନୀତି ଭିତରେ ଅଳ୍ପାୟତନ ହୋଇ ବାସ କରି ଆସିଥିବା ମନୁଷ୍ୟମାନେ ନୂଆ ନୂଆ ରାଜନୀତିର ବିଚାର ଦ୍ଵାରା ଉଦ୍‍ବୁଦ୍ଧ ହୋଇ ଆପଣାର ସାମୂହିକ ଜୀବନର ମୂଲ୍ୟରେଖାଗୁଡ଼ିକୁ ବଦଳାଇବାକୁ ଆଗ୍ରହୀ ହେଲେ, ସେଥିପାଇଁ ବିପ୍ଳବ ବି ହେଲା, —ପୃଥିବୀର ସବୁ ମଣିଷ ଯେପରି ଗୋଟିଏ ନିୟତିର ଲାଳନ ମଧ୍ୟରେ ନିଜର ପୁନରାବିଷ୍କାର କଲେ । ଧର୍ମର ନୈତିକତାର ପୁରୁଣା ସଜ୍ଞାମାନ ବଦଳି ଯିବାକୁ ବସିଲା । ସତ୍ୟମାନେ ଶାସ୍ତ୍ରଭିତରୁ ମୁକ୍ତି ପାଇ ବୃହତ୍ତର ଜୀବନ ଭିତରକୁ ଆସିଲେ, ପରଖା ହେଲେ । ବିଶ୍ଵାସର ସଂଜ୍ଞା ବି ବଦଳିଗଲା । ଆଗେ ତ ନିଜର ସୁରକ୍ଷା ନିମନ୍ତେ ଦୂରରେ ଥାଇ ଶାସନ କରୁଥିବା କୌଣସି ଭଗବାନଙ୍କର ଆଶ୍ରା ଲୋଡ଼ିବାକୁ ପଡ଼ୁଥିଲା । ଏବେ ଆତ୍ମବିଶ୍ଵାସ ବୋଲି ଅନ୍ୟ ପ୍ରତ୍ୟୟଟି ଅଧିକରୁ ଅଧିକ ସହାୟକ ହେଲା । ମଣିଷକୁ ନେଇ ପ୍ରଶ୍ନମାନ ପଚରା ଯାଉ ଯାଉ ଆଗରୁ କେବେହେଲ କଳ୍ପନା କରାଯାଇ ନଥିବା ଉଚ୍ଚତା ଏବଂ ଗଭୀରତାଗୁଡ଼ିକର ଇଙ୍ଗିତ ମିଳିଲା । ସ୍ଵର୍ଗର ସଂଜ୍ଞା ମଧ୍ୟ ବଦଳି ଗଲା । ହୃଦୟ ପୃଥ୍ଵୀଅଭିମୁଖୀ ହେଲା । ପୁରୁଣା କାତରତା ଏବଂ ଅଳ୍ପତାଗୁଡ଼ିକ ଅନାବଶ୍ୟକ ବୋଲି ପ୍ରତୀତ ହେଲେ ଏହି ନୂତନ ମଣିଷଟି ଯେତେବେଳେ ତା’ ପୃଥିବୀରୂପୀ ଏହି ଭୂମିଟି ଉପରେ ଚାଲିବାକୁ ଆରମ୍ଭ କରିବ, ସିଏ କଦାପି ତା’ର ପୂର୍ବଗାମୀମାନଙ୍କର ପୁନରାବୃତ୍ତି କରିବନାହିଁ । ଏହି ନୂତନ ମଣିଷଟି ଯଦି ସାହିତ୍ୟକୁ ମନ କରିବ, ତେବେ ସାହିତ୍ୟ ଆଗର ସାହିତ୍ୟର କଦାପି ଏକ ଅନୁସରଣ ହେବନାହିଁ । ମନୁଷ୍ୟ ପାଇଁ ତାହାର ନିହିତାର୍ଥଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ ।

 

ମଣିଷମାତ୍ରକେ ପିଲାଦିନେ କ’ଣ ନା କ’ଣ ଗୋଟାଏ ଆଡ଼କୁ ଆକୃଷ୍ଟ ହୋଇଥାନ୍ତି । ସେଇଥିରେ ଭୋକଶୋଷ ଭୁଲିଯିବା ପରି ଅନୁଭବ କରୁଥାନ୍ତି । ପେଟରେ ଭୋକ ବ୍ୟତୀତ ଆହୁରି ଅନେକ କିସମର ଭୋକ ଯେ ଜୀବନରେ ରହିଛି, ଏହି ଉପଲବ୍ଧିଟି ଏକାବେଳେକେ ପିଲାଦିନେ ହୋଇଥାଏ । ବୟସ ବଢ଼େ, ମାତ୍ର ପିଲାଟି ରହିଯାଏ । ଅନେକ ମଣିଷ ତାକୁ ଦାବି କରି ରଖିଦିଅନ୍ତି, ବାସ୍ତବତା ମଧ୍ୟରେ ବୀର ହୋଇ ଦିଶିବେ ବୋଲି ଶିଶୁହନ୍ତା ହୁଅନ୍ତି । ପୃଥିବୀରେ ଆମ ଦେଶ ଲଗାଏତ୍ ଯେତେ ଯେତେ କ୍ଷମତାଧୀଶ, ଦର୍ପୀ ଓ ତେଣୁ ଦୁଷ୍ଟ ମଣିଷ ଥାଆନ୍ତି, ସେମାନଙ୍କୁ ଏହି ବିଶେଷ ଅର୍ଥଟି ଅନୁସାରେ ଜଣେ ଜଣେ ଶିଶୁହନ୍ତା ବୋଲି କୁହାଯାଇ ପାରିବ । ପିଲାଟା ସୁନିଶ୍ଚିତ ଭାବରେ ରହି ଯାଇଥାଏ । ପରିବେଶ ପାଇଲେ, ପରିମଳଟି ମିଳିଗଲେ ସେଇ ପିଲାଟି ଜଣ ଜଣଙ୍କର ଜୀବନରେ ସାହିତ୍ୟକୁ ବାଛେ, ସାହିତ୍ୟକୁ ହିଁ ତା’ ଜୀବନର ସବୁଠାରୁ ଅଧିକ ମୂଲ୍ୟବାନ ନିଧି ବୋଲି ଗ୍ରହଣ କରିନିଏ । ପ୍ରଥମେ ପ୍ରଥମେ ସାହିତ୍ୟ ଭିତରକୁ ପଶି ଜୀବନର ଜଞ୍ଜାଳ ଭିତରୁ ଛଣେ ମୁକ୍ତି ମିଳିଗଲା ବୋଲି ଭ୍ରମ କରୁଥାଏ ସିନା ସାହିତ୍ୟ ଭିତରକୁ, ସାହିତ୍ୟର ବୈପୁଲ୍ୟଟି ମଧ୍ୟକୁ ପ୍ରବେଶ କରି ସିଏ ସେହି ଜୀବନକୁ ହିଁ ଭେଟେ । ଏକ ମହତ୍ତର ଜୀବନ, ଏକ ମହତ୍ତର ଭୂମି, ଯେଉଁଠାରୁ କି ପରିପୂର୍ଣ୍ଣତର ଭାବରେ ବଞ୍ଚିହେବ, —ଅର୍ଥାତ୍ ପରିପୂର୍ଣ୍ଣତର ଭାବରେ ଆହରଣ କରିହେବ ଏବଂ ପରିପୂର୍ଣ୍ଣତର ଭାବରେ ନିଜକୁ ଦେଇ ହେବ । ନିଜ ଭିତରେ ବିରାଟର ସ୍ପର୍ଶ ମିଳିବ ଓ ସେହି ସ୍ପର୍ଶ ଖିଅ ହୋଇ କେତେ କୁଆଡ଼େ, ତୁମକୁ ଯୁକ୍ତ କରି ରଖିବାକୁ ଇଚ୍ଛା କରୁଥିବ । ଏଠି ଅଣନିଃଶ୍ଵାସୀ ଲାଗୁଛି ବୋଲି ସାହିତ୍ୟକୁ ସାଥୀ କରି ସତେଅବା ଖାସ୍ ଆପଣାଲାଗି ତିଆରି ହୋଇ ରହିଥିବା ଏକ ଅନ୍ୟ କେଉଁଠାକୁ ପଳାୟନ ଏବଂ ସେଠାରୁ ସତେଅବା ଏକ ଅନ୍ୟ ଆଖି, ଅନ୍ୟ ମମତା ଏବଂ ଅନ୍ୟ ଗ୍ରହଣଶୀଳତାଟିଏ ଅର୍ଜନ କରି ପ୍ରତ୍ୟାବର୍ତ୍ତନ । ଯାବତୀୟ ଚେତନା ପରି ସାହିତ୍ୟଚେତନାର କ୍ଷେତ୍ରଟିରେ ମଧ୍ୟ ଠିକ୍ ସେହି ରୀତି, ସେଇ ପଦ୍ଧତି ଓ ସେଇଥିରେ ହିଁ ପୂର୍ଣ୍ଣତାର ଅନୁଭୂତି ।

 

ନିଜ ଭିତରର ପିଲାଟିକୁ ସହି ପାରନ୍ତିନାହିଁ ଅଥବା ଭୟ କରୁଥାନ୍ତି ବୋଲି ମଧ୍ୟ ଥୋକେ ମଣିଷ କବିତ୍ଵ କରନ୍ତି, ଗଳ୍ପକାର ହୁଅନ୍ତି, ସାହିତ୍ୟ ଭିତରକୁ ଆସନ୍ତି । ସେମାନେ ହାଟରୁ ଏପରି ଏକ ଶୈଳୀକୁ କିଣି ଆଣିଥାନ୍ତି, ଯାହାକୁ କି ସାହିତ୍ୟର ଅପରିହାର୍ଯ୍ୟତମ ଅଙ୍ଗ ବୋଲି ଭାବୁଥାନ୍ତି । ସେମାନେ ପ୍ରୟୋଗ କରନ୍ତି; ଜଣେ ଓଡ଼ିଆ ରୀତିକବି କହିଥିଲା ପରି ଧୀଷଣାକୁ ମନ୍ଦର-ପର୍ବତ କରନ୍ତି ଏବଂ ନିଜ ପାଠୁଆପଣର ତଡ଼ାଗୁଡ଼ିକୁ ମନ୍ଥନ କରନ୍ତି । ସେହି ମନ୍ଥନରୁ ଯାହା ବାହାରେ, ସେମାନେ ତାହାକୁ ନୂଆ କବିତା ଓ ନୂଆ ଗଳ୍ପ ବୋଲି କହନ୍ତି । ଆପେ ଆଧୁନିକ ବୋଲାନ୍ତି । ବିଡ଼ିଖିଆ ମଫସଲୀଙ୍କ ଭିତରେ ଆପଣାକୁ ସତେଅବା ଏକମାତ୍ର ଧୋବଲା ସିଗାରେଟ୍‍ଟିଏ ପାନ କରୁଥିବା ସଂଭ୍ରାନ୍ତଟିଏ ପରି ଅନୁଭବ କରନ୍ତି । ସେମାନେ ସାହିତ୍ୟ ଭିତରେ ଥାଆନ୍ତି ସିନା, ମାତ୍ର ତାହା ସେମାନଙ୍କର ଜୀବନକୁ ସ୍ପର୍ଶ କରିନଥାଏ । ସେମାନେ ଏକ ଅବକ୍ଷୟର ସନ୍ତକ ହୋଇ ରହିଥାନ୍ତି । ସାହିତ୍ୟକୁ ସତେଅବା ଏକ ଅୟସ ବୋଲି ଗ୍ରହଣ କରି ନେଇଥାନ୍ତି । ତେଣେ ସମାଜରେ ବହୁ ଅସମାନତା ଓ ବହୁ ଅସମଞ୍ଜତା ରହିଥାଏ, ସେମାନେ ହୁଏତ ସ୍ୱୟଂ ସେଗୁଡ଼ିକର କାରଣ ହୋଇ ରହିଥାଆନ୍ତି । ତଥାପି ସାହିତ୍ୟ ଅତ୍ୟନ୍ତ ସରଗରମ ଓ ପ୍ରମତ୍ତତାପୂର୍ଣ୍ଣ ହୋଇ ଚାଲିଥାଏ । ରାଜନୀତିକ ସ୍ଵାଧୀନତା ପରେ ଭାରତବର୍ଷରେ ଆଧୁନିକ ସାହିତ୍ୟ ବୋଲି ଯେଉଁ ପର୍ଯ୍ୟାୟଟି ଆସିଲା, ସେଇଟିକୁ ପରଖି ଦେଖିଲେ ଆମକୁ ତାହାର ଭୁରି ଭୁରି ପ୍ରତ୍ୟୟ ମିଳିଯିବ ।

 

ସାହିତ୍ୟ ସହିତ ପ୍ରଥମ ସମ୍ବନ୍ଧ ବେଳେ ସାହିତ୍ୟ ଏକ ପରିତ୍ରାଣକର୍ତ୍ତା ବୋଲି ମନେହୁଏ, ମାତ୍ର ସାହିତ୍ୟ ସହିତ ଏକ ସତ ମମତାର ଏବଂ ସତ ସମ୍ମତିର ଅଧିକରୁ ଅଧିକ ଗଭୀରକୁ ଯାଇ ପାରୁଥିବା ସଙ୍ଗେ ସଙ୍ଗେ ତାହା ଜୀବନର ଏକ ଅଂଶ ବା ଅଙ୍ଗ ବୋଲି ପରିଚିତ ହୋଇ ଆସୁଥାଏ । ଅଙ୍ଗର ଭୂଷଣ ନୁହେଁ, ଏକ ଅଙ୍ଗ । ସେତେବେଳେ ସତେଅବା ଏକ କରାଳ ବିସ୍ତୃତି ଭିତରେ ଆଦୌ କୁଆଡ଼େ ହଜିଗଲା ପରି ମନ ହୁଏନାହିଁ, ସତକୁ ସତ କେଉଁଠି ଆସି ହାବୁଡ଼ି ଯାଇଥିବା ପରି ଲାଗେ । ସିଏ ଏକ ଅପୂର୍ବ ଅନୁଭୂତି । ଥଳଟିଏ ମିଳିଗଲେ ସାହିତ୍ୟଧର୍ମ ଜୀବନଧର୍ମର ଏକ ଅଙ୍ଗରେ ପରିଣତ ହୋଇଯାଏ; ଗୋଟିକୁ ଅନ୍ୟଟିଠାରୁ ଆଉ ମୋଟେ ଅଲଗା କରି ହୁଏନାହିଁ । ସାହିତ୍ୟ ଜୀବନକୁ ନୂଆ ନୂଆ ଅଭିକ୍ରମର ସନ୍ଧାନ ଦିଏ ଏବଂ ଜୀବନ ସାହିତ୍ୟକୁ ନୂଆ ନୂଆ ଉନ୍ମୋଚନର ଯୋଗ୍ୟ କରିନିଏ । ଜୀବନ ବଦଳୁଥିବା ସଙ୍ଗେ ସଙ୍ଗେ ସାହିତ୍ୟ ବି ବଦଳି ଯାଉଥାଏ ଏବଂ ସାହିତ୍ୟ ବଦଳି ଯାଉଥିବା ସଙ୍ଗେ ସଙ୍ଗେ ଜୀବନ ଉପରେ ବି ତାହାର ରେଖାପାତ ହେବାରେ ଲାଗିଥାଏ । ସେତେବେଳେ ସାହିତ୍ୟକୁ ଜାତୀୟ ସାହିତ୍ୟ ଆମ ସାହିତ୍ୟ ବୋଲି କହିବାକୁ ଆଦୌ ଇଚ୍ଛା ହୁଏନାହିଁ । ନିଜର ସମ୍ପତ୍ତିଜ୍ଞାନରେ ତାକୁ ମୋଟେ ଦେଖି ହୁଏନାହିଁ । ବରଂ, ନିଜକୁ ଅଧିକରୁ ଅଧିକ ପରିମାଣରେ ସାହିତ୍ୟ ନାମକ ଏକ ମହାଶୀର୍ବାଦ ମଧ୍ୟକୁ ଆସି ଯାଇଥିବା ପରି ବୋଧ ହେଉଥାଏ ।

 

ଲେଖିବାର ଆନନ୍ଦ ଓ ଜୀବନଟିଏ ବଞ୍ଚୁଥିବାର ଆନନ୍ଦ, —ଦୁଇଟି ମଧ୍ୟରୁ ଆମେ କେଉଁଟିକୁ ଆଗ ଓ କେଉଁଟିକୁ ପଛ ବୋଲି କହିବା ? ବହୁତ ମଣିଷଙ୍କର ଜୀବନକୁ ନିରାନନ୍ଦ ଭିତରେ ବାନ୍ଧି ରଖି କେତେକ ମଣିଷ ସତେଅବା କେବଳ ନିଜେ ଯାବତୀୟ ଆନନ୍ଦକୁ ଭୋଜନ କରିବେ ବୋଲି ଯେଉଁଠି ହଳପ ପକାଇ ବାହାରିଥାନ୍ତି, ସେହି ସମାଜରେ ମଧ୍ୟ ସାହିତ୍ୟ ହେଉଥାଏ ସତ, ମାତ୍ର ତାହା ଅଧିକ ପରିମାଣରେ ଅସୁସ୍ଥତାର ହିଁ କାରଣ ହୁଏ । ଦୂରତା, ଘୃଣା ଓ ଉଦାସୀନତାକୁ ତାହା ଗୋଟାଏ ଗୋଟାଏ କଳାତ୍ମକ ନାମ ଦେଇ କୁଣ୍ଢାଇ ଧରିଥାଏ । ଏଣେ ମଣିଷର ହତାଦର ହେଉଥାଏ, ତେଣେ ସାହିତ୍ୟ ନାମରେ ବହୁ କଳାହଳ ହେବାରେ ଲାଗିଥାଏ । ଜୀବନକୁ ଫାଙ୍କି ଦେଇ ସାହିତ୍ୟ ମଧ୍ୟରେ ସ୍ଵତନ୍ତ୍ର ଅବସରମାନଙ୍କରେ ତତ୍ପର ହୋଇ ରହିବାର ଯେଉଁ ବ୍ୟଗ୍ରତା ତାହା ଏକ ଅସୁସ୍ଥତା । ସତେଅବା ନିଜ ଭିତରେ ବିବେକମାନଙ୍କର ସ୍ଥାନରେ ରହି ଯାଇଥିବା କଣାଗୁଡ଼ିକର ପୂରଣ ସକାଶେ ସେହି ବ୍ୟଗ୍ରତା ଆପଣାକୁ ବ୍ୟକ୍ତ କରିବାରେ ଲାଗିଥାଏ-। ଓଡ଼ିଶାରେ ସାହିତ୍ୟର ସ୍ଵତନ୍ତ୍ର ଅଳିନ୍ଦମାନଙ୍କରେ ଅନେକ ସମୟରେ ଏହି ବ୍ୟଗ୍ରତା ଓ ବ୍ୟାକୁଳତାଗୁଡ଼ିକ ସହିତ ଭେଟ ହୁଏ । ଓଡ଼ିଶାରେ କିଛି ହୋଇ ପାରିଲାନାହିଁ, ଓଡ଼ିଆ ସାହିତ୍ୟ ଅନ୍ୟ ସାହିତ୍ୟଗୁଡ଼ିକର ତୁଳନାରେ ପଛରେ ପଡ଼ିରହିଲା ବୋଲି ସେମାନେ ଅତ୍ୟନ୍ତ ଖେଦ ପ୍ରକାଶ କରିଥାନ୍ତି ଓ ତାହାରି ବାହାନା ଭିତରେ, ନିଜେ ଯେ ସେହି ସବୁ ଅକଥା ଓ ଅଘଟଣାର କାରଣ, ସେହି କଥାଟିକୁ ପାସୋରି ପକାଉଥାନ୍ତି । ସାହିତ୍ୟକୁ ବାଟ ଛାଡ଼ିଦେଇ ପାରୁଥିଲେ ସାହିତ୍ୟ ଆମ ଜୀବନର ଏକାଧିକ ଉନ୍ମୋଚନରେ ପୁଞ୍ଜି କରି ଅବଶ୍ୟ ବ୍ୟବହୃତ ହୋଇପାରିବ । ଯଦି ଆମେ ଆମର ଏହି ସଂସାରର ସକଳ ପ୍ରତିବନ୍ଧକ ସତ୍ତ୍ୱେ ତଥାପି ପୂର୍ଣ୍ଣରୁ ପୂର୍ଣ୍ଣତରକୁ ପହଞ୍ଚିବାର ବାସନାଟିଏ ନେଇ ବାଟ ଚାଲୁଥିବା, ତେବେ, ଆମର ବହୁ ଅନ୍ତର୍ଗତ କ୍ଳେଶ ଏବନ କ୍ଳିଷ୍ଟତା ଦୂର ହୋଇ ଯିବାରେ ସାହିତ୍ୟ ଭେଷଜ ପରି ବି କାର୍ଯ୍ୟ କରିପାରେ । ମନ୍ତ୍ରର ଫଳମାନ ବି ପ୍ରଦାନ କରିପାରେ ।

 

ସାହିତ୍ୟ ଭିତରେ ବାଟଟିଏ ଚାଲିବାକୁ ମନ କରିବା ଦିନଠାରୁ ସୋପାନ ପରେ ସୋପାନ ପାରିହୋଇ ଆସିବାର ପ୍ରକ୍ରିୟାରେ ତାହା ମୋ’ପାଇଁ ଏକ ଅତ୍ୟନ୍ତ ବିଶ୍ଵାସୀ ସହଚାରୀ ପରି କାର୍ଯ୍ୟ କରିଆସିଛି । ଜୀବନରେ କେତେକେତେ ଅସମାହିତକର ମୁଁ ସାହିତ୍ୟ ଲେଖୁ ଲେଖୁ ସମାଧାନ ପାଇଯାଇଛି । ସାହିତ୍ୟ ମୋତେ ମୋର କେତେ ନା କେତେ ସ୍ପର୍ଶକାତରତା ଦୂର ହେବାରେ ସହାୟତା କରିଛି । ଓଡ଼ିଶାରେ ଓଡ଼ିଆ ସାହିତ୍ୟକୁ ଅନେକେ ସତେଅବା ଗୁମ୍ଫାଟିଏ ପରି ଭାବୁଥାନ୍ତି କି କ’ଣ କେଜାଣି, ସମସ୍ତେ ଜାକିଜୁକି ହୋଇ ଚରମ ସରାଗରେ ସେଇଟି ଭିତରେ ଯାଇ ବସିଥାନ୍ତି ଏବଂ ଆମ ସାହିତ୍ୟ ପୃଥିବୀର ବା ଭାରତବର୍ଷର ଯେକୌଣସି ସାହିତ୍ୟର ତୁଳନାରେ ମୋଟେ ଅପାରଗ ବା ଅସମକକ୍ଷ ବୋଲି କହି ନିଆଁ ପୁଇଁବାରେ ଲାଗିଥାନ୍ତି । ଓଡ଼ିଆ ସାହିତ୍ୟକୁ ମୁଁ ମୋ’ ଜୀବନର ଏକ ଝରକା ପରି ଅନୁଭବ କରିଛି । ନିଜକୁ ବ୍ୟକ୍ତ କରିପାରିବା ନିମନ୍ତେ ଏହି ଭୂମି ମୋତେ ଏକାନ୍ତ ସ୍ଵଭାବସିଦ୍ଧ ଭାବରେ ଯେଉଁ ଭାଷାଟିକୁ ଯୋଗାଇ ଦେଇଛି, ସେହି ଭାଷା ପାଖରେ କୃତଜ୍ଞତା ପ୍ରକାଶ କରିଛି । ଉଚିତ ଶବ୍ଦଟିକୁ ଖୋଜିଲାବେଳେ ମୋତେ ସେହି ଭାଷାର ଭଣ୍ଡାର ଭିତରୁ ଶବ୍ଦଟିଏ ମିଳିଯାଇଛି ଅଥବା ଗଢ଼ିହୋଇ ଯାଇଛି । ସାହିତ୍ୟକୁ ଗବାକ୍ଷ କରି ମୁଁ ଜୀବନରେ କେତେ ସମ୍ପଦ ଆହରଣ କରି ଧନୀ ହୋଇପାରିଛି, ଆହୂତ କେତେ କେତେ ସମ୍ପଦକୁ ଏଠିକା ପତର ଉପରେ ବାଢ଼ି ଥୋଇଦେଇ ପାରିଛି । ଅନୁବାଦ କରୁଛି ବୋଲି ଅତ୍ୟନ୍ତ ସ୍ଵାଭାବିକ ଭାବରେ ଭୁଲିଯାଇଛି । ମୋ’ ନିଜର ଭାଷା ବା ସାହିତ୍ୟକୁ ନେଇ ମୋ’ ଭିତରେ କେବେହେଲେ କୌଣସି ହୀନମନ୍ୟତା ଜନ୍ମଲାଭ କରିନାହିଁ ।

 

କୌଣସି କାରଣରୁ ନିଜଭିତରେ ହୀନମନ୍ୟ ହୋଇ ବସିନଥିଲେ ନିଜର ସାହିତ୍ୟକୁ ଓ ନିଜ ଭାଷାକୁ ଦରିଦ୍ର ଓ ହୀନବଳ ବୋଲି ଭାବିବାପାଇଁ ମୋଟେ କୌଣସି ଦୁର୍ଭାଗ୍ୟ ଆସେନାହିଁ । ନିଜ ଭିତରଟା ଯେ ସତକୁ ସତ ଏକ ବଗିଚା, ବହୁ ସମ୍ଭାବନାର ଏକ ଗନ୍ତାଘର, —ତୁମେ ଯେ ସେହି ବଗିଚାର ମାଳି ହୋଇପାରିବ ଏବଂ ସେହି ବହୁ ସମ୍ଭାବନାର ଦାୟାଦ ହୋଇପାରିବ, ତୁମେ ମନ କଲେ ଯେ ନିଜର ଜୀବନକୁ ନିଜସ୍ୱ ଫୁଲଟିଏ ପରି ଫୁଟାଇ ଆଣିପାରିବ, ଶାନ୍ତିନିକେତନ ମୋ’ ଭିତରେ ସେହି ପ୍ରତ୍ୟୟଟିକୁ ଆଣି ଦେଇ ଯାଇଥିଲା । ସେହି ପ୍ରତ୍ୟୟଟି ଖିନ୍‍ଖରାପ ହୋଇଯିବା ଭଳି ଜୀବନରେ ମୁଁ କେବେ କିଛିହେଲେ କରିନାହିଁ । ମାଳି ହେବାର ସୌଭାଗ୍ୟ ଲାଭ କରିଛି । ଜଣେ ମାଳି ହୋଇପାରିଲେ ଯେ ସଂସାରରେ ଅହଂପ୍ରକୁପିତ ହୋଇ ରହିବାର ବହୁ ବିପର୍ଯ୍ୟୟରୁ ସୁରକ୍ଷା ମିଳେ, ନିଜ ଜୀବନରେ ମୁଁ ନିରନ୍ତର ତାହାର ପ୍ରମାଣ ପାଇଛି । ମୋ’ ସାହିତ୍ୟ ମୋ’ର ଏହି ମାଳି ହେବାର ଧର୍ମଟିକୁ କଦାପି ମାରି ଦେବାର ଚକ୍ରାନ୍ତ କରିନାହିଁ । ପ୍ରୋତ୍ସୋହିତ ହିଁ କରିଛି । ମୋତେ ବଳ ଯୋଗାଇ ଦେଇଛି, ପୁଞ୍ଜି ଯୋଗାଇ ଦେଇଛି, ଜିଦ୍ ଯୋଗାଇ ଦେଇଛି । ବହୁ ମିତ୍ରଙ୍କ ସହିତ ଦର୍ଶନ କରାଇଛି । ସାହିତ୍ୟ ମଧ୍ୟ ଏପରି ଗୋଟିଏ କ୍ଷେତ୍ର, ଯେଉଁଠାରେ ଆପଣାକୁ ଅକୃପଣ ଭାବରେ ଦେଇ ଦେଇହୁଏ । ସାହିତ୍ୟ ଭିତରେ ରହି ମୁଁ ସେହି କଥାଟିକୁ ଶିକ୍ଷା କରିଛି । ସାହିତ୍ୟ ଦ୍ଵାରା ତୁମେ ଦେଶମାତୃକାର ବା ଆହୁରି କେତେ କାହାର ସେବା କର ବୋଲି ସୁଧୀପୁରୁଷମାନେ କେତେମନ୍ତେ କହିଆସିଥିଲେ ମଧ୍ୟ, ସାହିତ୍ୟ ଯେ ଜଣେ ସାହିତ୍ୟକାରର ହିଁ ସବୁଠାରୁ ଅଧିକ ଉପକାର କରେ, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ । ଆମେ ଅଭିଳାଷ ରଖିଥିଲେ ସାହିତ୍ୟରେ ଆମର ଯାବତୀୟ ସମ୍ମିଳନ ଏବଂ ସଖ୍ୟ ଆମକୁ ଜୀବନତୀର୍ଥ ନିମନ୍ତେ ବି ଅଧିକ ଯୋଗ୍ୟ କରିନେଇ ପାରୁଥିବ । ଆମ ସାହିତ୍ୟ ମଧ୍ୟ ଆମଭିତରେ ଏକ ଈଶ୍ଵରୀୟ ଅସନ୍ତୋଷର ଆମକୁ ଆମ ଜୀବନ ଉନ୍ନୀଳନର ପରବର୍ତ୍ତୀ ସୋପାନଟି ଆଡ଼କୁ ପରିଚାଳିତ ବି କରି ନେଇ ଯାଉଥିବ ।

 

–୧୬–

 

ଅସଲ ସତ୍ୟ ଅଟକାଇ ରଖେନାହିଁ, ଆପଣାକୁ ଆଦୌ ଲଦିଦେବାକୁ ଚେଷ୍ଟା କରେନାହିଁ ଅଥବା ଗିଳି ପକାଏନାହିଁ । ସେମାନେ ନିଜେ ଯେତିକି ପାଇଛନ୍ତି ଅଥବା ଦେଖିଛନ୍ତି, ତାହାକୁ ହିଁ ସତ୍ୟ ବୋଲି ମାନିନେଇଥିବା ଏକ ସ୍ଵତନ୍ତ୍ର ଧାତୁର ମଣିଷମାନେ ଅଟକାଇ ରଖିଥାନ୍ତି, ନିଜକୁ ଆଣି କେତେ କେତେ ଅନ୍ୟଙ୍କ ଉପରେ ଲଦି ରଖିଥାନ୍ତି ଅର୍ଥାତ୍ ସେମାନଙ୍କୁ ଗିଳି ପକାଉଥାନ୍ତି । ସଂସାରର ଏକ ସଂସ୍କାର ଅନୁସାରେ ସେହି ବିଶେଷ କାଟର ମନୁଷ୍ୟମାନଙ୍କୁ ଗୁରୁ ବୋଲି କୁହାଯାଇ ଆସିଛି । ସଂସ୍କୃତ ଭାଷାର ପ୍ରଶସ୍ତିରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵର ବୋଲି କୁହାଯାଇଛି, ତାଙ୍କୁ ପରମବ୍ରହ୍ମ ବୋଲି ବର୍ଣ୍ଣନା କରାଯାଇଛି । ଭାଗ୍ୟର କଥା ଯେ, ସମ୍ଭବତଃ ଗୁରୁମାନେ ହିଁ ବେଳେ ବେଳେ ବିଶେଷ ଭାବରେ ଉଚ୍ଛ୍ଵସିତ ହୋଇ ଏଭଳି ଚାକ୍ୟଗୁଡ଼ିକର ଭିଆଣ କରିଛନ୍ତି । ସାଧନାର ପରମ୍ପରାରେ ଗୁରୁର ଏକ ନିର୍ଦ୍ଦିଷ୍ଟ ତୁଙ୍ଗସ୍ଥାନ ସର୍ବଦା ରହି ଆସିଛି । ଏକୁଟିଆ ମୁଁ ରାସ୍ତାଟିକୁ ପାର ହୋଇ ପାରୁନାହିଁ, ତେଣୁ ଆଉ କାହାରି ସହାୟତା ଆବଶ୍ୟକ କରୁଛି । ଅର୍ଥାତ୍ ଜଣେ ଅଧିକ ଅଭିଜ୍ଞର ଅପେକ୍ଷା ରହିଛି । ଜଣେ ଆସିଲେ, ରାସ୍ତାଟିକୁ ପାର କରାଇଦେବ ବୋଲି କହିଲେ । ମୁଁ ପ୍ରସନ୍ନ ହେଲି, ତାଙ୍କର ପାଦ ଛୁଇଁଲି । ସିଏ ମୋତେ କଦରଟିକୁ ବତାଇ ଦେଲେ, ହୁଏତ ମୋ’ ହାତକୁ ଧରି ମୋତେ ରାସ୍ତାଟିକୁ ପାର କରାଇଦେଲେ । ଆମେ ଦୁହେଁ ରାସ୍ତାର ଆରପାଖକୁ ଗଲୁ । ତା’ପରେ ମୁଁ ତାଙ୍କୁ ପ୍ରଣାମ କରିବି, କୃତଜ୍ଞତା ପ୍ରକାଶ କରିବି ଏବଂ ଆପଣା ବାଟରେ ଆଗକୁ ବାହାରିଯିବି । ଏକ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ବା ସୋପାନରେ ମୋତେ ସହାୟତା ପ୍ରଦାନ କରିଥିଲେ ବୋଲି ମୁଁ ସେହି ଗୁରୁଙ୍କ ପାଖରେ ସାରା ଜୀବନ ଅବଶ୍ୟ କୃତଜ୍ଞ ହୋଇ ରହିଥିବି । ବାଟ ଚାଲୁଥିବି ଏବଂ, ମୁଁ କେତେଜଣଙ୍କ ପାଖରେ ଏହିପରି କୃତଜ୍ଞ ହୋଇ ରହିଥିବି, ସେମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଥିବ । ଯହୁଁ ଯହୁଁ ମୁଁ ଅନୁଭବ ଓ ଅଭିଜ୍ଞତାରେ ବଢ଼ୁଥିବି ଓ ମୋ’ର ଆଖିମାନ ଅଧିକରୁ ଅଧିକ ଅଙ୍ଗେ ନିଭାଇବାରେ କୁଶଳତା ହାସଲ କରିବାରେ ଲାଗିଥିବେ, ମୁଁ ସେତିକି ସେତିକି ନିଶ୍ଚୟ ହୃଦୟଙ୍ଗମ କରୁଥିବି ଯେ ପୃଥିବୀରେ ଜଣେ ମଣିଷ କେବଳ କୃତଜ୍ଞତା ହିଁ ପ୍ରକାଶ କରିପାରିବ, —ଆଉ ଅଧିକ କିଛିହେଲେ କରି ପାରିବନାହିଁ । ଋଣଗୁଡ଼ିକ କଦାପି ଶୁଝି ହେବନାହିଁ ।

 

ସତ୍ୟ ଗୋଦଡ଼ା ହେଲେ ସମ୍ପ୍ରଦାୟର ଭିଆଣ ହୁଏ । ସତ୍ୟକୁ ଦୈର୍ଘ୍ୟ ଓ ପ୍ରସ୍ଥ ଦେଇ ତତ୍ତ୍ଵମାନଙ୍କର ବଖାଣ କରାଯାଏ । ଗୋଟିଏ ଗୋଟିଏ ତତ୍ତ୍ଵ ଏକସିଙ୍ଗିଆ ଗୁରୁମାନଙ୍କର ହାବୁଡ଼ରେ ପଡ଼ିଲେ ନାନା ମତ ବାହାରେ । ମତରୁ ବାଦଗୁଡ଼ିକର ସୃଷ୍ଟି ହୁଏ ଏବଂ ବାଦଗୁଡ଼ିକ ପ୍ରାୟ ଅନୁକ୍ଷଣ ନାନା ବିବାଦଦ୍ଵାରା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ବାହାରେ ତଥାପି ଅନ୍ତତଃ ନିଜେ ବୁଝିବାଭଳି ପ୍ରତିଷ୍ଠା ବା ପ୍ରତିପତ୍ତିଟିଏ ବଜାୟ ରଖିବାକୁ ଗୁରୁମାନେ ହିଁ ସତେଅବା କେତେକ ଅପଅଭିପ୍ରାୟ ଦ୍ଵାରା ପରିଚାଳିତ ହୋଇ ଭେକ, ବାନା, ଅନୁରୂପ ଶାସ୍ତ୍ର ଏବଂ ଅନୁରୂପ ଉପାସନାପଥ ଗୁଡ଼ିକର ସର୍ଜନା କରିଦିଅନ୍ତି । ସତ୍ୟ ଏକ ମୂର୍ତ୍ତିରେ ପରିଣତ ହୁଏ, ଦେଉଳ ଭିତରେ ପଥର ହୋଇ ରହେ ଏବଂ ବିଚରା ଭୋଳମାନେ ମହା ଉଲ୍ଲାସରେ ତାହାକୁ ହିଁ ପରମବ୍ରହ୍ମ ବୋଲି କହି ହୁରି ପକାନ୍ତି । ସତ୍ୟ ଯେ ଅନ୍ଵେଷଣ ଦ୍ଵାରା ଉପଲବ୍ଧ ହୁଏ, ସେହି କଥାଟି ବିସ୍ମୃତ ହୋଇ ରହିଯାଏ । ସଂସାର ଧୋକା ଖାଇଯାଏ । ଉପରର ସେହି ଦୃଷ୍ଟାନ୍ତଟିର ସାହାଯ୍ୟରେ କହିଲେ ମୋତେ ହାତ ଧରି ରାସ୍ତାଟିକୁ ପାର କରାଇ ଆଣିଥିବା ମଣିଷଟି ଯଦି ମୋତେ ଆପଣା ଅନ୍ଵେଷଣରେ ଛାଡ଼ି ନଦେଇ ତା’ ନିଜର ଗୁମ୍ଫା ଅଥବା ଗାତଟି ଭିତରକୁ ଡାକିନେବାକୁ ଇଚ୍ଛା କରେ, ସେହି ଗୁମ୍ଫାଟି ଭିତରେ ଭଗବାନ ଓ ଭୁବନଯାକର ସବୁଯାକ ତ୍ରାଣ ସଜଡ଼ାହୋଇ ଥୁଆ ହୋଇଛି ଏବଂ ତେଣୁ ଆଉ ଅନ୍ଵେଷଣର କୌଣସି କ୍ଳେଶ କରିବାର ପ୍ରୟୋଜନ ରହିବା ଉଚିତ ନୁହେଁ ବୋଲି ପରାମର୍ଶ ଦିଏ, ତେବେ ମୋତେ ପ୍ରକୃତରେ ଏକ ଧର୍ମସଙ୍କଟରେ ହିଁ ପଡ଼ିବାକୁ ହୋଇଥାଏ । ସମ୍ଭବତଃ ସେହି କାରଣରୁ ହିଁ ମେଳା ମେଳା ବାଟ, ମେଳା ମେଳା ବାଦ ଓ ମେଳା ମେଳା ଶାସ୍ତ୍ର । ଏବଂ, ମେଣ୍ଢାପଲ ପରି ଭକ୍ତ ଓ ଅନୁଗାମୀମାନେ । ସମ୍ପ୍ରଦାୟ ନାମରେ ହଣାକଟା ହେଉଛି, ଏବଂ ତାହାରି ଭିତରେ ଲିପ୍ତ ହୋଇ ରହି ଆମେ ନିଶ୍ଚୟ ଭଗବାନଙ୍କର କାମ କରୁଛୁ ବୋଲି ଭ୍ରମ କରିବାରେ ଲାଗିଛୁ ।

 

ଖାଲି ଧର୍ମରେ ନୁହେଁ, ଜ୍ଞାନଲାଭର ଯାବତୀୟ କ୍ଷେତ୍ରରେ ଜ୍ଞାନ ଯେତେ ନାହିଁ, ତାଠାରୁ ସତେଅବା ଦଶଗୁଣ ଅଧିକ ପରିମାଣରେ ତର୍କ ହିଁ ରହିଛି ପ୍ରତ୍ୟେକେ ନିଜର ତର୍କଟାକୁ ହିଁ ସତ୍ୟର ଏକମାତ୍ର ପ୍ରତିପାଦକ ବୋଲି କହିବାକୁ ଚେଷ୍ଟା କରୁଛନ୍ତି । ରାଜନୀତିର ତର୍କ, ଉଚିତ ଅନୁଚିତର ବିବେଚନାକ୍ଷେତ୍ରରେ ମଧ୍ୟ ଏହି ତର୍କ ହିଁ ଅଧିକ । ହୁଏତ ନିଜ ଭିତରେ, ନିଜର ଦୃଷ୍ଟିରେ ଉଚିତ କ୍ରାନ୍ତିଟିଏ ଘଟିବ ବୋଲି ଆଶା କରି ଗୁରୁ ଖୋଜି, ସତ୍ୟ ଖୋଜି ଯାଇଥିବା ଯେଉଁ ବ୍ୟକ୍ତିମାନଙ୍କୁ ସେମାନଙ୍କର ଗୁରୁମାନେ ଧୋକା ଦେଇଛନ୍ତି, ପ୍ରଧାନତଃ ସେଇମାନେ ହିଁ ସତ୍ୟ ନାଆଁରେ ସମ୍ପ୍ରଦାୟ ଗଢ଼ିଛନ୍ତି, କେବଳ ସେମାନଙ୍କର ଏହି ଚିହ୍ନା ଗୁମ୍ଫାଟିରେ ହିଁ ପୃଥିବୀର ସବୁଯାକ ସତ୍ୟ ଥାକ ମରାହୋଇ ରହିଛି ବୋଲି ପ୍ରବୀଣ ଉତ୍ସାହରେ ଘୋଷଣା କରିଛନ୍ତି । ସଚରାଚର ପ୍ରାୟ ଏକ ଅନୁରୂପ ସଂସ୍କାରର କବଳରେ ପଡ଼ି ପୃଥିବୀରେ ଅଧିକାଂଶ ମଣିଷ ଆପେ ସତ୍ୟ ବୋଲି କିଛି ଖୋଜିବା ନିମନ୍ତେ ଆଗ୍ରହ ନକରି କୌଣସି ଗୁମ୍ଫା ବା ଅଡ଼ା ଭିତରେ ଯାଇ ପଶିଯିବାକୁ ସହଜତର ପଥ ବୋଲି ମଣିଛନ୍ତି ବୋଲି କ’ଣ ସତ୍ୟ ଅପେକ୍ଷା ମତମାନେ ହିଁ ଏଠି ଏତେ ପ୍ରବଳ ହୋଇ ରହିଛନ୍ତି କି ? ମୁଁ ଗୁରୁ କରିନାହିଁ, ଅର୍ଥାତ୍ ଅଟକି ଯାଇନାହିଁ । ଅନେକ ଗୁରୁଙ୍କ ପାଖରୁ କେତେ କେତେ ସମ୍ପଦକୁ ଆହରଣ କରି ଆଣିଛି, ଧନୀ ହୋଇଛି । ବହୁ ଗୁରୁଙ୍କ ପାଖରେ ଋଣୀ ହୋଇଛି, କୃତଜ୍ଞ ହୋଇ ରହିଛି, ମଥାନୁଆଇଁ ପ୍ରଣାମ କରିଛି । ବାଟରେ କେଉଁଠି ମନ୍ଦିରଟିଏ ଦେଖିଲେ ମୁଁ ଅତ୍ୟନ୍ତ ସଙ୍କୋଚରହିତ ଭାବରେ ହାତଟେକି ଓଳଗି ହୋଇଛି । କୌଣସି ଦେବତାଙ୍କ ଉଦ୍ଦେଶ୍ୟରେ ଆଉଜଣେ ଉପାସନା କରୁଥିବାର ବା ପ୍ରଣତି ଜଣାଉ ଥିବାର ଦେଖିଲେ ମୁଁ ମଧ୍ୟ ଅତ୍ୟନ୍ତ ସ୍ଵତଃପ୍ରବୃତ୍ତି ହୋଇ ତା’ ପକ୍ଷରୁ ତା’ ଦେବତାଙ୍କ ପାଖରେ ପ୍ରାର୍ଥନା ଜଣାଇଛି । ଏସବୁ କରି ଏତେଟିକିଏ ହେଲେ ଗ୍ଳାନି ଅନୁଭବ କରିନାହିଁ । କୌଣସି ଦେବତାଙ୍କ ପାଖରେ କିଛି ଜଣାଇବା ନିମନ୍ତେ ତାଙ୍କର ବେଢ଼ା ଭିତରକୁ ଯେ ଅବଶ୍ୟ ଯିବାକୁ ହେବ, ସେଭଳି କୌଣସି ଆବଶ୍ୟକତା ମୁଁ କେବେହେଲେ ଅନୁଭବ କରିନାହିଁ । ଜଣକୁ ଗୁରୁ କରିବାକୁ ଗଲେ ଯେ ତା’ ଧଣ୍ଡାକୁ ବେକରେ ପକାଇବାକୁ ହେବ, ତା’ସନ୍ତକଗୁଡ଼ିକୁ ପିନ୍ଧିବାକୁ ପଡ଼ିବ ଅଥବା ସେଇ ଦେଇଥିବା ସୂତ୍ରଟି ଅନୁସାରେ ଜୀବନକ୍ଷେତ୍ରର ସବୁ ଗଣିତର ସମାଧାନ କରିବାକୁ ହେବ, ମୁଁ କେବେ ସେପରି ବିଚାର କରିନାହିଁ ।

 

ଏପରି କେହି ଗୁରୁ ବା ମାର୍ଗଦର୍ଶକ ପୃଥିବୀରେ ସୌଭାଗ୍ୟବଶତଃ କେବେ ଜନ୍ମଗ୍ରହଣ କରିନାହାନ୍ତି, ଯିଏକି ଆସି ପୃଥିବୀକୁ ତା’ର ସବୁଯାକ କାମ୍ୟକୁ ଆଣି ଦେଇ ଯାଇଛନ୍ତି ଏବଂ ତେଣୁ ତାଙ୍କ ପରେ ଆଉ କାହାଲାଗି ଆଉ ଗୁରୁର ଆବଶ୍ୟକତା ହୋଇନାହିଁ । ଏପରି କୌଣସି ବ୍ରହ୍ମର ପ୍ରକାଶ ପୃଥିବୀରେ କୌଣସି ବ୍ୟକ୍ତିର ଜ୍ଞାନାକାଶରେ କେବେହେଲେ ଘଟିନାହିଁ, ଯାହାପରେ କି ପୃଥିବୀର ଯାବତୀୟ ବ୍ରହ୍ମଅନ୍ଵେଷଣ ଏବଂ ସତ୍ୟଅନ୍ଵେଷଣ ମୋଟେ ଆବଶ୍ୟକ ହେବନାହିଁ । ମଣିଷମାନେ ଚିରଦିନ ଖୋଜିବେ, —କୌଣସି ବେଢ଼ା ଭିତରେ ପଶିଯାଇ ସବୁକିଛି ପାଇଗଲେ କିମ୍ବା ହୋଇଗଲେ ବୋଲି ଦୃଢ଼ୋକ୍ତି କରୁଥିବା ମଣିଷମାନେ ବାରମ୍ବାର ବେକୁବ୍ ହେବାରେ ଲାଗୁଥିବେ । ବେଢ଼ାମାନେ ତିଆରି ହେଉଥିବେ, ମୂର୍ତ୍ତିମାନେ ଗଢ଼ା ହେଉଥିବେ, ବାନାମାନେ ଫରଫର ଉଡ଼ିବାଟା ବି ହୁଏତ କେବେହେଲେ କାହିଁକି ବନ୍ଦ ହେବ ? ତଥାପି ସତ୍ୟ ଆଗକୁ ଯାଉଥିବ, —ଅନ୍ଵେଷଣ ଲାଗି ରହିଥିବ । ଗୁମ୍ଫାରେ ନପଶି ମଧ୍ୟ ବ୍ୟକ୍ତିମାନେ ଉପକୃତ ହେଉଥିବେ-। ସୋପାନ ପରେ ସୋପାନ ଦୃଷ୍ଟିଗୋଚର ହେଉଥିବ, ବେଢ଼ା ପଛକୁ ବେଢ଼ା ଦିଶି ଯାଉଥିବ ଏବଂ ଗୋଟିଏ ପାହାଡ଼ର ଶିଖରକୁ ଉଠିବା ମାତ୍ରକେ ଇପ୍ସିତ ମନ୍ଦିରଟି ଆଉଗୋଟିଏ ଶିଖରରେ ରୂପାନ୍ତରିତ ହୋଇ ଆମନ୍ତ୍ରଣ କରିବାରେ ଲାଗିଥିବ । ପୃଥିବୀରେ ମଣିଷର ମହାଭାଗ୍ୟ ଯେ ଏଠାରେ ତା’ର ଆଶା ମେଣ୍ଟିନାହିଁ, ଆହରଣ କରିବାର ଆଶା ମେଣ୍ଟିନାହିଁ, ନିଜକୁ ନିବେଦନ କରିଦେବାର ଆଶା ମଧ୍ୟ ମେଣ୍ଟିନାହିଁ । ବାଟ ସରେନାହିଁ ଏବଂ ତା’ ନିଜଭିତରେ ଥାଇ ହିଁ ସତେଅବା କେହିଜଣେ ବା କ’ଣଟିଏ ତା’ର ଆଖିଗୁଡ଼ିକୁ ନିତ୍ୟଲୋଭୀ କରି ରଖିଥାନ୍ତି । ତା’ର ହୃଦୟ ଭିତରେ ଏପରି ଭୋକଟିଏ କୋଉଠି ରହିଥାଏ, ଯାହାକି କେବେହେଲେ ଶାନ୍ତ ହୁଏନାହିଁ ।

 

ଜୀବନରେ ମୁଁ ଯେଉଁଭଳି ବାଟଟିଏ ଚାଲିବି ବୋଲି ସ୍ଥିର କଲି, ସେହି ବାଟଟି ସେପରି ହେବାରେ ମୋ’ ଉପରେ କେତେ ଜଣଙ୍କର କିପରି ପ୍ରଭାବମାନ ପଡ଼ିଲା, ସେକଥା ହିସାବ କରି ପୂର୍ବାପର କରି ସଜାଇ କଦାପି କହି ହେବନାହିଁ । ହଁ, କେବେ କୌଣସି ଗାତରେ କିମ୍ବା ଗୁମ୍ଫାଭିତରେ ଯାଇ ପଶିବାକୁ ମନ କରିଥିଲେ ହୁଏତ ଅତ୍ୟନ୍ତ ଚାତୁର୍ଯ୍ୟର ସହିତ ମୁଁ ସେକଥା କହି ପାରନ୍ତି । ମୋ’ ଭାଗ୍ୟରେ ଏପରି କୌଣସି ଗୁରୁ କଟିନାହାନ୍ତି, ଯିଏକି ମୋତେ ଏକ ଗୁମ୍ଫା ବା ଗାତଭିତରେ ଆଣି କିଳି ରଖିବାକୁ ଇଚ୍ଛା କରିଛନ୍ତି । କୋଉଟା ଠିକ୍ କୋଉଟା ଭୁଲ୍ ବୋଲି ନିଜ ଭିତରେ ନିରତ ଏକ ଭୟ ରହିଥିଲେ ଜଣେ ମଣିଷ ସମ୍ଭବତଃ ଭାରି ମର୍ମନ୍ତୁଦ ଭାବରେ କୌଣସି ଏକ ଗାତରେ ବା ଗୁମ୍ଫାରେ ଯାଇ ପଡ଼ିଯାଏ । ସେହି ଗୁରୁଙ୍କୁ ମୁଁ ବାରମ୍ବାର ପ୍ରଣାମ କରିବି, ଯିଏ ମୋତେ ପୃଥିବୀରେ ପ୍ରାୟ ଅନମନୀୟ ଭାବରେ ନିତ୍ୟଗ୍ରହଣଶୀଳ ହୋଇ ରହିବାଲାଗି ଶିକ୍ଷା ଦେଇଛନ୍ତି । ଉପଯୁକ୍ତ ଗୁରୁଟିଏ କେବଳ ସେତିକି ଶିକ୍ଷା ହିଁ ଦେଇଥାଏ । ଯଥାର୍ଥ ଆଦର୍ଶଟିଏ ମଧ୍ୟ ତାହାହିଁ ଶିକ୍ଷା ଦେଇଥାଏ । ଜୀବନରେ ମୁଁ ଯେତେବେଳେ ଯେଉଁ ଆଦର୍ଶର ସମ୍ମୁଖସ୍ଥ ହୋଇଛି, ସେତେବେଳେ ସେଇଟିଲାଗି ଆପେ ଯୋଗ୍ୟ ହୋଇ ପାରିବାର ଭାବନାଟି ମୋତେ ସବୁଠାରୁ ଅଧିକ ପରିମାଣରେ ଆଲୋଡ଼ିତ କରି ରଖିଛି । ମୁଁ ଯୋଗ୍ୟ ହେବାକୁ ଚେଷ୍ଟା କରିଛି, ଅର୍ଥାତ୍ ଅଧିକ ଗ୍ରହଣଶୀଳ ହୋଇଛି, ପାହାଚେ ଦୁଇପାହାଚ ଆଗେଇ ଯିବାକୁ ଆବଶ୍ୟକ ପ୍ରସ୍ତୁତିମାନ କରିରଖିଛି । ଏବଂ, ସତ୍ୟ, ଭଗବାନ ଓ ଆଦର୍ଶମାନେ ସତେଅବା କାହାର ବରାଦ ଅନୁସାରେ ଏପରି ବିଚିତ୍ର ପ୍ରକାରେ ତିଆରି ହୋଇ ରହିଛନ୍ତି ଯେ, ମୁଁ ଅଧିକ ଯୋଗ୍ୟ ହୋଇ ଅର୍ଥାତ୍ ନିଜ ଆଖିରେ ଅଧିକ ବଳ ଓ ବିଶ୍ଵାସ ସଂଗ୍ରହ କରି ଯେପରି ପୁନର୍ବାର ସେମାନଙ୍କୁ ଅନାଇ ଦେଖିବାକୁ ଯାଇଛି, ସେତେବେଳେ ସେମାନେ ସତେଅବା ସ୍ଵୟଂ ପୂର୍ବାପେକ୍ଷା ପାଦେ ଦୁଇପାଦ ଆଗେଇ ଯାଇଛନ୍ତି; ପ୍ରଥମେ ଯେଉଁଭଳି ଦିଶୁଥିଲେ, ସେଭଳି ଆଉ ମୋତେ ଦିଶୁନାହାନ୍ତି । ଏପରି ଏସବୁ କାହିଁକି ହେଲା ବୋଲି ଅଭିଯୋଗ କରିବାକୁ କୌଣସି ବେଳ ନାହିଁ । ଚକିତ ହୋଇ ଖାଲି ଭାବିଛି, ମୁଁ ଆଗକୁ ଆହୁରି ଗୋଟାଏ ପାଦ ପକାଉଥିବାର ସମୟରେ ମୋ’ର ଆଦର୍ଶମାନେ, ସତ୍ୟମାନେ ଏବଂ ଭଗବାନମାନେ ମଧ୍ୟ ମୋ’ ସହିତ ଏକାଠି ବାଟ ଚାଲୁଥିବା ପରି ଆଗକୁ ଗୋଟାଏ ଗୋଟାଏ ପାଦ ପକାଇବାରେ ଲାଗିଥିଲେ କି ?

 

ପ୍ରୟୋଜନ ବେଳେ ଯେଉଁମାନେ ମନେ ପଡ଼ନ୍ତି ଏବଂ କାମରେ ମଧ୍ୟ ଲାଗନ୍ତି, ନିଜଉପରେ ସେମାନଙ୍କର ବେଶୀ କିଛି ପ୍ରଭାବ ପଡ଼େନାହିଁ । ପ୍ରୟୋଜନ ବାହାରେ ମଧ୍ୟ ମଣିଷ ଭିତରେ ଯେଉଁ ସୂତ୍ରଗୁଡ଼ିକ ଲାଗିବା ନିମନ୍ତେ ଅପେକ୍ଷା କରି ରହିଥାଆନ୍ତି, ସେହି ସୂତ୍ରମାନେ ଜୀବନଯାକ ମନେ ରହନ୍ତି, ସେଇମାନଙ୍କର ପ୍ରଭାବ ବି ପଡ଼େ । ସ୍କୁଲରେ କେତେ ଶିକ୍ଷକ ଆମକୁ ପାଠ ପଢ଼ାଇଛନ୍ତି, ନିଜ ବିଷୟରେ ନିପୁଣ ଭାବରେ ସବୁକିଛି ଜାଣିଥିବା ସେମାନେ କେଡ଼େ ନିପୁଣ ଏବଂ ନିଖୁଣ ଭାବରେ ସେତେବେଳେ ଆମ ପ୍ରୟୋଜନଗୁଡ଼ିକର ପୂରଣ କରିଛନ୍ତି । ଆମ ଜୀବନର ପ୍ରତିଯୋଗିତାରେ ସଫଳ ହେବାଲାଗି ସେମାନେ ଆମଭିତରେ କେତେ ପାଠ ଆଣି ଖୁନ୍ଦି ଦେଇଛନ୍ତି । ଏହି ଶିକ୍ଷକମାନେ ବେଶ୍ ମନେପଡ଼ନ୍ତି ସିନା, ମାତ୍ର ସେମାନଙ୍କର ପ୍ରଭାବ ଜୀବନ ଉପରେ ପଡ଼ିଛି ବୋଲି ଆଦୌ କୁହାଯାଇ ପାରିବ । ତତ୍କାଳୀନ ରାଣୀହାଟ ମାଇନର ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବାଞ୍ଛାନିଧି ଶତପଥୀ ମୋ’ ଜୀବନରେ ଏକ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବା ଭଳି ଯେତେ ନିକଟକୁ ଆସି ପାରିଥିଲେ, ସେସବୁ ଏବେ ମଧ୍ୟ ମନେ ଅଛି । ସିଏ କ୍ଲାସରେ ମଧ୍ୟ ଖୁବ୍ ଭଲ ପଢ଼ାଉଥିଲେ । ଆହୁରି ଅନ୍ୟମାନେ ଥିଲେ, ଯେଉଁମାନେ ମଧ୍ୟ ସମାନ ଭାବରେ ଭଲପାଠ ପଢ଼ାଉଥିଲେ । ମାତ୍ର, ଶ୍ରେଣୀ ବାହାରେ ଆମକୁ ଲୋଡ଼ୁଥିଲେ କେବଳ ବାଞ୍ଛାନିଧି ଶତପଥୀ । ସେତେବେଳେ ହେତୁ ହୋଇ ନଥିଲା ବୋଲି ଆମେ ହୁଏତ କିଛି ଜାଣି ପାରୁନଥିଲୁ, କିନ୍ତୁ ଏବେ କେଡ଼େ ପ୍ରତ୍ୟକ୍ଷ ଭାବରେ ଅନୁଭବ ହେଉଛି ଯେ, ଜଣେ ଜଣେ ଶିକ୍ଷକ ଏମିତି ବି ଥାଆନ୍ତି, ଯେଉଁମାନେ କି କ୍ଲାସ ବାହାରେ ମଧ୍ୟ ପିଲାମାନଙ୍କୁ ଲୋଡ଼ନ୍ତି । କ୍ଲାସରେ ଜଣେ ଧୁରନ୍ଧର ଶିକ୍ଷକ ଭାବରେ ପାଠ ପଢ଼ାଉଥିଲେ ମଧ୍ୟ ସେମାନଙ୍କର ସମ୍ଭବତଃ ଆଦୌ ମନ ବୋଧ ହୋଇନଥାଏ । ସେମାନେ ଆହୁରି ଅଧିକ ପାଖକୁ ଆସିବାକୁ ଇଚ୍ଛା କରୁଥାନ୍ତି, କେବଳ ଶିକ୍ଷକ-ଛାତ୍ରର ଏକ ଔପଚାରିକ ସମ୍ବନ୍ଧର ଅତିରିକ୍ତ ସମ୍ବନ୍ଧଟିଏ ରହିଛି ବୋଲି ସେମାନେ ଅଧିକ ପ୍ରତ୍ୟକ୍ଷ ଭାବରେ ଅନୁଭବ କରୁଥାନ୍ତି । ତେଣୁ ଶ୍ରେଣୀ ବାହାରେ ମଧ୍ୟ ସେମାନେ ନିଜ ଛାତ୍ରମାନଙ୍କୁ ଲୋଡ଼ନ୍ତି । ଅବିକଳ ଜଣେ ସାଙ୍ଗ ତା’ ସାଙ୍ଗମାନଙ୍କୁ ଲୋଡ଼ୁଥିବା ପରି ଲୋଡ଼ୁଥାନ୍ତି ।

 

କ୍ଲାସ୍ ବାହାରେ ଆମକୁ ଲୋଡ଼ି, ଆମ ଜୀବନ ସହିତ ନିଜକୁ ସଂପୃକ୍ତ କରି ଶ୍ରୀଯୁକ୍ତ ବାଞ୍ଛାନିଧି ଶତପଥୀ କ୍ଲାସ ଭିତରର ପାଠପଢ଼ା ବେଳେ ଅସମାହିତ ରହିଯାଉଥିବା ଅନେକାନେକ ସମସ୍ୟାର ସମାଧାନ କରି ପାରୁଥିଲେ କି ? ନହେଲେ, ତାଙ୍କ ପାଖରେ, କ୍ଲାସ୍ ଭିତରେ ଓ ବାହାରେ, ଆମେ ଏଡ଼େ ସହଜରେ ଅନୁଗତ ହୋଇ ପଡ଼ୁଥିଲୁ କିପରି ? ଅଧିକାଂଶ ଅନ୍ୟ ଶିକ୍ଷକମାନଙ୍କ ପାଖରେ ପିଲାମାନେ ଖୁନ୍ଦା ଖାଇ ବାଧ୍ୟ ସିନା ହେଉଥିଲେ, କିନ୍ତୁ ଶ୍ରୀ ଶତପଥୀ ଯେ ସେତିକିରେ ଆମକୁ କେବେହେଲେ ଛାଡ଼ିବେନାହିଁ, ଏକଥା ପିଲାମାନେ ଖୁବ୍ ଭଲଭାବରେ ବୁଝି ପାରୁଥିଲେ । ବାଧ୍ୟ ହେବାକୁ ପଡ଼ୁଥିବା ଥାନମାନଙ୍କରେ ଗ୍ରହଣ କରିବାର ଅର୍ଥାତ୍ ନିଜ ଭିତରକୁ ସ୍ଵୀକାର କରିନେବାର ଆଗ୍ରହଦ୍ଵାରଟା ସତେଅବା କୋଉ ଖଞ୍ଜରେ କ୍ରମେ ବନ୍ଦ ହୋଇ ଯାଉଥିଲା । ମାତ୍ର, ପ୍ରଧାନ ଶିକ୍ଷକଙ୍କ ପାଖରେ ସବୁକଥା ଅନ୍ୟପ୍ରକାରର ହେଉଥିଲା । ତାଙ୍କ ପାଖରେ ଆମେ ପ୍ରାୟ ସମସ୍ତେ କେଡ଼େ ସହଜରେ ଯାଇ ଧରା ଦେଇ ପାରୁଥିଲୁ । ଆମକୁ ସିଏ ଏକ ପଲ ହିସାବରେ ନୁହେଁ, ସତେଅବା ଅଲଗା ଅଲଗା ଜଣେ ବ୍ୟକ୍ତି ହିସାବରେ ଚିହ୍ନୁଥିଲେ । ତାହାହିଁ ସେହି ପିଲାବୟସରେ ମଧ୍ୟ ଆମ ଭିତରେ ଏକ ସମ୍ମାନବୋଧକୁ ଉଦବୋଧିତ କରି ଆଣୁଥିଲା ଏବଂ ସମ୍ଭବତଃ ତାହାରି ବଳରେ ଆମେ ନିଜ ଜୀବନରେ ସତେଅବା ବାଟକୁ ରୋକି ଛିଡ଼ା ହୋଇଥିବା ଅନ୍ତର୍ଗତ ପ୍ରତିବନ୍ଧଗୁଡ଼ିକୁ ଡେଇଁଯାଇ ପାରୁଥିଲୁ । ନିଜ ସହିତ ପ୍ରାୟ ଯୁଦ୍ଧ କରିବାକୁ ପଡ଼ୁନଥିବ, ନିଜ ଭିତରେ ଅବଧାନ ଓ ଚାଟ,–ଏହିଭଳି ଦୁଇଭାଗରେ ବିଭକ୍ତ ହୋଇ କ୍ଷତବିକ୍ଷତ ହେଉ ନଥିବ, କାହାର ଫରମାସରେ ଭଲ ପରି ଦିଶିବା ଲାଗି ନିଜ ଭିତରର କୌଣସି ସାମଗ୍ରୀକୁ ମୋଟେ ଲୁଚାଇ ପକାଇବାକୁ ଇଚ୍ଛା ହେଉନଥିବ,—ତଥାପି ବାଟ ଚାଲିବା ଅବ୍ୟାହତ ରହିଥିବ, ବାଟ ଚାଲିବାଲାଗି ବିଶ୍ଵାସ ବଢ଼ିବାରେ ଲାଗିଥିବ, —ଯେଉଁ ବିରଳ ଶିକ୍ଷକ ଜଣେ ଛାତ୍ରର ଜୀବନରେ ଏତିକି ସମ୍ଭବ କରିପାରେ, ସେଇ ପ୍ରଭାବ ପକାଏ, ଆକୃଷ୍ଟ କରେ, ପ୍ରଭାବିତ କରେ । ପୂରାପୂରି ଜୀବନର ଜଣେ ପ୍ରକୃତ ବନ୍ଧୁ ପରି ମନେହୁଏ । ପାଠ ପଢ଼ିବାର ଆଳରେ ଏହିଭଳି ଜଣେ ଶିକ୍ଷକର ସାହଚର୍ଯ୍ୟ ଲାଭ କରି ଛାତ୍ରର ଜୀବନରେ ଆହୁରି କେତେ କ’ଣ ସମ୍ଭବ ହୋଇଯାଏ ।

 

ତା’ ପରେ ମନେ ପଡ଼ୁଛନ୍ତି ଅନ୍ମନ୍ ରାଲଫ୍ ରିଚାର୍ଡ଼ କଇଥାନ୍ । ତାଙ୍କର ଜୀବନ ଏକ ବିଚିତ୍ର ଜୀବନ, ତଥାପି ଏକ ବିଶ୍ଵାସଭରା ଜୀବନ । ଜଣେ ଜଣେ ମଣିଷଙ୍କୁ ତାଙ୍କର ବିଶ୍ଵାସ ବହୁବିଧ ନିର୍ଭରଶୀଳତାରୁ ଅଧିକରୁ ଅଧିକ ପରୀକ୍ଷିତ ଭାବରେ ମୁକ୍ତକରି ଆଣିଥାଏ । ଆଉ ଥୋକେ ମଣିଷ ସେମାନଙ୍କର ତଥାକଥିତ ବିଶ୍ଵାସ ଦ୍ଵାରା ସତେଅବା ଗୋଟାଏ ଜାଲ ଭିତରେ ଆସି ପଡ଼ିଯାଆନ୍ତି, ଗୋଟାସୁଦ୍ଧା ବାନ୍ଧି ହୋଇ ଯାଆନ୍ତି । ହିନ୍ଦୁଧର୍ମ ସମେତ ଆହୁରି ଅନେକ ଧର୍ମରେ ମୁଁ ଏକାଧିକ ବ୍ୟକ୍ତିଙ୍କୁ ଦେଖିଛି, ଯେଉଁମାନେ କି ନିଜର ଧର୍ମଟା ଭିତରେ ବାନ୍ଧି ହୋଇ ଯାଇଥିଲେ । ନିଜର ଗ୍ରହଣଶୀଳତାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ହରାଇ ବସିଥିଲେ । ଶ୍ରୀଯୁକ୍ତ କଇଥାନ୍ ଆମେରିକାରୁ ଭାରତବର୍ଷକୁ ଖ୍ରୀଷ୍ଟିଆନ୍ ଧର୍ମ ପ୍ରଚାର କରିବାକୁ ଆସିଥିଲେ । ତାଙ୍କ ଭିତରର ଗ୍ରହଣଶୀଳତାଟି ଜାଗରୂକ ରହିଥିଲା ବୋଲି ସିଏ ଏକ ଉପଯୁକ୍ତ ଆଖିରେ ଭାରତବର୍ଷକୁ ଦେଖିଥିଲେ । ମହାତ୍ମା ଗାନ୍ଧୀ ତାଙ୍କୁ ଆଚମ୍ବିତ କରିଦେଲେ । ଯୀଶୁଖ୍ରୀଷ୍ଟ ଯେଉଁ ଧର୍ମସନ୍ଦେଶ ପ୍ରଚାର କରିବାକୁ ପୃଥିବୀରେ ଏକଦା ଅବତୀର୍ଣ୍ଣ ହୋଇଥିଲେ, ଗାନ୍ଧୀ ହିଁ ସର୍ବୋତ୍ତମ ଭାବରେ ତାହାର ଅନୁସରଣ କରୁଛନ୍ତି ବୋଲି ଶ୍ରୀ କଇଥାନଙ୍କର ହୃଦବୋଧ ହେବାକୁ ଲାଗିଲା । ତାଙ୍କୁ ସବୁକିଛି ଏକାବେଳେକେ ଅନ୍ୟପ୍ରକାର ଦିଶିବାକୁ ଆରମ୍ଭ କଲା । ଜଣେ ସଚ୍ଚୋଟ ଖ୍ରୀଷ୍ଟାନୁଗାମୀ ସାମ୍ରାଜ୍ୟବାଦର ସେବା ନକରି ଭାରତର ମୁକ୍ତି ଆନ୍ଦୋଳନ ଓ ଗାନ୍ଧୀ ଆନ୍ଦୋଳନ ସହିତ ନିଜକୁ ସଂପୃକ୍ତ କରିପାରିଲେ ଯୀଶୁମାର୍ଗରେ ଅଧିକ ଔଚିତ୍ୟର ସହିତ ରହିପାରିବ ବୋଲି ତାଙ୍କର ହୃଦବୋଧ ହୋଇଗଲା । ନିଜ ନିଯୁକ୍ତିଘରର କର୍ତ୍ତାମାନଙ୍କ ଦ୍ଵାରା ସିଏ ଗୋଷ୍ଠୀ ଭିତରୁ ବିତାଡ଼ିତ ହୋଇଥିଲେ ଏବଂ ସପରିବାର ନିଜ ଦେଶକୁ ଫେରି ଯିବାଲାଗି ତାଙ୍କୁ ବ୍ରିଟିଶ୍ ସରକାର ଆଦେଶ ମଧ୍ୟ ଦେଇଥିଲେ । ସେତିକିବେଳେ ବାଙ୍ଗାଲୋରର ଆନନ୍ଦ ଆଶ୍ରମରେ ଆମେ ଭାରତବର୍ଷର ଚାରିଆଡ଼ୁ ପ୍ରାୟ ଡଜନେ ତରୁଣ ତାଙ୍କ ପାଖରେ ଏକତ୍ର ହୋଇଥିଲୁ । ବେଳେ ବେଳେ ସେ ଆମକୁ ଏକତ୍ର ବସାଇ ପାଠ ପଢ଼ାଇବା ପରି କ’ଣସବୁ କହୁଥିଲେ । ମାତ୍ର, ସ୍ଵାଧ୍ୟାୟ ଏବଂ ଶାରୀରିକ ଶ୍ରମ ସେହି ପ୍ରଶିକ୍ଷଣର ପ୍ରଧାନ ଅଂଶ ହୋଇ ରହିଥିଲା । ଆମେ ଏକାଠି ଖାଉଥିଲୁ ଏକାଠି ଶ୍ରମ କରୁଥିଲୁ । ଆଶ୍ରମର ଦୁଇମାସ ନ ଯାଉଣୁ ସରକାର ଆଶ୍ରମକୁ ଭାଙ୍ଗି ଦେଲେ । ମୁଁ ବାଙ୍ଗାଲୋର୍ ଜେଲରେ ରହିଥିଲି ଓ କଇଥାନ୍ ବାଙ୍ଗାଲୋର୍ ସହରରେ । ଭାରତବର୍ଷ ଛାଡ଼ିବାଲାଗି ସେ ସେଠାରେ ଅପେକ୍ଷା କରି ରହିଥିଲେ । ମଝିରେ ମଝିରେ ମୋ’ ସହିତ ଦେଖା ହେବାକୁ ସେ ଜେଲକୁ ଯାଉଥିଲେ । କର୍ତ୍ତୃପକ୍ଷ ତାଙ୍କୁ ଏକାବେଳେକେ ମୁଁ ରହୁଥିବା ଥାନ ପର୍ଯ୍ୟନ୍ତ ଯିବାଲାଗି ଅନୁମତି ଦେଉଥିଲେ । ତା’ ପରେ ସିଏ ଭାରତ ଛାଡ଼ିଲେ ଏବଂ ଭାରତବର୍ଷ ସ୍ଵାଧୀନ ହେଲା ପରେ ଯାଇ ପୁନର୍ବାର ଏଠାକୁ ଆସିବାଲାଗି ଅନୁମତି ପାଇଲେ ।

 

ସିଏ ଫେରି ଆସିବାପରେ ଆମେ ପରସ୍ପରକୁ ପୁନର୍ବାର ଆବିଷ୍କାର କରିଥିଲୁ । ୧୯୪୮ ମସିହା ଗ୍ରୀଷ୍ମଛୁଟୀରେ ମାସଟାଯାକ ମୁଁ ଦକ୍ଷିଣ ଭାରତର କୋଡ଼ାଁଇକେନାଲରେ ତାଙ୍କ ସହିତ ଏକ ଖ୍ରୀଷ୍ଟିଆନ୍ ଆଶ୍ରମରେ ସାମିଲ୍ ହୋଇ ରହିଥିଲେ । ଏହି ଆଶ୍ରମଟି କେବଳ ଖ୍ରୀଷ୍ଟିଆନ୍‍ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ମୁଁ ସେଠାରେ ଏକ ବ୍ୟତିକ୍ରମ ହିସାବରେ ସ୍ଥାନ ପାଇଲି ଶ୍ରୀଯୁକ୍ତ କଇଥାନ୍‍ଙ୍କ ସକାଶେ । ମୁଁ ଖ୍ରୀଷ୍ଟିଆନ୍ ନୁହେଁ ବୋଲି କେବଳ ସେଇ ଜାଣିଥିଲେ । ଅନ୍ୟମାନେ ମୁଁ ଖ୍ରୀଷ୍ଟିଆନ୍ ହୋଇଥିବି ବୋଲି ଧରି ନେଇଥିଲେ । ଅବଶ୍ୟ ଏକାବେଳେକେ ଶେଷଆଡ଼କୁ ଯାଇ ସମସ୍ତେ ସତକଥାଟିକୁ ଜାଣିଲେ । ତୁମେ ଜନ୍ମଦ୍ଵାରା ଯୋଉ ଧର୍ମର ହୋଇଥାଅ ପଛକେ, ତୁମ ହୃଦୟର ନିବେଦନକ୍ଷେତ୍ରରେ ଏପରି ଗୋଟିଏ ଉପାଦାନ ଅବଶ୍ୟ ରହିଛି, ଯାହାକି ତୁମେ କେବଳ ଗୋଟିଏ ଧର୍ମର ଏବଂ ଆଉ କୌଣସି ଧର୍ମର ନୁହଁ ବୋଲି ଆଦୌ ଭିନ୍ନ କରି ଦେଖେନାହିଁ, ତୁମକୁ ଯେକୌଣସି ଶ୍ରଦ୍ଧାନୁଭର ଗୋଷ୍ଠୀଭିତରେ ଅତ୍ୟନ୍ତ ସହଜରେ ନେଇ ସମ୍ମିଳିତ କରେ, ତୁମ ଭିତରୁ ଅନେକ ସ୍ପର୍ଶକାତରତାକୁ ଦୂର କରିଦିଏ । ମନୁଷ୍ୟର ଅନ୍ତର୍ଗତ ଭଣ୍ଡାରରେ ଏପରି କ’ଣ ଗୋଟିଏ ସମ୍ପଦ ରହିଛି, ଯାହାର ସ୍ପର୍ଶ ଲାଭ କଲେ ସ୍ପର୍ଶକାତର ହୋଇ ରହିବା ନିମନ୍ତେ ଆଉ କୌଣସି ପ୍ରୟୋଜନ ରହେନାହିଁ । ନିଜ ଭିତରୁ ସେହି ସ୍ପର୍ଶଟି ପାଇବାରେ ଅନ୍ନନ୍ ମୋତେ ପ୍ରଭୂତ ଭାବରେ ସାହାଯ୍ୟ କରିଛନ୍ତି । ଏହି ବିଷୟରେ ସିଏ ମୋତେ କୌଣସି ଧର୍ମୀୟ ତଥ୍ୟପୃଷ୍ଟ ବକ୍ତୃତା ଦେଇନାହାନ୍ତି । ଗୋଟିଏ ମାସ ମୁଁ ତାଙ୍କ ସହିତ ରହି ଖୁବ୍ ପାଖରୁ ତାଙ୍କୁ ଅନୁଭବ କରିବାର ସୁଯୋଗ ପାଇଛି । ସଂପୂର୍ଣ୍ଣ କୋଳାହଳଶୂନ୍ୟ ଭାବରେ ଜଣେ ଆଉ ଜଣକର ଯେ କେତେ ସାନ୍ନିଧ୍ୟ ମଧ୍ୟକୁ ଆସିପାରେ, ସେକଥା ଅଙ୍ଗେ ନିଭାଇଛି । ପରସ୍ପର ଭିତରେ ସତକୁ ସତ କ’ଣ ବା କେଉଁ ସମ୍ପଦଟିକୁ ଲୋଡ଼ି ପାରିଲେ ମଣିଷମାନେ ଯେ କ୍ରମେ କୋଳାହଳଶୂନ୍ୟ ହୋଇ ଆସନ୍ତି ଏବଂ ଅନ୍ତରର ଧନଗୁଡ଼ିକୁ ଏକାଠି ସାଉଁଟିବାକୁ ମନ କରି ବାହ୍ୟ ବନ୍ଧ ଏବଂ ବାଧାଗୁଡ଼ିକ ପାଖରେ ଆଦୌ ଝୁଣ୍ଟି ପଡ଼ିଯାଆନ୍ତି ନାହିଁ, ସେହି ପାଠଟିକୁ ମୁଁ ପ୍ରଥମେ ସମ୍ଭବତଃ ଏହିପରି ଶିକ୍ଷା କରିଥିଲି ।

 

ଶ୍ରୀ କଇଥାନ୍‍ଙ୍କ ସହିତ ଆଉଥରେ ଠିକ୍ ତିରିଶିବର୍ଷ ପରେ ଗୋଟିଏ ମାସ କଟାଇଥିଲି ସେହି କୋଡ଼ାଇକେନାଲ୍ ଆଶ୍ରମରେ । ତାହାର ଦୁଇ ତିନିବର୍ଷ ମଧ୍ୟରେ ସିଏ ଦେହତ୍ୟାଗ କଲେ । ହୁଏତ ତାଙ୍କରି ସକାଶେ ମୋ’ ଆଖିରେ ଏକ ବିଶେଷ ପ୍ରକାରର ସହଜତା ସ୍ଥାୟୀ ହୋଇ ରହିଗଲା, ଯାହାକି ଏବେ ମଧ୍ୟ ନିଜ ଜୀବନଟିର ଦର୍ପଣଟିକୁ ନିଜସ୍ୱ କରି ଧରି ରଖିବାରେ ମୋତେ ବହୁତ ସାହାଯ୍ୟ କରିଆସିଛି । ଇଉରୋପରେ ବିଭିନ୍ନ ଦେଶରେ ମୁଁ କେତେ କେତେ ଥର ଗୀର୍ଜାର ଉପାସନାଗୁଡ଼ିକରେ ସମବେତ ହେବାକୁ ଯାଇଛି । ଇସ୍ରାଏଲରେ ସିନାଗଗ୍‍ର ବିଶେଷ ଅର୍ଚ୍ଚନାବିଧି ଗୁଡ଼ିକ ସହିତ ମଧ୍ୟ ସାମିଲ୍ ହୋଇଛି । ସତେଅବା ଆଉକାହା ବାଡ଼ିରେ ଯାଇ ପଶୁଛି ବୋଲି ମୋଟେ ଭାବିନାହିଁ । ସନ୍ତକମାନେ କେଡ଼େ ଅଲଗା ଅଲଗା, ସନ୍ତକମାନଙ୍କର ମନୁଷ୍ୟଦତ୍ତ ନାଆଁଗୁଡ଼ିକ ମଧ୍ୟ କେଡ଼େ ଅଲଗା ଅଲଗା, —ତଥାପି ମଣିଷ ଭିତରେ ଏମିତି କ’ଣ ଆସ୍ଥାନଟିଏ ରହିଛି, ଯୋଉଁଠି ପ୍ରବେଶ କରି ପାରିଲେ ବାହାରେ ଅଲଗା ଅଲଗା ଦେଖୁଥିଲେ ମଧ୍ୟ ନିଜର ଅନ୍ତରଭିତରେ ସିଏ ସେହି ମହାସମୁଦ୍ରଟିକୁ ସାକ୍ଷାତ କରେ, ଯେଉଁଠି ଆଦୌ କିଛି ହେଲେ ଅଲଗା ଅଲଗା ହୋଇ ରହିନାହିଁ । ରୁଚିର ବୈଚିତ୍ର୍ୟ ଅନୁସାରେ ସାଧନାର ପଥଗୁଡ଼ିକ ମଧ୍ୟ ଭିନ୍ନ ହୋଇଛି ବୋଲି ଏକ ତନ୍ତ୍ରପୁସ୍ତକରେ କୁହାଯାଇଛି । ମୁଁ ହୁଏତ କିଞ୍ଚିତ୍ ଚପଳ ହୋଇ କହିବାକୁ ମନ କରିବି ଯେ, ପୃଥିବୀଟା ଅଧିକ ବିଚିତ୍ର ଦେଖାଯିବ ଓ ବିଚିତ୍ର ପଥରେ ଗତି କରୁଥିବା ମନୁଷ୍ୟମାନେ ଅଧିକ ବର୍ଣ୍ଣାଢ଼୍ୟ ଦିଶିବେ ବୋଲି ଖୁବ୍ ସମ୍ଭବ ଆମ ସମସ୍ତଙ୍କ ପାଇଁ ବାହାରର ସାଜଗୁଡ଼ିକ ଏଭଳି ଅଲଗା ଅଲଗା ହୋଇ ରହିଛି । ତଥାପି, ହୁଏତ ମୂଳତଃ ଜଣେ ସ୍ପର୍ଶକାତର ମନୁଷ୍ୟଲାଗି ଅଲଗା ଅଲଗା ଦିଶୁଛି । ମଣିଷର ପରୀକ୍ଷା ହୋଇଯାଉଛି ।

 

ଶାନ୍ତିନିକେତନକୁ ଆସିବା ବେଳକୁ ବେଶ୍ ଜଣେ ସାବାଳକ ପରି ଲାଗୁଥିଲା । ଅର୍ଥାତ୍, ମୋ’ର ବାଟ ଚାଲିବା ସକାଶେ ଖାଲି ଗୋଡ଼ମାନେ ଯେ ରହିଛନ୍ତି, ସେକଥା ମୋଟେ ନୁହେଁ; ଆଖି ଦୁଇଟି ମଧ୍ୟ ଅଛନ୍ତି ଏବଂ ଭିତରେ କେନ୍ଦ୍ରଟିଏ ରହିଛି । ସେହି କେନ୍ଦ୍ରଟିର ଚାହିଦା ଅନୁସାରେ ବାଟଟିଏ ବାଛି ହୋଇଯାଉଛି । ଭଲ ବାଟ ଅଭଲ ବାଟର ପ୍ରଶ୍ନ ହିଁ ଉଠୁନାହିଁ । ସେହି କେନ୍ଦ୍ରର ଚାହିଦା ଅନୁସାରେ ଯେଉଁ ବାଟଟି ଦିଶିଯାଉଛି, ତାହାହିଁ ମୋତେ ଆକୃଷ୍ଟ କରୁଛି, ମୋ’ର ନିଜ ବାଟ ବୋଲି ମନେ ହେଉଛି । ହାଇସ୍କୁଲର ଶିକ୍ଷା ଶେଷ କରି ସେତେବେଳେ ମାତ୍ର ଚାରିବର୍ଷ ତଳେ ମୁଁ ମୁଁ ରେଭେନ୍ସା କଲେଜରେ ପ୍ରବେଶ କରିଥିଲି, ସେତେବେଳେ ଏଭଳି ଏକ ଅନୁଭବ ଆଦୌ ହୋଇନଥିଲା, ନିଜକୁ ପଲ ଭିତରେ ଜଣେ ବୋଲି ଲାଗୁଥିଲା ଏବଂ ସେହି ପଲ ଭିତରେ ଅନ୍ୟମାନଙ୍କ ତୁଳନାରେ ବିଶେଷ କିଛି ହାସଲ କରି ଦେଖାଇ ପାରିବା ଯେପରି ଜୀବନର ଦୀର୍ଘତମ ଧ୍ୟେୟ ହୋଇ ରହିଥିଲା । ରେଭେନ୍ସା କଲେଜରୁ ହିଁ ଭାରତ ଛାଡ଼’ ଆନ୍ଦୋଳନରେ ଯୋଗ ଦେଇ କଟକ ଜେଲ । ଏବଂ, କଟକ ଜେଲରୁ ବାଙ୍ଗାଲୋର ଜେଲ । ନିଜ ଭିତରେ ମୁଁ ନିଜକୁ ଏକତ୍ର କରି ଆଣିବାଲାଗି ସତେଅବା କେତେ ସାମଗ୍ରୀ ପାଇ ଯାଇଥିଲି । ବାହାରର ଆହ୍ଵାନ ଓ ପ୍ରତ୍ୟାଶାଗୁଡ଼ିକୁ ଅନ୍ୟ ବ୍ୟଞ୍ଜନାର ଅର୍ଥ ଦେଇ ଗ୍ରହଣ କରି ପାରିଲି । ବନ୍ଦୀଜୀବନର ମେଳରେ କେତେ କେତେ ବହି ପଢ଼ିଲି, କେତେ ଭଳି ଲୋକଙ୍କର ଗହଣକୁ ଆସିଲି, କିଛି ମୋହଭଙ୍ଗ ହେଲା, କିଛି ନବୋଦଘାଟନ ମଧ୍ୟ ହୋଇଥିଲା । ତେଣେ ବୟସ ବି ପାକଳ ହେଉଥିଲା ଏବଂ ଆଖିମାନେ ନୂଆ ନୂଆ ପ୍ରକାରେ ଦେଖି ବି ଶିଖୁଥିଲେ । ଭିତରେ କିଏ ଜଣେ ବସିଛି ଏବଂ ସେଇ ମୋତେ ଅସଲ ଦିଗଦର୍ଶନଗୁଡ଼ିକୁ ଦେଇପାରିବ ବୋଲି ଏକ ପ୍ରତ୍ୟୟ ମଧ୍ୟ ହୋଇ ଆସୁଥିଲା । ବ୍ୟକ୍ତିଟିଏ ହେବାକୁ ହେଲେ ଗୋଷ୍ଠୀକୁ ଛାଡ଼ିବାକୁ ଯେ ପଡ଼େ ସେକଥା ମୋଟେ ନୁହେଁ, ଗୋଷ୍ଠୀ ଭିତରେ ରହି ତଥାପି ନିଜକୁ ଏକ ସ୍ଵାଭାବିକ ଅନ୍ତଃନିର୍ଦ୍ଦେଶନା ଦ୍ଵାରା ତିଆରି କରି ଆଣିପାରିଲେ ବ୍ୟକ୍ତି ଯେ ଗୋଷ୍ଠୀର ଅଧିକ କାମକୁ ଆସେ ଏବଂ ତାହାରି ଦ୍ଵାରା ହିଁ ନିଜେ ଅଧିକ ପରିପୂର୍ଣ୍ଣତା ଲାଭ କରେ, ସେହି କଥାଟି କ୍ରମେ ଅଧିକ ପ୍ରାଞ୍ଚଳ ହୋଇ ଆସୁଥିଲା ।

 

କେନ୍ଦ୍ରରେ ଏହିପରି ଭାବରେ ଏକ ଜିଜ୍ଞାସୁ ଶିଶୁକୁ ବହନ କରି ମୁଁ ଶାନ୍ତିନିକେତନରେ ଯାଇ ପହଞ୍ଚିଲି । ସେଠା ପରିବେଶର ପ୍ରସାରଣଟି ସଂପୃକ୍ତ ଜଣେ ମଣିଷକୁ ନିର୍ଭୟ ହେବାରେ ଭାରି ସାହାଯ୍ୟ କରୁଥିଲା । ମୁଁ କ’ଣ ଭାବିଲି ବା ଜାଣିଲି କେଜାଣି, ସେଇଠି ତାହାରି ଫାଶରେ ଯାଇ ଧରା ଦେଲି । ବାନ୍ଧି ହୋଇପଡ଼ି ଅଣନିଃଶ୍ଵାସୀ ହେବାର କୌଣସି ପ୍ରଶ୍ନ ହିଁ ନଥିଲା । ଜୀବନର ଅଙ୍ଗନଟା ମୋଟେ ଆଗରୁ ଏତେ ଫର୍ଚା ବୋଲି କେବେହେଲେ ଅନୁଭବ ହୋଇନଥିଲା । ସେଠାରେ ସତେଅବା ସବୁକିଛି ମୋତେ ସବୁ ଦେବେ ବୋଲି ଅପେକ୍ଷା କରି ରହିଥିଲେ । ମୁଁ କୃପଣତା ଭୁଲିଗଲି, —ସବୁଟି ସହିତ ମିତ୍ରତାର ଫାଶରେ ଆବଦ୍ଧ ହୋଇ ପଡ଼ିଲି । ସତେଅବା ଆଗରୁ ଏହିପରି ଗୋଟିଏ ମୂହୁର୍ତ୍ତ ଲାଗି ଅପେକ୍ଷା କରି ରହିଥିବା ପରି ଭିତରୁ ଅଜସ୍ର ଖୁସୀ ମାଡ଼ିଆସି ମୋ’ ସହିତ ପୂର୍ଣ୍ଣ ସହଯୋଗ କଲା । ପାଠ ପଢ଼ିବାର ସ୍ଥାନ, ଘର, ମନ୍ଦିର ମୋତେ ଦୃଢ଼ମୂଳ କରିଦେଇ ପାରିବାର ସୁନିଶ୍ଚିତ ପ୍ରତିଶ୍ରୁତିମାନ ଆଣି ଦେଉଥିବା କେତେ କେତେ ଚେର, ମୋତେ ନିର୍ଭୟ ହୋଇ ସେଠାରେ ବିଚରଣ କରିବା ସକାଶେ ପରିପୂର୍ଣ୍ଣ ଭରସା ଆଣି ଦେଇ ଯାଉଥିବା ମଣିଷମାନଙ୍କର ମେଳ, —ସେଠାରେ ହାତ ବଢ଼ାଇଦେବା ମାତ୍ରକେ ମୋତେ ଏହି ସବୁକିଛି ପ୍ରାୟ ପ୍ରତ୍ୟହ ନୂତନ ନୂତନ ପ୍ରତ୍ୟୟରେ ଭରି ଦେଉଥିଲେ । ଅଦୃଶ୍ୟଗୁଡ଼ାକ କ୍ରମେ ଦୃଶ୍ୟ ହେବାକୁ ଲାଗିଲା । ଏବଂ, ଗୋଟିଏ ଦରଦ ହସ୍ତ ମୋତେ ନିରନ୍ତର ନିଜର ଆହୁରି ଗଭୀରକୁ ଏବଂ ଆହୁରି ବିସ୍ତୃତି ମଧ୍ୟକୁ ଯିବାଲାଗି ଉଚ୍ଚାଟିତ କରି ରଖିଥିଲା । ପାଠାଗାରଟା ପରମବନ୍ଧୁ ହେଲା । ପାଠାଗାରକୁ ମାଧ୍ୟମ କରି ମୁଁ ଏକ ଅଭୂତପୂର୍ବ ଆତ୍ମୀୟତାର ପୃଥିବୀ ମଧ୍ୟକୁ ପ୍ରବେଶ କରିବାରେ ଲାଗିଥିଲି । ସତେଅବା ମୋ’ର କେବଳ ଶୁଭ ହିଁ ମନାସୁଥିବା କୌଣସି ଅନ୍ତରଙ୍ଗର ବରାଦ ଅନୁସାରେ ମନ୍ତୁରା ହୋଇ ବାଟ ଚାଲୁଥିଲି । ଏବେ ମଧ୍ୟ ଚିନ୍ତା କଲାବେଳକୁ ଏକାବେଳେକେ କାଲି ପରି ମନେହେଉଛି । ସେଠାରେ ସତେଅବା ମନକୁ ମନ ଆଜି ଭିତରେ ଗଣ୍ଠିମାନେ ଖୋଲି ଯିବାରେ ଲାଗିଥିଲେ । ଅସଲ ଗଣ୍ଠିଟି ପଡ଼ି ପାରିବାକୁ ହେଲେ ଏହିସବୁ ଯାବତୀୟ ଗଣ୍ଠି ଅପରିହାର୍ଯ୍ୟ ହୋଇ ରହିଥିଲା ।

 

ସେତେବେଳର ଶାନ୍ତିନିକେତନ ସେଠାରେ ଥିବା ଜଣେ ଛାତ୍ରକୁ ସବାଆଗ ସମ୍ଭବତଃ ଏହି କଥାଟି ଯୋଗାଇ ଦେଉଥିଲା । ଶିକ୍ଷକମାନେ ବନ୍ଧୁପରି, ସହଯାତ୍ରୀ ପରି ଲାଗୁଥିଲେ । ଯେଉଁ ଶିକ୍ଷକ ସତକୁ ସତ ଅଳପ ଜାଣିଥାଏ, କେବଳ ସେଇ ସତେଅବା ସବୁକିଛି ଜାଣିଛି ବୋଲି ଫୁଲେଇ ହେଉଥାଏ । ସେଠି ମୋ’ର ଶିକ୍ଷକମାନେ ଅନ୍ୟ ଏକ ଧାତୁରେ ତିଆରି ହୋଇଥିଲେ, ପାଠ ପଢ଼ାଇବା ସମୟରେ ସେମାନେ ଗୁରୁଜନ ବନି ଆଦୌ ନାତ ମାରୁନଥିଲେ । ବରଂ, କାହାରିଠାରେ ବିଶେଷ ଆଗ୍ରହ ଦେଖିଲେ ତା’ର ଅଧିକ ନିକଟବର୍ତ୍ତୀ ହେଉଥିଲେ, ତା’ ପାଇଁ ଅଧିକ ସମୟ ଦେଉଥିଲେ, ତାକୁ ନିଜ ଘରକୁ ଯାଇ ଅଧିକ ଆଲୋଚନା କରିବାଲାଗି କହୁଥିଲେ । ଇଏ ଏକ ବିଚିତ୍ର ପରିବାର, ଯେଉଁଠାରେ ଶିକ୍ଷକ ସ୍ନେହୀଜନଟିଏ ହୋଇ ତୁମର ଅତ୍ୟନ୍ତ ପାଖରେ ରହିଥାଏ, ନିଜ ଭିତରକୁ ଯିବାପାଇଁ ଡର ମାଡ଼ୁଥିଲେ ସିଏ ମଧ୍ୟ ତୁମ ସାଙ୍ଗରେ ଯିବ ବୋଲି ତା’ ଆପଣାଆଡ଼ୁ ବାହାରିପଡ଼େ । ଶିକ୍ଷକ ଏହିପରି ଭାବରେ ବନ୍ଧୁଟିଏ ହୋଇ ପାରିଲେ ଯାଇ ଛାତ୍ରଠାରୁ ସର୍ବାଧିକ ସମ୍ମାନ ଭାଜନ ହୋଇଥାଏ ।

 

ହଁ, ଶାନ୍ତିନିକେତନର ପରିବେଶ ଭିତରେ ନିଜକୁ ମଣ କରି ଆଣୁଥିବା ସଙ୍ଗେ ସଙ୍ଗେ ମୁଁ ନିଜପାଇଁ ବାଟଟିଏ ପାଇ ଯାଉଥିଲି । ବାଟଟିଏ ଯେ ପୂର୍ବରୁ ରହିଥିଲା ଓ ସେଇଟି ଉପରେ ଚାଲିବା ଲାଗି କେଉଁ ଗୁରୁଜନ ନିର୍ଦ୍ଦେଶ ଦେବାରୁ ମୁଁ ସେଇଟି ଉପରେ ଚାଲିବାକୁ ଆରମ୍ଭ କଲି, ସେକଥା ମୋଟେ ନୁହେଁ । ବାଟଟି ଥାଏ, ପୁଣି ବାଟଟିକୁ ଆବିଷ୍କାର ବି କରିବାକୁ ହୁଏ । ଜୀବନକୁ ବହୁ ଗୁଣୀଜନ ଏକ ସଂଗ୍ରାମ ବୋଲି ବର୍ଣ୍ଣନା କରିଛନ୍ତି । ସଂଗ୍ରାମ କରିବେ, ଅର୍ଥାତ୍ କାହାସହିତ ଯୁଝିବ, ପରାସ୍ତ କରିବ ଓ ଆଗକୁ ଯିବ । ନିଜ ଜୀବନରେ ମୋତେ ସେଭଳି ପ୍ରାୟ କେବେହେଲେ ସଂଗ୍ରାମ କରିବାକୁ ପଡ଼ିବନାହିଁ । ଅର୍ଥାତ୍, ସଂଗ୍ରାମ ଆଦୌ ସଂଗ୍ରାମ ପରି ଲାଗିନାହିଁ । ଏପରି ଏକ ସହଜତା ରହିଛି, ଯାହାକି ନିଜ ଭିତରେ ଆବିଷ୍କାର କରି ପାରିଲେ ସଂଗ୍ରାମ ମୋଟେ ସଂଗ୍ରାମ ପରି ଲାଗେନାହିଁ । ମୋତେ ବାହାରୁ କେହି ବାଧ୍ୟ କରୁଥିବା ପର୍ଯ୍ୟନ୍ତ ଯାବତୀୟ ବାଟ ଚାଲିବା ଅବଶ୍ୟ ସଂଗ୍ରାମ ପରି ଲାଗୁଥିବ । ଶାନ୍ତିନିକେତନରେ ମୁଁ ସେହି ସହଜତାଟିକୁ ହାସଲ କରି ପାରିଲି । ତାହାର ସବୁଯାକ ଶ୍ରେୟଃ ମୋ’ର ନୁହେଁ, ଶାନ୍ତିନିକେତନର । ଜୀବନରେ ଆଗକୁ ଆଗକୁ ବାଟ ଚାଲିବାର ସକଳ ଅବସରରେ ସେହି ସହଜତା ହିଁ ମୋ’ ସାଙ୍ଗେ ସାଙ୍ଗେ ରହିଆସିଛି । ତଦ୍ଦ୍ଵାରା ଜୀବନର ମୂଳ ଦୃଷ୍ଟିକୋଣଗୁଡ଼ିକ ମଧ୍ୟ ନିୟମତଃ ଅନ୍ୟପ୍ରକାରେ ହୋଇଯାଇଛି ।

Unknown

 

ଶାନ୍ତିନିକେତନର ପାଠାଗାରରେ ମୁଁ ଆନନ୍ଦ କୁମାରସ୍ଵାମୀଙ୍କୁ ଆବିଷ୍କାର କରିଥିଲି । ତାଙ୍କର ଲେଖାଗୁଡ଼ାକ ପାଠ କରୁଥିବା ସମୟରେ ଏକାବେଳେକେ ଅନ୍ୟପ୍ରକାର ଲାଗୁଥିଲା । ଶ୍ରୀଯୁକ୍ତ କୁମାରସ୍ଵାମୀଙ୍କର ଗବେଷଣା ଭିତରେ ଭେଜାଲ ବୋଲି କିଛି ନଥିଲା । ସଂପୃକ୍ତ ମୂଳ ଭାଷାଗୁଡ଼ିକୁ ଅଧ୍ୟୟନ କରି ସିଏ ସଂସ୍କୃତିବୋଧ ଏବଂ ସାଂସ୍କୃତିକ ବିଶ୍ଳେଷଣଗୁଡ଼ିକୁ ଏପରି ବଳଯୁକ୍ତ କରି ରଖି ପାରିଥିଲେ ଯେ ଅନ୍ୟମାନଙ୍କର ଗବେଷଣା ପାଖରେ ଅତି ସହଜରେ ବାରି ହୋଇ ପଡ଼ୁଥିଲେ । ମସ୍ତିଷ୍କକୁ ମାଧ୍ୟମ କରି ହୃଦୟଲାଗି ନିଜର ମେଦିନୀଗତ ଅନୁଭବଗୁଡ଼ିକୁ ସାଉଁଟି ଆଣିବା, କୁମାରସ୍ଵାମୀଙ୍କର ସତେଅବା ତାହାହିଁ ସର୍ବବୃହତ୍ ଅଭିପ୍ରାୟ ହୋଇ ରହିଥିଲା । କୁମାରସ୍ଵାମୀ ନଥିଲେ ଭାରତୀୟ ବିଦ୍ୟାର ଗବେଷଣା-କ୍ଷେତ୍ରଟି ପ୍ରକୃତରେ ଖୁବ୍ ଦରିଦ୍ର ହୋଇ ରହିଥାନ୍ତା । ଜଣେ ନବୀନ ହିସାବରେ ମୋ’ ଭିତରେ ଭାରତର ଯେଉଁ ରୂପଟି କ୍ରମଗଠିତ ହୋଇ ଆସୁଥିଲା, ତାହା ଆନନ୍ଦ କୁମାରସ୍ଵାମୀଙ୍କର ରଚନାସମ୍ପଦରୁ ପ୍ରକୃତରେ ବହୁତ ସାମଗ୍ରୀ ଲାଭ କରିପାରିଲା । ଭାବପ୍ରବଣତା ଖସି ପଡ଼ିଲା, ଶ୍ରଦ୍ଧା ବୃଦ୍ଧି ପାଇଲା, ଜଣେ ଭାରତୀୟ ହିସାବରେ ଭାରତବର୍ଷ ପ୍ରତି ନିଜର ଏକ ଅଙ୍ଗୀକାରବଦ୍ଧତା ଜନ୍ମଲାଭ କରିଥିଲା । ଯେତେବେଳେ ପରବର୍ତ୍ତୀ ସମୟରେ ମୁଁ ନିଜେ ଗବେଷଣା ଭିତରେ ପଶିଲି, ସେତେବେଳେ କୁମାରସ୍ଵାମୀ ହିଁ ମୋ’ ଆଗରେ ମଡ଼େଲ୍‍ଗୁଡ଼ିକୁ ଆଣି ଧରାଇ ଦେଉଥିଲେ । ଗବେଷଣାରେ ତଥ୍ୟମାନେ ଅବଶ୍ୟ ରହିବେ । ତଥାପି, ଗବେଷଣାଟି ତଥ୍ୟଘନ ହେବନାହିଁ, ବହୁ ତଥ୍ୟର ଗହନ ଭିତରେ ପଶି ପଥ ହରାଇଥିବା ପରି ଆଦୌ ଲାଗିବ ନାହିଁ । ସମସ୍ତ କାର୍ଯ୍ୟଟି ମଧ୍ୟରେ ଏକ ହୃଦୟ ଏମୁଣ୍ଡରୁ ସେମୁଣ୍ଡ ଯାଏ ରହିପାରିଲେ ଯାଇ ତାହା ହେବ । ଯାବତୀୟ ଗବେଷଣା ପାଠକକୁ ଆଦୌ କୌଣସି ନୀଳ-କୁଣ୍ଡରେ ନେଇ ପକାଇ ଦେବାର ଚକ୍ରାନ୍ତ କରିବନାହିଁ । ତାହା ତୁମକୁ ମଧ୍ୟ ଖୋଜି ଶିଖାଇବ, ତୁମ ଭିତରେ ଅଧିକ ଜିଜ୍ଞାସା ଜାଗୃତ କରି ଆଣୁଥିବ । ତୁମେ ସ୍ଵୟଂ ନିଜର ନିଷ୍ଠା ଏବଂ ଜିଜ୍ଞାସା ନେଇ ଗବେଷଣା ଭିତରେ ପ୍ରବେଶ କଲେ ଏପର୍ଯ୍ୟନ୍ତ ଅନାବିଷ୍କୃତ ହୋଇ ରହିଥିବା ବହୁ ବହୁ ରତ୍ନର ଯେ ସନ୍ଧାନ ପାଇବ, ତାହାର ପ୍ରତ୍ୟୟ ପ୍ରଦାନ କରୁଥିବ ।

 

ଏବେ ମଧ୍ୟ ଶ୍ରୀ ଆନନ୍ଦ କୁମାରସ୍ଵାମୀଙ୍କର ମୁଁ ପଢ଼ିନଥିବା କୌଣସି ବହି ପାଇଲେ ଅଜସ୍ର ଆଗ୍ରହର ସହିତ ପାଠ କରିଥାଏ । ଏପରି ଯଦି କୌଣସି ଗବେଷଣା ଭାରତୀୟ ବିଦ୍ୟାରେ ହୋଇଥାଏ, ଯାହାକି ଭାରତବର୍ଷର ବିରାଟ ଜ୍ଞାନସନ୍ଦେଶଟି ବିଷୟରେ ତୁମକୁ ପରିଚିତ କରାଇବା ସଙ୍ଗେ ସଙ୍ଗେ ତୁମେ ସେହି ଐତିହ୍ୟର ଦାୟାଦ ବୋଲି ଏକ ଗୌରବବୋଧ ଆଣି ଦେଉଥିବ ଏବଂ ଯୁଗପତ୍ ଭାବରେ ତୁମେ ନିଜେ ମଧ୍ୟ ତାହାରି ପ୍ରତିନିଧିତ୍ଵ କରୁଥିବାର ସେଇଟିଲାଗି ଦାୟୀ ହୋଇ ରହିଛି ବୋଲି ତୁମକୁ ସଚେତନ ବି କରି ଦେଉଥିବ, ତେବେ ଶ୍ରୀ କୁମାରସ୍ଵାମୀ ହିଁ ସେହି ଗବେଷଣାର ପଥ-ଉନ୍ମୋଚନ କରିଛନ୍ତି ବୋଲି କୁହାଯାଇ ପାରିବ । ସେତେବେଳର ଶାନ୍ତିନିକେତନରେ ଗବେଷକମାନେ ଏକ ଆରେକୁ ବଳି ରହିଥିଲେ । ସେମାନେ ନିଜ ନିଜର କ୍ଷେତ୍ରରେ କେତେ ନା କେତେ ପ୍ରବୀଣତା ହାସଲ କରିଥିଲେ । ତଥାପି ସେମାନେ ଭାରତବର୍ଷକୁ ଅନେକ ସ୍ଥଳରେ ପ୍ରଧାନତଃ ଏକ ଅତିରଞ୍ଜନ ଦେଇ ହିଁ ଚିହ୍ନିଥିଲେ । ଭାରତବର୍ଷ ବାହାରେ ରହିଥିବା ପୃଥିବୀଟି ବିଷୟରେ ସେମାନଙ୍କର ଅତ୍ୟଳ୍ପ ଜ୍ଞାନ ଥିଲା । ପୃଥିବୀର ପରିପ୍ରେକ୍ଷୀରେ ଭାରତବର୍ଷକୁ ତଥାପି ଅନନ୍ୟ କରି ଦେଖିବାରେ ସେମାନଙ୍କର ସେତେ ସିଦ୍ଧି ନଥିଲା । ମାତ୍ର, ଯଦି ତୁମେ ଶ୍ରୀଯୁକ୍ତ ଆନନ୍ଦ କୁମାରସ୍ଵାମୀଙ୍କୁ ଜ୍ଞାନର ଚୟନତୀର୍ଥରେ ସହଚର କରି ପାରୁଥିବ, ତେବେ ତୁମ ପାଇଁ ସେଗୁଡ଼ିକ ମୋଟେ ପ୍ରମାଦ ବା ଫାଶ ହୋଇ ଆସି ଛିଡ଼ା ହେବେନାହିଁ । ସମଗ୍ର ପୃଥିବୀକୁ ପୃଷ୍ଠଭୂମିରେ ରଖି ତୁମେ ଭାରତବର୍ଷକୁ ପ୍ରକୃତରେ ଅଧିକ ଉଜ୍ଜ୍ଵଳ କରି ଦେଖିପାରିବ । ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ପୃଥିବୀକୁ ଦେଖୁ ଦେଖୁ ନିଜର ସ୍ଥାନୀୟ ମାଟିଟାକୁ ଭୁଲିଯାଆନ୍ତି ଓ ସ୍ଥାନୀୟ ଗଡ଼ିଆଟା ଭିତରେ ପଶି ପୃଥିବୀରୂପୀ ମହାସାଗରକୁ ପାସୋରି ଆସନ୍ତି । କୁମାରସ୍ଵାମୀଙ୍କୁ ନିଜ ମାର୍ଗରେ ସହଚର କରି ପାଇଥିଲେ ସେହି ପ୍ରମାଦରୁ ରକ୍ଷା ମିଳିଥାଏ । ନିଜ ଗବେଷଣାର ଧନଗୁଡ଼ିକ ହୃଦୟର ସମ୍ପଦରେ ପରିଣତ ହୋଇଯାଏ । ଶାସ୍ତ୍ରମାନେ ଉନ୍ମୋଚକ ପରି କାର୍ଯ୍ୟ କରନ୍ତି, ଜୀବନରେ ଅଙ୍ଗୀକାରବଦ୍ଧତା ବଢ଼ି ବଢ଼ି ଯାଉଥାଏ ।

 

ଏପରି କୁହା ଯାଇଥାଏ ଯେ କବି ରବୀନ୍ଦ୍ରନାଥ ସର୍ବପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ମହାତ୍ମା ନାମରେ ସମ୍ବୋଧିତ କରିଥିଲେ ଏବଂ ମହାତ୍ମା ଗାନ୍ଧୀ ମଧ୍ୟ କବି ରବୀନ୍ଦ୍ରନାଥଙ୍କୁ ଗୁରୁଦେବ ଆଖ୍ୟା ଦେଇଥିଲେ । ଏପରି ମଧ୍ୟ କୁହାଯାଏ ଯେ, ଭାରତବର୍ଷ ସମ୍ବନ୍ଧରେ ଉଭୟ ମନୀଷୀଙ୍କର ଦୃଷ୍ଟିଭଙ୍ଗୀରେ ବହୁତ ଫରକ ରହିଥିଲା । ଦେଶରେ ସ୍ଵାଧୀନତା ଲାଗି ଏକ ଆନ୍ଦୋଳନ ହେଉଥିବା ସମୟରେ ମୁଁ ସେହି ଆନ୍ଦୋଳନର କର୍ଣ୍ଣଧାରରୂପେ ମହାତ୍ମା ଗାନ୍ଧୀଙ୍କର ପ୍ରଭାବମଣ୍ଡଳ ଭିତରକୁ ଆସିଥିଲି । କଟକ ଜେଲରେ ମହାତ୍ମା ଗାନ୍ଧୀଙ୍କ ଦ୍ଵାରା ରଚିତ କେତୋଟି ପୁସ୍ତକର ଓଡ଼ିଆ ଅନୁବାଦ କରି ପକାଇଥିଲି । କହିବା ବାହୁଲ୍ୟ, ନିଜପାଇଁ ମାର୍ଗଟିଏ ଅନ୍ଵେଷଣ କରିବାର କ୍ଷେତ୍ରରେ ମୋ’ର ଚିତ୍ତପଟରେ ସେତେବେଳେ ମହାତ୍ମା ଗାନ୍ଧୀ ହିଁ ସବାଆଗରେ ସର୍ବପ୍ରଧାନ ପ୍ରେରଣା ହୋଇ ରହିଥିଲେ । ସେହିପରି ଏକ ମନ ଏବଂ ମୂଲ୍ୟବୋଧ ନେଇ ମୁଁ ଯେତେବେଳେ ଜଣେ ଛାତ୍ରରୂପେ ଶାନ୍ତିନିକେତନରେ ପ୍ରବେଶ କଲି, ସେତେବେଳେ ନିଜ ଭିତରେ ହୁଏତ କିଞ୍ଚିତ୍ ଦ୍ଵନ୍ଦ ଉପୁଜିବାର ଆଶଙ୍କାଟିଏ ରହିବା ଏକାନ୍ତ ସ୍ଵାଭାବିକ ଥିଲା । ଶାନ୍ତିନିକେତନରେ ମୁଁ ଯେଉଁ ମେଦିନୀଟି ଭିତରେ ଆସି ପ୍ରବେଶ କଲି, ସେତେବେଳେ ଏଇଟି ମଧ୍ୟ ମୋତେ ଏକ ଅତିବିରାଟ ସଂସାର ପରି ଦେଖା ଯାଇଥିଲା । ତୁମେ ଏଥିରେ ଯେତେ ବାଟ ମନ କରିବ, ଅବାଧ ଭାବରେ ସେତେ ବାଟ ଯାଇପାରିବ ବୋଲି ଅନୁଭବ ହେଲା । ସେହି ନୂଆ ପୃଥିବୀଟି ଆରମ୍ଭରୁ ହିଁ ଖୁବ୍ ଭଲ ଲାଗିଲା । ମୁଁ ଶିଶୁଟିଏ ପରି ତା’ ଭିତରକୁ ପ୍ରବେଶ କଲି । ଶାନ୍ତିନିକେତନର ଆତ୍ମାଟି ମଧ୍ୟ ମୋତେ ଜନନୀ ସଦୃଶ ଆଦରିନେଲା । ନିଜେ ନଦୀ ବକ୍ଷରୁ ଡଙ୍ଗାଟିଏ ହୋଇପାରିଲେ ପାଲରେ ଆସି ବାଜୁଥିବା ପବନ ତୁମକୁ ଖାଲି ଆନନ୍ଦ ହିଁ ଦେବ । ଯହୁଁ ଯହୁଁ ମୁଁ ସେହି ପବନକୁ ଆମନ୍ତ୍ରଣ କରିନେବାକୁ ଲାଗିଲି, ମୋତେ ସେତିକି ସେତିକି ଲାଗିବାକୁ ଆରମ୍ଭ କଲା, ସତେଯେପରି ଏଠାରେ ମୋତେ ସମ୍ପୂର୍ଣ୍ଣ ଭାବରେ ଭଲ ଲାଗିବ, ଘରଟିଏ ଭଳି ଲାଗିବ ବୋଲି ମହାତ୍ମା ଗାନ୍ଧୀଙ୍କ ପ୍ରତି ରହିଥିବା ମୋ’ର ଅନୁରାଗ ମୋତେ ପ୍ରକୃତରେ ତିଆରି କରି ରଖିଥିଲା । ଗାନ୍ଧୀ ତୁଠରେ ଆପଣାକୁ ଗୃହୀତ ବୋଲି ଅନୁଭବ କରୁନଥିଲେ, ଶାନ୍ତିନିକେତନରେ ମୋ’ର ପାଞ୍ଚୋଟି ବର୍ଷ ଯେଉଁଭଳି କଟିଲା, ତାହା ଆଦୌ ସମ୍ଭବ ହୋଇନଥାନ୍ତା ।

 

ଶାନ୍ତିନିକେତନ ଭାରି ଭଲ ଲାଗିଲା । କାରଣ ଆପଣାର ବାଟରେ ଦଶଗୁଣ ଅଧିକ ସଂକଳ୍ପର ସହିତ ବାଟ ଚାଲିବାକୁ ତାହା ମୋତେ ସତେଅବା ମୋ’ ଭିତରୁ ହିଁ ଉଦବୋଧନଟିକୁ ତିଆରି କରି ଆଣିଥିଲା । ଶାନ୍ତିନିକେତନର ବୃକ୍ଷଲତା, ଆକାଶ, ଖୁସୀ ମଣିଷମାନଙ୍କର ମେଳ ଏବଂ ପ୍ରଧାନତଃ ଆପଣାକୁ ସତେଅବା କେଉଁଠି ନିବେଦିତ କରି ଦେବାପାଇଁ ସର୍ବଦା ପ୍ରେରଣା ଦେଇ ଯାଉଥିବା ରବୀନ୍ଦ୍ରସଙ୍ଗୀତ, —ଏମାନେ ସମସ୍ତେ ମୋତେ କାହିଁକି ଏତେ ନିବିଡ଼ ଭାବରେ ଆଦରି ନେଲେ, ଯାହା ଫଳରେ କି ନିଜକୁ ଯଥାସମ୍ଭବ ଅଧିକ ନିବିଡ଼ ଭାବରେ ସାଙ୍ଗରେ ନେଇ ସେଠାରେ ମୁଁ ନିଜର ଜୀବନଟିକୁ ବଞ୍ଚିପାରିଲି, ଗଢ଼ିପାରିଲି । ଗୋଟିଏ ପାଖରୁ ଦେଖିଲେ, ନିଜପାଖରେ ନିଜକୁ କଥାଟିର ପ୍ରାୟ ଯାବତୀୟ ଅର୍ଥରେ ନିଜର ମାଆଭଳି ମନେ ହେଲା ଏବଂ ଅପର ପାଖରୁ ନିଜକୁ ନିଜର ସନ୍ତାନଟିଏ ପରି ମନେ ହୋଇଥିଲା । ଏବଂ, ସତେଅବା ମାଆ ଆଉ ପୁଅ, —ଦୁହିଁଙ୍କର ପୁରା ରାଜିରେ ହିଁ ମୋ’ ଭିତରେ ସବୁକିଛି ମୁକୁଳିତ ହୋଇଆସିବା ପରି ଲାଗିଲା । ସେହି ପାଞ୍ଚଟା ବର୍ଷ ମୁଁ ପ୍ରାୟ ପ୍ରତ୍ୟେକ ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ଖୁସୀ ଏବଂ ସମ୍ପୂର୍ଣ୍ଣ ସ୍ଵାଧୀନତାରେ ନିଜର ଜୀବନକୁ ବଞ୍ଚୁଥିଲି । ଭିତରେ ପ୍ରକୃତରେ କ’ଣଟିଏ ତିଆରି ହେଉଛି, ସେକଥା ଜାଣିବାଲାଗି ମଧ୍ୟ ମୋ’ ପାଖରେ ବେଳ ନଥିଲା । ସତେଅବା କୌଣସି କୃଷକର କାମରେ ଲାଗିବ ବୋଲି ମୁଁ କ୍ଷେତଟିଏ ହୋଇ ତିଆରି ହେଉଥିଲି, କେହି ବାଧ୍ୟ କରୁନଥିଲେ, କେହି ବୋଲ ବତାଉନଥିଲେ କେହି ମୋତେ ଛାଞ୍ଚରେ ପକାଇବାକୁ ଚେଷ୍ଟା କରୁନଥିଲେ । ତଥାପି ମୁଁ ଯେପରି ପ୍ରତ୍ୟେକ ମୁହୂର୍ତ୍ତରେ ତିଆରି ହେବାରେ ଲାଗିଥିଲି, ଏକ ନିର୍ଦ୍ଦିଷ୍ଟ ଛାଞ୍ଚରେ ତିଆରି ହୋଇ ହୋଇ ଯାଉଥିଲି । ଆଗରୁ ମୋତେ ଅକଳ କରି ରଖିଥିବା କେତେ କେତେ ନକାରାତ୍ମକତା କେଡ଼େ ସହଜରେ ମୋତେ ଛାଡ଼ି ଚାଲି ଯାଉଥିଲା ଓ ଏଗୁଡ଼ାକୁ ଛାଡ଼ୁଛି ବୋଲି ମୁଁ ଭିତରେ ଏତେଟିକିଏ ଖେଦ ବି ଅନୁଭବ କରୁନଥିଲା ।

 

କାହାରି ଆକଟ ନଥିଲା, ମୁଁ ଉଚିତ ବାଟରେ ଯାଉଛି କି ନାହିଁ ପହରା ଦେବାକୁ ମୋ’ର ଚେତନା ଭିତରେ ଆଦୌ କେଉଁଠିହେଲେ କେହି ପ୍ରହରୀ କିମ୍ବା ପୋଲିସ୍ ନଥିଲେ । ସ୍ଵାଧୀନ ଓ ନିର୍ଭୟ ହୋଇ ଅର୍ଥାତ୍ ନିଜଉପରେ ପୂର୍ଣ୍ଣ ବିଶ୍ଵାସ ରଖି ଖୁସୀ ହୋଇ ଜଣେ ମଣିଷ ଯେଉଁଭଳି ପାଦଟିଏ ପକାଉଥିବ, ତାହା ତା’ ପାଇଁ ଅବଶ୍ୟ ଶୁଭକର ହେବ, —ଏହି ସତ୍ୟଟିକୁ ମୁଁ ଶାନ୍ତିନିକେତନରେ ଆସି ଆବିଷ୍କାର କରିଥିଲି । ଯିଏ ଭିତରେ ଅଛି, ସିଏ ହେଉଛି ସର୍ବପ୍ରଥମେ ମୋ’ର ମିତ୍ର । ତାକୁ ମୁଁ ଡରିବିନାହିଁ, ତା, ପାଖରୁ ଲୁଚିବିନାହିଁ, ତା’ ପାଖରେ ଆପେ ଧରା ଦେଉଥିବି ଏବଂ, ସିଏ ରହିଥିବା ପର୍ଯ୍ୟନ୍ତ ମୁଁ କଦାପି କେଉଁ ବିନାଶର ବାଟରେ ହୁଡ଼ି ଚାଲିଯିବ ନାହିଁ ବୋଲି ଏକ ସହଜ ପ୍ରତ୍ୟୟ ରଖିଥିବି । ଜୀବନରେ ଏତିକି ସାଧ୍ୟ କରିପାରିଲେ ଭିତର ଓ ବାହାର ଉଭୟେ କେବଳ ବନ୍ଧୁ ହୋଇ ତୁମର ପାଖେ ପାଖେ ରହିଥିବେ, ତୁମକୁ ଆଦୌ ପ୍ରତ୍ୟାଖ୍ୟାନ କରିବେନାହିଁ । ଏହି ପ୍ରତ୍ୟୟଟି ମୁଁ ଶାନ୍ତିନିକେତନକୁ ଆସି ପାଇଲି । ସେଠି ଅସୁରର ଜିଦରେ ପାଠଗୁଡ଼ାକୁ ପିଇ ଯାଉଥିଲି, ଅସମ୍ଭବ ଜିଜ୍ଞାସାରେ ବହିମାନଙ୍କୁ ପଢ଼ି ଶେଷ କରି ଦେଉଥିଲି । କୌଣସି କୋଳାହଳ କରୁନଥିଲି । ଭିତରେ ସମସ୍ତେ ଓ ସବୁକିଛି ରାଜି ହୋଇ ରହିଥିବା ପର୍ଯ୍ୟନ୍ତ ବାହାରେ ଆଦୌ କୌଣସି କୋଳାହଳ କରିବାର ଆବଶ୍ୟକତା ନଥାଏ । ପ୍ରାୟ ପ୍ରତିଦିନ ଗୋଟିଏ ଗୋଟିଏ ନୂଆ ଯଜ୍ଞୋପବୀତ ପରିଧାନ କରୁଥିବା ପରି ଅନୁଭବ ହେଉଥାଏ । ଅଥଚ, କାନ୍ଧରେ ପଇତାଟିଏ ଅଛି କି ନାହିଁ, ସେବିଷୟରେ କୌଣସି ଚିନ୍ତା ନଥାଏ । ଶାନ୍ତିନିକେତନରୁ ତୁମେ ନିଜ ଜୀବନରେ, କ’ଣସବୁ ପାଇଲ ଓ କେଉଁସବୁ ପ୍ରଭାବ ସେଠି ତୁମଉପରେ ପଡ଼ିଲା ବୋଲି ମୋତେ କେହି ପ୍ରଶ୍ନ କଲେ ହୁଏତ ମୁଁ ସେହି ପ୍ରଶ୍ନର କୌଣସି ନିର୍ଦ୍ଦିଷ୍ଟ ଉତ୍ତର ଦେଇ ପାରିବ ନାହିଁ, —ମାତ୍ର ପ୍ରଶ୍ନଟି ଶୁଣି ମୁଁ ହୁଏତ ଏପରି ମୁଗ୍ଧ ହୋଇଯିବି ଯେ, ସେହି ଆନନ୍ଦରେ ମୋ’ର ସେହି ପ୍ରଶ୍ନକର୍ତ୍ତାଙ୍କୁ ମଧ୍ୟ କୁଣ୍ଢାଇ ପକାଇବାକୁ ମନ ହେବ । ସେହି ସ୍ଥାନଟିକୁ ଆପଣା ଚିତ୍ତର ପ୍ରସନ୍ନ ବିସ୍ତାର ଦେଇ ଆବୋରି ଧରିଥିବା ସକାଳ ଓ ସନ୍ଧ୍ୟା, ସେହି ସ୍ଥାନଟିର ଆକାଶ, ଏଗୁଡ଼ିକୁ ମୁଁ ଏବେ ମଧ୍ୟ ଇଚ୍ଛା କଲା ମାତ୍ରକେ ଖୁବ୍ ଅନୁଭବ କରିପାରେ । ଅନୁଭବ କରିପାରେ, ମାତ୍ର ତାଦ୍ଦ୍ଵାରା ଆଦୌ କୌଣସି ଖେଦ ଅନୁଭବ କରେନାହିଁ ।

 

ଯାହାର ସ୍ମରଣରେ ଅନ୍ତର ଭିତରେ ଏତେ ଟିକିଏ ବି ଖେଦ ଜାତ ହୁଏ, ସେଥିରେ କେଉଁଠି ନା କେଉଁଠି ହୁଏତ ଗୋଟିଏ କ’ଣ ଖାଦ ଅବଶ୍ୟ ରହିଥାଏ । ପୁରୁଣା କଥାଗୁଡ଼ିକୁ ମନେ ପକାଇ ମଣିଷମାନେ କେଡ଼େ ଦୁଃଖୀ ହୋଇ ପଡ଼ନ୍ତି । ଭାରତବର୍ଷର ପୁରୁଣା ଅତୀତକୁ ମନେ ପକାଇ ଅନେକ କେତେ ନା କେତେ ଝୁରି ହେଉଥାନ୍ତି । ସଂସାରରୁ ବିଦାୟ ନେଇ ଯାଇଥିବା କୌଣସି ବ୍ୟକ୍ତିଙ୍କର ସ୍ମୃତିଚାରଣ କଲାବେଳେ କେହି କେହି ଆପଣାର ଖେଦଜନିତ କୋହଗୁଡ଼ାକୁ ମୋଟେ ସମ୍ଭାଳି ପାରନ୍ତିନାହିଁ । ମୁଁ ଯାହାକୁ ସ୍ମରଣ କରୁଥାଏ, କୌଣସି କାରଣରୁ ତା’ଠାରୁ ଦୂରଛଡ଼ା ହୋଇ ଚାଲି ଆସିଥାଏ ବୋଲି ତାହାର ସ୍ମରଣ ଖେଦ ଜନ୍ମାଇଥାଏ । ମାତ୍ର, ଯଦି ମୁଁ ସେଇଟିକୁ ନିଜ ଜୀବନର ଏକ ଅଂଶରେ ପରିଣତ କରିଥାଏ, ତେବେ ତାହାର ସ୍ମରଣମାତ୍ରକେ ଖେଦ ନୁହେଁ, ହୁଏତ ପୁଲକ ହିଁ ଅନୁଭୂତ ହେବା ଉଚିତ । ମୋ’ ଜୀବନରେ ଶାନ୍ତିନିକେତନ ସେହିପରି ଏକ ନିତ୍ୟପ୍ରେରଣା ହୋଇ ରହିଯାଇଛି, ମୋ’ ଭିତରେ ସତେଅବା କେତେ ନିତ୍ୟପୁଲକର କାରଣ ହୋଇଛି । ଏବେ ଶାନ୍ତିନିକେତନ ବହୁତ ବଡ଼ ହେଲାଣି, ସେଠାରେ ବହୁବିଧ ମନୁଷ୍ୟ ବହୁବିଧ ପାରଙ୍ଗମତାକୁ ସାଙ୍ଗରେ ନେଇ ଏକଜୁଟ ହେଲେଣି । କୋଳାହଳ ବଢ଼ିଲାଣି, —ଚତୁର୍ଦ୍ଦିଗରେ ଏତେଗୁଡ଼ାଏ ଗୁଳା ପଡ଼ିଗଲାଣି ଯେ, ନିଜର ସ୍ଵତନ୍ତ୍ର ବାଟଟିଏ ତିଆରି କରି ପାରିବାକୁ ନିଜପାଇଁ ସ୍ଵତନ୍ତ୍ର ଧାରାଟିଏ ଖୋଜି ପାଇବା ସେଠାରେ ହୁଏତ ଏବେ ଆଉ ଆଦୌ ସମ୍ଭବ ହେବନାହିଁ । ସେତେବେଳେ ଶାନ୍ତିନିକେତନରେ ଅଧିକାଂଶ ଜାଗା ଖୋଲା ପଡ଼ିଥିଲା, ବହୁତ ଦୂରଯାଏ ଦେଖି ହେଉଥିଲା । ବହୁତ ବାଟକୁ ଧାଇଁ ହେଉଥିଲା । ଏବେ ଶାନ୍ତିନିକେତନରେ ଖାଲି କୋଠାମାଳ ମାଳ ହୋଇଗଲାଣି । ଏତେଟିକିଏ ଖାଲି ଜାଗା ବି ଖୋଜିଲେ ମିଳିବନାହିଁ । ତଥାପି, ଏହି ଯାବତୀୟ ଗହଳି ସତ୍ତ୍ୱେ କୁଆଡ଼େ ସବୁ ଖାଲି ଖାଲି ଲାଗୁଛି, ଖାଁ ଖାଁ ଗୋଡ଼ାଉଛି । ତଥାପି ଏବେ ବି ସେଠାକୁ ଗଲେ ମୁଁ ପ୍ରଧାନତଃ କେଡ଼େ ପୁଲକିତ ହିଁ ଅନୁଭବ କରିଥାଏ ।

 

ମୋ’ରି ଭିତରେ ସମ୍ଭବତଃ ଶାନ୍ତିନିକେତନର ପୁଳାଏ ମାଟି ସେଇକାଳରୁ ପଡ଼ିଛି, ଯେଉଁଥି ସକାଶେ ଏବେ ମଧ୍ୟ ସେହିପରି ପୁଲକିତ ଲାଗେ । ସେହି ମାଟିରେ ହୁଏତ ମୁଁ କେଉଁ ମଞ୍ଜିସବୁ ପୋତିଛି କିମ୍ବା ଚାରାଗୁଡ଼ିକୁ ରୋପଣ କରିଛି, ଶାନ୍ତିନିକେତନ କେବେହେଲେ ତାହାକୁ ତଦାରଖ କରିବାକୁ ଆସିନାହିଁ । ଏବେ ମଧ୍ୟ ମୁଁ ଭାବୁଛି, ଯଦି ଶିଷ୍ୟ ହେବ ତ ଏହିଭଳି ଗୋଟିଏ ଗୁରୁର ଶିଷ୍ୟ ହେବ । ଏପରି ଗୋଟିଏ ଗୁରୁ, —ଯିଏକି କ୍ରୋଡ଼ ବିସ୍ତାର କରି ଆଶ୍ରୟ ଦେବ, ତୁମେ ଆବଶ୍ୟକ କରୁଥିବା ଯାବତୀୟ ବସ୍ତୁ ଓ ସାଧନକୁ ଆଣି ଯୋଗାଇ ଦେଉଥିବ, —ଅଥଚ କୌଣସି ଫରମାସି ଦେବନାହିଁ । ତୁମେ ଯାହାକିଛି ହେବ, ସେଇଥିରେ ଖୁସୀ ହେଉଥିବ । ଶାନ୍ତିନିକେତନ ଯେଉଁ ଶାନ୍ତି ଦିଏ, ତାହା ଶୁଆଇ ପକାଏ ନାହିଁ, ତୁମର ବେଦନା ଓ ଚେତନାଗୁଡ଼ିକୁ ଆଦୌ କୌଣସି ପ୍ରକାରେ ଗୋଦଡ଼ା କରି ଦିଏ ନାହିଁ । ସେକାଳର ଶାନ୍ତିନିକେତନ ଏବେ ବିଦ୍ୟାର ଏକ ହାଟରେ ପରିଣତ ହୋଇଆସିବା ପରେ ହୁଏତ ସେଠାରେ ମଧ୍ୟ ଶୋଇରହିଥିବା ଗୋଦଡ଼ାମାନେ ଅଧିକ ମାନ ପାଇବେ; ତଥାପି ସକଳ ତୀର୍ଥଯାତ୍ରୀଙ୍କ ନିମନ୍ତେ ଯାହା ଯାବତୀୟ ଅର୍ଥରେ ଏକ ତୀର୍ଥ ହୋଇ ହିଁ ରହିଥିବ । ଶାନ୍ତିନିକେତନ ପାଖରେ ମୁଁ ଅତ୍ୟନ୍ତ କୃତଜ୍ଞ, —ତାହାକୁ ମୁଁ ଏତେ ନିବିଡ଼ ଭାବରେ ନିଜର କରିପାରିଲି, ସେହି ମାଟିରୁ ମୁଠାଏ ନେଇ କେତେ ବିଶ୍ଵାସର ସହିତ ପୃଥିବୀର ଆହୁରି କେତେ କେତେ ଥାନରୁ ରତ୍ନ ସଂଗ୍ରହ କରି ଆଣି ପାରିବାର ହିମ୍ମତ ପାଇଲି । ନିଜ ପାଖରେ ସହଜ ହେଲି, ପୃଥିବୀପାଖରେ ନିଷ୍କପଟ ହେଲି । ସମସ୍ତେ ବନ୍ଧୁ ପରି ଦିଶିଲେ । ମୋତେ ବି କେଡ଼େ ସହଜରେ ବନ୍ଧୁ କରିନେଲେ ।

 

ସେଇ ଶାନ୍ତିନିକେତନରେ ମୋ’ର ତୃତୀୟ ବର୍ଷରେ ସ୍ପିନୋଜାଙ୍କ ସହିତ ସାକ୍ଷାତ ହେଲା-। ଜୀବନ ଓ ପୃଥିବୀ ବିଷୟରେ ମୋ’ର ପ୍ରାୟ ଯାବତୀୟ ଅବବୋଧର କ୍ଷେତ୍ରରେ ଏହି ଘଟଣାଟି ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ସ୍ପିନୋଜା ଅର୍ଥାତ୍ ବାରୁଖ୍ ସ୍ପିନୋଜା । ଷୋଡ଼ଶ ଶତାବ୍ଦୀ ଇଉରୋପର ଜଣେ ଦାର୍ଶନିକ । ପରେ ନିଜ ଇଚ୍ଛାରେ ସେ ନିଜ ନାମକୁ ବେନେଡ଼ିକ୍ଟ୍‍ ସ୍ପିନୋଜାକୁ ପରିବର୍ତ୍ତିତ କରି ଦେଇଥିଲେ । ବେନେଡ଼ିକ୍ଟ୍ ଶବ୍ଦଟିର ଅର୍ଥ ହେଉଛି Blessed, ଆଶୀର୍ବାଦ ପ୍ରାପ୍ତ-

 

ତାଙ୍କ ଜୀବନ ପରି ଏତେ ଅଧିକ ଚିତ୍ରମୟ ଜୀବନ ଏ ପୃଥିବୀରେ ଖୁବ୍ କମ୍ ଦାର୍ଶନିକଙ୍କର ରହିଛି । ସେକାଳରେ ଯାହା ଚଳଣି ଥିଲା ଓ ଏକାଳ ପର୍ଯ୍ୟନ୍ତ ମଧ୍ୟ ଯାହା ସଚରାଚର ଦେଖିବାକୁ ମିଳୁଛି, ଦାର୍ଶନିକମାନେ ପ୍ରାଚୀନ କାଳରେ ସଭାରେ ରହୁଥିଲେ ଏବଂ ପରବର୍ତ୍ତୀ ଶତାବ୍ଦୀମାନଙ୍କରେ ସେମାନେ ବିଶ୍ୱବିଦ୍ୟାଳୟରେ ରହୁଛନ୍ତି । ସେମାନେ ଦର୍ଶନର ଅଧ୍ୟାପନା କରନ୍ତି ଓ ନିଜର ଦର୍ଶନ ନାମରେ କିଛି ତତ୍ତ୍ଵର ଚର୍ଚ୍ଚା ମଧ୍ୟ କରନ୍ତି । ଖ୍ରୀଷ୍ଟିଆନ୍ ଧର୍ମର ପକ୍ଷରେ ସଂଖ୍ୟାଗରିଷ୍ଠତା ସମୟରେ ସ୍ପିନୋଜା ଇଉରୋପରେ ଇହୁଦୀ କୁଳରେ ଜନ୍ମଗ୍ରହଣ କରିଥିଲେ । ବିଦ୍ୟାଳୟ ସ୍ତରରୁ ହିଁ ସିଏ ଜଣେ ଭିନ୍ନ ପ୍ରକାରର ଛାତ୍ର ବୋଲି ଜଣାପଡ଼ି ଯାଇଥିଲେ । ଅଧୀତ ପାଠଗୁଡ଼ିକୁ ସିଏ ଭକ୍ତିଭରେ ଗିଳି ପକାଉ ନଥିଲେ, —ନିଜେ ମଧ୍ୟ ପ୍ରଶ୍ନ କରୁଥିଲେ ଓ ସଂଶୟଗୁଡ଼ିକର ଉତ୍ଥାପନ କରୁଥିଲେ । ଚବିଶି ବର୍ଷ ବୟସରେ ନିଜର ପ୍ରଥମ ପୁସ୍ତକଟି ଲେଖିଲେ ଏବଂ ନିଜର ସମାଜରୁ ବିତାଡ଼ିତ ହେଲେ । ଏପରି ଗୋଟିଏ ପୁସ୍ତକ ପ୍ରକାଶ ପାଇଲେ ସଂଖ୍ୟାଗରିଷ୍ଠ ଖ୍ରୀଷ୍ଟାବଲମ୍ବୀମାନେ କାଳେ ରୁଷ୍ଟ ହୋଇ ପଡ଼ିବେ ଏବଂ ସେଥିପାଇଁ ଇହୁଦୀମାନଙ୍କ ଉପରେ ପ୍ରତିଶୋଧ ନେବେ, ଇହୁଦୀ ଗୁରୁଜନବର୍ଗ ସେଥିପାଇଁ ଭୟଭୀତ ହୋଇ ହିଁ ସ୍ପିନୋଜାଙ୍କୁ ଜାତିରୁ ବାସନ୍ଦ କରିଥିଲେ ।

 

ସ୍ପିନୋଜା ବାସନ୍ଦକୁ ବରଣ କରିନେଲେ । ଦରିଦ୍ର ରହିଲେ । ଦାର୍ଶନିକ ହେଲେ ମଧ୍ୟ ଜଣେ ଦରିଦ୍ର ବ୍ୟକ୍ତିଙ୍କୁ କନିଆଁ ମଧ୍ୟ କିପରି ମିଳନ୍ତା ? ଗୋଟିଏ ଗାଆଁର ସାନ ବାସଗୃହଟି ମଧ୍ୟରେ ସ୍ପିନୋଜା ସାରାଜୀବନ ବାସ କରିଥିଲେ । ନିଜର ଉଦରଭରଣ ନିମନ୍ତେ ସିଏ କାଚକୁ ପଥରରେ ଘଷି ସେଥିରୁ ଚଷମା କାଚ ତିଆରି କରି ବିକ୍ରୀ ପାଇଁ ପାଖ ସହରକୁ ପଠାଉଥିଲେ ଓ ବିକ୍ରୀ ପଇସାରେ ଗୁଜୁରାଣ ମେଣ୍ଟାଉଥିଲେ । ଉଦର ପାଇଁ ଶ୍ରମ ନିମନ୍ତେ ଉଦ୍ଦିଷ୍ଟ ଏତିକି ସମୟ ବ୍ୟତୀତ ବାକୀ ସମସ୍ତ ସମୟ ଦେଇ ସେ ଦର୍ଶନର ଆଲୋଚନା କରୁଥିଲେ । ବିଚାରର ସାଗର ଭିତରେ ଜୀବନସତ୍ୟ ଏବଂ ଯଥାର୍ଥ ସୁଖର କାରଣଗୁଡ଼ିକ ବିଷୟରେ ଅନୁସନ୍ଧାନ କରୁଥିଲେ । ଏହିପରି ଭାବରେ ସ୍ପିନୋଜା ଯେଉଁ କେତୋଟି ଗ୍ରନ୍ଥର ରଚନା କରିଛନ୍ତି, ତାହାହିଁ ତାକୁ ଇଉରୋପୀୟ ଦର୍ଶନର ଗଗନରେ ଜଣେ ଉଜ୍ଜ୍ଵଳ ତାରକାରୂପେ ପ୍ରତିଷ୍ଠିତ କରି ରଖିଛି । ଶାନ୍ତିନିକେତନରେ ମୋ’ ଦର୍ଶନ ଅଧ୍ୟୟନର ଶେଷ କଦମରେ ଯେତେବେଳେ ମୋତେ ନିବନ୍ଧଟିଏ ଲେଖିବାକୁ କୁହାଗଲା, ସେତେବେଳେ ମୁଁ ସେହି ନିବନ୍ଧଟିକୁ ସ୍ପିନୋଜାଙ୍କର ଦର୍ଶନ ବିଷୟରେ ଲେଖିବି ବୋଲି ଇଚ୍ଛା କରିଥିଲି । ମୋ’ର ଅଧ୍ୟାପକମାନେ ରାଜି ହେଲେନାହିଁ । ସେମାନେ ଅନ୍ୟମାନଙ୍କ ବିଷୟରେ ମୋତେ ନିବନ୍ଧ ଲେଖିବାକୁ ପରାମର୍ଶ ଦେଲେ । ମୁଁ ରାଜି ହେଲିନାହିଁ । ଶେଷକୁ ମୋ’ରି କଥା ହିଁ ରହିଲା । ନିବନ୍ଧଟିକୁ ପ୍ରସ୍ତୁତ କରିବାର ପ୍ରକ୍ରିୟାରେ ମୁଁ ସ୍ପିନୋଜାଙ୍କ ବିଷୟରେ ଯହୁଁ ଯହୁଁ ଅଧିକ ପଢ଼ିଲି ଏବଂ ଜାଣିଲି, ମୋ’ର ନିଷ୍ପତ୍ତିଟି ମୋ’ ଲାଗି ପ୍ରକୃତରେ ସର୍ବୋତ୍ତମ ଥିଲା ବୋଲି ସେତିକି ଅଧିକ ହୃଦବୋଧ ହୋଇ ଆସୁଥିଲା । ସ୍ପିନୋଜା-ଅଧ୍ୟୟନ ଏକ ନିବିଦ୍ଧ ଲେଖିବା ନିମନ୍ତେ କେବଳ ଏକ ପ୍ରୟୋଜନ ହୋଇ ନରହି ମୋ’ ବ୍ୟକ୍ତିଗତ ଜୀବନଟି ଉପରୁ ଏକାଧିକ ଢାଙ୍କୁଣି ଖୋଲି ଦେବାର ଏକ ମିତ୍ରବତ୍ ଉପାଦାନରେ ପରିଣତ ହୋଇ ଯାଇଥିଲା । ମୁଁ ବାହାରେ ବହିପରେ ବହି ପଢ଼ି ଯାଉଥିଲି ଏବଂ ନିଜଭିତରେ କ’ଣସବୁ ହୋଇ ହୋଇ ଯାଉଥିଲି । ସତେଅବା ମୁଁ ଏହିସବୁ ବହିକୁ ପଢ଼ିବି ବୋଲି ଏମାନେ କୋଉକାଳରୁ ମୋ’ ଲାଗି ଅପେକ୍ଷା କରି ରହିଥିଲେ, ସେତେବେଳେ ସର୍ବଦା ସେହିପରି ମନେ ହେଉଥିଲା ।

 

ସ୍ପିନୋଜାଙ୍କର ଦର୍ଶନ ମଧ୍ୟଦେଇ ମୁଁ ସ୍ପିନୋଜାଙ୍କର ଜୀବନକୁ ଜାଣିଲି, ତାଙ୍କର ଜୀବନ ମଧ୍ୟଦେଇ ତାଙ୍କର ଦର୍ଶନକୁ ମଧ୍ୟ ଅଧିକ ନିବିଡ଼ ଭାବରେ ବୁଝିଲି । ଏହି ଉଭୟେ ପରସ୍ପରଠାରୁ ମୋଟେ ଅଲଗା ନଥିଲେ । ମସ୍ତିଷ୍କ ଆପଣାର ସମସ୍ତ ପ୍ରଖରତା ଏବଂ ତୀକ୍ଷ୍ମତାକୁ ପ୍ରୟୋଗ କରି ସତ୍ୟର ଦର୍ଶନାଭାସ ଲାଭ କରୁଥିଲା ଓ ତା’ ପରେ ବାଟ ଛାଡ଼ି ଦେଉଥିଲା । ମସ୍ତିଷ୍କ ହୃଦୟକୁ ବାଟ ଛାଡ଼ି ଦେଉଥିଲା । ଏବଂ, ନିଜର ଜୀବନଟିକୁ ଦୈନନ୍ଦିନ ଭାବରେ ଆପଣାର ଦର୍ଶନ ମୁତାବକ ବଞ୍ଚିବା ଦ୍ଵାରା ଦର୍ଶନ କେଡ଼େ ସହଜରେ ଏକ ଜୀବନସତ୍ୟରେ ପରିଣତ ହୋଇ ଯାଉଥିଲା । ସେହି ବ୍ୟକ୍ତି ପ୍ରକୃତରେ ଭାରି ଭାଗ୍ୟବାନ୍, ଯାହାର ଅଧ୍ୟୟନ ତା’ ଜୀବନରେ ଏକ ଅନୁରୂପ ସଙ୍କଳନ ଆଣି ଦେଇପାରୁଛି । ସେହି ବ୍ୟକ୍ତି ପ୍ରକୃତରେ ଜଣେ ସୁଖୀ ବ୍ୟକ୍ତି । ଦରିଦ୍ର ହେଲେ ମଧ୍ୟ ସୁଖୀ । ଯେଉଁ ବ୍ୟକ୍ତି ନିଜ ଜୀବନରେ ଉପଲବ୍ଧ ସତ୍ୟଜ୍ଞାନଗୁଡ଼ିକୁ ବଞ୍ଚିପାରୁଛି, ସିଏ ବରଂ ଦରିଦ୍ର ହୋଇ ରହିବ, କିନ୍ତୁ ଆପଣାକୁ ସେହି ଆନନ୍ଦରୁ ବଞ୍ଚିତକରି ରଖିବାକୁ କଦାପି ମନ କରିବନାହିଁ । ଦର୍ଶନଚର୍ଚ୍ଚାର ମହଲରେ ସ୍ପିନୋଜା ଯେତେବେଳେ କ୍ରମେ ସୁପରିଚିତ ହେବାକୁ ଲାଗିଲେ ସେତେବେଳେ ଜର୍ମାନୀର ସୁଖ୍ୟାତ ହାଇଡ଼େଲବର୍ଗ ବିଶ୍ୱବିଦ୍ୟାଳୟରୁ ତାଙ୍କୁ ଅଧ୍ୟାପନାର ଥାନଟିଏ ଯଚାଗଲା । ସେଥିରେ ଯୋଗ ଦେଇଥିଲେ ସ୍ପିନୋଜା ବିଦ୍ଵାନମାନଙ୍କର ସଭାରେ ଅଧିକ ସ୍ଵୀକୃତି ଲାଭ କରିଥାନ୍ତେ ଏବଂ ତେଣେ ତାଙ୍କର ଆର୍ଥିକ ଦାରିଦ୍ର୍ୟ ମଧ୍ୟ ଦୂର ହୋଇ ପାରିଥାନ୍ତା । ସ୍ପିନୋଜା ରାଜି ହେଲେନାହିଁ । ଏକ ବିଶ୍ୱବିଦ୍ୟାଳୟର ନାନା ମଣ୍ଡନଯୁକ୍ତ ପରିବେଶ ଅପେକ୍ଷା ତାଙ୍କର ଏହି ସ୍ଵନିର୍ବାଚିତ ଗ୍ରାମୀଣ ସାନ ପୃଥିବୀଟା ଯେ ଯେକୌଣସି ଦାର୍ଶନିକ ଅନୁରାଗ ଏବଂ ଅନୁଶୀଳନ ନିମନ୍ତେ, ଅଧିକ ଉପଯୁକ୍ତ, ସିଏ ସେହିଭଳି ବିଚାର କରି ହାଇଡ଼େଲବର୍ଗ ଗଲେନାହିଁ । ଆଉଥରେ, ତାଙ୍କ ହଲାଣ୍ଡ୍ ଦେଶର ଜଣେ ଧନାଢ଼୍ୟ ସାମନ୍ତ ସ୍ପିନୋଜା ତାଙ୍କ ନାମରେ ନିଜର କୌଣସି ପୁସ୍ତକକୁ ଉତ୍ସର୍ଗ କଲେ ସେ ବଞ୍ଚିଥିବାଯାଏ ତାଙ୍କର ଉତ୍ତମ ଗ୍ରାସାଚ୍ଛାଦନର ବ୍ୟବସ୍ଥା ହୋଇଯିବ ବୋଲି ଥରେ ପ୍ରଲୋଭନ ବି ଦେଖାଇଥିଲେ । ସ୍ପିନୋଜା ସେଥିରେ ମଧ୍ୟ ରାଜି ହୋଇନଥିଲେ । ସାମନ୍ତବାଦୀ ତତ୍କାଳୀନ ଇଉରୋପରେ ସ୍ପିନୋଜା ଯେଉଁ ବିରଳ ଆଗ୍ରହର ଦୃଷ୍ଟାନ୍ତ ଦେଖାଇ ଦର୍ଶନର କ୍ଷେତ୍ରରେ ପ୍ରାୟ ଅନନ୍ୟ ହୋଇ ରହିଲେ, ମୋତେ ତାହାହିଁ ସବୁଠାରୁ ଅଧିକ ଆକୃଷ୍ଟ କରିଥିଲା ।

 

ମଣିଷର ବିବେକ ଓ ମଣିଷର ବିଦ୍ୟାର୍ଜନ ଭିତରେ ଯୁଗେ ଯୁଗେ କେତେ ଫରକ ରହିଆସିଛି । ପ୍ରଧାନତଃ ଚିତ୍ତବିନୋଦନ ପାଇଁ, କେତେକ ଲୋକଙ୍କର ଚିତ୍ତବିନୋଦନ ନିମନ୍ତେ ପୃଥିବୀରେ ଦର୍ଶନ ନାମକ ଏକ ବିଳାସ କରାଯାଉଛି ବୋଲି ସନ୍ଦେହ କରିବାଲାଗି ମଧ୍ୟ ଜଣେ ପ୍ରତ୍ୟାଖ୍ୟାନବାଦୀ ପାଖରେ ସର୍ବଦା ଅନେକ କାରଣ ରହିଆସିଛି । ଦର୍ଶନ ଶାସ୍ତ୍ର ଭିତରେ ରହିଛି ଏବଂ ଜୀବନକୁ ଆଉଗୋଟାଏ ମାର୍ଗରେ ବଞ୍ଚାଯାଉଛି । ଜୀବନ ସକାଶେ ସତେଅବା ମଣିଷର ଆୟତ୍ତ ପାଉନାହିଁ । ସେହି ଲଜ୍ଜାର ବିଷୟଟିକୁ ପାସୋରି ରହିବ ବୋଲି କ’ଣ ମଣିଷମାନେ ବେଳେ ବେଳେ କ’ଣ ଭାବି ଦର୍ଶନାଲୋଚନା ଆଡ଼େ ମନ ଦେଉଛନ୍ତି କି ? ସତେଅବା ଜଣେ ସ୍ପିନୋଜାଙ୍କର ଜୀବନରେ ସେହି ନିନ୍ଦାକଥାଟିର ଏକ ବ୍ୟତିକ୍ରମ ଦେଖିବାକୁ ମିଳେ । ସ୍ପିନୋଜାଙ୍କ ଜୀବନର ତଥା ଦର୍ଶନର ସେହି କଥାଟି ମୋତେ ପ୍ରକୃତରେ ସବୁଠାରୁ ଅଧିକ ଆଚମ୍ବିତ କରିଥିଲା । ଭାରି ଭଲ ଭାବରେ ବୁଝି ହେଉଛି ଯେ ଇଉରୋପୀୟ ଦର୍ଶନର ଧାରାରେ ସ୍ପିନୋଜା ସତେଅବା ଏକା ଏକା ରହି ଯାଇଛନ୍ତି । ସମସାମୟିକ ଦାର୍ଶନିକ ମାନଙ୍କୁ ସେ ଖୁବ୍ କମ୍ ପ୍ରଭାବିତ କରିଛନ୍ତି । ମାତ୍ର କବି ଓ ବୈଜ୍ଞାନିକମାନେ ତାଙ୍କଦ୍ଵାରା ପ୍ରଭୂତ ଭାବରେ ପ୍ରଭାବିତ ହୋଇଛନ୍ତି । ସ୍ପିନୋଜାଙ୍କର ମେଦିନୀ—ବିଶ୍ଳେଷଣରେ ଆଧୁନିକ ଜୀବନଭାବନା ନୂଆ ନୂଆ ବ୍ୟଞ୍ଜନା ଆବିଷ୍କାର କରିବାରେ ଲାଗିଛି ।

 

ଗୋଟିଏ ବ୍ୟକ୍ତିଗତ ଚିଠିରେ ସ୍ପିନୋଜା ଠାରେ ଲେଖିଥିଲେ; non ridere, non lugere, neque derestari, sed intelligere– କୋପ କରନାହିଁ, ହାହାକାର ବି କରନାହିଁ, ନିନ୍ଦୁକ ହୁଅନାହିଁ ବା ଗାଳି ଦିଅନାହିଁ,— ମାତ୍ର ବୁଝିବାକୁ ପ୍ରୟାସୀ ହୁଅ । ପୁଣ୍ୟବାନ୍ ମାନଙ୍କୁ ପୁରସ୍କାର ଦେଇ ଆସିଥିବା ଧର୍ମ ଏବଂ ଧର୍ମରୁ ପ୍ରସୂତ ନୈତିକତା ମଣିଷ ଉପରେ କୋପ କରିଛି, ଦୁର୍ବଳ ଓ ଅସମର୍ଥକୁ ଗାଳି ଦେଇଛି, ସେମାନଙ୍କୁ ସେମାନଙ୍କର ଦୁଷ୍ଟ ଏବଂ କ୍ରୂର ଭାଗ୍ୟ ଭିତରେ ଭର୍ତ୍ସିତ କରି ରଖିଛି । ପରିବେଶ ଭିତରେ ସେମାନଙ୍କୁ ପ୍ରାୟ କାମୁଡ଼ି ଧରିଥିବା ନାନା ମନ୍ଦ ଓ ପ୍ରତିକୂଳତା ଦ୍ଵାରା ପେଷି ହୋଇ ମଣିଷମାନେ ପ୍ରଧାନତଃ ରୋଦନ କରି ଆସିଛନ୍ତି;– ସ୍ପିନୋଜା ଆମକୁ ବୁଝିବାଲାଗି ଆହ୍ଵାନ ଦେଇଛନ୍ତି । ଅନ୍ତରଙ୍ଗ ଭାବରେ ଜାଣିବା, ତାହାହିଁ ବୁଝିବା । ଏକାତ୍ମ ହୋଇ ଜାଣିବା, —ତାହାହିଁ ପ୍ରଜ୍ଞା । ସମଗ୍ର ଭାବରେ, ବିଶ୍ଵମୟ ପରିପ୍ରେକ୍ଷୀରେ ବୁଝିବାକୁ ହିଁ ସ୍ପିନୋଜା ବୁଦ୍ଧିସମାର୍ଜିତ ହୋଇ ଭଗବାନଙ୍କୁ ଭଲ ପାଇବା ବୋଲି କହିଛନ୍ତି । ଏହା ଆମ ଧାର୍ମିକ ଏବଂ ସାମାଜିକ ପାରମ୍ପରିକ ଦୃଷ୍ଟିଠାରୁ ଭାରି ଅଲଗା କିସମର । ଅଧିକରୁ ଅଧିକ ବୁଝି ପାରୁଥିଲେ ତୁମେ ବୁଝଥିବା ବସ୍ତୁ ଅଥବା ବୁଝୁଥିବା ବ୍ୟକ୍ତିଟିକୁ କ୍ରମେ ଭଲ ପାଇବାକୁ ଆରମ୍ଭ କରିବ । ତୁମେ ସିନା ତାକୁ ବଦଳାଇ ଦେଇ ପାରିବ, ମାତ୍ର ତା’ ପାଇଁ କୋପ ବା ହାହାକାର କାହିଁକି କରିବାକୁ ମନ କରିବ ? ଆଧୁନିକ ବିଜ୍ଞାନର ଉନ୍ମେଷ ସେଇଠି, ଆଧୁନିକ ମନୋବିଜ୍ଞାନର ମଧ୍ୟ ସେଇଟି ସର୍ବମୂଳ ଦୃଷ୍ଟି । କେତେ ବେଶୀ ସହାନୁଭାବଶକ୍ତି–ରହିଥିଲେ ଜଣେ ମଣିଷ ଏପରି କହିପାରିବ ଓ ଏହିପରି ବଞ୍ଚିପାରିବ, ତାହାର ଅନୁମାନ କରିପାରିଲେ ହୁଏତ ଆମେ ସ୍ପିନୋଜାଙ୍କୁ ଆମ ନିଜ ବାଟରେ ମଧ୍ୟ ଜଣେ ସାଥୀ ପରି ଅନୁଭବ କରିପାରିବା । ମୁଁ ଜୀବନରେ ଯେତିକି ଯେତିକି ପାକଳ ହେଉଛି, ବେନେଡ଼ିକ୍ଟ ସ୍ପିନୋଜାଙ୍କୁ ହୁଏତ ସେତିକି ସେତିକି ଅଧିକ ପ୍ରାଞ୍ଜଳ ଭାବରେ ବୁଝିବାକୁ ସମର୍ଥ ହେଉଛି । ଶାନ୍ତିନିକେତନ ପରେ ଇଉରୋପରେ ମୁଁ ଯେ ଦର୍ଶନଶାସ୍ତ୍ର ନପଢ଼ି ମନୋବିଜ୍ଞାନ ପଢ଼ିବା ଆଡ଼କୁ ଢଳି ପଡ଼ିଲି, ତାହା ପଛରେ ମୋ’ର ସ୍ପିନୋଜା—ଅଧ୍ୟୟନ ଅବଶ୍ୟ ଏକ କାରଣ ହୋଇ ରହିଥିଲା । ତଟସ୍ଥତା ନାଆଁରେ ଦର୍ଶନ ବେଳେ ବେଳେ ମଣିଷମାନଙ୍କ ବିଷୟରେ ଅତ୍ୟନ୍ତ ଉଦାସୀନ ରହିଆସିଛି । ପ୍ରତ୍ୟେକ ଧର୍ମରେ ପୁଣ୍ୟ ତୁଳନାରେ ପାପ ବିଷୟରେ ଯେପରି ହୁଏତ ଦଶଗୁଣ ଅଧିକ ଚର୍ଚ୍ଚା କରାଯାଇଛି ସେଇଥିରୁ ଧର୍ମ ଯେ ମଣିଷକୁ ନବୁଝି ତାକୁ ବାଧ୍ୟ କରି ରଖିବାକୁ ଚେଷ୍ଟା କରିଆସିଛି, ପୃଥିବୀଯାକ ଇତିହାସ ସେହି କଥାଟିର ସାକ୍ଷୀ ହୋଇ ରହିଛି । ବୁଝିବା ହେଉଛି ମଣିଷ ହିସାବରେ ଆମ ଲାଗି ଏକ ତୃତୀୟ ମାର୍ଗ,–ଏକ ବିକଳ୍ପ ମାର୍ଗ । ଏକ ଘୃଣାମୁକ୍ତ ମାର୍ଗ । ସାରା ପୃଥିବୀର ଅନୁରାଗ ସତେଅବା ସେହି ମାର୍ଗଟିକୁ ଗ୍ରହଣ କରିବା ନିମନ୍ତେ ନିଜକୁ ତାଲୀମ୍ ଦେବାରେ ଲାଗିଛି । ତେଣୁ କ୍ରମେ କ୍ରମେ ଆମ ଜ୍ଞାନାଗ୍ରହର ପରିସର ମଧ୍ୟ ବଦଳି ଯାଉଛି । ପ୍ରଥମର ପରିଭାଷାଟି ଅନୁସାରେ ଜ୍ଞାନକୁ ଏକ ଶକ୍ତି ବା ବଳ ବୋଲି କୁହା ଯାଉଥିଲା, ଯାହାର ଅଧିକାରୀ ହୋଇ ତୁମେ ପୃଥିବୀକୁ ଭୋଗ କରିପାରିବ, ପୃଥିବୀ ଉପରେ ଶାସନ କରିପାରିବ । ସ୍ପିନୋଜାଙ୍କର ପରିଭାଷାରେ ଜ୍ଞାନ ହେଉଛି ଏକ ଅନ୍ତରଙ୍ଗ ଭାବରେ ବୁଝିବା ଯାହାର ଯୋଗ୍ୟ ହେଲେ ତୁମେ ପୃଥିବୀକୁ ଭଲ ହିଁ ପାଇବ ।

 

ଆତ୍ମଜିଜ୍ଞାସାର ଯାତ୍ରାରେ ବେନେଡ଼ିକ୍ଟ ସ୍ପିନୋଜାଙ୍କୁ ଭେଟି ମୋତେ ଯେଉଁ ଡଙ୍ଗାଟି ମିଳି ଯାଇଥିଲା, ସେଥିରେ ମୁଁ ଆପଣାକୁ ସାଙ୍ଗରେ ନେଇ କେତେ ନା କେତେ ବାଟଯାଏ ଚାଲିଯାଇ ପାରିଥିଲି । ନିଜ ଭିତରେ ଯେତିକି ମଣ ଓ ଯୋଗ୍ୟ ହେଉଥିଲି, ସତେଅବା ସେତିକି ଅଧିକ ଅନ୍ତରଙ୍ଗତା ସହିତ ମୁଁ ସ୍ପିନୋଜାଙ୍କୁ ମଧ୍ୟ ବୁଝି ପାରୁଥିଲି । ନିଜେ ଯେତିକି ସମ୍ମତ ହେବ, ନିଜର ଦୁଆରଟିକୁ ତୁମେ ଯେତିକି ଖୋଲିପାରିବ, ସତ୍ୟକୁ ତୁମେ କେବଳ ସେତିକି ଅଧିକ ବ୍ୟାପ୍ତ ଏବଂ ପ୍ରସାରଯୁକ୍ତ ଭାବରେ ବୁଝିବାକୁ ଯେ ସମର୍ଥ ହେବ, ସେହି ଗୁମରଟି ମୁଁ କ୍ରମଶଃ ହୃଦୟଙ୍ଗମ କରି ପାରୁଥିଲି । ଆଉଥରେ କହିବି ଏକ ପରବର୍ତ୍ତୀ କାଳରେ ଇଉରୋପ ଯାଇ ମୁଁ ଯେ ଦର୍ଶନଶାସ୍ତ୍ର ବଦଳରେ ମନୋବିଜ୍ଞାନ ଅଧ୍ୟୟନ କରିଥିଲି, ସ୍ପିନୋଜାଙ୍କର ଜଗତ୍‍ନିରୀକ୍ଷା ସହିତ ମୋ’ର ପରିଚିତିକୁ ମଧ୍ୟ ସେଥିପାଇଁ ଅବଶ୍ୟ ଶ୍ରେୟ ଦେବାକୁ ପଡ଼ିବ । ଏକ ବୌଦ୍ଧିକ ବିନୋଦନ ପାଇଁ ଦର୍ଶନ ପଢ଼ିବା ଏବଂ ଜୀବନଟିଏ ବଞ୍ଚିବାପାଇଁ ଦର୍ଶନ ଭିତରେ ଅବଗାହିବା, —ଏହି ଦୁଇଟି ମଧ୍ୟରେ ସର୍ବଦା ରହି ଆସିଥିବା ଫରକଟିକୁ ମୁଁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ବୁଝିବାକୁ ଆରମ୍ଭ କଲି । ବହିମାନେ ଅବଶ୍ୟ ସାଙ୍ଗ ହୋଇ ରହିଲେ, ମାତ୍ର ବହି ଅଧ୍ୟୟନକୁ ହିଁ ମୋ’ ଜୀବନର ସବାବଡ଼ ଧନ୍ଦା ବୋଲି ଗ୍ରହଣ କରୁଥିବା ସେହି ଅନ୍ୟ ଦୃଷ୍ଟିଟି ମୋ’ ଜୀବନରେ ଗୌଣ ହୋଇ ଆସିଥିଲା । ହୁଏତ ପୂର୍ବାପେକ୍ଷା ମୁଁ ଅଧିକ ବହି ପଢ଼ିଲି, ସେଗୁଡ଼ିକୁ ଅଧିକ ମନୋଯୋଗ ଏବଂ ଅଙ୍ଗକାର ସହିତ ଅଧ୍ୟୟନ କଲି, ମାତ୍ର ସେମାନେ ମୋତେ ଆଉ କୌଣସି ପ୍ରକାରେ ଫାଶ ପକାଇ ବାନ୍ଧି ରଖି ପାରିଲେ ନାହିଁ । ଖାଲି ପଣ୍ଡିତଟିଏ ହେବା ଆଉ ସେତେ ଭଲ ଲାଗିଲାନାହିଁ । ଜୀବନର ଅସଲ ଲକ୍ଷ୍ୟ ସାଧନଟିର ମାର୍ଗରେ ଜ୍ଞାନ, ଭକ୍ତି ଏବଂ କର୍ମ ଏହି ସମସ୍ତେ ଗୋଟିଏ ଗୋଟିଏ ସାଧନ କେହି ଚରମ ସାଧ୍ୟ ନୁହନ୍ତି । ଚରମ ସାଧ୍ୟ ହେଉଛି ଜୀବନଟିକୁ ବଞ୍ଚିବା, ଆପଣାର ସତ୍ୟପ୍ରତ୍ୟୟଗୁଡ଼ିକୁ ସତକୁ ସତ ଅଙ୍ଗେ ନିଭାଇବା ଏବଂ ସେହି ଅଙ୍ଗେ ନିଭାଇବାକୁ ସମ୍ବଳ କରି ପୃଥିବୀରେ ସବୁ ଥାନରେ ଅନ୍ତରଙ୍ଗତା ସହିତ ବାନ୍ଧି ହୋଇ ରହିବା । ତୁଚ୍ଛା ପଣ୍ଡିତମାନେ ସଚରାଚର ଗୋଟିଏ ପ୍ରକାରର ମସ୍ତିଷ୍କମୋହ ଭିତରେ ବାନ୍ଧି ହୋଇ ରହିଥାନ୍ତି । ସେମାନେ ପୃଥିବୀଟାକୁ ସତେଅବା ମୁଖସ୍ଥ କରି ରଖିଥାନ୍ତି, —ତଥାପି ଅସଲ ଥାନ ଗୁଡ଼ିକରେ ଭାରି ଅସମ୍ମତ ହୋଇ ରହିଥାନ୍ତି ।

 

ଜୀବନ ଏହିପରି ଭାବରେ ପରିଛନ୍ନ ହେବାରେ ଲାଗିଥାଏ । ଜୀବନଯାକ ମୁଁ ଯେତେ ପରିଷ୍କୃତ ଦେଖା ନଯିବାର ଚେଷ୍ଟା କରିଛି, ପରିଚ୍ଛନ୍ନ ରହିବା ହିଁ ମୋ’ ପାଇଁ ତା’ ଠାରୁ ଏକ ଅଧିକ ଉପକୃତକାରୀ କାର୍ଯ୍ୟରେ ପରିଣତ ହୋଇ ରହିଛି । ନିଜକୁ ମିତ୍ରପରି ଦେଖିବା, ମିତ୍ରଟିଏ ହୋଇ ନିଜର ସମୀକ୍ଷା କରିପାରିବା, —ଏହି କଥାଟି ହିଁ କ୍ରମେ ଅଧିକରୁ ଅଧିକ ଭଲ ଲାଗିଛି । ଏବଂ ଏହିପରି ଭାବରେ ଅନ୍ୟକୁ ସମୀକ୍ଷା କରିବାର ଆଖିଟି ମଧ୍ୟ ବଦଳି ବଦଳି ଯାଇଛି । ସ୍ପିନୋଜାଙ୍କର ସଖ୍ୟପାଇଥିବା କାରଣରୁ ହିଁ ସମ୍ଭବତଃ ଜୀବନ ମୋତେ ସବୁବେଳେ ଭଲ ହିଁ ଲାଗିଛି ଏବଂ ଅନ୍ୟମାନେ ବି ଭଲ ଲାଗିଛନ୍ତି । ଔଚିତ୍ୟ ଅପେକ୍ଷା ବୈଚିତ୍ର୍ୟ ହିଁ ସତେଅବା ଅଧିକ କାମ୍ୟ ପରି ଲାଗିଛି । ଅନେକ ମଣିଷ କେଜାଣି କାହିଁକି ଜୀବନସାର ରୂପେ ଗ୍ରହଣ କରିଥିବା ଏକ ରଙ୍ଗକାଚ ସାହାଯ୍ୟରେ ହିଁ ନିଜକୁ ତଥା ପୃଥିବୀକୁ ଦେଖୁଥାନ୍ତି । ଯାହା ଦେଖନ୍ତି, ତାହାକୁ ହିଁ ସେମାନେ ଠିକ୍ ବୋଲି କହନ୍ତି । ଠିକରେ ଅଛନ୍ତି ବୋଲି ଭାବି ଭାରି ଆଶ୍ଵସ୍ତ ହୁଅନ୍ତି । ଟିକିଏ ବ୍ୟତିକ୍ରମ ଦେଖିଲେ ବଡ଼ ଅଡ଼ୁଆରେ ଯାଇ ପଡ଼ନ୍ତି । ସମାଧାନ ବାହାର କରିପାରନ୍ତି ନାହିଁ । ଜୀବନରେ ଭେଟିଥିବା କେତେ କେତେ ମଣିଷ ମୋତେ ସେହିଭଳି ଗୋଟାଏ ବା ଆଉଗୋଟାଏ କିସମର ରଙ୍ଗକାଚ ଧରାଇ ଦେବାକୁ ଉଦ୍ୟମ କରିଛନ୍ତି ଏବଂ ମୋ’ର ଭାଗ୍ୟ ଯେ, ସେମାନେ ମୋତେ ଆକଟ ଭିତରେ ରଖି ପାରିନାହାନ୍ତି । ପୃଥିବୀରେ ବହୁ ପଥ, ବହୁ ପଦ୍ଧତି, ବହୁ ପ୍ରକାରର ଆଖି । ସେହି ବହୁତା ମଧ୍ୟରେ ତୁମର ମଧ୍ୟ ଅବଶ୍ୟ ଏକ ପଥ ରହିଥିବ, ଏକ ପଦ୍ଧତି ରହିଥିବ ଓ ଏକ ନିର୍ଦ୍ଦିଷ୍ଟ ଆଖି ରଖିଥିବ । ତେଣୁ, ତୁମେ ଅନ୍ତତଃ ସଭ୍ୟତା ଦୃଷ୍ଟିରୁ ନିକଟକୁ ଠିକ୍ ବୋଲି କହି ଆଉଗୁଡ଼ିକୁ ଭୁଲ ବୋଲି କହିବାକୁ ମନ କରିବନାହିଁ ।

 

ଆପଣାର ରଙ୍ଗକାଚଗୁଡ଼ିକୁ ବରିଷ୍ଠ ଜନମାନେ ବହିରୁ ସଂଗ୍ରହ କରି ଆଣିଥାନ୍ତି । ମୁଁ ତ ସେହି ମଣିଷଟିକୁ ବୀର ବୋଲି କହିବ, ଯିଏକି ଆପଣାର ପଥଟିଏ ରହିଥିଲେ ମଧ୍ୟ ଅନ୍ୟାନ୍ୟ ପଥଗୁଡ଼ିକୁ ମଧ୍ୟ ଅନୁରାଗର ସହଜ ଦେଖି ପାରୁଥାଏ । ସତେଅବା ଅନ୍ୟ ସବୁଯାକ ପଥର ଆଶୀର୍ବାଦ ଏବଂ ଅନୁମୋଦନ ଲାଭ କରି ହିଁ ସିଏ ଆପଣାର ପଥଟି ଉପରେ ଯିବାର ଲାଗିଥାଏ । କାହାରିକୁ ଈର୍ଷା କରେନାହିଁ, ନିଜକୁ ବି ନୁହେଁ । ମନୋବିଜ୍ଞାନ, ସମାଜବିଜ୍ଞାନ, ନୃତତ୍ତ୍ଵବିଜ୍ଞାନ,—ଏସବୁ ମୂଳତଃ ଜୀବନର ଏହି ସବାନିମ୍ନ ଅର୍ଥାତ୍ ସବାନିକଟ ଭୂମିଟିର ଅଧ୍ୟୟନ, ଏକାବେଳେକେ ଅତ୍ୟନ୍ତ ଅନୁରାଗନିଷ୍ଠ ଭାବରେ ମନୁଷ୍ୟର ଅଧ୍ୟୟନ । ମନୁଷ୍ୟ ହିଁ କେନ୍ଦ୍ର । ମନୁଷ୍ୟ କେନ୍ଦ୍ରରେ ରହିଥିଲେ ତୁମେ ଅଧ୍ୟୟନ କରୁଥିବା ବହିମାନେ ତୁମକୁ କେବେହେଲେ ଧୋକା ଦେଇ ପାରିବେନାହିଁ, ତୁମେ ପୃଥିବୀର ସବୁଯାକ ପଇତାକୁ କାନ୍ଧରେ ପକାଇଥିଲେ ମଧ୍ୟ କୌଣସିଟି ତୁମକୁ କେବଳ ତାହାରି ଆବେଶଟି ମଧ୍ୟରେ ଅବଶ କରି ରଖି ପାରିବେନାହିଁ । ମଣିଷକୁ ସମ୍ପୂର୍ଣ୍ଣ ଭାବରେ ଦେଖିବାପାଇଁ ଦର୍ଶନ, ଧର୍ମ ଓ ସେହି କାଟର ଅନ୍ୟ ଆଗ୍ରହଗୁଡ଼ିକ ତୁମକୁ ହୁଏତ ଏକ ଅବାଶ ଯୋଗାଇଦେଇ ପାରିବେ; ମାତ୍ର ଯେଉଁ ଭୂଇଁଟି ମଜବୁତ ରହିଥିଲେ ହିଁ ସୁସ୍ଥ ଭାବରେ ଆକାଶକୁ ଦେଖି ହୁଏ, ସେହି ଭୂଇଁକୁ ତା’ର ସକଳ ବୈଚିତ୍ର୍ୟ ଦେଇ ଚିହ୍ନିଲେ ଯାଇ ବଞ୍ଚୁଥିବାର ଆବେଦନଗୁଡ଼ିକ ମଧ୍ୟରେ ସତକୁ ସତ ପ୍ରବେଶ କରିହୁଏ ।

 

ଶାନ୍ତିନିକେତନରେ ମୋ’ର ଚତୁର୍ଥ ବର୍ଷରେ ମୁଁ ସଦ୍ୟ ଆରମ୍ଭ କରାଯାଇଥିବା ଓଡ଼ିଆ ବିଭାଗରେ ଗବେଷଣାରେ ଯୋଗ ଦେଲି । ଏବଂ, ଗବେଷଣାର କ୍ଷେତ୍ରରୂପେ ଓଡ଼ିଆ ସାହିତ୍ୟରେ ମୁଁ ଯେଉଁମାନଙ୍କର ଯୁଗଟିକୁ ବାଛିଲି, ସେମାନେ ସତେଅବା ଏକ ବିଚିତ୍ର ବ୍ୟଞ୍ଜନାରେ ମୋ’ ସମ୍ମୁଖରେ ଆସି ଆବିର୍ଭୂତ ହୋଇଥିଲେ । ଓଡ଼ିଆ ସାହିତ୍ୟରେ ଷୋଡ଼ଶ ଶତାବ୍ଦୀରେ ପଞ୍ଚସଖା ପ୍ରଜ୍ଞାକୁ ସତେଅବା ଜୀବନର ନିମ୍ନତମ ଭୂଇଁଯାଏ ଅବତରଣ କରାଇ ଆଣିଥିଲେ । ସାହିତ୍ୟକୁ ରାଜାମାନଙ୍କର ଉପଦ୍ରବରୁ ମୁକ୍ତ କଲେ । ସେମାନେ ଏଭଳି ଗୋଟିଏ ଭାଷାରେ ନିଜର ପୋଥିଗୁଡ଼ିକ ଲେଖିଲେ ଯେ, ତାହା ପଣ୍ଡିତମାନଙ୍କ ପାଖରେ ସତେଅବା ବାସନ୍ଦ ହୋଇ ରହିଥିଲା ଏବଂ ତେଣୁ ସମ୍ଭବତଃ ସେହି ଅନୁକୂଳତା ଲାଭ କରି ତାହା ଲୋକମାନଙ୍କ ଜୀବନର ଅତ୍ୟନ୍ତ ନିକଟ ହୋଇ ରହିଥିଲା । ଯାହାକୁ ଏକାଧିକ ଯୁକ୍ତି ଦର୍ଶାଇ ଅବିମିଶ୍ରିତ ସାହିତ୍ୟ ବୋଲି କୁହାଯାଇଥାଏ, ମୁଁ ସେହି ସାହିତ୍ୟ ଭିତରେ କେବେହେଲେ ରହିନାହିଁ । ସାହିତ୍ୟକୁ ଗୋଟିଏ ସ୍ଵତନ୍ତ୍ର ବିଷୟରୂପେ କେବେ ଅଧ୍ୟୟନ କରିନାହିଁ । ସାହିତ୍ୟ କ୍ରମେ ଭଲ ଲାଗିଲା, କାରଣ ତାହା ବେଳେ ବେଳେ ମନୁଷ୍ୟପାଖରୁ ପଳାଇ ନଯାଇ ମନୁଷ୍ୟର ସଙ୍ଗୀ ହେବାର ଆସ୍ପୃହା ରଖିଥିଲା । ଅନେକ ସମୟରେ କେତେ ମଣିଷଙ୍କୁ ସୁହାଇବ ବୋଲି ସାହିତ୍ୟ ଯେପରି ଅନ୍ୟମାନଙ୍କର କୁଣ୍ଢ ବାହାରକୁ ପଳାଇ ଯିବାର ଚେଷ୍ଟା କରିଆସିଛି, କେତେ କେତେ ପର୍ଯ୍ୟାୟରେ ସାହିତ୍ୟ ତାହାର ପ୍ରତିବାଦ ମଧ୍ୟ କରିଛି । ବଲରାମ, ଅଚ୍ୟୁତାନନ୍ଦ ଓ ଯଶୋବନ୍ତଙ୍କର ରଚନା ଓ କରଣିରେ ପ୍ରତିବାଦର ସେହି ସ୍ଵରଟି ମୋତେ ଭାରି ଭଲ ଲାଗିଲା, ଭାରି ସଙ୍ଗତିଯୁକ୍ତ ଓ ପରିଚ୍ଛନ୍ନ ବୋଲି ମନେ ହେଲା । ଓଡ଼ିଆ ପଞ୍ଚସଖା-ସାହିତ୍ୟରେ ସବାଆଗ ଏହି ପ୍ରତିବାଦକୁ ହିଁ ମୁଁ ପ୍ରଧାନତମ ଆବେଦନ ବୋଲି ଘ୍ରାଣ କରି ପାରିଥିଲି । ତେଣୁ, ସେହି ପଞ୍ଚସଖା-ସାହିତ୍ୟ ଭିତରେ ପ୍ରବେଶ କଲି । ସେହି ଅଧ୍ୟୟନ ଓ ଗବେଷଣା ଏକ କଞ୍ଚା ଗବେଷକର ଆଖିକୁ କେତେ ନା କେତେ ବଳ ଏବଂ ଅନ୍ତର୍ଦୃଷ୍ଟି ଯୋଗାଇ ଦେଇଥିଲା । ଏବଂ, ତାହାରି ବଳରେ ଧର୍ମ ଏବଂ ଅଧ୍ୟାତ୍ମିକତା ମଧ୍ୟରେ ରହିଥିବା ପ୍ରଧାନ ଫରକଗୁଡ଼ିକୁ ମଧ୍ୟ ମୁଁ ହୃଦୟଙ୍ଗମ କରିପାରିଲି ।

 

ଧର୍ମ ଛୁଆଁ ବାରେ, ଆଧ୍ୟାତ୍ମିକତା ଛୁଆଁ ବାରେ ନାହିଁ । ଧର୍ମ ଭଳି ଭଳି ଭେଶ ପିନ୍ଧାଏ, ଆଧ୍ୟାତ୍ମିକତା ଅନ୍ତର ଭିତରକୁ ନେଇଯାଏ । ନିଜ ଅନ୍ତର ଭିତରକୁ ଯାଇପାରିଲେ ଅନ୍ୟମାନେ ମଧ୍ୟ ସେମାନଙ୍କର ଅନ୍ତରର ଭୂମି ଉପରେ ଦୃଷ୍ଟିଗୋଚର ହୋଇଥାନ୍ତି । ପଞ୍ଚସଖା ଦେବତାମାନଙ୍କୁ କାଟି ଶୂନ୍ୟଯାଏ ଗଲେ ତଥାପି ଏକାବେଳେକେ ଏହି ତଳେ ହିଁ ସେମାନଙ୍କର ସବୁଯାକ ଚେର ପ୍ରତିଷ୍ଠିତ ହୋଇ ରହିଥିଲା । ପଞ୍ଚସଖାଙ୍କର ତିନି ଶହ ବର୍ଷ ପରେ ଓଡ଼ିଶାର ସାହିତ୍ୟରେ ପ୍ରାୟ ଏକ ବିସ୍ଫୋରଣ ପରି ଭୀମ ଭୋଇଙ୍କର ଆଭିର୍ଭାବ ଘଟିଥିଲା । ମହିମା ଧର୍ମର ସନ୍ଦେଶ ଆସି ପହଞ୍ଚିଲା-। ସତ୍ୟରେ ହିଁ ସବୁ ମଣିଷଙ୍କୁ ପ୍ରତିଷ୍ଠିତ କରି ଏଡ଼େ ଶକ୍ତିଯୁକ୍ତ ଭାବରେ ଏକାବେଳେକେ ଏହି ତଳସ୍ତରରୁ ଏକ ପ୍ରତିବାଦ ନିଜର ଘୋଷଣା କରିଥିଲା, —ଭୀମଭୋଇଙ୍କର ଏହି ଦୃଷ୍ଟାନ୍ତଟି ପ୍ରକୃତରେ ଏକାନ୍ତ ବିରଳ । ଭୀମଭୋଇଙ୍କର ସାହିତ୍ୟ କ’ଣ ଖାଲି ସାହିତ୍ୟ ? ଜୀବନର ସବୁ ଆସ୍ପୃହାକୁ ମିଶାଇ ଯେତେବେଳେ କୌଣସି ସାହିତ୍ୟ ଜୀବନପରି ବିସ୍ତୃତିଯୁକ୍ତ ହୁଏ ଏବଂ ଅଧିକ ଅନୁକୂଳ ଏକ ଅନ୍ୟ ଭବିଷ୍ୟର ଚିତ୍ର ଆଣି ଦିଏ, ସେଥିଲାଗି କ୍ରମପ୍ରସ୍ତୁତ କରି ଆଣୁଥାଏ ଏବଂ ସେଥିଲାଗି ସାମୂହିକ ଶରୀରଟି ଉପରୁ ଅଭ୍ୟସ୍ତ ଖୋଳଗୁଡ଼ିକ ଖସାଇ ପକାଉଥାଏ, ସେତେବେଳେ ତାହା ଏକାବେଳେକେ ଏକ ଅନ୍ୟ ଆହ୍ଵାନ ନେଇ ଉପସ୍ଥିତ ହୋଇଥାଏ-। ଭୀମଭୋଇ ଏବଂ ମହିମାଧର୍ମ ବିଷୟରେ କିଞ୍ଚିତ୍ ଗବେଷଣା କରି ମୁଁ ମୋ’ ଭିତରେ ରହିଥିବା ଶିଶୁଟିର ସେହି ବ୍ୟାକୁଳତା ନିମନ୍ତେ କିଛି ଖାଦ୍ୟ ଆଣି ଯୋଗାଇ ଦେବାକୁ ଚେଷ୍ଟା କରିଥିଲି-। ସେତେବେଳେ ବିଶ୍ଵଭାରତୀର ଗବେଷଣା ଦ୍ଵାରା କୌଣସି ଡିଗ୍ରୀ ହାସଲ କରିବାର କୌଣସି ଅବକାଶ ନଥିଲା । ତେଣୁ, ପଞ୍ଚସଖା ଏବଂ ଭୀମଭୋଇଙ୍କୁ ଯେ ମୁଁ ନିଜ ଗବେଷଣାର ବିଷୟରୂପେ ବାଛିଥିଲି, ସ୍ପଷ୍ଟତଃ ଏକ ଅନ୍ତର୍ଗତ ଆବଶ୍ୟକତାର ଉଦବୋଧନ ଦ୍ଵାରା ପରିଚାଳିତ ହୋଇ ହିଁ ତାହା କରିଥିଲି । ସେହି କବିମାନଙ୍କର ମେଦିନୀ ଧାରଣା, ସେମାନଙ୍କର ମାନବିକତା ଅର୍ଥାତ୍ ମନୁଷ୍ୟଜୀବନରେ ସତକୁ ସତ ଅସଲ ବିସ୍ତାରଗୁଡ଼ିକୁ ଆଣି ଦେଇ ପାରିବାକୁ ମନୁଷ୍ୟଦ୍ଵାରା କଳ୍ପିତ ଉଚ୍ଚତମ ସତ୍ୟ ଅର୍ଥାତ୍ ଉଚ୍ଚତମ ଇଚ୍ଛାଗୁଡ଼ିକୁ ଏକାବେଳେକେ ଭୂଇଁଯାଏ ଓହ୍ଲାଇ ଆଣିବାର ଏକ ସହଜ ଅନୁରାଗ, ତାହାରି ଉପଯୁକ୍ତ ହେଲାଭଳି ଏକ ସ୍ଵତନ୍ତ୍ର କିସମର ସହଜ ଅଥଚ ବ୍ୟଞ୍ଜନାପୂର୍ଣ୍ଣ ଭାଷା, —ଏଗୁଡ଼ିକ ମୋ’ର ନିଜ ଜୀବନ ଉପରେ କମ୍ ପ୍ରଭାବ ପକାଇବନାହିଁ ।

 

ଶାନ୍ତିନିକେତନରେ ଦୁଇବର୍ଷ ଗବେଷଣା ପରେ ମୁଁ ଇଉରୋପ ଗଲି । ସେତେବେଳେ ଭାରତବର୍ଷ ନୂଆ ହୋଇ ସ୍ଵାଧୀନତା ହୋଇଥାଏ । ସ୍ଵାଧୀନତାର ସଂଗ୍ରାମରେ ମୁଁ ନିଜେ କିଛି ଭାଗ ନେଇଥିବାରୁ ଏହି ସ୍ଵାଧୀନତା ମୋ’ର ବୋଲି ଏକ ଗୌରବ ମଧ୍ୟ ଅନୁଭୂତ ହେଉଥାଏ । ଆପଣାକୁ ବଢ଼େଇଟିଏ, ରାଜମିସ୍ତ୍ରୀଟିଏ ତଥା ମାଳିଟିଏ ସଦୃଶ ମନେ ହେଉଥାଏ । ଏକ ଅଦ୍ଭୁତ ତାରୁଣ୍ୟ ପ୍ରାୟ ଏକ ଅସମ୍ଭବ ଅନୁପାତରେ ଭାରି ଆଶାବାଦୀ କରି ରଖିଥାଏ । ସେହି ଆଶାବାଦୀ ଆଖିକୁ ନେଇ ମୁଁ ଇଉରୋପରେ ଯାଇ ପହଞ୍ଚିଲି । ଇଉରୋପର ଉତ୍ତର ଆଡ଼କୁ ଏକାବେଳେକେ ଏକ କ୍ଷୁଦ୍ର କୋଣଟିଏ । ଯେଉଁମାନେ, ଇଉରୋପରେ କେବଳ ଇଂଲଣ୍ଡକୁ ଚିହ୍ନିଛନ୍ତି, ସେହି ଭାରତୀୟମାନେ ମୋ’ କଥାର ବ୍ୟଞ୍ଜନାଟାକୁ ହୁଏତ ମୋଟେ ବୁଝି ପାରିବେ ନାହିଁ । ସେମାନେ ସାହେବମାନଙ୍କର ଦେଶକୁ ଯାଆନ୍ତି, ସାହେବ ହେବାପାଇଁ ସେଠାରେ ପାଠ ପଢ଼ନ୍ତି ଏବଂ ଦେଶକୁ ଫେରିଆସି ସାହେବ ହୁଅନ୍ତି । ମାଲିକମାନଙ୍କର ଭାଷା ପାଖରେ ସେମାନେ ନିଜକୁ ଭୃତ୍ୟପ୍ରାୟ ମଣ କରି ଶିଖିଥାନ୍ତି ଏବଂ ନିଜ ଦେଶକୁ ଫେରି ସେମାନେ ସତେଅବା ପ୍ରତିଶୋଧ ନେଲାପରି ଅନ୍ୟମାନଙ୍କୁ ନିଜର ଗୋଲାମ ଭଳି ଦେଖନ୍ତି । ସେମାନେ ବିକି ହୋଇଯାଆନ୍ତି । ଇଉରୋପରେ ନିଜର ଅଧ୍ୟୟନକାଳରେ ମୁଁ ଆଦୌ ବିକିହୋଇ ଯାଇନଥିଲି । ନିଜକୁ ଆଦୌ ବିକି ନଦେଇ ତଥାପି କିପରି ସର୍ବତ୍ର ପ୍ରବେଶ କରି ଜଣେ ମନୁଷ୍ୟ ଦେଇପାରେ ଓ ନେଇପାରେ, ସେକଥା ମୁଁ ସମ୍ଭବତଃ ଶାନ୍ତିନିକେତନରୁ ହିଁ ସବୁଠାରୁ ଅଧିକ ସକରାତ୍ମକ ଭାବରେ ଶିକ୍ଷା କରିଥିଲି । ନିଜର ମୂଳଟି ମଜବୁତ ହୋଇଥିବ, ଅର୍ଥାତ୍ ନିଜର ଘରଟିକୁ ତୁମେ ଏପରି ଭାବରେ ଚିହ୍ନିଥିବ ଯେ ସେହି ଚିହ୍ନାରେ ଭାବପ୍ରବଣତା ନଥିବ, ମାତ୍ର ଆତ୍ମୀୟତା ଭରି ରହିଥିବ । ନିଜ ଭିତରେ ନିଜକୁ ପଛକୁ ଟାଣୁଥିବା ପରି କୋଉଠି ଗୋଟାଏ ହୀନମନ୍ୟତା ରହି ଉପଦ୍ରବ କରୁଥିଲେ ସମ୍ଭବତଃ ସେଇଥିରୁ ହିଁ ଅନାବଶ୍ୟକ ଭାବରେ ଭାବପ୍ରବଣ ହେବାଲାଗି କିଛି ଖାଦ୍ୟ ମିଳିଥାଏ । ଏବଂ, ଭାବପ୍ରବଣ ହୋଇ ରହିଥିଲେ ଅର୍ଥାତ୍ ନିଜକୁ ହୀନ ବୋଲି ଅନୁଭବ କରୁଥିଲେ ଜଣେ ମଣିଷର ଗ୍ରହଣଶୀଳତାର କ୍ଷେତ୍ରରେ କୋଉଠି କ’ଣ ଅସୁସ୍ଥତା ଆସି ପଶି ଯାଇଥାଏ । ସେହି ଅସୁସ୍ଥତା ହିଁ ନାନା ଅସମର୍ଥତାର କାରଣ ହୁଏ । ସ୍ଵାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ଫଳରେ ନିଜର ଦେଶ, ନିଜର ଭୂମି ଏବଂ, ନିଜର ପରିଚିତଟି ସମ୍ବନ୍ଧରେ ମୋ’ ଭିତରେ ଅର୍ଥାତ୍ ଅନୁଭୂତି ଏବଂ ଭାବନା ଉଭୟ କ୍ଷେତ୍ରରେ ଏକ ବଳିଷ୍ଠ ପ୍ରତ୍ୟୟ ଆସି ଯାଇଥିଲା । ଶାନ୍ତିନିକେତନ ସେହି ପ୍ରତ୍ୟୟଟିକୁ ସତେଅବା ଏକ ବଗିଚା ପରି ତିଆରି କରିଦେଲା, ସେଠି କେତେ କେତେ ଫୁଲଗଛ ନେଇ ଲଗାଇଦେଲା । ଆପଣାକୁ ଏକ ଐତିହ୍ୟ ଓ ଏକ ଭୂମି ପାଇଁ ଦାୟୀ ବୋଲି ଅନୁଭବ କରି ଶିଖାଇଲା । ମୁଁ ଇଉରୋପକୁ ପାଠ ପଢ଼ି ଯେତେ ଯାଉନଥିଲି, ତା’ ଠାରୁ ଅଧିକ ପରିମାଣରେ ଏବଂ ଅଧିକ ଅନ୍ତରଙ୍ଗ ଭାବରେ ଇଉରୋପକୁ ସାକ୍ଷାତ କରି ଯାଇଥିଲି ।

 

ସେଠାରେ ଇଉରୋପର ମଣିଷକୁ ହିଁ ଅଧିକତର ପରିମାଣରେ ଭେଟିଲି । ସେଠାକାର ଭାଷାକୁ ସମ୍ଭବତଃ ସେହି ଖୁସୀରେ ଶିଖିଥିଲି କି କ’ଣ କେଜାଣି, ସେଗୁଡ଼ାକ କାଳକ୍ରମେ ସତେଅବା ନିଜର ଭାଷା ପରି ବି ଲାଗିଲା । ଯେତିକି ସହଜରେ ଓଡ଼ିଆ କହି ପାରୁଥିଲି, ଅଥବା, ଓଲଟାଇ ଦେଇ କହିଲେ, ଓଡ଼ିଆ କହୁଥିବା ସମୟରେ ମୁଁ ଯେତିକି ସହଜ ଅନୁଭବ କରୁଥିଲି, କ୍ରମେ ଇଉରୋପର ସେହି ଅଞ୍ଚଳର ଭାଷାଗୁଡ଼ିକ ମଧ୍ୟ ସେହିଭଳି ସହଜ ଲାଗିଲେ: ସେଗୁଡ଼ିକ କହୁଥିବା ସମୟରେ ମୁଁ ସେତିକିସହଜ ଅନୁଭବ କରିପାରିଲି । ଭାରତର ବାହାରକୁ ଯିବା ପରେ ମୁଁ କୌଣସି ଭାଷାକୁ ବ୍ୟାକରଣ ବହିରୁ ପଢ଼ିନାହିଁ । ମଣିଷମାନଙ୍କ ଠାରୁ ହିଁ ଶିଖିଛି । ଯେଉଁଠି ମଣିଷମାନେ କୌଣସି ଦ୍ଵିତୀୟ ଭାଷା ଜାଣନ୍ତିନାହିଁ; ଅନ୍ତତଃ ଇଂରାଜିଭାଷା ସହିତ ସେମାନଙ୍କର ପରିଚୟ ନାହିଁ, ମୁଁ ସେଇମାନଙ୍କ ପାଖରୁ ଏହି ଭାଷାଗୁଡ଼ିକୁ ଶିଖିଥିଲି । ଡେନମାର୍କର ଡେନିଶ୍ ଭାଷା, ଫିନ୍‍ଲାଣ୍ଡ ଫିନିଶ୍ ଭାଷା ଓ ଜର୍ମାନୀର ଜର୍ମାନ୍ ଭାଷା, ଏଗୁଡ଼ିକ ସତେ କେତେ କମ୍ ସମୟରେ ନିଜର ଭାଷା ବୋଲି ମନେ ହେବାକୁ ଲାଗିଲେ । ବାହାରର ଯେତିକି ଭାଷା ଶିଖିଲି, ଓଡ଼ିଆ ଭାଷାଟି ସହିତ ମୋ’ର ଘନିଷ୍ଟତା ସେତିକି ବୃଦ୍ଧି ପାଇଲା । ତେଣୁ, ଓଡ଼ିଶା ମୋଟେ ପାଖଛଡ଼ା ହୋଇଗଲାନାହିଁ ବା ଅନ୍ୟ ଦେଶ, ଅନ୍ୟ ସଂସ୍କୃତି ଏବଂ ଅନ୍ୟ ଭାଷାମାନେ ମୋତେ ଗୋଡ଼ ଖସାଇ ଓଡ଼ିଶାରୁ ନେଇ ପଳାଇବେ ବୋଲି କ୍ଷଣେ ହେଲେ ଆଶଙ୍କା ହେଲାନାହିଁ । ଏବଂ, ଯେଉଁସବୁ ମଣିଷ ମାଧ୍ୟମ ହୋଇ ମୋତେ ଭାଷା ଶିଖିବାରେ ସହାୟତା କଲେ, ସେମାନେ ମଧ୍ୟ ମୋ’ର ବନ୍ଧୁ ହୋଇଗଲେ । ସେମାନଙ୍କର ପରିବାର ଲାଗି ମଧ୍ୟ ମୋତେ ବନ୍ଧୁ କରିନେଲେ । ମଣିଷମାନଙ୍କ ସହିତ ସେହିପରି ପରିଚୟ ଏକ ସ୍ଥାୟୀ ବନ୍ଧୁତାରେ ପରିଣତ ହେଲା । ଭାଷା ସହିତ ସମ୍ପର୍କ ମଧ୍ୟ ସ୍ଥାୟୀ ହୋଇ ରହିଗଲେ ।

 

ଇଉରୋପରେ ମୋ’ ଜୀବନ ଉପରେ ପ୍ରଭାବ ପ୍ରକୃତରେ ଏକ ବିଚିତ୍ର ପ୍ରକାରର । ଇଉରୋପ ମୋତେ କଦାପି ମୋ’ ଘରୁ ମୋତେ ଖୁଣ୍ଟ ଓପଡ଼ାଇ ତା’ ଘରକୁ ନେଇଯିବାର ପ୍ରୟାସ କରିନାହିଁ । ଏବଂ, ନିଜଦେଶକୁ ନିବିଡ଼ରୁ ନିବିଡ଼ତର, ପୂର୍ଣ୍ଣରୁ ପୂର୍ଣ୍ଣତାର କରି ବୁଝି ପାରିବାଲାଗି ଇଉରୋପ ମୋତେ ନିରନ୍ତର ଖାଦ୍ୟ ଯୋଗାଇ ଆସିଛି । ସେଠି ଯେଉଁମାନେ ପାଠୁଆ, ଯେଉଁମାନେ ଅପେକ୍ଷାକୃତ ଅଧିକ ଦାୟିତ୍ଵପୂର୍ଣ୍ଣ ଥାନମାନଙ୍କରେ ରହିଛନ୍ତି, ସେମାନେ ନିଜ ଘରେ ଆଦୌ କୁଣିଆ ପରି ଆଚରଣ କରନ୍ତି ନାହିଁ । ନିଜ ଚାରିପାଖରେ ଥିବା ଅନ୍ୟ ମଣିଷମାନଙ୍କ ଭିତରୁ ନିଜକୁ ସ୍ଵତନ୍ତ୍ର ବୋଲି ଦେଖାଇହେବା ଏବଂ ସେମାନଙ୍କ ଭିତରେ ବାବୁ ବୋଲାଇବା ଲାଗି ସେମାନଙ୍କର କୌଣସି ଆଗ୍ରହ ନଥାଏ । ନିଜ ଦେଶର ପାଠୁଆମାନଙ୍କ ଅପେକ୍ଷା ଇଉରୋପର ପାଠୁଆମାନଙ୍କଠାରୁ ମୁଁ ସମ୍ଭବତଃ ଅନେକ ଅଧିକ ଶିକ୍ଷା କରିଛି । ଆହୁରି ସୁନିର୍ଦ୍ଧିଷ୍ଟ କରି କହିଲେ ଇଉରୋପର ପାଠୁଆ ମାନଙ୍କଠାରୁ ଅଧିକ ସୁସ୍ଥ ଓ ଅଧିକ ସମ୍ପୂର୍ଣ୍ଣ ଭଳି କ’ଣସବୁ ଶିଖିପାରିଛି ବୋଲି ଭାରତବର୍ଷର ଏହି ଶିକ୍ଷିତମାନଙ୍କ ବିଷୟରେ ମୁଁ ସର୍ବଦା ସତର୍କ ହୋଇ ରହିପାରିଛି । ଇଉରୋପର ଶିକ୍ଷିତ ମଣିଷ ଭୂଇଁ ଛାଡ଼ିନାହିଁ; ଇଉରୋପରେ ବି ସହର ଓ ମଫସଲ ରହିଛି, ଅର୍ଥୋପାର୍ଜନର କ୍ଷେତ୍ରରେ ଅଳପ ଓ ବହୁତ ଅବଶ୍ୟ ରହିଛି । ମାତ୍ର, ସେହି କାରଣରୁ ସେଠି ମଣିଷ ଭିତରେ ଆଦୌ କୌଣସି ଖାଇ ସୃଷ୍ଟି କରା ହୋଇନାହିଁ । ଥୋକେ ଚାରି ବା ଚଉଦ ଆଖିଆ ହୋଇ ଦିଶିବେ ବୋଲି ସେଠାରେ କୋଟି କୋଟି ଅନ୍ୟ ମଣିଷଙ୍କୁ ଚକ୍ଷୁହୀନ ଏବଂ ଅସହାୟ କରି ରଖିବାର କୌଣସି ଫିକର ହୋଇନାହିଁ । ଭାରତବର୍ଷ ଅପେକ୍ଷା ଇଉରୋପ ହିଁ ଏକାଧିକ ଦୃଷ୍ଟିରୁ ମଣିଷମାନଙ୍କୁ କେନ୍ଦ୍ରରେ ରଖି ଅଧିକ ସଙ୍ଗତିର ସହିତ ତିଆରି ହୋଇଛି ।

 

ଏତେ ପଥ ଅତିକ୍ରମ କରି ମୁଁ ଯେ ଇଉରୋପକୁ ଆସିପାରିଲି, ମନୁଷ୍ୟର ସଭ୍ୟତା ଏବଂ ସମ୍ବନ୍ଧର ଇତିହାସରେ ପୃଥିବୀକୁ ତାହା ହେଉଛି ଇଉରୋପର ଅବଦାନ । ଜୀବନରେ ଆବଶ୍ୟକ ହେଉଥିବା ସୁଯୋଗଗୁଡ଼ିକୁ ଯଥାସମ୍ଭବ ଅଧିକ ସାର୍ବଜନୀନ କରି ପାରିବାସକାଶେ ସାମାଜିକ କ୍ଷେତ୍ରରେ ଯେଉଁସବୁ ବାଧା ଓ ମିଛ ପରମ୍ପରା ଗୁଡ଼ିକୁ ଆଗ ଭାଙ୍ଗି ଦେବାକଥା ଇଉରୋପରେ ସେହି ପରମ୍ପରାଟିକୁ ଅଧିକ ସଫଳ ଭାବରେ ଭାଙ୍ଗି ଦିଆଯାଇ ପାରିଛି । ସେଠାରେ ଶିକ୍ଷାକୁ ମଧ୍ୟ ବିଶେଷ ପ୍ରୟାସମାନ କରାଯାଇ ସାର୍ବଜନୀନ କରାଯାଇଛି । ସମାନ ସୁଯୋଗର ଏକ ସର୍ବନିମ୍ନ ଭୂମି ରହିଥିଲେ ହିଁ ଯେ ଗୋଟିଏ ସମାଜରେ ଏକ ସୁସ୍ଥ ପ୍ରତିଯୋଗିତା ଏବଂ ଅଗ୍ରସରତାର ଆଭିମୁଖ୍ୟ ସମ୍ଭବ କରାଯାଇ ପାରିବ, ଏବେ ଇଉରୋପ ହିଁ ସେଥିଲାଗି ଏକ ଅନୁକରଣୀୟ ଦୃଷ୍ଟାନ୍ତ ହୋଇ ରହିଛି । ସୁଯୋଗ ସମାନ ଥିବ, ତେବେଯାଇ ବିଶେଷ ପ୍ରତିଭାଗୁଡ଼ିକର ସୁସ୍ଥ ବିକାଶ ଯେ ହୋଇପାରିବ, ପୃଥିବୀଲାଗି ଇଉରୋପ ହିଁ ସେହି ସନ୍ଦେଶଟିକୁ ପ୍ରଚାର କରିଛି । ଆମ ଏଠାପରି ଇଉରୋପରେ ମଧ୍ୟ ଧର୍ମ ଓ ଧର୍ମସମ୍ପ୍ରଦାୟମାନେ ରହିଛନ୍ତି ଏବଂ ଏକଦା ଅତ୍ୟନ୍ତ ନିର୍ବୋଧ ଭାବରେ ସେହିଗୁଡ଼ିକୁ ନିଠ କରି ଇଉରୋପରେ ଯେଉଁସବୁ ପାଷାଣତାର ପ୍ରଦର୍ଶନ ହେଉଥିଲା, ଇଉରୋପ ବର୍ତ୍ତମାନ ସେଗୁଡ଼ାକ ମଧ୍ୟରୁ ନିଜରୁ ନିଜକୁ ପ୍ରାୟ କେଡ଼େ ସମ୍ପୂର୍ଣ୍ଣ ଭାବରେ ମୁକ୍ତ କରି ଆଣିଲାଣି । ଜାତୀୟତାବାଦ ଇଉରୋପର ଜନ୍ମଭୂମି ହୋଇଥିଲେ ମଧ୍ୟ ନିଜର ଏକାଧିକ ଝୁଣ୍ଟିବାରୁ ଶିକ୍ଷା ଗ୍ରହଣ କରି ତାହାର ସୀମାଗୁଡ଼ିକ ବିଷୟରେ ସିଏ ପୃଥିବୀରେ ସବାଆଗ ସଚେତ ହୋଇପାରିଛି । ଅଥଚ, ଜାତୀୟତାବାଦରୁ ସଚରାଚର ଯେଉଁ ସମୃଦ୍ଧି, ସଂହତି ଏବଂ ସୁସ୍ଥ ସହାନୁଭବ ଗୁଡ଼ିକ ସମ୍ଭବ ହେବା କଥା, ଇଉରୋପର ଦେଶମାନେ ସେଗୁଡ଼ିକ ଦ୍ଵାରା କେଡ଼େ ପ୍ରଭୂତ ପରିମାଣରେ ଉପକୃତ ହୋଇ ପାରିଛନ୍ତି ।

 

ଡେନ୍‍ମାର୍କ, ଫିନ୍‍ଲାଣ୍ଡ୍, —ଏଗୁଡ଼ିକ କେଡ଼େ ସାନ ସାନ ଦେଶ । ତଥାପି ସେମାନଙ୍କର ନିଜର ସମୃଦ୍ଧ ସାହିତ୍ୟମାନ ରହିଛି । ନିତ୍ୟ ଜୀବନରେ ବଞ୍ଚି ହେଉଥିବା ଏକ ସଂସ୍କୃତି ରହିଛି । ଆର୍ଥିକ ସମ୍ବଳସମ୍ପନ୍ନତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସେହିସବୁ ଦେଶରେ ଅସଲ ସଂସ୍କୃତିଗୁଡ଼ିକ ମଧ୍ୟ କେଡ଼େ କେଡ଼େ ସୁସ୍ଥ ଏବଂ ସ୍ଵାଭାବିକ ଭାବରେ ସର୍ବଜନର ଗୌରବ ଏବଂ ସମ୍ପଦରେ ପରିଣତ ହୋଇ ପାରିଛି । ନିଜର ଭାଷାଟି ପ୍ରତି ସେମାନଙ୍କର ଅଗାଧ ଶ୍ରଦ୍ଧା, ମୋତେ ତାହା ଅଧିକାଂଶ ସମୟରେ ବିସ୍ମିତ କରିଦେଇଛି । ମନୁଷ୍ୟର ଆବଶ୍ୟକତା ଅନୁସାରେ ସେଠାରେ ଧର୍ମର ଶାସନ ଏବଂ ପ୍ରକରଣଗୁଡ଼ିକ ଯୁଗେ ଯୁଗେ ବଦଳି ଯାଇଛି । ସତେଅବା ମଣିଷ ସବାଆଗରେ ରହିଛି, —ଏହି ସବୁକିଛିକୁ ମଣିଷର କାର୍ଯ୍ୟରେ ଲଗାଯାଇଛି । ଭାରତର ଯେକୌଣସି ଗ୍ରହଣଶୀଳ ମନୁଷ୍ୟ ଲାଗି ଏହିଗୁଡ଼ିକୁ ହିଁ ସର୍ବଦା ପ୍ରଧାନ ହୋଇ ଦେଖାଯିବ । ନିଜର ଦେଶକୁ ଯଦି ସିଏ ସତକୁ ସତ ଭଲ ପାଉଥିବ, ତେବେ ଜଣେ ବିବେକୀ ବ୍ୟକ୍ତିରୂପେ ସିଏ ସବାଆଗ ସେହିଗୁଡ଼ିକ ବିଷୟରେ ସଚେତନ ହେବ । ପ୍ରତିବେଶୀଠାରୁ ଶିଖିବାରେ ସିଏ ଆଦୌ କୌଣସି କାର୍ପଣ୍ୟ କରିବନାହିଁ । ମାତ୍ର ତୁମର ନିଜ ଦେଶରେ ଯଦି ତୁମର କୌଣସି ଚେର ଲାଗିନଥିବ, ତେବେ ଇଉରୋପ ହୁଏତ ତୁମର ଆଖିକୁ ଗୋଟାସୁଦ୍ଧା ଜଳକା କରିଦେବ, ଇଉରୋପ ତୁମକୁ ସ୍ଵର୍ଗ ପରି ଲାଗିବ ଏବଂ, ନିଜର ଭୂଇଁଟାକୁ ଛାଡ଼ି ପଳାଇବା ନିମନ୍ତେ ଆତୁର ହୋଇ ରହିଥିବା ତୁମେ ସେହି ନୂଆ କୁଣ୍ଡଟା ମଧ୍ୟକୁ ଏପରି ଭାବରେ ଝାସ ଦେବ ଯେ, ଭାରତବର୍ଷକୁ ଫେରିଆସିବାକୁ ପଡ଼ିଲେ ମଧ୍ୟ ତୁମେ ଏଠାରେ ପ୍ରାୟ ସବୁକିଛିକୁ ଘୃଣା କରିବାର ଭେଳିକି ଭିତରେ ପଡ଼ିଯିବ । ଭାରତବର୍ଷ ଯେପରି ରହିଛି ସେହିଭଳି ପଡ଼ିଥାଉ ପଛକେ, ତୁମେ ସେଠି ଏକ ସ୍ଵାର୍ଥାନ୍ଵେଷୀ ବିରାଗ ସହିତ ନିଜପାଇଁ ଉଚ୍ଚ ଢିପଟିଏ ଅଥବା ଦ୍ଵୀପଟିଏ ତିଆରି କରିନେବ, ଫୁଲେଇ ହେଉଥିବ, ବାବୁନାମକ ଏକ ଅନ୍ୟ ଜନ୍ତୁଜାତିରେ ପରିଣତ ହୋଇ ନିଜ ଚାରିପାଖେ ବାସ କରୁଥିବା ମଣିଷମାନଙ୍କୁ ଠକୁଥିବ, ଭିତରେ ଓ ବାହାରେ ଠକି ହୋଇ ରହିବାକୁ ହିଁ ଚରମ ପ୍ରାପ୍ତି ବୋଲି ମାନୁଥିବ ।

 

ଅସଲ ଇଉରୋପ ସହିତ ପରିଚୟ ହୋଇନଥାଏ ବୋଲି ଆମେ ଅନେକ ସମୟରେ ପ୍ରାୟ ଇଚ୍ଛା କରି ଇଉରୋପରେ ବସ୍ତୁବାଦ ବ୍ୟତୀତ ସତେଅବା ଆଉ କିଛିହେଲେ ଦେଖି ପାରୁନାହିଁ-। ଉପରେ ବସ୍ତୁବାଦକୁ ଖରାପ ବୋଲି କହୁ କାରଣ ନିଜ ଗଭୀରର କୌଣସିଠାରେ ଆମର ଲାଳସାପୂର୍ଣ୍ଣ ରନ୍ଧ୍ରଗୁଡ଼ାକରେ ଆମେ ବସ୍ତୁକୁ ହିଁ ଲୋଡ଼ୁଥାଉ । ସେଇଥିଲାଗି କେଉଁଠି ବସ୍ତୁର ପ୍ରାଚୁର୍ଯ୍ୟ ଦେଖିଲେ ଆମେ ଆଦୌ ସହ୍ୟ କରି ପାରୁନାହିଁ । ବାହାରେ ବସ୍ତୁକୁ ଘୃଣା କରି ଭିତରେ ବସ୍ତୁ ପ୍ରତି ଲୋଭାସକ୍ତ ହୋଇ ରହିଥିବା ମଣିଷମାନଙ୍କୁ ମୁଁ ଆମ ଭାରତବର୍ଷରେ ହିଁ ସର୍ବାଧିକ ସଂଖ୍ୟାରେ ଦେଖିଛି । ବାହାରେ କାମନା ରହିତ ବ୍ରାହ୍ମଣଙ୍କ ପରି ଆଚରଣ କରୁଥିବା ବହୁ ମଣିଷଙ୍କ ଭିତରେ ସୁବର୍ଣ୍ଣକଙ୍କଣ ଲାଗି ଲୋଭୀ ହୋଇ ରହିଥିବା ତା’ର ସେହି ଦୋସରଟିକୁ ମଧ୍ୟ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଦେଖିବାକୁ ପାଇଛି । ଭାରତବର୍ଷରେ ଯେଉଁ ମନୁଷ୍ୟମାନେ ସଂସାରକୁ ସାରହୀନ ମଣି ଏଠୁ ବାହାରି ପଳାଇଛନ୍ତି, ବାବାଜୀ ବା ବୈରାଗୀ ହୋଇଛନ୍ତି, ବସ୍ତୁର କ୍ଷେତ୍ରରେ ଭାରତୀୟ ବାସନାକୁ ଏହିପରି ଦ୍ଵିଦିଭକ୍ତ କରି ରଖିବାରେ ସେମାନଙ୍କର ମଧ୍ୟ ହୁଏତ ଏକ ଅବଦାନ ରହିଛି-। ଇଉରୋପରେ ବସ୍ତୁଗୁଡ଼ିକୁ ଦେଖି ମୁଁ ଆଦୌ ଜଳକା ହୋଇ ଯାଇନଥିଲି । ସେଗୁଡ଼ିକର ସାମନା କରି ମୁଁ ବାରମ୍ବାର ନିଜ ଦେଶର କଥାକୁ ହିଁ ଚକ୍ଷୁସମକ୍ଷରେ ଦେଖୁଥିଲି । ଭାରତବର୍ଷରେ କ’ଣ ପାଇଁ କୋଟି କୋଟି ମନୁଷ୍ୟ ନିମ୍ନତମ ଅତ୍ୟାବଶ୍ୟକ ବସ୍ତ୍ରଗୁଡ଼ିକରୁ ବଞ୍ଚିତ ହୋଇ ଇତର ପ୍ରାଣୀପରି ହୀନିମାନ ଜୀବନ ଯାପନ କରୁଥିବେ ଏବଂ ସେମାନେ ଏହିପରି ହୀନିମାନ ହେଉଥିବା ବେଳେ ଭାରତବର୍ଷରେ କାହିଁକି ବସ୍ତୁଗୁଡ଼ିକୁ ପ୍ରତି ବିମୁଖ ହୋଇ ରହିବାର ଏକ ଅଧର୍ମ ପ୍ରଚାର କରା ଯାଉଥିବ, ଇଉରୋପକୁ ଅନାଇ ମୁଁ ସେହି ଦୁରବସ୍ଥାଟିର କାରଣମାନ ଖୋଜିବାକୁ ଇଚ୍ଛା କରୁଥିଲି । ସେଠୁ ଏଯାଏ ଚାହୁଁଥିଲି ଓ ଏଠୁ ସେଯାଏ ଦୃଷ୍ଟିପାତ କରୁଥିଲି । ବିଶ୍ୱବିଦ୍ୟାଳୟରେ ମୁଁ ଅଧ୍ୟୟନ କରୁଥିବା ପାଠଟାର ତୁଳନାରେ ଏଇଟା ଆଦୌ କମ୍ ମହତ୍ତ୍ଵପୂର୍ଣ୍ଣ ନଥିଲା ।

 

ଇଉରୋପରେ ବସ୍ତୁର ମାଧ୍ୟମରେ ମଣିଷକୁ ନୁହେଁ, ମଣିଷକୁ ମାଧ୍ୟମ କରି ମୁଁ ବସ୍ତୁକୁ ଚିହ୍ନିବାଲାଗି ପ୍ରୟାସ କରିଥିଲି । ଭାରତର ବହିମାନଙ୍କରେ ଯାହା ଲେଖା ହୋଇଥାଉ ଅଥବା କଥାର ମାଧ୍ୟମରେ ଯାହା କୁହାହୋଇ ଆସିଥାଉ ପଛକେ ଭାରତବର୍ଷରେ ଅନେକ ଦୃଷ୍ଟିରୁ ବିଚାର କଲେ ବସ୍ତୁଲୋଭ ଇଉରୋପର ତୁଳନାରେ ସମ୍ଭବତଃ କିଛି ଅଧିକ ପରିମାଣରେ ରହିଛି । ଏବଂ, ଯାହା ବସ୍ତୁଲୋଭ, ତାହାର ଏକ ଅନ୍ୟ ନାମ ହେଉଛି ବସ୍ତୁବାଦ । ଲୋଭରୁ ବାଦ, ବାଦରୁ ଯାବତୀୟ ପ୍ରକାର ଏବଂ ଅପପ୍ରକାରର ଦୂରତା ଏବଂ ମଳିନତା । ଭାରତବର୍ଷରେ ଅଳପ ବ୍ୟକ୍ତିଙ୍କ ପାଖରେ ଅଧିକ ବସ୍ତୁ ଜମା ହୋଇ ରହିଆସିଛି । ସାଧାରଣତଃ ଅଧିକ ବସ୍ତୁ ଜମା କରିଥିବା ମଣିଷମାନଙ୍କୁ ଭାଗ୍ୟବାନ୍ ଏବଂ ଲକ୍ଷ୍ମୀମନ୍ତ ବୋଲି କୁହାହୋଇ ଆସିଛି । ଭାରତବର୍ଷରେ ଅଧିକାଂଶ ମଣିଷ ସେମାନେ ଉପାସନା ଓ ଅର୍ଚ୍ଚନା କରୁଥିବା ଦେବତା ଓ ଠାକୁରମାନଙ୍କ ପାଖରେ ବସ୍ତୁ ହିଁ ମାଗିଛନ୍ତି । ବସ୍ତୁତ୍ୟାଗ କରିଥିବା ମୁନିଋଷିମାନେ ଅନେକ ସମୟରେ ରାଜସଭାରେ ବସି ରାଜାର ହଁ କଲ୍ୟାଣବାଞ୍ଛା କରିଛନ୍ତି ଏବଂ ତଦ୍ଦ୍ଵାରା ବସ୍ତୁର ହିଁ ସ୍ଵୀକୃତିଗାୟନ କରିଛନ୍ତି । ଏବଂ, ସମ୍ଭବତଃ, ବହୁସମ୍ପତ୍ତିର ପ୍ରତୀକ ସେହି ନରେଶ, ଏବଂ ନରାଧିପତିମାନେ ଯେପରି ନିରଙ୍କୁଶ ହୋଇ ରହିପାରିବେ, ସେମାନେ ସେଥିଲାଗି ସାଧାରଣ ତୁମ ଆମଲାଗି ସଂସାରଟାକୁ ନଶ୍ଵର ବୋଲି କହିଛନ୍ତି, ମାୟାବାଦର ଭବ୍ୟ ସ୍ତବମାନ ରଚନା କରିଛନ୍ତି । ଭାରତବର୍ଷରେ ଅଧିକାଂଶ ମନୁଷ୍ୟ ସେହି କୋଉ ଦୂରଦୂରନ୍ତ କାଳରୁ ବଞ୍ଚିତ ହୋଇ ରହିଥିବାରୁ ଏବଂ ଆପଣାର ଉଦରଭରଣ ନିମନ୍ତେ କୌଣସି ରାଜା ବା ଶିଷ୍ଟ ଉପରେ ନିର୍ଭରଶୀଳ ହୋଇ ରହିଥିବାରୁ ଆପଣ ଆଡ଼କୁ ସତେଅବା କବାଟ କିଳି ରହୁଛନ୍ତି, —ପୃଥିବୀର ଯାବତୀୟ ସତ୍ୟ ମୂଳତଃ ଶକ୍ତିରୂପେ ମଣିଷମାନଙ୍କର ଭିତରେ ରହିଛି ବୋଲି ସତେଅବା କାହାଠାରୁ ଅଭିଶାପ ପାଇଥିବା ପରି ଗୋଟାସୁଦ୍ଧା ପାସୋରି ବସିଛନ୍ତି । ଭାରତର ଅଧ୍ୟାତ୍ମ ନାନା ଧାର୍ମିକତା ଏବଂ ଆତୁରତା ଭିତରେ ଯେ କାଳକ୍ରମେ ମର୍ଯ୍ୟାଦା ହରାଇ ବସିଛି, ଆମେ କେତେକ ଯୁକ୍ତିର ସହିତ ଏଇଟିକୁ ମଧ୍ୟ ସେଥିପାଇଁ ଦାୟୀ କରିପାରିବା ।

 

ସମାଜରେ ସବୁ ମଣିଷଙ୍କ ପାଇଁ ଯେ ଅନ୍ନସଂସ୍ଥାନ ହୋଇପାରିବ; ଏହି ଅସଲ ମାନବତାବାଦୀ ସତ୍ୟଟି ପ୍ରଥମେ ଇଉରୋପରେ ହିଁ ମନୁଷ୍ୟଜାତିକୁ ପ୍ରାପ୍ତ ହୋଇଛି । ଭାରତବର୍ଷରେ ଭାଗ୍ୟର କଥା କହି ସେହି ପ୍ରଶ୍ନଟିକୁ ଏଡ଼ାଇ ଦିଆଯାଇଛି । ଭାଗ୍ୟ ଅନୁସାରେ ଫଳ, ତେଣୁ ଏହି ସଂସାରରେ ସମସ୍ତଙ୍କର ଉଦୟ ବି ହେବ ବୋଲି ଆମେ କିପରି କହିପାରିବା ? ଇଉରୋପରେ ମଧ୍ୟ ଏକଦା ମଣିଷ ମଣିଷ ଭିତରେ ଉତ୍କଟତା ଦୂରତାମାନ ରହିଥିଲା; ଦାରିଦ୍ର୍ୟ ଥିଲା, ସାମାଜିକ ନାନା ଅବିବେକ ରହିଥିଲା । ଆଧୁନିକ ଯୁଗର ଉନ୍ମେଷଣା ଏବଂ ନବୋନ୍ମୋଚନ ଗୁଡ଼ିକ ମନୁଷ୍ୟର ଦ୍ଵାର ଉପରେ ଆସି ଆଘାତ କରିବା ସଙ୍ଗେ ସଙ୍ଗେ ସେଠାରେ ଉଦ୍ୟମ ବଳରେ କ୍ରମେ ସବୁ ବଦଳିଗଲା । ସୁଯୋଗଗୁଡ଼ିକୁ ଅଧିକରୁ ଅଧିକ ସମାନ କରି ଅଣାଗଲା, ସବୁ ପିଲା ପାଠ ପଢ଼ିଲେ, —ବିଜ୍ଞାନ ଅନୁକୂଳତା ପାଇ ସେହି ପ୍ରକ୍ରିୟାରେ ସହଯୋଗ କରିଥିଲା । ନରେଶମାନେ ବିଦାହେଲେ, ଗଣତନ୍ତ୍ରର ବିଚାର ଆସିଲା । କେବଳ ନିଜପ୍ରତି ନୁହେଁ, ମଣିଷମାନେ ପରସ୍ପର ପ୍ରତି ମଧ୍ୟ ପୂର୍ଣ୍ଣ ଦାୟୀ ବୋଲି ଅନୁଭବ କଲେ । ସେହି ମୁତାବକ ଶିକ୍ଷା ପାଇଲେ । ଅତୀତ ଅଢ଼ି ବସିଲେ ତା’ ବିରୁଦ୍ଧରେ ଆନ୍ଦୋଳନ ହେଲା, ବିପ୍ଳବ ଏବଂ ରକ୍ତପାତ ମଧ୍ୟ ହେଲା । ତଥାପି ପରିବର୍ତ୍ତନ ନିମନ୍ତେ ବାଟ ଛାଡ଼ି ଦିଆଗଲା । ଭାରତବର୍ଷରେ ତାହା ହୋଇ ପାରିଲାନାହିଁ କାହିଁକି ? ଯଦି ତାହା ହୋଇ ପାରିଲାନାହିଁ, ତେବେ ତାହା ବଦଳରେ ଆଉ କ’ଣ ହେଲା । ନିଜ ଆଖିରେ ଇଉରୋପ ଓ ଇଉରୋପର ମଣିଷକୁ ଦେଖିନଥିଲେ ମୁଁ ହୁଏତ କେବେହେଲେ ନିଜକୁ ଏସବୁ ପ୍ରଶ୍ନ ପଚାରି ନଥାନ୍ତି । ନିଜ ଦେଶରେ ପାଠ ପଢ଼ି ବଡ଼ ହୋଇଥାନ୍ତି, ମୋ’ ସଂସ୍କୃତି ଓ ମୋ’ର ସବୁକିଛି ପୃଥିବୀ ଯାକରେ ବଡ଼ ବୋଲି ହୁଏତ ଆସ୍ଫାଳନ କରି ଶିଖିଥାନ୍ତି । ମଣିଷମାନଙ୍କ ଭିତରେ ରହି ମଧ୍ୟ ମଣିଷମାନଙ୍କୁ ବର୍ଣ୍ଣ ରୂପେ ଲାଭ କରି ପାରିନଥାନ୍ତି । ଓଲଟି ସେମାନଙ୍କଠାରୁ ଅଧିକ ବଡ଼ ହୋଇ ଦିଶିବାକୁ ଅଧିକ ଜମା କରିଥାନ୍ତି । ଅଧିକରୁ ଅଧିକକୁ ଆଣି ନିଜର ଉଦରଟା ଭିତରେ ପକାଇ ଦେବାକୁ ଯୁଗଧର୍ମ ବୋଲି କହିଥାନ୍ତି । ପ୍ରାଚୀନ ଉପନିଷଦର ଭାଷାରେ ଆତ୍ମଘାତୀ ହୋଇଥାନ୍ତି । ଭାରି ଭଲ ହେଲା, ଜୀବନର ଏକ ଠିକଣା ପର୍ଯ୍ୟାୟରେ ମୋ’ ଏଷଣା ଏବଂ ସମ୍ବେଦନାର ଘରେ ଇଉରୋପନାମକ ଗବାକ୍ଷଟିଏ ଖୋଲି ଯାଇଥିଲା । ମୁଁ ବଞ୍ଚିଗଲି ।

 

ଭାରତବର୍ଷର ତୁଳନାରେ ଇଉରୋପରେ ଜାତୀୟତାବାଦର ମଧ୍ୟ ଏକ ଅଧିକ ସୁସ୍ଥ ଇତିହାସ ରହିଛି । ଜାତୀୟତାବାଦ ଇଉରୋପରେ ସବୁ ମନୁଷ୍ୟଙ୍କ ନିମନ୍ତେ ସର୍ବନିମ୍ନ ସଂସ୍ଥାନଗୁଡ଼ିକୁ ଉପଲବ୍ଧ କରାଇବାରେ ପ୍ରେରଣାରୂପେ କାର୍ଯ୍ୟ କରିଆସିଛି । ମଣିଷ ମଣିଷ ମଧ୍ୟରେ ଅଧିକ ସମତାର ପ୍ରେରକ ହୋଇଛି । ଭାରତରେ ଅନ୍ୟ ପକ୍ଷରେ; ଆମ ଜାତୀୟତାବୋଧକୁ ଆମେ ମାତ୍ର ଥୋକେ ମଣିଷଙ୍କର ଏକ ଲମ୍ପଟତାପୂର୍ଣ୍ଣ ଭାବପ୍ରବଣତାରେ ପରିଣତ କରି ଦେଇଛୁ । ଦେଶରେ ଆମେ ପାହାଡ଼, ନଈ, ଚଢ଼େଇ ଓ ଆକାଶକୁ ଏତେ ଅତିଗ୍ରସ୍ତ ଭାବରେ ଦେଖିବାକୁ ମନ କରିଛୁ ଯେ, ଏଠାରେ ବାସ କରୁଥିବା ଏବଂ ଆମ ସାମୂହିକ ଜୀବନବ୍ୟାପାରର ଯାବତୀୟ ଅବସର ତଥା ଉପଅବସରରେ ଆମର ସଙ୍ଗକାମନା କରୁଥିବା ମଣିଷମାନଙ୍କୁ ଦେଖିବା ସକାଶେ ଆମକୁ କୌଣସି ସମୟ ମିଳିନାହିଁ । ଏଠି, ଅନ୍ତତଃ ଭାଗ୍ୟବଳେ, ଉପରେ ଅଧିକ ସମ୍ପନ୍ନ ହୋଇ ରହିଥିବା କତିପୟ ମନୁଷ୍ୟ ଅନ୍ୟ ମନୁଷ୍ୟମାନଙ୍କୁ ସେମାନେ ଜମା କରିଥିବା ବସ୍ତୁଗୁଡ଼ାକର ତୁଳନାରେ ପ୍ରାୟ କମ୍ ମୂଲ୍ୟବାନ୍ ପରି ଦେଖି ଆସିଛନ୍ତି । ଏକଦା କରୁଣା କାଲମାର୍କସ୍ ଯେପରି ଗ୍ରୀକ୍ ଦର୍ଶନରେ ପ୍ରଚାରିତ ହୋଇଥିବା ଦୁଇ ପ୍ରକାରର ବସ୍ତୁବାଦର ତୁଳନା ଓ ଆଲୋଚନା କରିଥିଲେ, ମୂଳତଃ ଜିଜ୍ଞାସାର ହିଁ ଚକ୍ଷୁ ନେଇ ଉଉରୋପୀୟ ଏବଂ ଭାରତୀୟ ବସ୍ତୁବାଦର ଏକ ତୁଳନା ଓ ଆଲୋଚନା କରିଥିଲେ, ମୂଳତଃ ଜିଜ୍ଞାସାର ହିଁ ଚକ୍ଷୁ ନେଇ ଉଉରୋପୀୟ ଏବଂ ଭାରତୀୟ ବସ୍ତୁବାଦର ଏକ ତୁଳନାତ୍ମକ ଆଲୋଚନା ହୋଇପାରନ୍ତା ।

 

ଆଉ ଗୋଟିଏ ଭୂଇଁରେ ଥାଇ ଅଧିକ ନିଷ୍କପଟ ଭାବରେ ଯେ ଆପଣା ଭୂଇଁଟିକୁ ତଉଲି ହୁଏ ଏବଂ ଅନୁଭବ କରିହୁଏ, ଉତ୍ତର ଇଉରୋପରେ ସେହି କେତେ ବର୍ଷରେ ମୁଁ ସେହି କଥାଟିକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ବୁଝି ପାରିଥିଲି । ଆହୁରି ବଡ଼ କଥା ହେଉଛି, ଅଙ୍ଗୀକାରବଦ୍ଧ ହୋଇ ମୁଁ ନିଜର ଦେଶଟିକୁ ସ୍ଵୀକାର ବି କରିନେଇ ପାରିଲି । ଶାନ୍ତିନିକେତନରେ ଭାରତବର୍ଷର ମହିମାମୟ ଐତିହ୍ୟର ବହୁବିସ୍ତାରଯୁକ୍ତ ଦୃଶ୍ୟପଟଟି ମୋ’ ଭିତରେ ଯେପରି ତିଆରି ହୋଇ ରହିଥିଲା, ସେଇଟି ଆଦୌ ଚହଲି ଗଲାନାହିଁ ସତ, —ମାତ୍ର ଇଉରୋପ ମୋତେ ମୋ’ ଦେଶକୁ ଅଧିକ ସମଗ୍ର ଭାବରେ ଦେଖିବାର ଆଖିଗୁଡ଼ିକୁ ଆଣି ଯୋଗାଇ, ଦେଇଥିଲା । କେବଳ ଭାରତବର୍ଷର ମୁକୁଟଟାକୁ ନୁହେଁ, ମୂଳଗୁଡ଼ିକୁ ଦେଖିବାଲାଗି ମଧ୍ୟ ମୋ’ ଭିତରେ ସ୍ଵତଃ ଏକ ଶ୍ରଦ୍ଧା ଆସିଥିଲା । ସବାମୂଳରେ ମୁଁ ମଣିଷମାନଙ୍କୁ ଦେଖିଲି, ନିଜ ସହିତ ସାମିଲ୍ କରି ଦେଖିପାରିଲି । ଏବଂ ଇଉରୋପର ଇତିହାସରେ ସତେ ଅବା ସିଡ଼ି ପରି ଯେଉଁ କ’ଣଟିଏ ଦେଖିବାକୁ ମିଳିଲା, ଭାରତବର୍ଷର ଇତିହାସରେ ତାହାକୁ ଆଦୌ ଅନ୍ଦାଜ କରି ପାରିଲିନାହିଁ । ବିଶ୍ଵବିଦ୍ୟାଳୟରେ ମନୋବିଜ୍ଞାନ ଅଧ୍ୟୟନ କରୁଥିଲି, ଏବଂ ଏଥର ଏକାଧିକ ଗ୍ରନ୍ଥାଗାରରେ ଇଉରୋପର ଇତିହାସକୁ ଘାଣ୍ଟି ଦେଖିବାକୁ ଅଧିକ ମନ ହେଲା । ସେଠାରେ ଘଟିଥିବା ଘଟଣାଗୁଡ଼ିକର ତାତ୍ପର୍ଯ୍ୟକୁ ବୁଝିବାକୁ ପ୍ରୟାସ କଲି । ଏବଂ, ଏହିସବୁ ସହିତ, ସେଠାକାର ଜୀଅନ୍ତା ଜୀବନଟି ସହିତ ଅଧିକ ଅନ୍ତରଙ୍ଗ ଭାବରେ ସମ୍ମିଳିତ ହୋଇଗଲି । ଦେଶାତ୍ମବୋଧ ଭିତରେ କେଉଁଠି ଏକ ଶ୍ରଦ୍ଧା ତ ଅବଶ୍ୟ ରହିଥାଏ, ମାତ୍ର ଶ୍ରଦ୍ଧା ପଛରେ ଏକ ଦେଶକୁ ନିଜର ବା ମୋ’ର ବୋଲି କହିବାରେ ଯେଉଁ ଗୌରବବୋଧ ମଧ୍ୟ ରହିଥାଏ, ତା’ ସହିତ ଗୋଟାଏ ଅହଙ୍କାର ମଧ୍ୟ ଖୁବ୍ ଗାତ୍ରଗୋପନ କରି ରହିଥାଏ । ଗ୍ରୀକ୍ ଭାଷାରେ ତାହାକୁ Hubris ବୋଲି କୁହା ଯାଇଥିଲା । ନିଜକୁ ଭାରତୀୟ ବୋଲି ଅନୁଭବ କରିବାରେ ମୋ’ ଭିତରେ ଯେଉଁ ଗୌରବବୋଧ ପ୍ରାୟ ସାକାର ହୋଇ ରହିଥିଲା, ଇଉରୋପର ସନ୍ନିଧ୍ୟାନକୁ ଆସି ମୋ’ର ସେହି ହୁବ୍ରିସ୍ ବହୁ ପରିମାଣରେ କଟି ଯାଇଥିଲା । ଓଡ଼ିଶାରେ ଏଡ଼େରୁ ଏଡ଼େଟିଏ ହୋଇଥିବା ଜଣେ ବ୍ୟକ୍ତି ହିସାବରେ ମଧ୍ୟ ମୋ’ ବିଷୟରେ ସେହିକଥା କୁହାଯାଇ ପାରିବ ।

 

ବହିରୁ ଇଉରୋପକୁ ଜାଣିବା ସବୁଦିନ ପାଇଁ ପରିପୂରକ ସିନା ହୋଇ ରହିଲା, ମାତ୍ର ଇଉରୋପକୁ ଇଉରୋପରେ ବାସ କରୁଥିବା ମନୁଷ୍ୟମାନଙ୍କର ଦର୍ପଣ ଦ୍ଵାରା ଜାଣିବା ମୋ’ ପାଇଁ ପ୍ରାଥମିକ ଓ ପ୍ରଧାନ ହୋଇ ରହିଲା । ଏବେ ମଧ୍ୟ ସେହିଭଳି ରହିଛି । ମଣିଷମାନଙ୍କ ସହିତ ମୋର ପରିଚୟ ସେଠାରେ ପୁରୁଷ ପୁରୁଷ ହୋଇ ଗଡ଼ି ଆସିଛି । ଆଗ ମଣିଷ ଭଲ ଲାଗିଲେ ତା’ର ଭାଷାଟି ଭଲ ଲାଗେ ଓ ଅତ୍ୟନ୍ତ ସହଜ ହୋଇଥାଏ । ଇଉରୋପକୁ ଖାଲି ପାଠ ପଢ଼ି ଜୀବିକାର ବଜାରରେ ନିଜର ପଣ୍ୟମୂଲ୍ୟ ବଢ଼ାଇବାକୁ ଯାଇଥିଲେ ହୁଏତ ତାହା ମୋଟେ ହୋଇ ପାରିନଥାନ୍ତା-। ମୁଁ ସେଠାରେ ଘରୁ ପ୍ରବାସକୁ ପ୍ରେରିତ ଗୋଟିଏ ସୁନାପୁଅ ପରି ସେଠି ପାଠ ପଢ଼ିଥାନ୍ତି, କୃତିତ୍ତ୍ଵ ଅର୍ଜନ କରିଥାନ୍ତି ଏବଂ ଘରକୁ ଫେରି ଆସି ଏଠି ହୁଏତ ଉଚ୍ଚଶିକ୍ଷାପ୍ରାପ୍ତ ଜଣେ ଉପଦ୍ରବୀ ହୋଇଥାନ୍ତି । ଆପଣାର ଦେଶଦ୍ଵାରା ପାଳିତ ଓ ପୁଷ୍ଟ ହେଉଥିଲେ ମଧ୍ୟ ତାହାର ମଣିଷମାନଙ୍କୁ ଘୃଣା କରୁଥାନ୍ତି, ସେମାନଙ୍କୁ ଚତୁରପଣେ ବାଦ୍ ଦେଇ ଏହି ଦେଶ ବିଷୟରେ ବହୁ ଆଡ଼ମ୍ବରକଥା ମଧ୍ୟ କହୁଥାନ୍ତି । ବର୍ତ୍ତମାନକୁ ଦେଖିବିନାହିଁ ବୋଲି ଦେଶର ଅତୀତକୁ ପ୍ରାୟ କାମାସକ୍ତ ଭାବରେ କହିବାରେ ଲାଗିଥାନ୍ତି । ମାତ୍ର, ସେପରି ହେବାର ନଥିଲା । ପ୍ରବାସ କରି ଗଲାବେଳେ ନିଜର ଘରଟିକୁ ମୁଁ ଯେତିକି ଜାଣିଥିଲି, ପ୍ରବାସରୁ ଫେରି ତାହାକୁ ମୁଁ ଦଶଗୁଣ ଅଧିକ ନିବିଡ଼ ଭାବରେ ଚିହ୍ନିଲି । ଆଖି ଉପରୁ ଅନେକ ମିଛ Myth ଆପେ ଆପେ ଖସିପଡ଼ିଲା । ହୃଦୟ ସ୍ଵଚ୍ଛ ହେଲା-। ସ୍ଵଚ୍ଛ ଭାବରେ ଗ୍ରହଣ କରି ଶିଖିଲା, ସ୍ଵଚ୍ଛ ଭାବରେ ଦେଇ ବି ଶିଖିଲା । ଜୀବନରେ ଏହିପରି ଭାବରେ ଦ୍ଵିଜ ହେବାରେ ଇଉରୋପ ସହିତ ସେଇଦିନୁ ଲାଗିଥିବା ମୋ’ର ଖିଅଗୁଡ଼ିକ ମୋତେ ଖୁବ୍ ସାହାଯ୍ୟ କରିଛି । ଏବେ ମଧ୍ୟ କରୁଛି ।

 

ଇଉରୋପ ମୋତେ ଅଧିକ ଟାଣ କଲା । ମୂଳତଃ ଭାରତବର୍ଷ ପାଇଁ ମୋତେ ଅଧିକ ଟାଣ କରିଥିଲା । ନିଜର ସବୁକିଛିକୁ ସମୀକ୍ଷାତ୍ମକ ଭାବରେ ଦେଖିବାର ଆଖିଗୁଡ଼ିକୁ ଆଣି ଯୋଗାଇଦେଲା । ଭାରତବର୍ଷରେ ଜନ୍ମହୋଇ, ଭାରତବର୍ଷର ଲାଳନ ଦ୍ଵାରା ପୁଷ୍ଟ ହୋଇ ମୁଁ ନିଜ ପାଇଁ ଯେଉଁସବୁ ମୂଳଭୂତ ପ୍ରତ୍ୟୟଗୁଡ଼ିକୁ ପୁଞ୍ଜି ରୂପେ ପାଇଥିଲି, ଇଉରୋପ ସତେଅବା ସେଥିରେ ଆବଶ୍ୟକ ହାତଗୋଡ଼ ଆଣି ଖଞ୍ଜି ଦେଲା । ଆଗକୁ ଆଖି ଅବଶ୍ୟ ଥିଲା, ଏବଂ ଇଉରୋପ ସହିତ ଅନ୍ତରଙ୍ଗ ଭାବରେ ସମ୍ମିଳିତ ହୋଇ, ଇଉରୋପର ବିଦ୍ୟାଗୁଡ଼ିକୁ ପଢ଼ି ଏବଂ ଇଉରୋପର ଇତିହାସ ଭିତରକୁ ଭେଦି ମୁଁ ସେହି ଆଖିପାଇଁ ହାତଗୋଡ଼ ସଂଗ୍ରହ କରି ଆଣିଥିଲି । ଜାତି ହରାଇଲି, ଦ୍ଵିଜ ହୋଇ ସର୍ବତ୍ର ଅବାଧ ଭାବରେ ପ୍ରବେଶ କରିବାର ଏବଂ ସବୁଠାରେ ଅବାଧ ଭାବରେ ଉପକୃତ ହେବାର କଳାଟିକୁ ଶିକ୍ଷା କରି ପାରିଥିଲି । ସେଇଦିନୁ ଜୀବନଟା ପ୍ରକୃତରେ ସତେଅବା ଏକ ଉତ୍ସବ ପରି ଲାଗିଆସିଛି । ଯଦି ତୁମେ ଅବାଧରେ ଅର୍ଜନ ଓ ଆହରଣ କରି ପାରୁଥିବ, ଯଦି ଅବାଧ ଓ ସହଜ ଭାବରେ ଯାବତୀୟ କ୍ଷେତ୍ରରେ ଆପଣାକୁ ଦେଇ ପାରୁଥିବା, ଯଦି କେଉଁଠି— ହେଲେ ଘର ବା ପର ବାରୁନଥିବ, ଯଦି ଭୁବନଯାକର ସୂତ୍ର ତୁମକୁ କେବଳ ଗୋଟିଏ ଗୋଟିଏ ସୁହୃତ୍‍ସୂତ୍ର ସଦୃଶ ଅନୁଭବ ହେଉଥିବ, ତେବେ ତୁମର ଯାବତୀୟ ମୁହୂର୍ତ୍ତ ପ୍ରକୃତରେ ଉତ୍ସବରେ ହିଁ ପରିଣତ ହୋଇଯିବ । ଏଥିଭିତରେ ବି ଝୁଣ୍ଟିବା ଥିବ, ପଡ଼ିବା ରହିଥିବ, ତୁମେ ବେଳେ ବେଳେ ଧୋକା ବି ଖାଉଥିବ, ବୋକା ଅବଶ୍ୟ ବନୁଥିବ; ତଥାପି ଅନୁକ୍ଷଣ ସତେଅବା ଯାହାରି ଉଦ୍ଦେଶ୍ୟରେ ଯାତ୍ରାରେ ବାହାରିଛି, ତାହାରି ଅଧିକ ନିକଟବର୍ତ୍ତୀ ହୋଇ ଆସୁଥିବ ।

 

ହଁ, ଇଉରୋପ ମୋତେ ପ୍ରକୃତରେ ଟାଣ କରି ଆଣିଥିଲା । ଭାରି ଭଲ ହେଲା, ମୁଁ ଭାରତର ବାହାରକୁ ଗଲି । ଭାରତବର୍ଷ ମୋ’ର ଯେ ଘର, ଏହି କଥାଟିକୁ ମୁଁ ପ୍ରଥମେ ଭାରି ଏକ ଆଖିଆ ହୋଇ ଭାବୁଥିଲି । ମୁଁ ଏହି ଜଗତଯାକରେ ଶ୍ରେଷ୍ଠ ବୋଲି ଭାବିବାର ଗୋଟାଏ ସଉକ ବା ସରାଗ ମୋତେ ନିଜ ଭିତରେ ସତେଅବା କିଞ୍ଚିତ୍ ସଙ୍କୁଚିତ କରି ରଖିଥିଲା । ନିଜ ଭିତରେ ନିଜ ବିଷୟରେ କେଉଁଠି କୌଣସି ସ୍ପର୍ଶକାତରତା ରହିଥିଲେ ଜଣେ ମଣିଷ ବାହାରେ ସତେଅବା ପ୍ରୟୋଜନରେ ପଡ଼ି ଆପଣାକୁ ଅଧିକ ବୋଲି ଦେଖାଇ ହୁଏ ଓ ଭିତରେ ଭାରି ହୀନମନ୍ୟ ହୋଇ ରହିଥାଏ । ଇଉରୋପକୁ ଯେତିକି ଜାଣିଲି ଇଉରୋପର ଘର ଓ ପରିବାରଗୁଡ଼ିକ ସହିତ ଯେତିକି ଅକୃପଣ ଭାବରେ ମିଶିପାରିଲି, ମୋ’ ଭିତରେ ସେତିକି ସେତିକି କ’ଣ ସବୁ ହିଡ଼ ଓ ବାଡ଼ ଭାଙ୍ଗିଯିବା ପରି ମନେ ହେଲା । ସ୍ପର୍ଶକାତରତା ଆଉ ଆକର୍ଷକ ବୋଲି ମନେ ହେଲାନାହିଁ, ଭଗବାନ ସାରା ପୃଥିବୀର ବୋଲି ଅନୁଭବ ହେଲା । ସିଏ ଭାରତବର୍ଷ ପ୍ରତି ବିଶେଷ ଅନୁକମ୍ପା ରଖିଥାଆନ୍ତି ବୋଲି ଭାରତ ବର୍ଷରେ ଯେଉଁ ଭାବନାଟିକୁ ମୁଁ କେତେ ଉଲ୍ଲସିତ ଭାବରେ ଭାବି ଆସିଥିଲି, ସେଇଟା ଭିତରେ ମୋ’ ନିଜର ହାନି କଲାଭଳି ଓ ମୋତେ କେଉଁ ଗୁମ୍ଫା ଭିତରେ ଅଟକି ରହିଯିବା ସକାଶେ ପ୍ରରୋଚନା ଦେଲାଭଳି କିଛି ମଇଳା ତଥାପି ରହିଥିଲା ବୋଲି ମୋତେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଦେଖାଗଲା । ଇଏ ପ୍ରକୃତରେ ଏକ ବିଚିତ୍ର ଶିକ୍ଷା,–ତଥାପି ଜୀବନଲାଗି ଏକ ଅତ୍ୟନ୍ତ ମୂଲ୍ୟବାନ୍ ଶିକ୍ଷା । ସତକୁ ସତ ଟାଣ ହେବାର ଶିକ୍ଷା । ଆପଣାକୁ ପ୍ରସାରିତ କରି ଦେବାଦ୍ଵାରା ନିଜର ଆଦ୍ୟ ମୂଳଦୁଆଟିରେ ରହିଥିବା ତୁମର ସ୍ୱପରିଚିତର ଚେରଟି ଯେ ଆଦୌ କୌଣସି ପ୍ରକାରେ ଦୋହଲି ଯାଏନାହିଁ, ଏହା ହେଉଛି ତାହାରି ଶିକ୍ଷା । ଏଥର ମୁଁ ସମଗ୍ର ବିଶ୍ଵକୁ ମୋ’ ପ୍ରେରଣାର ବିଦ୍ୟାଳୟ ରୂପେ ଗ୍ରହଣ କରିବି । ମୋ’ ସଂପ୍ରତ୍ୟୟ ତଥା ସଂବେଦନାର ଖିଅଗୁଡ଼ିକୁ ଲମ୍ବାଇ ଲମ୍ବାଇ ନେବାରେ ମୁଁ କୌଣସି ତ୍ରୁଟି କରିବି ନାହିଁ । ତଥାପି ନିଜର ଘରଟି ସହିତ ଯୋଡ଼ା ହୋଇ ରହିଥିବି । ପୃଥିବୀରେ ମୋତେ ସମସ୍ତେ ପଥିକବତ୍ ମନେ ହେବେ, ତଥାପି ମୋ’ ନିଜ ବାଟଟିକୁ ନିଜର ଭୂଇଁରେ ଚାଲିବାରେ ମୋତେ କୌଣସି କ୍ଳାନ୍ତି ଆସି ଗ୍ରାସ କରି ପାରିବନାହିଁ । ଭାରତବର୍ଷରୁ ବାହାରକୁ ନଆସିଥିଲେ ମୁଁ ଭାରତବର୍ଷକୁ ପ୍ରକୃତରେ ଭାରି ଖଣ୍ଡିଆ କରି ଜାଣିଥାନ୍ତି ।

 

ଶାନ୍ତିନିକେତନରେ ଦର୍ଶନର ପ୍ରାୟ ଏକ କ୍ରୋଡ଼ ପୃଷ୍ଠା ରୂପେ ମୁଁ ମନୋବିଜ୍ଞାନ ପଢ଼ିଥିଲି-। ଇଉରୋପରେ ମନୋବିଜ୍ଞାନ ହିଁ ମୋ’ ଅଧ୍ୟୟନର ମୁଖ୍ୟ ଭୂମି ହୋଇ ରହିଲା-। ଏହି ମନୋବିଜ୍ଞାନ ହେଉଛି ଯାବତୀୟ ଅର୍ଥରେ ଏକ ଅବବତରଣର ପ୍ରକ୍ରିୟା । ମଣିଷ ଯେତେବେଳେ ଅଜାଣତରେ ଅନବଧାନରେ ଉପରୁ ତଳକୁ ଖସି ଆସେ, ସେତେବେଳେ ସିନା ତାହାକୁ ଏକ ପ୍ରମାଦ ବୋଲି କୁହାଯିବ । କିନ୍ତୁ, ଆପଣାର ଆରୋହଣଲବ୍ଧ ଆଖିଗୁଡ଼ିକୁ ନେଇ ଯଦି ତୁମେ ସଚେତନ ଭାବରେ ପୁନର୍ବାର ଭୂମିମୁହାଁ ହୋଇ ଅବତରଣ କରିବ, ସେଥିରେ ଆଦୌ କୌଣସି ଅନିଷ୍ଟ ହେବନାହିଁ । ମୋ’ ଦର୍ଶନ ଅଧ୍ୟୟନ ମୋତେ ଆରୋହଣର ପ୍ରଥମ ପର୍ଯ୍ୟାୟଟି ମଧ୍ୟରେ କେତେ କ’ଣ ସତ୍ୟ ସମ୍ଭାବନାର ପରିଚୟ ଆଣି ଦେଇଥିଲା । ସେତେବେଳେ ଡେଣାଗୁଡ଼ିକ ହିଁ ମୋ’ର ସର୍ବପ୍ରଧାନ ସନ୍ତକ ଓ ସାଧନ ହୋଇ ରହିଥିଲେ । ମନୋବିଜ୍ଞାନ ମୋତେ ତଳକୁ ଓହ୍ଲାଇ ଆଣିଲା । ଆରୋହଣର ଦୀପ୍ତି ମଧ୍ୟରେ ଯଦି କେହି ନିଜର ଅବତରଣକୁ ଥିର ହୋଇ ଦେଖିଥିବ, ତେବେ ନିଜକୁ ସତକୁ ସତ ଏକ ଜନନୀ ବୋଲି ଅନୁଭବ କରିବାକୁ ଆରମ୍ଭ କରିବ । ପ୍ରଭାବସମର୍ଥ ହେବ ଆପଣା ଭିତରୁ ଆପଣାର ସର୍ବୋତ୍ତମଟିକୁ ସର୍ଜି ଆଣି ପାରିବ । ଭାରି ଭଲ ହେଲା, ଆରୋହଣର ହାନ୍ଦୋଳାରେ ବସି ମୁଁ ଆଦୌ କେଉଁଠାକୁ ପଳାଇ ଗଲିନାହିଁ । ଖାଲି ଆରୋହଣ କରୁଥିବା ମଣିଷମାନେ ବି ଆଉ ଏକ ପ୍ରକାରର ଗୁମ୍ଫା ଭିତରେ ପଶି ଯାଇଥାନ୍ତି,––ସେଠୁ ଓହ୍ଲାଇ ଆସି ପାରୁନଥାନ୍ତି ବୋଲି ଭାରି ଛଟପଟ ହେଉଥାନ୍ତି । ଏହି ଭୂମିରୁ ହିଁ ସୋପାନ ସୋପାନ ପାରିହୋଇ ଯଦି ତୁମେ ଆପଣାର କୌଣସି ଶିଖରରେ ଯାଇ ପହଞ୍ଚି ପାରିଛ, ତେବେ ଶିଖର ଦେଶରୁ ଗୋଟାସୁଦ୍ଧା ଖୁସୀ ହୋଇ ପାହାଚ ପାହାଚ ଓହ୍ଲାଇ ଆସିବାକୁ ସେମାନଙ୍କୁ କାହିଁକି ସୁଖ ଲାଗୁନଥାଏ କେଜାଣି ? ମନୋବିଜ୍ଞାନର ବୋଲ ମାନି ଏକାବେଳେକେ ଏହି ଭୂଇଁକୁ ଅବତରଣ କରି ଆସି ମୁଁ ଆରୋହଣର ମଧ୍ୟ ଆଦୌ କମ୍ ସନ୍ଧାନ ପାଇନାହିଁ । ଆରୋହଣ ଏବଂ ଅବତରଣ, ଏହି ଦୁଇଟିଯାକ ପ୍ରକ୍ରିୟାକୁ ଯିଏ ଅବଲୀଳା କ୍ରମେ ନିଜ ଜୀବନରେ ସାଧ୍ୟ କରି ଶିଖିଛି, ପୃଥିବୀର ସବୁଯାକ ସତ୍ୟ ତା’ପାଖରେ ସବୁଦିନେ ଋଣୀ ହୋଇ ରହିବେ । ଆରୋହଣ କରି ଓହ୍ଲାଇ ପାରୁନଥିବା ସେହି ସନ୍ତାପିତ ବିଶିଷ୍ଟମାନେ ସତେଅବା ନିଜକୁ ଭୁଲାଇବା ନିମନ୍ତେ ଯେଉଁଯାଏ ଯାଇ ପହଞ୍ଚିଛନ୍ତି, ତାହାକୁ ସ୍ଵର୍ଗ ବୋଲି କହୁଥିବେ; ଏବଂ ତଳକୁ ଅନାଇ ଆମକୁ ଅବର ମଣି ହୁଏତ କିଞ୍ଚିତ୍ ତୃପ୍ତି ମଧ୍ୟ ପାଉଥିବେ । ସତ କଥାଟି ହେଉଛି, ସେଠି ସତ୍ୟକୁ ଦେଖିଥିବା ଜଣେ ବ୍ୟକ୍ତି ଏଠାରେ ମଧ୍ୟ ସତକୁ ଦେଖିବ, ଉପର ସ୍ତରଗୁଡ଼ିକ ଭେଦ କରି ଅନ୍ତରର ମହାପ୍ରାଣଟିକୁ ଅବଶ୍ୟ ପ୍ରତ୍ୟକ୍ଷ କରିବ । ପ୍ରମାଦଗୁଡ଼ିକ ମଧ୍ୟରୁ ପ୍ରତିଶ୍ରୁତିଗୁଡ଼ିକୁ ଅବଶ୍ୟ ଘ୍ରାଣ କରି ପାରିବ, ମୋଟେ ନାକ ଟେକି ସିଆଡ଼େ ରହିଯିବନାହିଁ ।

 

ପ୍ରଥମ କେତେ ମାସ ଡେନିଶ୍ ଭାଷା ଜଣାନଥିଲା ବୋଲି ମୁଁ ବିଶ୍ୱବିଦ୍ୟାଳୟରେ ସାଧାରଣ ଶ୍ରେଣୀପାଠ ଗୁଡ଼ିକରେ ଯୋଗ ଦେଇପାରୁନଥିଲା । ଡେନିଶ୍ ଭାଷା ଶିଖୁଥିବାର ସେହି ପର୍ଯ୍ୟାୟଟିରେ ମୋତେ ବିଭାଗୀୟ ଜଣେ ଅଧ୍ୟାପକ ଫ୍ରାନଜ୍ ପ୍ରଂମଙ୍କ ସହିତ ଯୋଡ଼ି ଦିଆ ଯାଇଥିଲା । ସିଏ ମୋତେ ମନୋବିଜ୍ଞାନର ଇଂରାଜି ବହିମାନ ପଢ଼ିବାକୁ ଦେବେ, —ସେହି ବହିଗୁଡ଼ିକୁ ପଢ଼ି ମୁଁ ଟୀକା କରି ରଖିବି ଏବଂ ବହିଟି ବିଷୟରେ ନିଜର ମନ୍ତବ୍ୟଟିଏ ବି ଲେଖିଦେବି-। ସେଇଥିରୁ ଆପାତତଃ ମୋ’ର ମୂଲ୍ୟାୟନ ହେଉଥିବ । ସର୍ବ ପ୍ରଥମ ଯେଉଁ ବହିଟିକୁ ମୁଁ ତାଙ୍କଠାରୁ ପାଇଥିଲି, ସେଇଟି ଇଂଲଣ୍ଡର ଜଣେ ମନୋବିଜ୍ଞାନ ଅଧ୍ୟାପକ ପ୍ରାୟ ଶହେ ବର୍ଷ ତଳେ ଲେଖିଥିଲେ । ମନୁଷ୍ୟର ବ୍ୟକ୍ତିତ୍ଵ ଓ ଚରିତ୍ର ବିଷୟରେ ବହିଟି ଲେଖା ହୋଇଥିଲା-। ବହିଟା ମୋତେ ଅତ୍ୟନ୍ତ ମରହଟିଆ ଲାଗିଥିଲା । ମନେ ମନେ ରଚୟିତାଙ୍କ ଉପରେ କେତେନା କେତେ ହସିଲି ଏବଂ ନିଜର ଲିଖିତ ମନ୍ତବ୍ୟଟିରେ ତାଙ୍କୁ ଏକାବେଳେକେ ରସାତଳକୁ ପଠାଇ ଦେବାକୁ ମନସ୍ଥ କଲି । ବହିଟି ପ୍ରଣୀତ ହେଇଥିବା ସମୟରେ ବିଚରା ମନୋବିଜ୍ଞାନ ଶିଶୁଟିଏ ଥିଲା, ନିଜକୁ ସ୍ଵୀକୃତ କରାଇବା ଲାଗି ତାକୁ ପଦାର୍ଥ ବିଜ୍ଞାନର ପଦ୍ଧତି ଉପରେ ଭାରି ନିର୍ଭର କରିବାକୁ ପଡ଼ୁଥିଲା-। ଲେଖକ ଏକ ଜ୍ୟାମିତିକ ଶୈଳୀରେ ବହିଟିକୁ ପ୍ରଣୟନ କରିଥିଲେ । ସାମାନ୍ୟ କଥନ, ବିଶେଷ କଥନ, ଅଙ୍କନ ବା ସଂଯୋଜନ, ପ୍ରମାଣ, ସିଦ୍ଧାନ୍ତ ଓ ଅନୁସିଦ୍ଧାନ୍ତର ଶୈଳୀରେ-। ମଣିଷର ଯାବତୀୟ ବୃତ୍ତି ଓ ପ୍ରବୃତ୍ତିକୁ ବିଶ୍ଳେଷଣ କରି ଜ୍ୟାମିତିର ଉପପାଦ୍ୟଗୁଡ଼ିକ ପରି ବହିରରେ ସବୁ ସୂତ୍ର ପରି ରହିଥିଲା । ପଢ଼ିଲା ବେଳକୁ କେଡ଼େ କଉତୁକିଆ ଲାଗିଲା । ସିଦ୍ଧାନ୍ତଗୁଡ଼ାକ ମଧ୍ୟ ତଦ୍ରୂପ ମନେ ହେଉଥାଏ । ଭଲ ପାଇବା ନାମକ ପ୍ରବୃତ୍ତି ବିଷୟରେ ରହିଥିବା ଉପପାଦ୍ୟଟି ଏବେସୁଦ୍ଧା ମନେ ପଡ଼ିଯାଉଛି । ପ୍ରମାଣ ଅନ୍ତେ ସିଦ୍ଧାନ୍ତ କାଢ଼ି ମହାନୁଭବ ଲେଖକ କହିଥିଲେ, ମନୁଷ୍ୟର ଜୀବନରେ ଭଲ ପାଇବା ହେଉଛି ଏକ ସୀମିତ ଶକ୍ତି । ତେଣୁ ଜଣେ ଜାଗାରେ ଦୁଇଜଣଙ୍କୁ ଭଲ ପାଇ ବସିଲେ ପ୍ରତ୍ୟେକ ଲାଗି ଦେଇ ପାରୁଥିବା ତୁମର ପ୍ରେମ ଅର୍ଦ୍ଧେକ ହେବାକୁ ବାଧ୍ୟ ହେବ-। ଏହିପରି ତୁମେ ଯେତେ ଅଧିକ ସଂଖ୍ୟାର ମଣିଷଙ୍କୁ ଭଲ ପାଉଥିବ, ପ୍ରତ୍ୟେକ ବ୍ୟକ୍ତି ତୁମଠାରୁ ପାଉଥିବା ପ୍ରେମର ପରିମାଣ ସେହି ଅନୁପାତରେ ବିଭାଜିତ ହୋଇ ଯାଉଥିବ । ଏବଂ, ଶେଷରେ ପ୍ରାୟ ଏକ ଋଷିବାକ୍ୟ ପରି କୁହାଯାଇଥିଲା ଯେ, ଏହି କାରଣରୁ ବିଶ୍ଵପ୍ରେମ ହେଉଛି ଏକ ଆଦୌ କୌଣସି ଅର୍ଥ ନଥିବା କଥା ।

 

ଏତେଗୁଡ଼ାଏ ସ୍ଵୀକାର କରିବାକୁ ମୁଁ ଆଦୌ ରାଜି ହୋଇ ପାରିଲିନାହିଁ । ଭାରି କ୍ରୋଧ ହେଲା । ଲେଖକ ପ୍ରେମର ଅପମାନ କରୁଥିବା ପରି ମନେ ହେଲା । କ୍ରୋଧ ହେଲେ ସମ୍ଭବତଃ ସବୁ ମଣିଷ ଟିକିଏ ଭାବପ୍ରବଣ ମଧ୍ୟ ହୋଇଯାଆନ୍ତି । ଖୁବ୍ ପ୍ରତିବାଦ କରି ମନ୍ତବ୍ୟଗୁଡ଼ିକୁ ଲେଖି ଅଧ୍ୟାପକଙ୍କୁ ଦେଖାଇଲି । ବକ୍ତବ୍ୟଗୁଡ଼ିକୁ ପାଠ କରି ସିଏ ସତେଅବା ମର୍ମାହତ ହୋଇ ପଡ଼ିଲେ । ମୋ’ର ସବୁ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କଲେ ଓ ମୋ’ ଭିତରେ ବଦ୍ଧ ହୋଇ ବସି ଯାଇଥିବା ସଂସ୍କାରଗତ ଅନମନୀୟତାଟାକୁ ସେଦିନ ସିଏ ପ୍ରକୃତରେ ନୟାନ୍ତ କରି ପକାଇଲେ । ଅସଲ ଶିକ୍ଷକ ପରି ମୋ’ ଆଖିଟାକୁ ସଂଯତ କଲେ, ନମ୍ର ଓ ଗ୍ରହଣଶୀଳ କରି ଆଣିଲେ । ସତେ ତ, ଜଣେ ଲେଖକ ମୁଁ ସ୍ଵୀକାର କରି ପାରୁନଥିବା କେତେକ କଥା କହିଛନ୍ତି ବୋଲି ତାଙ୍କ ଉପରେ ମୁଁ ଏପରି ବିଗିଡ଼ି ପଡ଼ିବି କାହିଁକି ? ଏବଂ ବିଗିଡ଼ିଲେ ତାଙ୍କୁ ବୁଝିବି କିପରି ? ଶହେ ବର୍ଷ ତଳେ ମନୋବିଜ୍ଞାନ ସାବାଳକ ହୋଇନଥିଲା, ତା’ଗୋଡ଼ରେ ପଦାର୍ଥ ବିଜ୍ଞାନର ସୀମାଗୁଡ଼ାକ ପଥର ପରି ବନ୍ଧା ହୋଇଥିଲା । ସେତେବେଳେ ଜଣେ ଲେଖକ ନିଜର କେତୋଟି ବିଶେଷ କଥା କହିବା ଲାଗି ସ୍ଵୀକୃତି ଢଙ୍ଗରେ ଯଦି ପୁସ୍ତକଟିଏ ଲେଖିଲେ, ତେବେ ତାହାର ଶହେ ବର୍ଷ ପରେ ତାଙ୍କ ସହିତ ରାଜି ହୋଇପାରୁନାହିଁ ବୋଲି ମୁଁ ତାଙ୍କର କଥାଗୁଡ଼ିକୁ ଟାହି କରିବି ନା ଅଧିକ ସହାନୁଭୂତି ସହିତ ତାଙ୍କ ପରିପ୍ରେକ୍ଷୀଟିକୁ ମଧ୍ୟ ଉଚିତ ଭାବରେ ବୁଝିବାକୁ ଚେଷ୍ଟା କରିବି ? ଅଧ୍ୟାପକ ଠିକ୍ କଥା କହୁଥିଲେ । ମନୋବିଜ୍ଞାନର ଜଣେ ଛାତ୍ରର ଯେଉଁପରି ଏକ ମନୋଦୃଷ୍ଟି ରହିବ, ସିଏ ତାହାରି କଥା କହୁଥିଲେ । ମନୋବିଜ୍ଞାନର ମଧ୍ୟ ତୁମେ ଅବଶ୍ୟ ତର୍କ କରିପାରିବ; ମାତ୍ର ନିଜର ଅବଧାରଣଟିକୁ ପୂର୍ଣ୍ଣଶୁଦ୍ଧ ଓ ପୂର୍ଣ୍ଣସିଦ୍ଧ ବୋଲି ଧରିନେଇ ଅନ୍ୟ ଭାବଧାରଣାଗୁଡ଼ିକୁ ପ୍ରତିଷ୍ଠାହୀନ ବୋଲି କହିଲେ ତୁମେ କେବଳ ଆପଣାକୁ ହିଁ କିଳି ରଖିବ, —ଅସହିଷ୍ଣୁ ହୋଇ କେବଳ ନିଜର ହାନି କରିବ । ଦର୍ଶନ ଓ ମନୋବିଜ୍ଞାନ ମଧ୍ୟରେ ନ୍ୟାୟତଃ ଓ ଧର୍ମତଃ କୌଣସି ବୈରଭାବ ରହିବା ଉଚିତ ନୁହେଁ । ମାତ୍ର, ମୋ’ର ଚିନ୍ତନ ଏବଂ ଅନୁକୂଳରେ ଭୂମିଗୁଡ଼ିକ ଅନୁରୂପ ଭାବରେ ପୋଖତ ନହୋଇଥିଲେ, ମୁଁ ଦର୍ଶନ କିମ୍ବା ମନୋବିଜ୍ଞାନ ଯେଉଁଥିରେ ଥାଏ ପଛକେ, କେବଳ ଆପଣାକୁ ହିଁ ଏକଆଖିଆ କରି ରଖିଥିବି । ସବୁ ଯୁଗରେ ଯେଉଁମାନେ ନିଜଟିକୁ ପବିତ୍ର ବୋଲି ବିଶ୍ଵାସ କରୁଥିବାରୁ ଅନ୍ୟ ସବୁକିଛିକୁ ଅପବିତ୍ର ଓ ଅସଂହତ ବୋଲି କହନ୍ତି, ସେମାନେ ଆଦୌ ପୋଖତ ହୋଇ ନଥାନ୍ତି ।

 

ଠିକ୍ ଏହି ସମୟରେ ଆଉଜଣେ ଫ୍ରମଙ୍କର ସମ୍ପର୍କରେ ଆସିଗଲି । ସେତେବେଳେ ସିଏ ଆମେରିକାର କୌଣସି ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥାନ୍ତି । ତାଙ୍କଦ୍ୱାରା ଲିଖିତ ଗୋଟିଏ ବହି ଆମ ବିଭାଗୀୟ ଗ୍ରନ୍ଥାଗାରକୁ ଆସିଥାଏ । ଏରିକ୍ ଫ୍ରମ୍‍ଙ୍କର Man for himself ନାମକ ଏହି ପୁସ୍ତକଟିର ନାଆଁଟା ଦେଖି ମୁଁ ଭାରି ଆକୃଷ୍ଟ ହୋଇପଡ଼ିଲି । କେତେ ଆଗ୍ରହରେ ସେଇଟିକୁ ପଢ଼ି ପକାଇଲି । ମନୋବିଜ୍ଞାନ ବି ତା’ର ଅଧୀତବସ୍ତୁ ମନୁଷ୍ୟ ବିଷୟରେ ଅକୃପଣ ଓ ଉଦାର ରହିଲେ କିପରି କ୍ଷେତ୍ରଗତ ସୀମାଗୁଡ଼ିକୁ ଡେଇଁଯାଇ ପାରିବ ଏବଂ ତୁମକୁ ନୂଆନୂଆ କେତେ ଉନ୍ମୋଚନ ଆଡ଼କୁ ନେଇଯିବ, ସେହି ବହିଟି ପଢ଼ି ତାହାର ପ୍ରମାଣ ପାଇଲି । ମୋ’ର ପଢ଼ିଥିବା ବିଦ୍ୟା ଦର୍ଶନ ସହିତ ମୁଁ ଏଠି ନୂଆ କରି ପଢ଼ିବାକୁ ଆସିଥିବା ମନୋବିଜ୍ଞାନରେ ସତେଅବା ଖିଅ ଲାଗିଗଲା ଓ ମୋତେ ସଂପ୍ରସାରିତ କରିଦେଲା । ଯାବତୀୟ ସଙ୍କୁଚନ ହିଁ ଭୟ ଜନ୍ମାଏ ଏବଂ ଯାବତୀୟ ସମ୍ପ୍ରସାରଣ ଅଧିକ ସାହସ ଯେ ଆଣିଦିଏ, —ସମ୍ଭବତଃ ସେଇଥିପାଇଁ ଭିତରେ ସାହସ ବଢ଼ିଲା । ଜୀବନର ସମ୍ପୂର୍ଣ୍ଣ କ୍ଷେତ୍ରଟିଏ ମଧ୍ୟରେ କୋଉଠି ଦର୍ଶନ ସରିଛି ଏବଂ ମନୋବିଜ୍ଞାନ ଆରମ୍ଭ ହୋଇଛି ସେକଥା କିଏ କହିପାରିବ ? ଏଠୁ ସେଠା ପର୍ଯ୍ୟନ୍ତ ଯେଉଁ ପାହାଚମାନେ ଧାଡ଼ି ହୋଇ ଲାଗିଛନ୍ତି ଓ ଆମ ଅନୁରାଗର ସବୁକିଛିକୁ ଏକ ଅବିଚ୍ଛିନ୍ନତା ମଧ୍ୟରେ ଗୁନ୍ଥି ରଖିଛନ୍ତି, ଆମ ଭାଷାର ସୀମାଗୁଡ଼ିକ ଦ୍ଵାରା ବାଧ୍ୟ ହୋଇ ଆମେ ଏଇଟିକୁ ଅମୁକ ବୋଲି କହୁଛୁ ତ ସେଇଟିକୁ ସମୁକ ବୋଲି କହୁଛୁ । ହିଡ଼ ପକାଇଲେ ହିଡ଼ଗୁଡ଼ାକ ସିନା ଦିଶୁଛି, ମାତ୍ର ହିଡ଼ ଉଠିଗଲେ ସବୁ ଜୀବନ ଭଳି ଦିଶୁଛି । ସେହି ଜୀବନ ମଧ୍ୟରେ ମୁଁ ରହିଛି ଏବଂ ମୋ’ ଜୀବନର ଥାକଥାକ ହୋଇ ରହିଥିବା ଆସ୍ଫୃହାଗୁଡ଼ିକ ମଧ୍ୟରେ ଏମାନେ ସମସ୍ତେ ରହିଛନ୍ତି । ଏହି ପ୍ରଥମ ବହିଟି ପଢ଼ି ମୋତେ ସତେଅବା କେତେକୁଆଡ଼େ ସଂପ୍ରସାରିତ ହୋଇଗଲା ପରି ଲାଗିଲା । ଏରିକ୍ ଫ୍ରମଙ୍କର ଏକାଧିକ ପୁସ୍ତକ ବେଶ୍ କେତେଦିନ ଯାଏ ପଢ଼ିଲି । ତାଙ୍କ ସହିତ ପତ୍ରାଳାପ କରିବାକୁ ମନ ହେଲା । ଚିଠି ଲେଖିଲି, ଉତ୍ତର ବି ପାଇଥିଲି ।

 

ବେନେଡିକଟ୍ ସ୍ପିନୋଜାଙ୍କ ବିଷୟରେ ମୁଁ ଗୋଟିଏ ନିବନ୍ଧ ଲେଖିଛି ବୋଲି ମୋ’ ଚିଠିରୁ ଜାଣି ଶ୍ରୀ ଫ୍ରମ୍ ସେଇଟିକୁ ମଧ୍ୟ ପାଠ କରିବାକୁ ଇଚ୍ଛା କଲେ । ମୋ’ ଆନନ୍ଦ କହିଲେ ନସରେ । ପୃଥିବୀରେ ଏହିପରି ଭାବରେ ଅନ୍ୟମାନଙ୍କ ସହିତ ଛନ୍ଦି ହୋଇଯିବାକୁ ସମସ୍ତଙ୍କୁ ନିଶ୍ଚୟ ଭାରି ଭଲ ଲାଗୁଥିବ । ମୁଁ ନିବନ୍ଧଟିକୁ ସଙ୍ଗେ ସଙ୍ଗେ ପଠାଇଦେଲି । ସିଏ ତାହାକୁ ପାଠ କଲେ, କିଞ୍ଚିତ୍ ମନ୍ତବ୍ୟ ସହିତ ପତ୍ର ମଧ୍ୟ ଦେଇଥିଲେ । ଏବଂ, ତା’ପରେ ତାଙ୍କର ନିଜ ଲେଖା ଯେତେ ବହି ବାହାରିଲା, ସିଏ ସେଗୁଡ଼ିକୁ ମୋ’ ପାଖକୁ ପଠାଇବାକୁ ଆରମ୍ଭ କଲେ । ତାଙ୍କର ସ୍ଵାକ୍ଷର ରହିଥିବା ସେହି ବହିଗୁଡ଼ିକ ମୋ’ ଲାଗି ସବୁଦିନେ ଏକ ମୂଲ୍ୟବାନ ସଂଗ୍ରହ ହୋଇ ରହିଆସିଛି । ଏରିକ୍ ଫ୍ରମ୍ ଉଭୟ କାର୍ଲ୍ ମାର୍କସ୍ ଏବଂ ସିଗ୍‍ମୁଣ୍ଟ୍ ଫ୍ରଏଡ୍‍ଙ୍କ ଆଡ଼କୁ ଆକୃଷ୍ଟ ହୋଇଥିଲେ, ସେମାନଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ ଏବଂ ସେମାନଙ୍କ ବିଚାରର ପରିପୂରକ ଭାବରେ ଆଗକୁ ଆହୁରି କେତେ ପାହୁଣ୍ଡ ଚିନ୍ତା ବି କରିଥିଲେ । ତାଙ୍କ ସହିତ ଆହୁରି ଅନ୍ୟମାନେ ବାହାରିଲେ, ମନୋବିଜ୍ଞାନର ପରିସରକୁ କେତେ କୁଆଡ଼େ ପ୍ରସାରିତ କରିଦେଲେ । ଏହି ନୂତନ ପ୍ରବୃତ୍ତ ଏବଂ ପ୍ରସାରଗୁଡ଼ିକୁ ଜାଣିବା ନିମନ୍ତେ ଅଧିକ ମନ ବଳିଲା । ବିଶ୍ୱବିଦ୍ୟାଳୟର ପାଠବୃତ୍ତଟି ଭିତରେ ଯେତିକି ସାମଗ୍ରୀ ପାରମ୍ପରିକ ଭାବରେ ରହିଥିଲା, ସେତିକିରେ ଆଦୌ ମନ ମାନିଲାନାହିଁ । ଏହିପରି ଭାବରେ ମୋ’ ମନୋବିଜ୍ଞାନ ଅଧ୍ୟୟନର ରୀତି କ୍ରମେ ବଦଳି ଯିବାକୁ ଲାଗିଲା । ପ୍ରକୃତିକୁ ଜାଣି ପ୍ରକୃତି ଉପରେ ନିୟନ୍ତ୍ରଣ ଅର୍ଜନ କରିବାକୁ ପ୍ରାକୃତିକ ବିଜ୍ଞାନ ଧରି ଆସିଥିବା ପଦ୍ଧତିଟିର ଅନୁକରଣ ନକରି ମନୋବିଜ୍ଞାନ ସତେଅବା ମନୁଷ୍ୟ ବିଶ୍ଵର ବିମୋଚନ ଦିଗରେ ଅଧିକ ଆଗ୍ରହ ପ୍ରକାଶ କଲା । ବିଶ୍ଵର ଆଧ୍ୟାତ୍ମଜ୍ଞାନ ବହୁପୂର୍ବରୁ ମନୁଷ୍ୟ ବିଷୟରେ ଯେଉଁଭଳି କଳ୍ପନା କରିଥିଲା, ଏବେ ମନୋବିଜ୍ଞାନ ସତେଅବା ତାହାରି ନିକଟବର୍ତ୍ତୀ ହୋଇ ଆସୁଥିଲା ।

 

ଏଣିକି ଏଣିକି ମୋ’ର ବହିପଢ଼ା ବହୁତ ଗୁଣ ବଢ଼ି ଗଲା ସିନା, ମାତ୍ର କୌଣସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ପାଠ ପଢ଼ିବାର ସେହି ବିଶେଷ ଧାରଣାଟା ଆଉ ଆଦୌ ଆକର୍ଷକ ଲାଗିଲାନାହିଁ । ହୁ’ ହୁ’ କରି ବାଡ଼ଗୁଡ଼ିକୁ ଡେଇଁ ମୁଁ କେତେ କୁଆଡ଼େ ଖେଦି ବୁଲିଲି । ଭିତରେ ମଧ୍ୟ ତାହାର ଏକ ଶକ୍ତିଶାଳୀ ଅନୁକ୍ରିୟା ହେବାରେ ଲାଗିଥିଲା । ମୁଁ ଯାହା ପ୍ରକୃତରେ ହେବି, ମୋ’ର ପଢ଼ା ମୋତେ ସେଇଥିରେ ସାହାଯ୍ୟ କରିବ । ସିଏ ଏକ ଅଭୂତପୂର୍ବ ଅନୁଭୂତି ଏବଂ ପ୍ରକୃତରେ ଏକ ବିମୋଚନକାରୀ ଅନୁଭୂତି । ଏତେ ଅଧିକରୁ ଅଧିକ ଅଧ୍ୟୟନ କରୁଥାଏ ଏବଂ ତେଣେ ମୋ’ ଭିତରକୁ ନୂଆ ନୂଆ ବାଟ ଖୋଲିଯିବାରେ ଲାଗିଥାଏ । ତଦ୍ଦ୍ଵାରା ନିଜ ଜୀବନକୁ ମଧ୍ୟ ଏପରି ଗୋଟିଏ ନିଜସ୍ଵ ପଦ୍ଧତି ମିଳି ଯାଇଥିଲା, ଯାହାକି ମୋ’ ଜୀବନଯାକ ମୋତେ ପାହାଚ ପାହାଚ ପାରି ହୋଇ ଆସିବାରେ ସର୍ବଦା ଆବଶ୍ୟକ ଆଲୋକନ ଯୋଗାଇ ଦେଇଛି, ମୋର ଗୋଟାସୁଦ୍ଧା ବନ୍ଧୁ ହୋଇ ରହିଛି । ଜୀବନରେ ମୁଁ ଯାହା ହେବି ବୋଲି ଇଚ୍ଛା କରିଛି, ମୋ’ ବିଦ୍ୟା କେବେହେଲେ ତାହାର ଅନ୍ତରାୟ ହୋଇ ଠିଆ ହୋଇନାହିଁ । ଅନେକ ମଣିଷ ଅଛନ୍ତି, ଯେଉଁମାନେ ବିଦ୍ୟା ଅଧ୍ୟୟନ କରି ଜୀବିକାଟିଏ ଅର୍ଜନ କରିବାଲାଗି ସମର୍ଥ ହୁଅନ୍ତି, ମାତ୍ର ସେମାନେ ବଞ୍ଚନ୍ତି ଏକାବେଳେକେ ଆଉଗୋଟାଏ ଅଡ଼ାଭିତରେ । ଏଠିକା ଶୃଙ୍ଖଳା ସେଇଟାର ବାଧକ ହୁଏ ଓ ସେଠିକାର ଶୃଙ୍ଖଳା ଏଇଟାର ବିରୋଧାଚରଣ କରୁଥାଏ । କେତେ ଶିକ୍ଷାପ୍ରାପ୍ତ ଏବଂ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ଦୁଇଟା ଭିତରେ ଭଲ ଲୋକୀ କରୁ କରୁ ସେମାନଙ୍କୁ ଭାରି ନୟାନ୍ତ ହେବାକୁ ପଡ଼େ । ମୋ’ ଭାଗ୍ୟରେ ସେଭଳି ଘଟିନାହିଁ । ମୋ’ର ବିଭିନ୍ନ ସୋପାନପର୍ଯ୍ୟାୟରେ ମୋତେ ଯେଉଁଭଳି ଖାଦ୍ୟର ଲୋଡ଼ା ହୋଇଛି, ତାହା ମୋତେ ମୋ’ ବିଦ୍ୟାଧ୍ୟୟନରୁ ଖୁବ୍ ସ୍ଵାଭାବିକ ଭାବରେ ମିଳିଯାଇଛି ।

 

ହୁଏତ ସେହି କାରଣରୁ ହିଁ ବହିମାନେ ଏବେ ମଧ୍ୟ ମିତ ହୋଇ ରହିଛନ୍ତି । ଜୀବନକୁ ବଞ୍ଚୁଥିବା ଜନିତ କୌଣସି ଅବସାଦ ମେଣ୍ଟାଇବାକୁ ମୁଁ କେବେହେଲେ ବହିମାନଙ୍କ ପାଖକୁ ଯାଇନାହିଁ, ମୋ’ ନିକିମା ପ୍ରହରର ଶୂନ୍ୟଗୁଡ଼ାକୁ ପୂର୍ଣ୍ଣ କରିଦେବା ନିମନ୍ତେ ମୁଁ କେବେହେଲେ ବହିକୁ ନିଶାଔଷଧ ପରି ବ୍ୟବହାର କରିନାହିଁ । କେବଳ ମୋ’ ମସ୍ତିଷ୍କଲାଗି ନୁହେଁ । ମୋ’ ହୃଦୟ ପାଇଁ ମଧ୍ୟ ବହିଗୁଡ଼ିକ ମୋତେ କେତେ କ’ଣ ଆଣିଦେଇଛନ୍ତି । ମୋ’ର ହୃଦୟ କେବେହେଲେ ମୋ’ ମସ୍ତିଷ୍କକୁ ଭୟ କରିନାହିଁ, ମୋ’ ମସ୍ତିସ୍କ ମଧ୍ୟ କେବେହେଲେ ମୋ’ ହୃଦୟଠାରୁ ଚାହାଳୀଚୋରଙ୍କ ପରି ହୁଡ଼ି ବୁଲିବା ପାଇଁ ଇଚ୍ଛା କରିନାହିଁ । ବହିମାନେ ଏବେ ମଧ୍ୟ ଭଲ ଲାଗୁଛନ୍ତି-। ଜଣେ ମନୁଷ୍ୟ ହିସାବରେ ମୋତେ ଅନ୍ୟ ମନୁଷ୍ୟମାନଙ୍କର ଅଧିକରୁ ଅଧିକ ସମୀପକୁ ଆସିବାକୁ ହେବ, —ଏହି ଶିକ୍ଷାଟି ମୋ’ ହୃଦୟ ମୋତେ ଦେଇଛି । ଏବଂ, ସେହି ଧର୍ମଟିକୁ ପାଳନ କରିବାରେ ସର୍ବବିଧ ସହଯୋଗ କରିବାରେ ମୋ’ର ମସ୍ତିଷ୍କ କେବେହେଲେ ତ୍ରୁଟି କରିନାହିଁ-। ମନୋବିଜ୍ଞାନର ଅଧ୍ୟୟନକୁ ମୁଁ ପରୀକ୍ଷା ପାସ୍‍ କରିବାର ଗୁଳାଟି ଭିତରେ ବାନ୍ଧି ରଖିଥିଲେ ସେପରି ଆଦୌ ହୋଇ ପାରିନଥାନ୍ତା । ମୁଁ ହୃଦୟ ଓ ମସ୍ତିସ୍କ ଉଭୟ ଠାବରେ ହିଁ ଭାରି ଦରିଦ୍ର ହୋଇ ରହିଥାନ୍ତି । ମଣିଷ ଏପରି ବି ଅନେକେ ରହିଥାଆନ୍ତି, ଯେଉଁମାନେ ନିଜେ ପଢ଼ିଥିବା ପାଠକୁ ସତେଅବା ଢିପଟିଏ କରି ତାହାରି ଉପରେ ଯାଇ ବସିଥାନ୍ତି । ମନୋବିଜ୍ଞାନର କ୍ଷେତ୍ରରେ ମଧ୍ୟ ଏହିପରି ଏକାଧିକ ନମୁନା ଅଲବତ ରହିଛନ୍ତି । ସେମାନଙ୍କର ପାଠ ସେମାନଙ୍କୁ ସବୁବେଳେ ଏଭଳି ତତଲା କରି ରଖିଥାଏ ଯେ, ସେମାନଙ୍କୁ ଛୁଇଁଦେଲେ ସତେଅବା ହାତ କାଳେ ପୋଡ଼ିଯିବ ବୋଲି ଭୟ ହେଉଥାଏ । ପାଠ ବା ବିଦ୍ୟା ଭିତରେ ଏପରି ଉପାଦାନଟିଏ ରହିଛି, ଯାହାକି ମଣିଷକୁ ଭାରି ସହଜରେ ଓହ୍ଲାଇ ଆସିବାକୁ ସର୍ବଦା ବଳ ଯୋଗାଇ ଦେଇଥାଏ । ମୋ’ର ପଢ଼ିଥିବା ମନୋବିଜ୍ଞାନ ପାଖରେ ମୁଁ ଜୀବନଯାକ କୃତଜ୍ଞ ହୋଇ ରହିବି, ଏଇଥିଲାଗି ଯେ ତାହା ମୋତେ ନିଜ ତତଲାପଣର ଢିପ ଉପରେ ଅଲଗା ହୋଇ ଫୁଲେଇ ହୋଇ ବସିବାଲାଗି କୌଣସି ଚକ୍ରାନ୍ତ କରିନାହିଁ । ଆପଣାର ଯାବତୀୟ ଅର୍ଜନ ଓ ଯାବତୀୟ ସଂଗ୍ରହକୁ ମସ୍ତିସ୍କ ହୃଦୟ ପାଖରେ ଆଣି ଅଜାଡ଼ି ଦେଇଛି । ହୃଦୟକୁ ସତେଅବା ନିଜର ଜନନୀରୂପେ ଦେଖିବାକୁ ଶିକ୍ଷା କରିଛି । ତେଣୁ, ବଡ଼ ସାନ ସମସ୍ତଙ୍କର ଅଧିକ ନିକଟବର୍ତ୍ତୀ ହୋଇ ଆସିବାରେ ମନୋବିଜ୍ଞାନ ସମେତ ମୋ’ର ସବୁ ଅଧିକ ପାଠ ମୋତେ ନିତି ନିତି ସାହାଯ୍ୟ କରୁଛନ୍ତି । ମନୋବିଜ୍ଞାନ ଭିତରେ ଯେତିକି ପଶିଛି, ସତେଅବା ଆହୁରି ସେତିକି ତଥାପି ବାକି ରହିଥିବା ପରି ଅନୁଭବ ହୋଇଛି । ରହସ୍ୟମାନେ ଯେତିକି ଯେତିକି ସତ୍ୟରୂପେ ଉଦ୍‍ଘାଟିତ ହୋଇ ଆସିଛନ୍ତି, ଉପଲବ୍ଧ ସତ୍ୟଗୁଡ଼ିକ ମଧ୍ୟରେ ଥିବା ଆହୁରି ସେତିକି ରହସ୍ୟ ମୋତେ ଆହ୍ଵାନ କରି ନେଇଛନ୍ତି, ମୋତେ ସତେଅବା ଆମନ୍ତ୍ରଣ କରିବାରେ ଲାଗିଛନ୍ତି । ଜୀବନରେ ସତ୍ୟଗୁଡ଼ିକର ଉଦ୍‍ଘାଟନ ମୋତେ ଜୀବନଠାରୁ ମଣିଷ ଠାରୁ ମୋଟେ ଦୂରକୁ ପଳାଇବାର ମନ୍ତ୍ରଣା କେବେହଲେ ଦେଇନାହିଁ । ମୋ’ର ହୃଦୟ ମୋ’ର ମସ୍ତିଷ୍କକୁ ନିଜଠାରୁ କେବେହେଲେ ନ୍ୟୂନ କରି ଦେଖିନାହିଁ, ମୋ’ର ମସ୍ତିଷ୍କ ମଧ୍ୟ ମୋ’ ହୃଦୟକୁ ଭୟ କରି ଅଥବା ଅପର ମଣି କେବେହେଲେ ବୁଲି ବୁଲି ଦୌରାତ୍ମ୍ୟ ଦେଖାଇବାର ଦୁର୍ବୁଦ୍ଧି କରିନାହିଁ ।

 

ପ୍ରଥମେ ଭାବୁଥିଲି, ମନୋବିଜ୍ଞାନା ଭିତରେ ଏପରି କୌଣସି ବିଶେଷ ଉପାଦାନ ରହିଛି, ଯାହାକି ତୁମର ମସ୍ତିଷ୍କ ଓ ହୃଦୟକୁ ପରସ୍ପରର ନିକଟବର୍ତ୍ତୀ କରି ଆଣେ । ଏବେ ଦେଖୁଛି, ଆଉ ଏପରି କ’ଣ ଜ୍ଞାନ ବା ବିଜ୍ଞାନ ପୃଥିବୀରେ ରହିଛି, ଯାହାକି ତୁମେ ରାଜୀ ଥିଲେ ତୁମକୁ ପ୍ରକୃତରେ ସେହି ସୌଭାଗ୍ୟର ଅଧିକାରେ ନକରାଇବ ? ମନୋବିଜ୍ଞାନ ଯଦି ମଣିଷ ବିଷୟରେ ଉପଲବ୍‍ଧ ଯାବତୀୟ ଜ୍ଞାନକୁ ବୁଝାଇବ, —–ମୁଁ ନିଜେ ମଧ୍ୟ ତା’ ଭିତରେ ନିରନ୍ତର ସାମିଲ୍ ହୋଇ ରହିଛି, —ତେବେ ମଣିଷର ଜୀବନ ସହିତ ସଂପୃକ୍ତ ଯେକୌଣସି ଜ୍ଞାନ ତଥା ଯେକୌଣସି ରହସ୍ୟ ମଧ୍ୟ ମନୋବିଜ୍ଞାନର ବି ସାମଗ୍ରୀ ହୋଇ ରହିବ । ଏହିପରି ଭାବରେ ମୁଁ ବିଦ୍ୟାର ବିବିଧ ବୃତ୍ତଖଣ୍ଡ ଭିତରେ ପ୍ରବେଶ କରିବାର ବଳଟିଏ ପାଇଯାଇଛି, —ବିଶେଷଜ୍ଞ ହିସାବରେ ନୁହେଁ, ବାବାଜୀ ବା ବୈରାଗୀକୁ ମିଜାଜଟିଏ ନେଇ ଆଦୌ ନୁହେଁ, ମୂଳତଃ ଜଣେ ସମଧର୍ମୀ ସୁହୃତ୍ ହିସାବରେ ମୁଁ ସେସବୁକୁ ଭିତରେ ପ୍ରବେଶ କରିଛି । ଏଥିରେ ମୁଁ ଆଦୌ କ୍ଳାନ୍ତ ହୋଇ ପଡ଼ିନାହିଁ; ବରଂ ଯେତିକି ଯେତିକି ଅଧିକ ପ୍ରବେଶ କରିପାରିଛି, ସେତିକି ଅଧିକ ହାଲୁକା ହିଁ ଲାଗିଛି । ସେହି ଜ୍ଞାନ ପ୍ରକୃତରେ ଧନ୍ୟ, ଯାହା ତୁମକୁ କରିଦେଇ ପାରୁଛି । ସମ୍ଭବତଃ ସେଥିରୁ ଜଣାପଡ଼ି ଯାଉଛି ଯେ ତୁମର ମସ୍ତିଷ୍କ ତୁମର ହୃଦୟ ଭିତରକୁ ବାଟ ପାଇଯାଇଛି । ତେଣୁ, ଦୁଃଖ କରିବାର ଆଉ କ’ଣ ଅଛି ? ହୃଦୟ ସାଙ୍ଗରେ ରହିଥିଲେ ଯାବତୀୟ ପାଠ ତୁମକୁ ନିଶ୍ଚୟ ଭଲ ଲାଗିବ; ମନୁଷ୍ୟ ସହିତ ତୁମର ଯାବତୀୟ ପରିଚୟ ଯେ ତୁମକୁ ଅବଶ୍ୟ ଭଲ ଲାଗିବ, ନିଜ ଜୀବନରେ ମୁଁ ସେହି କଥାଟିକୁ ଅଙ୍ଗେ ନିଭାଇଛି ।

 

ଇଉରୋପୀୟ ମଧ୍ୟଯୁଗର ବୃତ୍ତି ଓ ପ୍ରବୃତ୍ତିଗୁଡ଼ିକୁ ଅଧ୍ୟୟନ ମାଧ୍ୟମରେ ବୁଝୁ ବୁଝୁ ମୁଁ ଏରାସ୍‍ମୁସଙ୍କ ପାଖରେ ଯାଇ ପହଞ୍ଚିଥିଲି । ତାଙ୍କ ପାଖରେ କିଞ୍ଚିତ ଶିଷ୍ୟତ୍ଵ ମଧ୍ୟ କରିଥିଲି । ତାଙ୍କର ପୂରା ନାମ ହେଉଛି ଡେସିଡ଼ରିଉସ ଏରାସ୍‍ମୁସ୍‍ ରିଟରଡ଼ାମୁସ୍ । ଘରେ ପିଲାଦିନେ ତାଙ୍କୁ କୋଉଭଳି ଡାକୁଥିଲେ କେଜାଣି ? ମାର୍ଟିନ୍ ଲୁଥର୍ ଜର୍ମାନୀରେ ଥିଲେ । ଏରାସମୁସ୍ ହଲାଣ୍ଡରେ ରଟରଡ଼ାମରେ ଥିଲେ । ଇଉରୋପୀୟ ଭାଷା ଏବଂ ଇଉରୋପୀୟ ଶାସ୍ତ୍ରୀୟ ବିଦ୍ୟାଗୁଡ଼ିକରେ ଅଗାଧ ପାଣ୍ଡିତ୍ୟ । ନିଜ ଲେଖାର ଯୁକ୍ତିଗୁଡ଼ିକୁ ଦେଇ ସିଏ ତତ୍କାଳୀନ ଧର୍ମରେ ସଂସ୍କାର ଚାହୁଁ ଥିଲେ-। ଧର୍ମଜୀବନକୁ ବିଧି ଓ ରୀତିଗୁଡ଼ିକୁ ସ୍ତରରୁ ମୁକ୍ତ କରି ଜୀବନର ସ୍ତରକୁ ଅର୍ଥାତ୍ ସଂପ୍ରଦାୟର ସ୍ତରକୁ ଆଣିବାକୁ ଉଦ୍ୟମ କରୁଥିଲେ । ମାର୍ଟିନ୍ ଲୁଥର ଏରାସ୍‍ମୁସ୍‍ଙ୍କର ଲେଖାଗୁଡ଼ିକୁ ପାଠ କରି ହିଁ ନିଜର ନୂଆ ଆଖିଗୁଡ଼ିକୁ ଲାଭ କରିଥିଲେ ଅର୍ଥାତ୍ ନୂଆ ସଂଶୟ ଦେଇ ପୁରୁଣା ବ୍ୟବସ୍ଥାମାନଙ୍କୁ ଦେଖିବାକୁ ଆରମ୍ଭ କଲେ । ମାର୍ଟିନ୍ ଲୁଥର୍ ପାଦ୍ରୀ ଥିଲେ । ଖ୍ରୀଷ୍ଟିଆନ୍ ଜଗତର ସର୍ବୋଚ୍ଚ ଚକ୍ରବର୍ତ୍ତୀ ପୋପ୍‍ଙ୍କର ଅଧୀନ ଥିଲେ । ତେଣୁ, ତାଙ୍କ ଭିତରେ ଉଦୟ ହୋଇ ଆସୁଥିବା ସଂଶୟଗୁଡ଼ିକ ତାଙ୍କୁ ସିଧା ବାହାରିପଡ଼ି ପୋପ୍‍ଙ୍କ ବିରୁଦ୍ଧରେ ବିଦ୍ରୋହ କରିବାକୁ ହିଁ ପ୍ରବର୍ତ୍ତନା ଦେଲା । ସିଏ ଭାବିଲେ, ବ୍ୟବସ୍ଥାଟା ଭାଙ୍ଗିଗଲେ ସବୁକିଛି ସ୍ଥିତି ଆପେ ଆପେ ବଦଳିଯିବ । ସିଏ ଗୋଟାଏ କିଛି ଦେଖାଇ ଦେବାକୁ ବ୍ୟଗ୍ର ହୋଇ ପଡ଼ିଲେ । ପୋପ୍‍ଙ୍କ ବିରୁଦ୍ଧରେ ପ୍ରାୟ ନବେରୁ ଅଧିକ ଅଭିଯୋଗକୁ କାଗଜରେ ଲେଖି ଗୀର୍ଜା ଦୁଆରେ ଲଟକାଇ ଦେଲେ । ତାହାରି ଫଳରେ ଯେଉଁ ଗୋଳ ଆରମ୍ଭ ହେଲା, ତାହା ଇଉରୋପକୁ କାଥୋଲିକ୍ ଓ ପ୍ରୋଟେଷ୍ଟାଣ୍ଟ୍ ଏହିପରି ଦୁଇଭାଗରେ ବିଭାଜିତ କରିଦେଲା । ଗୋଟାଏ ଗାଦୀ ଦୁଇଟା ଗାଦୀରେ ବିଭକ୍ତ ହେଲା । ତତ୍କାଳୀନ ଆଞ୍ଚଳିକ ରଜାମାନେ ମଧ୍ୟ ପୋପ୍‍ଙ୍କର ଆଧିପତ୍ୟ ତଳେ ରହିବାକୁ ଅନ୍ତସଂସ୍କରଣରେ ଇଚ୍ଛା କରୁନଥିଲେ । ତେଣୁ ମାର୍ଟିନଲୁଥରଙ୍କୁ ସେମାନଙ୍କର ସମର୍ଥନ ମିଳିଗଲା । ଯେଉଁଠାରେ ରଜାମାନେ ପୋପ୍‍ଙ୍କୁ ଛାଡ଼ି ପ୍ରୋଟେଷ୍ଟାଣ୍ଟ ହେଲେ ସେଠାରେ ନିୟମତଃ ପ୍ରଜାମାନେ ମଧ୍ୟ ସେହି ନୂଆ ଗୋଷ୍ଠୀଟିର ଅନ୍ତର୍ଭୁକ୍ତ ବୋଲି ଘୋଷଣା କରାଗଲା । କେଡ଼େ ସହଜରେ ମୀମାଂସା ହୋଇଗଲା ପରି ଲାଗିଲା ।

 

ଏରାସ୍‍ମୁସ୍ ଏହି ଗୋଳ ଭିତରେ ପଶିନଥିଲେ । ଅସଲ ପରିବର୍ତ୍ତନ ଏଡ଼େ ଜ୍ଵରାକ୍ରାନ୍ତ ଅତ୍ୟୁତ୍ସାହ ଦ୍ଵାରା ହୁଏ ବୋଲି ସିଏ ମନେ କରୁନଥିଲେ । ମଣିଷମାନଙ୍କର ବିବେକୋଦୟ ହେଲେ ଯାଇ ପରିବର୍ତ୍ତକ ହୁଏ । ଏରାସ୍‍ମୁସ୍‍ ସେହି ବିବେକର ସମ୍ମାର୍ଜନ ନିମନ୍ତେ ପୁସ୍ତକ ପରେ ପୁସ୍ତକ ଲେଖି ବିକଳ୍ପଗୁଡ଼ିକୁ ଦେଖାଇ ଦେବାକୁ ଚେଷ୍ଟା କଲେ । ଧର୍ମରେ ମୋ’ ବାଟଟା ଯଦି ପୂରାପୂରି ଠିକ୍ (ଏହା ଅତ୍ୟନ୍ତ ସ୍ପଷ୍ଟ, କାରଣ ତା’ ନହେଲେ ମୁଁ କାହିଁକି ଏହି ବାଟକୁ ଆସିଥାଆନ୍ତି), ତେବେ ଅନ୍ୟ ବାଟଗୁଡ଼ାକ ପୂରାପୂରି ଭୁଲ,—ଏହିପରି ଏକ ଖଳ ବିଚାରକୁ ଆଳ କରି ସେତେବେଳେ ଇଉରୋପରେ ମାର୍ଟିନ୍ ଲୁଥର୍ ଏବଂ ପୋପ୍ ଉଭୟେ ରଡ଼ି ଛାଡ଼ିଥାନ୍ତି । ଏରାସ୍‍ମୁସ୍ ଏପଟେ ନଥିଲେ ଅଥବା ସେପଟେ ମଧ୍ୟ ନଥିଲେ । ଭଗବାନଙ୍କୁ ଅନୁଭବ କରିବାକୁ ସବାଆଗ ଯେଉଁ ଆନନ୍ଦ, ପ୍ରେମ, ଅନ୍ତର୍ଗତ ଶାନ୍ତି ଆବଶ୍ୟକ ମନୁଷ୍ୟମାନେ ବରଂ ସେହିଗୁଡ଼ିକୁ ଅର୍ଜନ କରିବାଲାଗି ଅଧିକ ଯତ୍ନବାନ ହୁଅନ୍ତୁ ବୋଲି ସେ ନିଜର ଲେଖାଗୁଡ଼ିକ ଦ୍ଵାରା ଦୁଇପଟକୁ କହିବାକୁ ଚେଷ୍ଟା କରୁଥିଲେ । ସେତେବେଳେ ଜର୍ମାନୀରେ ଏକ କୃଷକ ବିଦ୍ରୋହ ମଧ୍ୟ ହୋଇଥିଲା ଓ ମାର୍ଟିନ୍ ଲୁଥର୍ ତାହାକୁ କ୍ରୂର ହସ୍ତରେ ଦେଇଦେବାପାଇଁ ସ୍ଥାନୀୟ ଶାସକମାନଙ୍କୁ ପରାମର୍ଶ ଦେଇଥିଲେ । କିଏ ଦେଖିଛି ଭଗବାନ୍ କେତେଟା ରହିଛନ୍ତି, କିଏ ପ୍ରକୃତରେ ତାଙ୍କୁ ଦେଖିଛନ୍ତି ଯେ ତାଙ୍କ ତରଫରୁ ଏହି ବାଟଟି ଠିକ୍ ଏବଂ ତେଣୁ ଅନ୍ୟ ବାଟଟି ଭୁଲ୍ ବୋଲି କହିପାରିବ ? ନିଜର ବିବେକ ଉପରେ ମଣିଷମାନଙ୍କୁ ଛାଡ଼ି ଦିଆଯାଉ, ସେମାନେ ଆପଣାର ବୁଦ୍ଧି ଓ ଅନୁଭବ ଅନୁସାରେ ନିଜର ଭଗବାନଙ୍କୁ ଠାବ କରନ୍ତୁ, ସେତେବେଳେ ଏତିକି କହିବା ମଧ୍ୟ କମ ସଙ୍କଟପୂର୍ଣ୍ଣ ନଥିଲା । ଏରାସମୁସ୍ ଅତ୍ୟନ୍ତ ଅପ୍ରମତ୍ତ ଭାବରେ ଠିକ୍ ସେହି କଥାଟିକୁ କହିଥିଲେ । ଇଉରୋପୀୟ ଚିନ୍ତନରେ ଏକ ଶାଶ୍ଵତ ସ୍ଥାନ ଅଧିକାର କରି ରହିଲେ । ସେତେବେଳେ ତାଙ୍କର କଥାକୁ କେତେ ମଣିଷ ଶୁଣିଲେ ଓ କେତେ ମଣିଷ ଶୁଣିଲେ ନାହିଁ, ସେକଥା କିଏ କହିବ ? ମାତ୍ର, ତାଙ୍କର କଥାସବୁ କାଳକାଳକୁ ପୃଥିବୀରେ ମଣିଷମାନଙ୍କ ଲାଗି ଏକ ଚାଲେଞ୍ଜ୍ ପରି ହୋଇ ରହିଗଲା ।

 

ଏରାସ୍‍ମୁସ୍‍ଙ୍କର ଜୀବନଦୃଷ୍ଟାନ୍ତଟି ମୋତେ ଖୁବ୍ ପ୍ରଭାବିତ କରିଥିଲା । ଯେତେବେଳେ ବିବଦମାନ ଦୁଇ ପକ୍ଷ ଆମ୍ପୁଡ଼ା କାମୁଡ଼ା ହେଉଥିବେ, ପ୍ରତ୍ୟେକ ପକ୍ଷରେ ଜଣେ ନେତା ରହି କେବଳ ନିଜ ନାକଟିକୁ ହିଁ ଦେଖି ପାରୁଥିବେ, ସେତେବେଳେ କୌଣସି ଗୋଟିଏ ପକ୍ଷ ସତର ପକ୍ଷରେ ନାହିଁ ବୋଲି କହିପାରିବା ପ୍ରକୃତରେ ଭାରି ସାହସର କଥା । ଏରାସ୍‍ମୁସ୍‍ଙ୍କ ପାଖରେ ସେହି ସାହସ ରହିଥିଲା । ଅସଲ ଜ୍ଞାନଟି ପଟରେ ସେହି ସାହସ ହିଁ ସର୍ବଦା ରହିଥାଏ । ଭୀରୁମାନେ ହିଁ ଭୟାସ୍ତ୍ରମାନ ଧରି ଅପର ପଟକୁ ଶିକ୍ଷା ଦେବେ ବୋଲି ବାହାରି ଥାଆନ୍ତି । ଜ୍ଞାନ ଏକାବେଳେକେ ଅନେକ ପଟକୁ ଦେଖିପାରେ । ସେଥିଲାଗି ଏକାବେଳେକେ ଅନ୍ତଗୁଡ଼ାକ ଭିତରକୁ ମଧ୍ୟ ଦେଖି ପାରୁଥାଏ । ନାଡ଼ୀ ଦେଖି କିଏ କ'ଣ କହି ଦେଇଥାଏ । ଉତ୍ତେଜନା ଏବଂ ଘୃଣାର ସେହି ସମୟରେ ଏରାସ୍‍ମୁସ୍‍ଙ୍କୁ ଇଉରୋପର ବିବେକ ବୋଲି କୁହାଯାଇ ପାରିବ ! ପୃଥିବୀର ଇତିହାସରେ ସତ୍ୟର ଏପଟେ ଅଥବା ସେପଟେ ରହି ଯୁଦ୍ଧ ଲଢ଼ିଥିବା ସତ୍ୟ ତଥା ତାହାର ପ୍ରତିନିଧିତ୍ଵ କରୁଥିବା ମହାବୀରମାନେ ପୃଥିବୀକୁ ସତ୍ୟଲାଗି ଯେତେ ଯୋଗ୍ୟ ଓ ସଂକଳ୍ପଯୁକ୍ତ କରି ପାରିନାହାନ୍ତି, ସତ୍ୟ ନାମରେ ଆଦୌ କୌଣସି ପତାକା ଧରି ଯୁଦ୍ଧକୁ ବାହାରି ନଥିବା ଅଥଚ ନିଜ ଜୀବନରେ ତଥାପି ଏକ ସତ୍ୟ ପାଇଥିବା ପରି ନିତ୍ୟ ଅନୁଭବ କରି ସେଇଥିପାଇଁ ନିଜ ରୀତିରେ ବାଟଟିଏ ଚାଲିଥିବା ଏକ ତୃତୀୟ କିସମର ବ୍ୟକ୍ତିମାନେ ହୁଏତ ତାହା ଅଧିକ ପରିମାଣରେ କରି ପାରିଛନ୍ତି । ସେମାନେ ଦୁଇ ପକ୍ଷରୁ ହିଁ ନିନ୍ଦିତ ହୋଇଛନ୍ତି, କଷଣ ସହିଛନ୍ତି, ତଥାପି କୋଳାହଳ କରିନାହାନ୍ତି ଅଥଚ ନିଜର ପଥରେ ରହି ଅବିଚଳିତ ଭାବରେ ନିଜର କଥାଟିକୁ କହି ପାରିଛନ୍ତି ଓ ନିଜର ବାଟଟିକୁ ଚାଲି ପାରିଛନ୍ତି । ଇଉରୋପୀୟ ରିଫର୍ମେଶନର ସେହି ମନ୍ଥନ ଭିତରୁ ଭବିଷ୍ୟତର ଇଉରୋପୀୟ ବିଚାର ଏବଂ ଲୋକାଦର୍ଶଗୁଡ଼ିକର ସଙ୍କେତ ଦେଇ ସେଠାରେ ଯେଉଁ ବହୁସଂଖ୍ୟକ ଆନ୍ଦୋଳନର ସୂତ୍ରପାତ ହୋଇଥିଲା, ସେଗୁଡ଼ିକରେ ପ୍ରାୟ ପ୍ରତ୍ୟେକଟିରେ ଏରାସ୍‍ମୁସ୍‍ଙ୍କର ଦୃଷ୍ଟି ଓ ପ୍ରେରଣା ଅନ୍ତର୍ନିହିତ ହୋଇ ରହିଥିଲା ।

 

ଯେତେବେଳେ ମଧ୍ୟ ଇଉରୋପରେ ଭଗବାନ ଓ ପାପ ପୂଣ୍ୟର ନାମ ନେଇ ଘୃଣାମାନେ ହିଁ ଗର୍ଜନ କରିବାରେ ଲାଗିଥିଲେ, ସେତେବେଳେ ଏହି ଯାବତୀୟ ଜ୍ଵରାତୁରତାକୁ ବିଦ୍ରୂପ କରି ଏରାସ୍‍ମୁସ୍ କେଡ଼େ ମୋହ ରହିତ ଭାବରେ Encomium moriae ବୋଲି ଗୋଟିଏ ପୁସ୍ତକ ଲେଖିଥିଲେ । ‘ନିର୍ବୋଧତା ଦେବୀଙ୍କର ପ୍ରଶସ୍ତିରେ’–ଆମେ ହୁଏତ ଏହିପରି ଭାବରେ ଗ୍ରନ୍ଥଟିର ଓଡ଼ିଆ ଅନୁବାଦ କରିପାରିବା । ବହିଟିର ମୂଳ ବକ୍ତବ୍ୟ ଅନୁସାରେ ସେତେବେଳେ ଇଉରୋପରେ ନିର୍ବୋଧତାଦେବୀ ହିଁ ରାଜତ୍ୱ କରୁଥିଲେ ଏବଂ ସେତେବେଳେ ସେଠି ଯାହାକିଛି ବିଜୟ ଘଟିଥିଲା, ତାହା ପ୍ରକୃତରେ ଭଗବାନଙ୍କର, ସତ୍ୟର ଅଥବା ବିବେକର ବିଜୟ ନଥିଲା, ତାହା ମହାମାଈ ନିର୍ବୋଧତାଙ୍କର ହିଁ ବିଜୟ ଥିଲା, କେଡ଼େ କେଡ଼େ ମହାବିଜ୍ଞ ବୀରମାନେ ତାଙ୍କର ସେବା କରୁଥିଲେ । ସତ୍ୟକୁ ସେମାନେ କେଡ଼େ ପ୍ରେମର ସହିତ କେବଳ ଏକଆଖିଆ କରି ଦେଖୁଥିଲେ, ଏବଂ ସେହିଗୁଡ଼ିକ ଦ୍ଵାରା ପୃଥିବୀକୁ ଭଗବାନଙ୍କ ପଟକୁ ଘଉଡ଼ାଇ ଆଣିବେ ବୋଲି ବାହାରୁଥିଲେ । ଚାରିଆଡ଼େ ଅଫିମ ଗିଳିଥିବା ସତ୍ୟାନ୍ଧମାନେ ସମଗ୍ର ପୃଥିବୀ ପାପ ଓ ପୁଣ୍ୟ ଦୁଇ ଭାଗରେ ବିଭକ୍ତ ହୋଇଯାଉ ଏବଂ ଏକ ତୁମୁଳ ଯୁଦ୍ଧରେ ଆଖିର ନିଷ୍ପତ୍ତିଗୁଡ଼ିକ ପ୍ରତିପାଦିତ ହୋଇଯାଉ ବୋଲି କହି ଗଗନ କମ୍ପାଉଥିବା ସମୟରେ ଓ ସେମାନଙ୍କୁ ପୃଷ୍ଠପୋଷକତା କରୁଥିବା ରାଜାମାନେ ମଧ୍ୟ ସେହି ଅନୁସାରେ ନାଚୁଥିବା ସମୟରେ ଯଦି ତୁମେ, ହସି ଦେଇ ପାରୁଥିବ ଓ ସମଗ୍ର ସ୍ଥିତିଟିକୁ ବିଦ୍ରୂପ କରିପାରିବ, ତେବେ ତୁମେ ପ୍ରକୃତରେ ଅମିତ ସାହସର ଅଧିକାରୀ ହୋଇଥିବା ଏକାନ୍ତ ଆବଶ୍ୟକ । କେବଳ ସାହସ ନୁହେଁ, ଅସୀମ ବିଶ୍ଵାସର ମଧ୍ୟ ଅଧିକାରୀ ହୋଇଥିବା ଏକାନ୍ତ ଆବଶ୍ୟକ । ଜର୍ମାନ ଓ ଇଂରାଜୀ ଭାଷାରେ ଏରାସ୍‍ମୁସ୍‍ଙ୍କ ସମ୍ବନ୍ଧରେ ଯେତେ ବହି ପାଇଲି, ମୁଁ ସେତେବେଳେ ମନ ଦେଇ ଅଧ୍ୟୟନ କରିଥିଲି । ନିଜ ସମେତ ନିଜର ବାଟଟିକୁ ବୁଝିବା ନିମନ୍ତେ ସେହି ଅଧ୍ୟୟନ ମୋତେ ବହୁତ ସାହାଯ୍ୟ କରିଥିଲା । ସତକୁ ସତ ଅଙ୍ଗୀକାରବଦ୍ଧ ହେଲେ ମଣିଷ କୋଳାହଳ କରେ ନାହିଁ । ତେଣେ ଉଦାସୀନ ହୋଇ ମଧ୍ୟ ରହି ପାରେନାହିଁ । ସିଏ ନିଜର କଥାଟିକୁ କହେ, ନିଜର ବାଟଟିକୁ ଚାଲେ । ଯେଉଁମାନେ ସତ୍ୟକୁ ନବୁଝି ଲଢ଼ିବେ ବୋଲି ଗୋଳ କରି ବାହାରିଛନ୍ତି, ସିଏ ସେମାନଙ୍କର ମୁଣ୍ଡକୁ ମଧ୍ୟ ଚୋବାଇ ଖାଇଦେବାକୁ ମୋଟେ ଇଚ୍ଛା କରେନାହିଁ । ସତ୍ୟ ଆମ ସାନଙ୍କ ଅନ୍ଦାଜ ଏବଂ ଅଗ୍ରାଧିକାର ଗୁଡ଼ିକର ତୁଳନାରେ ଏତେ ବୃହତ୍ ଏବଂ ଏତେ ସମଗ୍ର ଯେ, ଆମେ ଆପଣାର କ୍ଷୁଦ୍ରତାଗୁଡ଼ିକୁ ବିଦ୍ରୂପ କରି ପାରିବା, —ସାରକୁ ଅସାରଠାରୁ ଅଲଗା କରି ଦେଖାଇ ଦେବାକୁ ଚେଷ୍ଟା କରୁଥିବା । ଏରାସ୍‍ମୁସ୍‍ ମଣିଷ ଉପରେ ବିଶ୍ଵାସ କରୁଥିଲେ । ମାନବବାଦର ବିରଳ କାହାଣୀଟିରେ ମଧ୍ୟ ସକ୍ରେଟିସଙ୍କ ପରେ ସମ୍ଭବତଃ ଏରାସ୍‍ମୁସ୍ ହିଁ ଆମଲାଗି ବହୁ ପ୍ରେରଣାର ଉତ୍ସ ହୋଇ ରହିଥିବେ ।

 

ଶାନ୍ତିନିକେତନରେ ଥିବାବେଳେ ମୁଁ ଆଲର୍ବଟ ଶ୍ଵାଇତ୍‍ଜରଙ୍କ ବିଷୟରେ କିଞ୍ଚିତ ପରିଚିତ ହୋଇଥିଲି । ତାଙ୍କର ଲିଖିତ କେତୋଟି ବହି ମଧ୍ୟ ପାଠ କରିଥିଲି । ଶ୍ଵାଇତ୍‍ଜର୍‍ ବଡ଼ ଘରର ପିଲା ଥିଲେ । ଇସ୍କୁଲରେ ତାଙ୍କ ସାଙ୍ଗରେ ପଢ଼ୁଥିବା ଅନ୍ୟ ପିଲାମାନେ କାହିଁକି ତାଙ୍କ ଭଳି ପ୍ରାଚୁର୍ଯ୍ୟ ମଧ୍ୟରେ ରହି ପାଉନାହାନ୍ତି । ସେହିକଥା ଭାବି ସିଏ ବେଳେ ବେଳେ ଭାରି ଶୋଚନାରେ ପଡ଼ି ଯାଉଥିଲେ । ଅତି ଅଳ୍ପ ବୟସରେ ସେ ତତ୍କାଳୀନ ଜର୍ମାନୀର ଗୋଟିଏ ବିଶ୍ଵବିଦ୍ୟାଳୟରେ ଦର୍ଶନର ପ୍ରଫେସର୍ ହେଲେ ସିନା, ମାତ୍ର ତାଙ୍କର ବିବେକ ସେତିକିରେ ଆଦୌ ପୋଷ ମାନି ଥିର ହୋଇ ରହି ପାରିଲାନାହିଁ । ସିଏ ଯେଉଁ ସବୁ ବିଚାରକୁ ଜୀବନର ସତ୍ୟ ବୋଲି ସ୍ଵୀକାର କରୁଛନ୍ତି, ସେଗୁଡ଼ିକୁ ବାସ୍ତବରେ ନବଞ୍ଚିଲେ ତାଙ୍କର ସବଳ ଦର୍ଶନଜ୍ଞାନ କେବଳ ମସ୍ତିଷ୍କ ଭିତରେ କିଳି ହୋଇ ରହିଯିବ ବୋଲି ସେ ଭାବିଲେ । ତିରିଶି ବର୍ଷ ବୟସରେ ପ୍ରଫେସର୍ ପଦ ଛାଡ଼ି ଦେଇ ସେ ଡାକ୍ତରୀପାଠ ପଢ଼ିଲେ ଏବଂ ତା’ପରେ ଜଣେ ଚିକିତ୍ସକ ହିସାବରେ ଦୁର୍ଗତ ମନୁଷ୍ୟମାନଙ୍କର ସେବା କରିବାଲାଗି ଆଫ୍ରିକା ଯାତ୍ରା କରିଥିଲେ । ମଧ୍ୟ ଆଫ୍ରିକାରେ ଲାମ୍ବରିନ୍ ନାମକ ଅତି ଦୁର୍ଗମ ସ୍ଥାନରେ ଗୋଟିଏ ଡାକ୍ତରଖାନା ଖୋଲି ରୋଗୀମାନଙ୍କର ଚିକିତ୍ସା କଲେ । ସାରା ପୃଥିବୀରେ ଏଇଟି ସତେଅବା ଏକ ସର୍ବପ୍ରଥମ ଦୃଷ୍ଟାନ୍ତ ବୋଲି ଲାଗିଲା । ଆଫ୍ରିକାକୁ ସେତେବେଳେ ଇଉରୋପୀୟ ଦେଶମାନେ ଶାସନ କରୁଥିଲେ । ଆଫ୍ରିକାକୁ ଅନ୍ଧକାରର ମହାଦେଶବୋଲି କୁହା ଯାଉଥିଲା । ଇଉରୋପ ଆଫ୍ରିକାକୁ ଶୋଷଣ କରୁଥିଲା । ଆଫ୍ରିକାର ବକ୍ଷୁ ହେବାଲାଗି ସେଠାକୁ ସେତେବେଳେ କିଏ ଯାଉଥିଲା ? ଶ୍ଵାଇତ୍‍ଜରଙ୍କ ଜୀବନ ଶେଷ ପର୍ଯ୍ୟନ୍ତ ଏକ ସଂଗ୍ରାମର ଜୀବନ । ଭାଗ୍ୟକୁ ଦର୍ଶନ ସହିତ ସଙ୍ଗୀତ ବିଦ୍ୟା ମଧ୍ୟ ତାର ପ୍ରତିଭାର ଗୋଟିଏ ପ୍ରିୟ ହୋଇ ରହିଥିଲା । ଡାକ୍ତରଖାନାରେ ହେଉଥିବା ଏତେ ଏତେ ଖର୍ଚ୍ଚ ତୁଲାଇବାକୁ ଆବଶ୍ୟକ ଅର୍ଥାଗମ ପାଇଁ ସଙ୍ଗୀତର ନାନା କାର୍ଯ୍ୟକ୍ରମ ତାଙ୍କୁ ବହୁତ ସାହାଯ୍ୟ କରୁଥିଲା । ସେହି କାର୍ଯ୍ୟକ୍ରମଗୁଡ଼ିକୁ ସେ ଇଉରୋପରେ କରାଉଥିଲେ ଏବଂ ସେଥିରୁ ପାଉଥିବା ଅର୍ଥକୁ ନିଜର ଡାକ୍ତରଖାନାରେ ଖର୍ଚ୍ଚ କରୁଥିଲେ ।

 

ତାଙ୍କ ଦ୍ଵାରା ଲିଖିତ ଏକାଧିକ ଗ୍ରନ୍ଥ ବି ତାଙ୍କୁ କିଛି ଅର୍ଥ ଆଣି ଦେଉଥିଲା । ସମଗ୍ର ବିଶ୍ଵକୁ ସରଣୀଟିଏ ଯୋଗାଇ ପାରିବା ଭଳି ସମ୍ଭାବ୍ୟ ଦର୍ଶନଟିଏ ସଂପୃକ୍ତ ଆମ ସମସ୍ତଙ୍କର ଆଗରେ ଆଣି ଥୋଇବାଲାଗି ସିଏ ବିଶଦ ଭାବରେ ସଭ୍ୟତାର ଦର୍ଶନର ଆଲୋଚନା କରିଛନ୍ତି । ତୁମେ ଯେଉଁ ଧର୍ମର, ଯେଉଁ ସମ୍ପ୍ରଦାୟ ଅଥବା ଯେଉଁଭଳି ବିଶ୍ଵାସର ମଣିଷ ହୋଇଥାଅ ପଛକେ, ସମଗ୍ର ସଂସାରର ଉତ୍ତରୋତ୍ତର ଉଦୟକୁ ଦୃଷ୍ଟି ଆଗରେ ରଖି ତୁମକୁ ଜୀବନରେ ନୀତିଟିଏ ସ୍ଥିର କରିବାକୁ ପଡ଼ିବ । ସେହି ଅନୁସାରେ ତୁମେ ଜୀବନଟିଏ ବଞ୍ଚିବ । ଏବଂ, ଅନ୍ୟ ସମସ୍ତଙ୍କୁ ମଧ୍ୟ ସେମାନଙ୍କର ଜୀବନକୁ ବଞ୍ଚିବାଲାଗି ବାଟ ଛାଡ଼ିଦେବ । ସେମାନଙ୍କର ବାଟ ପ୍ରତି, ସେମାନଙ୍କ ପ୍ରତି ତୁମର ସବୁବେଳେ ଯଥେଷ୍ଟ ସମ୍ମାନ ରହିବ । Reverence for life (Phrfuercht fuers Leben)କୁ ଶ୍ଵାଇତ୍‍ଜର ପ୍ରତ୍ୟେକ ଜଗତକାମୀ ସୁସ୍ଥ ମଣିଷର ନୈତିକ ଆଦର୍ଶ ବୋଲି ମାନିଥିଲେ । ଦ୍ଵିତୀୟ ମହାଯୁଦ୍ଧ ପରେ ଯେତେବେଳେ ବିଜେତା ବୃହତଶକ୍ତିମାନଙ୍କ ମଧ୍ୟରେ ପରମାଣୁ-ଶକ୍ତିରୁ ଧ୍ଵଂସକାରୀ ବୋମାଗୁଡ଼ିକୁ ବାହାର କରିବାର ପ୍ରତିଯୋଗିତା ଲାଗିଥିଲା, ସେତେବେଳେ ଶ୍ଵାଇ୍‍ତଜର୍‍ ବିଶ୍ଵବିବେକର ପକ୍ଷ ନେଇ ତାହାର ପ୍ରତିବାଦ କରିଥିଲେ ଏବଂ ବିଶ୍ଵଜନମତକୁ ଅନୁରୂପ ଭାବରେ ସଚେତନ କରିବା ଲାଗି ଚେଷ୍ଟା କରିଥିଲେ । ତାଙ୍କର ଆତ୍ମଜୀବନୀ (ମୂଳ ଜର୍ମାନ୍ ଭାଷାରେ Ausmeinem Leben and Denken)ର ଓଡ଼ିଆ ଅନୁବାଦ (ମୋ’ ଜୀବନ ଓ ସାଧନା) କରି ପାରିଥିବା ହେତୁ ମୁଁ ଏକଦା କେତେ ନା କେତେ ଆନନ୍ଦ ଅନୁଭବ କରିଥିଲି । ସେତେବେଳେ ଶ୍ଵାଇତ୍‍ଜର୍‍ ଶରୀରରେ ଥିଲେ ଏବଂ ଆମ ଅନୁରୋଧ ରକ୍ଷା କରି ଓଡ଼ିଆ ଅନୁବାଦଟି ସକାଶେ ତାଙ୍କର ଗୋଟିଏ ଛବି ଓ କ୍ଷୁଦ୍ର ମନ୍ତବ୍ୟଟିଏ ଆମ ପାଖକୁ ପଠାଇ ଦେଇଥିଲେ । କେଡ଼େ ଗର୍ବର ସହିତ ଓଡ଼ିଆ ଅନୁବାଦଟିରେ ଆମେ ତାହାକୁ ଗୁନ୍ଥି ଦେଇଥିଲୁ ।

 

ଶ୍ରୀଯୁକ୍ତ ଆଲ୍‍ବର୍ଟ୍ ଶ୍ଵାଇତ୍‍ଜର୍ ଭାରତୀୟ ପ୍ରାଚୀନ ଦର୍ଶନ ସହିତ ସୁପରିଚିତ ଥିଲେ । ‘ଭାରତୀୟ ବିଚାରର ବିକାଶ’ ନାମରେ ସେ ଗୋଟିଏ ପୁସ୍ତକ ମଧ୍ୟ ଲେଖିଛନ୍ତି । ସେଥିରେ ମହାତ୍ମା ଗାନ୍ଧୀ’ ରବୀନ୍ଦ୍ରନାଥ ଏବଂ ଶ୍ରୀ ଅରବିନ୍ଦଙ୍କର ବିଚାର ସମ୍ବନ୍ଧରେ ଦୀର୍ଘ ପ୍ରବନ୍ଧମାନ ରହିଛି । ରବୀନ୍ଦ୍ର ଶତବାର୍ଷିକୀ ସମୟରେ ଆମେ କେତେଜଣ ଓଡ଼ିଆ, ଇଂରାଜୀ ଓ ବଙ୍ଗଳାରେ ଅଭିନନ୍ଦନ-ଗ୍ରନ୍ଥମାନ ଛାପିବା ନିମନ୍ତେ ଯେତେବେଳେ ଲେଖାମାନ ସଂଗ୍ରହ କରୁଥିଲୁ, ସେତେବେଳେ ରବୀନ୍ଦ୍ରନାଥଙ୍କ ବିଷୟରେ ଲିଖିତ ତାଙ୍କର ପ୍ରବନ୍ଧଟିକୁ ବ୍ୟବହାର କରିବା ଲାଗି ସେ ଆମକୁ ଅନୁମତି ପ୍ରଦାନ କରିଥିଲେ । ଶ୍ଵାଇତ୍‍ଜର୍‍ ଆଫ୍ରିକାର ଯେଉଁ ରାଜ୍ୟରେ ରୋଗୀମାନଙ୍କର ସେବା କରୁଥିଲେ, ସେହି ରାଜ୍ୟ ବର୍ତ୍ତମାନ ଏକ ସ୍ଵାଧୀନ ରାଷ୍ଟ୍ରର ମର୍ଯ୍ୟାଦା ଲାଭ କଲାଣି । ନାନା ଅର୍ଥରେ ଆଧୁନିକ ହେଲାଣି । ତଥାପି, ଶ୍ଵାଇତ୍‍ଜର୍ ପୃଥିବୀରେ ଅନ୍ୟ ମନୁଷ୍ୟମାନଙ୍କର କାର୍ଯ୍ୟରେ ଲାଗି ପାରିବାକୁ ପୁରୋଗାମୀ ସଦୃଶ ଏକଦା ଯେଉଁ ନିଷ୍ପତ୍ତି ଗ୍ରହଣ କରିଥିଲେ, ଏବେ ମଧ୍ୟ ତାହାର କେତେ କେତେ ମହତ୍ତ୍ଵ ରହିଛି । ଆମର ବିଦ୍ୟା, ଜ୍ଞାନ, ଅର୍ଥ,–ଏଗୁଡ଼ିକୁ ଆମେ ନିଜେ ଅର୍ଜନ କରିବା ସତ, ମାତ୍ର କେବଳ ଆମର ସାନ ସ୍ଵାର୍ଥଗୁଡ଼ିକର ସାଧନା ନିମନ୍ତେ ନୁହେଁ, ପୃଥିବୀର କାମରେ ଲାଗିପାରିଲେ ଯାଇ ସେଗୁଡ଼ିକ ପ୍ରକୃଷ୍ଟ ଭାବରେ ବ୍ୟବହୃତ ହୋଇପାରିବ । ବିଦ୍ୟା ଆମକୁ ପ୍ରକୃତରେ ଗୋଟିଏ ବିଶେଷ ଆଖି ଦେଇଯାଏ, ଯାହାଦ୍ୱାରା କି ଆମେ କେବଳ ନିଜକୁ ନଦେଖି ନିଜସହିତ ଆମର ସହଚାରୀ ଏହି ସଂସାରର ସମସ୍ତଙ୍କୁ ଦେଖିବାକୁ ସମର୍ଥ ହେଉ । ସମସ୍ତଙ୍କ ସହିତ ଏକତ୍ର ବାଟ ଚାଲିଲେ ଯାଇ ଦୁଃଖ ଯାଏ । ନଶ୍ଵର ଜୀବନରେ ବହୁ ଅବିନଶ୍ଵର ସମ୍ଭାବନା ରହିଛି ବୋଲି ଚାକ୍ଷୁଷ ହୋଇଯାଏ । ପୃଥିବୀର ପ୍ରତ୍ୟେକ ଧର୍ମ ମଣିଷମାନଙ୍କୁ ସହଚାରୀ ଅନ୍ୟ ମଣିଷଙ୍କ ବିଷୟରେ ଚେତାଇ ଦେଇ ଯାଇଛି । ଖ୍ରୀଷ୍ଟିଆନ୍‍ ଧର୍ମରେ ଜୀବନର ଏହି ଦିଗଟି ଉପରେ ସମ୍ଭବତଃ ସବୁଠାରୁ ଅଧିକ ମୂଲ ଦିଆଯାଇଛି । ଧର୍ମଗୁଡ଼ାକ ମାର୍କା ଓ ବିଧଗୁଡ଼ାକ ଭିତରେ ପଶି ଅମୁହାଁ ହୋଇଯିବା ହେତୁ ମଣିଷମାନେ ଆଡ଼ମ୍ବରମୟ ଭେକମାନ ଧାରଣ କରିଥିଲେ ମଧ୍ୟ ତଥାପି ଧର୍ମଛଡ଼ା ହୋଇଯାଉଛନ୍ତି । ଧର୍ମ ନାମରେ ଅଫିମ ଖାଇ ପକାଉଛନ୍ତି । ସେଥିଲାଗି ମୋ’ର ତରୁଣ ବୟସରେ ଆପଣାର ନିର୍ଭରଶୀଳା ଗୁଡ଼ିକୁ ସଂଗ୍ରହ କରୁଥିବା ବେଳେ ସୁଦୂର ଆଫ୍ରିକାର ଚକ୍ଷୁଷ୍ମାନ ଡାକ୍ତର ଶ୍ଵାଇତଜର୍ ମୋତେ ଭାରି ଆକୃଷ୍ଟ କରୁଥିଲେ । ଶ୍ଵାଇତ୍‍ଜର୍‍ଙ୍କ ପରି ବ୍ୟକ୍ତିମାନଙ୍କୁ ଦର୍ପଣ କରି ପୃଥିବୀକୁ ଦେଖୁଥିବା ଯାଏ ଏଠି କାହାକୁ ଆଉ କାହିଁକି ନିଃସଙ୍ଗ ଲାଗିବ ?

 

୧୯୬୩ ମସିହାରେ ଜର୍ମାନୀର ସୋନେନ୍‍ବର୍ଗଠାରେ ମୁଁ ୟାନୁସ୍ କୋର୍ଚ୍ଚାକ୍‍ଙ୍କ ବିଷୟରେ ପ୍ରଥମେ କିଛି ଜାଣିବାକୁ ପାଇଲି । ତାଙ୍କର ଗୋଟିଏ ଜୀବନୀ ପୋଲାଣ୍ଡ୍‍ର ଭାଷାରୁ ଇଂରାଜୀକୁ ଅନୁଭବ ହୋଇଥିଲା । ସେହି ବହିରୁ ଯେତିକି ତଥ୍ୟ ପାଇଲି, ସେତିକି ମଧ୍ୟ ମୋତେ ଗଭୀର ଭାବରେ ଅଭିଭୂତ କରି ଦେଇଥିଲା । ଜଣେ ସୁଖୀ ଡାକ୍ତର ଗରିବ ଘରର କେତେ ପିଲାଙ୍କୁ ଏକାଠି କରି ଗୋଟିଏ ଆବାସିକ ବିଦ୍ୟାଳୟ ଆରମ୍ଭ କରିଥିଲେ । ପିଲାଙ୍କୁ ସେମାନଙ୍କର ବଡ଼ ହେବାର ପ୍ରକ୍ରିୟାରେ କିଞ୍ଚିତ୍ ଖୁସୀ ଏବଂ କିଞ୍ଚିତ୍ ଆତ୍ମବିଶ୍ଵାସ ଦେବେ ବୋଲି ସେ ଡାକ୍ତରୀର ଅର୍ଥ କରି ବେଉସାଛାଡ଼ି ଶିକ୍ଷକ ହେଲେ । ପିଲାମାନଙ୍କର ଶିକ୍ଷା ବିଷୟରେ ନିଜର ଅନୁଭବରୁ ବହିସବୁ ଲେଖିଲେ ଓ ସେଗୁଡ଼ିକର ବିକ୍ରୀଲବ୍‍ଧ ଧନରୁ ଇସ୍କୁଲଟି ଚାଲିଲା । ମାତ୍ର ସେହି ସମୟରେ ହିଟଲର୍‍ ପୋଲାଣ୍ଡ୍‍କୁ ଦଖଲ କରିନେଲା ଏବଂ ପୋଲାଣ୍ଡ୍‍ର ରାଜଧାନୀରେ ଅବସ୍ଥିତ ଏହି ଅଭିନବ ଶିକ୍ଷାଳୟଟି ପାଇଁ ମଧ୍ୟ ବିପଦ ମାଡ଼ିଆସିଲା । ବିୟଦ୍ୟାଳୟରେ ସବୁପିଲା ଇହୁଦୀ ଥିଲେ । କୋର୍ଚ୍ଚାକ୍ ସ୍ଵୟଂ ଇହୁଦୀ ଥିଲେ । ଏବଂ, ଇହୁଦୀମାନଙ୍କୁ ପ୍ରାଣରେ ମାରି ନିଃଶେଷିତ କରିଦେବାର ହିଟ୍‍ଲର ଅଭିଯାନରେ ଦିନେ ଏହି ପିଲାମାନଙ୍କର ବି ତାଲିକାରେ ନାଆଁ ବାହାରିଲା ଆସିଲେ । ସେଦିନ ବଡ଼ିସକାଳୁ ସୈନ୍ୟପହରା ଭିତରେ ପିଲାମାନେ ଧାଡ଼ୀ ବାନ୍ଧି ରାସ୍ତାକୁ ବାହାରି ଆସିଲେ । ଗୋଟିଏ ସାନ ପିଲାକୁ କାଖ କରି କୋର୍ଚ୍ଚାକ୍ ସବାଆଗରେ ଚାଲିଥାନ୍ତି । ସେମାନେ ସମସ୍ତେ ସେମାନଙ୍କର ବିଦ୍ୟାଳୟଟି ବିଷୟରେ ରଚିତ ହୋଇଥିବା ସଙ୍ଗୀତଟିକୁ ସତେଅବା ସ୍ତବପରି ଗାଉଥାନ୍ତି । ଗୋଟାଏ ଜାଗାରେ ପିଲାମାନଙ୍କର ସେମାନଙ୍କ ଲାଗି ଅପେକ୍ଷା କରିଥିବା ତାରଜାଲି ଦିଆଯାଇଥିବା ଗାଡ଼ି ଭିତରକୁ ଯିବାର କଥା । ସେହି ଗାଡ଼ି ସେମାନଙ୍କୁ ବିଷାକ୍ତ ବାଷ୍ପର ଗୋଟିଏ କକ୍ଷ ଭିତରକୁ ନେଇଯିବ ଓ ତାହାରି ଦ୍ଵାରା ସମସ୍ତଙ୍କର ମୃତ୍ୟୁ ହେବ । କୋର୍ଚ୍ଚାକ୍ ମଧ୍ୟ ପିଲାଯୂଥଟି ସହିତ ସେହି ମୃତ୍ୟୁଗାଡ଼ି ଭିତରକୁ ପଶିବାକୁ ବାହାରିଲେ । ପହରାଦାର ସୈନ୍ୟମାନେ ମନା କଲେ-। କାରଣ, ତାଲିକାରେ ତାଙ୍କର ନାମ ଥିଲା । କୋର୍ଚ୍ଚାକ୍ ମାନିଲେ ନାହିଁ । “ମୁଁ ସାଙ୍ଗରେ ରହିଥିଲେ ମୋ’ ପିଲାମାନଙ୍କ ପାଇଁ ମୃତ୍ୟୁ ହୁଏତ କିଞ୍ଚିତ୍ କମ୍ କଷ୍ଟଦାୟକ ହେବ”–ବୋଲି କହି ଗାଡ଼ି ଭିତରକୁ ପଶିଗଲେ ।

 

ଏହି ଘଟଣା ଏବେ ୧୯୪୪ ମସିହାରେ ଘଟିଛି । ଜଣେ ଶିକ୍ଷକ ସିଏ ସାଙ୍ଗରେ ଧରିଥିବା ପିଲାମାନଙ୍କ ସହିତ କେତେ ଏକାତ୍ମତା ଅର୍ଜନ କଲେ ଯେ ଏପରି ସମ୍ଭବ ହେବ, ମୁଁ କୋର୍ଚ୍ଚାକ୍‍ଙ୍କୁ ସମ୍ମୁଖରେ ରଖିବାର ସେହିକଥା ଭାବିଛି । ଯଥାର୍ଥ ଶିକ୍ଷାଦାନ ଜଣେ ଶିକ୍ଷକକୁ ମଧ୍ୟ ଚରମ ଆତ୍ମଦାନ ପାଇଁ ଯେ ଯୋଗ୍ୟ କରିପାରେ, ମୁଁ ଶ୍ରୀ ୟାନୁସ୍ କୋର୍ଚ୍ଚାକ୍‍ଙ୍କର ଦୃଷ୍ଟାନ୍ତରୁ ବୋଲି କୁହାଗଲେ ତଦ୍ଦ୍ଵାରା ହୁଏତ ଅନାଚାର କରାଯିବ । କେହି ତ୍ୟାଗ କରିବା ନିମନ୍ତେ ଏହି ପୃଥିବୀକୁ ଆସିନଥାନ୍ତି । ସମସ୍ତେ କିଛି ନା କିଛି ହାସଲ କରିବେ, କୌଣସି ଏକ ବୃହତ୍ତର କିଛି ସକାଶେ ନିଜର ଜୀବନଟିକୁ ବଞ୍ଚିବେ ବୋଲି ଅଭିଳାଷ ରଖିଥାନ୍ତି । ନିଜକୁ ସେଥିଲାଗି ଅନୁରୂପ ଭାବରେ ପ୍ରସ୍ତୁତ ଓ ସମ୍ମତ କରିବାରେ ଲାଗିଥାନ୍ତି । ଏହାହିଁ ଜୀବନର ଅସଲ ଶ୍ରେୟ । ଏହି ପ୍ରସ୍ତୁତ ଓ ସମ୍ମତ କରି ନେଉଥିବାର ସତ ତ ପ୍ରକ୍ରିୟାଟି ହିଁ ମଣିଷକୁ ତା’ ଜୀବନର ସର୍ବଶ୍ରେଷ୍ଠ ସନ୍ତୋଷ ପ୍ରଦାନ କରେ-। କ’ଣଟିଏ ପାଇଁ ବଞ୍ଚିବା, ସବୁ ସାର୍ଥକତା ସେଇଥିରୁ ମିଳେ । ସେହି ‘ପାଇଁ’ ଟି ଯେତିକି ଅଧିକକୁ ସ୍ଵୀକାର କରୁଥାଏ, ସେଥିରେ ସ୍ଵାର୍ଥର ମଳି ଯେତିକି କମ୍ ରହିଥାଏ, ସଂପୃକ୍ତ ବ୍ୟକ୍ତିଟିକୁ ତାହାରି ଲାଗି ବାଟ ଚାଲି ଅର୍ଥାତ୍ ଜୀବନ ବଞ୍ଚି ପରିପୂର୍ଣ୍ଣତା ଲାଭ କରିବାର ସେତିକି ବୋଧ ମିଳିଥାଏ-। ତାହାହିଁ ଅସଲ ଖୁସୀଗୁଡ଼ିକର କାରଣ ହୁଏ, ମର୍ତ୍ତ୍ୟ ଭିତରେ ଆତଯାତ ହେଉଥିଲେ ମଧ୍ୟ ଅମର୍ତ୍ତ୍ୟର ସ୍ଵାଦ ଆଣି ଦେଇଯାଏ । ନିଜ ଆଡ଼ୁ ଦେଖିଲେ ସେଥିରେ ନକାରାତ୍ମକତା କିଛିହେଲେ ନଥାଏ-। ଅନୁକ୍ଷଣ ନିକଟବର୍ତ୍ତୀ ହେଉଥିବା ପରି ଲାଗୁଥାଏ, କାହା ପାଖରେ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକର ପୂରଣ ହେଉଥିବା ପରି ଲାଗୁଥାଏ । ସେହି ପ୍ରକ୍ରିୟାଟିରେ ଯଦି କେବେ ନିଜର ମୂଳ ପୁଞ୍ଜିସ୍ଵରୂପ ଜୀବନଟି ପାଇଁ ମଧ୍ୟ ଆହ୍ୱାନ ଆସେ, ତେବେ ସେଇଟିକୁ ମଧ୍ୟ ନିବେଦନ କରି ଦେଇହୁଏ । ଯେଉଁ ଅନ୍ୟମାନେ ପ୍ରାୟ କୌଣସି ପାଇଁ ବଞ୍ଚୁନଥାନ୍ତି, କାହାରି ନିକଟତର ହେଉନଥାନ୍ତି, ଯେଉଁମାନେ ନିଜ ଗାତଟି ଭିତରେ ସାଉଁଟି ଅଥବା ଝାମ୍ପି ଆଣୁଥିବା ଧନଗୁଡ଼ିକୁ ନେଇ ପୂରାଇ ଦେବାକୁ ତରବର ହେଉଥାନ୍ତି, ଯେଉଁମାନେ ଏହି ସୃଷ୍ଟି ଭିତରେ ରହିଥିଲେ ମଧ୍ୟ ସୃଷ୍ଟିକର୍ତ୍ତାଙ୍କ ସହିତ ନଥାନ୍ତି, ସେମାନେ ନିଜ ଜୀବନକୁ ପଣ କରି ବାଟ ଚାଲୁଥିବା ମଣିଷମାନଙ୍କର ଉକ୍ତ କାର୍ଯ୍ୟଟିକୁ ତ୍ୟାଗ ବୋଲି କହନ୍ତି । ଅତ୍ୟାଗୀମାନେ, ଜୀବନକାତରମାନେ ହିଁ ସଂସାରରେ ତ୍ୟାଗର ଭୂୟସୀ ପ୍ରଶଂସା କରିବାରେ ଲାଗିଥାନ୍ତି । ଚକିତ ଓ ଗଦ୍‍ଗଦ୍‍ ହୋଇ ପଡ଼ୁଥାନ୍ତି ।

 

୧୯୪୪ ମସିହାରେ ଶତ୍ରୁଦ୍ଵାରା ବିଜିତ ପୋଲାଣ୍ଡ ଦେଶରେ ଏହି ଯେଉଁ ଘଟଣାଟି ଘଟିଥିଲା, ସେତେବେଳେ ତାହା ବିଷୟରେ ବାହାର ପୃଥିବୀ ଆଦୌ କିଛି ଜାଣିବାର ଜୁ’ ନଥିଲା । ସେତେବେଳେ ଭାରତବର୍ଷରେ ମହାତ୍ମା ଗାନ୍ଧୀଙ୍କର ସମୟ । ଗାନ୍ଧୀ ଶରୀରରେ ବି ଥିଲେ । ଏହି ଘଟଣାଟି ତାଙ୍କର କାନକୁ ଆସିଥିଲା କି ନାହିଁ, ସେକଥା କହିବା ଆଦୌ ସହଜ ନୁହେଁ । ମାତ୍ର ଯଦି କାନକୁ ଆସିଥାନ୍ତା, ତେବେ ମହାତ୍ମା ମୋହନ କୋର୍ଚ୍ଚାକ୍‍ଙ୍କୁ ଜଣେ ଶକ୍ତିମାନ ସତ୍ୟାଗ୍ରହୀ ବୋଲି କହିଥାନ୍ତେ । ପୃଥିବୀରେ ଏପରି ଜଣେ ବ୍ୟକ୍ତି ଥିଲା ବୋଲି ଗର୍ବ ଅନୁଭବ କରିଥାନ୍ତେ । ତ୍ୟାଗର ଦୃଷ୍ଟାନ୍ତ ଦେଖାଇବାକୁ ସତ୍ୟାଗ୍ରହୀ ଆଦୌ କିଛି କରେନାହିଁ । ସିଏ ସତ୍ୟପାଇଁ ଏକ ଉଜ୍ଜ୍ଵଳ ନିମିତ୍ତ ହେବା ନିମନ୍ତେ ସତତ ଜାଗରୂକ ରହିଥାଏ । ଅସତ୍ୟର ଦୁର୍ଗମାନଙ୍କୁ ସତ୍ୟର ସନ୍ଦେଶ ଶୁଣାଇ ଚାଲେଞ୍ଜ୍ କରେ । ସିଏ ପୃଥିବୀକୁ ବଦଳାଇବା ପାଇଁ ବାହାରିଥାଏ; ନିଜ ସମ୍ମୁଖରେ ଏପରି ଗୋଟିଏ ନକ୍ଷତ୍ରର ଆକର୍ଷଣକୁ ଅନୁଭବ କରୁଥାଏ, ଯାହାକି ତାକୁ ଭଗବାନଙ୍କର ଅନୁମତି ପତ୍ର ବୋଲି ମନେ ହୁଏ । ସେହି ଅନୁମତିପତ୍ରଟିଏ ଧରି ସିଏ ବାଟ ଚାଲେ । ସେଇଥିରୁ ବଳ ଓ ସାହସ ପାଏ । ୟାନୁସ୍ କୋର୍ଚ୍ଚାକ୍ ଜଣେ ସାହସୀ ବ୍ୟକ୍ତି ଥିଲେ । ଜଣେ ଶିକ୍ଷକ ସେହିଭଳି ସାହସୀ ଓ ସମ୍ମତ ନହେଲେ ହୁଏତ ଏହି ବହୁବିଧ ଜାଡ୍ୟର ସଂସାରରେ ଆଦୌ କିଛି କରି ପାରିବନାହିଁ । ଶିକ୍ଷାଦ୍ଵାରା ବହୁ ଅଶିକ୍ଷା ଏବଂ ଅନ୍ଧାରକୁ ଦୂର କରିବୁ ବୋଲି ବଚନ ପ୍ରଚାର କରି ଯେଉଁମାନେ ସତେଅବା ନିଜ ଭିତରେ ରାଜତ୍ଵ କରୁଥିବା କେଉଁ ଭୀରୁଟିର ପ୍ରବର୍ତ୍ତନାରେ ପଡ଼ି କେବଳ ବାହ୍ୟଗୁଡ଼ାକର ହିଁ ଭିନ୍ନ ଭିନ୍ନ ବିନ୍ୟାସ କରିବାରେ ଲାଗିଥାନ୍ତି, ସେମାନେ ଆପେ ବିକିହୋଇ ଯାଆନ୍ତି, —ଭାରି କପଟୀ ହୁଅନ୍ତି । ଭାରତବର୍ଷରେ ସ୍ଵାଧୀନତା ପରେ ଏହି ବାଟର ମଣିଷମାନେ ଶିକ୍ଷାଘରେ ମାମଲତକାର ବନି ରହିଛନ୍ତି ବୋଲି ଏଠି ଶିକ୍ଷାକୁ ଘୋର ଦୁର୍ଦ୍ଦଶା ପଡ଼ିଛି ।

 

ୟାନୁସ୍ କୋର୍ଚ୍ଚକ୍ ପୃଥିବୀଯାକର ଶିକ୍ଷକମାନଙ୍କ ପାଇଁ କାଳକାଳକୁ ତାରାଟିଏ ହୋଇ ଜଳୁଥିବେ । ଜଣେ ଶିକ୍ଷକକୁ ମଧ୍ୟ ଆପଣାର ଧର୍ମପାଳନ ନିମନ୍ତେ ଯେ ଚରମ ମୀମାଂସାଟି ଲାଗି ପ୍ରସ୍ତୁତ ହୋଇ ବାଟ ଚାଲିବାକୁ ପଡ଼େ, କୋର୍ଚ୍ଚାକ୍ ନିଜ ଜୀବନର ଯାବତୀୟ ସୋପାନରେ ତାହାର ପ୍ରମାଣ ଦେଇଯାଇଛନ୍ତି । ଏବେ ଭାରତବର୍ଷରେ ଶାସନକାଳ ଭିତରେ ବି ଦଳେ ଶିକ୍ଷାରେ ତୁମୁଳ ପରିବର୍ତ୍ତନ ଆଣିବେ ବୋଲି ଆମକୁ ବୁଝାଇବାରେ ଲାଗିଛନ୍ତି । ଶିକ୍ଷାର ଯାବତୀୟ ରଜ୍ଜୁକୁ ସେମାନେ ନିଜ ହାତରେ ଏପରି ଯାବୁଡ଼ି ଧରିଛନ୍ତି ଯେ, ସଂପୃକ୍ତ ସମସ୍ତେ ଶ୍ଵାସରୁଦ୍ଧ ହୋଇ ଯାଉଛନ୍ତି । ଚାଲ ଯିବା, ଏମାନଙ୍କ ଦ୍ଵାରା ସତରେ କିଛି ହେବ ନାହିଁ ବୋଲି କୋର୍ଚ୍ଚାକଙ୍କୁ ପଚାରିବା-। ସିଏ ହୁଏତ କୌଣସି ଉତ୍ତର ଦେଇ ପାରିବେନାହିଁ । ନିଜ ଜୀବନରେ ସିଏ ଶିକ୍ଷକ ହୋଇଛନ୍ତି, ସତେଅବା ଶିକ୍ଷାନାମକ କଳଟି ପାଖରେ ଆପଣାକୁ ସଂପୂର୍ଣ୍ଣ ଭାବରେ ସମର୍ପଣ କରି ଦେଇଛନ୍ତି-। ତାଙ୍କୁ ତୁମେ ଜଣେ ଶିକ୍ଷକର ଅସଲ ଖୁସୀ ବିଷୟରେ ପଚାରି ପାରିବ । ଆପଣାକୁ କୌଣସି ଏକ କାର୍ଯ୍ୟପାଇଁ ନିଷ୍କପଟ ଭାବରେ ସମର୍ପି ଦେଇ ପାରିଲେ ମଣିଷକୁ ତାହାରିଦ୍ଵାରା ହିଁ କିପରି ଅମିତ ବଳ ମିଳେ, କୋର୍ଚ୍ଚାକ୍ ତୁମକୁ ସେକଥା କହିଦେଇ ପାରିବେ । ଯେ କୌଣସି ସଭ୍ୟ ସମୂହରେ ମଧ୍ୟ ଶାସକମାନେ ଅବଶ୍ୟ ଥିବେ, —ମାତ୍ର ସେମାନେ କଦାପି ବାଟ ଓଗାଳି ଛିଡ଼ା ହେବେନାହିଁ-। ସେମାନେ ନିର୍ବୋଧ ହେବେନାହିଁ । ଶାସକମାନଙ୍କ ଅପେକ୍ଷା ଯେକୌଣସି ଦେଶରେ ଅନ୍ତତଃ ଶିକ୍ଷାର କ୍ଷେତ୍ରରେ କୋର୍ଚ୍ଚକ ମାନଙ୍କର ହିଁ ଆବଶ୍ୟକତା ଅଧିକ ରହିଛି ।

 

ମାର୍ଟିନ୍ ବୁବରଙ୍କ ସହିତ ସାକ୍ଷାତ ହେଲା ୧୯୫୩ ମସିହାର ଶେଷ ଆଡ଼କୁ, ତାଙ୍କରି ଘରେ । ଯାବତୀୟ ମାନଦଣ୍ଡରୁ ସିଏ ଠିକ୍ ଜଣେ ଋଷି ପରି ଦିଶୁଥିଲେ; ମାତ୍ର ସଂସାର ବିଷୟରେ ଜଣେ ପୂର୍ଣ୍ଣଶ୍ରଦ୍ଧ ବ୍ୟକ୍ତିକୁ ଯଦି ତଥାପି ଋଷି ବୋଲି କୁହାଯିବ, ତେବେଯାଇ ଶ୍ରୀ ବୁବର୍ ଜଣେ ଋଷି ଭଳି ଅନୁଭୂତ ହେବେ । ସଂସାର ଭିତରେ ଥିବ, ଆପଣାର ସାଂସାରିକ ପରିପାର୍ଶ୍ଵ ବିଷୟରେ ସମ୍ପୂର୍ଣ୍ଣ ସଚେତନ ଥିବ, —ସମସାମୟିକ ଅନ୍ୟମାନେ ଯେତିକି ଦେଖି ପାରୁଛନ୍ତି, ତା’ ଠାରୁ ଭବିଷ୍ୟ ଭିତରକୁ ଅନେକ ଅଧିକ ଦେଖି ପାରୁଥିବ ଏବଂ ସେହି ଅନୁସାରେ ନିଜର ବର୍ତ୍ତମାନ ଭୂମି ଉପରେ ଅଙ୍ଗୀକାରବଦ୍ଧ ହୋଇ ବାଟ ଚାଲୁଥିବ, —ଏଇଟି ବୋଧ ହୁଏ ଆମ ଆଧୁନିକ ଆହ୍ୱାନଗୁଡ଼ିକର ପୃଥିବୀଟି ମଧ୍ୟରେ ଋଷିର ଏକ ଯଥାର୍ଥତର ସଂଜ୍ଞା ହୋଇପାରିବ । ଭାରତବର୍ଷରେ ଋଷିମାନଙ୍କର ସ୍ମରଣ ମାତ୍ରକେ ହିଁ ଅରଣ୍ୟ ମନେ ପଡ଼ିଯାଏ । ସଂସାରକୁ ଅସମ୍ଭବ ଓ ପ୍ରବଳ ବୋଲି ଭାବି ସେମାନେ ଅରଣ୍ୟକୁ ଯାଉଥିଲେ, ସେଠାରେ ସ୍ୱତପସ୍ୟା ଦ୍ଵାରା ଏକ ତଥାକଥିତ ଦେବଯାନ ପଥର ଆବିଷ୍କାର କରୁଥିଲେ ଓ ପୃଥିବୀବାସୀ ସେମାନଙ୍କୁ ପୂଜ୍ୟ ଥାନରେ ନେଇ ବସାଇ ଦେଉଥିଲେ । ସେମାନେ ଶାସ୍ତ୍ର ବି ଲେଖୁଥିଲେ; ଯାହାକୁ ଭକ୍ତିଭରେ ପୂଜା କରାଯାଉଥିଲା । ମଣିଷ ଘର ଛାଡ଼େ ବୋଲି ଯେ ଅଧିକ ଚେତନାର ଅଧିକାରୀ ହୁଏ, ସେକଥା ଆଦୌ ସତ ନୁହେଁ । ଅଧିକ ଚେତନା ନିମନ୍ତେ ନିଜର ସମ୍ମତି ଦିଏ ବୋଲି ମନୁଷ୍ୟ ଅଧିକ ଚେତନାର ଅଧିକାରୀ ହୁଏ । ଅଧ୍ୟାପକ ମାର୍ଟିନ ବୁବର ଗୋଟାସୁଦ୍ଧା ଏହି ପୃଥିବୀରେ ଥିଲେ । ତାଙ୍କର ଉପାର୍ଜିତ ସକଳ ଜ୍ଞାନ ଏହି ପୃଥିବୀର ମନୁଷ୍ୟକୁ ଏକ ସଂପୂର୍ଣ୍ଣତମ ଅଭିଳାଷପରିଧି ମଧ୍ୟକୁ ଉନ୍ମୀତ କରି ନେବାଲାଗି ଉଦ୍ଦିଷ୍ଟ ହୋଇ ରହିଥିଲା । ଆଧ୍ୟାତ୍ମ କହିଲେ ସିଏ ଆଦୌ କୌଣସି ପଳାୟନକୁ ବୁଝୁନଥିଲେ । ଜୀବନ କହିଲେ ଏକ ଡାଇଲଗକୁ ବୁଝୁଥିଲେ ।

 

ଡେନ୍‍ମାର୍କରେ ପାଠ ପଢ଼ୁଥିବା ସମୟରେ ମୁଁ ବୁବର୍‍ଙ୍କ‍ ରଚିତ କେତୋଟି ପୁସ୍ତକ ପାଠ ଦ୍ଵାରା ତାଙ୍କ ପରିଚୟ ଲାଭ କରିଥିଲି । ଦେଶକୁ ଫେରିବା ସମୟରେ ବାଟରେ ଇସ୍ରାଏଲ୍ ଦେଶରେ ଯେଉଁ କେତେ ସପ୍ତାହ ଅତିବାହିତ କରିଥିଲି, ସେତିକିବେଳେ ତାଙ୍କ ଘରକୁ ଯାଇ ତାଙ୍କୁ ଭେଟିଥିଲି । ରାତ୍ରିର ସେହି କେତେ ଘଣ୍ଟାର କଥାବାର୍ତ୍ତାଟି ପ୍ରକୃତରେ ପାସୋରିବାର ନୁହେଁ । ପୃଥିବୀର ଏଡ଼େ ବଡ଼ ଜଣେ ମନୀଷୀଙ୍କ ସହିତ ସାକ୍ଷାତ କରିବାକୁ ଯାଉଛି ବୋଲି ମୋ’ ଭିତରେ କେତେ ନା କେତେ ସଙ୍କୋଚ ଭରି ରହିଥିଲା । ମୁଁ ଏହି ସାକ୍ଷାତର ଯୋଗ୍ୟ ହେବ ତ ? ଏତେ ବିରାଟ ଜଣେ ବ୍ୟକ୍ତିତ୍ତ୍ଵଙ୍କ ସହିତ କଥାବାର୍ତ୍ତା ହେବାକୁ ଯାଇ ମୁଁ ଆପଣାକୁ ନିତାନ୍ତ ହାସ୍ୟାସ୍ପଦ ବୋଲି ସାବ୍ୟସ୍ତ କରି ପକାଇବି ନାହିଁ ? ସେଦିନ ସେଇ ଅଧିକ କଥାବାର୍ତ୍ତା କଲେ । ମୁଁ ଶୁଣିଲି ତାଙ୍କଠାରୁ କୌଣସି ଗହନ ପ୍ରଶ୍ନଗୁଡ଼ିକର ଚୂଡ଼ାନ୍ତ ସମାଧାନ ଆଦାୟ କରି ଆଣିବାକୁ ମୁଁ ତାଙ୍କ ପାଖକୁ ଯାଉନଥିଲି । ଯେପରି ତାଙ୍କ ପେଟରୁ ଆହୁରି ଅଧିକ କଥା ବାହାରିବ, ସେଥିଲାଗି ସଂଳାପ ମଝିରେ ଯାହା ପଦେ ପଦେ ଉଖାରି ଦେଉଥିଲି । ମୋ’ ନିଜ ଜିଜ୍ଞାସାର ଯଥାର୍ଥ ଗଭୀରତାକୁ ସିଏ ଯେପରି ଅନ୍ଦାଜ କରିପାରିବେ ଓ ସେହି ଅନୁସାରେ ଉତ୍ତର ଦେବେ, ମୁଁ କେବଳ ସେତିକି ଇଚ୍ଛା କରୁଥିଲି । ସିଏ ଭାଷଣ ଦେଲେନାହିଁ, ପ୍ରବଚନ ଶୁଣାଇଲେ ନାହିଁ, —ଆପଣାର ଦ୍ଵାରଗୁଡ଼ିକୁ ଖୋଲିଦେଇ ସିଏ ସତେଅବା ତାହାରିଦ୍ଵାରା ହିଁ ମୋ’ ଦୁଆରଗୁଡ଼ିକୁ ଖୋଲି ଦେବାପାଇଁ ଉଦ୍ୟମ କରୁଥିଲେ । ତାଙ୍କଆଡ଼କୁ ନୁହେଁ, ସମଗ୍ର ପୃଥିବୀଆଡ଼କୁ ଖୋଲି ଦେବାପାଇଁ ଉଦ୍ୟମ କରୁଥିଲେ । ତେଣୁ, ତାଙ୍କ ମୁହଁର କଥା ଶୁଣୁଥିବା ସଙ୍ଗେ ସଙ୍ଗେ ମୁଁ ସତେଅବା ତାଙ୍କର ଅଧିକ ନିକଟ ହୋଇ ଆସୁଥିଲି । ଅଥବା ନିଜକୁ ତାଙ୍କର ଅଧିକ ନିକଟ କରାଇ ଆଣୁଥିଲି । ଅନେକ ବଡ଼ ମଣିଷ ଅଛନ୍ତି, ଯେଉଁମାନେ ଶ୍ରୋତାଟିଏ ବା ଶିଷ୍ୟଟିଏ ହାବୁଡ଼ରେ ପାଇଲେ । ସେମାନଙ୍କର ବୁହତ୍ତା ଦ୍ଵାରା ତାକୁ ଗ୍ରାସ କରି ପକାଇବାକୁ ଇଚ୍ଛା କରୁଥାନ୍ତି । ଅତିବେଶୀ ପ୍ରଭାବିତ କରନ୍ତି, ସତେଅବା ପରମ ସ୍ନେହରେ ତୁମକୁ ସ୍ଵଗର୍ଭ ଭିତରକୁ ନିକ୍ଷେପ କରିଦେବାକୁ ଚାହାନ୍ତି । ତୁମେ ଅଧିକରୁ ଅଧିକ ଗ୍ରହଣଶୀଳ ହୋଇ ନିଜକୁ ଭାରି ନିଦକରେ ଖୋଲିଦେବାରେ ଲାଗିଥିବ, ଅଥଚ ମୋଟେ ଗ୍ରାସରେ ପଡ଼ିବାପରି ଅନୁଭବ କରୁନଥିବ, ତାହା ହେଉଛି ଏକ ଅନ୍ୟପ୍ରକାରର କଥା, ଅନ୍ୟପ୍ରକାରର ସମ୍ବନ୍ଧ ଅନ୍ୟପ୍ରକାରର ପ୍ରଭାବ ।

 

ଏହି ପୃଥିବୀ ହେଉଛି ଏକ ନିୟତ ଡାଇଲଗ୍ ବା କଥୋପକଥନର କ୍ଷେତ୍ର । ଚତୁର୍ଦ୍ଦିଗରେ ବେଢ଼ି ରହିଥିବା ମନୁଷ୍ୟ, ବିସ୍ତାରି ରହିଥିବା ପୃଥିବୀ, ଆମେ ସମ୍ମୁଖୀନ ହେଉଥିବା ବହୁବିଧ ଆହ୍ୱାନ,– ଏହି ସବୁଗୁଡ଼ିକ ସହିତ ଜଣେ ଜଣେ ମନୁଷ୍ୟ ହିସାବରେ ଆମର କଥୋପକଥନ ଚାଲିଛି ଓ ସମ୍ବନ୍ଧଗୁଡ଼ିକ ବର୍ଣ୍ଣିତ ହେବାରେ ଲାଗିଛି । ଆମେ ଯେଉଁଠାରେ ଇଚ୍ଛା କରିବା ଆମର ସମ୍ବନ୍ଧଗୁଡ଼ିକ ସହିତ ସେଠାରେ ଲାଖିଯାଇ ପାରିବା । ଲାଖି ଯିବାଟା ଆଦୌ ଅବଶ୍ୟମ୍ଭାବୀ, ନୁହେଁ, ମାତ୍ର ଏହି ପୃଥିବୀରେ ଅଧିକାଂଶ ମନୁଷ୍ୟ ତଥାପି ଲାଖି ଯାଇଥାନ୍ତି । ଲାଖିଯାଇ ନିରାପଦ ମଣନ୍ତି । କେତେକ ଭାଗ୍ୟ ପାଖରେ ଲାଖିଯାଆନ୍ତି, ଆଉକେତେକ ନିଜର ଧର୍ମ ବା ସମ୍ପ୍ରଦାୟଟା ପାଖରେ ଲାଖି ଯାଇଥାନ୍ତି । ଅର୍ଥାତ୍ ନିଜର ଭାଗ୍ୟ, ଧର୍ମ କିମ୍ବା ସମ୍ପ୍ରଦାୟ ପାଖରେ ପହଞ୍ଚି ପାଚେରୀ ଘେରାଇ ଦେଇଥାନ୍ତି ଓ ଆଉ ଅଧିକ କଥୋପକଥନ ଇଚ୍ଛା କରୁ ନ ଥାନ୍ତି । ଲାଖିଯିବାର ସେହି ସଂସ୍କାର ଅନେକ ସମୟରେ ଆମକୁ ଏପରି ଭାବରେ ଅନ୍ଧ ଓ ଅଳପ କରି ରଖିଥାଏ ଯେ, ଆମେ ଅନ୍ୟମାନଙ୍କୁ ଗୋଡ଼ି ପଥରର ନଜରରେ ଦେଖୁ, ସେମାନଙ୍କୁ ଗୋଡ଼ିପଥରର ବ୍ୟବହାର ଦେଖାଉ । ପୃଥିବୀର ଅଧିକାଂଶ ଧର୍ମ, ଅଧିକାଂଶ ଶାସନ ଏହିପରି ଭାବରେ ଆପଣାକୁ ସର୍ବୋତ୍ତମ ବୋଲି ଅନୁଭବ କରିପାରିବା ସକାଶେ ସଂପୃକ୍ତ ଅନ୍ୟମାନଙ୍କୁ ଗୋଡ଼ିପଥରବତ୍ ଦେଖିବା ନିମନ୍ତେ ଶିକ୍ଷାଲାଭ କରିଛନ୍ତି । ସେମାନେ ଲାଖି ଯାଇଛନ୍ତି । ପୃଥିବୀର ଅନେକ ତଥାକଥିତ ସଂସ୍କୃତି ଓ ସଭ୍ୟତା ମଧ୍ୟ ଏଭଳି ମୋଟେ କମ୍ କରିନାହାନ୍ତି । ଏଇଥିରୁ ପବିତ୍ର ଅପବିତ୍ର, ଆର୍ଯ୍ୟ ଅନାର୍ଯ୍ୟ, ସ୍ଵର୍ଗ ନରକ ଏବଂ ଉତ୍ତମ ଓ ଅବର ପ୍ରଭୃତିର ଅକଥାମାନ ବାହାରିଛନ୍ତି-। ମ୍ଳେଚ୍ଛ, ଯବନ, ପାଗାନ୍ ବା କାଫେର୍ ପ୍ରଭୃତି ସଂସ୍କୃତିବିହୀନ ଶବ୍ଦଗୁଡ଼ିକୁ ସମ୍ଭବତଃ କୌଣସି କାରଣରୁ ଲାଖିଯାଇଥିବା ବ୍ୟକ୍ତିମାନେ ତିଆରି କରିଛନ୍ତି । ପୃଥିବୀରେ ବହୁ ପ୍ରମାଦର କାରଣ ହୋଇଛନ୍ତି । ମଣିଷମାନଙ୍କୁ ଗୋଡ଼ିମାଟି ସଦୃଶ ତୁଚ୍ଛ କରି ଦେଖି ଏବଂ ତାଚ୍ଛିଲ୍ୟ ସହିତ ବ୍ୟବହାର କରି ସେମାନେ ଜୀବନର ସିଧା ବାଟଗୁଡ଼ିକୁ ଅତ୍ୟନ୍ତ ବକ୍ର କରି ଦେଇଛନ୍ତି । ଭଗବାନଙ୍କୁ କ୍ଷୁଦ୍ର କରି ରଖିଛନ୍ତି ।

 

ଅନ୍ୟ ଜଣେ ମନୁଷ୍ୟକୁ ମୁଁ ଯେତେବେଳେ ମୋ’ରି ପରି ଦେଖି ଶିଖିବି, ସେତେବେଳେ ନାନା ସମ୍ବନ୍ଧର ଜାଲଦ୍ଵାରା ନିର୍ମିତ ହୋଇଥିବା ଏହି ସମାଜରେ ମଧ୍ୟ ମୋ’ର ଭୂମିକା ଅଲଗା ହୋଇଯିବ । ଅନ୍ମଠାରୁ ଆନନ୍ଦ ପର୍ଯ୍ୟନ୍ତ ଯାବତୀୟ ଭୂମିରେ ସେହି ସମାଜ ଓ ସେଥିରେ ବାସ କରୁଥିବା ମଣିଷମାନେ ମୋତେ ଅନ୍ୟ ଭଳି ଦେଖାଯିବେ । ସେହି ସମାଜରେ ମୁଁ କାହାକୁ କଦାପି ଗିଳି ପକାଇବି ନାହିଁ କିମ୍ବା ଆଉ କାହାରିଦ୍ଵାରା ନିଜକୁ ଗିଳିହୋଇ ଯିବାକୁ ଦେବିନାହିଁ । ସମସ୍ତେ ବାଟ ଚାଲିଥିବେ, ପାରସ୍ପରିକ କଥୋପକଥନ ଲାଗି ରହିଥିବ, —ଏମିତି ଏକ ସଂସାରରେ ଡର କାହିଁକି ରହିବ, ଶୋଷଣ ବି କାହିଁକି ରହିବ ? ଶ୍ରୀଯୁକ୍ତ ମାର୍ଟିନ୍ ବୁବର ସତ୍ୟ ବା ଈଶ୍ଵରଙ୍କୁ Eternal Thou ବୋଲି କହିଛନ୍ତି । ଆଉଜଣେ ମନୁଷ୍ୟକୁ ଅଥବା ଘେରି ରହିଥିବା ନିତ୍ୟସମ୍ବନ୍ଧର ଏହି ପୃଥିବୀକୁ It ବୋଲି ନଦେଖି Thou ବୋଲି ଦେଖିପାରିଲେ ଯାଇ Eternal Thou ପାଖକୁ ଆସିବା ସମ୍ଭବ ହେବ । ଅନେକ ସମାଜ ରହିଛି, ଯେଉଁଠାରେ କି ବାଲ୍ୟକାଳରେ ଯାବତୀୟ ସଂସ୍କାରଦ୍ଵାରା ହିଁ ଜଣେ ମନୁଷ୍ୟକୁ ନିଜକୁ ମୂଳତଃ ଏକ It ବୋଲି ଦେଖିବାକୁ ବାଧ୍ୟ କରା ଯାଇଥାଏ । ଯିଏ ଏହିଭଳି ନାନା କାରଣରୁ ନିଜକୁ It ବା ଗୋଡ଼ିମାଟି ପରି ଦେଖୁଥାଏ, ସିଏ ଅନ୍ୟମାନଙ୍କୁ ମଧ୍ୟ ଗୋଡ଼ିମାଟି ଭଳି ହିଁ ଦେଖେ । ଉତ୍ପୀଡ଼ିତ ମଣିଷମାନେ ହିଁ ମଉକା ପାଇବା ମାତ୍ରକେ ଉତ୍ପୀଡ଼ନ କରନ୍ତି । ସଂସାରକୁ Thou ଅର୍ଥାତ୍ ସୁହୃତ୍‍ ବୋଲି ଦେଖିବାକୁ ହେଲେ ସମ୍ଭବତଃ ନିଜକୁ ସୁହୃତ୍‍ ପରି ଦେଖିବାଲାଗି ଶିକ୍ଷା କରିବାକୁ ହୋଇଥାଏ ଆପଣାକୁ ନାନା କାରଣରୁ ସର୍ବଦା ଉତ୍ପୀଡ଼ିତ ଅନୁଭବ କରୁଥିବା ମଣିଷମାନେ ହିଁ ସତେଅବା ଏକ କ୍ଷତିପୂରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ଉତ୍ପୀଡ଼ିତ କରାଇବାର କ୍ଷେତ୍ରମାନଙ୍କରେ ନାୟକ ହୋଇ ବାହାରନ୍ତି । ସେମାନେ ବଡ଼ ଉଗ୍ର ହୁଅନ୍ତି । ଏହି ପୃଥିବୀରେ ରହିଥିବା କ୍ଷମତାର ମଣିଷମାନେ କ’ଣ ନିଜଭିତରେ କୌଣସି କ୍ଷେତ୍ରରେ ଉତ୍ପୀଡ଼ିତ ହୋଇ ରହିଥାନ୍ତି, ଯେଉଁଥିଲାଗି ସେମାନେ ବାହାରେ ଏତେ ପ୍ରବଳ ହୁଅନ୍ତି ଓ ଏତେ ଉତ୍ପୀଡ଼ନ କରନ୍ତି ? ଆମ ଜୀବନରେ ଭିତରେ ଏବଂ ବାହାରେ, ଯଦି Thou ବା ସୁହୃତ୍‍ଟି ହିଁ ସବାଆଗରେ ରହିଥିବ, ସେଇ ଆମକୁ ମହତ୍ତ୍ଵପୂର୍ଣ୍ଣ ପରାମର୍ଶଗୁଡ଼ିକୁ ଦେଇ ପାରୁଥିବ, ତେବେ ହାତରେ କ୍ଷମତାର ରଜ୍ଜୁମାନେ ରହିଥିଲେ ମଧ୍ୟ କଦାପି ଉତ୍ପୀଡ଼ନର ବାଟରେ ହୁଡ଼ି ଯିବାନାହିଁ ।

 

ପ୍ରତ୍ୟେକ ମନୁଷ୍ୟ ଭିତରେ ନିତ୍ୟସୁହୃତ୍‍ଟିଏ ପ୍ରକୃତରେ ରହିଛି । ମାତ୍ର, ଦାବିକରି ରହିଛି । ପିଲାଟି ଦିନରୁ ଆମେ ନିଜ ନିଜ ସାମୂହିକତାର ଗୁଳାଗୁଡ଼ିକୁ ଆଶ୍ରା କରି ଏପରି ଏକପ୍ରସ୍ଥ ହୋଇ ବଢ଼ୁଛି ଓ ଆପଣାଟାକୁ ହିଁ ସର୍ବଶେଷ୍ଠ ବୋଲି ଅନୁଭବ କରି ଯଥାସମ୍ଭବ ଅଧିକ ସ୍ପର୍ଶକାତର ହୋଇ ବଡ଼ ହେବାକୁ ଆମକୁ ଏଭଳି ଶିକ୍ଷାମାନ ଦିଆଯାଉଛି ଯେ, ଜୀବନକୁ ଏକ କଥୋପକଥନ ରୂପେ ଗ୍ରହଣ କରିବା ନିମନ୍ତେ ସୁହୃତ୍ ଖୋଜି ବାହାରିବାକୁ ମନ କରୁଥିବା ଆମ ଭିତରର ସୁହୃତ୍‍ଟି କୁଆଡ଼େ ପୋତିହୋଇ ରହି ଯାଉଛି । ଛାଞ୍ଚଗୁଡ଼ିକ ଭିତରେ ସତ୍ୟ ପୋତିହୋଇ ରହୁଛି ଏବଂ ଆମ ସାନ କୋଳାହଳଗୁଡ଼ିକର ନାୟକମାନେ ଏହି ଛାଞ୍ଚଗୁଡ଼ିକୁ ହିଁ ସତ୍ୟବୋଲି ମାନିନେବା ନିମନ୍ତେ କେତେ କେତେ ଫନ୍ଧି କରୁଚନ୍ତି । ଶ୍ରୀ ମାର୍ଟିନ୍ ବୁବର ସେଦିନ ମୋଟେ କେତେ କଥା କହିଲେ । ଆଦୌ କୌଣସି ଶାସ୍ତ୍ରରୁ କୌଣସି ଉଦ୍ଧୃତ ନଦେଇ କହିଲେ । ଏପରିକି ତାଙ୍କ ନିଜ ବହିଗୁଡ଼ିକର ମଧ୍ୟ କୌଣସି ଉଲ୍ଲେଖ କରୁନଥିଲେ । ସିଏ ଜୀବନରେ ହାବୁଡ଼ିଥିବା ନାନା ଉଦାହରଣ ଦେଇ ନିଜର କଥାକୁ ସ୍ପଷ୍ଟ କରିବାଲାଗି ଚେଷ୍ଟା କରୁଥିଲେ । ମୋ' ଭିତରକୁ ସତେଅବା ଜଣେ ଚିହ୍ନା ସୁହୃତ୍‍ପରି ପଶି ପଶି ଯାଉଥିଲେ ମୁଁ ତାଙ୍କୁ ପୂର୍ଣ୍ଣ ଅକୃପଣତା ସହିତ ନିଜ ଭିତରକୁ ଡାକି ନେଉଥିଲି-। ମୁଁ ସଦ୍ୟ ମନୋବିଜ୍ଞାନ ପଢ଼ି ଇଉରୋପରୁ ଫେରୁଥାଏ । ସେଦିନ ବୁବର୍‍ଙ୍କର ପାଖରେ ବସି ମୋ' ମନୋବିଜ୍ଞାନ ପ୍ରକୃତରେ ଥଳ ପାଇଲା, ଏକ ଆଖି ପାଇଗଲା । ସେହି ଆଖିରେ ମୁଁ ଭାରତବର୍ଷରେ ଉଚ୍ଚାରିତ ହୋଇଥିବା ଅଧ୍ୟାତ୍ମକୁ ମଧ୍ୟ ଦେଖିବାକୁ ଶିଖିଲି, ଆଚମ୍ବିତ ହେଲି, ଧନୀ ହୋଇଗଲି । ତଥାପି ଏସବୁ ବିଷୟରେ ତୁଣ୍ଡ ଖୋଲି ମୁଁ ପଦୁଟିଏ କହିନାହିଁ । ଭାରତୀୟ ବିଦ୍ୟାର ପଣ୍ଡିତ ହୋଇଥିଲେ ସମ୍ଭବତଃ ମୁଁ ଆମ ଗ୍ରନ୍ଥମାନଙ୍କରୁ କେତେ କେତେ ବାକ୍ୟ ତୋଳି ଆଣିଥାନ୍ତି ଓ ବବର୍‍ଙ୍କୁ ଅଶ୍ଵସ୍ତ କରି ପକାଇଥାନ୍ତି । ଏବଂ, ପ୍ରକାରାନ୍ତରେ କହିବାକୁ ଚେଷ୍ଟା କରିଥାନ୍ତି ଯେ, ସିଏ ଏହି ବିଂଶ ଶତାବ୍ଦୀରେ ଯାହାସବୁ କହୁଛନ୍ତି; ତାହା ବହୁ ବହୁ ଶତାବ୍ଦୀ ପୂର୍ବେ ଭାରତବର୍ଷର ଋଷିମାନେ ଉଚ୍ଚାରଣ କରି ଯାଇଛନ୍ତି ।

 

ମାତ୍ର, ସେହିପରି ହୋଇଥିଲେ ମୁଁ ମାର୍ଟିନ୍ ବୁବରଙ୍କୁ ନିକଟବର୍ତ୍ତୀ ହୋଇ ପାରିନଥାନ୍ତି । ଯୋଉ ଅହଙ୍କାରୀକୁ ସେଇ ଅହଙ୍କାରୀ ହୋଇ ରହି ଯାଇଥାନ୍ତି । ଛାଞ୍ଚରେ ପଡ଼ି ତିଆରି ହୋଇଥିବା ଗୋଟାଏ ଅମୁକ ବା ସମୁକ ବେଙ୍ଗ ପରି ଦେଖା ଯାଉଥାନ୍ତି । ଏବଂ, ଏକ ତତ୍ତୁଲ୍ୟ ଜୀବନ ମଧ୍ୟ ବଞ୍ଚୁଥାନ୍ତି ଯାହାକି, ମୁଁ ଏତେ ମାର୍ଗରେ ଓ ଏତେ ସୂତ୍ରବନ୍ଧରେ ଏହି ପୃଥିବୀ ଭିତରେ ରହିଥିଲେ ମଧ୍ୟ ତଥାପି ପୃଥିବୀ ବାହାରେ ରହିଥାନ୍ତା । ଜଣେ ଶିକ୍ଷକପାଇଁ ଏହା ପ୍ରକୃତରେ ବଡ଼ ଦୁର୍ବିସହ ହୋଇଥାନ୍ତା । ବୁବର୍‍ଙ୍କ ସହିତ ମୋ’ର ସେହି ସାକ୍ଷାତକାର ଚାଳିଶି ବର୍ଷରୁ ଅଧିକ ପୂର୍ବର ହୋଇଗଲାଣି । ସିଏ ସଂସାରରୁ ବିଦାୟ ନେଇ ସାରିଲେଣି । ଏଥର ୧୯୯୧ ମସିହାରେ ଯେତେବେଳେ ପୁଣି ଜେରୁଜେଲମ୍ ଯାଇଥିଲି, ସେତେବେଳେ ବର୍ତ୍ତମାନର ସେହି ବିକ୍ଷୁବଧ ସହରରେ ମୁଁ ପ୍ରାୟ ସର୍ବଦା ବୁବର୍‍ଙ୍କ ସହିତ ଥିଲି । ତାଙ୍କୁ ସାଥିରେ ଧରି ଇସ୍ରାଏଲ୍‍କୁ ଭାରତବର୍ଷକୁ ବି ଦେଖୁଥିଲି । ସୂତ୍ର ଲେଖିଥିଲେ ଠିକ୍ ସେହିପରି ହୁଏ । ବୁବର୍‍ଙ୍କୁ ସେଠାରେ ଅନେକ କାଳାଧୀନ ମଣିଷ ସିଏ ଏବେ ପୁରୁଣା ହୋଇଗଲେଣି ଏବଂ ଆଉ ତାଙ୍କ କଥାର କୌଣସି ବାସ୍ତବ ପ୍ରାସଙ୍ଗିକତା ନାହିଁ ବୋଲି ଅନୁଭବ କରୁଛନ୍ତି । ସେମାନେ ବୁବର୍‍ଙ୍କୁ ଜଣେ ପ୍ରଜ୍ଞାବାନ୍ ଋଷି ବୋଲି ଭାବୁଛନ୍ତି ଏବଂ କେବଳ ଦୂରରେ ବାସ୍ତବତାର ବାହାରେ କୋଉ ହିମାଲୟରେ ହିଁ ତାଙ୍କୁ ଠାବ କରି ପାରୁଛନ୍ତି । ଏବେ ଇସ୍ରାଏଲରେ ମାର୍ଟିନ୍ ବୁବର୍‍ଙ୍କ ବିଷୟରେ ବହି ଲେଖା ଯାଉଛି ।

 

ଜେରୁଜେଲମ୍‍ର ମାର୍ଟିନ୍ ବୁବର୍ଙ୍କ ପାଖରୁ ଭିଏନାର ଭିକ୍ଟର୍ ଫ୍ରାଙ୍କାଲ୍, —ମୋତେ ସତେଅବା ମାତ୍ର କେତେ ଖୋଜବାଟ ପରି ଲାଗିଲା । ୧୯୫୩ରୁ ୧୯୬୩, —ମଝିରେ ମୋଟେ ଏଇ ଦଶଟି ବର୍ଷ ଲାଗିଲା । ବାଟରେ ଆହୁରି କେତେ ବେଢ଼ାରେ ପଶିଲି, ପ୍ରବକ୍ତାମାନଙ୍କୁ ବୁଝିଲି । ବହୁତ ଉତ୍ସାହରେ ସେମାନଙ୍କୁ ମଧ୍ୟ ବୋକାଚାରେ ବାନ୍ଧିଲି । ସତେ ଯେପରି ମୁଁ ଏହିପରି ବ୍ୟକ୍ତିମାନଙ୍କୁ ଖୋଜୁଥିଲି ଏବଂ ଆଖିର ପାଇଗଲି, —ସବୁବେଳେ ସେହିଭଳି ଲାଗୁଥାଏ । ଆଉ ବିଷୟରେ ପ୍ରାୟ କୌଣସି ବାରଣ ରହିଲାନାହିଁ । ଉଚ୍ଚ ପାଠସବୁ ପଢ଼ା ହେଉଥିବ, ମୂଳମାନଙ୍କରେ ବିଷୟଗୁଡ଼ିକୁ ପାରମ୍ପରିକ ଭାବରେ ଡିସିପ୍ଲିନ୍ ବୋଲି କୁହାଯାଇ ଆସିଥିଲା । ନିଜର ସୀମାଗୁଡ଼ିକ ବିଷୟରେ ସଂପୃକ୍ତ ସମସ୍ତେ ଭାରି ସଚେତନ ଥିଲେ । ସୀମା ଡେଇଁଲେ ଶୁଦ୍ଧତା ଚାଲିଯିବ ବୋଲି ସର୍ବଦା ଶଙ୍କା କରୁଥିଲେ । ଦ୍ୱିତୀୟ ମହାଯୁଦ୍ଧ ପରେ ପୃଥିବୀରେ ଜୀବନ ଏଷଣାର କ୍ଷେତ୍ରରେ କ'ଣ ଘଟିଲା କେଜାଣି, ଆଉ ସୀମାଗୁଡ଼ାକ ଉପରେ ବେଶୀ ନିଘା ରହିଲାନାହିଁ । ପଡ଼ିଶା ପାଞ୍ଚ ଘରର ତିଅଣକୁ ଏକାଠି ନମିଶାଇଲେ ନିଜ ଡିସିପ୍ଳିନ୍– ହାଣ୍ଡିର ତିଅଣଟା ଆଉ ସୁଖ ଲାଗିଲାନାହିଁ-। ଏହି କଥାଟି କ'ଣ ବିଜ୍ଞାନ ପାଇଁ ସମ୍ଭବ ହେଲା ? ଅଥବା, ଅଧିକ ନିର୍ଭୁଲ ଭାବରେ କହିଲେ, ବିବିଧ ବିଜ୍ଞାନଚର୍ଚ୍ଚାରୁ ବୈଜ୍ଞାନିକ ଦୃଷ୍ଟିକୋଣ ନାମକ ଗୋଟିଏ ଅଭିନବ ଚିଜ ପରି କ’ଣ ବାହାରିଲା, ଯାହାକି ଜୀବନର ସମଗ୍ର ଆୟତନ ଉପରେ ମଡ଼ାଇ ଯାବତୀୟ ଜ୍ଞାନର ମୂଲ୍ୟ ନିରୂପଣ କରିବାକୁ ମନ କଲା ? ବୃହଦାରଣ୍ୟକର ମୈତ୍ରେୟୀଙ୍କ ପରି ତା’ ଭିତରେ ଗୋରିଏ ନୂଆ ତୃଷା ଜନ୍ମଲାଭ କଲା । ଯାହାକୁ କି ଏକ ଜୀବନତୃଷା ବୋଲି କୁହାଯାଇ ପାରିବ ? ଯାବତୀୟ ଡିସିପ୍ଳିନ୍–ତୃଷା ଆପଣାକୁ ତାହାରି ଉପରେ ପରଖି ଦେଖିଲେ, ସତେଅବା ଭାରି ଉତ୍ସାହର ସହିତ ପରସ୍ପର ଭିତରେ ଛନ୍ଦି ହେଇଗଲେ, ପରସ୍ପର ମଧ୍ୟକୁ ସଂପ୍ରସାରିତ ହୋଇଗଲେ ! ଏହି ଛନ୍ଦି ହୋଇଯିବା ଫଳରେ ମଣିଷ ଅଧିକ ଉଜ୍ଜ୍ଵଳ ହୋଇ ଦିଶିଲା, ଅଧିକ ସମଗ୍ର ହୋଇଦିଶିଲା, ମଣିଷ ହିଁ ଯାବତୀୟ ଅଧ୍ୟୟନ ଏବଂ ଏଷଣାନୁରାଗର ଲକ୍ଷ୍ୟସ୍ଥଳ ହୋଇ ରହିଲା । ବିଜ୍ଞାନ ଦ୍ଵିଜ ହେଲା, ଏହି ଦ୍ଵିଜ ହେବାର ଏକ ଅବିଚ୍ଛିନ୍ନ ସମ୍ମତିପ୍ରଦାନକୁ ହିଁ ମନୁଷ୍ୟଜୀବନର ଅସଲ ଲକ୍ଷ୍ୟ ବୋଲି କୁହାଗଲା ।

 

୧୯୬୩ ମସିହା ଗ୍ରୀଷ୍ମାବକାଶରେ ମୁଁ ଭିଏନା ବିଶ୍ଵବିଦ୍ୟାଳୟରେ ଶ୍ରୀଯୁକ୍ତ ଭିକ୍ଟର ଫ୍ରାଙ୍କ୍‍ଲ୍‍ଙ୍କୁ ପ୍ରଥମେ ଭେଟିଥିଲି । ଭିକ୍ଟର୍ ଫ୍ରାଙ୍କ୍‍ଲ ଗୋଟିଏ ନାମ ନୁହେଁ, ମନୁଷ୍ୟ ତା’ର ଅସଲ କେନ୍ଦ୍ରଟିକୁ ବାହୁଡ଼ି ଆସିବାର ଆମ ଆଧୁନିକତମ ପର୍ଯ୍ୟାୟରେ ସିଏ ହେଉଛନ୍ତି ଗୋଟିଏ ନମୁନା । ତେଣୁ, ତାଙ୍କର ବ୍ୟକ୍ତିଗତ କାହାଣୀଟି ବିଷୟରେ ମୁଁ ତାଙ୍କଠାରୁ ଯେତିକି ଶୁଣିଛି, ତାଙ୍କର ବାକୀ ପରିଚୟ ପ୍ରଦାନ କରିବାରେ ହୁଏତ ତାହାହିଁ ଏକ ସର୍ବୋତ୍ତମ ମୁଖଶାଳା ରୂପେ ସାହାଯ୍ୟ କରିବ । ବିଗତ ମହାଯୁଦ୍ଧର ପ୍ରଥମ କାଳଟାରେ ହିଁ ଜର୍ମାନୀର ନାତ୍‍ସୀମାନେ ଅଷ୍ଟ୍ରିୟାକୁ ଗ୍ରାସ କରି ପକାଇଥିଲେ । ତା’ର ଅବ୍ୟବହିତ ପରେ ସେଠାରେ ଇହୁଦୀ-ଦଳନ ଆରମ୍ଭ ହୋଇଗଲା । ମନୋବୈଜ୍ଞାନିକ ଭିକ୍ଟର ଫ୍ରାଙ୍କଲ ଇହୁଦୀ ଥିଲେ । ତାଙ୍କୁ ସପରିବାର ଘରୁ ବାହାର କରି ଅଣାଗଲା-। ସିଏ ଅସହାୟ ଭାବରେ ଗୋଟାଏ ଖୁଣ୍ଟରେ ବନ୍ଧା ହୋଇଥିବା ଅବସ୍ଥାରେ ତାଙ୍କର ପତ୍ନୀ ଏବଂ ପରିବାରବର୍ଗଙ୍କୁ ନିପୀଡ଼ିତ କରା ଯାଇଥିଲା । ତା’ପରେ ସେମାନଙ୍କ ଭିତରୁ କାହାକୁ ଯେ କୁଆଡ଼େ ହାରଣଚାଲ କରି ନିଆଗଲା, ତା’ର କୌଣସି ହିସାବ ରହିଲାନାହିଁ । ଭିକ୍ଟର ଫ୍ରାଙ୍କଲ Concentration camp ନାମକ ବିଶେଷ ଯେଉଁ ବନ୍ଦୀଶାଳାଟିକୁ ଆସିଲେ ତାହା ବର୍ତ୍ତମାନ ପୋଲାଣ୍ଡ ଦେଶରେ ଅବସ୍ଥିତ । ଏଗୁଡ଼ିକୁ ଆମେ ଓଡ଼ିଆରେ ଅନୁବାଦ କରି ହୁଏତ ମାରଣଶିବିର ବୋଲି କହିପାରିବା । ଏହି ଶିବିରକୁ ଯାହାକୁ ଅଣାଯିବ, ସିଏ ଅବଶ୍ୟ ମରିବ । କୋଉଦିନ ମରିବ, କର୍ତ୍ତାମାନଙ୍କର ତାଲିକା ଅନୁସାରେ ତାହାର ନିର୍ଦ୍ଧାରଣ ହେବ । ଅର୍ଥାତ୍, କାଲି ତାଲିକାରେ ମୋ’ ନାଆଁଟି ଆସିବାର ପୂର୍ଣ୍ଣ ସମ୍ଭାବନା ଥିବ, ମାତ୍ର, ମୁ ତାହା ଜାଣିନଥିବି । ବନ୍ଦୀମାନଙ୍କୁ ଏହିପରି ମାସ, ମାସ ବର୍ଷ ବର୍ଷ ଅପେକ୍ଷା କରି ରହିବାକୁ ପଡ଼ୁଥିଲା । ଇଏ ଗୋଟାଏ ପ୍ରକାରର ନିରୁପାୟ ଜୀବନ । ଯିଏ ଏହିପରି ଅନିଶ୍ଚିତ ଭାବରେ ସୁନିଶ୍ଚିତ ମୃତ୍ୟୁ ପାଇଁ ଅପେକ୍ଷା କରି ରହିଥିବ, ତା’ ଭିତରେ ପ୍ରକୃତରେ କେଉଁଭଳି ପ୍ରତିକ୍ରିୟାମାନ ହେବ ?

 

ପରବର୍ତ୍ତୀ ସକାଳଟିର ଆଶଙ୍କାରେ ବନ୍ଦୀମାନେ ଶିବିରର ଜୀବନଟିକୁ କିପରି କାତରତାପୂର୍ଣ୍ଣ ଏବଂ କୋଳାହଳମୟ କରି ରଖିଥିବେ, ତାହା ଆମେ କିଞ୍ଚିତ୍ ପରିମାଣରେ ଅନୁମାନ କରିବାକୁ ଚେଷ୍ଟା କରିବା । କିଏ ଭୋ ଭୋ ହୋଇ ରାତିଯାକ କାନ୍ଦୁଥିଲା, କିଏ ଭଗବାନଙ୍କୁ ଗାଳି ଦେଉଥିଲା । କିଏ ଲୁଚାଇ ରଖିଥିବା ପତ୍ନୀ ଓ ସନ୍ତାନମାନଙ୍କର ଫଟୋଗୁଡ଼ିକୁ ବାହାର କରି କେତେସବୁ ସ୍ମୃତିରେ ବିଦାରି ହେବାରେ ଲାଗିଥିଲା । ଆଉକିଏ ହୁଏତ ଏକାବେଳେକେ ମୁକପାଲଟି ଯାଇଥିଲା । ତଥାପି, ଏପରି କେତେଜଣ ଥିଲେ, ଯେଉଁମାନେ କି ଭିତରେ ସ୍ଥିର ରହିଥିଲେ, ବାହାରେ ନିଜେ ସ୍ଥିର ରହି ଅଧୀର ଅନ୍ୟମାନଙ୍କୁ ସାନ୍ତ୍ଵନା ଦେବାକୁ ଚେଷ୍ଟା କରୁଥିଲେ । ପ୍ରତିକ୍ରିୟା ବ୍ୟକ୍ତ କରିବାରେ ମଣିଷ ମଣିଷ ଭିତରେ ଏଭଳି ଫରକ ରହିବାର କାରଣ କ’ଣ ହୋଇପାରେ, ଫ୍ରାଙ୍କଲ୍ ସେକଥା ଚିନ୍ତା କରିବାକୁ ଲାଗିଲେ । ସେଇ ଯମମନ୍ତାରେ ମଧ୍ୟ ତାଙ୍କର ଅଧ୍ୟୟନ ଆରମ୍ଭ ହୋଇଗଲା । ବନ୍ଦୀମାନେ ସେଠାରେ ଘୁଷୁରିଙ୍କ ପରି ରହିଥିଲେ, ଜୀବନର ସର୍ବନିମ୍ନ ଆବଶ୍ୟକତା ଗୁଡ଼ିକରୁ ସେମାନଙ୍କୁ ବଞ୍ଚିତ କରି ରଖା ଯାଇଥିଲା । ପ୍ରତ୍ୟହ ବହୁ ଅସମ୍ମାନଜନକ ବ୍ୟବହାର ସହ୍ୟ କରିବାକୁ ପଡ଼ୁଥିଲା । ଏପରି ଏକ ବୀଭତ୍ସ ଖାତଭିତରେ ରହି ଆହୁରି ଅନେକେ ନିଜପ୍ରତି ମଧ୍ୟ ଯାବତୀୟ ସମ୍ମାନବୋଧକୁ ହରାଇ ସାରିଥିଲେ । ଫ୍ରାଙ୍କାଳ ସ୍ଵୟଂ ବି ସେହି ଦଶାରେ ଥିଲେ । ତଥାପି, ଯଥାସମ୍ଭବ ସମାହିତ ରହି ସିଏ ଅଧ୍ୟୟନଟିକୁ ଆରମ୍ଭ କରିଦେଲେ । ସହବନ୍ଦୀମାନଙ୍କ ସହିତ ଆଳାପ ଆଲୋଚନା କଲେ, —ସେମାନଙ୍କର ଭିତରକୁ ଭେଦି ସେମାନଙ୍କର ଅସଲ ନାହାକାଚେରଗୁଡ଼ିକୁ ହଲାଇ ଦେଖିଥିଲେ । ବନ୍ଦୀମାନେ କେହି ମାମୁଲି ମଣିଷ ନଥିଲେ । ସେମାନଙ୍କ ଭିତରେ ବୁଦ୍ଧିଜୀବୀଥିଲେ, କଳାକାର ଥିଲେ, ସଙ୍ଗୀତବିତ୍ ବି ରହିଥିଲେ । ତଥ୍ୟଗୁଡ଼ିକର ଅନୁଶୀଳନ ପରେ ଫ୍ରାଙ୍କ୍‍ଲ ସେଥିରୁ ସମ୍ଭାବ୍ୟ ଅନୁମାନଗୁଡ଼ିକୁ ବାହାର କରିବାକୁ ଚେଷ୍ଟା କଲେ । ଦାରୁଣତମ ବିପଦ ଭିତରେ ରହିଥିବା ସମୟରେ, ଜଣେ ମଣିଷଠାରେ କ’ଣଟିଏ ପ୍ରକୃତରେ ଥାଏ, ଯାହାକି ତାକୁ ଧୀର ଓ ସମାହିତ କରି ରଖିପାରେ, ତାକୁ ତଥାପି ବିଶ୍ଵାସ ଭିତରେ ରଖିଥାଏ ଏବଂ ଜୀବନ ଉପରେ ମଧ୍ୟ ତା’ର ବିଶ୍ଵାସ ଅତୁଟ ହୋଇ ରହିଥାଏ ?

 

ମାରଣ-ଶିବିରରୁ ପ୍ରତ୍ୟହ ବନ୍ଦୀମାନେ ନିହତ ହେବାକୁ ଯାଉଥାନ୍ତି । ତାଲିକାରେ ନାଆଁ ବାହାରିଥିଲେ ସ୍ଵୟଂ ଭିକ୍ଟରର ଫ୍ରାଙ୍କଲ୍ ମଧ୍ୟ ବିଷାକ୍ତ ବାଷ୍ପର ପ୍ରୟୋଗଦ୍ଵାରା ମରିବାକୁ ଯାଇଥାନ୍ତେ-। ଦୈବାତ୍ ତାହା ଘଟିଲାନାହିଁ’ ଏବଂ, ସେଠାରେ ପାଞ୍ଚବର୍ଷ କଟାଇବା ପରେ ମହାଯୁଦ୍ଧରେ ଜର୍ମାନୀ ଯେତେବେଳେ ପରାସ୍ତ ହେଉଥିଲା ଓ ବିଜୟୀ ସେନାମାନେ ଯେତେବେଳେ ଏକଦା ଅଧିକୃତ ଅଞ୍ଚଳଗୁଡ଼ିକୁ ମୁକ୍ତ କରିବାରେ ଲାଗିଥିଲେ, ସେତିକିବେଳେ ଯାଇ ଫ୍ରାଙ୍କ୍‍ଲ୍ ପୁନର୍ବାର ମୁକ୍ତ ଆଲୋକକୁ ଆସିଲେ । ତାଙ୍କୁ ସିଧା ଡାକ୍ତରଖାନା ଯାଇ ନିଜକୁ ସୁସ୍ଥ କରିବାକୁ ହୋଇଥିଲା-। ତା’ପରେ ନିଜ ଗବେଷଣାର ଲବ୍‍ଧ ଅନୁମାନଗୁଡ଼ିକୁ ସିଏ ପ୍ରକାଶିତ କରିବାକୁ ଆରମ୍ଭ କଲେ-। ହଁ, ନିଜ ମଣିଷମାନଙ୍କୁ ଖୋଜି ଖୋଜି କେବଳ ସେଇ କାଳରୁ ହଜି ଯାଇଥିବା ଝିଅଟିକୁ ଫେରି ପାଇଥିଲେ । ମଣିଷ, କ’ଣ ପାଇଁ ଜୀବନ ବଞ୍ଚେ ? ଏକଦା ସିଗ୍‍ମୁଣ୍ଟ ଫ୍ରଏଡ଼ କହିଥିଲେ, ସମ୍ଭୋଗ ପାଇଁ । ଫ୍ରଏଡ଼ଙ୍କ ପରେ ଆହୁରି କେତେ କିଏ ତାହାରି ଉପରେ କିଞ୍ଚିତ୍ ଗାରିଆଗାରି କରିଥିଲେ ଏବଂ ନିଜ ନିଜର ସିଦ୍ଧାନ୍ତଗୁଡ଼ିକୁ ପ୍ରତିଷ୍ଠିତ କରିଥିଲେ । ଫ୍ରାଙ୍କ୍‍ଲ୍‍ କହିଲେ, ମଣିଷର ଜୀବନରେ ତା’ର ସର୍ବମୂଳ ଉଦ୍ୟମଟି ହେଉଛି, ନିଜର ଜୀବନଟିକୁ ନିଜର ବୁଝିବା ଅନୁସାରେ ଏକ ସଙ୍ଗତ ଅର୍ଥ ଦେଇ ବଞ୍ଚିବାର ଉଦ୍ୟମ । ଏଠାରେ ମଧ୍ୟ ଶ୍ଵେତାଶ୍ଵତର ଉପନିଷଦର ସେହି ମହତ୍ତ୍ଵପୂର୍ଣ୍ଣ ‘କସ୍ମୈ ଦେବାୟ’ କଥାଟି ମନେ ପଡ଼ିଯାଇଛି । ମଣିଷ ଯାହାକିଛି ଖୋଜେ, ଯାହାକିଛି ସଂଗ୍ରହ କରେ, ସିଏ ସେଗୁଡ଼ିକୁ ଏକ ତାତ୍ପର୍ଯ୍ୟ ଦେବାକୁ ଇଚ୍ଛା କରୁଥାଏ । ସେହି ତାତ୍ପର୍ଯ୍ୟ ଦେବାର ଯେଉଁ ଇଚ୍ଛା, ତାହାରି ସ୍ତର ଅନୁସାରେ ହିଁ ତା ବଞ୍ଚିବାର ସ୍ତରଟି ନିର୍ଦ୍ଧାରିତ ହୋଇଥାଏ । ମାରଣ-ଶିବିରରେ ଯେଉଁମାନେ ଆର୍ତ୍ତନାଦ କରୁଥିଲେ, ଦୈବକୁ ତିରସ୍କାର କରୁଥିଲେ ଏବଂ ନିଜ ଦୁଃଖରେ ଅସମ୍ଭାଳ ହୋଇ ପଡ଼ୁଥିଲେ, ସେମାନଙ୍କ ଜୀବନର ଯାବତୀୟ ମୂଲ୍ୟାନ୍ଵେଷଣ ସମ୍ଭବତଃ ଏକ ବ୍ୟକ୍ତିଗତ ଲାଭ କ୍ଷତି ବା ଗତି ଅଗତି ଭିତରେ ଘେରା ହୋଇ ରହିଥିଲା । ଖୁବ୍ ବେଶୀ ହେଲେ କୋରାଟିକୁ କିଛି ବଢ଼ାଇ ସେମାନେ ନିଜର ପରିବାର ପର୍ଯ୍ୟନ୍ତ ଯାଇ ପାରୁଥିଲେ । ଅଧିକ ବୃହତ୍ତର କୌଣସି କିଛିଲାଗି ଜୀବନ ବଞ୍ଚୁ ନଥିଲେ । ସେମାନଙ୍କର ଯାବତୀୟ ତଥାକଥିତ ମୂଲ୍ୟାଦର୍ଶ କେବଳ ମାନସିକ ସ୍ତରରେ ରହିଥିଲା । ଏହି ଲୋକମାନେ ହିଁ ସଚରାଚର ଭୀରୁ ହୁଅନ୍ତି, ଅଭିଯୋଗରେ ଗଗନ କମ୍ପାନ୍ତି,–ଏହି ପୃଥିବୀ କାହିଁକି ସେମାନଙ୍କର ସୁଖବୃଦ୍ଧି ପାଇଁ ଚାଲୁନାହିଁ ବୋଲି ଆପତ୍ତି କରନ୍ତି । ସେମାନେ ନିଜ ହୃଦୟରେ ଅସଲ ମୂଳଗୁଡ଼ିକର ସୋର୍ ପାଇନାହାନ୍ତି ।

 

ଅପର ପକ୍ଷରେ, ସର୍ଜନାତ୍ମକ ମଣିଷମାନେ ଅନ୍ୟ ପ୍ରକାରର । କଳାକାର, ଲେଖକ, ଗାୟକ, ବିଦ୍ୟାରୁ ଖୁସୀ ପାଉଥିବା ବ୍ୟକ୍ତିଟିଏ, —ଏମାନେ ସତେଅବା ନିଜକୁ ମାଧ୍ୟମ କରି ବୃହତ୍ତର କ’ଣଟିଏ ଲୋଡ଼ୁଥାନ୍ତି । ନିଜଠାରୁ ବୃହତ୍ତର କ’ଣଟିଏ ଲୋଡ଼ିବା,–ସମ୍ଭବତଃ ତାହାହିଁ ସର୍ଜନାତ୍ମକତାର ସବାମୂଳ କଥା । ଏମାନେ ନିଜ ଆଖିଟିକୁ ଚିହ୍ନିଥାନ୍ତି, ନିଜର ବାଟଟିକୁ ଘ୍ରାଣ କରି ପାରିଥାନ୍ତି, ତେଣୁ ଟଳି ପଡ଼ନ୍ତି ନାହିଁ । ସେମାନଙ୍କର ମୃତ୍ୟୁ ପରେ ସେହିସବୁ ଅନୁଧାବନ ପୃଥିବୀରେ ଅବଶ୍ୟ ଲାଗି ରହିବ ବୋଲି ସେମାନେ ଦୃଢ଼ ଭାବରେ ବିଶ୍ଵାସ କରୁଥାନ୍ତି । ତାହାହିଁ ସେହି ବ୍ୟକ୍ତିମାନଙ୍କୁ ଦୃଢ଼ କରେ, ହାଲୁକା କରି ରଖିଥାଏ । ଅସଲ ଜୀବନକୁ ଏକ ଉତ୍ତୋରତ୍ତର ଉତ୍ସର୍ଗଯାତ୍ରା ବୋଲି ସେମାନେ ଅନୁଭବ କରୁଥାନ୍ତି । ସୁନିଶ୍ଚିତ ମୃତ୍ୟୁର ଆଶଙ୍କା ରହିଥିଲେ ମଧ୍ୟ ସେମାନେ ଥିର ହୋଇ ରହିଥାନ୍ତି । ନିଜ ଭାଷାରେ ଅଧ୍ୟାପନ ଭିକ୍ଟର୍ ଫ୍ରାଙ୍କଲ ମନୁଷ୍ୟ ଜୀବନକୁ ଏକ ବୃହତ୍ତର ଆତ୍ମୀୟତାବୋଧ ଆଣି ଦେଉଥିବା ଏହି ବୃତ୍ତଟିକୁ Der Wilie Zum Sinne (ବା ଇଂରାଜୀରେ; The will to Meaning) ବୋଲି କହିଛନ୍ତି । ତୁମର ସେହି ବୃତ୍ତିଟି ଯେଉଁଠି, ଟାଇମ ବି ସେଇଠି । କେହି ମଣିଷ ନିଜ ଜୀବନର ଉତ୍ସପ୍ରେରକ ରୂପେ ସର୍ଜନାତ୍ମକତାକୁ ମାନି ନେଇଥାଏ । କିଏ କ୍ଷମତାକୁ କୁଣ୍ଢାଇ ଧରିଥାଏ । ଫ୍ରାଙ୍କ୍‍ଲଙ୍କ୍‍ର ବିଶ୍ଳେଷଣ ଅନୁସାରେ ସବୁଠାରୁ ନିକୃଷ୍ଟ ସ୍ତରଭିତରେ ସେଇ ଥାଏ, ଯିଏ ଅଧିକରୁ ଅଧିକ Money ବା ପଇସା ସଂଗ୍ରହ କରିବାକୁ ହିଁ ଭଗବାନ ତା’ ଉପରେ ସମର୍ପି ରଖିଥିବା ଅସଲ କାମ ବୋଲି ମାନି ନେଇଥାଏ । ଆପଣାର ମୂଳକାମ୍ୟଟିକୁ ବାଛିବାରେ ଯେଉଁ ମଣିଷ ଯେତେ ଅଳ୍ପନିଜର ହୋଇ ରହିଥାଏ, ତାକୁ ସେତିକି ଅସୁସ୍ଥ ଓ ବ୍ୟାଧିଗ୍ରସ୍ତ ବୋଲି କୁହାଯିବ । ଏକ ଅସୁସ୍ଥ ଏବଂ ବ୍ୟାଧିଗ୍ରସ୍ତ ସମାଜରେ ସମ୍ଭବତଃ ଏହି କାଟର ବ୍ୟକ୍ତିମାନେ ହିଁ ସବୁଠାରୁ ଅଧିକ ସଫଳ ବୋଲି ସ୍ଵୀକୃତି ଲାଭ କରିଥାନ୍ତି । ମାତ୍ର ଭିତରେ ଭାରି ବ୍ୟାଧିତ ଏବଂ ଉପବାସୀ ହୋଇ ରହିଥାନ୍ତି । ଉପବାସୀ ହୋଇ ରହିଥିବାର ଏହି ବ୍ୟକ୍ତିମାନେ ହିଁ ଏକାବେଳେକେ ଆର୍ତ୍ତ ଏବଂ ଉଗ୍ର ହୁଅନ୍ତି, ନିୟମତଃ ଆତ୍ମରିତ ହୋଇ ରହିଥାନ୍ତି । ପୃଥିବୀରେ ସେମାନେ ନିଜକୁ ନାୟକ କରି ବହୁ ଖଳତାକୁ ଡାକିନେଇ ଆସନ୍ତି । ଆମ ସମସ୍ତଙ୍କ ପାଇଁ ସମସ୍ୟା ହୋଇ ରହିଥାନ୍ତି ।

 

ନିଜେ ବଞ୍ଚୁଥିବା ଜୀବନଟିର ସାନ ଓ ବଡ଼ ସକାଳ ଅବସର ମଧ୍ୟରେ ଏହିପରି ଅର୍ଥ ଭରିଦେବା ହେଉଛି ପରିପୂର୍ଣ୍ଣତା, ସର୍ଜନାତ୍ମକତା ଏବଂ ସୁସ୍ଥତା । ଆମେ ପ୍ରତ୍ୟେକେ ଆମର ବଞ୍ଚିବା ଭିତରେ ଏହିପରି ଭାବରେ ଯେଉଁ ତାତ୍ପର୍ଯ୍ୟଗୁଡ଼ିକୁ ଆଣି ଭରିଦେଉ, ଯେଉଁପରି ଭାବରେ ଅଙ୍ଗୀକାରବଦ୍ଧ ହୋଇ ରହିବାକୁ ମନ କରୁ, ତାହାହିଁ ଆମର ସଂସ୍କୃତି, ଆମ ଅସଲ ସ୍ଵଚ୍ଛତାଗୁଡ଼ିକର ମାନନିରୂପଣକାରୀ ସ୍ତର । ଡକ୍ଟର ଫ୍ରାଙ୍କ୍‍ଲଙ୍କ୍‍ର ସିଦ୍ଧାନ୍ତଗୁଡ଼ିକ ଏବଂ ସିଏ ନିଜେ,–ତାଙ୍କୁ ଚିହ୍ନିଥିବା କୌଣସି ବ୍ୟକ୍ତିର ଆଖିକୁ ଏହି ଦୁଇ ବ୍ୟାପାର ପରସ୍ପରଠାରୁ ଅଲଗା ବୋଲି ଆଦୌ ମନେ ହୁଅନ୍ତି ନାହିଁ । ତାଙ୍କ ସହିତ ଘଡ଼ିଏ ହାଲୁକା ହୋଇ ବସିଲେ ଲାଗେ, ନିଜର ସିଦ୍ଧାନ୍ତଗୁଡ଼ିକୁ ସିଏ ନିଜ ଜୀବନଟିକୁ ବଞ୍ଚୁଥିବାର ମାଧ୍ୟମରେ ପାଇଛନ୍ତି ଅଥବା ସିଏ ନିଜେ ଉପନୀତ ହେଉଥିବା ସିଦ୍ଧାନ୍ତଗୁଡ଼ିକ ଅନୁସାରେ ସତତ ବଦଳି ବଦଳି ଯାଇଛନ୍ତି । ଆଦୌ କେଉଁଠିହେଲେ ଖଣ୍ଡିଆ ଦିଶିନାହାନ୍ତି, ଅସାଧୁ ହୋଇନାହାନ୍ତି । ସତେଅବା ଏକ ପ୍ରୟୋଜନରେ ପଡ଼ି ଆପଣାକୁ ଖଣ୍ଡିଆ କରି ରଖିବା, ଅସାଧୁ ହେବା, —ତାହାହିଁ ଅସୁସ୍ଥତା । ଅସୁସ୍ଥ ମଣିଷର ଯାବତୀୟ ସୁଜନ ହେଉଛି ଅସୁସ୍ଥ ସୃଜନ । ତାହା ତାକୁ ନିଜକୁ ଭଣ୍ଡାଇ ରଖେ, ଜଗଦବାସୀଙ୍କୁ ମଧ୍ୟ ଭଣ୍ଡାଇରଖେ । ଏହିପରି ଭାବରେ ଏକ ସର୍ଜନାତ୍ମକ ସାହସକୁ ସାଥୀ କରି ନିଜ ଭିତରକୁ ବାଟ ଖୋଜି ଅର୍ଥାତ୍ ବାଟ ଖୋଲି ଖୋଲି ଯାଉ ଯାଉ ମନୁଷ୍ୟ ସତେଅବା ଉତ୍ସଭୂମିକୁ ଆସି ଶ୍ରୀଯୁକ୍ତ ଫ୍ରାଙ୍କ୍‍ଲ୍‍ଙ୍କ ଭାଷାରେ ଏକ ସୁପ୍ତଚେତନ ଭଗବାନ (Den unbe wusste Gott)ଙ୍କୁ ଯାଇଁ ଭେଟିଥାଏ । ଉତ୍ସକୁ ଆସି ତାକୁ ନିଜ ଆକାଶଗୁଡ଼ିକର ମଧ୍ୟ ପରିଚୟ ପ୍ରାପ୍ତ ହୋଇଯାଏ । ଆମର ଯାବତୀୟ ଶିକ୍ଷା, ଏଷଣା ଏବଂ ଅନ୍ଵେଷା ଆମକୁ ସେହି ପରିଚୟରେ ସହାୟକ ହୋଇ ରହିଥିବା ପର୍ଯ୍ୟନ୍ତ ଅସୁସ୍ଥ ହେବାର, ଖଣ୍ଡିଆ ହେବାର ହୁଏତ ଆଦୌ କୌଣସି କାରଣ ନଥାଏ ।

 

ଏହିପରି ବାଟଟିଏ ଅଛି ବୋଲି ଏକ ମୂଳଭୂତ ଦୃଢ଼ ବିଶ୍ଵାସ ଏବଂ ଆଦୌ କୌଣସି ପ୍ରକାରେ କାହାଦ୍ଵାରା ତଥା କୌଣସି ପରିସ୍ଥିତି ଦ୍ଵାରା ବାଧ୍ୟ ନହୋଇ ସେହି ବାଟଟିକୁ ଚାଲିବା,—ଏଥିଲାଗି ସବୁ ମଣିଷ ମୋଟେ ସମର୍ଥ ହୁଅନ୍ତି ନାହିଁ । ସେମାନଙ୍କର ଗୋଡ଼ରେ ନାନା ପ୍ରସୀମନର ପଥରସବୁ ବନ୍ଧାହୋଇ ରହିଥାଏ, ନାକରେ ନାନାଭଳି ମିଛ ଗରଜର କଡ଼ା ଲଟକୁଥାଏ । ତେଣୁ, ଏକ ମୁକ୍ତ ଅର୍ଥାତ ସର୍ତ୍ତହୀନ ମଣିଷ ହେଉଛି ଆମ ସମସ୍ତଙ୍କ ପାଇଁ ଜଣେ ସୁସ୍ଥ ଓ ଖୁସୀ ମଣିଷର ନମୁନା । ନିଜର ଗୋଟିଏ ପୁସ୍ତକର ନାମକରଣ ଅନୁସାରେ ଅଧ୍ୟାପକ ଶ୍ରୀ ଫ୍ରାଙ୍କଲ୍ ଏହାକୁ Der unbdingte Mensch ଅର୍ଥାତ୍ ସର୍ତ୍ତମୁକ୍ତ ମଣିଷ ବୋଲି କହିଛନ୍ତି । ସର୍ତ୍ତମୁକ୍ତ ଯେକୌଣସି ମନୁଷ୍ୟର ଜୀବନରେ ବାହାର ପ୍ରସୀମନର ବହୁ ସର୍ତ୍ତ ଓ ତୁଣ୍ଡି ପଡ଼ିଥିବା । ଯେକୌଣସି ବ୍ୟକ୍ତିର ତୁଳନାରେ ପ୍ରକୃତରେ ଅଧିକ ସର୍ତ୍ତ ରହିଥାଏ । ନିଜ ଜୀବନବୋଧର ପ୍ରୟୋଜନ ଅନୁସାରେ ଖୁସୀ ହୋଇ ଆବଶ୍ୟକ ବିଧାନଗୁଡ଼ିକୁର ଅନୁସରଣ କରିବା, ତାହାରି ନାମ ମୁକ୍ତି, ତାହାରି ନାମ ସଂସ୍କୃତି-। ଫାଙ୍କି ଦେବା ଓ ପଳାୟନ କରିବା ମୁକ୍ତି ନୁହେଁ, ସଂସ୍କୃତିସ୍ଥ ମଣିଷର ଧର୍ମ ବି ନୁହେଁ । ସେଗୁଡ଼ିକ ହେଉଛନ୍ତି ଗୋଟିଏ ଗୋଟିଏ ଅସୁସ୍ଥତା, ଗୋଟିଏ ଗୋଟିଏ ଆତ୍ମପ୍ରତାରଣା । ସମାଜରେ ଥିବା ଗେଲବସର ମଣିଷମାନେ ଏହିପରି ଭାବରେ ଆପଣାକୁ ପ୍ରତାରିତ କରିବାରେ ଲାଗିଥାନ୍ତି । କ୍ଷମତାରେ, ପଇସା ଠୁଳ କରିବାରେ ସର୍ବପ୍ରଥମ ପ୍ରୀତିଟିକୁ ନିୟୋଜିତ କରିବାରେ ଲାଗିଥିବା ମଣିଷମାନେ ମଧ୍ୟ ନିଜକୁ ପ୍ରତାରିତ କରିବାରେ ଲାଗିଥାନ୍ତି-। ଆପଣା ପ୍ରତି ତଥା ଅନ୍ୟମାନଙ୍କ ପ୍ରତି ହିଂସ୍ର ଆଚରଣ କରିବାରେ ଲାଗିଥାଆନ୍ତି ଓ ସେଥିରୁ କେତେ ନା କେତେ ଆନନ୍ଦ ମଧ୍ୟ ପାଆନ୍ତି-

Unknown

 

ସୃଜନଶୀଳ ସୁସ୍ଥ ମଣିଷ ତଥାକଥିତ ଦୁଃଖଠାରୁ ମଧ୍ୟ ପଳାୟନ କରେନାହିଁ । ଦୁଃଖରେ ସମ୍ମୁଖୀନ ହୁଏ, ତାହାରି ଦ୍ଵାରା ଉଜ୍ଜ୍ଵଳ ହୁଏ । ତଥାକଥିତ ନିରାପଦ ହାରାହାରି ସୁଖୀ ଜୀବନଟିଏ ବଞ୍ଚୁଥିବା ବେଳେ ମନୁଷ୍ୟମାନେ ନିଜ ଭିତରର ଯେତେ ନିବିଡ଼ ଯାଏ ପରିଚୟ ପାଇନଥାନ୍ତି, ହଠାତ୍ ଦୁଃଖନାମକ ଏକ ସୁହୃତ୍ ଆସି ସେମାନଙ୍କ ଆଗରେ ସେହି ସୌଭାଗ୍ୟଟିକୁ ଉନ୍ମୋଚିତ କରି ଦେଖାଯାଏ । Homo Patiens,–Man, the sutferer ନାମକ ପୁସ୍ତକରେ ଭିକ୍ଟର ଫ୍ରାଙ୍କଲ୍ ନିଜ ରୋଗୀମାନଙ୍କର ଏକାଧିକ ଦୃଷ୍ଟାନ୍ତ ଦେଇ ସେହି କଥାଟିକୁ ପୃଷ୍ଟ କରିଛନ୍ତି । ମଣିଷ ଭିତରେ ରହିଥିବା ଅସଲ ବୀରଟି କୌଣସି କାରଣରୁ କେନ୍ଦ୍ରରେ ରହି ନଥିଲେ ମଣିଷ ଭୀରୁ ପରି ଦୁଃଖ ଏଡ଼ିବାକୁ ଚେଷ୍ଟା କରୁଥାଏ । ଅନ୍ୟ ଅନେକଙ୍କୁ ଦୁଃଖ ଦେଇ ମଧ୍ୟ ସେ ଅନେକ ସମୟରେ ଦୁଃଖକୁ ଏଡ଼ି ରହିବାର ଫିକର କରେ । ସାଧାରଣତଃ ଭୋଗ କହିଲେ ଆମ ଅସୁସ୍ଥ ଓ ଅସହଜ ମାନଙ୍କର ସମାଜରେ ସେହି ଫିସାଦଟିକୁ ହିଁ ବୁଝାଉଥାଏ । ଏବେ ତ ମନୁଷ୍ୟମାନଙ୍କୁ ଯଥାସମ୍ଭବ ସକଳ ଦୁଃଖ, ଶରୀରଯନ୍ତ୍ରଣା ଓ ଅନ୍ତର୍କଷଣରୁ ମୁକ୍ତ କରି ରଖିବ ବୋଲି ଚିକିତ୍ସାବିଜ୍ଞାନ ମଧ୍ୟ କେତେ ପ୍ରଶାମକ ଉଦ୍‍ଭାବନ କଲାଣି । ଏହାଦ୍ଵାରା ମଣିଷ ଭିତରେ ରହିଥିବା ସମ୍ଭାବନାଗୁଡ଼ିକ ବିଷୟରେ ମନୁଷ୍ୟକୁ ଅଜ୍ଞ ରଖି ତାକୁ ଅଳପ କରି ରଖିବା, ତାକୁ ଏକ ମିଛ ଆତ୍ମସନ୍ତୋଷ ଭିତରେ ଅକ୍ରିୟ କରି ରଖିବା,–ଏକାଧିକ ଅର୍ଥରେ ଭୋଗପ୍ରେରଣାର ଆଦର୍ଶ କହିଲେ ସମ୍ଭବତଃ ତାହାକୁ ହିଁ ବୁଝାଇବ । ଦୁଃଖକୁ ଏଡ଼ି ରହିବା, — ତାହାହିଁ କ’ଣ ସୁଖ ? ନା ଆପଣାର ପ୍ରଚ୍ଛନ୍ନ ସମ୍ଭାବନାଗୁଡ଼ିକୁ ଯଥାସମ୍ଭବ ସମ୍ମୁଖଭାଗକୁ ଆଣି ଏକ ଉଦ୍‍ଭାବନମୟ ଓ ନିତ୍ୟସର୍ଜନାତ୍ମକ ଜୀବାନ ବଞ୍ଚିବା ହେଉଛି ସୁଖ ? ଏହି କଥାଟିର ଏକ ମୀମାଂସା ପାଇବାକୁ ଇଚ୍ଛା କରୁଥିଲେ ଆମେ ବି ନିଜକୁ ଏହି ପ୍ରଶ୍ନଟିକୁ ପଚାରି ପାରିବା । ଆମେ ପ୍ରକୃତରେ କେତେଦୂର ତୁଣ୍ଡି ବନ୍ଧା ହୋଇ ପଡ଼ିଛୁ ଅଥବା ବାଟଟିଏ ଚାଲୁଛୁ, ଏକଥାଟିର ମଧ୍ୟ ହୁଏତ ଉତ୍ତରଟି ଆମକୁ ମିଳିଯାଇ ପାରିବ ।

 

ମୁଁ ଯେ ସିଧା ସିଧା ମାଡ଼ି ଆସି ଅକସ୍ମାତ୍ ଶ୍ରୀଯୁକ୍ତ ଫ୍ରାଙ୍କ୍‍ଲଙ୍କ ପାଖରେ ଆସି ହାବୁଡ଼ିଗଲି ସେକଥା ଆଦୌ ନୁହେଁ । ନିଜ ଜୀବନରେ ମୁଁ ନିର୍ଦ୍ଦିଷ୍ଟ ଭାବରେ ହୁଏତ କ’ଣଟିଏ ଚାହୁଥିଲି ବୋଲି ସମ୍ଭବତଃ ଏପରି ଆସି ପହଞ୍ଚିଗଲି । ସେଥିଲାଗି ଗୋଟିଏ ବାଟ ମଧ୍ୟ ମୋତେ ସତେଅବା ତିଆରି କରି ଆଣୁଥିଲା । ହଁ, ମନୋବିଜ୍ଞାନ ତ ସମସ୍ତେ ପଢ଼ନ୍ତି;–ସମସ୍ତଙ୍କୁ ଆଦୌ ଆକର୍ଷଣ କରେନାହିଁ । ଜୀବିକାର୍ଜନର ଏକ ପନ୍ଥା ମିଳିଯିବ ବୋଲି ଯେଉଁମାନେ ଅଧ୍ୟୟନ କରନ୍ତି, ସେମାନଙ୍କୁ ସେହି ଅଧ୍ୟୟନ ଆଦୌ ଟାଣେନାହିଁ । ଏବଂ, ଅନେକ କଥାକଥିତ ବୈଜ୍ଞାନିକଙ୍କୁ ବିଜ୍ଞାନ ମଧ୍ୟ ଟାଣେନାହିଁ । ମନୋବିଜ୍ଞାନ ଅଧ୍ୟୟନ କରୁ କରୁ ମନୁଷ୍ୟର ଅନ୍ତର୍ଜୀବନ ଓ ବହିର୍ଜୀବନକୁ ବୁଝିବା ନିମନ୍ତେ ମୋତେ କେତେ କେତେ ସୁରାଖ ମିଳିଗଲା; ମାତ୍ର, ଖାସ୍ ଏହିଗୁଡ଼ିକ ମୋତେ କାହିଁକି ଏପରି ନିବିଡ଼ ଭାବରେ ସଂଶ୍ଳିଷ୍ଟ କରି ରଖିଲେ ଏବଂ ଆଉ ସବୁଗୁଡ଼ିକ କାହିଁକି, ପାସୋର ହୋଇଗଲେ ? ପ୍ରଥମେ ଭାରତୀୟ ଦର୍ଶନ, ତା’ପରେ ବେନେଡ଼ିକଟ ସ୍ପିନୋଜା,–ଓ ସେହି କ୍ରମରେ ଇଉରୋପ ସହିତ ମୋ’ର ପରିଚୟ । ମୁଖ୍ୟତଃ ଇଉରୋପୀୟ ମଣିଷକୁ ମାଧ୍ୟମ କରି ଇଉରୋପ ସହିତ ମୋ’ର ପରିଚୟ, ଏରିକ୍‍ଫ୍ରମ, ସମାଜତତ୍ତ୍ଵବିତ୍‍ ସୋରୋକିନ୍ ଓ ଲୁଇ ମମଫୋର୍ଡ଼, ମାଡ଼୍ରିଡ଼୍ ବିଶ୍ଵବିଦ୍ୟାଳୟର ଦର୍ଶନ-ଅଧ୍ୟାପକ ଓଟେଗା ଗାସେଟ୍, ଇଶ୍ଵରତତ୍ତ୍ଵର ବିଶ୍ଳେଷକ ପାଉଲ୍ ଟିଲଖ,–ଜଣେ ଶିକ୍ଷକ ହିସାବରେ ବାସ୍ତବ ଅନୁଭବଗୁଡ଼ିକରୁ ମୋ’ ସମ୍ମୁଖରେ ଆସି ଠିଆ ହେଉଥିବା ଓ ମୋତେ ଏକାବେଳେକେ ଜିଜ୍ଞାସୁ ଏବଂ ଅନୁରାଗୀ କରି ରଖିଥିବା ଆହ୍ୱାନଗୁଡ଼ିକ–ଏହି ସବୁଗୁଡ଼ିକୁ ଏଠାରେ ମୋ’ ତୀର୍ଥମାନଙ୍କର ତାଲିକାରେ ଆଣି ସାମିଲ କରିବାକୁ ଇଚ୍ଛା ହେଉଛି । ଏମାନେ ସମସ୍ତେ ମୋତେ ଗଢ଼ିହୋଇ ଆସିବାରେ ସାହାଯ୍ୟ କରିଛନ୍ତି । କୌଣସି ଗୋଟିଏ ଗୁଳାକୁ ଆଦରିଗଲି ବୋଲି ତାହାକୁ ହିଁ ଠିକ୍ ଗୁଳା ବୋଲି ଗ୍ରହଣ କରିନେବାର ପ୍ରମାଦକୁ ନିଜକୁ ବଞ୍ଚାଇ ରଖିବାରେ ସେମାନେ ସମସ୍ତେ ମୋତେ ବଳ ଦେଇଛନ୍ତି ।

 

ଡେନ୍‍ମାର୍କରୁ ପାଠ ସାରି ବାହୁଡ଼ିବା ବେଳକୁ ଆବାହମ୍ ମାସାଲୋଭ୍‍ଙ୍କର ଅଭିନବ ଗବେଷଣାଗୁଡ଼ିକ ସହିତ ମୋ’ର ପରିଚୟ ଘଟିଲା । ଏହି ପରଚୟ ତାଙ୍କଦ୍ୱାରା ରଚିତ ଗ୍ରନ୍ଥଗୁଡ଼ିକ ଜରିଆରେ । ମନୋବିଜ୍ଞାନ ଆଗରୁ ପ୍ରଧାନତଃ ଅସୁସ୍ଥ ସ୍ଥିତିଗୁଡ଼ିକର ଅଧ୍ୟୟନ କରୁଥିଲା ଏବଂ ସୁସ୍ଥତାର ଏକ ଅଭ୍ୟସ୍ତ ସଜ୍ଞା ଅନୁସାରେ ସେଗୁଡ଼ିକ ପାଇଁ ସମାଧାନ ବାହାର କରୁଥିଲା । ମାସଲୋଭ୍‍ ସୁସ୍ଥ ମଣିଷକୁ ଭିତ୍ତି କରି ସୁସ୍ଥତାଗୁଡ଼ିକର ତଥା କହିଲେ । ସୁସ୍ଥ ଆସ୍ପୃହାଗୁଡ଼ିକର ନାନା ସୋପାନ କଥା କହିଲେ । Peak experience ଅର୍ଥାତ୍ ଏକ ଶିଖର ଅନୁଭୂତିର ସମ୍ଭାବନା ବିଷୟରେ ପ୍ରତ୍ୟୟ ଆଣି ଦେଲେ । ସୋପାନ ପରେ ସୋପାନ ଏହିପରି ଭାବରେ ଆପଣାକୁ ଉତ୍ତୋଳିତ ବା ଉନ୍ମୋଚିତ କରି ନେଇଯିବା,–ମାସଲୋଭ୍‍ଙ୍କର ପରିଭାଷା ଅନୁସାରେ ଏଇଟି ହେଉଛି Self-Actualizationର ପ୍ରକ୍ରିୟା । ଆମେ ବୁଝିବା ସକାଶେ ଏହାକୁ ଆତ୍ମ ଉପଲବ୍‍ଧର ପ୍ରକ୍ରିୟା ବୋଲି କହିପାରିବା କି ? ଆଖି ଭିତରେ ଏହି ଭଳି ଅଳସ ପ୍ରଶ୍ନକୁ ସାଙ୍ଗରେ ଧରି ମୁଁ ନିଜର ଓ ସଂସାରରେ ମୋ’ର ଅଗାଧ ସମ୍ବନ୍ଧଗୁଡ଼ିକୁ ମାପିବାକୁ ଚେଷ୍ଟା କରିଛି । ତେଣୁ, ଏମାନେ ସମସ୍ତେ ମୋତେ ପ୍ରଭାବିତ କରିନାହାନ୍ତି ବୋଲି କିପରି କହିପାରିବ ? ପ୍ରଭାବିତ କରିଛନ୍ତି ଅର୍ଥାତ୍ ଋଣୀ କରି ରଖିଛନ୍ତି । ଋଣୀ ହୋଇ ରହିବାର ସେହି ଆଗ୍ରହରେ ମୁଁ ଦେଶ ବିଦେଶ ଭୁଲିଯାଇଛି, ଏଭାଷା ଭୁଲି ଯାଇଛି, ଓ ଭାରତୀୟ ଓ ଭାରତେତେରକୁ ଭୁଲି ଯାଇଛି । ଏବଂ ପରିଣାମତଃ ଅଭିନୟ ବି ଭୁଲି ଯାଇଛି । ଅଭିନୟ କରୁଥିବା ବ୍ୟକ୍ତିକୁ ଯଦି ଚାଲାଖ ବୋଲି କୁହାଯାଏ, ତେବେ ମୁଁ ଚାଲାଖ୍ ହେବା ମଧ୍ୟ ଭୁଲିଯାଇଛି । ତାହା ହିଁ ମୋତେ ନିତ୍ୟ ଧନୀ କରି ରଖିଛି । ସଂସାରଟା ଭାରି ଭଲ ଲାଗିଛି, ଜନନୀର ଗୃହପରି ବୋଧ ହୋଇଛି ।

 

ଏହି ପ୍ରଭାବସୂତ୍ର ଗୁଡ଼ିକ ଜୀବନସାରା ରହିଥିବ । ମୋ’ର ଗ୍ରହଣଶକ୍ତିଗୁଡ଼ିକ ଯେତିକି ଅଧିକ ବ୍ୟାପ୍ତ ଏବଂ ଗଭୀର ହେଉଥିବେ, ମୋ’ ଲାଗି ଏମାନଙ୍କର ତାତ୍ପର୍ଯ୍ୟ ମଧ୍ୟ ସେହି ଅନୁସାରେ ବଦଳି ବଦଳି ଯାଉଥିବ । ମୁଁ ସମସ୍ତଙ୍କୁ ନୂଆ ଭାବରେ ଓ ନୂଆ ନୂଆ ଅଙ୍ଗୀକାର ବଦ୍ଧତା ମଧ୍ୟରେ ଆବିଷ୍କାର କରିବାରେ ଲାଗିଥିବ । କାହାକୁ କେବେହେଲେ ପିତୁଳାଟିଏ କରି ପକାଇବି ନାହିଁ । ପିତୁଳା କରି ପକାଇବାର ଦୁର୍ଭାଗ୍ୟରୁ ନିଜକୁ ମୁକ୍ତ କରି ରଖିଥିଲେ ଯାଇ ଜୀବନରେ ନୂଆ ନୂଆ ଗବାକ୍ଷ ଖୋଲି ଯାଉଥିବ । ଗବାକ୍ଷଟିଏ ଖୋଲିବାର ଅର୍ଥ ହେଉଛି ଜୀବନର ଉତ୍ସବକୁ ଗୋଟାଏ ବ୍ୟଞ୍ଜନା ଦେଇ ପ୍ରତ୍ୟକ୍ଷ କରିବାକୁ ସମର୍ଥ ହେବା । ଜୀବନର ଅର୍ଥ କ’ଣ ଗୋଟିଏ ? ତୁମେ ଜୀବନକୁ ଯେତେ ଯେତେ ବ୍ୟଞ୍ଜନା ଦେଇ ରଖିବାକୁ ରାଜି ହେବ, ତୁମପାଇଁ ଜୀବନର ସେତେ ସେତେ ଅର୍ଥ ପ୍ରତିଭାତ ହେଉଥିବ । ସେହି ଅର୍ଥପ୍ରପତ୍ତି ହିଁ ତୁମକୁ ସମୃଦ୍ଧ କରିବାରେ ଲାଗିଥିବ । ତୁମର ଭଗବାନ ସାକାର ହେବାରେ ଲାଗିଥିବେ । ମୋ’ ଚାରିପାଖରେ ମୋ’ ସହିତ ଯେତେ ଯେତେ ମଣିଷ ନିତି ଆତଯାତ ହେଉଛନ୍ତି, ସେମାନେ ମଧ୍ୟ ସେମାନଙ୍କର ନିଜସ୍ଵ ଧାରାରେ ନିଜ ଭଗବାନଙ୍କୁ ସାକାର କରି ଆଣିବାର ପ୍ରୟାସ କରୁଛନ୍ତି । କେବଳ ଆତ୍ମଘାତୀମାନେ ହିଁ ବିଶ୍ଵଯାକର ଏହି ପ୍ରକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି । ମୁଁ ନିଜେ ମଧ୍ୟ ସେହି ମୂଳ ପ୍ରକ୍ରିୟାଟିକୁ କୌଣସି କାରଣରୁ ଗୌଣ କରି ଦେଖିଲେ ଅଥବା ଗୌଣକରି ପକାଇଲେ ନିଜ ବାଟରେ ପ୍ରତିବନ୍ଧକ ସୃଷ୍ଟି କରିଦେଉଛି । ଆଉ କୁଆଡ଼େ ମାଡ଼ି ଯାଉଛି । ଆମ ସମସ୍ତଙ୍କର ପରମ ସୌଭାଗ୍ୟ ଯେ, ଏହି କ୍ଷେତ୍ରରେ ଫେରି ଆସିବାର ସେହି ଅନ୍ୟ ପ୍ରକ୍ରିୟାଟି ମଧ୍ୟ ଏକତ୍ର ଗୁନ୍ଥା ହୋଇ ରହିଛି । ଭୁଲି ଯିବା, ଫେରିଆସିବା; ବାର ବାର ବୁଝୁଥିଲେ ମଧ୍ୟ ବାର ବାର ଭୁଲିବା ଓ ପୁନର୍ବାର ଫେରିଆସିବା । ଏହାହିଁ ପୃଥିବୀରେ ଆମ ସମସ୍ତଙ୍କୁ ସାଉଁଟି ଧରି ଚାଲିଥିବା ଜୀବନଧର୍ମଟିର ଅସଲ ଲୀଳା । ତାହାର ଅନ୍ତ ନାହିଁ । ସ୍ତରବିଭାଗ ରହିଛି ଏବଂ, ଭୁବନ ଭରି ସେହି ଅନନ୍ତ କ୍ଷମାର ଏକ ବରଦ ହସ୍ତ ମଧ୍ୟ ରହିଛି ।

 

–୧୭–

 

ଆମ ଅଞ୍ଚଳର ଜଣେ ଦେବୀସାଧକ ପ୍ରତ୍ୟେକ ଗୁରୁବାର ଦିନ ନିଜ ଘରେ ପ୍ରତିଷ୍ଠିତା ଦେବୀଙ୍କ ପାଖରେ ପୂଜାନୁଷ୍ଠାନର କାର୍ଯ୍ୟକ୍ରମଟିଏ ରଖିଥିଲେ । ସେହି ପୂଜା ମୋତେ ଭାରି ଭଲ ଲାଗୁଥିଲା । ସେଠାକୁ ମୁଁ ବହୁତ ଥର ଯାଇଛି । ଅଧିକାଂଶ ଥର ଶ୍ରୀଯୁକ୍ତ ଭୈରବଚନ୍ଦ୍ର ମହାନ୍ତି ଅଥବା ଶ୍ରୀଯୁକ୍ତ ମଧୁ ମହାନ୍ତିଙ୍କ ସହିତ । ପ୍ରତ୍ୟେକ ପୂଜକ ଭିତରେ ଏକ ନିଷ୍ଠା ରହିଥାଏ, ଯାହାକି ତା’ର ପୂଜା ସମୟରେ ଭାରି ସ୍ଵାଭାବିକ ଭାବରେ ପ୍ରକଟ ହୋଇ ଆସୁଥାଏ । ପୂଜକ ତା’ ଦେବୀ ବନ୍ଦନାର ଭାଷାକୁ ମଧ୍ୟ ଏପରି ଏକ ବିଶେଷ ସହଜତା ଅଥଚ ଗାମ୍ଭୀର୍ଯ୍ୟ ସହିତ ଉଚ୍ଚାରଣ କରେ, ଯାହାକୁ ଶୁଣିବା ସମୟରେ ଉପସ୍ଥିତ ଶ୍ରୋତାମାନେ ସତେଅବା ଦେବୀଙ୍କର ସନ୍ନିକଟ ହୋଇ ଆସୁଥିବା ପରି ଅନୁଭବ କରୁଥାନ୍ତି । ସିଏ ଏକ ଅବର୍ଣ୍ଣନୀୟ ପରିବେଶ ସୃଷ୍ଟି କରେ ଏବଂ ସେହି ପରିବେଶଟି ଭଲ ଲାଗେ । ଆଦୌ କୌଣସି କୃତ୍ରିମତା ନଥାଏ । ମନ୍ତ୍ରଗୁଡ଼ିକରେ ଆରାଧିତ ଦେବୀଙ୍କର ଉଦ୍ଦେଶ୍ୟରେ ଭୟଙ୍କର କାଥାମାନ କୁହା ଯାଉଥିଲେ ମଧ୍ୟ ତଥାପି ଏପରି ଏକ ସମଗ୍ର ଲାଳିତ୍ୟ ବ୍ୟକ୍ତ ହେବାରେ ଲାଗିଥାଏ, ଯାହାର ଆବେଶ ଭିତରେ ଭିତରକୁ ଏବଂ ବାହାରକୁ ଅନାଇ ଦେଖି ପାରିଲେ ଦେବୀ ମାଆଭଳି ଦିଶନ୍ତି । ଏବଂ ନିଜକୁ ପ୍ରକୃତରେ ଜଣେ ସନ୍ତାନ ବୋଲି ଅନୁଭବ ହୁଏ । ସେହି ଅନୁଭୂତି ଯାବତୀୟ ଭୟର ଅପନୋଦନ କରେ, ଏକାବେଳେକେ କତିକୁ ଟାଣିନିଏ । ଅନେକ ସାଧକ ସେହି ସାଧକର ସ୍ତରରେ ଅଟକ ହୋଇ ରହିଯାଆନ୍ତି କି କ’ଣ କେଜାଣି, ସେମାନେ ସନ୍ତାନ ହୋଇ ପାରନ୍ତିନାହିଁ ।

 

ସେଦିନ ନିଜର ଦୁଃଖମୋଚନ କରାଇବାକୁ ବହୁ ଉକ୍ତ ପଣ୍ଡିତଙ୍କର ବାସଭବନକୁ ଯାଆନ୍ତି । ସେମାନେ ଦୂରରେ ଆସିଥାନ୍ତି, ନିକଟରୁ ବି ଆସିଥାନ୍ତି । ଯେଝା ଯେଝାର ଦୁଃଖ ନେଇ ଆସିଥାନ୍ତି । ପୂଜା ଦେଖନ୍ତି, ହାଲୁକା ହୁଅନ୍ତି ଏବଂ ହୁଏତ ସେଇଥିରୁ ହିଁ ଦୁଃଖକୁ ଜୟ କରିବାର ଶକ୍ତି ଅର୍ଜନ କରନ୍ତି । ପୂଜା ପରେ ପ୍ରସାଦସେବନ ହୁଏ । ଏବଂ, ତା’ପରେ ଦଣ୍ଡେ ବିଶ୍ରାମ ଅନ୍ତେ ପଣ୍ଡିତେ ପ୍ରତ୍ୟେକ ଆଗନ୍ତୁକଙ୍କ ସହିତ ଅଲଗା ଅଲଗା ସେମାନଙ୍କର ଆର୍ତ୍ତିଗୁଡ଼ିକ ବିଷୟରେ ଆଲୋଚନା କରନ୍ତି ! ଆର୍ତ୍ତି କଟିଯିବାର ଉପାୟ ବତାନ୍ତି । ଆମେ ଯେଉଁମାନେ କଟକରୁ ଯାଇଥାଉ, ଆଳାପ ଛନ୍ଦରେ ସେମାନଙ୍କ ସହିତ ଆହୁରି ପନ୍ଦରଟା କଥା ବି ପଡ଼େ । କିଞ୍ଚିତ୍ ବ୍ୟକ୍ତିଗତ କଥୋପକଥନ ମଧ୍ୟ ହୋଇଥାଏ । ଯେଉଁ ବ୍ୟକ୍ତିମାନେ କଟକରୁ ଯାଇଥାନ୍ତି, ସେମାନେ ସମସ୍ତେ ମାନ୍ୟଗଣ୍ୟ ବ୍ୟକ୍ତି, —ନିଜ ନିଜ କ୍ଷେତ୍ରରେ ପ୍ରସିଦ୍ଧି ଏବଂ ବହୁପରିଚିତ ଅର୍ଜନ କରିଥିବା ଜଣେ ଜଣେ ବ୍ୟକ୍ତି । ପଣ୍ଡିତଙ୍କ ପାଖରେ ପ୍ରାୟ ସମସ୍ତେ ଆପଣା ବିଷୟରେ ଏକ ସ୍ଵତନ୍ତ୍ର ମୂତ୍ତିଚିତ୍ର ସୃଷ୍ଟି କରିବାରେ ଭାରି ଯତ୍ନଶୀଳ ହୋଇ ରହିଥାନ୍ତି । ସେହି ପ୍ରଚେଷ୍ଟାଗୁଡ଼ିକ ବି କମ୍ ମନୋରମ ମନେ ହୁଏନାହିଁ । ପଣ୍ଡିତେ ଆପଣାର ସହାନୁଭୂତି ଗୁଣ ଦ୍ଵାରା ପରିଚାଳିତ ହୋଇ ସମସ୍ତଙ୍କ ପାଇଁ ଦଉଡ଼ା ଛାଡ଼ି ଦେଇଥାନ୍ତି । କଥାଗୁଡ଼ାକ ଜମାଇ ରଖିବା ପାଇଁ ସିଏ ବି ନିଜ ଅଙ୍ଗେ ନିଭାଇବାରୁ ଆଉ ସାତଟା କଥା ଆଣି ଯୋଡ଼ି ଦେଉଥାନ୍ତି । ଫଳରେ, ଗୁରୁବାରକୁ ଗୁରୁବାର ତାଙ୍କ ସହିତ ପରିଚୟ ଅଧିକ ଘନିଷ୍ଟ ହେଉଥିବା ପରି ମନେ ହେଉଥାଏ । ପଣ୍ଡିତେ ସାରଳା ଠାକୁରାଣୀଙ୍କ ପାଖରେ ସାଧନା କରିଥିଲେ । ଦେବୀ ପ୍ରସନ୍ନ ହୋଇ ତାଙ୍କୁ ଯେଉଁ ଧାତୁନିର୍ମିତ କଡ଼ାଟି ଦେଇଥିଲେ, ଏବେ ପଣ୍ଡିତେ ତାହାକୁ ହିଁ ତାଙ୍କ ପୂଜା ଏବଂ ଅନ୍ୟମାନଙ୍କୁ ସିଏ ଦେଉଥିବା ସହାୟତାରେ ସର୍ବଶକ୍ତିମାନ୍‍ ସନ୍ତକ ହିସାବରେ ବ୍ୟବହାର କରନ୍ତି । ଆବଶ୍ୟକ ପଡ଼ିଲେ ସନ୍ତକଟିକୁ ଭକ୍ତିମାନଙ୍କର କାମନାସିଦ୍ଧି ନିମନ୍ତେ ବିଭିନ୍ନ ସ୍ଥାନକୁ ତୋଷିବାକୁ ମଧ୍ୟ ପଡ଼ିଥାଏ । ସନ୍ତକଟି ତା’ର କାମ ସାରି ପୁଣି ଯଥାସ୍ଥାନକୁ ବାହୁଡ଼ିଆସେ ।

 

ଦିନେ ଏହିପରି ଆଲୋଚନା ଚାଲିଥାଏ । ପଣ୍ଡିତେ ପଲଙ୍କ ଉପରେ ହାଲୁକା ହୋଇ ଗୋଡ଼ ଲମ୍ବାଇ କଥା ଶୁଣୁଥାନ୍ତି । ହିନ୍ଦୁ-ଆରାଧନାରେ ପଞ୍ଚ ପ୍ରଧାନଦେବତାଙ୍କର କଳ୍ପନା ରହିଛି, ପ୍ରତ୍ୟେକେ ଫଳ ଦିଅନ୍ତି; ଅବଶ୍ୟ କିଏ କିପରି ଫଳ ଧର୍ମତଃ ଦିଅନ୍ତି, ପୂଜାଶାସ୍ତ୍ରମାନଙ୍କରେ ସେହିକଥାର ମଧ୍ୟ କିଞ୍ଚିତ୍ ଅବଧାରଣା କରାଯାଇଛି । ସେହି ପଞ୍ଚଦେବତା ହେଉଛନ୍ତି ଗଣପତି, ରୁଦ୍ର ବା ମହାଦେବ, ନାରାୟଣ ବା ବିଷ୍ଣୁ, ଅମ୍ବିକା ଅର୍ଥାତ୍ ଦେବୀ, ଏବଂ ସୂର୍ଯ୍ୟ । ଏମାନଙ୍କୁ ଆସ୍ଥାନ ଖଞ୍ଜିଦେବା ପାଇଁ ଭାରତବର୍ଷର ଚାରିଆଡ଼େ କେତେ ମନ୍ଦିର ନିର୍ମିତ ହୋଇଛି । ଯେଉଁ ରାଜା ଏମାନଙ୍କ ମଧ୍ୟରୁ ଯେଉଁ ଦେବତାଙ୍କୁ ଆପଣାର କୁଳଦେବତା ବୋଲି ଗ୍ରହଣ କରୁଥିଲେ, ସିଏ ସେହି ଦେବତାଙ୍କ ପାଇଁ ମନ୍ଦିର ତୋଳାଇ ଦେଉଥିଲେ । ସେମାନଙ୍କ ଦ୍ଵାରା ପ୍ରଦତ୍ତ ସନନ୍ଦଗୁଡ଼ିକରେ ମଧ୍ୟ ସେମାନେ ନିଜକୁ ସେହି ଦେବତାଙ୍କର ପରମସେବକ ବୋଲି ଘୋଷଣା କରୁଥିଲେ । ପାରମ୍ପରିକ ସମାଜରେ ରାଜା ହିଁ ସବୁଠାରେ ପୂଜିତ ଭଗବାନଙ୍କର ଆଦ୍ୟସେବକ ବୋଲାଉଥିଲେ । ପଣ୍ଡିତେ ଦେବୀସାଧକ ଥିଲେ । ଦେବୀଙ୍କୁ ସାଧନା ଓ ଆରାଧନା ଦ୍ଵାରା ପ୍ରୀତି କରି ସାଧାରଣ ମନୁଷ୍ୟମାନଙ୍କର କିଞ୍ଚିତ୍ ଉପକାର କରିବେ ବୋଲି କିଞ୍ଚିତ୍ ଶକ୍ତି ଲାଭ କରିଥିଲେ । ଦିନେ କଥା ଲହସରେ ଲଟାଇ ଲଟାଇ ଆମେ କେଉଁଠାରେ ପହଞ୍ଚିଗଲୁ କେଜାଣି, ହିନ୍ଦୁ କଳ୍ପନାର ପାଞ୍ଚ ଦେବତାଙ୍କ ମଧ୍ୟରୁ ମୁଁ କାହାଙ୍କୁ ସବାଆଗ ବୋଲି ଅନୁଭବ କରେ, ପଣ୍ଡିତେ ମୋତେ ପ୍ରଶ୍ନ କରି ବସିଲେ । ମୁଁ ଅଡ଼ୁଆରେ ପଡ଼ି ଯାଇଥିଲି । ଆଉ କେତେଜଣ ଭଦ୍ରଲୋକ ମଧ୍ୟ ସେତେବେଳେ ଉପସ୍ଥିତ ଥାଆନ୍ତି । କ’ଣ ଉତ୍ତର ଦେବି, କିଛି ଠଉରାଇ ପାରିଲି ନାହିଁ । ଆଗରୁ ଏପରି ଭାବରେ କେବେ ଚିନ୍ତା କରିନଥିଲି । ତଥାପି କ୍ଷଣେ ସ୍ଥିର ରହି ‘ସୂର୍ଯ୍ୟ’ ବୋଲି ଉତ୍ତର ଦେଇଥିଲି । ପଣ୍ଡିତେ ନିଜ ଭିତରେ ସତେଅବା କୋଉଠି ଟିକିଏ ଥମ୍ବିଗଲା ପରି ହୋଇଗଲେ । ଅପ୍ରସନ୍ନ ହୋଇ ପଡ଼ିଲେନାହିଁ ତ ? ଦେବୀଙ୍କର ପୂଜାପୀଠରେ ଉପସ୍ଥିତ ଥିବା ସମୟରେ ଯଦି କାହାକୁ ସେହିଭଳି ପ୍ରଶ୍ନଟିଏ କେବେ ପଚରାଯାଏ, ତେବେ ନ୍ୟାୟତଃ ଦେବୀ ହିଁ ସବାଆଗ ବୋଲି ଉତ୍ତର ଆସିବା କଥା । ମୁଁ ସେପରି କାହିଁକି କରିପାରିଲି ନାହିଁ କେଜାଣି ? ନିଜ ଭିତରେ କୌଣସି ବିଶେଷ ପରିମାପକ ଦ୍ଵାରା ପରିଚାଳିତ ହୋଇ ମୁଁ ଯେ ସେହିଭଳି ଉତ୍ତରଟିଏ ଦେଇଥିଲି, ସେକଥା ମଧ୍ୟ ଆଦୌ ନୁହେଁ ।

 

ପଣ୍ଡିତେ ଚୁପ୍ ହୋଇ ଯାଇଥିଲେ । ସମ୍ଭବତଃ ଟିକିଏ ନିଷ୍ପ୍ରଭ ଦେଖାଗଲେ । ସମବେତ ଅନ୍ୟମାନେ ବି ପ୍ରାୟ ଏକାଭଳି ପ୍ରତିକ୍ରିୟାରେ କେମିତି ଅନୁଭବ କରୁଥିଲେ । ଏପରି ଉତ୍ତରଟିଏ ମୁଁ କାହିଁକି ଦେଲି ? ଜଣେ ଦେବୀସାଧକ ଓ ଦେବୀପୂଜକଙ୍କ ସାମନାରେ ତାଙ୍କରି ପୂଜା ଘରେ ବସିଛି, ଏବେ ଦେବୀଙ୍କର ଅନ୍ନପ୍ରସାଦ ଗ୍ରହଣ କରିଛି । ଅନ୍ତତଃ ସୌଜନ୍ୟ ଦୃଷ୍ଟିରୁ ମୋ’ର ଆଚରଣ ଅନ୍ୟପ୍ରକାର ହେବା ଉଚିତ ଥିଲା । ଠିକ୍ ଏହି ଘରେ କେତେଥର ପଣ୍ଡିତଙ୍କର ସମ୍ମୁଖରେ ଦେବୀଙ୍କର ଦ୍ଵାରା କରାଇଥିବା କେତେକେତେ ବିଚିତ୍ର ଏବଂ ଅଦ୍‍ଭୂତ କରାମତିର କାହାଣୀମାନ ମଧ୍ୟ ଶୁଣୁଥିଲି । ଥରେ ସର୍ବଭାରତୀୟ ଉଚ୍ଚତମ ଚାକିରିର ପରୀକ୍ଷାରେ ପଣ୍ଡିତେ କୁଆଡ଼େ ତାଙ୍କର ତଥା ତାଙ୍କ ମାଧ୍ୟମରେ ସ୍ଵୟଂ ଦେବୀଙ୍କର ସହାୟତା ଲୋଡ଼ିଥିବା ଜଣେ ପରୀକ୍ଷାର୍ଥୀଙ୍କର ପରୀକ୍ଷାଥାନକୁ ସେ ମାଆଙ୍କୁ ପେଷିଛନ୍ତି ଏବଂ, ମାଆ ସେହି ଭାଗ୍ୟବାନ୍ ପରୀକ୍ଷାର୍ଥୀ ବ୍ୟବହାର କରୁଥିବା କଲମରେ, ଯାଇ ବସିବା ଫଳରେ ସିଏ ବିଶେଷ କୃତିତ୍ଵର ସହିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପଣ୍ଡିତ ମହାଶୟ ସେହି ଘଟଣାକୁ ଏପରି ପ୍ରସନ୍ନ ଓ ପୂର୍ଣ୍ଣନିଶ୍ଚିତ ହୋଇ ବର୍ଣ୍ଣନା କରି କହୁଥିଲେ, ଯାହାଦ୍ୱାରା ସେ ଶ୍ରୋତାମାନଙ୍କର ଚିତ୍ତରେ ଦୃଢ଼ ବିଶ୍ଵାସ ଆଣି ଦେଇପାରିବେ ଯେ ଦେବୀଦୟା ବ୍ୟତୀତ ବିଚରା ସେହି ପରୀକ୍ଷାର୍ଥୀ ଜଣକ ଆଦୌ କିଛିହେଲେ କରି ପାରିନଥାନ୍ତେ । ତେବେ ମୁଁ ଏପରି ଉତ୍ତରଟିଏ କାହିଁକି ଦେଲି ? ଦେବୀଙ୍କର କୌଣସି ଅବଜ୍ଞା କରିବାର ଅଭିପ୍ରାୟରେ ମୁଁ ଏକଥା ଆଦୌ କହିନଥିଲି । ମୁଁ ମୋ’ ଜୀବନର ସତ କଥାଟି ହିଁ କହିଥିଲି । ଏବଂ, ଭିତରର ସତ କଥାଟି କହିବାଦ୍ଵାରା କେବେହେଲେ କାହାର ଅବଜ୍ଞା କରା ଯାଏନାହିଁ ।

 

ବେଦରେ ସୂର୍ଯ୍ୟଙ୍କ ଉଦେଶ୍ୟରେ ଅର୍ପିତ ଏକ ସୂକ୍ତ ରହିଛି ସିନା, କିନ୍ତୁ ସତ୍ୟର ବିଭବ ଓ କଳ୍ପନାମାନେ କ୍ରମେ ଦେବାତାରେ ପରିଣତ ହେବାର ପର୍ଯ୍ୟାୟରେ ଅନ୍ୟ ଚାରି ଦେବତାଙ୍କ ତୁଳନାରେ ସୂର୍ଯ୍ୟଙ୍କୁ କେବେହେଲେ ଏତେ ଏତେ ମାଡ଼ ଖାଇବାକୁ ପଡ଼ିନାହିଁ । ବିଷ୍ଣୁ, ଶିବ, ଗଣପତି ଏବଂ ଦେବୀଙ୍କୁ ନେଇ ଉର୍ବରହୃଦୟ କବିମାନେ ତୁମୁଳ କବିତ୍ଵମାନ କରିବାକୁ ଭାରି ଉତ୍ସାହିତ ହୋଇଛନ୍ତି । ଓଡ଼ିଶାରେ କୋଣାର୍କର ସୂର୍ଯ୍ୟମନ୍ଦିର ଏବଂ ସୂର୍ଯ୍ୟନାରାୟଣଙ୍କର ମୂର୍ତ୍ତି ଅବଶ୍ୟ ରହିଛି । ତାଙ୍କୁ ସତେଅବା ତାଲିକାର ଏକମାତ୍ର ମୂର୍ତ୍ତି ବୋଲାଇବାର ଦୁର୍ଭାଗ୍ୟ ନଦେବାପାଇଁ ବୁଗୁଡ଼ା ଓ ପାଳିଆବିନ୍ଧାଠାରେ ବିରଞ୍ଚିନାରାୟଙ୍କର ମୂର୍ତ୍ତି ଏବଂ ମନ୍ଦିରର ନିର୍ମାଣ ହୋଇଛି । ତଥାପି, ରାମ, କୃଷ୍ଣ, ଶିବ, ଗଣେଶ ଏବଂ ଦେବୀଙ୍କୁ ମୂଳରେ ରଖି ଯେତେ ଯେତେ ମନ୍ଦିର ତୋଳାଯାଇଛି ଓ ମୂର୍ତ୍ତିମାନ ଥାପନା କରାଯାଇଛି, ତାହା ତୁଳନାରେ ସୂର୍ଯ୍ୟମନ୍ଦିରର ସଂଖ୍ୟା ପାସଙ୍ଗରେ ବି ପଡ଼ିବନାହିଁ । ବିଶେଷ କରି ଦେବୀ ଅର୍ଥାତ୍ ଠାକୁରାଣୀମାନଙ୍କୁ ନାନା ଅଲିଅଳ ନାଆଁମାନ ଦେଇ ମଣିଷ ଯେପରି ଦେବୀଙ୍କ ପ୍ରତି ନିଜର କୃତଜ୍ଞତା ପ୍ରକାଶ କରିଛି, ଓଡ଼ିଶାରେ ତାହାର ତୁଳନା ନାହିଁ । ତଥାପି, ମୁଁ ଏକ ବ୍ୟତିକ୍ରମ ପରି ଉତ୍ତରଟାଏ କାହିଁକି ଦେଲି ? ଏବେ ମଧ୍ୟ ମୁଁ ସେହି କାହିଁକିର ଉତ୍ତର ପାଇନାହିଁ । ଦେଲି, କାରଣ ଦେଲି । ସୂର୍ଯ୍ୟଦେବଙ୍କୁ କାହାଣୀର ପୁଷ୍ଟି ଦେଇ ରଚିତ ହୋଇଥିବା ସୂର୍ଯ୍ୟପୁରାଣ ମୁଁ ପଢ଼ିନାହିଁ । ତଥାପି ସୂର୍ଯ୍ୟନାମକ ବିଶ୍ଵସତ୍ୟଟି ମୋତେ ଚିରଦିନ ଅତ୍ୟନ୍ତ ଆକୃଷ୍ଟ କରି ଆସିଛି । ସୂର୍ଯ୍ୟଙ୍କୁ ହିଁ ସ୍ଵଭାବତଃ ସ୍ଵୀକାର କରିନେବା ପୂର୍ବରୁ ତାଙ୍କ ନାମରେ ଲେଖା ହୋଇଥିବା କୌଣସି ପୁରାଣ ମୁଁ ପଢ଼ିନାହିଁ । ଉପନିଷଦରେ ସୂର୍ଯ୍ୟକୁ ବିଶ୍ଵର ଚକ୍ଷୁ ବୋଲି କୁହା ହୋଇଛି । ପ୍ରଭାତର ସୂର୍ଯ୍ୟକୁ କେଡ଼େ କବିତ୍ଵପୂର୍ଣ୍ଣ ଭାବରେ ନିଜ ଜୀବନ ଉପରେ ପଡ଼ିଥିବା ଢାକୁଣିଟାକୁ ବିଦୀର୍ଣ୍ଣ କରି ନିଜ ଭିତରର ସତ୍ୟ ଓ ଧର୍ମ ସହିତ ସିଧା ପରିଚୟ କରାଇଦେବା ଲାଗି ଆହ୍ୱାନ କରାଯାଇଛି । ସୂର୍ଯ୍ୟ ଭିତରେ ଅସଲ ସତ୍ୟଟି ଯାହା, ମୋ’ ଭିତରେ ମଧ୍ୟ ଠିକ୍ ତାହା ବୋଲି ଜଣେ ବିମୁଗ୍‍ଧ ଋଷି କେଡ଼େ ସହଜରେ କହି ପାରିଛନ୍ତି । ଏସବୁ ସୂର୍ଯ୍ୟଙ୍କର ପକ୍ଷ ନେଇ ମୋ’ର ଆଦୌ କୌଣସି ଯୁକ୍ତି ନୁହେଁ । ତଥାପି ଆମ ଶାସ୍ତ୍ରର ଏହିସବୁ ଧାଡ଼ୀ ମୋତେ ଭାରି ଆକୃଷ୍ଟ କରିଛି । ମୋ’ଠାରୁ ସର୍ବଦା ଆବଶ୍ୟକ ସ୍ଵୀକୃତ ଲାଭ କରି ଆସିଛି ।

 

ପୁଣି ସେହି ଶାନ୍ତିନିକେତନ କଥା ମୋ’ର ମନେ ପଡ଼ୁଛି । ମୋ’ର ନୟନତର୍ପଣ ନିମନ୍ତେ ସେତେବେଳେ ସେଠାରେ କୌଣସି ଦେବତାମନ୍ଦିର ନଥିଲା । କିନ୍ତୁ ସୂର୍ଯ୍ୟ ଥିଲେ । ସୂର୍ଯ୍ୟୋଦୟର ବହୁ ପୂର୍ବରୁ ମୁଁ ସ୍ନାନ ସାରି ବାହାରି ଯାଉଥିଲି ଓ ଧାଡ଼ୀ ଧାଡ଼ୀ ଶାଳ ଓ ତାଳକୁ ଅତିକ୍ରମ କରି ନିଜ ଭିତରର ଧୀର ଗୁଞ୍ଜରଣକୁ ଶୁଣି ଶୁଣି ମୁଁ ଯେଉଁଠାରେ ସୂର୍ଯ୍ୟୋଦୟ ଦେଖୁଥିଲେ, ସେହିଠାରେ ହିଁ ଅଟକି ଯାଉଥିଲି । ଘଡ଼ିଏ ସ୍ତମ୍ଭିତ ହୋଇ ଛିଡ଼ା ହେଉଥିଲି । ମୁହୂର୍ତ୍ତଟି ଉତ୍ସବମୟ ହୋଇ ଉଠୁଥିଲା । ଘରକୁ ଫେରି ଆସିବା ବେଳକୁ ଭାରି ପବିତ୍ର ଲାଗୁଥିଲା, ସବୁକିଛି ପବିତ୍ର ଲାଗୁଥିଲା । ସମସ୍ତେ ମୋ’ର ଚିହ୍ନା ବୋଲି ଲାଗୁଥିଲେ । ସମସ୍ତେ ମୋର ଚିହ୍ନା ବୋଲି ଲାଗୁଥିଲେ । ସକାଳର ଉଦୟ ଲାଗି ଉଦ୍ୟତ ସୂର୍ଯ୍ୟକୁ ରବୀନ୍ଦ୍ରନାଥ କେତେ କେତେ ଠାଣିରେ ବର୍ଣ୍ଣନା କରିଛନ୍ତି । ଏହି ସବୁକିଛି ମୋତେ ଭଲ ଲାଗୁଥିଲେ ଏବଂ କ୍ରମଶଃ ଜିଆଇ ଆଣୁଥିଲେ । ଏବଂ, ତା’ପରେ ସକାଳ ଅତିକ୍ରାନ୍ତ ହୋଇଯିବା ପରେ ମଧ୍ୟ ସୂର୍ଯ୍ୟ ଦେଖାଗଲେ । ଚାହିଁଲା ମାତ୍ରକେ ତତ୍‍କ୍ଷଣେ ଦେଖାଗଲେ । ଗୋଟାସୁଦ୍ଧା ବିନା ସାଧନାରେ । ନିଜ ଭିତରୁ କୌଣସି ପ୍ରତିରୋଧ ନହେଉଥିଲେ ଜାଣିବ ଯେ, ଯେଉଁଟି ତୁମ ସମ୍ମୁଖରେ ବିଦ୍ୟମାନ ରହିଛି, ସେଇଟି ହେଉଛି ତୁମ ପାଇଁ । ସତେଅବା ଖାସ୍ ତୁମରିପାଇଁ ଆସିଛି, ତୁମକୁ ଲୋଡ଼ୁଛି । ମୁଁ ଏହିପରି ଭାବରେ ସୂର୍ଯ୍ୟ ସହିତ କ୍ରମପରିଚିତ ହୋଇ ଆସୁଥିଲି । ତାଙ୍କ ସକାଶେ କ୍ରମପରିଣତ ହୋଇ ବି ଆସୁଥିଲି । ନିଜ ଭିତରେ ସୂର୍ଯ୍ୟ ଦର୍ଶନ, ବାହାର ଆକାଶରେ ସୂର୍ଯ୍ୟ ନଥିବା ସମୟରେ ନିଜ ଭିତରେ ସୂର୍ଯ୍ୟର ଦର୍ଶନ, ଆଉଜଣେ ମଣିଷକୁ ଭେଟୁ ଭେଟୁ ତା’ ମଧ୍ୟରେ ରହିଥିବା ସୂର୍ଯ୍ୟଟିକୁ ଘ୍ରାଣ କରି ପାରିବା ଓ ତା’ଭିତରେ ପ୍ରବେଶ କରି ସେହି ସୂର୍ଯ୍ୟଥାନଟିରେ ହିଁ କଥାବାର୍ତ୍ତା କରିବା,—ଏସବୁ ସତେଅବା ଆଗରୁ କହାରି ବରାଦଦ୍ଵାରା ଖଞ୍ଜା ହୋଇ ରହିଥାଏ ଏବଂ ତୁମେ ତାହାର ଯୋଗ୍ୟ ହେବାମାତ୍ରକେ ତୁମଲାଗି ଆସି ପହଞ୍ଚିଯାଏ । ତେଣୁ, ଏସବୁ ଆଦୌ ବିଚିତ୍ର ଲାଗିଲାନାହିଁ, ବିସ୍ମିତ ବି କଲାନାହିଁ । ବାଟଟିଏ ଚାଲିବାକୁ ମନ କଲାମାତ୍ରକେ ମୁଁ ସତେଅବା ତାହାର ଭେଟ ପାଇଲି, ଏବଂ ଧନ୍ୟ ହେଲି-

 

ଜୀବନରେ ସୂର୍ଯ୍ୟ ସହିତ ବହୁବିଧ ପରିବେଶରେ ଭେଟ ହୋଇଛି । ଆମ ଗାଆଁ ନଈକଣ୍ଡିଆରେ ଦେଖିଛି, ଚିଲିକାରେ, ମହୋଦଧିରେ ଏବଂ ଶାନ୍ତିନିକେତନରେ ମଧ୍ୟ ଦେଖିଛି । ଇଉରୋପରେ ପ୍ରାକୃତିକ ବିଭିନ୍ନ ଦୃଶ୍ୟପଟ ଉପରେ ମୁଁ ସୂର୍ଯ୍ୟକୁ ଆଉ ଆଉ ପ୍ରକାରେ ଦେଖିଛ । ଫିନାଲଣ୍ଡର ହ୍ରଦଗୁଡ଼ିକ ଉପରେ ନୀରବ ଓ ନିବିଡ଼ ସୂର୍ଯ୍ୟାସ୍ତମାନ କେତେବାର ମୋ’ ଭିତରେ ତଥା ମୋ’ ବାହାରେ ବିସ୍ତାରିତ ହୋଇ ରହିଥିବା ଗଭୀରତାଗୁଡ଼ିକୁ ବିଷୟରେ ମୋତେ କେତେ ପ୍ରତ୍ୟୟ ଦେଇଯାଇଛି । ଏବଂ, ସେହି ଦେଶରେ ଆହୁରି ଉତ୍ତରକୁ ଯାଇ ରୋଭାନିଏମି ଏବଂ ଇନାରିଠାରେ ବି ମୁଁ ମଧ୍ୟରାତ୍ରିର ସୂର୍ଯ୍ୟର ଦର୍ଶନଲାଭ କରିଛି । ଖରାଦିନେ ସୂର୍ଯ୍ୟ ବିଦାୟ ହୋଇଯିବାର ମାତ୍ର ଦୁଇଟା ଘଣ୍ଟା ପରେ ପୁନର୍ବାର ଆସି ପହଞ୍ଚିଯାଏ ଏବଂ ଶୀତଦିନେ କିପରି ସେହି ସୂର୍ଯ୍ୟ ବିନା ଦିନରେ ମାତ୍ର ଦୁଇଘଣ୍ଟା ବ୍ୟତୀତ ରାତି ହୋଇ ରହିଥାଏ, ସେଥିରେ ମଧ୍ୟ ଚକିତ ହୋଇପଡ଼ିଛି । ଏବଂ, ଅତ୍ୟନ୍ତ ସହଜତା ସହିତ ମୋ’ର ଭିତରେ ବିବର୍ତ୍ତିତ ହୋଇ ତଥା ମୋତେ ବିବର୍ତ୍ତିତ କରି “ଓଁ ଆଦିତ୍ୟାୟ ନମଃ,ଓଁ ଭାସ୍କରାୟ ନମଃ, ଓଁ ଆତ୍ମସୂର୍ଯ୍ୟାୟ ନମଃ” ବୋଲି ନିତ୍ୟମନନର ମନ୍ତ୍ରଟିଏ ଉଦ୍‍ଘାଟିତ ହୋଇ ଆସିଛି । ଭଲ ମନ୍ଦ ବିଚାର କରିବାର ଅବକାଶ ହିଁ ହୋଇନାହିଁ । ଯାହା, ଏକାନ୍ତ ଭାବରେ ନିଜ ଭିତରୁ ହିଁ ଉଦ୍‍ଭୂତ ହୋଇଆସିଛି । ତାହାର ଭଲ ମନ୍ଦ ପୁଣି କଣ ବିଚାର କରାଯାଇ ପାରନ୍ତା ? ଶାସ୍ତ୍ରରୁ ମନ୍ତ୍ରଟିଏ ପାଇଥିଲେ ଓ ଲୋଭ କରି ସେଇଟିକୁ ଦୂର୍ବ ଆଣିଥିଲେ ହୁଏତ ମୁଁ ତାହାକୁ ଶାସ୍ତ୍ରସ୍ଥ ଅନ୍ୟ ମନ୍ତ୍ରଗୁଡ଼ିକ ସହିତ ତୁଳନା କରିଥାନ୍ତି; ମୋ’ ନିଜର ତତ୍କାଳୀନ ଅବସ୍ଥା ଅନୁସାରେ ଅନ୍ୟ ମନ୍ତ୍ର ବା ବାକ୍ୟଗୁଡ଼ିକର ତୁଳନାରେ ସେଇଟି ମୋତେ ହୁଏତ ସରସ ବା ନୀରସ ଲାଗିଥାନ୍ତା । ଏପରିକି, କୌଣସି ଗୁରୁଠାରୁ ଏହି ମନ୍ତ୍ରଟି ପ୍ରଦାନ କରାଯାଇଥିଲେ ମୁଁ ମନ୍ତ୍ରଟିକୁ ଅନ୍ୟ ମନ୍ତ୍ରଗୁଡ଼ିକ ସହିତ ନୁହେଁ, ମୋ’ ଗୁରୁଙ୍କ ମଧ୍ୟ ବେଳେ ବେଳେ ଅନ୍ୟ ଗୁରୁମାନଙ୍କ ସହିତ ତୁଳନା କରି ବସିଥାନ୍ତି ଓ ମୋ’ ପଟଟିକୁ ଓଜନିଆ କରି ରଖିବା ନିମନ୍ତେ ସବୁ ପ୍ରକାରର ଭାଗବତ ସାମଗ୍ରୀ ଆଣି ଯୋଗାଇ ଦେଇଥାନ୍ତି । ଯେକୌଣସି ନିକିତିରେ ମୁଁ କ’ଣପାଇଁ ନିଜେ କମ୍ ଓଜନର ଲାଗୁଥିବା ସମୟରେ ପ୍ରତିକାର ସ୍ଵରୂପ ମୁଁ ଗୁରୁଙ୍କୁ ଆଣି ମୋ’ ପେଟରେ ମୁଁ ବସିଥିବା ପିଲାଟିରେ ବସାଇ ଦେଉଥାନ୍ତି ଅଥବା କେତେବେଳେ ଗୁରୁ ମୋତେ କ’ଣ ପାଇଁ କମ୍ ଓଜନର ଲାଗୁଥିବା ସମୟରେ ହୁଏତ ନିଜକୁ ନେଇ ତାଙ୍କ ପଟର ପଲାଟିର ବସାଇ ଦେଉଥାନ୍ତେ ।

 

ସେହି ଦୁର୍ଭାଗ୍ୟ ମୋ’ର କେବେହେଲେ ହୋଇନାହିଁ । ବାଟ ଚାଲିବାର ମଜା ମୋତେ ଆଦୌ କୌଣସି ତୁଳନା ନକରିବା ପାଇଁ ଆବଶ୍ୟକ ସଂଯମ ଆଣି ଦେଇଛି । ମୋ’ ନିଜଟାକୁ ବଡ଼ ଏବଂ ଅନ୍ୟ କାହାର ଆଉଟାକୁ ସାନ ବୋଲି ପ୍ରତିପାଦନ କରିବାକୁ ଯେଉଁ ତୁଳନା କରାଯାଏ, ତାହା ମୋତେ ସବୁଦିନେ ଭାରି ନୀରସ ବୋଲି ମନେହୋଇଛି । ଏବଂ, ଯାହା ନୀରସ, ତାହାହିଁ କ୍ଷତିକାରକ । କେତେ ମଣିଷ ଏପରି ବି ଅଛନ୍ତି, ଯେଉଁମାନେ ଏହିପରି ଏକ ଆବିଳତାଯୁକ୍ତ ରୋମାଞ୍ଚ ଭିତରେ ପଡ଼ିଯାଇ ଖାସ ନିଜର ଚିହ୍ନାଟାକୁ ଅଚିହ୍ନା ଆଉଗୋଟାକ ଠାରୁ ସରସ ବୋଲି ପ୍ରମାଣିତ କରିବେ ବୋଲି ପାହାଡ଼ଗୁଡ଼ାକର, ଶସ୍ୟଖେତଗୁଡ଼ାକର, ନଦୀଗୁଡ଼ାକର ଓ ଏପରିକି ସାଗରଗୁଡ଼ାକର ତୁଳନା କରିବାରେ ଲାଗିଥାଆନ୍ତି ଏବଂ ସେଥିରୁ ଗୌରବ ବି ପାଆନ୍ତି । ମୋ’ ଜୀବନରେ କେବେହେଲେ ସେହି ଅବକାଶ ଆସିନାହିଁ । ମୁଁ ଯେଉଁଟିକୁ ବାଛିଛି, ସେଇଟିକୁ ମୁଁ ବାଛିଛି,–ତାହାହିଁ ଯଥେଷ୍ଟ । ମୁଁ ଯେଉଁ ବାଟଟିରେ ଚାଲିଛି, ସେଇଟିକୁ ମଧ୍ୟ ମୁଁ ବାଛୁଛି ଏବଂ ତାହାହିଁ ସର୍ବବିଧ ମୂଲ୍ୟାୟନରେ ଯଥେଷ୍ଟ ହେବା ଉଚିତ । ଧର୍ମ ନାମରେ ଇତିହାସର ଧର୍ମଗୁଡ଼ିକ ଭିତରେ କୋଳେକାଳେ ଯେଉଁ କ୍ଷୟକାରୀ ମୂଲ୍ୟାୟନଗୁଡ଼ିକ ଆସି ବହୁ ପ୍ରମାଦର କାରଣ ହୋଇଛନ୍ତି, ସେଗୁଡ଼ିକ ଦ୍ଵାରା ଧର୍ମଗୁଡ଼ିକ ଅପେକ୍ଷା ସଂପୃକ୍ତ ମନୁଷ୍ୟମାନଙ୍କର ହିଁ ଅଧିକ କ୍ଷତି ହୋଇଛି । ଦ୍ଵାରଗୁଡ଼ିକୁ ବନ୍ଦ କରି ରଖିବାରେ ଏମାନେ ଭାରି ସାହାଯ୍ୟ ମଧ୍ୟ କରିଛନ୍ତି । ଏକ ଲୀଳାକୁ ପ୍ରାୟ ପ୍ରହସନରେ ପରିଣତ କରି ରଖିବାକୁ ସତେଅବା ଯଥାନୁରୂପ ଗୁରୁମାନେ ଆସି ବୁଦ୍ଧି ଯୋଗାଇ ଦେଇଛନ୍ତି । ସେହି ଗୁରୁମାନେ ପାଞ୍ଚୋଟିଯାକ ଦେବତାଙ୍କର ଦୁଃଖ ବଢ଼ାଇଛନ୍ତି ।

 

ଆଖି ଆଗରେ ଛିଡ଼ାହୋଇ ରହିଥିବା କାନ୍ଥଗୁଡ଼ିକ ଉଠିଗଲେ ଯାଇ ସୂର୍ଯ୍ୟ ଦେଖାଯାଆନ୍ତି । ସୂର୍ଯ୍ୟ ଘରକୁ ଆସନ୍ତି । ଏହି ସୂର୍ଯ୍ୟଙ୍କୁ ଯଦି ଖାଲି ବାହାରେ ଠାବ କରାଯାଇଥାନ୍ତା, ତେବେ ତାହା ପ୍ରକୃତରେ ଭାରି ଅନ୍ୟ ପ୍ରକାରର ବି ହୋଇଥାନ୍ତା । ଭିତରେ ଠାବ କରି ଯେ ବାହାରେ ମୁକ୍ତି ମିଳେ ଏବଂ ବାହାରେ ଠାବ କରି ଭିତରେ ବିସ୍ତାରର ଏକ ବୋଧ ଯେ ମିଳିଥାଏ, ତାହା ମୁଁ ନିଜର ଅନୁଭବରୁ ଜାଣିଛ । ବହୁ ମନ୍ତ୍ରଧାରୀ ଏହି ସଂସାରରେ ରହିଛନ୍ତି, ଯେଉଁମାନେ ଜୀବନଟିଏ ବଞ୍ଚିବା ନାଆଁରେ ସତେଅବା କୋଉ ଗୁମ୍ଫା ଭିତରେ ଯାଇ ପଶିଥାନ୍ତି । ସତେଅବା ଦୁଃଖ ସୁଖରେ ସହାୟକ ହେବେ ବୋଲି ସେମାନେ ଭଗବାନଟିଏ, ଦେବତାଟିଏ ଅଥବା ଧର୍ମଟିଏ ସାଙ୍ଗରେ ରଖିଥାନ୍ତି । ଆଉ ଥୋକେ ଅନ୍ୟ ପ୍ରକାରର ମଣିଷ ମଧ୍ୟ ଥାଆନ୍ତି, ଯେଉଁମାନେ ସତେଅବା ଭଗବାନ କହିଲେ କୌଣସି ଏକ ହାଟକୁ ବୁଝୁଥାନ୍ତି କି କ’ଣ କେଜାଣି, ନିଜ ଭିତରେ କେବେହେଲେ ଆସ୍ଥାନଟିଏ ହୋଇ ପାରନ୍ତିନାହିଁ । ସତେଅବା ଏକ କ୍ଷତିପୂରଣର ଲୋଭରେ ସେମାନେ ବାହାରେ କେତେ ଏଠିକୁ ଏବଂ କେତେ ସେଠିକୁ ଦଉଡ଼ିବାରେ ଲାଗିଥାନ୍ତି, ମାତ୍ର ତଥାପି ନିଜ ପାଖରେ ଦଣ୍ଡେ ହେଲେ ସଖା ପରି ବସି ପାରନ୍ତିନାହିଁ । ନିଜ ପାଖରୁ ଏଡ଼ି, ରଖିବାକୁ ସେମାନେ କେତେ କ’ଣ ଆଦୋରି ରହିଥାନ୍ତି । ନିଜ ପାଖରେ ଚୋର ହୋଇ ରହିଥିବା ମଣିଷମାନେ ଅନେକ ସମୟରେ ବାହାରେ ବେଶୀ ନାଚନ୍ତି, ବେଶୀ କବ୍ୟିକତା କରନ୍ତି ଓ ବେଶୀ ପରିମାଣରେ ଭାବପ୍ରବଣ ହୋଇ ପଡ଼ନ୍ତି । ଭାବ ଘରେ ମୂଷା ପଶିଲେ ବା ପେଚା ବସିଲେ ସମ୍ଭବତଃ ଭାବପ୍ରବଣ ହେବାଲାଗି ଜଣେ ମଣିଷକୁ ଅଧିକ ପ୍ରଶ୍ରୟ ଓ ଅଧିକ କାରଣ ମିଳି ଯାଇଥାଏ ।

 

ମନ୍ତ୍ରଟିଏ ମଣିଷକୁ କେବେହେଲେ ବସାଇ ଦିଏନାହିଁ । ଯଦି କେହି ବାହାରୁ ମନ୍ତ୍ରଟିଏ ମାଗିଆଣି ତାକୁ ନିଜରୁଟିନ୍ ଜୀବନର ଯଜ୍ଞୋପତୀତ କରି ପିନ୍ଧିଥାଏ, ତେବେ ତାହା ଅବଶ୍ୟ ଅଲଗା କଥା ହେବ । ମନ୍ତ୍ରଟିଏ ଉଚ୍ଚାରଣ କରିବାର ଅର୍ଥ ହେଉଛି ଜୀବନରେ ତାହାକୁ ଆବାହନ କରି ଆଣି ଆପଣା ଭିତରେ ରହିଥିବା ଉଚ୍ଚତମ ଆସ୍ଥାନରେ ବସାଇବା ଓ ତାହା ଆଗରେ ‘ମୁଁ’ ପ୍ରସ୍ତୁତ ଅଛି’ ବୋଲି କହିବା । ମୋ’ ଜୀବନମଧ୍ୟକୁ ସୂର୍ଯ୍ୟଙ୍କୁ ଆବାହନ କରି ଆଣି ମୁଁ ନିଜକୁ ପ୍ରସ୍ତୁତ କରି ରଖିବାରେ ପ୍ରକୃତରେ ଅନେକ ସାହାଯ୍ୟ ପାଇଛି । ଜୀବନ ନାମରେ ସତେଅବା କ’ଣ ଗୋଟାଏ ବୋଝକୁ ବାଧ୍ୟ ହୋଇ ଓଟାରି ନେଉଥିବା ପରି ମୋଟେ ମନେ ହୋଇନାହିଁ । ଆହୁରି କେତେ ମନ୍ତ୍ର ମୁଁ ପିଲାଦିନୁ ଶିକ୍ଷା କରିଥିଲି, ସେଗୁଡ଼ିକ ମଧ୍ୟ ସାଙ୍ଗରେ ରହି ଯାଇଛନ୍ତି । ସେଗୁଡ଼ିକୁ ମୁଁ ପୁରୁଣା ବୋଲି ପଛକେ ପକାଇ ଦେଇ ଆସିବାକୁ କେବେହେଲେ ମନ କରିନାହିଁ । ଶାନ୍ତିନିକେତନରେ ପ୍ରାତଃଭ୍ରମଣସମୟରେ ବାର ବାର ଆବୃତ୍ତି କରି ମୁ ଈଶୋପନିଷଦର ସଂମ୍ପୂର୍ଣ୍ଣ ଅଠରଟିଯାକ ଶ୍ଳୋକକୁ ମନେ ରଖି ପାରିଥିଲି । ସେଗୁଡ଼ିକ ଏବେ ମଧ୍ୟ ଆବୃତ୍ତି କରୁଛି । ଏହି ନିୟମିତ ମନ୍ତ୍ରପାରାୟଣ ଦ୍ଵାରା ମୁଁ କୌଣସି ସିଦ୍ଧି ହାସଲ କରିବି ବୋଲି ଅଭିଳାଷ ରଖି ତାହା କରିନାହିଁ । ଖୁସୀ ଲାଗୁଛି, ସେଇଥିପାଇଁ ଆବୃତ୍ତି କରୁଛି । ଏବଂ, ଏହାଠାରୁ ବଳି ପୃଥିବୀରେ ଅଧିକ ବଡ଼ ସିଦ୍ଧି ଆଉ କ’ଣ ଅଛି ? ଯେଉଁମାନେ ସଂସାରରେ ଏହି ସବୁକିଛି ଭିତରେ ଥାଇ ମଧ୍ୟ ଆପଣାକୁ ତଥାପି ବଞ୍ଚିତ ବୋଲି ମନେ କରୁଥାନ୍ତି, ସେମାନେ ସାଧାରଣତଃ ଯେଉଁସବୁ ସିଦ୍ଧି ଉପରେ ଆଣି ରଖିଥାନ୍ତି, ସେସବୁ ସିଦ୍ଧି ମୋତେ କେବେ ଆକୃଷ୍ଟ କରିନାହାନ୍ତି ।

 

କଟକ ଜେଲରେ ମଧ୍ୟ ସହବନ୍ଦୀ ଗୁରୁଜନମାନଙ୍କ ସହିତ ଏକତ୍ର ପ୍ରାର୍ଥନାରେ ବସି ମୋର କେତେକ ବନ୍ଦନାମନ୍ତ୍ର ହେତୁକୁ ଆସି ଯାଇଥିଲା । କାହିଁ ସେଗୁଡ଼ିକ ତ ପାସୋରି ହୋଇଗଲେ ନାହିଁ । ପ୍ରଭାତରେ ଭଗବତସ୍ମରଣର ସେହି ତିନୋଟି ମନ୍ତ୍ର, ପ୍ରାତଃ ସ୍ମରାମି....., ପ୍ରାତଃ ଭଜାମି... ଓ ପ୍ରାତଃ ନମାମି ଏବେ ମଧ୍ୟ ସଂପୂର୍ଣ୍ଣ ସ୍ମରଣ ମଧ୍ୟରେ ରହିଛନ୍ତି । ସେଗୁଡ଼ିକ ମଧ୍ୟରେ ଇଶ୍ଵରପ୍ରଶ୍ରସ୍ତି ରହିଛି, ବୈରାଗ୍ୟ ରହିଛି,—ଆହୁରି କେତେ କ’ଣ ରହିଛି । ଏହି ତିନୋଟି ମନ୍ତ୍ର ପରେ ଲକ୍ଷ୍ମୀ, ସରସ୍ଵତୀ ଓ ଗଣପତିଙ୍କର ବନ୍ଦନା, ତା’ପରେ ଗୁରୁସ୍ମୃତି, ବିଷ୍ଣୁ ଏବଂ ଶିବଙ୍କର ଆବାହନ କରି ଯୁଗ ଯୁଗରୁ ଭାରତୀୟ ଉପାସନରେ ଅତ୍ୟୁଜ୍ଜ୍ୱଳ ହୋଇ ରହିଥିବା ମନ୍ତ୍ରଗୁଡ଼ିକ ସେକାଳେ ଶୁଣି ଶୁଣି ମନେ ରହି ଯାଇଥିଲେ ଓ ଏବେ ମଧ୍ୟ ମନେ ରହିଛନ୍ତି । ସେହି ମନ୍ତ୍ରଗୁଡ଼ିକୁ ଉଚ୍ଚାରଣ କଲାବେଳେ ସେଥିରେ ଅଭିପ୍ରେତ ଦେବତାମାନେ ଭାରି ଉଦ୍‍ଭାସିତ ହୋଇ ଆସନ୍ତି । ପାରମ୍ପରିକ ରୂପବର୍ଣ୍ଣନାରେ ସେମାନଙ୍କର ଯେଉଁଭଳି ବର୍ଣ୍ଣନା ହୋଇଛି, ଅବିକଳ ସେହି ଗଢ଼ଣରେ ଓ ସେହି ବିନ୍ୟାସରେ । କାହିଁ କେବେହେଲେ ମୋ’ ଭିତରେ ପୌତ୍ତଳିକତା ଆସି ପଶି ଯାଏନାହିଁ ତ । ଏବଂ ତା’ପରେ ଆପଣା ଆରାଧ୍ୟମାନଙ୍କ ପାଖରେ ନିଜର ଅଙ୍ଗୀକାରବଦ୍ଧତାର ଜ୍ଞାପନ, —ଅତ୍ୟନ୍ତ ଆନ୍ତରିକତା ଦ୍ଵାରା ପୂର୍ଣ୍ଣ ହୋଇ ରହିଥିବା କେତୋଟି ଶ୍ଳୋକ । ଶେଷରେ ଗାନ୍ଧୀଙ୍କ ଦ୍ଵାରା ପ୍ରବର୍ତ୍ତିତ ଏକାଦଶ ବ୍ରତ, —ଭିତରେ ଧାଡ଼ୀ ଲାଗି ରହିଥିବା ପରି ଏମାନେ ସମସ୍ତେ ଆସି ପହଞ୍ଚି ଯାଅନ୍ତି । ମୋତେ କୌଣସି ପ୍ରକାରେ ସତର୍କ କରିଦେବା ପାଇଁ ନୁହେଁ, ସତେଅବା ପୂର୍ଣ୍ଣତର ଭାବରେ ପ୍ରସାରିତ କରିଦେବା ପାଇଁ । କେହି ଆଦୌ କୌଣସି ପ୍ରତିରୋଧ କରନ୍ତିନାହିଁ । ପିତୁଳାମାନଙ୍କୁ ପାର ହୋଇ ଆସିବାବେଳେ ସେମାନଙ୍କ ସହିତ ଯେ ମୁଁ ଆଦୌ ଝଗଡ଼ା କରି ଆସିନାହିଁ, ତାହାରି ପ୍ରମାଣଟିକୁ ମୁଁ ନିଜପାଖରେ ପ୍ରତ୍ୟହ ପାଇଯାଏ । ଜୀବନରେ ସ୍ଵୀକାର କରିନେବାର ସୀମା ବଢ଼ି ବଢ଼ି ଚାଲିଥାଏ ।

 

ମନ୍ତ୍ର ଯେତିକି ସହଜ, ମୋ'ର ଧ୍ୟାନ ମଧ୍ୟ ସେତିକି ସହଜ । କେତୋଟି ସ୍ଥାନରେ, କେତେକ ଅବସରରେ କ'ଣ ଅନୁଭୂତି ଫଳରେ ନିଜ ଭିତରେ କେବେ ଚାଉଁକରି ଲାଗି ଯାଇଥିଲା, ସେଗୁଡ଼ିକ ମୁଁ ସତେଅବା ସ୍ଥାୟୀ କରି ମୋ' ନିଜ ଭିତରକୁ ସାଉଁଟି ଆଣିଥିଲା । ପ୍ରତ୍ୟହ ସକାଳେ ସେମାନେ ମୋତେ ସତେଅବା ଶଙ୍ଖୋଳି ନେବାପାଇଁ ମୋ' ଦେହକୁ ସ୍ପର୍ଶ କଲାପରି ଆସି ପହଞ୍ଚି ଯାଆନ୍ତି । ସବାଆଗ କୋଡ଼ାଇକେନାଲ୍‍ର ସେହି Rock of vision, —ସମ୍ମୁଖରେ ଅତସ୍ଥିତ ରହିଥିବା ଘନନୀଳ ପର୍ବତଶ୍ରେଣୀ । ତଳକୁ ଅନାଇଲେ ଘନ ଅରଣ୍ୟ, କୁନି କୁନି ଢିପପରି ପାହାଡ଼ଦିଶୁଥିବା ପାହାଡ଼ କେତୋଟି । ସବୁଦିନେ ତାହାରି ଭିତରେ ମୋ'ଆଖି ଆଗରେ ସରୋବରଟିଏ ଦିଶିଯାଏ । ମୁଁ ମୁଗ୍ଧ ହୋଇ ଦେଖୁ ଦେଖୁ ସେଥିରେ ଶ୍ଵେତ କମଳଟିଏ ଉଲ୍ଲାସିତ ହୋଇ ଫୁଟିଉଠେ । ସେଇଟି ଉପରେ ମୁଁ ଜଗଜ୍ଜନନୀଙ୍କୁ ଦେଖିବାକୁ ଆରମ୍ଭ କରେ । ତାଙ୍କର କିସମ କିସମର ଛବି ଗୋଟିକପରେ ଗୋଟିଏ ହୋଇ ଉକୁଟି ଉଠନ୍ତି । ଗୋଟିକୁ ଆଉଗୋଟିଏ ଚହଲାଇ ପକାଇବାକୁ କିମ୍ବା ନିକାଲି ଦେବାକୁ ମୋଟେ ଆସେନାହିଁ । ଗୋଟିଏ ଆସି ପହଞ୍ଚିବାବେଳକୁ ଆରଟି କେଡ଼େ ସ୍ଵାଭାବିକ ଭାବରେ ଅପସରି ଯାଏ । ଧ୍ୟାନର ପୃଥିବୀଟି ଭିତରେ ଜାଗା କୋଉ କମ୍ ରହିଛି ଯେ, ଗୋଟିକୁ ଚହଲାଇ ଦେଇ ହିଁ ଆଉଗୋଟିଏ ଆସି ପହଞ୍ଚିଲା ବୋଲି ଘୋଷଣା କରିବାକୁ ବାଧ୍ୟ ହେବ । ତା' ପରେ ମମତାର ସୂତ୍ରଗୁଡ଼ିକୁ ନିମିଷକ ମଧ୍ୟରେ ସିଧା ହିମାଳୟର ଅଙ୍କ ଭିତରକୁ ଚାଲିଯାଆନ୍ତି । ପଛରେ ଆସନ୍ନପ୍ରାୟ ଉଦୟଭାନୁର ସ୍ଵର୍ଣ୍ଣିମ ଶୋଭାର ଝଲମଲରେ ଶୃଙ୍ଗଗୁଡ଼ିକର ରେଖାଚିତ୍ରମାନ ତାହାରି ଭିତରେ ମୋ'ଠାରୁ ନିକଟତମ ହୋଇ ଉଭା ହୋଇଥିବା ନନ୍ଦାଦେବୀର ବକ୍ଷପଟ ଏବଂ ତାହାରି ତଳକୁ ମୋ'ର ଏଡ଼େ ପରିଚିତ ହାଟକଲ୍ଲାଣୀ ଗାଆଁଟି । ହାଟକଲ୍ଲାଣୀ ସଦନର ଗାଆଁ । ସେଠାରେ ସଦନଙ୍କର ଦୁଆରେ ଛିଡ଼ା ହୋଇ ମୁଁ ଦିନପରେ ଦିନ କେତେ କେତେ ଆତ୍ମିୟତାରେ ହିମାଳୟର ସୁବର୍ଣ୍ଣବର୍ଣ୍ଣ ହିମରେଖାକୁ ଦେଖିଛି । ଦେଖୁଥିବାର ସେହି ସ୍ପଶଟି କେଡ଼େ ସହଜ ଭାବରେ ଯଥାସ୍ଥାନରେ ସାଇତା ହୋଇ ରହିଛି । ମୋ' ହିମାଳୟକୁ ମୁଁ ସାଥିରେ ନେଇଆସିଛି ।

 

ତା'ପରେ ଅନତିଦୂରର ଆଉ ଏକ ପାହାଡ଼ ଉପରେ ଅବସ୍ଥିତ ପ୍ରାଚୀନ କଟାରମଲ ମନ୍ଦିରର ସୁନ୍ଦର ଚିତ୍ରପଟଟି । ବହୁବର୍ଷ ତଳେ ଆଲମୋଡ଼ା ଠାରୁ ଅଳ୍ପ କେତେ ମାଇଲ ଉପରକୁ ଥରେ କୋଶୀ ନଦୀର ପୋଲଟି ଉପରେ ଠିଆ ହୋଇ ଆମେ—ସଦନ ଓ ମୁଁ—କଟାରମଲ ମନ୍ଦିରକୁ ଦେଖିଥିଲୁ । ସେଇଟି ବି ଅନ୍ତପଟ ଭିତରେ ସ୍ଥାୟୀ ହୋଇ ରହିଗଲା । ଏବେ ମଧ୍ୟ ମୋ' ସକାଳ ସମୟରେ ଧ୍ୟାନ ଭିତରେ ସେହିଠାରୁ ଲୁବ୍ଧ ହୋଇଥିବା ସମ୍ପଦଟି ଦିଶି ଦିଶି ଯାଉଛି । ମୋତେ ଗୋଟ ସୁଦ୍ଧା ନୀରବ କରିଦେଇ ବାହାରେ ଏହି ପୃଥିବୀ ସହିତ ଯୋଡ଼ିଦେଇ ଯାଉଛି । ଆଉଦିନେ ଦୂର ଉଠାଣିରାସ୍ତାକୁ ଉଠି ଆମେ ମନ୍ଦିରଯାଏ ଅବଶ୍ୟ ଯାଇଥିଲୁ ଓ ସେଠାରୁ ଚତୁର୍ଦ୍ଦିଗର ଉପତ୍ୟକାଗୁଡ଼ିକୁ ଦେଖି ମଧ୍ୟ କେତେ ଆନନ୍ଦ ଲାଭ କରିଥିଲୁ । ମାତ୍ର, ସେହି ଯେଉଁ ତଳୁ ଥାଇ ଉପର ଦିଗ୍‍ବଳୟଟି ଉପରେ ପାହାଡ଼, ପାଇନ୍ ଗଛର ସରୁ ସୂତାଖିଅପରି ଧାଡ଼ୀମାନଏବଂ ସନ୍ଧ୍ୟାଥିର ନୀଳ ଆକାଶ, —ସେହି ଅନୁଭବଟି କ'ଣପାଇଁ ମୋ' ଲାଗି ଏତେ ପ୍ରେରଣାମୟ ଏବଂ ଆକର୍ଷକ ହୋଇ ରହିଲା କେଜାଣି ? ହିଁ, ପ୍ରତ୍ୟହ ଧ୍ୟାନଦୋଳାରେ ସନ୍ନିକଟ ହୋଇ ବସି ମୁଁ କଟାରମଲରୁ ଆଖି ପିଛୁଳାକେ ସୋନପ୍ରୟାର ପର୍ଯ୍ୟନ୍ତ ବି ଚାଲିଯାଏ । କେଦାରନାଥ ତୀର୍ଥକୁ ପାଦରେ ଚାଲିଯିବା ରାସ୍ତାରେ ଆମେ ଏକାବେଳେକେ ବଡ଼ିସକାଳୁ ତ୍ରିଯୁଗୀନାରାୟଣଙ୍କର ଦର୍ଶନ ଶେଷକରି ତଳକୁ ଓହ୍ଲାଇ ଆସି ଆସି ସୋନପ୍ରୟାଗରେ ଆସି ପହଞ୍ଚି ଯାଇଥିଲୁ । ଆମେ ପାହାଡ଼ ଖାସୁଥିବା ସମୟରେ କେତେବେଳେ ଯେ ଇତିମଧ୍ୟରେ ସୂର୍ଯ୍ୟୋଦୟ ହୋଇ ସାରିଥିଲା, ସେକଥା ଆମକୁ ଜଣାନାହିଁ । ତଳେ ପହଞ୍ଚି ସୋନଗଙ୍ଗା ସହିତ ଆଉ ଗୋଟିଏ ପାହାଡ଼ୀ ଗଙ୍ଗା ଯେଉଁଠାରେ ଆସି ମିଶିଛି, ସେଇ ସ୍ଥାନଟିର ନାଆଁ ହେଉଛି ସୋନପ୍ରୟାଗ । ସେଠାରେ ବସତି ବାସିନ୍ଦା କିଛି ନାହିଁ,–କେବଳ ପାହାଡ଼ ଏବଂ ଘଞ୍ଚ ଅରଣ୍ୟ । ଗୋଟିଏ ଅନୁଚ୍ଚ ଜଳପ୍ରପାତ ଅଟବୀଭୂମିକୁ ଅନୁକ୍ଷଣ ନିନାଦିତ କରି ରଖିଛି । ଆମେ ବାଟ ଉଣ୍ଡି ପ୍ରପାତ ପାଖରେ ଯାଇ ପହଞ୍ଚୁଥିଲୁ । ସକାଳର ସୁନାଖରା ପ୍ରପତିତ ଜଳଧାରା ଗୁଡ଼ିକଉପରେ ଦିବ୍ୟ ପ୍ରଭାମୟ ସୁନାର ଖମ୍ବମାନ ସୃଷ୍ଟି କରି ଦେଇଥାଏ । ହଠାତ୍ ସବୁ ଅନିର୍ବଚନୀୟ ମନେ ହେଲା । ନିଜ ସମେତ ଏହି ସବୁକୁଛିକୁ । ସତେଯେପରି ଆମ ଆଖିଭିତରେ ଚିରଦିନ ପାଇଁ ଖୋସି ହୋଇ ରହିଯିବ ବୋଲି ଏହି ଶୋଭାଟି ଅପେକ୍ଷାକରି ରହିଥିଲା ! ସେହି ଶୋଭାସ୍ପର୍ଶର ଅନୁଭବଟି ଏପର୍ଯ୍ୟନ୍ତ ଚାଲି ଯାଇନାହିଁ । ମୋ' ଧ୍ୟାନରେ ମୋ' ପାଖକୁ ପ୍ରତ୍ୟହ ଆସୁଛି ।

 

ପ୍ରୟାଗଠାରୁ ବିଦାୟ ନେଇ ଆମେ ପୁନର୍ବାର ଉପରକୁ ଉଠିଲୁ । ବର୍ତ୍ତମାନ ତ ଦିନଟି ଆରମ୍ଭ ହିଁ ହେଉଛି । ଆଜି କେଉଁଠାରେ ମଧ୍ୟାହ୍ନଭୋଜନ କରି ସନ୍ଧ୍ୟାସୁଦ୍ଧା ଯେଉଁଠି ଯାଇ ପହଞ୍ଚିବାକୁ ହେବ, ପିତାଜୀ ଆମକୁ ସେକଥା କହି ସାରିଥିଲେ । ଘନ ଜଙ୍ଗଲ ଭିତରକୁ ଭଲ କରି ସୂର୍ଯ୍ୟକିରଣ ପଡ଼ିନଥାଏ । କିଛି ସମୟ ତୀଖ ବାଟ ଉଠିବାପରେ ବେଶ୍ କେତେଦୂର ଯାଏ ସମତଳ ଭୂମି ପଡ଼ିଲା । ତୀଖ ଉଠିବା ସମୟରେ କେବଳ ପାଦ ଉପରକୁ ଅନାଇ ବାଟ ଉଠିବାକୁ ପଡ଼େ । ମୁଣ୍ଡକୁ ବୁଲାଇ ଦୁଇ ପାର୍ଶ୍ଵକୁ ଅନାଇବାକୁ ହୁଏତ ବେଳ ନଥାଏ । ଆଗକୁ ଅର୍ଥାତ୍ ଉପରକୁ ଅନାଇବା ତ ନିୟମ ଅନୁସାରେ ନିଷିଦ୍ଧ ହୋଇ ରହିଥାଏ । ସମ୍ଭବତଃ ସେଇଥିଲାଗି ତୀଖ ଉଠି କିଞ୍ଚିତ୍ ସମତଳ ହୋଇ ରହିଥିବା ଏକ ପରବର୍ତ୍ତୀ ପର୍ଯ୍ୟାୟରେ ଆସି ପହଞ୍ଚିଲେ ଏଡ଼େ ଭଲ ଲାଗେ, ବାଟ ସରିଗଲା ପରି ଲାଗେ, ପହଞ୍ଚିଗଲା ପରି ଲାଗେ, ଭେଟ ହୋଇଗଲା ପରି ଲାଗେ । ଏବଂ, ଭେଟ ହୋଇଯିବାର ଯାବତୀୟ ଅନୁଭବ ହିଁ ଜୀବନର ପାତ୍ରଟି ମଧ୍ୟରେ ସ୍ଥାୟୀ ଭାବରେ ସାଇତା ହୋଇ ରହିଯାଏ । ସେଦିନ ଠିକ୍ ସେହିକଥା ହେଲା । ସେହି ଇଲାକାଟା ଯାକ କେବଳ ବୀଚ୍ ଗଛର ଜଙ୍ଗଲ । ସ୍ଥାନୀୟ ପାହାଡ଼ୀ ଭାଷାରେ ବୀଚଗଛକୁ ଉଦୀଶ୍ ବୋଲି କହନ୍ତି । ପାଇନ ଉଦ୍ଭିଦର ଭୂମିରେ ବାଢ଼ୁଥିଲେ ମଧ୍ୟ ବୀଚ ଗଛରେ ପତର ଥାଏ, ଅନ୍ୟାନ୍ୟ ପାଇନମାନଙ୍କ ପରି ହୁଞ୍ଚି ନଥାଏ । କଅଁଳ ସବୁଜ ରଙ୍ଗର ପତ୍ରଗୁଡ଼ିକ ସେଠି ଚତୁର୍ଦ୍ଦିଗରେ ଏକ ଅନ୍ୟ ପ୍ରକାରର ପରଭା କରି ରଖିଥିଲେ । ପତ୍ରଗୁଡ଼ିକ ଉପରେ କଅଁଳ ସକାଳକିରଣ ପଡ଼ିଥାଏ । ଏହିସବୁ ସ୍ପର୍ଶଜନିତ ଆନନ୍ଦରେ ମୋ' ଆଖି ଦୁଇଟା ମଧ୍ୟ ସତେଯେପରି କେତେ କେତେ ବୀଚଗଛର ପତର ପରି ଏକ ପରମସ୍ଵୀକୃତିର ଆଶ୍ଵାସନରେ କମ୍ପି ଉଠୁଥିଲେ । ମୋ'ର ସଂପୂର୍ଣ୍ଣ ଦେହଟା ସତେଯେପରି କେବଳ ଦୁଇଟା ଆଖିରେ ହିଁ ପରିଣତ ହୋଇ ଯାଇଥିଲା । ଯାହା ପ୍ରକାଶିତ ହୋଇ ରହିଛି, ଆଲୁଅରେ ଝଲମଲ ହେଉଛି, ସିଏ ମଧ୍ୟ ସତକୁ ସତ ଏକ ରହସ୍ୟ, —ଯାହା ଆହୁରି କେତେ କ'ଣ ଉଦ୍‍ଘାଟନ ନିମନ୍ତେ ପ୍ରତିଶ୍ରୁତି ଦେଇ ଯାଉଥାଏ ।

 

ସେହି ଅନୁଭବଟି ଏବେ ମଧ୍ୟ ମୋ' ସାଙ୍ଗରେ ରହିଛି । ଧ୍ୟାନରେ ବସିଥିବା ସମୟରେ ସିଏ ମଧ୍ୟ ଚିହ୍ନା ସାଥୀଟିଏ ପହଞ୍ଚି ଯାଉଛି । ଜୀବନର ଯାବତୀୟ ବୈରାଗ୍ୟକୁ ଏକ ମୂଳଭୂତ ଅନୁରାଗରେ ଦୀକ୍ଷିତକରିନେବାର ସାମର୍ଥ୍ୟ ତା' ଭିତରେ ରହିଥିବା ପରି ସିଏ ମୋ'ର ଅତି କତିରେ ଆସି ପହଞ୍ଚି ଯାଉଛି । ଜୀବନର ବହୁ ପ୍ରତ୍ୟାହାରକୁ ପ୍ରତ୍ୟାବର୍ତ୍ତନରେ ରୂପାନ୍ତରିତ କରିଦେବାର ଶକ୍ତି ମଧ୍ୟ ତା’ ପାଖରେ ରହିଛି । ହଁ, ଧ୍ୟାନରେ କେବଳ ହିମାଳୟ ଯେ ମୋତେ ତା’ ଖୁଣ୍ଟରେ ବନ୍ଧା ରଖେ, ସେକଥା ଆଦୌ ନୁହେଁ । ସୋନପ୍ରୟାଗ ମୋତେ ବାଗଲପୁରକୁ ବାଟ ବତାଇଦିଏ । ବାଗଲପୁର, ଆମ ଗାଆଁ ବାଗଲପୁର । ମାଛ ଅନ୍ଧାରରୁ ଉଠି ମୁଁ କେତେ କେତେ ସକାଳେ ଆମ ଗାଆଁ ନଈକୁ ଗାଧୋଇ ଯାଇଛି । ଏକୁଟିଆ ଅଥବା ସାଙ୍ଗ ଗହଣରେ ପୁରା ମୁକୁଳା ହୋଇ କେତେ ଥର ଅନୁଚ୍ଚ କଣ୍ଡିଆଟି ଉପରେ ବସିଛି । ନଈ ସେପାଖରେ ନାଳବନ୍ଧ, ସେଇଠାରୁ କେତେ କୁଆଡ଼େ ଘଞ୍ଚ ହୋଇ ଲାଗି ରହିଥିବା ଗଛମାନଙ୍କରେ ଗହଳମାନ । ସେହି ଶାନ୍ତିମୟ ବିସ୍ତୃତିଟି ମଧ୍ୟରେ ସୂର୍ଯ୍ୟାଦୟ ହୁଏ । ତାକୁଦେଖି କେହି ଆଦୌ ଗମ୍ଭୀର ହୋଇ ଯାଅନ୍ତି ନାହିଁ, ସାଙ୍ଗମେଳର ଗପ ମଧ୍ୟ ମୋଟେ ବଳ ହୋଇ ଯାଏନାହିଁ । ତଥାପି ଆମେ ସମସ୍ତେ ସତେଅବା ଆଉଗୋଟାଏ କ’ଣ ର ଆବେଶରେ ବିଭୋର ହୋଇ ଉଠୁ । ପୃଥିବୀଯାକରେ ଯେଉଁଠି ଯେତେ ଯାହା କୋଳାହଳ ଲାଗି ରହିଛି, ତାହାରି ଜନନୀରୂପେ ସତେଅବା ଯେଉଁ ନୀରବତାଟି ସଦାବିଦ୍ୟାମାନ୍‍ ରହିଛି, ସେତେବେଳେ ସେଇଟି ସହିତ ଭେଟ ହୋଇଯାଏ । ମନେହୁଏ, ଯଦି ତୁମେ ସେହି ନିରବତାକୁ ଚିହ୍ନିଥିବ, ତେବେ କୋଳାହଳ ମଧ୍ୟ ତୁମକୁ ଖରାପ ଲାଗିବନାହିଁ । ଏହି ସଂସାରର କୋଳାହଳ ମଧ୍ୟ ମୋଟେ ନୁହେଁ । ବାଗଲପୁରର ସୂର୍ଯ୍ୟାଦୟଟିକୁ ମୋ’ର ପ୍ରତ୍ୟୟଟି ମଧ୍ୟକୁ ଆବାହାନ କରି ଆଣୁ ଆଣୁ ମୋ’ ଅନ୍ତର୍ଗତ ଧ୍ୟାନସଙ୍ଗୀଟି ମୋତେ କାହିଁ କେତେଦୂର କେରଳଯାଏ ସତେଅବା ନିମେଷକ ମଧ୍ୟରେ ତା’ ବୋଇତଟି ଉପରେ ବସାଇ ନେଇଯାଏ । ମିତ୍ରନିକେତନର ଅନୁଚ୍ଚ ଦୁଇଟା ପାହାଡ଼—ମାତାଲାମପାରା ଏବଂ ତୈଲମପାରା ସେତେବେଳେ ଖରାରେ ଗାଧୋଇ ଚକଚକ ହୋଇ ଦିଶୁଥାନ୍ତି । ପାହାଡ଼ ଦୁଇଟି ନାନା କିସମର ଗଛଦ୍ଵାରା ଘଞ୍ଚ ହୋଇ ରହିଥାଆନ୍ତି । ଖୁସୀ ହୋଇ ଅନାଇଦେବା ମାତ୍ରକେ ସେମାନେ ନିଜଭିତରେ ମଧ୍ୟ ଦୃଷ୍ଟି ଗୋଚର ହୁଅନ୍ତୁ । ମୁଁ ଏକାଧିକାବାର ସେଗୁଡ଼ିକ ଦେଖିଛି, ମାୟା ଭୁଲିଛି ଏବଂ ତନ୍ମୟ ହୋଇଯାଇଛି । ପୃଥିବୀଟାକୁ ଏହିପରି ଶୋଭାମୟ କରି ଦେଖି ପାରୁଥିଲେ କିଏ କାହିଁକି ତାହାକୁ ନଶ୍ଵର ବୋଲି କହିବାକୁ ଇଚ୍ଛା କରିବି ?

 

ସେହି କ୍ରମରେ ମୋ’ ଧ୍ୟାନର ଉପବନଟି ଭିତରେ ଉଜ୍ଜ୍ଵଳ ନାଲି ଫୁଲରେ ଭର୍ତ୍ତି ହୋଇଥିବା ପୋଖରୀଟିଏ ବି ଉଦ୍‍ଭାସିତ ହୋଇ ଆସେ । କଟକ ପାଖରେ ଥିବା ସେହି ଗାଆଁଟିକୁ ମୁଁ ହୁଏତ ମାତ୍ର ଦୁଇ ତିନିଥର ଯାଇଥିବି । ଗାଆଁକୁ ପଶିଗଲା ବେଳକୁ ବିଶାଳ ପୋଖରୀଟିଏ, — ସଦ୍ୟ ପ୍ରସ୍ଫୁଟିତ ନାଲି କଇଁଫୁଲରେ ଭର୍ତ୍ତି ହୋଇ ରହିଥାଏ । ତା’ ଉପରେ ସକାଳର ଖରା ପଡ଼ି ଏକ ରହସ୍ୟମୟ ବର୍ଣ୍ଣାଢ଼୍ୟତା ସୃଷ୍ଟି କରିବାରେ ଲାଗିଥାଏ । ମୋଟେ ଭୁଲି ହୁଏନାହିଁ । ସେଇଟି ମଧ୍ୟ ମୁଁ ଧ୍ୟାନର ନେତ୍ରଟିକୁ ଖୋଲିଦେବା ମାତ୍ରକେ ପ୍ରତ୍ୟହ ମୋ’ ପାଖରେ ଆସି ଠିଆ ହୋଇଯାଏ-। କେଡ଼େ ସହଜରେ ଆସେ, ମୋତେ ସ୍ଥାୟୀ ଭାବରେ ଜିଜ୍ଞାସୁ କରି ଦେଇଯା । ଅନେକ ମଣିଷ ଧ୍ୟାନର ସାହାଯ୍ୟ ନେଇ ସୂତାଗୁଡ଼ିକୁ କାଟି ଚାଲିଥାଆନ୍ତି, ମୁଁ ସୂତା ଲଗାଇ ଲଗାଇ ଯାଉଥାଏ-। ଛନ୍ଦି ହୋଇଗଲେ ଯେଉଁ ମୁକ୍ତି ସହଜରେ ମିଳିଥାଏ, ଜୀବନରେ ସେହି ମୁକ୍ତିକୁ ମୁଁ ପ୍ରତ୍ୟହ ଆସ୍ଵାଦନ କରିଛି । ଯାହାକିଛି ତୁମକୁ ଏକଦାମୁଗ୍ଧ କରିଥିବ, ତୁମକୁ ପ୍ରସାରଣ ଆଣି ଦେଇଥିବ, ଏହି ଏଡ଼େବଡ଼ ଜଗତଟି ତୁମର ସାନ ଘରଟି ଭିତରେ ଅବଶ୍ୟ ଯଥେଷ୍ଟ ଜାଗା ପାଇପାରିବ ବୋଲି ଯଦି ତୁମର ଅନୁଭବ ରହିବ, ତୁମେ ଇଚ୍ଛା କଲା ମାତ୍ରକେ ତୁମେ ତାହାକୁ ନିଜର ଆକାଶଟି ମଧ୍ୟକୁ ଡାକି ଆଣି ପାରୁଥିବ, ଆଦୌ କୌଣସି କଷ୍ଟ କିମ୍ବା ପ୍ରୟାସ କରିବାକୁ ଦେଉନଥିବ । ଯାହାକୁ ଅନୁଭବ କରିବା ଲାଗି ତୁମକୁ ପ୍ରୟାସ କରିବାକୁ ହୁଏ, —ପ୍ରୟାସ କରି ଥାପି ରଖିବାକୁ କୌଣସି ଟେକ୍‍ନିକ୍‍ର ସାହାଯ୍ୟ ନନେଲେ ଯାହା ତୁମକୁ ଛାଡ଼ି ଚାଲିଯିବ ବୋଲି ତୁମ ଭିତରେ ଏକ ଆଶଙ୍କା ସବୁବେଳେ ରହିଥାଏ, —ଯେଉଁ ଧ୍ୟାନକୁ ଏକ ରୁଟିନ୍ ପରି ଖଞ୍ଜି ରଖିବାକୁ ହୁଏ, ଏକ ନିର୍ଦ୍ଦିଷ୍ଟ ଥାନ, ଏକ ନିର୍ଦ୍ଦିଷ୍ଟ ପରିବେଶ ଓ ନିର୍ଦ୍ଦିଷ୍ଟ ସମୟରେ ରଜ୍ଜୁ ଦ୍ଵାରା ଯାହାକୁ ବାନ୍ଧି ରଖିବାକୁ ହୁଏ ମୁଁ ଏପର୍ଯ୍ୟନ୍ତ ବି ସେହିସବୁକୁ ଧ୍ୟାନ ବୋଲି କହିବାଲାଗି ଶିକ୍ଷା କରି ପାରିଲାନାହିଁ । ପୁନଶ୍ଚ, ଯେଉଁ ଗୁରୁମାନେ ଏହିସବୁ କିସମର ଟେକ୍‍ନିକ୍ ବା ଅନୁଷଙ୍ଗ ବ୍ୟତୀତ ଆଦୌ କୌଣସି ଧ୍ୟାନ ସମ୍ଭବ ହୋଇ ପାରିବନାହିଁ ବୋଲି କହି ଗୋଡ଼ ଲମ୍ବାଇ ହେଉଥାନ୍ତି, ମୁଁ ସେମାନଙ୍କର ନିଜ ଧ୍ୟାନସ୍ଥତା ବିଷୟରେ ମଧ୍ୟ ସନ୍ଦେହ କରିବାକୁ ଆରମ୍ଭ କରେ । ଖାଇବା ଲାଗି ରୁଚି ରହିଥିଲେ ଯାବତୀୟ ଖାଦ୍ୟ ଅବଶ୍ୟ ଭଲ ଲାଗେ; ସେହିପରି ଉଚିତ ରାଜିଟିଏ ସମ୍ଭବ ହୋଇଗଲେ ଧ୍ୟାନ ବଳେ ବଳେ ଆସେ । ଏବଂ,ମୋତେ କ’ଣ ଦ୍ଵାରା ରାଜି କରାଇହେବ, ସେକଥା ଯେକୌଣସି ଗୁରୁ ଅପେକ୍ଷା ମୋତେ ହିଁ ଅଧିକ ପରିମାଣରେ ମାଲୁମ ରହିଥିବା ଦରକାର ।

 

ମୋ’ ଧ୍ୟାନରେ ପ୍ରତ୍ୟହ ଏହିପରି ଅନୁଭବ ଏବଂ ଏହିସବୁ ଅବସରଗୁଡ଼ିକର ଦର୍ଶନ ହୁଏ, କାଳେ ମୋ’ର ଧ୍ୟାନ ଭାଙ୍ଗି ଯିବ ବୋଲି ମୋଟେ ଭିତରୁ କବାଟ ଦେଇ କିଳିଣି ଲଗାଇ ନିଭୃତ ହୋଇ ବସିବାକୁ ପଡ଼େନାହିଁ । ଏବଂ ତା’ପରେ ପ୍ରାୟ ଆପେ ଆପେ ଆଉଗୋଟିଏ କଥା ମଧ୍ୟ ହୁଏ । ମୁ ପାଇଥିବା ନିଜର ମନ୍ତ୍ରଟିକୁ ଉଚ୍ଚାରଣ କରିବା ମାତ୍ରକେ ନିଜ ଭିତରେ ଗୋଟିଏ ବର୍ଣ୍ଣୋଜ୍ଜ୍ଵଳ ପଦ୍ମଫୁଲ ଉନ୍ନୋଚିତ ହୋଇଯାଏ । ଏକାବେଳେକେ ହୃଦୟସ୍ଥାନରେ । ଏକ ନିର୍ଦ୍ଦିଷ୍ଟ ମାର୍ଗର ସାଧନା ରହିଛି, ଯେଉଁଥିରେ କି ମଣିଷର ମସ୍ତିଷ୍କ ମଧ୍ୟରେ ସହସ୍ରାର ଫୁଟି ଉଠିବାର ବର୍ଣ୍ଣନା ଦିଆଯାଇଛି । ମୋ’ର ମସ୍ତିଷ୍କ ସବୁବେଳେ ମୋ’ ଅନୁରାଗର ଘରସଜ୍ଜାରେ ସତେଅବା ଗୋଟିଏ ଚାନ୍ଦୁଆପରି କାମ କରି ଆସିଛି । ଭାରତରେ କେତେ ସନ୍ଥ ମଧ୍ୟ ଆକାଶକୁ ଗୋଟିଏ ଚାନ୍ଦୁଆ ସହିତ ତୁଳନା କରିଛନ୍ତି । ମୋ’ ମସ୍ତିଷ୍କର, ଚେତନାର ଭିତରୁ ସୂର୍ଯ୍ୟର ଇଙ୍ଗିତ ପାଇ ନାଲିଆ ପଦ୍ମଫୁଲଟି ବିକଶିତ ହୋଇଆସେ । ସେତେବେଳେ ମୋ’ ଭଣ୍ଡାରଯାକର ଖୁସୀ ସତେଅବା ଏକ ଅନିର୍ବଚନୀୟ ଥିରତାରୂପେ ବିରାଜିତ ହୋଇ ରହିଥାଏ । ସେହି ଥରତାକୁ ତୁମେ କୌଣସି ପ୍ରତ୍ୟାହାର ସହିତ ଆଦୌ ତୁଳନା କରି ପାରିବନାହିଁ ।ସଂପୂର୍ଣ୍ଣ ରୂପେ ରାଜି ହୋଇ ଆସିଥିବା ଏକ ଅତ୍ୟନ୍ତ କ୍ରିୟାଶୀଳ ସ୍ଥିରତା । ଯାବତୀୟ ଦୂରତାର ବୋଧକୁ ହରଣ କରିନେଇ ଏକାବେଳେକେ ପାଖରେ ଛିଡ଼ା ହୋଇଥିବାରୁ ବୋଧ ଆଣି ଦେଉଥିବାରୁ ଏକା ସ୍ଥିରତା । ଅନେକ ମଣିଷ କାମଗୁଡ଼ିକ ସରିଲେ ଯାଇ ଥିର ହୁଅନ୍ତି । ମୋ’ ବେଳକୁ ଏପରି ହୁଏ କାହିଁକି କେଜାଣି ? ଏହି ସ୍ଥିରତା ମଧ୍ୟରେ ହିଁ ପଦ୍ମଫୁଲଟି ଫୁଟିଉଠେ । ଏକ ଅଭିନବ ପ୍ରତ୍ୟୟ ଦ୍ୱାରା ମେତେ ସଂବଳିତ କରି ଦେଉଥାଏ । ସେତେବେଳେ ବାହାରେ ବା ଭିତରେ ଆଦୌ କୌଣସି ଭାବପ୍ରବଣତା ନଥାଏ । ଏହି ସ୍ଥିରାବସ୍ଥାଟି ମୋତେ କାଳେ ଛାଡ଼ି ଚାଲିଯିବ ବୋଲି କୌଣସି ଛନଛନ ଭାବ ନଥାଏ । ଯିଏ ମୋ’ ଭିତରକୁ ଆପେ ଆସିଛି, ସିଏ ମୋତେ କାହିଁକି ଛାଡ଼ି କରି ଚାଲିଯିବ ? ତେଣୁ, ପଦ୍ମଫୁଲଟି ଫୁଟି ଉଠୁଥିବା ସଙ୍ଗେ ସଙ୍ଗେ ମୁଁ ସ୍ୱୟଂ ଉନ୍ନୋଚିତ ହୋଇ ଉଠିବାରେ ଲାଗିଥାଏ ।

 

ତା’ପରେ ଫୁଟି ଉଠୁଥିବା ସେହି ଫୁଲଟିକୁ ମାଧ୍ୟମ କରି ମୁଁ ବିସ୍ତାରିତ ହୋଇଯିବାକୁ ଆରମ୍ଭ କରେ । ଭଲ ଜିନିଷଟିଏ ପାଇଲେ ଅନେକ ମଣିଷ ତାହାକୁ କୁଆଡ଼େ ଗୋଟାସୁଦ୍ଧା ନିଜପାଇଁ ସାଉଁଟି ଆଣନ୍ତି । ତାହାକୁ ସତେଅବା ନିବୁଜ କରି ଅନୁଭବ କରିବାକୁ ଇଚ୍ଛା କରୁଥାନ୍ତି । ଯୁଗେ ଯୁଗେ ଏହିପରି ଏକା ମନ୍ଦ ଇଚ୍ଛାଦ୍ଵାରା ପରିଚାଳିତ ହୋଇ ମଣିଷମାନେ ହୁଏତ ଭଗବାନଙ୍କୁ ମଧ୍ୟ ଭାରି କଲବଲିଆ କରି ପକାଇଥିବେ । ନିଜର ହୃତ୍ କେନ୍ଦ୍ରରେ ପଦ୍ମଫୁଲାଟିକୁ କେବଳ ମୁଁ ନିଜେ ଉପଭୋଗ କରିବାକୁ କେବେ ଇଚ୍ଛା କରିନାହିଁ । କାହିଁକି କରିନାହିଁ କେଜାଣି ? ଯେଉଁମାନେ ମୁଁ ପୃଥିବୀର ଏକାନ୍ତ ଆପଣାର ବୋଲି ମନେ କରୁଥାଏ, ଫୁଲଟି ସେମାନଙ୍କର ହୃଦୟ ଭିତରେ ମଧ୍ୟ ଫୁଟି ଉଠିବାକୁ ଆରମ୍ଭ କରେ । ଜଣକ ପରେ ଜଣେ ଏହିପରି ଭାବରେ ଉଠୁଥାନ୍ତି । ସେତେବେଳେ ମୁଁ ଅଲଗା ହୋଇ ସତେଅବା ଆଦୌ କେଉଁଠି ହେଲେ ନଥାଏ । ମୋ’ର ଚିହ୍ନା ପୃଥିବୀଟି ଯେଉଁମାନେ ହୁଏତ କୌଣସି ପ୍ରତିକୂଳତା ମଧ୍ୟରେ ରହିଥାନ୍ତି, ପ୍ରତିବନ୍ଧକଗୁଡ଼ିକ ସହିତ ଯୁଝୁଥାନ୍ତି, ଏପରିକି କୌଣସି ଶାରୀରିକ ଅସୁସ୍ଥତା ମଧ୍ୟ ଭୋଗ କରୁଥାନ୍ତି, ସେମାନେ ସମସ୍ତେ ଗୋଟି ଗୋଟି ହୋଇ ଆବିର୍ଭୂତ ହୋଇ ଆସୁଥାନ୍ତି ଓ ସେମାନଙ୍କର ହୃଦୟ ଭିତରେ ମୁଁ ସେହି ଫୁଟି ଉଠିଥିବା ପଦ୍ମଟିକୁ ପ୍ରତ୍ୟକ୍ଷ କରିବାରେ ଲାଗିଥାଏ । ଏବଂ, ସେମାନେ ନିଜର ଫାଶଟିରୁ ମୁକ୍ତ ହୋଇ ଆସନ୍ତୁ ବୋଲି ମୁଁ ଏହିପରି ଭାବରେ ନିଜର ପ୍ରାର୍ଥନା ଜଣାଏ । ଫଳ ହୁଏ, ହୁଏତ ହୁଏ ବି ନାହିଁ, —ତଥାପି ମୁଁ ଏହିପରି ଭାବରେ ପ୍ରାର୍ଥନାଟିଏ କରୁଥାଏ । ଅନେକ ସମୟରେ ଜଣେ ମଣିଷକୁ ତା’ର ଦୁଃଖ ହୁଏତ ଏପରି ବାନ୍ଧି ପକାଇଥାଏ ଓ ସେ ନିଜର ଏପରି ଉତ୍କଟ ଭାବରେ ଅରକ୍ଷ ବୋଲି ଅନୁଭବ କରୁଥାଏ ଯେ, ତା’ ଭିତରେ ତା’ର ଅସଲ କେନ୍ଦ୍ରସ୍ୱରୂପ ଫୁଲଟି ଅବଶ୍ୟ ଫୁଟିକରି ରହିଛି ବୋଲି ଅନୁଭବ କରିବାଲାଗି ତା’ର ପ୍ରତ୍ୟୟ ହୁଏନାହିଁ । ମୁଁ ତା’ ଲାଗି ସମ୍ଭବତଃ ସେତିକି କରାଇବାକୁ ଚେଷ୍ଟାକରେ । ସହଜରେ ସଂପ୍ରସାରିତ ହୋଇଯାଇ ପାରିବାର ଏହି ସାମର୍ଥ୍ୟଟି ରହିଥିଲେ ମଣିଷ ନିଜେ ମଧ୍ୟ ବହୁତ ବହୁତ ମାର୍ଗରେ ଉପକୃତ ହୋଇଥାଏ ।

 

ଆପେ ଠିକଣା ଭାବରେ ସମ୍ପ୍ରସାରିତ ହୋଇଯାଇ ପାରିଲେ ନିଜ ଜୀବନରେ ଅନ୍ୟ ବହୁତ ମଣିଷଙ୍କୁ ଅବଶ୍ୟ ଜାଗା ଦେଇ ହୁଏ । ଗୋଟାଏ ଗୋଟାଏ ଦୁଷ୍ଟ ସାଧନାମାର୍ଗ ରହିଛି, ଯାହାଦ୍ଵାରା କି ଅନ୍ୟମାନଙ୍କ ଆଡ଼କୁ ନିଜର ପ୍ରଭାବ ବିସ୍ତାର କରିହୁଏ । ସେମାନଙ୍କୁ ନିଜର କାଉଁରୀବାଡ଼ିଟା ଅନୁସାରେ ନଚାଇ ହୁଏ । ସେହି ମାର୍ଗର ଯାବତୀୟ ସଂପ୍ରସାରଣ ସଂପୃକ୍ତ ଆଉ କାହାକୁ ଅଥବା କେଉଁମାନଙ୍କୁ ଗିଳି ପକାଇବ ବୋଲି ହିଁ ଅଭିପ୍ରାୟ ରଖିଥାଏ । ନିଜର ଅଭିପ୍ରାୟ ଅନୁସାରେ ହିଁ ଦେବତାମାନେ । ସ୍ଵର୍ଗରେ କ’ଣ ହେଉଥିବ, ସେକଥା ମୁଁ ଅବଶ୍ୟ କହି ପାରିବିନାହିଁ, ମାତ୍ର ଏଡ଼େ ଏଡ଼େ ଦେବୀ ଓ ଦେବତାମାନେ କିପରି ନିତାନ୍ତ ରାକ୍ଷସମାନଙ୍କର ସାଧନାଦ୍ଵାରା ସାଧ୍ୟ ହୋଇ ଯାଆନ୍ତି, ଆଉ କାହାରି ଉପରକୁ ଆପଣାର ପକ୍ଷବିସ୍ତାର ଦ୍ଵାରା ତାକୁ ଗିଳି ପକାଇବାରେ ହିଁ ମଣିଷମାନଙ୍କୁ ସହାୟତା କରନ୍ତି, ମୁଁ ସେକଥା ଗୁଡ଼ାକର ଭେଦ ହିଁ ପାଏନାହିଁ । ମୋ’ଆକାଶରେ ବି ଦେବୀ ଦେବତାମାନେ ରହିଛନ୍ତି, —ସେମାନେ ଖାଲି ସେମାନଙ୍କୁ ନିଜର ସେବାଦ୍ଵାରା ସନ୍ତୁଷ୍ଟ କରି ତା’ପରେ ଯାହା ମନ ତାହା କରି ପାରିବାକୁ ଇଚ୍ଛା କରୁଥିବା ରାକ୍ଷସମାନଙ୍କ ସକାଶେ ନାହାନ୍ତି । ଅସଲ ଦେବତାମାନେ ଖାଲି ମୋ’ର ନୁହନ୍ତି କି ତୁମର ନୁହନ୍ତି । ସେମାନେ ସମସ୍ତଙ୍କର; ସମଗ୍ର ସୃଷ୍ଟିର,ସମଗ୍ର ହିତର, ସମଗ୍ର ବିଜୟର । ତୁମେ ଏହି ଦେବତାମାନଙ୍କର ହୋଇଯାଇ ପାରିବ, ସେମାନଙ୍କର କାମରେ ଲାଗିପାରିବ; ସେମାନଙ୍କ ସୃଷ୍ଟିରେ କାମରେ ଲାଗିପାରିବା ନିମନ୍ତେ ତୁମେ ଆପଣାକୁ ଯୋଗ୍ୟ କରି ପାରିବ । ମୋ’ର ଅଧ୍ୟାତ୍ମ ଭିତରେ ଯେତେ ଯାହା ଐଶିତାର ଅନୁମତିପତ୍ର ରହିଛି, ତଦ୍ଦ୍ୱାରା କେବଳ ଏହି ସୃଷ୍ଟି ଲାଗି ହିଁ ଅଧିକରୁ ଅଧିକ ଯୋଗ୍ୟ ହୋଇ ପାରିବାର ମଙ୍ଗଳମୟ ଆହ୍ଵାନଟିଏ ରହିଛି । ମୋ’ର ଯାବତୀୟ ଶକ୍ତି ଓ ଅର୍ଜନକୁ ମୁଁ ଆପଣାକୁ ଅଧିକ ସ୍ଥୂଳ ଏବଂ ପୃଥୁଳ କରି ରଖିବା ସକାଶେ ନୁହେଁ, —ଏଡ଼େ ବଡ଼ ଦେବୀ ଅଥବା ଦେବତାର କୃପା ବଳରେ ମୁଁ ଅଧିକ ଅହଙ୍କାର ଓ ଅଧିକ କରାମତି ଦେଖାଇ ପାରିବ ବୋଲି ନୁହେଁ, ତାଙ୍କର ସୃଷ୍ଟିପାଇଁ କାମରେ ଲଗାଇ ପାରିଲେ ଯାଇ ମୁଁ ତାହରି ଭାଜନ ହୋଇ ପାରିବି ।

 

ତେଣୁ ଯଦି ମୁଁ ଅନ୍ୟ ସମସ୍ତଙ୍କ ସହିତ ଲାଗିକରି ରହିଛି, ଯଦି ଅଲଗା କ’ଣ ସବୁ ହାସଲ କରି ଚକ୍ରବର୍ତ୍ତୀ ବୋଲାଇବା ନିମନ୍ତେ ମୋ’ର ଆଦୌ କୌଣସି ସଉକ ନାହିଁ, ତେବେ ପରମର ସ୍ପର୍ଶନରେ ଯଦି ମୋ’ ଭିତରେ ଫୁଲାଟି ଫୁଟି ଉଠି ପାରୁଛି, ତେବେ ସେହି ଫୁଲଟିକୁ ମୁଁ ନିଶ୍ଚୟ ଆଉଜଣକ ଭିତରେ ମଧ୍ୟ ଫୁଟି ଉଠିଥିବାର ଅନୁଭବ କରି ପାରିବି । ସବୁଦିନ ସକାଶେ ମୁଁ କେଡ଼େ ସହଜରେ ତାହା କରିପାରେ । ସେଥିଲାଗି ମୋତେ କୌଣସି ଷଡ଼ଙ୍ଗ କିମ୍ବା ସପ୍ତାଙ୍ଗ ମାର୍ଗରେ ଅଭ୍ୟାସ କରିବାକୁ ପଡ଼େନାହିଁ ଅଥବା କୌଣସି ଗୁରୁର ହେପାକତରେ ରହିବାକୁ ହୁଏନାହିଁ । ମଣିଷ ମାତ୍ରକେ ଯଦି କେନ୍ଦ୍ରଟି ପ୍ରକୃତରେ ଏକ, ଯଦି ଭିନ୍ନତା ବୋଲି କିଛି ନାହିଁ, ତେବେ ସଂପ୍ରସାରଣ କହିଲେ ସକଳ ଥଳରେ କେବଳ ଏକା ଏକାତ୍ମତାକୁ ହିଁ ବୁଝାଇବ, ଯେଉଁଠି ଅଳ୍ପତା ନିମନ୍ତେ ଆଦୌ କୌଣସି ଅବକାଶ ନଥିବ । ସବୁ ମିଶି କେବଳ, ଏକା ପାରସ୍ପରିକତାକୁ ବୁଝାଇବ । ଧର୍ମମାନେ ମଣିଷମାନଙ୍କୁ ଅଲଗା ସୁଖ ଏବଂ ସ୍ଵର୍ଗ ଆଣି ଯୋଗାଇ ଦେବାର ମିଛ ପ୍ରତିଶ୍ରୁତି ଦେଇ ସେହି ପାରସ୍ପରିକତାର ମହିମାଟିକୁ ଏପରି କାହିଁକି ଛିନ୍ନଭିନ୍ନ କରି ପକାଇଲେ କେଜାଣି ? ସେହି ଗୋଟିଏ ସୂତାକୁ ସତରଖଣ୍ଡ କରି ଦେଖାଇବାକୁ କ’ଣ ପାଇଁ ମନ କଲେ କେଜାଣି ? ମୋ’ ଜୀବନର ଯେଉଁ ସୂର୍ଯ୍ୟ ମୋ’ ପାଖେ ପାଖେ ରହି ସୂତାଗୁଡ଼ିକୁ ଏକାଠି ମୋ’ ପାଇଁ ଉତ୍ତୋଳିତ କରି ଧରିଛି ସେହି ସୂର୍ଯ୍ୟକୁ ମୋ’ ର କୋଟି ନମସ୍କାର । ମୁଁ ତାହାକୁ କେବେହେଲେ ଏକା ଦେବତାଜ୍ଞାନରେ ଆରାଧନା କରିବାକୁ କୌଣସି ଆଗ୍ରହ ଦେଖାଇନାହିଁ । ସେ ସୂର୍ଯ୍ୟକୁ ମୁଁ ବହନ କରି ଚାଲିଛି । ଅନ୍ତର ଭିତରେ ତଥା ଆକାଶ ମଧ୍ୟରେ ସିଏ ମୋ’ ଲାଗି ନିତ୍ୟପ୍ରତିଭାତ ହୋଇ ରହିଛି । ଜୀବନରେ ଆଶ୍ରୟଟିଏ କହିଲେ କାହିଁକି ଏହାକୁ ଛାଡ଼ି ଆଉ କ’ଣକୁ ବୁଝାଇବ ? ଯେଉଁ ସୂର୍ଯ୍ୟର ପ୍ରେରଣା ଆସ୍ଥାନଟିଏ ପାଇଲେ ମୋ’ ଭିତରେ ପଦ୍ମଫୁଲଟିକୁ ପ୍ରସ୍ଫୁଟିତ କରି ଆଣେ; ଅତ୍ୟନ୍ତ ଅକୃପଣ ଭାବରେ ଯାହାର ମୋ’ ପ୍ରତି ଅନୁରାଗ ମୁଁ ଇଚ୍ଛା କଲା ମାତ୍ରକେ ଅନ୍ୟମାନଙ୍କ ଭିତରେ ମଧ୍ୟ ମୋ’ ଲାଗି ଅବିକଳ ସେହି ଫୁଲଟି ଫୁଟି ଉଠିଥିବାର ପ୍ରତ୍ୟକ୍ଷ କରାଏ, ସେହି ସୂର୍ଯ୍ୟ ମୋ’ର କୋଟି ନମସ୍କାର ।

 

ଜୀବନରେ ଅନୁକ୍ଷଣ ସୂର୍ଯ୍ୟମୁହାଁ ହୋଇ ବାଟ ଚାଲିବା, ଅଧ୍ୟାତ୍ମ କହିଲେ ମୁଁ କ୍ରମେ ଅଧିକରୁ ଅଧିକ ପରିଣାମରେ ଏହାହିଁ ବୁଝୁଛି । ମୁଁ ଯେତିକି ଯେତିକି ଅଧିକ ବାଟ ଚାଲୁଥିବି, ସେହି ସୂର୍ଯ୍ୟ ସତକୁ ସତ ଅଧିକରୁ ଅଧିକ ବ୍ୟଞ୍ଜନା ଅର୍ଥାତ୍ ଅଧିକରୁ ଅଧିକ ଆହ୍ଵାନ ସହିତ ଆସି ବିଦ୍ୟାମାନ ହୋଇ ଯାଉଥିବ, —ଏହି ସତ୍ୟଟିକୁ ମୁଁ ମୋ’ ବାଟ ଚଳିବାର ମହୋତ୍ସବଟି ମଧ୍ୟରୁ ହିଁ ଆବିଷ୍କାର କରିଛି । ବାଟ ଚାଳିବାକୁ ମନ କରିବା ପୂର୍ବରୁ ଏହି ବାଟ ସାଧାରଣତଃ ଏକ ମନ୍ଦିର ଭିତରକୁ ପଡ଼ିଥାଏ । ଯେଉଁ ସାଂସ୍କୃତିକ ଆୟତନଟି ମଧ୍ୟରେ ମୋ’ର ଜନ୍ମ ହୋଇଛି, ମୋ’ର ଗୁରୁଜନମାନେ ମୋତେ ଯେଉଁ ସ୍ଥାନୀୟତାଗୁଡ଼ିକ ସହିତ ପରିଚିତ କରାଇଛନ୍ତି, ତାହା ଆଦୌ ଯଥେଷ୍ଟ ନୁହେଁ ବୋଲି ଆବଶ୍ୟକ ପ୍ରତୀକଟିଏ ଆସିଲେ ଯାଇ ମଣିଷ ନିଜେ ବାଟଟିଏ ଚାଲିବ ବୋଲି ମନ କରେ, ଏକା ସାକ୍ଷାତ୍‍କାରକୁ ସମ୍ମୁଖରେ ଥାପି ସିଏ ଚଳିବାକୁ ଆରମ୍ଭ କରେ । ପୁରୁଣା ଶାସ୍ତ୍ରକୁ ଛାଡ଼ି ସିଏ ଅନୁରୂପ ନୂଆ ଶାସ୍ତ୍ରଗୁଡ଼ିକୁ ଲୋଡ଼େ । ଏବଂ, କ୍ରମେ ସିଏ ଏପରି ଏକ ବିନ୍ଦୁରେ ଆସି ପହଞ୍ଚିଯାଏ, ଯେତେବେଳେ ତା’ନିଜର ଅନୁଭବଗୁଡ଼ିକ ହିଁ ତା ଶାସ୍ତ୍ରରେ ଲେଖା ହୋଇଥିବା ସତ୍ୟବଚନ ଗୁଡ଼ିକ ଅପେକ୍ଷା ଅଧିକ ସତ୍ୟ ବୋଲି ମନେହୋଇଥାଏ । ଆମର ଧର୍ମଗୁଡ଼ିକ ଆମକୁ ସାଧାରଣତଃ ଆମର ଶାସ୍ତ୍ରଗୁଡ଼ିକର ଗାର ଭିତରୁ ଅନୁଭବ ଆଡ଼କୁ ପରିଚାଳିତ କରି ନେଉଥାନ୍ତେ । ମାତ୍ର, ସେମାନେ ଆମରି ପ୍ରସୀମନଗୁଡ଼ିକ ଦ୍ଵାରା ବାଧ୍ୟ ହୋଇ ପ୍ରାୟ ଏପରି ଉତ୍କଟ ଭାବରେ ବାଳାଧୀନ ଓ ସ୍ଥାନାଧିନ ହୋଇ ରହିଥାନ୍ତେ ଯେ, ଆମକୁ ଉଚିତ ନେତୃତ୍ଵଟି ଦେଇ ପାରନ୍ତିନାହିଁ । ଆମକୁ ପିତୁଳାଗୁଡ଼ାକ ପାଖରେ ବାନ୍ଧି ରଖନ୍ତି । ଆମକୁ ସ୍ପର୍ଶକାତର କରି ରଖିବା ନିମନ୍ତେ କେଡ଼େ ଆଡ଼ମ୍ବରର ଭେଳିକି ସୃଷ୍ଟି କରିଥାନ୍ତି ।

 

ମୋ’ ବାଟ ଚାଲିବାର ନିୟତଟି ମୋତେ ନିରନ୍ତର ଅଧିକରୁ ଅଧିକ ଗ୍ରହଣଶୀଳ କରି ଯେ ଆଣିପାରିଛି, ତାହା ମୋ’ର ପ୍ରକୃତରେ ବଡ଼ ଭାଗ୍ୟ । ନିଜର ଭୂମିଟି ଉପରେ ଛିଡ଼ା ହୋଇ ମୁଁ ଚିରକାଳ ଗୌରବ ଅନୁଭବ କରିଆସିଛି ସିନା, ଅମତ୍ର, ପ୍ରତ୍ୟେକ ଭୂମିର ଯେ ଏକ ସଦାବର୍ଦ୍ଧମାନ ପ୍ରସ୍ଥ ଓ ପରିଧିଗୁଡ଼ିକ ଅବଶ୍ୟ ରହିଛି, ନିଜ ବିଷୟରେ ହେତୁ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ମୁଁ ସେହି କଥାଟିକୁ ମଧ୍ୟ ଉପଲବ୍ଧି କରି ପାରିଛି । ଉପଲବ୍ଧିର କ୍ଷେତ୍ରରେ ଯେକୌଣସି ବୃହତର ଏକ ବୃହତ୍ତର ବି ରହିଛି । ଜୀବନରେ ଅସଲ ବୃହତକୁ ମନ କରିବାର ଅର୍ଥ ହେଉଛି ସର୍ବଦା ଏକ ବୃହତ୍ତର ଆଡ଼କୁ ନିଜର ଯାବତୀୟ ଇନ୍ଦ୍ରିୟକୁ ଉନ୍ମୋଚିତ କରି ରଖିଥିବା । ଆମର ଇନ୍ଦ୍ରିୟମାନେ ହେଉଛନ୍ତି ଆମ ଗ୍ରହଣ ଘରର ଗବାକ୍ଷ ସଦୃଶ, ଏବଂ ବାଟ ଚାଲୁଥିବା ଯାଏ ଜଣେ ମନୁଷ୍ୟର ଗବାକ୍ଷଗୁଡ଼ିକ ଖୋଲା ହିଁ ହୋଇ ରହିଥାଏ । ଶାନ୍ତିନିକେତନ ହିଁ ମୋତେ ନିଜ ଗବାକ୍ଷଗୁଡ଼ିକୁ ସର୍ବଦା ଖୋଲା ରଖିବାର ଶିକ୍ଷା ଦେଇଥିଲା । ମୋତେ ବହୁବିଧ ଗୁହାଭିତରୁ ମୁକ୍ତ କରି ଆଣିଥିଲା-। ମୋତେ ଯଥାର୍ଥ ଯୌବନର ଭାଜନ କରାଇଲା । ସେହି ଆଖିଗୁଡ଼ିକ ନେଇ ମୁଁ କୁଆଡ଼େ ବଣିଜ କରି ଗଲି । ସେଥିପାଇଁ ମୋଟେ ଡର ମାଡ଼ିଲାନାହିଁ । ଜାତୀୟତା କହିଲେ ଯେଉଁମାନେ ସଚରାଚର କେତେଗୁଡ଼ାଏ ସ୍ଥାନୀୟତାର ସମାହାରକୁ ବୁଝନ୍ତି, ମୁଁ କେଡ଼େ ସହଜରେ ସେମାନଙ୍କର କବଳରୁ ଆପଣାକୁ ମୁକ୍ତ ରଖି ପାରିଲି । ତୁମେ ପ୍ରସ୍ତୁତ ହୋଇ ନଥିଲେ ଏହି ପୃଥିବୀରେ ଯେକୌଣସି ସ୍ଥାନ, ତୀର୍ଥ ବା ଆୟତନ ମଧ୍ୟ ତୁମପାଇଁ ଏକ ପିଞ୍ଜରା ପରି କାର୍ଯ୍ୟ କରିପାରିବ-। ତୁମ ଭିତରେ ନାନା ମିଛ ଉଚ୍ଚତା ଓ ଆଦର୍ଶକୁ ସୃଷ୍ଟି କରିବାରେ ଲାଗିଥିବ ଓ ତୁମକୁ ତାହାରି ଭିତରେ ତୁଣ୍ଡି ବାନ୍ଧିପକାଇ ବି ରଖିଥିବ । ମୁଁ ସେଭଳି ଜାଲରେ ପଡ଼ିନାହିଁ । ଏବଂ ସେଥିଲାଗି ମୋ’ ଗ୍ରହଗୁଡ଼ିକୁ ସର୍ବଦା ନିଜର କୃତଜ୍ଞତା ଜଣାଇ ଆସିଛି ।

 

ପ୍ରତ୍ୟେକ ମଣିଷ ଗୋଟିଏ ନିର୍ଦ୍ଦିଷ୍ଟ ଘରେ ଜନ୍ମଲାଭ କରିଥାଏ । ଏକା ନିର୍ଦ୍ଦିଷ୍ଟ ଭାଷାରେ ହିଁ ତା’ର ପୃଥିବୀ ଚିହ୍ନା ଆରମ୍ଭ ହୋଇଥାଏ । ପୃଥିବୀ ଅଧିକ ପ୍ରସାରିତ ହୋଇ ଯାଉଥିବା ସଙ୍ଗେ ସଙ୍ଗେ ତା’ ଭାଷାର ପ୍ରସ୍ଥଗୁଡ଼ିକ ମଧ୍ୟ ଅନୁରୂପ ଭାବରେ ପ୍ରସାରିତ ହେବାରେ ଲାଗିଥାନ୍ତି । ନିଜ ଭିତରର ଭଗବାନ ବୃଦ୍ଧି ଲାଭ କରୁଥାଆନ୍ତି । ଅନେକ ମଣିଷ ପ୍ରାଥମିକ ପ୍ରସ୍ଥଗୁଡ଼ିକର ଚିହ୍ନା ଗଢ଼ଣଟି ଭାଙ୍ଗି ଗଲେ ସବୁକିଛି ଗଣ୍ଡଗୋଳ ହୋଇଯିବ ବୋଲି ଆଶଙ୍କା କରୁଥାନ୍ତି କି କ’ଣ କେଜାଣି, ସେମାନେ ନିଜ ଭଗବାନଙ୍କୁ ମଧ୍ୟ ବୃଦ୍ଧି ଲାଭ କରିବାକୁ ଦିଅନ୍ତିନାହିଁ । ଯାବତୀୟ ଜୀବନବୋଧ, ସଂସ୍କୃତିବୋଧ ତଥା ଭଗବଦବୋଧରେ ଏକ ନିତ୍ୟ-ପ୍ରସାରଣ ଅର୍ଥାତ୍ ପୁନର୍ମୂଲ୍ୟାୟନ ଘଟି ପାରୁନଥିଲେ ମଣିଷର ଜୀବନ ଭିତରେ ସତେଅବା ଏକା ଅସୁସ୍ଥତା ଆସି ପ୍ରବିଷ୍ଟ ହୋଇଯାଏ, ଯାହାଫଳରେ ବହୁତ କିଛି ଭାରି ଶ୍ରୀହୀନ ହୋଇଯାଏ । ମଣିଷ ଅଟକିଯାଏ, ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଭାବରେ ଅଟକି ଯାଇଥାଏ, ଏହି ଅଟକି ଯିବାଟା ହିଁ ଜଣେ ମନୁଷ୍ୟର ଅଧ୍ୟାତ୍ମଯାତ୍ରାରେ ସବୁଠାରୁ ବଡ଼ ପ୍ରମାଦ ପରି ହିଁ କାର୍ଯ୍ୟ କରିଥାଏ । ଜୀବନରେ ମୁଁ ସେପରି କୌଣସି ପ୍ରମାଦରେ ପଡ଼ିନାହିଁ । ତେଣୁ, ମୋ’ ଭିତରର ଏକା ଅବିଚଳ ବିଶ୍ଵାସ ମୋତେ ସତେଅବା ନିରନ୍ତର ସୋପାନ ପରେ ସୋପାନ ପର କରାଇ ନେଇଛି । ସକାଳ ପରେ ସକାଳ ଅନବରତ ଲାଗି ରହିଛି । ମାର୍କା ଭିତରେ ଗୁରାଇ ତୁରାଇ ହୋଇ ରହିଥିବା କେତେ କେତେ ଅନ୍ୟମାନେ ମୋତେ ଅଟକି ଯିବା ସକାଶେ ବହୁ ପ୍ରଲୋଭନ ଦେଖାଇଛନ୍ତି, ସ୍ଵୟଂ ଭଗବାନଙ୍କ ପାଖରୁ ମୋ’ ମୁକାମ ଆଣିଦେବେ ବୋଲି ଜବାବ ବି ଦେଇଛନ୍ତି, —ତଥାପି ଅଟକାଇ ପାରିନାହାନ୍ତି । ସେମାନଙ୍କ ପ୍ରତି ମୋ’ର କୌଣସି ବିଦ୍ଵେଷ ନାହିଁ । ସେମାନେ ସମସ୍ତେ ନିଜ ନିଜର ବାଟକୁ ହିଁ ଚାଲୁଛନ୍ତି । ନିଜର ବାଟଟିକୁ ଉତ୍ତୋରତ୍ତର ଅଧିକ ଆନ୍ତରିକତା ସହିତ ଚାଲିବାଦ୍ଵାରା ହିଁ ଯେ ତୁମେ ଅନ୍ୟମାନଙ୍କୁ ନିଜ ନିଜର ବାଟ ଚାଲିବାରେ ସର୍ବୋତ୍ତମ ଭାବରେ ସାହାଯ୍ୟ କରିପାରିବ, ମୋ’ର ସେହି ପ୍ରତ୍ୟୟଟି ନିତି ଅଧିକ ଦୃଢ଼ ହେବାରେ ଲାଗିଛି । ସ୍ୱୟଂ ବାଟ ଚାଲୁଥିବା ମଣିଷଟିଏ ହିଁ ସମ୍ଭବତଃ ସବୁଠାରୁ ଅଧିକ ମୋହମୁକ୍ତ ଭାବରେ ଅନ୍ୟମାନଙ୍କୁ ନିଜର ସାଥୀ ବୋଲି ଅନୁଭବ କରିପାରେ । ଏବଂ, ଆହୁରି ବଡ଼ କଥା ହେଉଛି, ତାକୁ କେହି କଦାପି ଅବର ବୋଲି ଲାଗନ୍ତି ନାହିଁ, କମ୍ ସମର୍ଥ ବୋଲି ମଧ୍ୟ ଲାଗନ୍ତି ନାହିଁ ।

 

ଭାରତବର୍ଷ ଏକା ଧର୍ମର ଦେଶ ବୋଲି ଭରତବର୍ଷର ଅଧ୍ୟୟନ କରିଥିବା ଅନେକ ବିଦେଶୀ ମନ୍ତବ୍ୟ କରିଛନ୍ତି । ଏବେ ଭାରତବର୍ଷର ଅନେକ ବ୍ୟକ୍ତି ମଧ୍ୟ ସେପରି କହିଲେଣି । ସେମାନେ ଏହି କଥାଟିକୁ କହୁଥିବା ସମୟରେ କିଞ୍ଚିତ୍ ଗର୍ବ ମଧ୍ୟ ଅନୁଭବ କରିଥାଆନ୍ତି । ଭାରତବର୍ଷରେ ପାଠ ପଢ଼ିଥିବା ମଣିଷ ଅଳପ, ପାଠ ନପଢ଼ିଥିବାରୁ ଅର୍ଥାତ୍ ପାଠ ପଢ଼ିବାରୁ ବଞ୍ଚିତ ହୋଇ ରହିଥିବା ମଣିଷ ସଂଖ୍ୟାରେ ଅଧିକ । ଭାରତବର୍ଷରେ ଏହାର ସର୍ବମୋଟ ଜନସଂଖ୍ୟାର ତୁଳନାରେ ବହୁତ ଅଳପ ଲୋକ ଅଛନ୍ତି, ଯେଉଁମାନଙ୍କୁ କି ମନୁଷ୍ୟ ଜୀବନର ସର୍ବନିମ୍ନ ଆବଶ୍ୟକତା ଗୁଡ଼ିକ ଅଳ୍ପବହୁତେ ଉପଲବ୍ଧ ହୋଇପାରୁଛି । ଅଧିକତର ମନୁଷ୍ୟ ସେଥିରୁ ବଞ୍ଚିତ ହୋଇ ରହିଛନ୍ତି । ଭାରତବର୍ଷରେ ସଂସାରତ୍ୟାଗୀ ବୈରାଗୀମାନଙ୍କର ସଂଖ୍ୟା ବି ଆଦୌ କୌଣସି ମାନଦଣ୍ଡ ଦ୍ଵାରା ପରୀକ୍ଷା କରି ଦେଖିଲେ କମ୍ ହେବନାହିଁ । ଭାରତବର୍ଷରେ ମଣିଷ ମଣିଷ ଭିତରେ ନାହିଁ ନଥିବା ଦୂରତାମାନ ରହିଛି । କାଳକାଳରୁ ରହିଆସିଛି । ଦୂରତାର ନିତ୍ୟସଙ୍ଗୀ ଭାବରେ ଅବଜ୍ଞା ଓ ନୃଶଂସତାମାନ ବି ରହିଆସିଛି । ଉଚ୍ଚତର ଜୀବନ ଏବଂ ଶୁଦ୍ଧତର ଜୀବନ ବିଷୟରେ ଭାରତବର୍ଷରେ ଯେତେ ବହି ଲେଖାଯାଇଛି, ପୃଥିବୀରେ ସମ୍ଭବତଃ ଅନ୍ୟ କୌଣସି ଭାଷାରେ ଏତେ ବହି ଲେଖା ଯାଇନାହିଁ । ଖୁବ୍ ସମ୍ଭବ ସେହିପରି ଏକା କାରଣରୁ ସେହି ବହିଗୁଡ଼ିକ ଯେଉଁ ଭାଷାରେ ଲେଖା ଯାଇଛି, ତାହାକୁ ଦେବଭାଷା ବୋଲି କୁହାଯାଇଛି । ସେହି ଭାଷାରେ ଚଳପ୍ରଚଳ ହେଉଥିବା ବିଶେଷ ବର୍ଗ ଓ ବ୍ୟକ୍ତିମାନେ ହିଁ ସେମାନଙ୍କ ଦ୍ଵାରା ବ୍ୟବହୃତ ଭାଷାଟିଏ ଏପରି ନାଆଁଟିଏ କେବେ ଦେଇଛନ୍ତି । ସ୍ଵର୍ଗରେ ଏହି ଭାଷା ଦେବତାମାନଙ୍କର ଭାଷା ବୋଲି ଅନୁମାନ କରି ଭାଷାଟିକୁ ଯେ ସେହିଭଳି ଏକା ମର୍ଯ୍ୟାଦା ଦେବାକୁ ନିଷ୍ପତି କରାଯାଇଛି, ସେକଥା ଠିକ୍ ନୁହେଁ । ସଂପୃକ୍ତମାନେ ଏହି ମର୍ତ୍ତ୍ୟ ଧାମରେ ହିଁ ଆପଣାକୁ ସଦୃଶ ଦେଖି ଆସିଛନ୍ତି ବୋଲି ସେମାନଙ୍କ ଭାଷାଟିର ମଧ୍ୟ ସେଭଳି ଏକା ନାମକରଣ ହୋଇଛି ।

 

ଭାରତବର୍ଷରେ ଜନ୍ମ ହୋଇଥିବା ଜଣେ ବ୍ୟକ୍ତି ନିଜର କିଞ୍ଚିତ୍ ହେତୁ ଦେବାମାତ୍ରକେ ଏସବୁ କଥା ଅବଶ୍ୟ ଭାବିବ । ଭାରତବର୍ଷରେ ମନ୍ଦିରମାନେ ଅଗଣିତ ସଂଖ୍ୟାରେ ରହିଛନ୍ତି । ଠାକୁରମାନେ ବି ଅସୁମାରି ସଂଖ୍ୟାରେ ସୃଷ୍ଟି ହୋଇଛନ୍ତି । ଠାକୁରମାନଙ୍କ ନାମରେ ଉପନ୍ୟାସର ଛାଞ୍ଚ ପକାଇ ମନୋରମ ଉପାଖ୍ୟାନମାନ ଲେଖାଯାଇଛି । ଭାରତବର୍ଷକୁ ଆଧୁନିକ ଯୁଗ ଆସିଛି, ଆଧୁନିକ ବିଜ୍ଞାନ ଆସିଛି ନୂଆ ନୂଆ ଛାଞ୍ଚର ଶାସନର ପ୍ରତିଷ୍ଠା ହୋଇଛି, ତଥାପି ଠାକୁରମାନଙ୍କ ପ୍ରତି ରହିଥିବା ଭାରତୀୟମାନଙ୍କର ଆସକ୍ତି ସତେଅବା ଆଦୌ ହ୍ରାସହୋଇ ଯାଇନାହିଁ । ଏବେ ମଧ୍ୟ ଯଦି ତୁମେଏଠାରେ ସାର୍ବଜନୀନ ଜୀବନଟା ଆଡ଼କୁ ଅବଲୋକନ କରିବ, ତେବେ ମନେହେବ, ସତେଯେପରି ପୃଥ୍ୱୀ ଇତିହାସର ସବୁଯାକ ଯୁଗ ଭାରତବର୍ଷରେ ସଂପୂର୍ଣ୍ଣ ସଙ୍କୋଚହୀନ ଭାବରେ ଏକତ୍ର ସହାବସ୍ଥାନ କରୁଛି ଓ ତୁମଆଡ଼କୁ ଅନାଇ ଖିଲି ଖିଲି ହୋଇ ହସିବାରେ ଲାଗିଛି । ଭାରତବର୍ଷକୁ କମ୍ ସଂସ୍କାରକ ଆସିନାହାନ୍ତି, ଏଠି ପ୍ରତିବାଦ ଆଦୌ କମ୍ ହୋଇନାହିଁ । ମନ୍ଦିର ଗଢ଼ିବାର ପରମ୍ପରାଟିଏ ପରି ମନ୍ଦିର ଓ ମୂର୍ତ୍ତିଗୁଡ଼ିକୁ ଭାଙ୍ଗିବାର ମଧ୍ୟ ଏକା ପରମ୍ପରା ବଳବତ୍ତର ରହିଛି । ତଥାପି ସେଗୁଡ଼ିକ କୁଆଡ଼େ କେଡ଼େ ବାଗରେ ହଜମ କରି ନିଆଯାଇଛି । ଭାରତରେ ମଣିଷକୁ କ’ଣ ମନେ କରି ସବାପଛରେ ଯାଇ ରଖି ଦିଆଯାଇଛି । ଗୋଟାଏ ସମାଜକୁ ସତେଅବା ଚିରଦିନ ସକାଶେ ଏକା ନିର୍ଦ୍ଦିଷ୍ଟ ଅନ୍ୟାୟର ନିର୍ଦ୍ଦେଶ ଅନୁସାରେ ବାଧ୍ୟ କରି ରଖିବାଲାଗି ଏପରି କରାଯାଇଛି ।

 

ଏହି ଦେଶର ବରଗଛର ପତ୍ରସଂଖ୍ୟା ଭଳି ଗୁରୁମାନଙ୍କର ଆବିର୍ଭାବ ହୋଇଛି । ଗୁରୁମାନେ ମଣିଷପାଇଁ ଭଗବାନଙ୍କୁ ଏପରି ଆଢ଼ୁଆଳ କରି ଛିଡ଼ା ହୋଇଛନ୍ତି ଏବଂ ଏପରି ପ୍ରକାଣ୍ଡ ହୋଇ ଦିଶିଛନ୍ତି ଯେ, କୌଣସି ଜଣେ ଗୁରୁର ଜାଲ ଭିତରେ ପଶିଗଲା ମାତ୍ରକେ ତୁମକୁ ସେହି ଗୁରୁମାନେ ହିଁ ସବାବଡ଼ ଆରାଧ୍ୟପ୍ରାୟ ପ୍ରତୀତ ହୋଇଛନ୍ତି ଓ ଭଗବାନ ଗୌଣ ହୋଇ ରହିଛନ୍ତି । ଧର୍ମର ଧ୍ଵଜାମାନେ ଭାରି ନିଲଠା ହୋଇ ଉଡ଼ିଛନ୍ତି ଏବଂ ଧର୍ମର ଅନୁଶୀଳନ ପ୍ରାୟ ପାସୋର ହୋଇ ରହିଯାଇଛି । ସମୟରେ ଯେଉଁମାନେ ବଡ଼ ବେଶୀ ଓଜନିଆ ଓ ଅଧିକ ଇହପ୍ରତିଷ୍ଠା ଦ୍ଵାରା ବଳବନ୍ତ ସେହିମାନେ ହିଁ ଏଠାରେ ଧର୍ମକୁ ମନ ମୁତାବକ ନଚାଇ ଆସିଛନ୍ତି । ଏକଦା ଇଶ୍ଵରଙ୍କର ଅନ୍ଵେଷଣରେ ସଂସାର ତ୍ୟାଗ କରିଯାଇଥିବା ବାବାଜୀମାନେ ମଧ୍ୟ ସଂସାର ଭିତରକୁ ବେଳେ ବେଳେ ଫେରି ଆସି ସେହି ବଳବନ୍ତମାନଙ୍କର ହିଁ ଭାରି ଚମତ୍କାର ଭାବରେ ପୋଷା ମାନି ଯାଇଛନ୍ତି-। ଆଧ୍ୟାତ୍ମିକ ବୋକା ବନାଇ ରଖିବାର ଅପପ୍ରକ୍ରିୟା ଓ ଅପସଂସ୍କୃତିରେ ସହାୟତା କରିଛନ୍ତି-। ଭାରତବର୍ଷରେ ସମ୍ପ୍ରଦାୟମାନେ ଗୋଟିଏ ଠାକୁର ବା ଶାସ୍ତ୍ରକୁ ଆଦରି ନେଇ ଏତେ ଅଧିକ ପରିମାଣରେ କୋଳାହଳ ଲଗାଇ ରଖିଛନ୍ତି ଯେ, ଏଠାରେ ଭେକଟିଏ ପିନ୍ଧିବା ହୁଏତ ବଡ଼ ସହଜ ହୋଇଯାଇଛି ସିନା, ବାଟଟିଏ ଚାଲିବା ବଡ଼ କଷ୍ଟକର ହୋଇଯାଇଛି । ମଣିଷ ମଣିଷକୁ ବନ୍ଧୁ କରିନେବା, ମଣିଷ ସହିତ ବାଟଗୁଡ଼ିକ ଚାଲିବା, —ଏହା ସୁଦୂରପରାହିତ ହୋଇ ରହିଛି-। ଜଡ଼ତାମାନେ ରାଜଚକ୍ରବର୍ତ୍ତୀ ହୋଇ ବସିଛନ୍ତି । କୃତ୍ରିମତାମାନେ ଘୋଡ଼ା ହୋଇ ନାଚିବାରେ ଲାଗିଛନ୍ତି । ସତ୍ୟର ପତ୍ତା ମିଳୁନାହିଁ । ସତ୍ୟ ବିଷୟରେ ପ୍ରବଚନମାନ ହେଉଛି । ଯଦି ତୁମେ ନିଜକୁ ନିହାତି ଅନ୍ୟପ୍ରକାରେ ତିଆରି ନକରିଥିବ, ଯଦି ନିଜର ମଣିଟିକୁ ଚିହ୍ନି ନଥିବ, ଯଦି ନିଜଭିତରେ ସତକୁ ସତ କୌଣସି ପ୍ରତ୍ୟୟ ପାଇନଥିବ, ତେବେ ବୃକୋଦର ଏବଂ ବୃହନ୍ନଳାମାନେ ତୁମକୁ ଏହି ବଜାର ଭିତରେ ଏଡ଼େ ବାଗରେ ବଉଳା କରିଦେଇ ଚାଲିଯିବେ ଯେ ତୁମେ କିଛି ଜାଣି ବି ପାରିବନାହିଁ । ହଁ, ବାବାଜୀମାନଙ୍କଠାରୁ, ବୃକୋଦରମାନଙ୍କ ଠାରୁ ଆପଣାକୁ ବଞ୍ଚାଇ ରଖିବା ପାଇଁ ତୁମେ ନିଜେ ବାବାଜୀଟିଏ ହୋଇ କଦାପି ଯିବନାହିଁ ଟି ! ବର୍ତ୍ତମାନ ତମାମ ଭାରତବର୍ଷତାକୁ ସତେଅବା ଗୋଟାଏ ଗୁମ୍ଫାରେ ପରିଣତ କରି ରଖିବା ନିମନ୍ତେ ଯେଉଁ ଷଡ଼ଯନ୍ତ୍ର ଚାଲିଛି, ତାହାକୁ ରୋକିବାକୁ ହେଲେ ତୁମକୁ ନିଜେ ବହୁ ଗୃହରୁ ମୁକ୍ତ ରହିବାକୁ ପଡ଼ିବ, —ତଥାପି ସମସ୍ତଙ୍କ ସହିତ ଅସଲ ଖିଅଗୁଡ଼ିକର ମାଧ୍ୟମରେ ଯୁକ୍ତ ହୋଇ ରହିବାର ବିଦ୍ୟାଟିକୁ ମଧ୍ୟ ଶିକ୍ଷା କରିବାକୁ ପଡ଼ିବ-

 

ମୋ’ର ଚତୁର୍ଦ୍ଦିଗରେ ଯେଉଁ ଧର୍ମଭୀରୁତା ଭାରତୀୟ ଜୀବନକୁ ପଙ୍ଗୁ କରି ରଖିଛି, ମୁଁ କ’ଣ ତାରି ଭିତରେ ଆପଣାକୁ ମଧ୍ୟ ପଙ୍ଗୁ କରି ରଖିବି, — କିଞ୍ଚିତ୍ ସଚେତନ ଭାବରେ ଆପଣାକୁ ସମ୍ମୁଖରେ ରଖି କିଞ୍ଚିତ୍ ଚିନ୍ତା କରିବା ମାତ୍ରକେ ମୋତେ ଏହିସବୁ କଥା ଭାରି ସଚଳ କରି ରଖିଛି । ଖାଲି ମସ୍ତିଷ୍କର କ୍ଷେତ୍ରରେ ନୁହେଁ, ହୃଦୟର କ୍ଷେତ୍ରରେ ଅତ୍ୟନ୍ତ ସବଳ ରଖିଛି । ଯାବତୀୟ ଅଙ୍ଗୀକାରବଦ୍ଧତା ହେଉଛି ବସ୍ତୁତଃ ହୃଦୟକ୍ଷେତ୍ରରେ । ନିଜର ଭୂମିଟିକୁ ଆଗ ହୃଦୟର କ୍ଷେତ୍ରରେ ହିଁ ସ୍ଵୀକାର କରି ନେବାକୁ ହୋଇଥାଏ, ନିଜର ଭୂମିଟି ପ୍ରତି ଆଗ ହୃଦୟର କ୍ଷେତ୍ରରେ ହିଁ ଦାୟୀ ହୋଇ ରହିବାକୁ ପଡ଼ିଥାଏ । ଆଗ ହୃଦୟର ସ୍ଵୀକୃତି ମିଳିସାରିଲା ପରେ ଯାଇ ମସ୍ତିଷ୍କ ତାହାକୁ ଅନୁରୂପ ସାମଗ୍ରୀଗୁଡ଼ିକୁ ଆଣି ଯୋଗାଇ ଦେଇଥାଏ ଓ ତାହାକୁ ପୁଷ୍ଟ କରେ । ଏହି ଭୂମିଟି ଉପରେ ଛିଡ଼ା ହୋଇ ଆହୁରି ଆଗକୁ ଅନାଇବାକୁ ହେଲେ ଏବଂ ଆପଣା ନିମନ୍ତେ ଭୂମିକାଟିଏ ଥିର କରିନେବାକୁ ହେଲେ କେବଳ ତଥାକଥିତ ଜାତୀୟତାବାଦରେ ଆଦୌ ସମାଧାନ ମିଳି ପାରେନାହିଁ । କୌଣସି ଭୂମିକୁ ଅତି ଅଲିଅଳ ଭାବରେ ମୋ’ର ବୋଲି କହି ଖାଲି ଗୁଣିହେଲେ ମୋଟେ ସମସ୍ୟା ତୁଟିଯାଏ ନାହିଁ । ତେଣୁ, ସବାଆଗ ନିଜକୁ ଏକ ନିମିତ୍ତ କରି ଭୂମିଟିକୁ ଚିହ୍ନିବାକୁ ହୁଏ । ସମଗ୍ର ଭାବରେ ଚିହ୍ନିନେଇ ପାରିଲେ ସମ୍ଭବତଃ ବାଟଟିଏ ବି ଦିଶିଯାଏ ଅର୍ଥାତ୍ ଭୂମିକାଟିଏ ମଧ୍ୟେ ନିର୍ଦ୍ଧାରିତ ହୋଇଯାଏ । ଏବଂ ତା’ପରେ ଆଉ ଜାଲରେ ପଡ଼ିଯିବା ପାଇଁ କୌଣସି ଆଶଙ୍କା ନଥାଏ । ଆପଣାକୁ ଯଥାସମ୍ଭବ ଅଧିକ ଗ୍ରହଣଶୀଳ କରି ଗଢ଼ି ପାରିଲେ ଯାଇ ନିଜର ଘରଟିଏ ସମଗ୍ର ପୃଥିବୀର ପରିପ୍ରେକ୍ଷୀରେ ଚିହ୍ନିନେଇ ହୁଏ । ପରିପ୍ରେକ୍ଷୀରେ ପୃଥିବୀ ନଥିଲେ ନିଜର ଘରକୁ ଚିହ୍ନି ହୁଏନାହିଁ ଏବଂ ନିଜର ବୋଲି କହି ପାରୁଥିବା ଘରଟିଏ ନଥିଲେ ମଧ୍ୟ ପୃଥିବୀ ବୋଲି କୁହା ଯାଉଥିବା ଯାବତୀୟ ଭଙ୍ଗିମା ତୁଛା ବଚସ୍କରତାରେ ରହିଯାଏ ।

 

ଆମେ ପ୍ରାଚୀନ ଭାରତର ପ୍ରେରଣାଟିକୁ ପଛରେ ରଖି ଆଧୁନିକ ଭାରତକୁ ଜାଣିବାର ପ୍ରୟାସ କରିବା । ତେବେଯାଇ ପୁରାତନ ଏବଂ ଅଦ୍ୟତନ ମଧ୍ୟରେ ବିଦ୍ୟମାନ ରହିଥିବା ଅବିଚ୍ଛିନ୍ନତାକୁ ଯଥାର୍ଥ ଭାବରେ ଅନୁଭବ କରିପାରିବା । ବହୁତ ବିଦ୍ଵାନ୍ ଏପରି ତରକା କରି ନିଜର ତିଆରି କରିଥାନ୍ତି ଯେ, ସମ୍ମୁଖସ୍ଥ ଭାରତବର୍ଷକୁ ହାବୁଡ଼ିଯିବା ମାତ୍ରକେ ସେମାନେ ପ୍ରାଚୀନ ଭାରତବର୍ଷ ନାମକ ଏକ enchanted ଜଙ୍ଗଲ ଭିତରକୁ ପଳାୟନ କରିଥାନ୍ତି, ଏମାନେ ଏକାବେଳେକେ ବାଳବତ୍ ଭାବପ୍ରବଣ ହୁଅନ୍ତି । ଭାରତୀୟ ବିଦ୍ୟାର ଯାବତୀୟ ଏଷଣା ଓ ଗବେଷଣାକୁ ସେମାନେ ପ୍ରାୟ ସେହି ସମ୍ମୋହନଟା ଭିତରେ ଭାରି ସାଲୁବାଲୁ କରି ରଖିଥାନ୍ତି । ପ୍ରଧାନତଃ ନିଜ ଅଯୋଗ୍ୟତାର ପ୍ରମାଣ ଦିଅନ୍ତି । ଏବଂ, ଏକାନ୍ତ ସତ୍ୟ ହେଉଛି ଯେ, ଯିଏ ବର୍ତ୍ତମାନର ଅଯୋଗ୍ୟ ବୋଲି ସାବ୍ୟସ୍ତ ହୋଇ ଯାଉଛି, ସିଏ ତା’ ସାଇତା ଗନ୍ତାଘର ବିଷୟରେ ମଧ୍ୟ ନିଜର ଅଯୋଗ୍ୟତାକୁ ପ୍ରମାଣ କରି ସାରିଛି । ଅନ୍ୟ ପକ୍ଷରେ, ଆର କିସମର ବିଦ୍ଵାନମାନେ ବର୍ତ୍ତମାନ ନାମକ ଗୁଡ଼ହାଣ୍ଡିଟା ଭିତରେ ଏପରି ଅସହାୟ ଭାବରେ ପଡ଼ି ଯାଇଛନ୍ତି ଯେ, ସେମାନଙ୍କର ଗୋଡ଼ କୋଉଠି ଠାକି ରହିପାରିବା ଲାଗି ଏତେଟିକିଏ ଜାଗା ମଧ୍ୟ ନଥାଏ । ଏମାନେ କେଳାଙ୍କ ପରି ଦିଶୁଥାନ୍ତି ଏମାନଙ୍କର ଘର ବୋଲି କିଛି ନଥାଏ, ଚେର ବୋଲି କିଛି ନଥାଏ । ପ୍ରଧାନତଃ କୌଣସି ତାତ୍କାଳିକ ହାଉଆର ସ୍ରୋତରେ ଏମାନେ ସତେଅବା ଉଡ଼ିଆସି ଏଠାରେ ପଡ଼ିଥାନ୍ତି, ସତେଅବା ଆଉ କାହାରି ଗଣିକା ହୋଇ ଏଠାକୁ ଆସିଥାନ୍ତି । ଏଠାକାର ଭାଷା ବୁଝିନଥାନ୍ତି, ଏଠାକାର ଭାଷାଟା ସେମାନଙ୍କୁ ମଧ୍ୟ ବୁଝି ପାରୁନଥାଏ । ସେମାନେ ଯେ ଆମକୁ କଦାପି ଦୂରଯାଏ ମୋଟେ ନେଇ ପାରିବେନାହିଁ, ମାତ୍ର କେତେ ପହୁଣ୍ଡ ପରେ ହାଲିଆ ହୋଇ ପଡ଼ିବେ, ତାହା ପ୍ରମାଣିତ କରି ଦେଉଥାନ୍ତି ।

 

ମୁଁ ନିଜକୁ ପ୍ରାଚୀନତା ନାମକ କୌଣସି ପେଟରା ଭିତରେ କିଳି ରଖିଲିନାହିଁ ଅଥବା କେଳାଙ୍କ ପରି ଚେରଛିଣ୍ଡା ହେଲିନାହିଁ, ପୁଣି ସେହି ଶାନ୍ତିନିକେତନକୁ ହିଁ ସେଥିଲାଗି ସ୍ମରଣ କରିବାକୁ ପଡ଼ିବ । ମୁଁ ଘରକୁ ଚିହ୍ନିଲି ବାହାରକୁ ବି ଚିହ୍ନିଲି । ଘର ସନ୍ତାନଟିଏ ହୋଇ ରହିଲି, ବନ୍ଧୁଟିଏ ହୋଇ ବାହାରଯାକ ବୁଲି ଆସିଲି । ଇଏ ଭଲ ଲାଗିଲା, ସିଏ ବି ଭଲ ଲାଗିଲା । ଦୁଇଟା ମଧ୍ୟରୁ କେହି ଗୋଟିଏ ହେଲେ ମୋତେ କୌଣସିଟି ପାଇଁ ବାଧ୍ୟ କଲେନାହିଁ । ମୁଁ ବାଛି ପାରିଲି, ନିର୍ଭୟ ହୋଇ ସାଉଁଟି ଆଣି ପାରିଲି । ନିଜ ପାଦତଳର ଭୂଇଁଟିକୁ ପାଗ କରି ଆଣିବାରେ ମୋତେ ଉଭୟେ କେତେମନ୍ତେ ସାହାଯ୍ୟ କଲେ । ଏବେ ମଧ୍ୟ କରୁଛନ୍ତି । ଉଭୟେ ହିଁ ମୋ’ର ବିବେକକୁ ବଳ ଦେବାରେ ଲାଗିଛନ୍ତି । ନିଜର ଏକ ନିର୍ଭରଯୋଗ୍ୟ ମାଟି ଉପରେ ଛିଡ଼ା ହୋଇ ସତ୍ୟର ଅନ୍ଵେଷଣ କରୁଥିବା ଏବଂ ସେହି ପ୍ରକ୍ରିୟାରେ ନିଜର ଆକାଶଟିକୁ ଅଧିକରୁ ଅଧିକ ନିବିଡ଼ ଏବଂ ସଂପ୍ରସାରିତ କରି ଚିହ୍ନି ନେଉଥିବା କୌଣସି ବ୍ୟକ୍ତି କଦାପି କେବଳ ଗୋଟାଏ ପଟର ହୋଇ ରହିବନାହିଁ । ତା’ର ଜାତି ଯିବ ହିଁ ଯିବ । ଯାବତୀୟ ଦୃଷ୍ଟିରୁ ବିଚାର କରି ଦେଖିଲେ ଆଧ୍ୟାତ୍ମିକତାର ଆଦୌ କୌଣସି ଜାତି ନାହିଁ । ଜୀବନରେ ନିଜର ବାଟଟିଏ ଚାଲି ମୁଁ ଆଉ କ’ଣ ହାସଲ କରିପାରିଛି, ମୁଁ ସେକଥା ହିସାବ କରି ମୋଟେ କହି ପାରିବିନାହିଁ । ମାତ୍ର ଯାବତୀୟ ପ୍ରକାରର ଅସ୍ପୃଶ୍ୟତା ବୋଧ ଭିତରୁ ମୁଁ ଭାରି ସହଜରେ ବାହାରିଆସି ପାରିଛି । ସବୁ ମଣିଷଙ୍କ ଘରକୁ ବାଟ ପାଇଯାଇଛି । ନିଜଟିକୁ ନିବିଡ଼ କରି ଦେଖିବେ ବୋଲି ଯେଉଁମାନେ ସବୁକିଛିକୁ ଇତର କରି ଦେଖନ୍ତି, ସେମାନେ ଭଗବାନଙ୍କର ଏହି ଘରଟିକୁ ଭାଙ୍ଗି ଯିବାରେ ହିଁ ସାହାଯ୍ୟ କରୁଥାନ୍ତି । ଭଗବାନଙ୍କୁ ନିଜର ଆକୃତି ଦେଇ ଛୋଟ କରି ଆଣନ୍ତି । ଭାରି ଅଳପ ହୋଇ ରହନ୍ତି । ମୋ’ର ଯେପରି କୌଣସି ଦୁର୍ଦ୍ଦଶା କେବେହେଲେ ବି ହୋଇନାହିଁ । ମୁଁ ଯେଉଁଠାକୁ ଯାଇଛି, ସବୁଠାରେ ଆପଣାକୁ ସନ୍ତାନଟିଏ ପରି ଲାଗିଛି । ଏପରି ଜନନୀଟିଏ ଯେ ସତକୁ ସତ ରହିଛି, ଯିଏକି ଯାବତୀୟ ଘରେ ମୋତେ ସନ୍ତାନର ଅନୁଭବଟିକୁ ଆଣି ଦେଇଛି, ମୋତେ ତହାହିଁ ଶକ୍ତିମାନ୍ କରିଛି, ମୋ’ର ଅସଲ ଉତ୍ତରାଧିକାରଗୁଡ଼ିକ ମଧ୍ୟରେ ମୋତେ ବହୁବିତ୍ତବାନ୍ କରି ରଖିଛି ।

 

–୧୮–

 

ଆଗ୍ରାରୁ ଓଡ଼ିଶା ଆସିଗଲା । ଏକାବେଳେକେ ବହୁବର୍ଷ ପରେ ୧୯୫୫ ମସିହା ପରେ ମୋ’ର ପ୍ରାୟ ସବୁ ସମୟ ଓଡ଼ିଶାର ବାହାରେ ହିଁ କଟିଥିଲା । ଏହା ମଝିରେ ଚାରିଟା ବର୍ଷର ଚମ୍ପତିମୁଣ୍ଡାର ପର୍ଯ୍ୟାୟଟି ମୁଁ ଅବଶ୍ୟ ଓଡ଼ିଶା ଭିତରେ ହିଁ ଥିଲି । ମାତ୍ର ଜଙ୍ଗଲ ଭିତରେ ଥିଲି, ଗୋଟାଏ ଥାନରେ ମୁହଁ ମାଡ଼ି ପଡ଼ିଥିଲି, ଏକାବେଳେକେ ନିଜର ସ୍ଵମ୍ନଗୁଡ଼ିକ ଦେଖୁଥିଲି ଆପଣାର କୁନି ଆୟତନଟି ଭିତରେ ବୁଡ଼ିକରି ରହିଥିଲା । ନେଉଳଭାଇ ପରି ନିଜ ବାଟରେ ନିଜେ ଥିଲି । ଆଉ କୋଉଠି ରାଜାପୁଅ, ମନ୍ତ୍ରୀପୁଅ,ସାଧବପୁଅ ଏବଂ କଟୁଆଳପୁଅମାନେ ଅଛନ୍ତି ଏବଂ ବାଟ ଚାଲୁଛନ୍ତି ବୋଲି ଏକ ସଜ୍ଞାନତା ଅବଶ୍ୟ ଥିଲା, ମାତ୍ର ତେଣେ ବିଶେଷ କୌଣସି ନିଘା ନଥିଲା । ଚମ୍ପତିମୁଣ୍ଡାରେ ଆମ ଉଦ୍ୟମ ବଳରେ ଦିନେ ଏପରି କିଛି ଘଟିବ, ଯାହାଉପରେ କି ସମସ୍ତଙ୍କର ଆଖି ଅବଶ୍ୟ ପଡ଼ିବ ଏବଂ ତା’ପରେ ଯାଇ ଆମେ ପଦାକୁ ବାହାରିବା, —ଭିତରେ ଏହିପରି ସମର୍ପିତ ଆଣ୍ଟ ବାଟ ଦେଖାଇ ନେଉଥିଲା, ବାଟ ଚଲାଇ ନେଇ ଯାଉଥିଲା । ସାଙ୍ଗରେ ଅନ୍ୟମାନେ ବି ଥିଲେ । ସମସ୍ତଙ୍କୁ ମୁଁ ସେମାନଙ୍କର ନିଜ ଦର୍ପଣ ଉପରେ ନୁହେଁ, ଗୋଟାସୁଦ୍ଧା ମୋ’ ଦର୍ପଣଟା ଉପରେ ଦେଖୁଥିଲି । ସେଇଟାକୁ ମଧ୍ୟ ଏକାଧିକ ଅର୍ଥରେ ଏକ ମୋହ ବୋଲି କୁହାଯାଇ ପାରିବ । ମୋହ ଥିଲା, ତେଣୁ ମୋହଭଙ୍ଗ ବି ହେଲା । ମୋହଭଙ୍ଗର ମଧ୍ୟ ସର୍ବଦା ଏକ ଶିକ୍ଷା ମିଳିଥାଏ ।

 

ଦୀର୍ଘ ଏତେବର୍ଷ ପରେ ଓଡ଼ିଶାକୁ ଫେରି ଏଠାରେ ସବୁକିଛି ସତେଅବା ଅଲଗା ଅଲଗା ଲାଗୁଥାଏ । ହଁ, ମଝିରେ ଓଡ଼ିଶା ସହିତ ଯେଉଁ ଯୋଗସୂତ୍ର ରହିଥିଲା, ତାହା ସାହିତ୍ୟ ମାଧ୍ୟମରେ ରହିଥିଲା । ନିଜେ କିଛି ଲେଖୁଥିଲି ଓ ଅନ୍ୟମାନେ ଲେଖୁଥିବା ସାହିତ୍ୟକୁ ଆଗ୍ରହ ସହକାରେ ପଢ଼ୁଥିଲ । ଇତିମଧ୍ୟରେ ‘ଜୀବନ ବିଦ୍ୟାଳୟ’ ଓ ‘ଜଙ୍ଗଲ ଚିଠି’ ବାହାରି ସାରିଥିଲା । ସେହିଗୁଡ଼ିକର ଦର୍ପଣ ଉପରେ ଯାହା ଅନ୍ୟମାନେ ମୋତେ କିଛି ଠଉରାଇ ନେବାକୁ ଚେଷ୍ଟା କରୁଥିଲେ । ମୋ’ର ସର୍ବପ୍ରଥମ ଆଗ୍ରହ ଯେ ଶିକ୍ଷାରେ ରହିଛି, ସଂପୃକ୍ତ ବନ୍ଧୁମାନେ ମୋଟାମୋଟି ଭାବରେ ସମ୍ଭବତଃ ସେତିକି ବୁଝୁଥିଲେ । ହଁ, ଶ୍ରୀ ଅରବିନ୍ଦଙ୍କର The Life Divine ଗ୍ରନ୍ଥଟିର ମୋ’ ଦ୍ଵାରା କରା ଯାଇଥିବା ଓଡ଼ିଆ ଅନୁବାଦଟି ମଧ୍ୟ ୧୯୭୨ର ପ୍ରଥମାର୍ଦ୍ଧରେ ପ୍ରକାଶ ପାଇ ଯାଇଥିଲା । ବାକି ଦୁଇଖଣ୍ଡ ପ୍ରକାଶ ପାଇବାର ଅପେକ୍ଷାରେ ଥିଲେ । ଶ୍ରୀ ଅରବିନ୍ଦ ରଚନାବଳୀର ଆଉ କେତୋଟି ଗ୍ରନ୍ଥର ଅନୁବାଦ ମଧ୍ୟ ଆରମ୍ଭ ହୋଇ ଯାଇଥିଲା । ଶ୍ରୀ ଅରବିନ୍ଦଙ୍କର ପରିଧି ଭିତରକୁ ଆସି ମୁଁ ଆହୁରି କେତେ ଅଭିନବ ଉପଲବ୍ଧି ଆଡ଼କୁ ପ୍ରସାରିତ ହୋଇ ଯାଇଥିଲି । ସେହି ପ୍ରକ୍ରିୟାଟି ପ୍ରକୃତରେ ଅତ୍ୟନ୍ତ ଆନନ୍ଦ ଦାୟକ ଥିଲା । ତୁମେ ଯେତେବେଳେ ସତକୁ ସତ ଯାହାର ଅପେକ୍ଷାରେ ରହିଥିବ, ଏକ ନୂତନ ଦିଗନିର୍ଦ୍ଦେଶନାର ପୂର୍ଣ୍ଣ ପ୍ରତ୍ୟୟ ଦେଇ ସେଇଟି ତୁମପାଖରେ ଆସି ପହଞ୍ଚିଗଲେ ତା’ପରେ ତୁମର ଯାବତୀୟ ଅନୁଭବ କେବଳ ଆନନ୍ଦଦାୟକ ହିଁ ହେବ । ସମ୍ଭବତଃ ସେଇଥିଲାଗି ହିଁ ଯାବତୀୟ ସଂପ୍ରସାରଣ ପ୍ରକ୍ରିୟା ହେଉଛି ଧର୍ମତଃ ଏକ ଆନନ୍ଦଦାୟକ ପ୍ରକ୍ରିୟା । ଏଥିରେ ମୋ’ର ପୂର୍ଣ୍ଣ ସମ୍ମତି ରହିଥିଲା । କାରଣ, ମୁଁ କ’ଣଗୋଟାକୁ ପରିତ୍ୟାଗ କରି ଆଉ କ’ଣଗୋଟାଏ ଭିତରେ ଆସି ପ୍ରବେଶ କରୁଥିବା ପରି ଆଦୌ ଅନୁଭବ କରୁନଥିଲି । କେହିଜଣେ ମୋତେ ଅବଶ୍ୟ ଟାଣି ନେଉଥିଲା ସତ, ମାତ୍ର ଏହି ଟାଣିହୋଇ ଯିବା ପଛରେ ମୋ’ର ପରିପୂର୍ଣ୍ଣ ସମ୍ମତି ରହିଥିଲା । ତେଣୁ, କୌଣସି ଦୁଃଖ ନଥିଲା । ଗୋଟିଏ ନୂତନ ମହାସମୁଦ୍ର ଭିତରେ ଆସି ପ୍ରବେଶ କରୁଥିଲି ସତ, ମାତ୍ର ତାହା ଉପରେ ପୂର୍ଣ୍ଣ ବିଶ୍ଵାସ ରହିଥିଲା ।

 

ସେତେବେଳକୁ ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାର ଏକ ପ୍ରୟୋଗ ଆରମ୍ଭ ହୋଇ ସାରିଥାଏ । ୧୯୭୦ ମସିହାରୁ ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଶିକ୍ଷାକେନ୍ଦ୍ରଟିର ସ୍ଥାପନ ହୋଇ ସାରିଥାଏ-। ଆହୁରି ଏକାଧିକ ଶିକ୍ଷାକେନ୍ଦ୍ର ଖୋଲିବ ବୋଲି ପୂର୍ଣ୍ଣ ଉତ୍ସାହରେ ପ୍ରସ୍ତୁତିମାନ ଚାଲିଥାଏ-। ବନ୍ଧୁମାନେ ମୋତେ ଭୁବନେଶ୍ୱରରେ ଆଣି ବସାଇଦେଲେ । ମୋତେ ପ୍ରାୟ ଭାବିବାକୁ କୌଣସି ସମୟ ନଦେଇ ସେମାନେ ମୋ’ ମୁଣ୍ଡରେ କନାଟାଏ ଆଣି ବାନ୍ଧିଦେଲେ । ଏଇଠି ବନ୍ଧୁ ପ୍ରପତ୍ତିଙ୍କର କଥା ଭାରି ମନେ ପଡ଼ୁଛି । ରେଭେନ୍ସା କଲେଜିଏଟ୍ ସ୍କୁଲରେ ଗ୍ରନ୍ଥ ହିସାବରେ ଆମେ ସମସାମୟିକ ଥିଲୁ । ଅଧ୍ୟାପକ କାଙ୍ଗାଳି ଚରଣ ପତି ଶ୍ରୀ ଅରବିନ୍ଦ ଆଶ୍ରମରେ ଯୋଗଦେବା ପରେ ପ୍ରପତ୍ତି ନାମରେ ପରିଚିତ ହେଲେ । ଓଡ଼ିଶାର ଶ୍ରୀ ଅରବିନ୍ଦ ପାଠଚକ୍ର ଓ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସ୍ଥାପନରେ ସେଇ ହେଉଛନ୍ତି ସର୍ବାଗ୍ରଗଣ୍ୟ ପୁରୋଧା ଏବଂ ପ୍ରେରଣାଦାତା । ସେଇ ମଝିରେ ସେତୁ ପରି ହୋଇ ମୋତେ ଶ୍ରୀ ଅରବିନ୍ଦଙ୍କର କେତୋଟି ମୁଖ୍ୟ ଗ୍ରନ୍ଥର ଓଡ଼ିଆ ଅନୁବାଦ କରାଇବାରେ ନିଯୁକ୍ତ କରାଇଥିଲେ । ଅନୁବାଦ କରିବା ନିମନ୍ତେ ମୁଁ କାହାର ଏକ ନିର୍ଦ୍ଦେଶିତ ମୁହୂର୍ତ୍ତରେ ବେଢ଼ାଭିତରେ ପଶିଥିଲି କେଜାଣି, ସେଇ ବେଢ଼ାଭିତରେ ହିଁ ରହିଗଲି । ନିଜ ଜୀବନରେ ସତେଅବା ଏକ ନିଷ୍ପତି ହୋଇଗଲା । ନିଜର ଉପନୟନ ହୋଇଗଲା ପରି ଲାଗିଲା । ଆଗରୁ ମୁଁ ଶ୍ରୀ ଅରବିନ୍ଦଙ୍କ ବିଷୟରେ ପ୍ରାୟ କିଛି ଜାଣିନଥିଲି । ମୋ’ର ପରମ ସୌଭାଗ୍ୟ ଯେ, ତାଙ୍କର ରଚନାଗୁଡ଼ିକର ମାଧ୍ୟମରେ ହିଁ ମୋ’ର ତାଙ୍କ ସହିତ ପରିଚୟ ଘଟିଲା । ଏକ ବିପୁଳତା ସହିତ ପରିଚୟ ହେଲା । ଯେଉଁ ବିପୁଳତାର ନିକଟବର୍ତ୍ତୀ ହେଲେ ନିଜ ଭିତରେ ମଧ୍ୟ ଏକ ବହୁସମ୍ଭାବନାମୟ ସମ୍ମତିର ମିଳେ, ତାହାର ମହିମାକୁ ମୁଁ କିପରି କଳନା କରି କହିପାରିବି ? ସେହି ପରିଚୟ ମୋ’ଲାଗି ଏକ ସର୍ବୋତ୍ତମ ଆବିଷ୍କାରର କାରଣ ହେଲା । ଏକ ଅଭିନବ ପବିତ୍ରତାବୋଧ ହୃଦୟର ଆଖିକୁ ଧୌତ କରିନେଲା । ଏଠି ସବୁକିଛି ଆପଣାର ଘର ପରି ମନେହେଲା । କୌଣସି ଅସାଧରଣ ଅର୍ଥାତ୍ ଅଲୌକିକ ଶକ୍ତି ହାସଲ କରିବା ହିଁ ବହୁ ସାଧନାରେ ମୂଳ ଅଭିପ୍ରାୟ ହୋଇ ରହିଥାଏ । ଏଠି ମୁଁ ଯେଉଁ ନୂଆ ବେଢ଼ାଟି ଭିତରକୁ ଆସିଲି, ସେଠାରେ ନିଜର ପରିପୂର୍ଣ୍ଣ ସମ୍ମତି ହିଁ ନିରନ୍ତର ଫଳଶ୍ରୁତିର ମାଧ୍ୟମ ହୋଇ ରହିଥାଏ । ତୁମର ସମ୍ମତି ଯେତିକି ସମଗ୍ର ହେବାରେ ଲାଗିଥାଏ, ତୁମପାଇଁ ସତେଅବା ସେତିକି ସେତିକି କାମରେ ଲାଗି ପରିବାର ଆଦର୍ଶବାଦ ମଧ୍ୟ ଉପଲବ୍ଧ ହୋଇ ଯାଉଥାଏ ।

 

ଭୁବନେଶ୍ୱରରେ ଗୋଟିଏ ଶିକ୍ଷାକେନ୍ଦ୍ର ଥିଲା । ଏଗୁଡ଼ିକର ସଂଖ୍ୟା କ୍ରମେ ବଢ଼ିବାକୁ ଲାଗିଲା । ଗୋଟିକର ଆଠଟି ଓ ଆଠଟିରୁ ଏକୋଇଶିଟି ହେଲା । ଏବେ ତ ହିସାବରକ୍ଷକମାନଙ୍କର ହିସାବ ଅନୁସାରେ ଏହି ସଂଖ୍ୟା ଦୁଇଶହରୁ ଅଧିକ ହୋଇଗଲାଣି । ଆଗରୁ ପ୍ରୟୋଗଟି ସହରମାନଙ୍କରେ ସୀମିତ ହୋଇ ରହିଥିଲା । କ୍ରମେ ଗାଆଁମାନଙ୍କୁ ବ୍ୟପ୍ତ ହୋଇଗଲା । ସଂପୂର୍ଣ୍ଣ ଆଦିବାସୀ ଅଞ୍ଚଳରେ ମଧ୍ୟ ଶିକ୍ଷାଳୟମାନ ଖୋଲିଲା । ଉତ୍ସାହର ଆଦୌ କୌଣସି ଅଭାବ ପରିଲକ୍ଷିତ ହେଲାନାହିଁ । ଅନ୍ତତଃ ଆରମ୍ଭକରିବା ସମୟରେ ଯେତିକି ଉତ୍ସାହ ରହିଥିଲେ ଚଳିବ, ସଂପୃକ୍ତ ବନ୍ଧୁମାନଙ୍କ ମଧ୍ୟରେ ସେତିକି ଉତ୍ସାହ ସର୍ବତ ମହଜୁଦ ରହିଥିଲା । ପ୍ରଚଳିତ ଶିକ୍ଷାବନ୍ଧନଗୁଡ଼ିକର କ୍ଷେତ୍ରରେ କାଳକ୍ରମେ ଏତେ ଏତେ ଅଳିଆ ଏବଂ ଅରାଜକତା ଆସି ପଶି ଯାଇଥିଲା ଯେ, ଗୋଟାଏ କିଛି ନୂଆ ପ୍ରତିଶ୍ରୁତି ନେଇ ଏକ ଉଦ୍ୟମ ଆରମ୍ଭ ହେଲେ ସେଥିପାଇଁ ଭାରି ସହଜରେ ଯଜମାନମାନେ ଆସି ହାବୁଡ଼ିଗଲେ । ସାର୍ବଜନୀନ ଯେକୌଣସି ବ୍ୟବସ୍ଥା ସ୍ଵାଧୀନ ଭାରତର ବିଗତ ପଚାଶବର୍ଷ ମଧ୍ୟରେ ଏପରି ପଚିସଢ଼ି ଗଲାଣି ଯେ, ଏହାର ଯେକୌଣସି କ୍ଷେତ୍ରରେ କୌଣସି ବିକଳ୍ପ ଏକ ନିମ୍ନତମ ନିଷ୍ଠା ଏବଂ ବିଶ୍ଵସନୀୟତା ସହିତ ଆସି ପହଞ୍ଚିଗଲେ, ତାହାଲାଗି ସତେଅବା ବାତାବରଣ ଭିତରେ ବହୁ ଅନୁକୂଳତା ସମ୍ଭବ ହୋଇ ଯାଉଛି-। ଯେକୌଣସି ନୂତନ ଉଦ୍ୟମ ପାଇଁ, ଉପଯୁକ୍ତ ବିକଳ୍ପଟିଏ ପାଇଁ ଭାରତବର୍ଷରେ ସମ୍ଭବତଃ ଆଗରୁ କେବେହେଲେ ଏପରି ସହାୟକ ଲୋକସମର୍ଥନ ହୋଇ ନଥିଲା । ମାତ୍ର, ଅସଲ ସମସ୍ୟାଟି ହେଉଛି, ତୁମର ଉତ୍ସାହବଳରେ ତୁମେ ନୂଆ କରି କିଛି ଗଢ଼ିବ ବୋଲି ମୂଳଦୁଆଟିଏ ପକାଇଦେବା ବା ଦୁଇଟା ଖୁଣ୍ଟ ଆଣି ପୋତିଦେବ ସିନା, ମାତ୍ର ଯଦି ଉତ୍ସାହ ବ୍ୟତୀତ ତୁମଠାରେ ବିଶେଷ ଅଧିକ କିଛି ନଥିବ, ଯଦି ଅଭିଳଷିତ ସୋପାନଗୁଡ଼ିକ ଅନୁସାରେ ତୁମେ ଠିକଣା ଭାବରେ ନିଜକୁ ତିଆରି କରିନଥିବ, ତେବେ ହୁଏତ ସବୁକିଛି ଫସରଫାଟି ଯିବ, ନିଜେ ମୋଟେ ଇଚ୍ଛା ନକରୁଥିଲେ ମଧ୍ୟ ଗୋଟାଏ ଅବର୍ଜିଆ ଗୁଳାରେ ଆସି ଅଚିରେ ପଶିଯିବ ଏବଂ ଯେଉଁ କାଦୁଅକୁ ଏକଦା ସଫା କରିବାକୁ ଆସିଥିଲେ, ସେହି କାଦୁଅଭିତରେ ଆସି ପଡ଼ିଯିବ ।

 

ଶିକ୍ଷାର କ୍ଷେତ୍ରରେ ମଧ୍ୟ ଠିକ୍ ସେହିକଥା ହେବ, ଅରଣ୍ୟ ହେବ । ସ୍ୱୟଂ ସରସ୍ଵତୀ ମଧ୍ୟ ଏହି ବିପଦ ଭିତରୁ ତୁମକୁ ରକ୍ଷା କରି ପାରିବେନାହିଁ । ଶିକ୍ଷାର ମୂଳ ନାଡ଼ୀଟା ହେଉଛି ଏକ ଇପ୍‍ସିତ ପରିବର୍ତ୍ତନ ପାଇଁ ରାଜି ହୋଇ ଆସିଥିବା ଜଣେ ବା କେତେଜଣ ବ୍ୟକ୍ତି । ସେମାନେ ଆବଶ୍ୟକ ସଙ୍କଳ୍ପ କରି ଆସିଥିବେ ଏବଂ ସେହି ସଙ୍କଳ୍ପଟିରୁ ମୂଳ କରି ଏକାଠି ହୋଇଥିବେ । ସେହି ସଙ୍କଳ୍ପରେ ଅବିଚଳି ଓ ଅତୁଟ ରହିବା ନିମନ୍ତେ ପରସ୍ପରକୁ ସାହାଯ୍ୟ କରୁଥିବେ, । ଅର୍ଥାତ୍ ପରସ୍ପର ଯଥାସମ୍ଭବ ପୂର୍ଣ୍ଣଭାବରେ ବୁଝୁଥିବେ ଏବଂ, ଆହୁରି ବଡ଼ କଥା ହେଉଛି ପରସ୍ପରର ତଥାକଥିତ ଅଭାବଗୁଡ଼ିକୁ ଦେଖାଇ ଆଦୌ ହର୍ଷ ଅନୁଭବ କରୁନଥିବେ । ଶିକ୍ଷାର କ୍ଷେତ୍ର ହେଉଛି ଏକ ମହାସମୁଦ୍ର ପରି । ସଭ୍ୟତାର ଉନ୍ମେଷକାଳରୁ ମଣିଷର ସମାଜରେ ତଥା ଅସଙ୍ଗଠିତ ଉଭୟ ରୀତିରେ ଶିକ୍ଷାର ନାନାବିଧ ପ୍ରୟୋଗ ହୋଇଆସିଛି । ଏବଂ ସେହି ଇତିହାସଟି ସହିତ ପ୍ରୟୋଗକାରା ମାନଙ୍କର ଅବଶ୍ୟ ଏକ ଆତ୍ମୀକ ପରିଚୟ ରହିଥିବ । ସେମାନେ କେବଳ ଅତୀତର ସଫଳତାଗୁଡ଼ିକରୁ ନୁହେଁ, ଅତୀତର ବିଫଳତାଗୁଡ଼ିକରୁ ମଧ୍ୟ ଶିକ୍ଷା କରି ପାରୁଥିବେ । ଅର୍ଥାତ୍, ସୁସ୍ଥ ଭାବରେ ସତତ ଆପଣାକୁ ଖୋଲା ରଖିଥିବେ, ସୁସ୍ଥ ଭାବରେ ଗ୍ରହଣଶୀଳ ହୋଇ ରହିଥିବେ । ସମ୍ଭବତଃ ସେହି କାରଣରୁ ଆବଶ୍ୟକତା ମୁତାବକ ନିଜକୁ ଗ୍ରହଣଶୀଳ ଏବଂ ସମ୍ବେଦନାଯୁକ୍ତ କରିବାରେ ଅସମର୍ଥ ହୋଇ ପୃଥିବୀର ବହୁ ଆଦର୍ଶବାଦୀ ଶିକ୍ଷାକ୍ଷେତ୍ରରେ ପ୍ରାୟ ଯେକୌଣସି ଅସୁରର ଉତ୍ସାହ ନେଇ ପ୍ରବେଶ କରିଥିଲେ ମଧ୍ୟ ଆଖର ପରାଭବ ସ୍ଵୀକାର କରିଛନ୍ତି । ଆମ ଏଯୁଗରେ ମଧ୍ୟ ରାଷ୍ଟ୍ରମାନେ ଆଦର୍ଶଚାଦର ଦାମ୍ଭିକତା ନେଇ ଶିକ୍ଷାରେ ଏକାବେଳେକେ ପର୍ବତ ତାଡ଼ିଦେବେ ବୋଲି ଖୁବ୍ ବାହାରି ପଡ଼ିଛନ୍ତି; ସେମାନେ ଯେତେ କୋଡ଼ିଛନ୍ତି, ତା’ଠାରୁ ଅଧିକ ମାଡ଼ି ପକାଇଛନ୍ତି ।

 

ଏଥର ମୁଁ ଯେ ପୁନର୍ବାର ଶିକ୍ଷା ଭିତରକୁ ଆସିଲି, ସେହି କ୍ଷେତ୍ରରେ ମୋ’ର ବ୍ୟକ୍ତିଗତ କେତୋଟି ଅସୁବିଧା ମଧ୍ୟ ରହିଥିଲା । ସାନ ପିଲାଙ୍କର ଶିକ୍ଷାରେ ନିଜକୁ କ୍ରିୟାଶୀଳ କରି ରଖିବାରେ ମୋର ପ୍ରାୟ କୌଣସି ଅଭିଜ୍ଞାତା ନଥିଲା । ମୁଁ ଏପର୍ଯ୍ୟନ୍ତ ବଡ଼ମାନଙ୍କୁ ପଢ଼ାଇ ଆସିଥିଲି । ବିଶ୍ୱବିଦ୍ୟାଳୟ ସ୍ତରରେ ଶିକ୍ଷାଦାନକୁ ସମ୍ଭବତଃ ସେହିପରି କୌଣସି କାରଣ ବଶତଃ ଆମ ଦେଶରେ ଶିକ୍ଷା ବୋଲି ନକହି ଅଧ୍ୟାପନାବୋଲି କୁହା ଯାଇଥାଏ । ବିଦେଶରେ ଇସ୍କୁଲ ଏବଂ ବିଶ୍ୱବିଦ୍ୟାଳୟ ଉଭୟ ସୋପାନରେ ଅବଶ୍ୟ ଗ୍ରନ୍ଥମାନେ ହିଁ ଥାଆନ୍ତି, ମାତ୍ର ଇଂରାଜୀ, ଜର୍ମାନ୍, ଡେନିଶ୍, ଫିନିଶ୍ ଓ ଅନ୍ୟାନ୍ୟ ଭାଷାରେ ଦୁଇ ସୋପାନରେ ଶିକ୍ଷାର୍ଥୀମାନଙ୍କୁ ଦୁଇଟି ଶବ୍ଦଦ୍ଵାରା ହିଁ ଅଲଗା ଅଲଗା କରି ଚିହ୍ନିତ କରି ଦିଆଯାଇଛି । ହିଁ ଚମ୍ପତିମୁଣ୍ଡା ଜୀବନ ବିଦ୍ୟାଳୟରେ ମୋର ଚାରିବର୍ଷ ଅଭିଜ୍ଞତା ରହିଥିଲା ସତ, ମାତ୍ର ଚମ୍ପତିମୁଣ୍ଡା ତ ବିଦ୍ୟାଳୟ ନଥିଲା, ତାହା ଯାବତୀୟ ଅର୍ଥରେ ଏକ ଆବାସ ଥିଲା, ପରିପୂର୍ଣ୍ଣ ଆସ୍ଥାନଟିଏ ଥିଲା । ସେଠାରେ ପାଠପଢ଼ା ବୋଲି ଅଲଗା କିଛି ନଥିଲା, ସହଚରିତା ଓ ସହଭାଗିତା ହିଁ ରଜା ହୋଇ ରହିଥିଲା । ଆମେ ଦିନମାନର ଚବିଶ ଘଣ୍ଟା ଏକତ୍ର ଥିଲୁ; ଏକାଠି ବାଟ ଚାଲୁଥିଲୁ, ଏକତ୍ର ନିଜ ଅଭିଜ୍ଞତାଗୁଡ଼ିକରୁ ବଳିଷ୍ଠ ହେଉଥିଲୁ । ବୟସର ବ୍ୟବଧାନମାନ ପଛରେ, ସାତପଛରେ ପଡ଼ି ରହିଥିଲେ । ଏକାଠି ବାଟ ଚାଲୁଥିବାରୁ ଆମେ ପ୍ରତ୍ୟେକେ ପରସ୍ପର ମଧ୍ୟରେ ନିଜକୁ ଦେଖି ପାରୁଥିଲୁ, ଏପରି ଏକ ଭବିଷ୍ୟ-ବ୍ୟବସ୍ଥାର ପ୍ରାୟ ଚାକ୍ଷୁଷ କରି ରଖିଥିଲୁ ଯେଉଁଠାରେ ପ୍ରତ୍ୟେକେ ପ୍ରତ୍ୟେକ ଲାଗି ଦାୟୀ ହୋଇ ରହିଥିବେ । ଗୁରୁ ବା ଶିଷ୍ୟ ଭାବରେ ନୁହେଁ, ସଖା ଭାବରେ ପରସ୍ପରକୁ ଦେଖିବା ନିମନ୍ତେ ଆମେ ସେଠାରେ ସରସ୍ଵତୀଙ୍କ ଠାରୁ ସତେଅବା ଏକ ବିଶେଷ ଅନୁମତି ଲାଭ କରିଥିଲୁ । ସେଠି ନିଜର ସ୍ଵତନ୍ତ୍ର ଅଲଗା ଜୀବନ ବୋଲି କାହାର ବିଶେଷ କିଛି ନଥିଲା, ସବୁକିଛି ସହସ୍ର ଡୋରରେ ବାନ୍ଧିହୋଇ ରହିଥିଲା ।

 

ପୂର୍ଣ୍ଣାଙ୍ଗ ଶିକ୍ଷା ଏକ ପରିପୂର୍ଣ୍ଣ ସତ୍ୟଦୃଷ୍ଟି ଉପରେ ପ୍ରତିଷ୍ଠିତ ହୋଇ ରହିଥିବା ଏକ ଶିକ୍ଷା-। ମଣିଷ କହିଲେ ଏଥିରେ ତା’ର ଶରୀର, ତା’ର ପ୍ରାଣ, ମନ ଅଥବା ତା’ର ଆତ୍ମା, କେବଳ କୌଣସି ଗୋଟିଏକୁ ଅଥବା ସେଗୁଡ଼ିକରେ ସମଷ୍ଟିକୁ ବୁଝାଏନାହିଁ । ଏହି ସବୁକିଛିକୁ ଏକ ସମଗ୍ରତା ଭିତରେ ଏକତ୍ର ସୋପାନକ୍ରମରେ ରଖି ଓ ତଥାପି ଗୋଟିଏ ଆଲୋକର ଆସ୍ପୃହା ଭିତରେ ବଳି ଯଦି ମନୁଷ୍ୟକୁ ଅବଲୋକନ କରାଯାଏ, ତେବେ ତୁମର ଆଖିରେ ଯେଉଁ ସମ୍ଭାବନାଟି ଦୃଷ୍ଟିଗୋଚର ହେବାକୁ ଆରମ୍ଭ କରିବି, ଏକ ସଚେତନ ଏବଂ ସମ୍ମତି ଶିଶୁକୁ ମୁକ୍ତ ଭାବରେ ସେହିଆଡ଼କୁ ବିକଶିତ ହୋଇ ଉଠିବାଲାଗି ସହଯୋଗ ପ୍ରଦାନ କରିବା, —ଜଣେ ଶିକ୍ଷକର ଆଖିରେ ଅନ୍ଦାଜ କରି ବସିଲେ ତାହାହିଁ ପୂର୍ଣ୍ଣାଙ୍ଗ ଶିକ୍ଷା ଯାବତୀୟ ଯଥାର୍ଥ ଶିକ୍ଷା ପରି ପୂର୍ଣ୍ଣାଙ୍ଗ ଶିକ୍ଷା ସତକୁ ସତ ପୂର୍ଣ୍ଣାଙ୍ଗ ହେଲା ବୋଲି ମୋଟେ କହି ହେବନାହିଁ । ପରିପୂର୍ଣ୍ଣତା ହାସଲ ହୋଇଗଲା ବୋଲି ଯିଏ କହିବ, ସିଏ ନିଶ୍ଚୟ କେଉଁଠାରେ କୋଉ ଲୋଭରେ କିମ୍ବା କୋଉ ଆଳସ୍ୟରେ ଅଟକି ରହିଯାଇଛି ବୋଲି କହିବାକୁ ହେବ । ମୁଁ ଭଗବାନଙ୍କୁ ସଂପୂର୍ଣ୍ଣ ଭାବରେ ଉପଲବ୍ଧ କରିଲିଣି ବୋଲି କହୁଥିବା ଜଣେ ମଣିଷ ଯେପରି ପିତୁଳା ଅଥବା ଖଣ୍ଡସତ୍ୟ ପାଖରେ ଅଟକି ଯାଇଥାଏ, ଇଏ ମଧ୍ୟ ପ୍ରାୟ ସେହିଭଳି ଗୋଟିଏ କଥା । ଏଥିରେ ଦମ୍ଭର ସ୍ଥାନ ନାହିଁ, ବିଜୟ ପଦେ ପଦେ ରହିଛି । ଚୂଡ଼ାନ୍ତ ହୋଇ ଶିଖର ବୋଲି କିଛି ନାହିଁ, ଶିଖର ପରେ ଶିଖରକୁ ଅତିକ୍ରମ କରିବାର ଆହ୍ଵାନଗୁଡ଼ିକ ହିଁ ରହିଛି । ଏଥିରେ ଛାତ୍ର ଏବଂ ଶିକ୍ଷକ ଉଭୟେ ଆରୋହଣ କରୁଥିବେ, ଉଭୟେ ବାଟ ଚାଲୁଥିବେ । ତେଣୁ, ଗୋଟିଏ ନିର୍ଦ୍ଦିଷ୍ଟ ଅର୍ଥରେ ଏହି ଶିକ୍ଷାରେ ନିହିତ ହୋଇ ରହିଥିବା ସର୍ବମୂଳ ସମ୍ପର୍କଟି ହେଉଛି ସଖା ଏବଂ ସୁହୃତ୍‍ର ସମ୍ପର୍କ । ଯାହାର ଅନୁଭବ ଅଧିକ, ବିଦ୍ୟା ଅଧିକ, ତାହାରି ସେହି ଅନୁପାତରେ ଦାୟିତ୍ଵ ମଧ୍ୟ ଅଧିକ, ଗୋଟାଏ ପ୍ରକାର ଦାମ୍ଭିକ ଶିକ୍ଷା ପରମ୍ପରା ରହିଛି, ଯେଉଁଥିରେ କି ଜଣେ କେବଳ ଦିଏ ଓ ଆଉଜଣେ କେବଳ ଗ୍ରହଣ କରୁଥାଏ; ଜଣେ ରାଢ଼ ପରି ନିଜକୁ ଲଦି ଦେଉଥାଏ ଏବଂ ଆଉଜଣେ ପୂର୍ଣ୍ଣବଶ୍ୟ ଭାବରେ ଗିଳିହୋଇ ଯାଉଥାଏ । ପୂର୍ଣ୍ଣାଙ୍ଗ ଶିକ୍ଷା ସେହି ପରମ୍ପରାକୁ ସ୍ଵୀକାର କରେନାହିଁ ।

 

ଅଧ୍ୟାତ୍ମର ସମ୍ବନ୍ଧସ୍ତରକୁ ଆସିଲେ ନିଜକୁ କାହାଉପରେ ନେଇ ଲଦିଦେବାର କୌଣସି ଅବକାଶ ନାହିଁ ଅଥବା ପରମ ଦାସୀଭାବ ସହିତ କାହାଦ୍ଵାରା ଗିଳି ହୋଇଯିବାର ଦୁର୍ଗତି ମଧ୍ୟ ନାହିଁ-। ଆଧୁନିକ ମନୋବିଜ୍ଞାନ ବେଳେବେଳେ ସେହି ଅଧ୍ୟାତ୍ମର କଥାକୁ କହିବାକୁ ସାହସ କଲାଣି ଏବଂ ତେଣୁ, ତଥା କଥିତ ପ୍ରୟୋଗଶାଳାରେ ମୂଷା ମାଙ୍କଡ଼ଙ୍କ ଉପରେ ନିତାନ୍ତ ବେରସିକ ଭାବରେ କରା ଯାଉଥିବା ପରୀକ୍ଷାମାନଙ୍କରୁ ଟେକ୍‍ନିକ୍ ସଂଗ୍ରହ କରି ମଣିଷ ଉପରେ ତାହାକୁ ଆଣି ଲଦିଦେବାର ଧୃଷ୍ଟତା ଏବେ ପୃଥିବୀର କ୍ରମେ କମିଯିବାରେ ଲାଗିଛି । ଅସଲ ଶିକ୍ଷା କେବଳ ଏକ ପୂର୍ଣ୍ଣମୁକ୍ତ ପରିବେଶରେ ହିଁ ସମ୍ଭବ ହେବ । ଶିକ୍ଷକ ନିଜର କୌଣସି ପୂର୍ବପ୍ରସ୍ତୁତି ଛାଞ୍ଚର କଳ୍ପନା ବା ମଡ଼େଲକୁ ନେଇ ପିଲା ଉପରେ ଲଦିଦେବାର ଖଳଚେଷ୍ଟା କରିବନାହିଁ । ଟିକିଏ ଅଳଙ୍କାର ଲଗାଇ କହିଲେ, ସିଏ ତା’ର ଛାତ୍ରମାନଙ୍କ ଉପରେ କୌଣସି ବିଜୟ ହାସଲ କରିବାର ଆକାଂକ୍ଷା ରଖିନଥିବ; ବରଂ, ଛାତ୍ରମାନଙ୍କ ପାଖରେ ହାରି ହାରି ଯାଉଥିବ । ତା’ର କାନ୍ଧ ଉପରେ ଗୋଡ଼ ପକାଇ ଛାତ୍ରମାନେ ତାକୁ ଅତିକ୍ରମ କରି ଯାଉଥିବେ ଓ ସିଏ ସେଥିରେ ସତକୁ ସତ ଖୁସୀ ହେଉଥିବା ଯେଉଁ ପାରମ୍ପରିକ ପୃଥିବୀରେ ବଳବାନ୍ ଉପରେ, ସଫଳ ପ୍ରତିଯୋଗିତା ଉପରେ ଏବଂ ଆଉ ସାତଜଣଙ୍କ ଉପରେ ଅଧିପତି ହୋଇ ବସିବା ଉପରେ ଶାସ୍ତ୍ରର ରାଗ ପକାଇ ଏତେ ଏତେ ଗୁରୁତ୍ଵ ଦିଆଯାଇ ଆସିଛି, ପୂର୍ଣ୍ଣାଙ୍ଗ ସକଳ ଅର୍ଥରେ ସେହି ପୃଥିବୀର କର୍ତ୍ତା ଏବଂ ପ୍ରବକ୍ତାମାନଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ବୋଲି ହିଁ କୁହାଯିବ । ଯିଏ ସେତେଯାଏ ମନ କରୁଥିବ, ସେଇ କେବଳ ବାହାରି ପାରିବ, ସେଇ ପାରିବ । ବିଶେଷ ଭାବରେ ସେଇଥିପାଇଁ ପୂର୍ଣ୍ଣାଙ୍ଗ ଶିକ୍ଷାର ଜଣେ ଶିକ୍ଷକକୁ ଜଣେ ବୀର ବୋଲି କୁହାଯାଇଛି । ଜଣେ ଯୋଗୀ ବୋଲି ବି କୁହାଯାଇଛି । ତୁମେ ଯଦି ଭୀରୁ ହୋଇ ଆପଣାର ଚିହ୍ନା ଗୁଣାଗୁଡ଼ିକ ଯାବୁଡ଼ି ରହିବାକୁ ମନ କରୁଥିବ, ତେବେ ଏଇଟି ଭିତରକୁ କଦାପି ଆସିବନାହିଁ-। ଆସିଲେ ବେକୁବ ହେବ, ଏବଂ ପୂରା ଘରଟାକୁ ମାରା କରିଦେବ ।

 

ଏମିତି ନିଦା ଶିକ୍ଷକରୂପୀ ପଣ୍ୟ ତୁମକୁ କେବେହେଲେ କୌଣସି ବଜାରରେ ମିଳିବନାହିଁ । ଓଡ଼ିଶାରେ ଏହି ପୂର୍ଣ୍ଣାଙ୍ଗ ଶିକ୍ଷାର ଯେଉଁ ପ୍ରୟୋଗଟି ଆରମ୍ଭ ହୋଇଛି ସେଥିରେ ଗୋଟାପଣେ ପୂର୍ଣ୍ଣନିର୍ମିତ ଶିକ୍ଷକମାନଙ୍କୁ ନେଇ ଯେ ସବୁକିଛି ପ୍ରୟାସ ଚାଲିଛି, ସେକଥା ଆଦୌ ନୁହେଁ । ସମ୍ମତମାନେ ଆପଣା ଉପରେ କିଛି ଭରସା ରଖି ପରସ୍ପର ପାଖରେ ଆସି ହାବୁଡ଼ି ଯାଇଛନ୍ତି, ଏବଂ ପ୍ରୟୋଗଟି ଚାଲିଛି । ତେଣୁ, ଅଧିକ ନିର୍ଭୁଲ ଭାବରେ କହିଲେ, ଏହି ପ୍ରୟୋଗଟି ଗ୍ରନ୍ଥମାନଙ୍କୁ ନେଇ’ ଯେତେ ଚାଲିନାହିଁ, ଶିକ୍ଷକମାନଙ୍କୁ ନେଇ ତା’ଠାରୁ ଅନେକ ଅଧିକ ଗୁଣ ଚାଲିଛି । ମଣିଷ ସ୍ଵୟଂ ରାଜି ନହେବା ପର୍ଯ୍ୟନ୍ତ ତାକୁ ପ୍ରକୃତରେ କିଏ ରାଜି କରାଇ ପାରିବ ? ତୁମେ ନିଜ ଭିତରେ ନିଜର ସର୍ବୋତ୍ତମ ସଖାଟିର ପରିଚୟ ନପାଇଲେ ତୁମକୁ କେହି କଦାପି ଉହୁଙ୍କାଇ ପାରିବେନାହିଁ । ଜଙ୍ଗଲୀ ହାତୀଟିଏ ପୋଷ ମାନି ଯାଇଥିବା ଆଉଗୋଟିଏ ହାତୀକୁ ଦେଖିଲେ ସମ୍ଭବତଃ ନମନୀୟ ହୋଇ ଆସିବି ସିନା, ଅଙ୍କୁଶର ଧମକ ଦେଖାଇ ତୁମେ ତାହକୁ କେବେହେଲେ ସମ୍ମତ କରାଇ ପାରିବନାହିଁ । ପୂର୍ଣ୍ଣାଙ୍ଗ ଶିକ୍ଷାର କ୍ଷେତ୍ରରେ ଓଡ଼ିଶାରେ ଆମେ ଯେ ଏତେଶହ ଭାଇଭଉଣୀ ଏକାଠି ହୋଇ ପରସ୍ପର ପାଖକୁ ଆସିଛୁ, ତାହାହିଁ ଆମ ବିଷୟରେ ସବୁଠାରୁ ବଡ଼ ଘଟଣା । ହଁ, ଏମିତି ଆସି ଥୋକେ ପହଞ୍ଚି ଯାଉଛନ୍ତି, ଥୋକେ ଚାଲି ବି ଯାଉଛନ୍ତି । ତଥାପି ଘରଟି କେବେହେଲେ ଖାଲିହୋଇ ଯାଉନାହିଁ । ଦୁଃସାହସ ହିଁ ଆମର ସର୍ବବୃହତ୍ ପରିଚାଳିତ ହୋଇ ବସିଛି । ଭିତରୁ ପରମବିଶ୍ଵାସୀଟିଏ ସାହସ ଦେଇ କହୁଛି, ଏ ଘର ନିଶ୍ଚୟ ରହିବ । ଏହାର ମୁହୂର୍ତ୍ତ ଆସି ପହଞ୍ଚିଛି, ଏଇଟି ଅବଶ୍ୟ ରହିବ । ହୁଏତ ଆମେ ଅନେକେ ଅସାର ବୋଲି ପ୍ରତିପାଦିତ ହୋଇ ଅଧବାଟରେ ରହିଯିବା, —ଆମକୁ ନିମିତ୍ତ କରି ପ୍ରୟୋଗଟି ଅବଶ୍ୟ ଆଗକୁ ଯିବାରେ ଲାଗିଥିବ ।

 

ଯୁଗଯୁଗରୁ ଅତ୍ୟନ୍ତ ପରିମାଣରେ ସାମାଜିକ ସମର୍ଥନ ପାଇଁ ଆସିଥିବା ଯେଉଁ ଜୀବନଦୃଷ୍ଟିଟିକୁ ଭାରତବର୍ଷରେ ଆଧ୍ୟାତ୍ମିକତା ବୋଲି କୁହାଯାଇଆସିଛି, ତାହା ପ୍ରାୟ ଯାବତୀୟ ଅର୍ଥରେ ପୃଥିବୀର ପଳାୟନ କରିବାକୁ ହିଁ ମୁକ୍ତିଲାଭର ସର୍ବସାରରୂପେ ମାନି ଆସିଛି । କେଡ଼େ ସୁଠାମ କରି ତାହାକୁ ମୋକ୍ଷ ବୋଲି କୁହାଯାଇଛି । ଭାରତବର୍ଷର କେତେ ତୁଙ୍ଗ ଏହି ମୋକ୍ଷକୁ ଲାଭକରି ପ୍ରକୃତରେ କେଉଁ ସ୍ଵର୍ଗରେ ପରମସୁଖର ଅଧିକାରୀ ହୋଇଛନ୍ତି, ସେମାନେ କେବେ ପୁନର୍ବାର ମର୍ତ୍ତ୍ୟକୁ ଓହ୍ଲାଇ ଆସିଲେ ହୁଏତ ଆମକୁ ତାହାରି କୌଣସି ନିର୍ଭରଯୋଗ୍ୟ ସଂବାଦ ଦେଇ ପାରନ୍ତେ । ମାତ୍ର, ଏହି ପଳାୟନଧର୍ମୀ ଚିନ୍ତାଟା ଫଳରେ ଏଠି ଏହି ମର୍ତ୍ତଜୀବନଟା ମଧ୍ୟ ବହୁ ଉଦାସୀନତା ଏବଂ ଅବଜ୍ଞା ଦ୍ଵାରା କଳୁଷିତ ହୋଇ ରହିଛି । ଏଠି ଯାବତୀୟ ଜ୍ଞାନ ଏବଂ ଅର୍ଜନ ସତେଅବା ଭୂଇଁକୁ ଛାଡ଼ି ଅତ୍ୟନ୍ତ ସ୍ଵାର୍ଥକାମୀ ଭାବରେ ଆପଣାକୁ ଅଲଗା କରି ରଖୁଥିବା ଏକ ବୈରାଗ୍ୟ ଭିତରେ ଫୁସକି ଯାଉଛି । ଆଗେ ତ ଯିଏ ଉଚ୍ଚତର ବାସନାର ଆକର୍ଷଣରେ ପଡ଼ୁଥିଲା, ସିଏ ପୃଥିବୀ ଛାଡ଼ି ହିମାଳୟକୁ ଓ ନିକାଞ୍ଚନକୁ ପଳାଇ ଯାଉଥିଲା । ସତେଅବା ପ୍ରତୀକାତ୍ମକ ଭାବରେ ଅଲଗା ହୋଇ ରହିବାକୁ ହିଁ ସିଏ ସ୍ଵର୍ଗ ମିଶି ଅମାପ ସାନ୍ତ୍ଵନାଲାଭ କରୁଥିଲା । ସେହି କଥାଟିକୁ ତଥାପି ବୁଝି ହେଉଛି । ମାତ୍ର, ସଂସାର ଭିତରେ ନାକଯାଏ ଲିପ୍ତ ରହି ମଧ୍ୟ ଆମର ଯେଉଁ ଅଧିକ ଏବଂ ଉତ୍ତମମାନେ ଆପଣା ଅବଜ୍ଞାର ସ୍ଵର୍ଗମାନଙ୍କରେ ଯାଇ ବାସ କରୁଛନ୍ତି, ସେମାନେ ବି କ’ଣ ସେହି ପୁରାତନ ପରମ୍ପରାଟିର ଅନୁସରଣ କରି ସେହିଭଳି ଆଚରଣ କରୁଛନ୍ତି ? ଆମ ଭିତରେ ଯେଉଁମାନେ ଅଧିକ ସମ୍ପନ୍ନ, ଅଧିକ ବିଦ୍ଵାନ୍ ଓ ଅଧିକ ଯୋଗ୍ୟତାର ଅଧିକାରୀ, ସେମାନେ, ମଧ୍ୟ ଏଠି ସତେଅବା ବାବାଜୀଙ୍କ ପରି ଆମଠାରୁ ଯଥାସମ୍ଭବ ଦୂରରେ ରହିଛନ୍ତି, ଅସାଧାରଣ ହୋଇ ରହିଛନ୍ତି । ଆମର ସଂସ୍କୃତି, ସାହିତ୍ୟ, ଧର୍ମ ଓ ଯାବତୀୟ ନେତୃତ୍ଵ ସତେଅବା ସାଧାରଣ ଜୀବନଠାରୁ ଦୂରଛଡ଼ା ହୋଇ ରହିଛି । ମଉକା ମିଳିବା ମାତ୍ରକେ ସମସ୍ତେ ସାଙ୍ଗ ଛାଡ଼ି ପଳାଉଛନ୍ତି, ସାମୂହିକ ଭାଗ୍ୟଠାରୁ ଯାବତୀୟ ସମ୍ପର୍କ ଛିନ୍ନ କରି ନିଜର ସ୍ଵତନ୍ତ୍ର ଭାଗ୍ୟମାନ ନିର୍ମାଣ କରୁଛନ୍ତି ଓ ତାହାକୁ ହିଁ ଇଶ୍ଵରଙ୍କର ଆଶୀର୍ବାଦବତ ମଣୁଛନ୍ତି !

 

ପୂର୍ଣ୍ଣାଙ୍ଗ ଯୋଗ ପୃଥିବୀରୁ ପଳାଇ ଯିବାକୁ ନୁହେଁ, ପୃଥିବୀକୁ ବଦଳାଇବାର ସ୍ପର୍ଦ୍ଧା ପୋଷଣ କରିଛି । ଏବଂ, ସେହି ଅନୁସାରେ ପୂର୍ଣ୍ଣାଙ୍ଗ ଶିକ୍ଷା ଆକାଂକ୍ଷିତ, ଯାବତୀୟ ଅଧ୍ୟାତ୍ମକୁ ଏହି ପୃଥିବୀ ଉପରକୁ ଅବତରଣ କରାଇ ଆଣିବାର ଏକ ଯୋଜନା ନେଇ ଆପଣାର ପରୀକ୍ଷା ଦେବାକୁ ବାହାରିଛି । ଏହି ପୃଥିବୀ ଆଦୌ ମିଥ୍ୟା ନୁହେଁ, —ଅହଂ ଓ ସେଥିରୁ ଜନ୍ମଲାଭ କରୁଥିବା ଅବଜ୍ଞାମାନେ ହିଁ ଏଠାରେ ଭଗବତ୍ ମୂଲ୍ୟଗୁଡ଼ିକୁ ଅନ୍ତରାଳ କରି ରଖିଛନ୍ତି । ଅସଲ ଆଖିଟିକୁ ଲାଭ କଲେ ଏହି ପୃଥିବୀ ତୁମକୁ ବହୁ ଆହ୍ଵାନ ଅର୍ଥାତ୍ ବହୁ ସମ୍ଭାବନାର ଏକ ଭଣ୍ଡାର ପରି ଦେଖାଯିବ, ତୁମକୁ ବନ୍ଧୁପରି ଡାକିନେବ, —ତୁମେ ଯେପରି ସର୍ବୋତ୍ତମ ଭାବରେ ଯୋଗ୍ୟ ହୋଇପାରିବ, ସେଥିଲାଗି ତୁମକୁ ଅନୁକୂଳ ପରିବେଶଗୁଡ଼ିକୁ ଯୋଗାଇଦେବ ଏବଂ ଏକ ପ୍ରସାରଣଧର୍ମୀ ପ୍ରକ୍ରିୟାଦ୍ଵାରା ତୁମକୁ ତାହା କେତେ କେତେ ପରିବର୍ତ୍ତନ ସମ୍ଭବ କରାଇବାର ଯୋଜନାରେ କାମରେ ଲଗାଇ ପାରିବ । ତୁମେ ଅଧିକରୁ ଅଧିକ କାମରେ ଲାଗି ପାରିବାକୁ ହିଁ ଅଧିକରୁ ଅଧିକ ଯୋଗ୍ୟ ହେବ । ଇତିହାସର ଧର୍ମମାନେ ପୃଥିବୀରେ ହିଁ ସ୍ଵର୍ଗରାଜ୍ୟର ପ୍ରତିଷ୍ଠା ହେବ ବୋଲି କେତେ କେତେ କଳ୍ପନା କରି ଯାଇଛନ୍ତି, ମାତ୍ର ତଥାପି ସ୍ଵର୍ଗ ସତେଅବା ଦୂରକୁ ଘୁଞ୍ଚି ଘୁଞ୍ଚି ଯାଇଛି । ଶେଷକୁ ନିତାନ୍ତ ବ୍ୟର୍ଥତାବୋଧକୁ ବଶବର୍ତ୍ତୀ ହୋଇ ସତେଅବା ଆପଣା ପାଖରେ ପୂର୍ଣ୍ଣ ପରାଭାବ ଲାଭ କରିଥିବା ସଂସାର ବିରକ୍ତ ମନୀଷୀମାନେ ସଂସାରଟାକୁ ଅସାର ବୋଲି ଘୋଷଣା ଏବଂ ଭାରତବର୍ଷରେ ସତ୍ୟାବତରଣର ଯାବତୀୟ ପଥକୁ ଓଗାଳି ରଖିଛନ୍ତି । ମନ୍ୟୁଷମାନେ ବିଶ୍ଵାସ ହରାଇଛନ୍ତି, ପାପମୟ ସଂସାରଟାରୁ ଯଥାଶୀଘ୍ର ମୁକ୍ତିଲାଭ କରିବା ନିମନ୍ତେ ଅସହାୟ ହୋଇ ଉପାସ୍ୟମାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ଅଧିକଙ୍କୁ ନାନାବିଧ ମାର୍ଗରେ ସଦାଅସହାୟ କରି ରଖି ଅଳପ ମଣିଷ ସେମାନଙ୍କୁ ଶାସନ କରିଛନ୍ତି, ସେମାନଙ୍କୁ ନାନା ଅଳ୍ପତା ମଧ୍ୟରେ ନିର୍ମମ ଭାବରେ କିଳି ରଖିଛନ୍ତି, ତେଣୁ, ସେମାନଙ୍କୁ ସେମାନଙ୍କର ହିତ ବିଶ୍ଵାସଗୁଡ଼ିକୁ ଆଣିଦେବା, ସାହସୀ କରାଇବା, ଜୀବନକାମୀ ଯାବତୀୟ ବଳରେ ବଳୀୟାନ୍ କରିବା, —ଯଥାର୍ଥ ଶିକ୍ଷା ଏହିଗୁଡ଼ିକୁ ହିଁ ନିଜର ସର୍ବୋଚ୍ଚ ଉଦ୍ଦେଶ୍ୟ ରୂପେ ଗ୍ରହଣ କରିବ । ଭାଗ୍ୟ ଯେ ଇଶ୍ଵରଙ୍କଠାରୁ ମୋଟେ ବଡ଼ ନୁହେଁ, ସେହି ସତ୍ୟଟିର ପୂର୍ଣ୍ଣପ୍ରତିଷ୍ଠା କରାଇବ । ଜଡ଼ତା ଭାଙ୍ଗିବ, ଏକ ନୂତନ ଆଶାଦ୍ଵାରା ଉଜ୍ଜ୍ଵଳ ଏବଂ କ୍ରିୟାଶୀଳ ହୋଇ ରହିଥିବା ପାରସ୍ପରିକତା ଦ୍ଵାରା ମଣିଷକୁ ମଣିଷର ନିକଟବର୍ତ୍ତୀ କରାଇ ଆଣିବ । ଏତିକି କାର୍ଯ୍ୟକ୍ରମକୁ ନିଜର ଧର୍ମ ବୋଲି ଗ୍ରହଣ କରି ନେଇଥିବା ଦଳେ ଶିକ୍ଷକଙ୍କ ଠାରୁ ଆଉ ଅଧିକ ଭାଗ୍ୟବାନ୍ ଏହି ପୃଥିବୀରେ କିଏ ଅଛି ଆପଣ କହନ୍ତୁତ ।

 

ଶିଖରଟି ଦିଶୁଥିବା ପର୍ଯ୍ୟନ୍ତ ଚାଲିବା ମଣିଷମାନଙ୍କର ଗୋଡ଼କୁ ବଳ ମିଳି ଯାଉଥିବ ଏବଂ ଅନ୍ୟ ପକ୍ଷରେ, ଏଡ଼େ ବଡ଼ ପାହାଡ଼ଟି କିପରି ମୁଁ ଉଠିବି ବୋଲି ରୋଦନ କରୁଥିଲେ ଖଣ୍ଡେ ଖଣ୍ଡେ ପଥର ମଧ୍ୟ ଅନତିକ୍ରମ । ଏଡ଼େ ଏଡ଼େ ପ୍ରତିବନ୍ଧକ ଭଳି ଦେଖା ଯାଉଥିବେ । ଖାଲି ଅଭିଯୋଗ କରିବାକୁ ମନ ହେଉଥିବ ଏବଂ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଅଭିଯୋଗ କରୁଥିବା ମଣିଷର ଭିତର ବଳଟା ମଧ୍ୟ ତାକୁ କ୍ରମେ ଖସି ଖସି ଯାଉଥିବା ପରି ଲାଗୁଥିବ । ଏହା ଅତ୍ୟନ୍ତ ସ୍ପଷ୍ଟ ଯେ ଏକ ଅସମାନ ସମାଜରେ ଯାବତୀୟ ଯଥାର୍ଥ ଶିକ୍ଷାର ପ୍ରତିଷ୍ଠା କରିବାକୁ ଇଚ୍ଛା କରୁଥିବା ସକଳ ପ୍ରୟାସକୁ ଧର୍ମତଃ ସେହି ଅସମାନତାଗୁଡ଼ିକ ସହିତ ମଧ୍ୟ ଆଦୌ କମ୍ ଯୁଝିବାକୁ ପଡ଼ିବନାହିଁ । ଯୁଝି ନପାରିଲେ ତୁମେ କୋଉ ସୂତ୍ରରରେ ଯେ ବହୁବିଧ ସାଲିସ୍ ଭିତରେ ଯାଇ ପଶିଯିବ ଓ ପଥବଣା ହେବ, ତାହାରି କୌଣସି ସୀମା ହିଁ ରହିବନାହିଁ । ଭାରତୀୟ ସମାଜ ବାର ବାର ବହୁ ଅସମାନତା ସହିତ ସାଲିଶ୍ କରିବାକୁ ଯୁଗେ ଯୁଗେ ବାଧ୍ୟ ହୋଇ ଆସିଛି । ତେଣୁ, ଆମର ଶାସ୍ତ୍ରମାନଙ୍କରେ ବିଦ୍ୟା ଓ ବିଚାରଦର୍ଶନର ଉତ୍ତୁଙ୍ଗ ଚମତ୍କାର କଥାମାନ କୁହା ହୋଇ ଆସିଥିଲେ ମଧ୍ୟ ଭାରତୀୟ ଜୀବନ ବହୁ ଦୂରତା ଏବଂ ହୃଦୟହୀନତା ମଧ୍ୟରେ ସତେଅବା ଅତ୍ୟନ୍ତ କ୍ଲୀବ ହୋଇ ପଡ଼ି ରହିଛି । ତେଣୁ ଏକ ନୂତନ ଶିକ୍ଷାସହିତ ନୂତନ community ଟିଏ ମଧ୍ୟ ସଂଯୋଜିତ ହୋଇ ରହିଥିବା ଉଚିତ । ସେଇଟି ସମ୍ଭବତଃ ଆମର ଅସଲ ସମସ୍ୟା । ଯିଏ ଆପଣା ସମ୍ମୁଖରେ ଏକ ନୂତନ ସମ୍ବନ୍ଧରେ ଚିତ୍ରଟିଏ ଉତ୍ତୋଳିତ କରି ଧରିଛି ଓ ସେହି ଅନୁସାରେ ଶିକ୍ଷାର ମାଧ୍ୟମରେ ଆବଶ୍ୟକ ଭୂମିଟିଏ ପ୍ରସ୍ତୁତି କରି ରଖିବାର ଲକ୍ଷ୍ୟରଖିଛି, ସିଏ ଅର୍ଥାତ୍ ସେମାନେ ଏକ ନୂତନ ଗୋଷ୍ଠୀଜୀବନର ମଧ୍ୟ ନମୁନା ହୋଇ ରହିବା ନିମନ୍ତେ ଅଦ୍ୟମ କରୁଥିବା କରୁଥିବା ଆବଶ୍ୟକ । ନହେଲେ ତୁଣ୍ଡର କଥା ଏବଂ ବଞ୍ଚୁଥିବା ଜୀବନ ଭିତରେ ନାନା ବିରୋଧ ଆସି ପଶିଯିବା, ବହୁବିଧ କୃତ୍ରିମତା ଆସି ତୁମର ପ୍ରୟାସଗତ ସକଳ ନିଷ୍ଠାକୁ ପଣ୍ଡ କରିଦେବ ଏବଂ ତୁମର ସବୁଯାକ କାର୍ଯ୍ୟକ୍ରମ ସତେଅବା ଭାବି ହାସ୍ୟାସ୍ପଦ ଭାବରେ ଦୁଇଫାଳ ହୋଇ ରହିଥିବ । ସେଥିରୁ ପ୍ରମାଦ ଉପୁଜିବ ଏବଂ ପ୍ରମାଦରୁ ବିଦାନମାନେ ଜନ୍ମଲାଭ କରିବେ । ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାରେ ଉପୁଜିଥିବା ବହୁ ପ୍ରମାଦ ତଥା ବିବାଦ ପଛରେ ହୁଏତ ସେହି ମୂଳ ସମସ୍ୟାଟି ନିହିତ ହୋଇ ରହିଛି । ଆମର ଗୋଷ୍ଠୀଜୀବନ ବଦଳି ପାରୁନାହିଁ ବୋଲି ଆମର ପ୍ରୟୋଗ ମଧ୍ୟ ପୋଲ ହୋଇ ଯାଉଛି । ବହୁ ବାହ୍ୟାଚାରରେ କିଞ୍ଚିତ୍ ସାନ୍ତ୍ଵନା ସିନା ମିଳୁଛି, ମାତ୍ର ଢାଙ୍କୁଣିମାନ ଖୋଲି ପାରୁନାହିଁ ।

 

ପୁରୁଣା ସମାଜ ସହିତ ପଦେ ପଦେ ଧକ୍କା ବାଜିଯାଉଛି । ଏକାଧିକ ଅର୍ଥରେ ଶିକ୍ଷାକୁ ଶାସନ କରୁଥିବା ସରକାର ଆମେ ଭାଙ୍ଗିବାକୁ ଇଚ୍ଛା କରୁଥିବା ପୁରୁଣାଟାର ସତେଅବା ଆମଲାଗି ଏକ ଦୁଃସାଧ୍ୟତମ ସନ୍ତକ ହୋଇ ରହିଛି । ବହୁ ଆବଶ୍ୟକ ପରିବର୍ତ୍ତନ ଲାଗି ଅମଙ୍ଗ ହୋଇ ରହିଥିବା ସମାଜରେ ସମ୍ଭବତଃ ସେହି ସମାଜରେ ଶାସନ କରୁଥିବା ସରକାରକୁ ହିଁ ଏକ ବ୍ୟାଧିଗ୍ରସ୍ତ Establishment ବୋଲି କହିବାକୁ ପଡ଼ିବ । ଏବଂ, ଏହିପରି ଗୋଟିଏ ସରକାରରେ ତା’ର ତଥାକଥିତ ଶିକ୍ଷାବିଭାଗଟା ହିଁ ସବୁଠାରୁ ଅଧିକ ବ୍ୟାଧିଗ୍ରସ୍ତ ଓ ତେଣୁ ଦୂରାଗ୍ରହପୂର୍ଣ୍ଣ ହୋଇ ରହିଥାଏ । ସେହି ବିଭାଗଟିର ଏକ ବିଶ୍ଳେଷଣ କରିବା ମାତ୍ରକେ ବିଭାଗଟିକୁ ଚଳାଉଥିବା କର୍ତ୍ତାମାନଙ୍କ ଉପରେ ପ୍ରକୃତରେ ଭାରି ଦୟା ବି ହୁଏ । ସେମାନେ ନିଜ ବିଭାଗରେ ହୁଏତ ଗୋଟାଏ ଗୋଟାଏ ଇନ୍ଦ୍ର ପରି ଦିଶୁଥାଆନ୍ତି ସିନା, ମାତ୍ର ବାସ୍ତବ କ୍ଷେତ୍ରରେ ଯାବତୀୟ ଆୟତନରେ ଭାରି ଅକର୍ତ୍ତବ୍ୟ ହୋଇ ରହିଥାନ୍ତି, ନିତାନ୍ତ ନିମକା ହୋଇ ରହିବାକୁ ସମ୍ଭବତଃ ସବୁଠାରୁ ଅଧିକ ନିରାପଦ ବୋଲି ଧରି ନେଇଥାନ୍ତି । ସେମାନେ ସବାଆଗ ଚାକିରିଆ ପରି ଆପଣାର ଭୂମିକାଗୁଡ଼ିକୁ ତୁଲାଉ ଥାଆନ୍ତି । ଏବଂ, ପୃଥିବୀରେ ଶିକ୍ଷାର ଜଗତରେ ଯେତେ ଯେଉଁଠି ଅଗ୍ରଗତି ଓ ପରିବର୍ତ୍ତନ ହୋଇ ଆଗକୁ ବାଟ ଫିଟିଛି, ତାହା ଆଦୌ କେଉଁଠିହେଲେ ଆତ୍ମକାତର ଓ ଜୀବିକାସର୍ବସ୍ଵ ସ୍ଥଳପତିମାନଙ୍କ ଦ୍ଵାରା ଶିକ୍ଷାକ୍ଷେତ୍ରରେ ପ୍ରକୃତରେ କିପରି କ’ଣ କରିପାରିବ ? ଏହି ବିଭାଗୀୟ କର୍ତ୍ତାମାନଙ୍କର ପ୍ରକୃତରେ କେଉଁଥିରେ ଆଗ୍ରହ ରହିଛି, ଯେତେ ବେଶୀ ସହାନୁଭୂତି ସହିତ ସେମାନେ ନିଜକୁ ଏହି ପ୍ରଶ୍ନଟି କରି ବସିଲେ ମଧ୍ୟ ହୁଏତ ତଥାପି କୌଣସି ଉତ୍ତର ପାଇବେନାହିଁ । ସେମାନେ ଆଜି ଶିକ୍ଷାବିଭାଗରେ ଅଛନ୍ତି ତ କାଲି ଆଉକାହାରି ଇଚ୍ଛାରେ ଆଉ କେଉଁ ବିଭାଗକୁ ଚାଲିଯିବେ । କନ୍ଦୁ କିପରି ଗଡ଼ୁଥିବେ, ଦରମାରେ ଓ କ୍ଷମତାରେ ସ୍ଥୂଳ ଓ ଅଧିକ ସ୍ଥୂଳ ହେବାରେ ଲାଗିଥିବେ । ପ୍ରଧାନତଃ ପହରାବାଲାରେ କାମ କରୁଥିବେ, ଅଶିକ୍ଷା ବୃଦ୍ଧି କରିବାରେ ନିମିତ୍ତ ହୋଇ ରହିଥିବେ । ଭେକରେ, ବେଶରେ, ଠାଣିରେ ଓ ମାଣିରେ ଗୋଟାଏ ଗୋଟାଏ ରାଣୀଙ୍କ ପରି ଦିଶୁଥିବେ ସତ ମାତ୍ର ସେମାନଙ୍କ ଆଗ୍ରହଘରେ ପ୍ରକୃତରେ କୋଉ ରଜା ସେମାନଙ୍କୁ ନିଜର କରି ରଖିଛି କି ନାହିଁ, ଆପଣାକୁ ସେଇକଥାଟି ପଚାରିବାକୁ ହୁଏତ ଭୟ କରୁଥିବେ । ଯିଏ ସତକୁ ସତ କାହାର ହୋଇପାରିବା ଭଳି ଅର୍ଥାତ୍ କୋଉଥିପାଇଁ ବଞ୍ଚିପାରିବା ପାଇଁ କୌଣସି ଥଳ ପାଇନାହିଁ, ସିଏ ଜୀବନଯାକ ଗୋଟାଏ ଧଳାଭାଲୁ ପରି ଅଥଳ ଜଳରେ ପଡ଼ି ଉବୁଡ଼ୁବୁ ହେଉଥିବା ସିନା, ପୃଥିବୀରେ ହୁଏତ କେବେ କାହାରି କାମରେ ଲାଗି ପାରିବନାହିଁ । ବିଧାତାର କାମରେ ତ ଆଦୌ ନୁହେଁ ।

 

ବିଭାଗୀୟ ରାଣୀମାନଙ୍କ ଉପରକୁ ଶିକ୍ଷାର ସିରସ୍ତାରରେ ଜଣେ ବା କେଇଜଣ ମନ୍ତ୍ରୀ ଥାଆନ୍ତି । କାହିଁକି ଆସିଥାନ୍ତି, ସେବିଷୟରେ ନିଜକୁ କେବେହେଲେ କୌଣସି ପ୍ରଶ୍ନ କରିନଥାନ୍ତି । ସେମାନେ ହୁଏତ କେବଳ ଭାରି ଭୋକିଲା ଥାଆନ୍ତି, ତେଣୁ ସେମାନଙ୍କ ପକ୍ଷରେ ଯୋଉ ପାଳରୁ ବି ପୁଳାଏ ପକାଇଦେଲେ ତାକୁ ପାକୁଳି କରିବାରେ ଲାଗିଥାନ୍ତି । ଶିକ୍ଷା ଧରାଇଦେଲେ ଯେତିକି ଖୁସୀ, ଅବକାରୀ ଧରାଇଦେଲେ ବି ସେତିକି ଖୁସୀ । ଏ ଥାନରୁ ଝିଙ୍କି ଆଣି ସେ ଥାନାରେ ନେଇ ବସାଇଦେଲେ ଆପତ୍ତି କରିବାକୁ କିଛି ନାହିଁ । ସେମାନେ ଗୋଟାଏ ଗୋଟାଏ ଗଣ୍ଡାରବତ ନିଜ ନିଜର ବିଭାଗକୁ ମନ୍ଥି ପକାଇବାରେ ଲାଗିଥାଆନ୍ତି । ଶିକ୍ଷା ରହୁ କି ନରହୁ, ଅବକାରୀ ରହୁ କି ନରହୁ, ନିଳର ଏହି ଗଣ୍ଡାରପଣଟା ଅତୁଟ ରହିଥିବା ପର୍ଯ୍ୟନ୍ତ ସେମାନେ ନିଦକରେ ରହିଥାନ୍ତି । କାର୍ଯ୍ୟତଃ, ଯାହାର ଅନୁଗ୍ରହରୁ ସେମାନଙ୍କୁ ପଦଟିଏ ମିଳିଛି, ସେହିମାନଙ୍କୁ ଥାନରେ ଅଥାନରେ ତୋଷାମଦ କରି ସ୍ଵର୍ଗକୁ ଟେକିଦେବା ବ୍ୟତୀତ ସେମାନଙ୍କର ଅନ୍ୟ କୌଣସି ଧନ୍ଦା ନଥାଏ । ସେମାନେ ସଭାମନଙ୍କରେ ବର ଭଳି ଦେଖା ଯାଉଥାନ୍ତି ଏବଂ କୌଣସି ସତ୍ୟ ଅଥବା ସଙ୍କଳ୍ପ ସହିତ ସେମାନଙ୍କର ଆଦୌ କୌଣସି ପରିଣୟ ହୋଇଛି କି ନାହିଁ, ସେହି ନହସରେ ସେକଥାଟାକୁ ଗୋଟାସୁଦ୍ଧା ପାସୋରି ଦେଇଥାନ୍ତି । ବିଭାଗୀୟ ରାଣୀମାନେ ସେମାନଙ୍କୁ କ୍ରୀଡ଼ନକ କରି ରଖିଥାନ୍ତି, ମୂଢ଼ମାନଙ୍କର ଦାଉରେ ଯାବତୀୟ ଶିକ୍ଷା କେବଳ ଛଟପଟ ହେବାରେ ଲାଗିଥାଏ । ସଂସାରକୁ ଅନିତ୍ୟ ବୋଲି ଘୋଷଣା କରି ଏକ ନିର୍ଦ୍ଦିଷ୍ଟ ର୍ଦଶନରେ ପୃଥିବୀରେ ତୁମେ ଯେତେଦିନ ରହିଛ, ଖାଲି ଭୋଗ କରି ଯାଅ ବୋଲି ଯେପରି ଆର୍ଷ ପରାମର୍ଶ ଦିଆଯାଇଛି, ଆମ ରାଷ୍ଟ୍ରରେ ସର୍ବୋଚ୍ଚ କରିନ୍ଦାମାନଙ୍କୁ ଦେଖିଲେ ସେହି କଥାଟା ଭାରି ମନେ ପଡ଼ିଯାଏ । ଏବଂ, ତୁମର ଜୀବନସ୍ଵପ୍ନଗୁଡ଼ିକରେ, ତୁମ ବ୍ରତଗୁଡ଼ିକର କ୍ଷେତ୍ରରେ ଏମାନେ ତୁମକୁ ହୁଏତ କେବେହେଲେ କୌଣସି ସାହାଯ୍ୟ କରିବେ ନାହିଁ ବୋଲି ଦୃଢ଼ ପ୍ରତ୍ୟୟ ବି ହୋଇଯାଏ । ବରଂ, ଭଗାରିମାନଙ୍କ ଠାରୁ ସର୍ବଦା ସତର୍କ ରହିବା ସକାଶେ ଏକ ବିବେକ ଆସି ତୁମର କାନ ପାଖରେ କହି ଯାଉଥାଏ-

 

ଏହିପରି ଏକ ପ୍ରଶାସନ ବା ଶାସନ ଗୋଟାଏ ରାଜ୍ୟର ଶିକ୍ଷାଯତ୍ନକୁ ଚଳାଇବାର ମାର୍ଫତଦାର ହୋଇରହିଥାଏ । ତା’ ଭିତରେ ଯେଉଁମାନେ ଚୌକି ମାଡ଼ି ବସିଥାନ୍ତି, ସେମାନେ ସରକାରୀ ବହିରେ ଲେଖା ହୋଇଥିବା କେତେଟା ନିୟମ ଅନୁସାରେ ଯନ୍ତ୍ରଟାକୁ ଚଳାଇବାକୁ ଆସିଥାନ୍ତି । ଯନ୍ତ୍ରଟା ବଡ଼ ସଉକରେ ଚାଲୁଥାଏ । ଅମଲା, କିରାନି, ସହକାରୀ ଓ ଦରବାରୀମାନେ ଥାକ ଥାକ ହୋଇ ରହିଥାନ୍ତି । ସମସ୍ତେ ଥୁଣ୍ଟା ପାହାଡ଼ଟାଏ ପରି କର୍ତ୍ତୃତ୍ଵର ପ୍ରତିନିଧିତ୍ଵ କରନ୍ତି । ଶିକ୍ଷା ବିଷୟରେ କେତେ କମ୍ ଜାଣିଥାନ୍ତି । ଶିକ୍ଷାରେ ନିରନ୍ତର ନୂତନ ପ୍ରୟୋଗ ହେଉଥିବା ଉଚିତ ବୋଲି ଆହୁରି କମ୍ ଜାଣିଥାନ୍ତି । ଭାରତବର୍ଷରେ ଏବେ ମଧ୍ୟ ଶିକ୍ଷାବିତରଣର ସୁସ୍ଥ ଧାରାଟିଏ ଆବିଷ୍କାର ହୋଇନାହିଁ ବୋଲି ସେମାନଙ୍କର ମୁଣ୍ଡ କେବେ ବଥାଏନାହିଁ । ଗୋଟାଏ ଦେଶର ପିଲା ମୂଳରୁ ହିଁ ମତର ପ୍ରକାରର ଶିକ୍ଷା ପାଇ ସତର ପ୍ରକାର ତିଆରି ହୋଇ ଯାଉଛନ୍ତି ଏବଂ ଏକ ସାମୂହିକ ଜୀବନକୁ ନିଷ୍ଠାପର ଭାବରେ ପ୍ରଦୂଷିତ କରି ପକାଉଛନ୍ତି ବୋଲି ଉଦବେଗ ପ୍ରକାଶ କରିବାକୁ ସେମାନଙ୍କର ସମୟ ନଥାଏ । ଏମାନେ ଗୁଳାଟିକୁ ହିଁ ଚିହ୍ନିନ୍ତି ଓ ଗୁଳାରେ ସବୁକିଛି ଚାଲିଥିବା ପର୍ଯ୍ୟନ୍ତ ଶିକ୍ଷା ଠିକ୍ ଚାଲିଛି ବୋଲି ବୁଝନ୍ତି । ଏତିକି ବ୍ୟତୀତ ଆଉ କିଛି ବୁଝନ୍ତିନାହିଁ । ପଇସାର ଗାଞ୍ଜିଆଟା ସେମାନଙ୍କର ହାତରେ ଥାଏ ବୋଲି ସେମାନଙ୍କର ମରଜି ଅନୁସାରେ ଅଲବତ ସବୁ ଚାଲିବ ଜିଦ୍ ଧରି ବସିଥାନ୍ତି । ଯିଏ ଯେଉଁଠି ମୋଟେ ନରହିବା କଥା, ସିଏ ସେଠାରେ ସବାଉଚ୍ଚ ଭାଡ଼ିଟା ଉପରେ ଯାଇ ବସିଥାଏ । ଯେଉଁ ସ୍ତରର ଶିକ୍ଷାର ଦାୟିତ୍ଵ ଜଣକ ଉପରେ ନ୍ୟସ୍ତ କରାଯାଇଛି, ସେହି ବିଷୟରେ ହୁଏତ ତା’ର ଆଦୌ କୌଣସି ଅନୁଭବ ନଥାଏ, ତଥାପି ସିଏ ସେଠାରେ ସବାବଡ଼ ହୋଇ ବସିଥାଏ । ବାଚାଳତା କରୁଥାଏ । ଦେଶର ଭାଷାରେ କଥା କହି ଜାଣିନଥାଏ । ନିଜ ଭିତେ କେଉଁ ଭୋକଟି ରହିଗଲେ ଯେ ଜଣେ ମଣିଷ ଶିକ୍ଷକ ହେବାରୁ ଜୀବନର ବ୍ରତରୂପେ ଗ୍ରହଣ କରିଥାଏ,ସେମାନଙ୍କୁ ତୁମେ ସେକଥା କିପରି ଭାବରେ ବୁଝାଇ କହିପାରିବ ? ଶିକ୍ଷାବିଭାଗକୁ ସତେଅବା ଗୋଟାଏ ବେଗମ୍ ପରି ଭୋଗ କରୁଥିବା ନବାବମାନଙ୍କୁ ତୁମେ କାହିଁକି ପ୍ରେମ ବିଷୟରେ କ’ଣ କହିବାକୁ ଯିବ ?

 

ଯାବତୀୟ ନବସୃଜନ ନିମନ୍ତେ ତୁମକୁ ଗୁଳା ବାହାରେ ହିଁ ରହିବାକୁ ପଡ଼େ । ବାର ବାର ବହୁ ଅନିଶ୍ଚିତତା ମଧ୍ୟରେ ପ୍ରବେଶ କରି ଆପଣାର ପରୀକ୍ଷା ଦେବାକୁ ପଡ଼େ । ତୁଚ୍ଛା ମନମୋଟାମାନେ ତୁମର ସେହି ପ୍ରୟୋଜନଟିକୁ କାହିଁକି କୋଉ ଗରଜରେ ବୁଝିବାକୁ ଇଚ୍ଛା କରିବେ ? ତୁଚ୍ଛା ପୋଲିସମାନେ ତୁମ ହୃଦୟ ଭିତରେ ପଶିବା ନିମନ୍ତେ କ’ଣ ପାଇ ଚେଷ୍ଟା କରିବେ ? ଏକଦା ଏହି ବିଭାଗର ସରକାରୀ ମନ୍ତ୍ରୀମାନେ ହିଁ ସତେଅବା ସବୁକିଛି ବୁଝିଥିଲା ପରି ମୌଳିକ ଶିକ୍ଷାର ପ୍ରୟୋଗଟିକୁ ମଧ୍ୟ ଗୁଳାରେ ଆଣି ପକାଇବାର ଧୁରନ୍ଧରୀ ପ୍ରଦର୍ଶନ କରୁଛନ୍ତି ଓ ତାହାରି ବେକ ମୋଡ଼ି ଦେଇଛନ୍ତି । ଏବେ ସେହିମାନଙ୍କର ଧର୍ମଦାୟାଦମାନେ ହିଁ ତାହାର ସେତିକି ଦର୍ପରେ ବିଭାଗଟିକୁ ଶାସନ କରୁଛନ୍ତି ଓ ଆମର ଭାଗ୍ୟନିୟନ୍ତ୍ରଣକାରୀ ଶ୍ରେଷ୍ଠୀ ହୋଇ ବସିଛନ୍ତି । ଏମାନଙ୍କୁ ତୁମେ ପୂର୍ଣ୍ଣାଙ୍ଗ ଶିକ୍ଷାର ହୃଦୟଟି ବିଷୟରେ ପ୍ରକୃତରେ କ’ଣ କହିପାରିବ ? ଯିଏ କେବେହେଲେ ପ୍ରେମ କରିଥାଏ, ବିଫଳ ବା ସଫଳ ଯାହା ହୋଇଥାଉ ପଛକେ, କେବଳ ତାହାରି ପାଖରେ ହିଁ ପ୍ରେମ ବିଷୟରେ କିଛି କହି ହୁଏ ଏବଂ କହିଲେ ସିଏ ତୁମ କଥାଟିକୁ ବୁଝିପାରେ । ଯିଏ ନିଜଠାରୁ ଉଚ୍ଚତର ବା ବୃହତ୍ତର କ’ଣ ଗୋଟିଏ ପାଇଁ ଜୀବନ ବଞ୍ଚୁଥାଏ ଏବଂ ଆପଣାର ସର୍ବୋତ୍ତମ ଅର୍ଜନଗୁଡ଼ିକୁ ସମ୍ବଳରୂପେ ବ୍ୟବହାର କରି କିଞ୍ଚିତ୍ ପ୍ରୟୋଗ କରିବା ନିମନ୍ତେ ଦାଣ୍ଡକୁ ବାହାରିଥାଏ, ହୁଏତ ତାହାରି ପାଖରେ ହିଁ ନିଜର ଗଭୀରତମ ସମ୍ବେଦନାଗୁଡ଼ିକୁ ବ୍ୟକ୍ତ କରାଯାଇ ପାରିବ । ମାତ୍ର, ଯେଉଁମାନେ ନିଜର ଯାବତୀୟ ପାଠ ଓ ପୁଞ୍ଜିକୁ ସତେଅବା ଗଣିକାପରି ଭୋଗ କରି ସେଇଥିରୁ ହିଁ ସ୍ଵଅଭିଳଷିତ କାମସ୍ପର୍ଶଗୁଡ଼ିକ ଲାଭ କରୁଛନ୍ତି, ସେମାନଙ୍କୁ ଆମ ଦେଶର ବିଦ୍ୟାର ଇଜତ ନେବାକୁ କାହିଁକି ଆମ ଭଣ୍ଡାରଘର ମାନଙ୍କରେ ନିଯୁକ୍ତ କରି ରଖାଯାଉଛି କେଜାଣି-? ଭାରତବର୍ଷରେ ଲୋକଧର୍ମ ଅନୁସାରେ ରାଜଧର୍ମ ଚାଲୁଥିଲେ ସେପରି କଦାପି ହେଉନଥାନ୍ତା-

 

କେବଳ ପୂର୍ଣ୍ଣାଙ୍ଗ ଶିକ୍ଷାର ନୁହେଁ, ଭାରତବର୍ଷରେ ଯାବତୀୟ ଶିକ୍ଷାର ଦୁର୍ଭାଗ୍ୟ ଯେ ଏଠାରେ ମିଛ ଲଢ଼େଇ ଗୁଡ଼ାକୁ ଲଢ଼ିବାରେ ହିଁ ମଣିଷମାନଙ୍କର ବୟସ ଓ ବଳ ବରବାଦ ହୋଇଯାଉଛି । ଯେଉଁମାନେ ଆମସାଥିରେ ଆଦୌ ନାହାନ୍ତି, ସେହିମାନେ ହିଁ ଆମ ଭାଗ୍ୟର ଅଢ଼ା ଧରି ବସିଛନ୍ତି । ଦେଶର ରାଜନୀତିଠାରୁ ଆରମ୍ଭ କରି ସବୁଯାକ ନିର୍ଣ୍ଣୟର ମୂଳ ଚାବିଗୁଡ଼ାକ ପାଷଣ୍ଡମାନଙ୍କ ହାତରେ ରହିଛି । ରାଜନୀତିକ କ୍ଷମତାର ହସ୍ତାନ୍ତର ପରେ ପରବର୍ତ୍ତୀ ପ୍ରଗତିଗୁଡ଼ିକ ନିମନ୍ତେ ଏକ ଅତ୍ୟାବଶ୍ୟକ ଭିତ୍ତିଭୂମି ସମ୍ଭବ କରିବା ସକାଶେ ଏଠି ଯେଉଁ ପରିବର୍ତ୍ତନଗୁଡ଼ିକ କରାଯାଇ ଥାଆନ୍ତା, ହାକିମମାନେ ସେଗୁଡ଼ିକ ହେବାକୁ ଦେଇନାହାନ୍ତି । ତେଣୁ, ଯାବତୀୟ ପ୍ରୟାସ ସତେଅବା ସେଇମାନଙ୍କର କଚେରୀ ଯାଏ ଆସି ଝୁଣ୍ଟିବାରେ ଲାଗିଛି । କୋଟି କୋଟି ଟଙ୍କା ପାଣିରେ ପଡ଼ୁଛି, ଅଥଚ ଅସଲ ବନ୍ଧୁକଗୁଡ଼ିକ ସେହି ଲମ୍ଫଟମାନଙ୍କ ହାତରେ ରହିଛି । ଦେଶରେ ଗୋଟାକୁ ଗୋଟା କମିଶନ ବସି ଶିକ୍ଷାରେ ପରିବର୍ତ୍ତନ ନିମନ୍ତେ ଯାହାକିଛି ପ୍ରସ୍ତାବ ଆସିଛି, ସେଗୁଡ଼ାକୁ କେଡ଼େ ଦମ୍ଭପୂର୍ଣ୍ଣ ଭାବରେ ଭୂରାଡ଼ି ଦିଆଯାଇଛି । ଏପରିକି, କାଳ ଯାହା ହେଉ ବୋଲି କରୁଛି, କ୍ଷମତା ପରର କାଳମାନେ ତାହାକୁ ଭଣ୍ଡୁର କରି ଦେଉଛନ୍ତି । ଶିକ୍ଷକ ଭିତରୁ କାଳପୁରୁଷ ବେଳେ ବେଳେ ଏକଥା ମଧ୍ୟ ହୁଏତ ଇସାରା ଦେଇ କହୁଛି ଯେ, ସବାଆଗ ଏହି ବ୍ୟୂହଟି ନଭାଙ୍ଗିଲେ ଏଦେଶରେ ମୋତେ କିଛି ଫଳିବନାହିଁ । ଶିକ୍ଷା ଉପରେ ଅଶିକ୍ଷାର ଆଧିପତ୍ୟ ଜାରି ହୋଇ ରହିଥିବ । ପୃଥିବୀ ଆଗକୁ ବାହାରିଯିବ, ଭାରତବର୍ଷ ପଛରେ ରହିଯିବ । ତଥାପି, ଏକ ଦ୍ଵିତୀୟ ବାଣୀ ମଧ୍ୟ ସେଇଠୁ ଥାଇ କହୁଛି, ଯଦି ଭାରତବର୍ଷ ପଛକୁ ରହିଯିବ, ତେବେ ପୃଥିବୀର ଦଶା ବି କ’ଣ ହେବ ?

 

ଏକ ସୁସ୍ଥ ସମାଜରେ ହିଁ ଶିକ୍ଷାବ୍ୟବସ୍ଥା ସୁସ୍ଥ ହେବ, ଇଏ ଗୋଟିଏ ସତ କଥା । ସୁସ୍ଥ ଶିକ୍ଷାକୁ ମାଧ୍ୟମ କରି ଏକ ଅସୁସ୍ଥ ସମାଜକୁ ସୁସ୍ଥତା ଆଡ଼କୁ ନେଇଯାଇ ହେବ, —ଏଇଟି ବି ଗୋଟିଏ ସତ କଥା । ଦୁଇଟି ମଧ୍ୟରୁ କେଉଁଟି ଅଧିକ ସତ, କେଉଁଟି ପ୍ରକୃତରେ ଆଗ ? ଶିକ୍ଷାର ଯାବତୀୟ ନବୋଦ୍ୟମ ସମ୍ଭବତଃ ସମାଜରେ ରହିଥିବା ନାନା ଅସୁସ୍ଥତାକୁ ଆହ୍ୱାନରୂପେ ଗ୍ରହଣ କରି ପୃଥିବୀରେ ସମ୍ଭବ ହୋଇଛି । ଆହ୍ୱାନଗୁଡ଼ିକର ଜବାବ ଦେବାକୁ ଚେଷ୍ଟା କରିଛି । ଆହ୍ୱାନର ଅନ୍ତ ନାହିଁ । ତେଣୁ ଉଦ୍ୟମରେ ମଧ୍ୟ କେବେହେଲେ ଅନ୍ତ ନାହିଁ । ଆହ୍ୱାନ ସଚେତନତା, ଅର୍ଥାତ୍ ଅଧିକରୁ ଅଧିକ ଗ୍ରହଣଶୀଳ ଭାବରେ ଆହ୍ୱାନଗୁଡ଼ିକୁ ଠାବ କରିବା ଏବଂ ଆଗକୁ ବାଟଟିଏ କାଢ଼ିବା, ଶିକ୍ଷାର କ୍ଷେତ୍ରରେ ଯଥାର୍ଥ ପୁରୋଗାମୀମାନେ ତାହାହିଁ କରିଛନ୍ତି । ପୁରୋଗାମୀମାନଙ୍କର ପର୍ଯ୍ୟାୟଟି ପରେ ଯେତେବେଳେ କୌଣସି ଶିକ୍ଷାର ଧାରାଟି ପ୍ରତିଷ୍ଠିତ ହୋଇଗଲା ପରି ମନେହୋଇଛି, ସେତେବେଳେ ନାନା ସ୍ଥାଣୁତା ଆସି ଯାବତୀୟ ପ୍ରୟୋଗକୁ ଗ୍ରାସ କରି ପକାଉଛି । ଯେଉଁ ବ୍ୟବସ୍ଥାଟିକୁ ବଦଳାଇବା ସକାଶେ ଏକଦା କେହି ପୁରୋଗାମୀ ଅଥବା ପୁରୋଗାମୀମାନେ ନୂଆ ବାଟଟିଏ ଫିଟାଇବା ଲାଗି ସଂଗ୍ରାମ କରିଥିଲେ କୌଣସି କାରଣରୁ ସେହି ବ୍ୟବସ୍ଥାଟିର ସ୍ଵୀକୃତ ପାଇ ପ୍ରୟୋଗଟି ଅଟକି ଯାଇଛି । ସିଦ୍ଧି ମିଳିଗଲା ବୋଲି ମନେ ହୋଇଛି, ତେଣୁ ସାଧନା ସରିଯାଇଛି । ବିଶ୍ଵଭାରତୀ ଶାନ୍ତିନିକେତନକୁ ଆମେ ହୁଏତ ଏହିପରି ଏକ ସ୍ଥିତିରେ ପହଞ୍ଚି ଅଟକି ସଢ଼ିପଚି ଯାଇଥିବାର ଏକ ଶିକ୍ଷାପ୍ରୟୋଗର ଦୃଷ୍ଟାନ୍ତରୂପେ ଗ୍ରହଣ କରିପାରିବା ।

 

ଏଇଥିପାଇଁ ପୁରାତନ ଭାରତବର୍ଷରେ ଶିକ୍ଷାର ଅନୁଷ୍ଠାନଟିକୁ ସମାଜଠାରୁ ଦୂରରେ, ସମାଜ ବାହାରେ ଋଷି ଆଶ୍ରମରେ ତିଆରି କରିବାକୁ ଉଦ୍ୟମ କରାଯାଉଥିଲା କି ? ଏବେ ଆମ ଆଧୁନିକ କାଳରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସୂତ୍ରାଦର୍ଶକୁ ମୂଳ କରି ଧରି ଆଶ୍ରମମାନଙ୍କରେ ଶୁଦ୍ଧ ଶିକ୍ଷାପ୍ରୟୋଗମାନ କରିବାର ଉଦାହରଣମାନ ରହିଛି । ଏହିପରି ଏକ ଆଶ୍ରମର ଗଢ଼ଣ ଭିତରେ ହିଁ କବି ରବୀନ୍ଦ୍ରନାଥ ତାଙ୍କରି ନୂଆ ଶିକ୍ଷାସଂସାରଟିକୁ ଆରମ୍ଭ କରିଥିଲେ । ସ୍ଵାଧୀନ ଭାରତବର୍ଷରେ ଯେତେବେଳେ କ୍ଷମତାପନ୍ନ ହିତୈଷୀମାନେ ବିଶ୍ଵଭାରତୀକୁ ଏକ ପୂର୍ଣ୍ଣସ୍ଵୀକୃତ ବିଦ୍ୟାକେନ୍ଦ୍ରରୂପେ ବୃହତ୍ ଏବଂ ବପୁବନ୍ତ କରି ଗଢ଼ିବାକୁ ଇଚ୍ଛା କଲେ, ସେତେବେଳେ ସେମାନେ ସତେଅବା ଭାରି ସହଜରେ ସେଇଟିକୁ ଗିଳି ପକାଇଲେ । ବିଶ୍ଵଭାରତୀ ଭିତରେ ସମ୍ଭବତଃ ନିଜସ୍ଵ ହୋଇ, ବଳିଷ୍ଠ ହୋଇ ସେପରି କିଛି ନଥିଲା, ଯାହାକି ବାହାର କୋଳାହଳର ସଂସ୍ରବରେ ଆସିଲେ ମଧ୍ୟ ଆପଣାର ପ୍ରାଣସ୍ଵାତନ୍ତ୍ର୍ୟକୁ ତଥାପି ବଞ୍ଚାଇ ରଖି ପାରିଥାନ୍ତି । ଓଡ଼ିଶାରେ ଏକାଧିକ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ଏପରି ଅଛନ୍ତି, ଯେଉଁମାନେ କି ନିଜକୁ ଆଶ୍ରମଟିଏ ବୋଲି କହୁଛନ୍ତି ଏବଂ ଆପଣାକୁ ସେହି ନିଘାରେ ଦେଖୁଛନ୍ତି । ସମାଜ ଭିତରେ ସତେଅବା ଗୋଟିଏ ଗୋଟିଏ ଦ୍ଵୀପ ହୋଇ ରହିଛନ୍ତି । ଏକ holier than thouର ବୋଧ ଭିତରେ ଜର୍ଜର ହୋଇ ରହିଛନ୍ତି । ସେମାନେ ମାଗରେ ଅଛନ୍ତି କି ନାହିଁ, ଦିନେ ତାହା ପରୀକ୍ଷା ହେବ । ସମାଜ ପାଖରେ ସେହି ପରୀକ୍ଷାଟିକୁ ଅବଶ୍ୟ ଦେବାକୁ ପଡ଼ିବ । ଗୁମ୍ଫା ଭିତରର ତପସ୍ୟା ପରି ଗୁମ୍ଫା ଭିତରର ଶିକ୍ଷା ମଧ୍ୟ ଶେଷକୁ ବହୁ ପ୍ରମାଦର କାରଣ ହେବ । ଆମ ଗୋଡ଼ରେ ପ୍ରକୃତରେ କେତେ ଶକ୍ତି ରହିଛି କି ନାହିଁ, ବାଟ ଚାଲିବା ଦ୍ଵାରା ହିଁ ଆମେ ତାହାର ପ୍ରମାଣ ଦେବା । ଏବଂ, ଯାବତୀୟ ବାଟ ଚାଲିବା ଗୁମ୍ଫା ଭିତରେ ନୁହେଁ, ଏହି ସଂସାରରେ ଭିତରେ, ଜୀବନ ଭିତରେ ହିଁ ହେବ । ଅବଶ୍ୟ ଅତ୍ୟନ୍ତ ସ୍ପଷ୍ଟ କଥା ଯେ ତାହା ଏକ ଅନ୍ୟ ଅନ୍ତରଙ୍ଗତା ଏବଂ ଅନ୍ୟ ଆସ୍ପୁହା ସହିତ ହେବ । ସେହି ଅନନ୍ୟତା ହିଁ ପୁରୁଣାକୁ ଆଘାତ କରିବ, ପୁରୁଣାକୁ ଭାଙ୍ଗିବ, ପୁରୁଣା ଭିତରେ ନୂଆ ଦ୍ରାବିକ ପରିକାର୍ଯ୍ୟ କରିବ ।

 

ଏକ ସରକାରୀ ଶିକ୍ଷାବିଭାଗ ଶିକ୍ଷାର ଯାବତୀୟ ପ୍ରୟୋଗକୁ ତା’ ନିଜ ନିୟମପୁସ୍ତକ ଦେଇ ନୁହେଁ, ହୃଦୟ ଦେଇ ଦେଖିବ । କୌଣସି ପ୍ରୟୋଗଟି ମଧ୍ୟରେ ଏକ ସର୍ବନିମ୍ନ ସାଧୁତା ଏବଂ ଆନ୍ତରିକତା ରହିଛି ବୋଲି ନିଜର ହୃଦବୋଧ ହୋଇଯିବା ପରେ ଶିକ୍ଷାବିଭାଗ ତାହାକୁ ବାଟ ଛାଡ଼ିଦେବ । ତାକୁ ତା’ ନିଜ ବାଟରେ ନିଜକୁ ପରଖି ପରଖି ଆଗକୁ ଯିବାଲାଗି ବାଟ ଛାଡ଼ିଦେବେ-। ଏବଂ, ତାକୁ ଆର୍ଥିକ ସାହାଯ୍ୟ ମଧ୍ୟ ଦେବ । ଯିଏ ଗୁଳାରେ ଚାଲୁଛି, ଆଜ୍ଞାପାଳନ କରୁଛି, ଶିକ୍ଷାତନ୍ତ୍ରକୁ ଏକ ଭୃତ୍ୟରାଜତନ୍ତ୍ରରେ ଅଲକ୍ଷଣା କରି ରଖିବାରେ ସାମିଲ ହୋଇଛି, ତାକୁ ଆବଶ୍ୟକ ଲୋହ୍ୟ ଓ ପେୟ ନେଇ ସରକାର ଯେଉଁ ଗୁହାଳଗୁଡ଼ାକୁ ପୋଷୁଛନ୍ତି, ସେମାନଙ୍କୁ ଖାତାରେ ସୁମାରି କରି ରଖିଥାନ୍ତୁ, ସେଥିରେ ଆପତ୍ତି କରିବାକୁ ହୁଏତ ଆଦୌ କିଛି ନାହିଁ । ମାତ୍ର, ଗୁଳାରେ ନଥାଇ ମଧ୍ୟ ଯିଏ ତଥାପି ହୁଏତ ଅଧିକ ସାଧୁତା ସହିତ ନିଜ କାମଗୁଡ଼ିକୁ କରୁଛି, ବିଦ୍ୟାଳୟରେ ଏକ ଅଲଗା ସୌହାର୍ଦ୍ଦ୍ୟ ରକ୍ଷା କରିପାରୁଛି, ଯେଉଁଠି ପିଲା ଖୁସୀରେ ପାଠ ପଢ଼ୁଛନ୍ତି, ସ୍କୁଲକୁ ନିଜ ଘରଠାରୁ ମଧ୍ୟ ଅଧିକ ଆପଣାର ବୋଲି ମନେ କରୁଛନ୍ତି, ଯେଉଁଠାରେ ଦଣ୍ଡର ଶାସନ ନଥିଲେ ମଧ୍ୟ ତଥାପି ଉଚିତ ଶୃଙ୍ଖଳାଟିଏ ରହିଛି, ସେମାନେ କେବଳ ଗୁଳାରେ ନାହାନ୍ତି ବୋଲି ସେମାନଙ୍କୁ କାହିଁକି ଅପାଂକ୍ତେୟ ଜ୍ଞାନରେ ବର୍ଜନ କରାଯିବ, ସେମାନଙ୍କର ବାଟରେ ବାଧା ସୃଷ୍ଟି କରାଯିବ ଏବଂ ସେମାନଙ୍କର ଅଣ୍ଟାକୁ ଯେମିତିହେଲେ ଭାଙ୍ଗିପକାଇ ସେମାନଙ୍କୁ ଆମର ସେହି ରହି ଗୁଳାଟା ଭିତରକୁ ଆସିବା ନିମନ୍ତେ ବାଧ୍ୟ କରାଯିବ, —ନିତାନ୍ତ ଅଧମବୁଦ୍ଧି ଅନିଷ୍ଟକାରୀମାନେ ହିଁ ଯେପରି ଆତରଣ ଦେଖାଇବାକୁ ଇଚ୍ଛା କରିବେ । ଓଡ଼ିଶାର ଯେକୌଣସି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଯେ ଗୁଳାରେ ଚାଲିଥିବା ସ୍କୁଲମାନଙ୍କ ଠାରୁ ପାଠ ଅଧିକ ଭଲ ହେଉଛି, ତାହାର ଶିକ୍ଷକମାନଙ୍କ ଠାରେ ଯେ ଶିକ୍ଷାଦାନ ବିଷୟରେ ଅଧିକ ନିଷ୍ଠା ରହିଛି, ପୂର୍ଣ୍ଣାଙ୍ଗ ବିଦ୍ୟାଳୟଗୁଡ଼ିକର ଅଭିଭାବକମାନେ ଯେ ଅଧିକ ଅନ୍ତରଙ୍ଗତା ସହିତ ବିଦ୍ୟାଳୟ ସହିତ ସଂପୃକ୍ତ ଅଛନ୍ତି, ବିଦ୍ୟାଳୟର ସାଙ୍ଗଠନିକ କ୍ଷେତ୍ରରେ ଯେ ଏଗୁଡ଼ିକରେ ଅଧିକ ବିବେକ ଏବଂ ଅଧିକ rapport ରହିଛି, ସରକାରୀ ଶିକ୍ଷାବିଭାଗରେ ମନ୍ତ୍ରୀଙ୍କଠାରୁ ଯନ୍ତ୍ରୀମାନଙ୍କ ପର୍ଯ୍ୟନ୍ତ ସେକଥା ସମସ୍ତେ ଜାଣିଛନ୍ତି । ଏବଂ ତଥାପି କାହିଁକି ସେମାନଙ୍କୁ ଶୁଖାଇ ମାରିଦେବାର ଫିକର କରାଯାଉଛି ? ଏକ ସ୍ଵାଧୀନ ଦେଶରେ ବ୍ୟକ୍ତିଗତ ଓ ସାମୂହିକ ଭାବରେ ଆପଣାର ସର୍ବୋତ୍ତମ ଶକ୍ତି ସହିତ ଆଗକୁ ବାଟଟିଏ କାଢ଼ିବାର ଅଧିକାର ଯଦି ନାଗରିକ ମାତ୍ରକେ ପ୍ରତ୍ୟେକଙ୍କର ରହିଛି, ତେବେ ସେହିସବୁ ଉଦ୍ୟମକୁ ଉତ୍ସାହିତ କରିବା ନିମନ୍ତେ ସର୍ବବିଧ ସାହାଯ୍ୟ ଦେବାଲାଗି କାହିଁକି ସେହି ଦେଶର ସରକାରଙ୍କର ମଧ୍ୟ ଏକ ଅବଶ୍ୟ କର୍ତ୍ତବ୍ୟ ହୋଇ ନରହିବ ?

 

ଯେକୌଣସି ଶିକ୍ଷାବ୍ୟବସ୍ଥା ପରି ପୂର୍ଣ୍ଣାଙ୍ଗ ଶିକ୍ଷାର ମଧ୍ୟ ଗୋଟିଏ ନିଜସ୍ଵ ଗୁଳା ରହିଛି, ଅଥଚ ନିଜସ୍ଵ ମେଦିନୀଟିଏ ମଧ୍ୟ ରହିଛି । ଏଥିରେ ଏକ ଶିକ୍ଷାବିଚାର ଅର୍ଥାତ୍ ଜୀବନଦର୍ଶନ ରହିଛି-। ସମ୍ମୁଖରେ ଏକ ସମାଜଚିତ୍ର ଅର୍ଥାତ୍ ଭବିଷ୍ୟଚିତ୍ର ରହିଛି । କର୍ତ୍ତୃତ୍ଵ କମ୍ ରହିଛି, କୌଣସି ଜଣେ ମଣିଷ ଉପରେ ନେତୃତ୍ଵକୁ ଠୁଳ କରି ରଖା ଯାଇନାହିଁ । କ’ଣ କରଣୀୟ ଓ କ’ଣ କରଣୀୟ ନୁହେଁ, ତାହା ସ୍ଥିର କରିବା ସକାଶେ ଗୋଷ୍ଠୀରେ ବସି ଆଲୋଚନା କରିବାର ଏକ ଧାରା ରହିଛି-। ମତରେ ପାର୍ଥକ୍ୟ ହେଲେ, ଦୃଷ୍ଟିରେ ପାର୍ଥକ୍ୟ ହେଲେ ସେଥିପାଇଁ କାହିଁକି କୌଣସି ମନାନ୍ତର ରହିବ, ତାହାର ଆଦୌ କୌଣସି କାରଣ ନାହିଁ । ସତ୍ୟ ତତ୍ତ୍ଵତଃ ଗୋଟିଏ ହୋଇଥିଲେ ମଧ୍ୟ ବସ୍ତୁତଃ ତାହାକୁ ପ୍ରତ୍ୟକ୍ଷ କରିବାର ରୀତି ଅନେକ ହିଁ ଅବଶ୍ୟ ରହିବ । ଆମେ ଯିଏ ଯେତିକି ଗମିଥିବା, ଯେତିକି ଦୂରକୁ ଯିବାପାଇଁ ସମ୍ମତ ଦେଇଥିବା, ତାହାହିଁ ଆମଲାଗି ସତ୍ୟର ପରିଧିଗୁଡ଼ିକୁ ସତତ ନିର୍ଣ୍ଣୟ କରିଦେବାରେ ଲାଗିଥିବ । ପରସ୍ପର ଭିତରେ ଆମେ ବାସ୍ତବତାଟିକୁ ସର୍ବଦା ସ୍ଵୀକାର କରୁଥିବା । ପରସ୍ପର ପ୍ରତି ଏକ ମୂଳଭୂତ ଶ୍ରଦ୍ଧା ରହିଥିଲେ ଯାବତୀୟ ଦୃଷ୍ଟିପାର୍ଥକ୍ୟ ସତ୍ତ୍ୱେ ଆମେ ବୁଝୁଛୁ, ତା’ର ଅଧିକ ଦାୟିତ୍ଵ ବି ରହିବ, ଅଧିକ ସହନଶକ୍ତି ରହିବ, ସମସ୍ତଙ୍କୁ ସାଙ୍ଗରେ ନେଇ ବାଟ ଚାଲିବା ନିମନ୍ତେ ଅଧିକ ସାମର୍ଥ୍ୟ ମଧ୍ୟ ରହିବ । କେହି କାହାରି ଉପରେ ନିଜକୁ ନେଇ ଲଦି ଦେବେନାହିଁ, ତଥାପି ଏକାଠି ବାଟ ଚାଲୁଥିବା ପରି ଅନୁଭବ ହେଉଥିବ । ଜଣେ ଆଉଜଣକ ଠାରୁ ଶିଖିବ, ପ୍ରେରଣା ପାଇବ, ପିଲାଏ ଶିକ୍ଷକଠାରୁ ପ୍ରେରଣା ପାଇବେ ଏବଂ ଶିକ୍ଷକ ମଧ୍ୟ ପିଲାମାନଙ୍କ ଠାରୁ ପ୍ରେରଣା ପାଉଥିବ । ପିଲାଏ ଶିକ୍ଷକଠାରୁ ଭଳି ଭଳି ଗଭୀରତାର ପରିଚୟ ପାଉଥିବେ ଓ ଶିକ୍ଷକ ମଧ୍ୟ ପିଲାମାନଙ୍କଠାରୁ ଭଳି ଭଳି ଅଭିନବତାର ପରିଚୟ ପାଉଥିବ । ଶିକ୍ଷାଗ୍ରହଣ ଏବଂ ଶିକ୍ଷାଦାନ ସକଳ ଦୃଷ୍ଟିରୁ ଏକ ତୀର୍ଥଚରଣ ପରି ଲାଗିବ, ପାହାଚ ପରେ ପାହାଚ ଉଠି ଯିବାପରି ଅନୁଭବ ହେଉଥିବ । କେହି କାହାରି ପାଖରେ ମୋଟେ ଅଭେଦ୍ୟ ହୋଇ ରହିନଥିବେ, ଉଭୟେ ଉନ୍ମୋଚିତ ହୋଇ ରହିଥିବେ । ଗବାକ୍ଷ ଗୁଡ଼ିକ ଖୋଲା ରହିଥିବ ।

 

ଯଦି ପାରସ୍ପରିକତା ହିଁ ଅସଲ ରୀତି ଓ ପଦ୍ଧତି ହୋଇ ରହେ, ତେବେ କେହି ଏକ ଶିକ୍ଷାଳୟରେ ସବ୍‍ଜାନ୍‍ତା ସର୍ବକର୍ତ୍ତା ହୋଇ ରହିବାକୁ କଦାପି ଇଚ୍ଛା କରିବନାହିଁ । ଛାତ୍ର ଓ ଶିକ୍ଷକ ଉଭୟେ ବାଟ ଚାଲୁଥିବେ, ପୂର୍ଣ୍ଣରୁ ପୂର୍ଣ୍ଣତର ହେଉଥିବେ । ସହଜ ଭାବରେ ଦେଇ ପାରୁଥିବେ । ଓଡ଼ିଶାରେ ଏତେଗୁଡ଼ିଏ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସାଙ୍ଗଠନିକ ପରିଚାଳନା ନିଜ ନିଜର ହୋଇଥିଲେ ମଧ୍ୟ ଶିକ୍ଷାଗତ ସଂହତିର କ୍ଷେତ୍ରରେ ଏପରି ଅନେକ ପଦ୍ଧତି ରହିଛି, ଯାହାକି ଆମକୁ ଏକଆଖିଆ ହୋଇଯିବାର ପ୍ରମାଦରୁ ବଞ୍ଚାଇ ରଖୁଛି । ଶିକ୍ଷକମାନଙ୍କର ବାର୍ଷିକ ସମାବେଶମାନ ହେଉଛି, ବରଷରେ ଏକାଧିକ ବାର ଆଞ୍ଚଳିକ ବୈଠକମାନ ବସୁଛି । ସେଠାରେ ସେମାନେ ନିଜ ନିଜ କର୍ମକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ଆଲୋଚନା କରୁଛନ୍ତି ଏବଂ ସମାଧାନଗୁଡ଼ିକୁ ପରଖି ଦେଖୁଛନ୍ତି । ବିଷୟଶିକ୍ଷକମାନଙ୍କର ବି ସାମୟିକ ବୈଠକ ବସୁଛି । ଗୋଷ୍ଠୀ-ଆଲୋଚନାରୁ ସାଧାରଣ ନିଷ୍କର୍ଷମାନ ମିଳୁଛି ଓ ସେଥିରୁ ସଂପୃକ୍ତ ସମସ୍ତେ ଉପକୃତ ହେଉଛନ୍ତି, ଅଧ୍ୟୟନ-ଶିବିର ହେଉଛି, ଶିକ୍ଷା-ମନୋବିଜ୍ଞାନର ସର୍ବାଧୁନିକ ସତ୍ୟାନୁମାନଗୁଡ଼ିକର ଭୂମି ଉପରେ ଆମ ଶିକ୍ଷାର ସଂପୂର୍ଣ୍ଣ ପ୍ରଯୋଗଟିର ମୂଲ୍ୟାୟନ ମଧ୍ୟ କରାଯାଉଛି । ଗୋଟିଏ ବିଦ୍ୟାଳୟର ପିଲା ଅନ୍ୟ କୌଣସି ବିଦ୍ୟାଳୟର ପିଲାଙ୍କ ଗାଆଁକୁ ଯାଇ ପରିବାରାମାନଙ୍କରେ ରହି ଆସୁଛନ୍ତି । ଶିକ୍ଷାକେନ୍ଦ୍ରମାନଙ୍କ ମଧ୍ୟରେ ପାରସ୍ପରିକ ସହମତିରେ ଶିକ୍ଷକ ଆଦାନପ୍ରଦାନ ମଧ୍ୟ ହେବାର ପ୍ରସ୍ତାବ ରହିଛି । ଆମେ ଯେ ଏହି ଯାତ୍ରାରେ କେହି ଏକୁଟିଆ ନୋହୁ, ଆମ ନିଜ ବିଦ୍ୟାଳୟମାନଙ୍କରେ ଆମେ ଦୈନଦିନ ଯାହାକିଛି କରୁଛୁ, ବୃହତ୍ତର ପୃଥିବୀର ବହୁ ଜୀବନସତ୍ୟ ଯେ ତାହାରିଦ୍ଵାରା ପରୀକ୍ଷିତ ହେବାରେ ଲାଗିଛି, ଏହି ପ୍ରତ୍ୟୟଟିକୁ ଆମ ଭିତରେ ସ୍ଥାୟୀ କରି ରଖିବାଲାଗି ଶିବିର ଓ କର୍ମଶାଳାଗୁଡ଼ିକର ଆୟୋଜନ ହେଉଛି । ଆମେ ସମସ୍ତେ ସ୍ଵାଧୀନ,–ଏକ ପ୍ରୟୋଗ ଲାଗି ସମର୍ପିତ ଏବଂ ତେଣୁ ପାରସ୍ପରିକତାର ଅଧୀନ । ଆମ ଭିତରେ ପ୍ରାୟ ଏକ archetype ପରି ରହିଥିବା ପୁରୁଣାଗୁଡ଼ିକୁ ପ୍ରବର୍ତ୍ତାଇ ଏକ ନୂତନ ଆସ୍ପୃହାରେ ଦୀକ୍ଷିତ କରାଇ ଆଣିବାକୁ ଯେଉଁଠାରେ ସବୁରି ସହମତିରେ ପ୍ରୟୋଗ ଚାଲିଛି, ତାହାର ମଧ୍ୟ ଏକ ପଦ୍ଧତି ରହିଛି । ଆପଣମାନେ ତାକୁ ଏକ ଗୁଳା ବୋଲି କହିପାରନ୍ତି । ଆପଣମାନେ ବି ଏହି ଗୁଳାକୁ ସ୍ଵୀକୃତି ଦିଅନ୍ତୁ, ଏହି ଗୁଳାରେ ଆମ ସହିତ ସାମିଲ ହୁଅନ୍ତୁ । ଭାରତବର୍ଷରେ ମଧ୍ୟ ହିଡ଼ଗୁଡ଼ାକ ଭାଙ୍ଗୁ । ଦେଶର ସରକାର ହିଁ ହିଡ଼ଗୁଡ଼ିକ ଭାଙ୍ଗିବାର ସେହି ପ୍ରକ୍ରିୟାରେ ସହଯୋଗୀ ହୁଅନ୍ତୁ । ଖଳନାୟକ ହୋଇ ନରହନ୍ତୁ ।

 

ସମାନ ଅନୁକୂଳ ହେବ, ଦେଶର ଶାସନ ଅନୁକୂଳ ହେବ, —ଏବଂ ସେସବୁ ହେବାଯାଏ କ’ଣ ଅପେକ୍ଷା କରି ରହିଥିବେ ? ତେଣୁ, ଯିଏ ଯୋଉଠି ରହିଛି ସିଏ ସେଇଠାରେ ଥାଇ ହିଁ ସଂଗ୍ରାମ କରିବ, ତା’ ପ୍ରୟାସଟିକୁ କରିବ । ଏହି ଅର୍ଥରେ ଯାବତୀୟ ସାଧନକୁ ଆମେ ଏକ ସଂଗ୍ରାମ ବୋଲି କହିପାରିବା । ସଂଗ୍ରାମ କରିବା ଅର୍ଥାତ୍ ଆପଣାକୁ ଯଥାସମ୍ଭବ ଯୋଗ୍ୟ କରି, ମଜବୁତ କରି ସମ୍ମୁଖସସ୍ଥ ପର୍ବତଟିକୁ ଆରୋହଣ କରିବା । ବ୍ୟକ୍ତିଗତ ଆରୋହଣ ଅଧିକ ରୋମାଞ୍ଚକର ହୋଇପାରେ, ମୁଁ ଏକା ଏକା ଲଢ଼ୁଛି ବୋଲି ଗୋଟାଏ ପ୍ରକାର ଆନନ୍ଦ ମଧ୍ୟ ସେଥିରୁ ମିଳିପାରେ ଏବଂ ସେହି କାରଣରୁ ଯେତେ ଖଣ୍ଡିଆଦଣ୍ଡିଆ ହେଉଥିଲେ ମଧ୍ୟ ନିଜକୁ ଏକ ବୀର ପରି ମନେ ହୋଇପାରେ । ଇତିହାସରେ ଏପରି ବୀର ଅନେକ ରହିଛନ୍ତି । ବୀର ଶିକ୍ଷକମାନେ ମଧ୍ୟ କମ୍ ନାହାନ୍ତି । ସେମାନଙ୍କୁ ଆମେ ଅବଶ୍ୟ ସ୍ଵୀକୃତି ଦେବା, ସେମାନଙ୍କୁ ନମସ୍ୟ ବୋଲି କହିବା । ସେମାନଙ୍କଠାରୁ ବହୁତ କିଛି ଶିଖି ମଧ୍ୟ ପାରିବା । ତଥାପି, ଶିକ୍ଷାର କ୍ଷେତ୍ରରେ ଯାବତୀୟ ନବୋଦ୍ୟମ ସମ୍ଭବତଃ ଜଣେ ଜଣେ ବ୍ୟକ୍ତି ଅପେକ୍ଷା ଏକ ଗୋଷ୍ଠୀ ପାଇଁ ହିଁ ଅଧିକ ଅପେକ୍ଷା ରଖିଥାଏ । ଅବଶ୍ୟ, ଗୋଷ୍ଠୀ କହିଲେ ଏଠାରେ ସମଧର୍ମୀ ବ୍ୟକ୍ତିମାନଙ୍କର ଏକ ପାରସ୍ପରିକ ପ୍ରୟାସକୁ ହିଁ ବୁଝାଇବ, ଗୋଟାଏ ପଲକୁ ଆଦୌ ବୁଝାଇବ ନାହିଁ । ଯାବତୀୟ ପଲରେ ଗୋଟାଏ ଦୁଇଟା ମୋଟା କିମ୍ବା ମାରଣା ବଳଦ ରହିଥାନ୍ତି, ଯେଉଁମାନେ କି ଶିଙ୍ଗରେ ଭୂଷି ଭୂଷି ଅନ୍ୟ ବଳଦମାନଙ୍କୁ ଅଡ଼ାଇ ନେବାରେ ଲାଗିଥାନ୍ତି । ସବୁକିଛି ମହା ଉତ୍ସାହରେ ଚାଲିଥିବା ପରି ମନେ ହେଉଥାଏ । ଏହାଦ୍ୱାରା ଶିକ୍ଷାର କ୍ଷେତ୍ରରେ ସଚରାଚର ବହୁତ ହାନି ହିଁ ହୋଇଥାଏ ।

 

ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରୟାସଟି ଗୋଟିଏ ଗୋଷ୍ଠୀଦ୍ଵାରା ଚାଲୁଛି । ସୁହୃତ୍‍ମାନେ ଏକାଠି ହୋଇ ବାଟ ଚାଲୁଛନ୍ତି । ଖୁଣ ସମସ୍ତଙ୍କର ରହିଛି । ଦୃଷ୍ଟିରେ ବହୁ ଫରକ ରହିଛି । କିଏ ସବାଆଗ ଏଇଟା ହେଉ ବୋଲି କହୁଛି ତ ଆଉ କିଏ ଆଉଗୋଟାଏ କ’ଣ ସବାଆଗ ହେଉ ବୋଲି କହୁଛି । କହୁଛି ମାତ୍ର, ହାକିମୀ ନକଲା ପର୍ଯ୍ୟନ୍ତ ତା’ର ସେହି ଅଲଗା ମତ ପୋଷଣ କରିବାଦ୍ୱାରା ବେଶୀ କ୍ଷତି ହେଉନାହିଁ । ସଂହତି ହିଁ ସବାଉପରେ ରହିଛି । ସବାଆଗ ଏକ ଅଦୃଶ୍ୟ ସଂହତି, ଯାହାକି ଆମ ସମସ୍ତଙ୍କୁ ଟାଣି ଆଣି ଗୋଟିଏ ଠାବରେ ଏକାଠି କରାଇଛି; ତା’ସହିତ ବି ଏକ ଦୃଶ୍ୟମାନ୍ ସଂହତି, ଯାହାଦ୍ୱାରା କି ପ୍ରତ୍ୟେକେ ନିଜ ନିଜର ରୁଚି ଅନୁସାରେ ବିଶେଷ କାର୍ଯ୍ୟକୁ ଆଦରି ନେଇଛନ୍ତି ଏବଂ ଯାବତୀୟ ଅର୍ଥରେ ସେହି ଶିକ୍ଷାର ଆବଶ୍ୟକତାଗୁଡ଼ିକୁ ହିଁ ପୂରଣ କରୁଛନ୍ତି-। ଏକ ଅଲିଖିତ ଚୁକ୍ତିରେ ସମସ୍ତେ ରାଜି ହୋଇଛନ୍ତି ଯେ ଆମେ ପରସ୍ପର ଭିତରେ ରହିଥିବା ଦୋଷଗୁଡ଼ିକୁ ମୋଟେ ଉଖାରିବା ନାହିଁ । ଗୁଣଗୁଡ଼ିକୁ ଦେଖିବା ଏବଂ ସେଗୁଡ଼ିକୁ ଅଧିକ କ୍ରିୟାଶୀଳ କରାଇବାରେ ପରସ୍ପରକୁ ସାହାଯ୍ୟ କରିବା । ଏଇଟି ପ୍ରକୃତରେ ଖୁବ୍ କାମ ଦେଉଛି । ପ୍ରତ୍ୟେକେ ପ୍ରତ୍ୟେକଙ୍କର ପରିପୂରକ ବୋଲି ପ୍ରତ୍ୟକ୍ଷ ଅନୁଭବ ହେଉଛି । ସେହି ଅନୁଭବ ହିଁ ଆନନ୍ଦ ଦେଉଛି-। ଖୁସୀରୁ ବଳ ବଢ଼ୁଛି । ଗୋଷ୍ଠୀ ଭିତରେ ସଦାସକ୍ରିୟ ହୋଇ ରହିବା ନିମନ୍ତେ ଏଇଟି ପ୍ରକୃତରେ ଏକ ଅଭିନବ ପନ୍ଥା । ଋଷିବାକୁ ମନ ହେଉନାହିଁ, କଳହର ଅବକାଶ ନାହିଁ । ପରସ୍ପରକୁ ଦେଖିବା ମାତ୍ରକେ ଦୁନିଆଯାକର ଖୁସୀ ହିଁ ଆମକୁ ଯାବୁଡ଼ି ଧରିଛି । ଯାବତୀୟ ସାମୂହିକ କାର୍ଯ୍ୟରେ ଆମକୁ ଅମିତ ଆଶା ଏବଂ ବିଶ୍ଵାସ ଆଣି ଦେଇଯାଉଛି । ବୟସର ବାରଣ ନାହିଁ, —କିଏ କୋଉଯାଏ ପାଠ ପଢ଼ିଛି, ସେହି ଅନୁସାରେ ଆଗ ଧାଡ଼ୀ ପଛ ହୋଇ ବାଣ୍ଟି ହୋଇ ଠିଆହେବାଟା ମୋଟେ ଭଲ ଲାଗୁନାହିଁ । ଏକାଠି ମିଶିଲେ, ଖୁସୀଟାକୁ ସବାଆଗରେ ରଖି ପରସ୍ପରର ନିକଟବର୍ତ୍ତୀ ହୋଇ ପାରୁଥିଲେ ଯେ କେତେ କେତେ କଥା ସମ୍ଭବ ହୋଇପାରିବ, ଆମେ ସେକଥା ପଦେ ପଦେ ଅଙ୍ଗେ ନିଭାଇବାରେ ଲାଗିଛୁ । ଆମେ ପ୍ରତ୍ୟେକେ ବାହାର ପରିମାପକ ଗୁଡ଼ିକ ଦ୍ଵାରା ଯେତିକି ଦେଖାଯାଉଛୁ, ଆମେ ସମସ୍ତେ ତା’ଠାରୁ ଅନେକ ଅଧିକ ବୋଲି କେଡ଼େ ସ୍ପଷ୍ଟ ହୋଇ ଧରା ପଡ଼ିଯାଇଛି ।

 

ଆମର ବର୍ଷକୁ ଦୁଇଥର ଶ୍ରମଶିବିର ହେଉଛି । ଦଶଦିନିଆ ଏହି ଶିବିରରେ ଏହି ଶିବିରଗୁଡ଼ିକ କୌଣସି ନା କୌଣସି ଶିକ୍ଷାକେନ୍ଦ୍ରରେ ହେଉଛି । ଗତ ତେର ବର୍ଷରେ ଛବିଶିଟି ଶିବିର ଓଡ଼ିଶାର ବିଭିନ୍ନ କୋଣରେ ହୋଇ ସାରିଲାଣି । କେଉଁଠି ପୋଖରୀ ଖୋଲା ଯାଉଛି, କେଉଁଠାରେ ପଥର ବୋହି ପାଚେରୀ ବସାଯାଇଛି, ଆଉ କେଉଁଠାରେ ନିଆଁ ଖୋଲି ଘରପାଇଁ କାନ୍ଥ ଉଠିଛି । ଦେଢ଼ଶହରୁ ଦୁଇଶହ ପର୍ଯ୍ୟନ୍ତ ଭଉଣୀ ଓ ଭାଇ ଏକାଠି ମିଶି ପ୍ରତ୍ୟହ ଚାରିଘଣ୍ଟା କଠିନ ଶ୍ରମ କରୁଛନ୍ତି, ସମ୍ମିଳିତ ଶ୍ରମଜନିତ ଆନନ୍ଦରେ ପରସ୍ପର ସହିତ ବାନ୍ଧି ହୋଇ ଯାଉଛନ୍ତି । କିଏ ଡାକ୍ତର, କିଏ ଇଞ୍ଜିନିଅର୍, କିଏ ପ୍ରଫେସର, କିଏ ସ୍କୁଲଶିକ୍ଷକ ଓ କିଏ କଲେଜର ଛାତ୍ର, —କିଛି ବାରି ହେଉନାହିଁ । ପ୍ରତ୍ୟହ ଚାରିଘଣ୍ଟା ଅଧ୍ୟୟନ ଓ ଆଲୋଚନା ବି ହେଉଛି ! ରାତିରେ ବ୍ୟକ୍ତିଗତ ପରିଚୟ, ନିଜ ନିଜର ଜୀବାନ-କାହାଣୀ ଓ ଜୀବନସ୍ଵପ୍ନଗୁଡ଼ିକୁ ପରସ୍ପର ପାଖରେ ବାଢ଼ିଦେବାର ମାଧ୍ୟମରେ । ଗଣ୍ଠିଗୁଡ଼ାକ କେଡ଼େ ଅଜାଣତରେ ଖୋଲିଯାଉଛି । ଗଣ୍ଠିଗୁଡ଼ିକ ଖୋଲିଗଲେ ବ୍ୟକ୍ତି ଭିତରେ ଆଉ ଯାହାକିଛି ତା’ର ଅସଲ ପରିଚୟରୂପେ ଝଲମଲ ହୋଇ ଉଠେ, ସେଇଟି ଆଦୌ ଏକୁଟିଆ ନୁହେଁ, —ସିଏ ସମସ୍ତଙ୍କ ସହିତ ବାନ୍ଧି ହୋଇ ରହିଥାଏ । ଏହି ଡୋରଟିର ଆବିଷ୍କାର, ପରସ୍ପର ମଧ୍ୟରେ ରହିଥିବା ସେହି ସମ୍ବେଦନଶୀଳତାର ଆବିଷ୍କାର, ତାହା ହିଁ ପୃଥିବୀରେ ବାସ କରୁଥିବା ଓ ଏକ ଉଜ୍ଜ୍ଵଳତାର ଭବିଷ୍ୟ ଉପରେ ବିଶ୍ଵାସ ରଖି ଅଗ୍ରସର ହେଉଥିବା ପ୍ରତ୍ୟେକ ମନୁଷ୍ୟର ସମ୍ଭବତଃ ସର୍ବୋତ୍ତମ ଆବିଷ୍କାର । ସେହି ଆବିଷ୍କାର ଆମକୁ ଅଧିକରୁ ଅଧିକ ଧନୀ କରିବାରେ ଲାଗିଛି, ଆମେ ଜୀବନକୁ ପ୍ରତ୍ୟହ ନୂତନ ଅର୍ଥ ପ୍ରଦାନ କରିବାରେ ଲାଗିଛି । ଏହିସବୁ ଶିବିରର ରହିବା ଏବଂ ଖାଇବା ଖର୍ଚ୍ଚ ଆମେ ପ୍ରତ୍ୟେକ ବହନ କରୁଛୁ । ରାନ୍ଧିବା, ବାଢ଼ିବା, ବାସନ ଧୋଇବା, ପାଣି ବୋହିବା ସବୁ କାମ ପାଳି କରି କରୁଛୁ । କେହି ବୋଲି ବତାଉନାହିଁ, ନିୟମ ବୋଲି କିଛି ନାହିଁ । ତଥାପି ସବୁକିଛି ପୂର୍ଣ୍ଣ ଛନ୍ଦରେ ଚାଲିଛି । କୋଳାହଳ ନାହିଁ । ମାତ୍ର ଖେଳରେ, ସଙ୍ଗୀତରେ, ଅନ୍ତରଙ୍ଗ କଥୋପକଥନରେ ଭୋର ଚାରିଟାରୁ ରାତି ଦଶଟା ପର୍ଯ୍ୟନ୍ତ ଶିବିରଟି ଉତ୍ସବଟିଏ ପରି ମୁଖରିତ ହୋଇ ରହିଛି ।

 

ଅଧିକାଂଶ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସର୍ବପ୍ରଧାନ ସମସ୍ୟା ନହେଲେ ମଧ୍ୟ ଏକ ମୂଳ ସମସ୍ୟା ହେଉଛି ଆର୍ଥିକ ଅସୁବିଧା । ସହର ଅପେକ୍ଷା ଗ୍ରାମାଞ୍ଚଳର ଶିକ୍ଷାକେନ୍ଦ୍ରଗୁଡ଼ିକରେ ଏହି ଅସୁବିଧାଟି ଅଧିକ ପରିମାଣରେ ଏକ ପ୍ରତିବନ୍ଧକ ରୂପେ ପ୍ରାୟ ପଦେ ପଦେ ଆସି ଛିଡ଼ା ହୋଇଥାଏ । ସହରରେ ବନ୍ଧୁମାନେ ପ୍ରୟୋଜନ ମାତ୍ରକେ ପିଲାଙ୍କର ଦରମା ବଢ଼ାଇ ଦିଅନ୍ତି ଓ ଅସୁବିଧାଟିଏ ଟଳିଗଲା ବୋଲି ଅନ୍ତତଃ ସେହି ସମୟଟି ନିମନ୍ତେ ଭାବିଥାଆନ୍ତି । ଗାଆଁର ସେହି ସୁବିଧାଟିଏ ନଥାଏ । ହାତରେ ବେଶୀ ପଇସା ହେଲେ ଯେ ଶିକ୍ଷା ଅଧିକ ଭଲଭାବରେ ଅବଶ୍ୟ ଚାଲେ, ସେକଥା ମୋଟେ ନୁହେଁ । ତଥାପି ସର୍ବନିମ୍ନ ସମ୍ବନ୍ଧମାନ ନଥିଲେ ଆଗକୁ କୌଣସି ଯୋଜନା କରି ହୁଏନାହିଁ । ଶିକ୍ଷକମାନଙ୍କୁ ସେମାନଙ୍କର ସର୍ବନିମ୍ନ ପ୍ରୟୋଜନ ମେଣ୍ଟିଲା ଭଳି କିଛି ଦେଇ ହୁଏନାହିଁ । ଏହା ବ୍ୟତୀତ ଅସୁସ୍ଥତା ପ୍ରଭୃତି ଅଚାନକ ଅସୁବିଧାମାନ ବି ରହିଛି । ଏହି ଦିଗରେ ସମ୍ଭବତଃ କିଛି ବାଟ ଦେଖାଯିବ ବୋଲି ବନ୍ଧୁମାନେ ହାତରେ କିଛି ପାଣ୍ଠି ରଖିବାକୁ ସ୍ଥିର କଲେ । ବ୍ୟକ୍ତିଗତ ଭାବରେ ଜଣେ ଜଣକୁ ସାହାଯ୍ୟ କରିବା ତ ମୂଳରୁ ଥିଲା; କେହି କିଛି ଜାଣିବେନାହିଁ, ତାହା ସବୁବେଳେ ରହିଥିବ । ସାଧାରଣ ପାଣ୍ଠି ସକାଶେ ମଧ୍ୟ ବନ୍ଧୁମାନେ କିଛି ପଇସା ନିୟମିତ ଭେଦା ଦେଇ ଏକତ୍ର କଲେ । ଏବଂ, ବହି ଛପାଇ ବିକ୍ରୀ କରିବାର ଆଉଗୋଟାଏ ଯୋଜନା ମଧ୍ୟ ଆରମ୍ଭ ହୋଇଗଲ । ସାନ ସାନ ବହିସବୁ ଛପାହେଲା । ଛାପିବାର ଖରତ ଜଣେ ଆରମ୍ଭ କାହାଙ୍କଠାରୁ ସଂଗ୍ରହ କରି ଅଣାଗଲା । ବହି ଛପା ହୋଇ ଶିବିରକୁ ଆସିଲା ଏବଂ ବନ୍ଧୁମାନେ ସେଗୁଡ଼ିକୁ ବିକ୍ରୀ କରିବା ପାଇ ବାଣ୍ଟି ନେଲେ । ବିକ୍ରୀଧନରୁ ଆଗ ଛପାଖରଚ ପରିଶୋଧ କରାଗଲା ଓ ଅଧିକ ଅର୍ଥପରିମାଣଟି ପାଣ୍ଠିରେ ଜମା ହେଲା । ଆର୍ଥିକ, ସାମର୍ଥ୍ୟ ବଢ଼ିବାରୁ କିଛି ବଡ଼ ବହି ମଧ୍ୟ ଛପା ହୋଇ ବିକ୍ରୀ ହେଲା । ମଣିଷମାନେ ପରସ୍ପରକୁ ଲୋଡ଼ିଲେ ଯେ କିପରି ବଳ ବଢ଼ିବା ସଙ୍ଗେ ସଙ୍ଗେ ଆମ ସମ୍ବଳ ବଢ଼ିବାପାଇଁ ମଧ୍ୟ ଉପାୟ ବାହାରେ, ସେହି କଥାଟିର ଅନୁଭବ ହେଲା ।

 

ଅର୍ଥ ଆସୁଛି ଓ ଖରଚ ହେଉଛି । ଅର୍ଥ ଭିତରେ ଯେ ଏକ ଶକ୍ତି ପ୍ରକୃତରେ ନିହିତ ହୋଇରହିଛି, ସେହି ସତ୍ୟଟି ଅଧିକ ପ୍ରତ୍ୟକ୍ଷ ହୋଇପାରୁଛି । ସେହି ଅର୍ଥରୁ କେତେ କେତେ ଶିକ୍ଷାକେନ୍ଦ୍ରକୁ ଅତ୍ୟାବଶ୍ୟକ ଶିକ୍ଷୋପକରଣ ଯୋଗାଇ ଦିଆଯାଇ ପାରୁଛି । ପିଲାମାନେ ପଢ଼ିବେ ବୋଲି ଲାଇବ୍ରେରୀ ନିମନ୍ତେ ବହି ଯୋଗାଇ ଦିଆଯାଉଛି । କୌଣସି ଭଉଣୀ ବା ଭାଇ ଗୁରୁତର ଭାବରେ ଅସୁସ୍ଥ ହୋଇ ପଡ଼ିଲେ ସେହି ପାଣ୍ଠିରୁ ହିଁ ଚିକିତ୍ସାର କିଛି ଖରଚ ବହନ କରାଯାଇଛି । ଅର୍ଥଦ୍ଵାରା ସବୁ ସମ୍ଭବ କରିହୁଏ ନାହିଁ ସତ, ମାତ୍ର ପରସ୍ପରର ଆବଶ୍ୟକତା ସମୟରେ ଆପଣାଛାଏଁ ଯାଇ ଠିଆ ହୋଇପାରିଲେ ତାହା ଆମ ଭିତରେ ରହିଥିବା ସଂହତିକୁ ବଢ଼ାଇବାରେ ପ୍ରକୃତରେ ଯେଉଁ ସାହାଯ୍ୟ କରେ, ହୁଏତ ଲକ୍ଷ ଲକ୍ଷ ଟଙ୍କା ଆଣି ଥୋଇ ଦେଉଥିଲେ ତାହା କଦାପି ସମ୍ଭବ ହେଉ ନଥାନ୍ତା । ପାଣ୍ଠି କୋଉଠାରୁ ଆସୁଛି, କିଏ କେତେ ଦେଉଛନ୍ତି ଓ ତାହା କିପରି ଭାବରେ କାମରେ ଲାଗୁଛି, ତାହା ବୁଝିବାଲାଗି ଆମଭିତରେ ଜଣେ ଅଛନ୍ତି । ଆମେ ସମସ୍ତେ ତାଙ୍କୁ ଏକାଠି ମିଶି ଏହି ଦାୟିତ୍ଵଟିକୁ ଦେଉଛୁ । ଆମେ ସବୁ ପିମ୍ପୁଡ଼ିପରି ଅଛୁ, ପିମ୍ପୁଡ଼ିହୁଙ୍କାର ମାଆପରି ସବୁ ବୁଝୁଛନ୍ତି, ସବୁ ତୁଲାଉଛନ୍ତି । ବହି ଛପିବାର ଦାୟିତ୍ଵରେ ଆଉ ଜଣେ ଅଛନ୍ତି । ଠିକଣା ସମୟରେ ବହିକୁ ଛାପି ଶିବିରରେ ଆଣି ପହଞ୍ଚାଇ ଦେଉଛନ୍ତି । ଏବଂ, ପିମ୍ପୁଡ଼ିମାନେ ସେହିଠାରୁ ହିଁ ବହିଗୁଡ଼ିକୁ ବିକ୍ରୀ କରିବାପାଇଁ ବୋହି ନେଉଛନ୍ତି । ଏହି ବ୍ୟବସ୍ଥାଟିରେ ଆମ ପ୍ରତ୍ୟେକଙ୍କୁ ସତେଅବା ଆମେ ପ୍ରତ୍ୟେକ ରାଣୀପିମ୍ପୁଡ଼ି ବୋଲି ଅନୁଭବ ହେଉଛି । କାହିଁକି ଓ କିପରି ସେପରି ଅନୁଭବ ହେଉଛି, କାରଣ ବାହାର କରିବାକୁ ବେଳ ନାହିଁ । ମାତ୍ର, ତଥାପି ଅନୁଭବ ହେଉଛି । ନିଜ ଭିତରୁ କପଟମାନଙ୍କୁ ନିକାଲି ଦେବାପାଇଁ ଆଉ ଅଧିକ ଭଲ ଉପାୟ ପୃଥିବୀରେ କିଛି ଅଛି କି ନାହିଁ କେଜାଣି ? ଭୟ ଦୂର ହେଲେ କପଟ ଦୂର ହୁଏ ଏବଂ କପଟ ଦୂର ହେଲେ ଭୟ ବି ଦୂର ହୋଇଯାଏ । ଏବଂ, ପାରସ୍ପରିକତାକୁ ରୀତି ବୋଲି ମାନିଲେ ଭୟ ଓ କପଟ ଉଭୟେ ନିତାନ୍ତ ଅନାବଶ୍ୟକ ହୋଇ ପଡ଼ନ୍ତି । ଏହାହିଁ ସଂସାରରେ ନିୟମ । ସ୍ଵର୍ଗରେ ମଧ୍ୟ ତାହାହିଁ ଅବଶ୍ୟ ନିୟମ ହୋଇଥିବ ।

 

ଦେଶଶାସନର ରଜାମାନେ ଆମସହିତ ବଇରୀପଣ କରୁଥିଲେ ମଧ୍ୟ ଏହି ପାରସ୍ପରିକତାକୁ ଗାଦୀରେ ରଜା କରି ବସାଇ ଆମେ ତଥାପି ଅଛୁ ଓ ଅଗ୍ରସର ହେଉଛୁ । ପରସ୍ପରକୁ ଓ ପରସ୍ପରର କାର୍ଯ୍ୟକୁ, ଭାବନାକୁ ଓ ଭାବଗୁଡ଼ିକୁ ଆମେ ଯେପରି ଅଧିକ ଅନ୍ତରଙ୍ଗ ଭାବରେ ବୁଝିପାରିବୁ, ସେଥିଲାଗି ବର୍ଷକୁ ଦୁଇ ଶିବିର ସମୟରେ ଚାଳିଶି ପଚାଶ ପୃଷ୍ଠାରେ ପତ୍ରିକାଟିଏ ତାହାର ଛାପାହୋଇ ବାହାରୁଛି । ସେଇଟିକୁ ଶିବିରରେ ଆମେ ସମସ୍ତେ କିଣି ନେବାଦ୍ୱାରା ତାହାର ଛାପାଖରଚ ମଧ୍ୟ ଉଠିଯାଉଛି । ପତ୍ରିକାଟିରେ ଗପ ବାହାରୁନାହିଁ । କବିତା ବାହାରୁନାହିଁ, କୌଣସି ଗୁରୁଜନ ସାଧୁବାକ୍ୟ ଶୁଣାଉନାହିଁ, କୌଣସି ପ୍ରବୀଣ ଓ ପାରଙ୍ଗମ ନବୀନ ଏବଂ ଅପାରଙ୍ଗମ ମାନଙ୍କୁ ଉପଦେଶ ଛଳରେ ଭର୍ତ୍ସନା ମଧ୍ୟ କରୁନାହିଁ । ଏଥିରେ ନିଜ ନିଜର ଲେଖାଗୁଡ଼ିକ ମାଧ୍ୟମରେ ଆମେ ଅଙ୍ଗେ ନିଭାଇଥିବା ଅନୁଭବକଥାଗୁଡ଼ିକୁ ହିଁ ପରସ୍ପର ପାଖରେ ନେଇ ବାଢ଼ିଦେଉଛୁ । ଭଉଣୀ ଓ ଭାଇମାନେ ସେମାନଙ୍କର ପ୍ରକୃତ ଅଭିଜ୍ଞାତାଗୁଡ଼ିକର କଥାମାନ କହୁଛନ୍ତି । ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବଡ଼ ପିଲାମାନେ ମଧ୍ୟ ନିଜ ନିଜର ଅନୁଭବ କହୁଛନ୍ତି ! ଯାହାସବୁ ସେମାନେ ନିଜ ନିଜର ଔପଚାରିକ ବିଦ୍ୟାଳୟର ଅବସରମାନଙ୍କରେ କହି ପାରୁନଥାନ୍ତେ, ତାହାକୁ ଏହି ପତ୍ରକାଟିର ମାଧ୍ୟମରେ କହି ପାରୁଛନ୍ତି । ସେମାନଙ୍କୁ ପାଠ ପଢ଼ାଉଥିବା ଅପା ଓ ଭାଇମାନଙ୍କୁ ସଜାଡ଼ି ହେବାରେ, ଆତ୍ମନିରୀକ୍ଷଣ କରିବାରେ ତାହା ଖୁବ୍ ସାହାଯ୍ୟ କରୁଛି । ବିଦ୍ୟାଳୟର ପରିଚାଳନାକୁ ମଧ୍ୟ ନୂଆ ନୂଆ ଆଖି ଯୋଗାଇ ଦେଉଛି । ସଂପୃକ୍ତ ସମସ୍ତଙ୍କୁ ପରସ୍ପର ଅଧିକ ନିକଟବର୍ତ୍ତୀ କରାଇ ଆଣିବାରେ ତାହା ଦ୍ରାବକ ହୋଇ ରହିଛି ।

Unknown

 

ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେବା ସମୟରେ ମହାତ୍ମା ଗାନ୍ଧୀ ହିଁ ମୋ’ ପ୍ରେରଣାର ପୁରୋଭାଗରେ ରହିଥିଲେ । ସେତେବେଳେ ଗାନ୍ଧୀଙ୍କୁ ବାଦ୍ ଦେଇ ଭାରତ ବର୍ଷରେ ଆଦୌ କିଛି ଘଟୁ ନଥିଲା । ନିଜ ଜୀବନରେ କ୍ରମେ ହେତୁ ହୋଇ ଆସୁଥିଲା । ଗାନ୍ଧୀଙ୍କର ରାଜନୀତିକ ସଂଗ୍ରାମକ୍ଷେତ୍ରରେ ନିର୍ଦ୍ଦେଶନା ଯେ କେବଳ ଏକ ତଥାକଥିତ ରାଜନୀତିର ନିର୍ଦ୍ଦେଶନା ଆଦୌ ନୁହେଁ, କ୍ରମେ ସେହି ବିଷୟରେ ଏକ ହୃଦବୋଧ ହୋଇ ଆସୁଥିଲା । ଭାରତବର୍ଷ ସଂଗ୍ରାମକରି ସ୍ଵାଧୀନ ହେବ, ଭାରତବାସୀଙ୍କ ପାଇଁ ଏକ ନୂତନ ଭାରତବର୍ଷ ଗଢ଼ାହେବ ବୋଲି ମହାତ୍ମା ଗାନ୍ଧୀ ଯେତେ ଯେଉଁଠି ଯାହା କହୁଥିଲେ, ତାହା ପଛରେ ଏକ ନିର୍ଦ୍ଦିଷ୍ଟ ଜୀବନଦୃଷ୍ଟି ପ୍ରତିଭାତ ହୋଇ ରହିଥିଲା । ସେହି ଦୃଷ୍ଟିରୁ ବିଚାର କରି ଦେଖିଲେ ଗାନ୍ଧୀଙ୍କର ରାଜନୀତି ଏକ ସମଗ୍ର କାର୍ଯ୍ୟକ୍ରମ ଥିଲା । ସ୍ଵାଧୀନତାର ସଂଗ୍ରାମରେ ଗାନ୍ଧୀ ଭାରତୀୟ ଜାତୀୟ କଂଗ୍ରେସକୁ ନେତୃତ୍ଵ ଦେଉଥିଲେ ସତ, ମାତ୍ର ସେହି ନେତୃତ୍ଵ ମଧ୍ୟରେ ଏପରି ଅନ୍ୟ ବହୁତ କିଛି ବୃହତ୍ତର ଆହ୍ୱାନମାନ ରହିଥିଲା, ଯାହାକି ସାନ ଓ ବଡ଼ ଯାବତୀୟ ଅବସରରେ କଂଗ୍ରେସନାମକ ଏକ ରାଜନୀତିକ ଦଳର ଚିନ୍ତାପରିଧିଗୁଡ଼ିକୁ ଅତିକ୍ରମ କରି ଆହୁରି କେତେ କ'ଣର ଆହ୍ୱାନ ଦେଇ ଯାଉଥିଲା । ଗାନ୍ଧୀ କହିଲେ ଏବପରି ସେତେବେଳେ ମଧ୍ୟ ଏକ ବାଟକୁ ବୁଝାଉଥିଲା । ସେହି ବାଟଟିକୁ ଚାଲିବା ପଛରେ ଏକ ନିର୍ଦ୍ଦିଷ୍ଟ ସତ୍ୟସ୍ଵୀକୃତି ଅତ୍ୟନ୍ତ ସ୍ପଷ୍ଟ ହୋଇ ରହିଥିଲା । ସ୍ଵାଧୀନତାପ୍ରାପ୍ତି ପରେ ଯେଉଁମାନେ ରାଜନୀତି ଭିତରେ ରହିଲେ, ସେମାନେ ନିଜର ପ୍ରୟୋଜନ ଅନୁସାରେ ନିଜେ ସିନା କ୍ରମେ ସଙ୍କୁଚିତ ହୋଇଆସିଲେ, ତଥାପି, ଉକ୍ତ ସତ୍ୟର ସଂଜ୍ଞାଗୁଡ଼ିକ ଭାରତବର୍ଷରେ ସଂପୃକ୍ତ ସମସ୍ତଙ୍କ ନିମନ୍ତେ ଗୋଟିଏ ଆହ୍ୱାନ ହୋଇ ରହିଲା । ଏବେ ତ ସମଗ୍ର ପୃଥିବୀ ଲାଗି ମଧ୍ୟ ସେଗୁଡ଼ିକୁ ଗୋଟିଏ ଗୋଟିଏ ଆହ୍ୱାନରେ ପରିଣତ ହୋଇଯାଉଛି । ଗାନ୍ଧୀଜୀବନର ସାରାସନ୍ଦେଶଗୁଡ଼ିକ ସତେଅବା ଅଧିକ ସାକାର ଭାବରେ ପୃଥିବୀର ବିବେକାଶରେ ଅଧିକରୁ ଅଧିକ ସ୍ଥାନ ଅଧିକାର କରିବାରେ ଲାଗିଛନ୍ତି ।

 

ଚମ୍ପତିମୁଣ୍ଡାର ବିଦ୍ୟାଳୟକୁ ମୁଁ ଜୀବନ-ବିଦ୍ୟାଳୟ ବୋଲି କହୁଥିଲି । ତାହାକୁ ଠିକ୍ ସେହି ପରିଚୟରେ ହଁ ଦେଖିବାଲାଗି ସବୁବେଳେ ଚେଷ୍ଟା କରୁଥିଲି । ସେଠାରେ ମୋତେ ଆବଶ୍ୟକ ଅବଲମ୍ବନଗୁଡ଼ିକୁ ଯୋଗାଇ ଦେବା ପାଇଁ ରହିଥିବା ଗୁରୁଜନମାନେ ଅବଶ୍ୟ ତାହାକୁ ଏକ ଗାନ୍ଧୀ-ବିଦ୍ୟାଳୟ ବୋଲି ଭାବୁଥିଲେ ଓ ମୂଳତଃ ସେଇଥିଲାଗି ସେହି ପ୍ରୟାସଟି ସହିତ ନିଜକୁ ସଂପୃକ୍ତ କରି ରଖିଥିଲେ । ଅତ୍ୟନ୍ତ ସୌଭାଗ୍ୟର କଥା ଯେ ସେମାନେ ବିଦ୍ୟାଳୟର ନିତିଦିନର ଦୁଃଖ ସୁଖ, ସ୍ଵପ୍ନ ଏବଂ ସାଧନାଶ୍ରମଟିର ଦୂରରେ ବାହାରେ ବାହାରେ ଥିଲେ । ସେମାନେ ଅଭିଭାବକ, ଶୁଭଚିନ୍ତକ ଓ ଗୁରୁଜନ ହିସାବରେ ନିଜର ଭୂମିକାଗୁଡ଼ିକୁ ଗ୍ରହଣ କରି ନେଇଥିଲେ । ବାହାରେ ଯିଏ ଯାହାସବୁ କହୁଥାଉ ପଛକେ, ନିଜ ଅନ୍ତଃନାଡ଼ୀ ଗୁଡ଼ିକରେ ସିଏ ଯେଉଁଭଳି ଭୂମିକାଗୁଡ଼ିକୁ ପ୍ରକୃତରେ ଭଲ ପାଉଥାଏ ବିଧାତା ତାକୁ ସେହିଗୁଡ଼ିକରେ ବାନ୍ଧି ରଖିଥାଏ ଏବଂ ଖୁସୀ କରି ରଖିଥାଏ । ଜୀବନ-ବିଦ୍ୟାଳୟରେ ଗାନ୍ଧୀ ଅବଶ୍ୟ ଥିଲେ, ତଥାପି କେବଳ ଗାନ୍ଧୀ କେଉଁଠି ହେଲେ ନଥିଲେ । ସେଠାରେ ବିଦ୍ୟାର୍ଥୀମାନେ ହିଁ ସବାଆଗରେ ଥିଲେ । ମହାତ୍ମା ଗାନ୍ଧୀଙ୍କୁ ଏକ ପୂର୍ଣ୍ଣତର ପୃଷ୍ଠପଟ ଉପରେ ଥାପି ରଖି ଜୀବନ-ବିଦ୍ୟାଳୟ ଆପଣାର ବିଧି ଓ ସୂତ୍ରଗୁଡ଼ିକୁ ସ୍ଵୟଂ ଆବିଷ୍କାର କରୁଥିଲା । ତେଣୁ, ଗାନ୍ଧୀଙ୍କୁ ଗଞ୍ଜେଇ ଭଳି ବ୍ୟବହାର କରୁନଥିଲା । ଗାନ୍ଧୀ ଯେପରି ନିଜ ଜୀବନରେ ସତ୍ୟକୁ ପ୍ରୟୋଗ କରୁଥିଲେ, ଜୀବନ-ବିଦ୍ୟାଳୟରେ ଆମେ ହୁଏତ ଅଳ୍ପବହୁତ ସେହିପରି ଗାନ୍ଧୀଙ୍କୁ ପ୍ରୟୋଗ କରିବାରେ ଲାଗିଥିଲୁ ଏବଂ ସେହି ପ୍ରୟୋଗଗୁଡ଼ିକର ନିଷ୍କର୍ଷକୁ ଗାନ୍ଧୀରୂପେ ନୁହେଁ, ଆମ ଜୀବନର ସତ୍ୟରୂପେ ଗ୍ରହଣ କରୁଥିଲୁ । ଆମେ ନିଜକୁ ଧୋକା ଦେଉନଥିଲୁ ଅଥବା ଗାନ୍ଧୀଙ୍କୁ ମଧ୍ୟ ଧୋକା ଦେଉନଥିଲୁ । ବର୍ତ୍ତମାନ ବୁଝୁଛୁ, ସମ୍ଭବତଃ ସେହି କାରଣରୁ ହିଁ ମୋ’ ଜୀବନରେ ମହାତ୍ମା ଗାନ୍ଧୀ ଏଡ଼େ ନିଶ୍ଚିତ ଭାବରେ ସ୍ଥାୟୀ ସ୍ଥାନଟିଏ ଅଧିକାର କରି ରହିଗଲେ । ମୋ’ର ଗ୍ରହଣଶୀଳତାରେ ସେ କୌଣସି ହସ୍ତକ୍ଷେପ କଲେନାହିଁ ଏବଂ ମୁଁ ମଧ୍ୟ ଆହୁରି ସମ୍ପର୍କମାନ ଯୋଡ଼ି ନିଜର ଶିଖରଗୁଡ଼ିକୁ ଖୋଜି ଆଗକୁ ପାଦ ପକାଉଥିଲି ବୋଲି ଗାନ୍ଧୀ ଏଣିକି ମୋ’ ପାଇଁ ଅପ୍ରସାଙ୍ଗିକ ହୋଇଗଲେଣି ବୋଲି କେବେହେଲେ ଚିନ୍ତା ବି କରୁନଥିଲି ।

 

ପ୍ରାୟ ଏକ ଅର୍ବାଚୀନ ଆଗ୍ରହରେ ହିଁ ସେହି କଞ୍ଚା ବୟସରେ ମୁଁ ଗାନ୍ଧୀ ଲେଖାର ଓଡ଼ିଆ ଅନୁବାଦ କରିବାରେ ନିଜକୁ ପ୍ରତିଷ୍ଠା କରାଇଥିଲି । ଅନୁବାଦର ସେହି କାର୍ଯ୍ୟଟି ମୋତେ ସତେଅବା ମୋ’ର ଅତ୍ୟନ୍ତ ଅଜାଣତରେ ଜୀବନର ଦାଣ୍ଡ ପାଇଁ ମଧ୍ୟ ପାଳନ କରି ଆଣୁଥିଲା । ଗାନ୍ଧୀଙ୍କର ଆଖିରେ ଜଗତକୁ, ଜୀବନମୂଲ୍ୟ ଗୁଡ଼ିକୁ ଓ ମୋ’ର ଚତୁର୍ଦ୍ଦିଗକୁ ଦେଖୁ ଦେଖୁ ମୁଁ ନିଜର ଆଖିଟିଏ ବି ଲାଭ କଲି । ତେଣୁ, କୃତଜ୍ଞତା ବ୍ୟତୀତ ଗାନ୍ଧୀଙ୍କୁ ଦେବାଲାଗି ମୋ’ ପାଖରେ ପ୍ରକୃତରେ ଆଉ କ’ଣ ଅଛି ? ବାଟ ଚାଲୁ ଚାଲୁ ଗାନ୍ଧୀମାର୍ଗୀମାନଙ୍କର ଉପଦ୍ରବକୁ ଯେତିକି ଅଙ୍ଗେ ନିଭାଇଛି, ତଦ୍ଦ୍ଵାରା ଗାନ୍ଧୀଙ୍କ ପ୍ରତି ମୋ’ର କେବେ ହେଲେ କୌଣସି ବିମୁଖତା ଆସିନାହିଁ । ସେମାନଙ୍କ ଠାରୁ କେଞ୍ଚା ଖାଇଛି ବୋଲି ମୁଁ ବରଂ ଗାନ୍ଧୀଙ୍କୁ ନିଜେ ଆବିଷ୍କାର କରିବାକୁ ଅଧିକ ମନ ବଳାଇଛି, ତାଙ୍କର ରଚନାଗୁଡ଼ିକୁ ଅଧିକ ଶ୍ରଦ୍ଧା ଓ ଅଭିନିବେଶ ସହିତ ପାଠ କରିଛି, —ଏବଂ ତାହାର ଫଳଶ୍ରୁତି ସ୍ଵରୂପ ଗାନ୍ଧୀଙ୍କର ଅଧିକ ନିବିଡ଼ ଏବଂ ଅଧିକ ସଳଖ ଭାବରେ ଚିହ୍ନିବାକୁ ସମର୍ଥ ହୋଇଛି । ମାତ୍ର ତିନିବର୍ଷ ତଳେ ଯେତେବେଳେ ଗାନ୍ଧୀ ଉକ୍ତିଗୁଡ଼ିକର ଏକ ସୁବୃହତ୍ ସଂଗ୍ରହକୁ ଓଡ଼ିଆରେ ଅନୁବାଦ କରିବାର ଆଦେଶଟିଏ ପାଇଲି, ସେତେବେଳେ ସତେଅବା ଯାବତୀୟ ଅର୍ଥରେ ଜୀବନର ଗୋଟିଏ ଅତି ଚିହ୍ନା ଦେଉଳର ବେଢ଼ା ଭିତରେ ପୁନର୍ବାର ଆସି ପ୍ରବେଶ କରୁଥିବା ପରି ଅନୁଭବ କରୁଥିଲି । ପ୍ରାୟ ଛଅମାସ କାଳ ସେହି କାର୍ଯ୍ୟଟିରେ ମଗ୍ନ ହୋଇ ରହିଥିବା ସମୟରେ ମୁଁ ସବୁବେଳେ ଭାବୁଥିଲି ଯେ ମୁଁ ଏହି ଉଦବୋଧନଟି ଭିତରୁ କେବେହେଲେ ବାହାରକୁ ଚାଲି ଯାଇନଥିଲି, ଏହି ଉଦବୋଧନଟି ମଧ୍ୟ କେବେହେଲେ ମୋତେ ହୁଡ଼ି ଚାଲି ଯାଇନଥିଲା । ଅସଲ ସଂପର୍କଗୁଡ଼ିକୁ ଠିକ୍ ସେହିପରି । ଖାଲି ତୁମେ ଉଚିତ ପ୍ରକାରେ ଆପଣାକୁ ଉନ୍ମୋଚିତ କରି ରଖି ପାରିଥିଲେ ହେଲା !

 

ବିଶ୍ଵଭାରତୀୟ ଶାନ୍ତିନିକେତରେ ମୋ’ ଅଧ୍ୟୟନକାଳର ପାଞ୍ଚବର୍ଷ ମୋତେ ଏକ ତୀର୍ଥଚରଣ ପରି ଲାଗିଥିଲା । ନିଜ ଭିତରକୁ ଚାହିଁବା ସମୟରେ ମଧ୍ୟ ମୁଁ ତୀର୍ଥଟିଏ ଦେଖିବାପରି ଅନୁଭବ କରୁଥିଲି । ଏ ଜୀବନ ସତକୁ ସତ ପୂର୍ଣ୍ଣରୁ ପୂର୍ଣ୍ଣତର ଭାବରେ ଯେ ଆପଣାକୁ ନିବେଦନ କରିଦେବା ପାଇଁ, ସେହି କଥାଟି ଶାନ୍ତିନିକେତନରେ ପହଞ୍ଚିବା ପୂର୍ବରୁ ମୁଁ ନିଜ ବଞ୍ଚିବାର ସର୍ବବୃହତ୍ ସତ୍ୟରୂପେ ଅନୁଭବ କରୁଥିଲି । ସେହି ଅନୁଭବରେ ଏତେ ଟିକିଏହେଲେ ମଳିଧୂଳି ନଥିଲା । ଏ ଜୀବନ ସତକୁ ସତ ପୂର୍ଣ୍ଣରୁ ପୂର୍ଣ୍ଣତର ଭାବରେ ଆପଣାକୁ ନିର୍ମାଣ କରିବା ପାଇଁ, ଶାନ୍ତିନିକେତନରେ ମୋତେ ଏହି କଥାଟି ଅଧିକରୁ ଅଧିକ ସମର୍ପିତ ଭାବରେ ମଜ୍ଜାଇ କରି ରଖିବାକୁ ଲାଗିଲା । ମୁଁ କୌଣସି ଆପତ୍ତି ନକରି ସେହି ଦ୍ଵିତୀୟ ପ୍ରକ୍ରିୟାଟିର ହାତରେ ଧରା ଦେଲି-। ଦୁଇଟି ପର୍ଯ୍ୟାୟ ଭିତରେ କୌଣସି ବିରୋଧ କେଉଁଠାରେ ରହିଛି ବୋଲି କେବେହେଲେ ଅନୁଭବ କରିନଥିଲା । ସେଠାରେ ପୂର୍ଣ୍ଣସହାନୁଭୂତିଶୀଳ ଉଦାର ଶିକ୍ଷକମାନେ ଥିଲେ, କେଡ଼େ ସୁନ୍ଦର ପ୍ରକୃତି ମୋ’ ଅନୁଭବଶରୀର ଯାବତୀୟ ଅଙ୍ଗକୁ ଆବୋରି ରହିଥିଲା । ଜ୍ଞାନର ସାଗରସ୍ଵରୂପ ଗ୍ରନ୍ଥାଗାରଟିଏ ଥିଲା, ଯାହାକୁ ମୁଁ ସତେଅବା ଇସାରା ପାଇଥିବା ପରି ନିଜର ପରମ ବନ୍ଧୁରେ ପରିଣତ କରି ନେଇଥିଲି । ମାତ୍ର ସେଠାରେ ସର୍ବୋପରି ଯାହାଙ୍କ ସହିତ ଭେଟ ହୋଇଥିଲା, ସିଏ ହେଉଛନ୍ତି ସ୍ଵୟଂ ରବୀନ୍ଦ୍ରନାଥ । ଆଗରୁ ରବୀନ୍ଦ୍ରନାଥଙ୍କୁ ଜଣେ କବି ବୋଲି ଜାଣିଥିଲି । ସାହିତ୍ୟରେ ଏକ ବିଶ୍ଵପୁରସ୍କାର ଲାଭ କରି ସିଏ ପ୍ରକ୍ଷାତ ହୋଇଥିଲେ ଏବଂ ଭାରତବର୍ଷର ମର୍ଯ୍ୟାଦା ବୃଦ୍ଧି କରିଥିଲେ । ଶାନ୍ତିନିକେତନ ଯାଇ ତାଙ୍କର ସମଗ୍ର ରୂପଟିକୁ ଦେଖିବାକୁ ପାଇଲି । ଜଣେ କବିକୁ ଯେ ଜୀବନ ଓ ଜଗତର କେତେ କେତେ ଆୟତନରେ ପ୍ରବେଶ କରି ଯୁକ୍ତ ହୋଇ ରହିବାକୁ ପଡ଼େ, ରବୀନ୍ଦ୍ରନାଥଙ୍କର ସମ୍ପର୍କରେ ଆସି ମୁଁ ସେହି ଧାରଣାଟିକୁ ଲାଭ କରିଥିଲି ।

 

ସେହି ଧାରଣା ମୋତେ ଉଲ୍ଲସିତ କଲା । ଏବେ ମଧ୍ୟ ସେହିପରି ଉଲ୍ଲସିତ କରି ରଖିଛି-। ଜଗତଯାକ ଆଛାଦନ କର ସତ୍ୟ, ଶିବ ଏବଂ ସୁନ୍ଦର ବୋଲି ଯାହାକିଛି ଆମ ଚତୁର୍ଦ୍ଦିଗରେ ଘେରି ରହିଛି, ଜନନୀ ହୋଇ ଆମକୁ ଉଚ୍ଚାଟିତ କରି ରଖିଛି ଏବଂ ବନ୍ଧୁ ହୋଇ ଆମକୁ ବାଟ ଚଳାଇ ନେଉଛି, ଆପଣାର ଗୋଟାଏ ଜୀବନରେ ରବୀନ୍ଦ୍ରନାଥ ଯେ କିପରି ସେହି ସବୁକିଛିକୁ ସ୍ପର୍ଶ କରି ପାରିଲେ, ଆମପାଇଁ ଉଦ୍‍ଘାଟିତ କରାଇଦେଲେ ଏବଂ ଆମେ ବି ଯେପରି ସେହିଭଳି ଜୀବନଟିଏ ଲାଗି କରି ଆସ୍ପୃହା ଲାଗି ଆସ୍ପୃହା କରିପାରିବୁ, ସେଥିଲାଗି ଆମକୁ ଆଖି, କାନ, କଣ୍ଠ ଏବଂ ହୃଦୟଗୁଡ଼ିକୁ ମଧ୍ୟ ଯୋଗାଇ ଦେଲା, ରବୀନ୍ଦ୍ରନାଥ ମୋତେ ସେହି କ୍ଷେତ୍ରରେ ଏକ ବିସ୍ମୟ ପରି ଆକର୍ଷିତ କରିବାକୁ ଲାଗିଲେ । ଶାନ୍ତିନିକେତନରେ ଏକଦା ଅତିବାହିତ ହୋଇଥିବା ରାତି ଓ ଦିନଗୁଡ଼ିକ ସେହି ଦିନଠାରୁ ସାରା ଜୀବନଟା ନିମନ୍ତେ ମୋ’ର ସବୁଯାକ ଦିନପାଇଁ ସତେଅବା ଦର୍ପଣଟିଏ ହୋଇ ରହିଗଲା । ମୁଁ ନିଜପାଇଁ ଏପରି ଏକ ଠାବ ସବୁଦିନ ସକାଶେ ପାଇଗଲି, ଯାହା ମୋତେ ଏକାବେଳେକେ ମୁଗ୍ଧ କରି ରଖିଲା, ଗତିଶୀଳ ବି କରି ରଖିଲା; ନୀରବ କରି ଆଣିଲା, ମୁଖର ବି କରିଦେଲା । ମୁଁ ନିଜର ଘରଟିକୁ ସତେଅବା ତାହାରି ହାତ ଧରି ଫେରି ଆସିଲି ଏବଂ ସେଇଠୁଥାଇ ସମୁଦାୟ ବିଶ୍ଵଟିକୁ ବି ସ୍ପର୍ଶ କରିପାରିଲି । ତୁମେ ଇଚ୍ଛା କଲେ ସାହିତ୍ୟନାମକ ସର୍ଜନା ତୁମକୁ ଯେ ପ୍ରକୃତରେ କ’ଣ ଆଣି ନଦିଏ, ମୁଁ ଏବେ ମଧ୍ୟ ବିସ୍ମିତ ହୋଇ ଅନେକ ସମୟରେ ତାହା ଚିନ୍ତା କରିଥାଏ । ଆଧୁନିକ କାଳରେ ସାହିତ୍ୟରେ ଯେଉଁମାନେ କାଳିସୀତତ୍ତ୍ଵକୁ ଆଣି ଭର୍ତ୍ତି କରିବାର ପ୍ରୟାସ କରନ୍ତି, ସେମାନେ ଯେପରି ନିଜ ଗବାକ୍ଷଗୁଡ଼ିକୁ ବନ୍ଦ କରି ତୁଚ୍ଛା ନିଜଟା ସହିତ ଘଡ଼ିଏ ଗଡ଼ି କରିବାକୁ ହିଁ ସୁଜନାତ୍ମକତା ବୋଲି କହୁଛନ୍ତି ବୋଲି ମୋ’ର ମନେ ହୋଇଥାଏ-। ଡେଣା ଚିରି ଯାଇଥିବା କ୍ଳାନ୍ତ ପ୍ରଜାପରି ସେମାନେ ସତେଅବା କାଳିସୀ ଆସି ସେମାନଙ୍କୁ କିଞ୍ଚିତ୍ କାମସ୍ପର୍ଶ ଆଣି ଦେବ ବୋଲି ଅପେକ୍ଷା କରି ରହିଥାନ୍ତି ।

 

ରବୀନ୍ଦ୍ରନାଥଙ୍କର ରଚନାରୁ ଯେତେ ପାରିଲି, ସେଇ ଶାନ୍ତିନିକେତେନରେ ହିଁ ପଢ଼ି ପକାଇଲି । ସେଠାରେ ରବୀନ୍ଦ୍ରସାହିତ୍ୟ ମୋ’ଅଧ୍ୟୟନର ଗୋଟିଏ ବିଷୟ ବି ଥିଲା । ପ୍ରତ୍ୟହ କୌଣସି ନା କୌଣସି ଅବସରରେ ରବୀନ୍ଦ୍ର-ସଙ୍ଗୀତ ଶୁଣିବାକୁ ମିଳୁଥିଲା । ରବୀନ୍ଦ୍ର-ସଙ୍ଗୀତ ଗାଇବାକୁ ବି ମନ ହେଲା । ବିଶ୍ଵଭାରତୀର ପାଠ ସମାପ୍ତ କରି ଯେତେବେଳେ ଶାନ୍ତିନିକେତନ ଛାଡ଼ିଲି, ସେତେବେଳେ ରବୀନ୍ଦ୍ରନାଥଙ୍କୁ ବି ସାଙ୍ଗରେ ନେଇ ଆସୁଥିଲା ପରି ମନେ ହେଉଥିଲା । ଜଣେ ଜଣେ ବଡ଼ ମଣିଷ ଥାଆନ୍ତି, ଯେଉଁମାନେ କି ତୁମତୁ ଗୋଟାସୁଦ୍ଧା ଗ୍ରାସ କରି ପକାନ୍ତି । ଜଣେ ଜଣେ ମଣିଷଙ୍କର ଧାରୁ କି ସତେଅବା ଏମିତି ଭାବରେ ତିଆରି ହୋଇ ରହିଥାଏ, ଯାହାଫଳରେ ସେମାନେ ନିଜଆଡ଼ୁ ଯାଇ ତାହାର ଗ୍ରାସରେ ପଡ଼ିଯିବା ନିମନ୍ତେ ଟାଳି ରହିଥାନ୍ତି । ରବୀନ୍ଦ୍ରନାଥ ମୋ’ ଜୀବନରେ ଅନେକ ଉନ୍ମୋଚରର କାରଣ ହୋଇ ରହିଛନ୍ତି । ଭିତର ଏବଂ ବାହାର ଉଭୟ ଆଡ଼କୁ ଆଗକୁ ଯିବାରେ ତାଙ୍କର ଗୋଟିଏ ଗୋଟିଏ କବିତା ବା ଗୀତା ମୋ’ ପାଇଁ ବନ୍ଧୁର କାର୍ଯ୍ୟ କରିଆସିଛି । ଗୀତଗାଇବା କହିଲେ ଏବେ ମୁଁ ସର୍ବଦା ରବୀନ୍ଦ୍ର-ସଙ୍ଗୀତକୁ ହିଁ ବୁଝୁଛି-। ପାଠ ପଢ଼ୁଥିବା ସମୟରେ ସେହି ଶାନ୍ତିନିକେତେନରେ ହିଁ ମୁଁ ରବୀନ୍ଦ୍ରନାଥଙ୍କର ତିନୋଟି ବହିର ଓଡ଼ିଆ ଅନୁବାଦ କରି ପକାଇଥିଲି । ସେଗୁଡ଼ିକ ସେତେବେଳେ ପ୍ରକାଶିତ ବି ହୋଇଥିଲା-। ରବୀନ୍ଦ୍ର ଜନ୍ମ-ଶତବାର୍ଷିକୀ ଅବସରରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ମୋ’ ଦ୍ଵାରା ରବୀନ୍ଦ୍ରନାଥଙ୍କର ଗୋଟିଏ ବଡ଼ ଉପନ୍ୟାସର ଓଡ଼ିଆ ଅନୁବାଦ କରାଇ ବି ଛପାଇଲେ । ସାହିତ୍ୟ ଜୀବନର ଏକ ବିଶେଷ କୋଣ ନୁହେଁ, ଗୋଟାଏ କିସମର ଚାହାଳୀଚୋରମାନଙ୍କ ପାଇଁ ସାହିତ୍ୟ ନିଭୃତରେ ନିଜ ସହିତ ରତି କରିବାରେ ଏକ ଖାସ୍ ଗାତ ମଧ୍ୟ ନୁହେଁ, ମୁଁ ଏହି କଥାଟିକୁ ଅଙ୍ଗେ ନିଭାଇବାରେ ରବୀନ୍ଦ୍ରନାଥ ମୋତେ ନିୟୁତ ସାହାଯ୍ୟ କରି ଆସିଛନ୍ତି । ମୁଁ ତାଙ୍କୁ କେବେହେଲେ ସଶରୀର ଦେଖିନାହିଁ ସତ, ମାତ୍ର ନିଜ ଜୀବନରେ ମୁଁ ଏପର୍ଯ୍ୟନ୍ତ ହୁଏତ କିଛିହେଲେ ଅନୁଭବ କରିନାହିଁ, ଯେଉଁଥିରେ କି ମୁଁ ରବୀନ୍ଦ୍ରନାଥଙ୍କୁ ମୋ’ ପାଖରେ ଛିଡ଼ା ହୋଇଥିବାର ଦେଖିନାହିଁ ।

 

ଶ୍ରୀ ଅରବିନ୍ଦଙ୍କର କେତୋଟି ଗ୍ରନ୍ଥକୁ ଓଡ଼ିଆରେ ଅନୁବାଦ କରିବାର ମାଧ୍ୟମରେ ମୁଁ ସେହି ଅଗାଧତା ମଧ୍ୟକୁ ପ୍ରବେଶ କରିବାର ସୌଭାଗ୍ୟ ଲାଭ କରିଥିଲି । ଆଗରୁ ସେଇଟି ସହିତ ମୋ’ର କୌଣସି ପରିଚୟ ନଥିଲା । ଉପରଠାଉରିଆ ଭାବରେ କିଛି ଏଣୁତେଣୁ ଅବଶ୍ୟ ଜାଣିଥିଲି, ମାତ୍ର ତାହାକୁ ଏକ ପରିଚୟ ବୋଲି ଆଦୌ କୁହାଯିବ ନାହିଁ । ସର୍ବପ୍ରଥମେ The Life Divine ଗ୍ରନ୍ଥଟିର ଅନୁବାଦ କରିବାକୁ ପଡ଼ିଥିଲା । କଲମ ଧରି ବସୁ ବସୁ କାର୍ଯ୍ୟଟି ମୋ’ ପାଇଁ ଏକାବେଳେକେ ଅସମ୍ଭବ ବୋଲି ମନେ ହେଲା । ପ୍ରଥମ କେତେଦିନ ଭାରି ସଂଘର୍ଷ କରିବାକୁ ପଡ଼ିଲା । ବହିଟି ସହିତ ଯେତେ ନୁହେଁ, ମୋ’ ନିଜ ସହିତ ତା’ଠାରୁ ଅଧିକ ସଂଘର୍ଷ କରିବାକୁ ପଡ଼ିଥିଲା । ଆଗରୁ ବହୁ ପୁସ୍ତକର ଅନୁବାଦ କରିଥିଲି, ମାତ୍ର ଏମିତି ସଂଘର୍ଷ କେବେହେଲେ କରିନଥିଲି । ବେଳେ ବେଳେ ଭାବୁଥିଲି, କିଏ କ’ଣ ମନରେ ରଖି ଏହି କାମଟିକୁ ମୋତେ ଆଣି ଦେଲା କେଜାଣି ? ସତେଅବା ଛତ୍ରଭଙ୍ଗ ଦେଇ ରହିଯିବ ବୋଲି ଚିନ୍ତା କରୁଥିବା ସମୟରେ କୋଉଠି ବାଟଟିଏ ଖୋଲି ଯିବାପରି ଅନୁଭବ ହେଲା । ମୋ’ ନିଜ ଭିତରକୁ ବାଟଟିଏ । ସତେଅବା ମୁଁ କାହାକୁ ସ୍ଵୀକାର କରିନେବାକୁ ମୋଟେ ରାଜି ହେଉନଥିଲି ଓ ତେଣୁ ନିଜ ଭିତରକୁ ବାଟ ପାଉନଥିଲି; ସ୍ଵୀକାର କରିନେବାରୁ ହିଁ ବାଟ ପାଇଗଲି । ସତେଅବା ଆପେ ଆସି ଧରା ଦେଲି । ତା’ପରେ ସବୁ ସହଜ ଲାଗିଲା, ସବୁ ଭଲ ଲାଗିଲା । ଲାଗିଲା, ମୋ’ଜୀବନରେ ଠିକ୍ ଏହିପରି ସାକ୍ଷାତ୍‍କାରଟିଏ ହେବ ବୋଲି ଅପେକ୍ଷା ରହିଥିଲା, —ଏବଂ ବର୍ତ୍ତମାନ ତାହାହିଁ ଘଟିଲା-। ସିଏ ମୋତେ ଛାଡ଼ି ପାରିଲାନାହିଁ କି ମୁଁ ମଧ୍ୟ ତାକୁ ଛାଡ଼ି ପାରିଲିନାହିଁ । ଦିନ ଦିନ, ମାସ ମାସ ଧରି ଦିନକୁ ପ୍ରାୟ ନଅଘଣ୍ଟା ସମୟ ଏହି କାର୍ଯ୍ୟଟିରେ ଦେଲି । ଅନ୍ୟ ଯାବତୀୟ କାର୍ଯ୍ୟ ସତ୍ତ୍ୱେ ସେମାନେ ପ୍ରତ୍ୟହ ସେତିକି ସମୟ ଅବଶ୍ୟ ମିଳି ଯାଉଥିଲା । ତଥାପି କ୍ଳାନ୍ତ ଲାଗୁନଥିଲା କିମ୍ବା ଉତ୍ସାହ ସରି ଯାଉନଥିଲା ।

 

ସେଇ ଯେ ଥରେ ଭରସା ପାଇ ପଶିଗଲି, ଆଉ ବାହାରି ପାରିଲିନାହିଁ । ଏ ଅବଧି ମୋ’ ଜୀବନର ଯାବତୀୟ ସଂଗ୍ରହ ଓ ଅନୁଭବ, —ସବୁଗୁଡ଼ିକୁ ମୁଁ ସତେଅବା ଏକ ପରମବିମୋଚନକାରୀ ସମଗ୍ରତା ମଧ୍ୟରେ ଦେଖିବାକୁ ପାଇଗଲି । ସାନବଡ଼ ସବୁକିଛିର ସମଗ୍ର ଔଚିତ୍ୟଟିକୁ ପ୍ରତ୍ୟକ୍ଷ କରି ପାରିଲି । ବିହ୍ଵଳ ହେବାର ପ୍ରଶ୍ନ ହିଁ ନଥିଲା, ନୂଆ ଗୁରୁଟିଏ ପାଇ ଏକ ନୂଆ ସଂପ୍ରଦାୟ ଭିତରେ ନିବୁଜ ହୋଇ ରହିବାର ମଧ୍ୟ କୌଣସି ଅବକାଶ ନଥିଲା । ଜୀବନରେ ଏକ ଅଭିନବ ଦୀକ୍ଷା ହୋଇଗଲା : ଏପରି ଆଖିଟିଏ ମିଳିଗଲା, ଯାହାଦ୍ୱାରା ମୁଁ କୌଣସି କିଛିକୁ ମଧ୍ୟ ଆଉ ବିଚ୍ଛିନ୍ନ କରି ନ ଦେଖି ପାରିଲିନାହିଁ । ଏକ ସମଗ୍ର ନକ୍‍ସା ଭିତରେ ଏହି ପୃଥିବୀର ନିୟତିକୁ ଦେଖିବାକୁ ପାଇଲି, ସେହି ନିୟତିଟିର ପରିପ୍ରେକ୍ଷୀରେ ନିଜକୁ ମଧ୍ୟ ଦେଖିବାକୁ ପାଇଥିଲି-। ଜୀବନରେ ଯେଉଁଠି ଯେତେ ଯାହା ମୁଁ ଅର୍ଜୁନ କରିଥିଲି, ସେହି ସବୁକିଛି ମିଶି କାହାର ଆଶୀର୍ବାଦ ପାଇ ମୋ’ ଆଖିଆଗରେ ନିୟତ ଲାଗି ରହିଥିବା ଏକ ମଧ୍ୟ ଭୂମିକାଟିଏ ରହିଥିଲା । ଏଠାକୁ ଆସି ମୋଟେ କାହାରିକୁ ବର୍ଜନ କରିବାକୁ ପଡ଼ିଲାନାହିଁ । The Life Divine ପରେ The Synthesis of Yoga, The Human Cycle ଏବଂ The Ideal of Human Unity ଗ୍ରନ୍ଥଗୁଡ଼ିକର ଅନୁବାଦ କଲି । ‘ଦିବ୍ୟ ଜୀବନର’ର ପ୍ରଥମ ଭାଗଟି ଯେତେବେଳେ ୧୯୭୨ ମସିହାରେ ଛପାହୋଇ ବାହାରିଲା, ସେତେବେଳେ ଶ୍ରୀ ଅରବିନ୍ଦଙ୍କର ପୂର୍ଣ୍ଣ ରଚନାବଳୀ ମୋଟେ ଉପହାର ସ୍ଵରୂପ ମିଳିଥିଲା । ସେଗୁଡ଼ିକୁ ଡାଆଣାଙ୍କ ପରି ପଢ଼ିଗଲି । ପଢ଼ୁ ପଢ଼ୁ ଭିତରଟି ଗଣ୍ଠି ଗଣ୍ଠି ହୋଇ ଖୋଲି ଯାଉଥିଲା ଏବଂ ମୁଁ ସତେଅବା ଗୋଟାସୁଦ୍ଧା ନିଜ ଇଚ୍ଛାରେ ନିୟତର ଯେଉଁ ଇଚ୍ଛାଟି ସହିତ ବାନ୍ଧି ହୋଇ ଯାଉଥିଲି ।

 

ଶ୍ରୀ ଅରବିନ୍ଦ ଏକ ନୂଆ ଚେତନାର କଥା କହିଛନ୍ତି । ବର୍ତ୍ତମାନ ଯେଉଁ ଚେତନାଟି ପୃଥିବୀକୁ ଚଲାଉଛି, ସେଇଟି ବିବର୍ତ୍ତିତ ହୋଇ ଏକ ନୂତନ ଚେତନାର ସତ୍ୟ ଭିତରକୁ ଆରୋହଣ କରାଯିବ ଏବଂ ତା’ପରେ ଅବତରଣ କରି ବର୍ତ୍ତମାନଟାକୁ ଯନ୍ତ୍ରରୂପେ ବ୍ୟବହାର କରି ଏକ ନୂତନ ବିଶ୍ଵନିର୍ମାଣ ନିମନ୍ତେ ଆମ ସମସ୍ତଙ୍କୁ ପ୍ରସ୍ତୁତ କରିନେବ । ଏପରି ଏକ ଅନ୍ୟ ଭବିଷ୍ୟ ଆମର ପରବର୍ତ୍ତୀ ଭବିଷ୍ୟରୂପେ ଆମଲାଗି ଅପେକ୍ଷା କରି ରହିଛି, ଆମେ ସମ୍ମତ ହୋଇ ପାରିଲେ ଆମେ ଯାହାକୁ ଏହି ପୃଥିବୀ ଉପରକୁ ଅଧିକ ତ୍ଵରାର ସହିତ ଅବତୀର୍ଣ୍ଣ କରି ଆଣିପାରିବା । ଆମ ପୃଥୀ ସଭ୍ୟତାରେ ମଣିଷକୁ ନିମିତ୍ତ କରି ଯାହାକିଛି ଘଟିଛି, ତାହା ସତେଅବା ସେହି ପରିପୂର୍ଣ୍ଣ ଶିଖରଟି ନିମନ୍ତେ ସଂପୃକ୍ତ ସବୁକିଛିକୁ ପ୍ରସ୍ତୁତ କରି ଆଣିଛି । ଏସବୁ କଥା ଅରବିନ୍ଦ ପ୍ରାୟ ଅଶୀବର୍ଷ ପୂର୍ବେ ଲେଖିଥିଲେ । ଅଶୀ ବର୍ଷପରେ ଆପଣା ଭିତରକୁ ଏବଂ ଆପଣାର ଚତୁର୍ଦ୍ଦିଗକୁ ଦୃଷ୍ଟିପାତ କରି ମନେହେଉଛି, ସତେଯେପରି ସେହି ଘୋଷଣାଗୁଡ଼ିକ ବାସ୍ତବରେ ରୂପାୟତ ହେବାରେ ଲାଗିଛି । ସେହି ନୂନତ ଚେତନାଦ୍ଵାରା ପରିପ୍ରେରିତ ଏବଂ ପରିଚାଳିତ ଜୀବନ,–ତାହାହିଁ ଦିବ୍ୟ ଜୀବନ । ଏକ ଅହଂମୁକ୍ତ ଜୀବନ, ସାହାସମୟ ଜୀବନ, ବିଶ୍ଵାସପ୍ରେରିତ ଜୀବନ । ବିବର୍ତ୍ତନର ପରବର୍ତ୍ତୀ ସୋପାନରୂପେ ସେଇଟି ପୃଥିବୀଲାଗି ଅପେକ୍ଷା କରି ରହିଛି । ବିବର୍ତ୍ତନବିଜ୍ଞାନର ପ୍ରବକ୍ତାମାନେ ମଧ୍ୟ ଶ୍ରୀ ଅରବିନ୍ଦଙ୍କର ଭାଷାରେ କଥା କହିଲେଣି । ଏକ ନୂତନର ଆୟାମରେ ପୃଥିବୀକୁ ମୁହାଁଇ ନେବାକୁ ଆଗଭର ହେଲେଣି । ୧୯୪୭ ମସିହା ଅଗଷ୍ଟ ପନ୍ଦରତାରିଖ ଦିନ ଶ୍ରୀ ଅରବିନ୍ଦ ନିଜର ଯେଉଁ ପାଞ୍ଚୋଟି ସ୍ଵପ୍ନର କଥା କହିଛନ୍ତି, ସେ ସେଥିରେ ବାମ ସମସ୍ତଙ୍କୁ ତାହାରି ସଙ୍କେତ ଦେଇଛନ୍ତି-। ଏଣିକି ସାନ ସାନ ସ୍ଵାର୍ଥ ଓ ସାନ ସାନ ଭୟର ବେଢ଼ାଗୁଡ଼ାକ ଭାଙ୍ଗିଯିବ, ପ୍ରତିଷ୍ଠିତ ପୁରୁଣାମାନେ କେଡ଼େ ପରାକ୍ରମରେ ତାହା କରାଇ ଦେବେନାହିଁ ବୋଲି ଲଢ଼ି ବାହାରିବେ । ତଥାପି ରହିଯିବେ-। କାଳ ଆଗକୁ ଚାଲିଯିବ; ମଣିଷର ଯେତିକି ସହଯୋଗ ପାଇବ, ସେତିକି ତ୍ଵରାରେ ଆଗକୁ ଚାଲିଯିବ ।

 

ବିଶ୍ଵର ସେହି ନବବିଧାନ ଏବଂ ନବନିର୍ମାଣରେ ଯେତେବେଳେ ଭାରତବର୍ଷର ଭୂମିକାଟିଏ ବିଷୟରେ ଯାହାକିଛି ରହିଥିବ, ସେଥିରେ ରବୀନ୍ଦ୍ରନାଥ, ମହାତ୍ମା ଗାନ୍ଧୀ ଏବଂ ଶ୍ରୀ ଅରବିନ୍ଦ ଅବଶ୍ୟ ରହିବେ । ମୋ’ର ପ୍ରକୃତରେ ପରମ ସୌଭାଗ୍ୟ ଯେ ମୁଁ ସେହି ତିନିଜଣଙ୍କର କେତେକ ଗ୍ରନ୍ଥକୁ ଓଡ଼ିଆରେ ଅନୁବାଦ କରିଛି ଏବଂ ତାହାରି ମାଧ୍ୟମରେ ନିଜକୁ ସେମାନଙ୍କ ସ୍ପର୍ଶର ପରିଧି ଭିତରକୁ ଆଣିପାରିଛି । ଅନେକ ଚେଲାଙ୍କ ପରି ସେମାନଙ୍କ ଭିତରେ ମୁଁ କେବେ କୌଣସି ବିରୋଧ ଦେଖି ପାରିନାହିଁ । ଆଗ ନିଜ ଭିତରେ ଛିଡ଼ା କରି ରଖିଥିବା ହିଡ଼ଗୁଡ଼ିକୁ ଭାଙ୍ଗିଦେଲେ ଜୀବନର ସାକ୍ଷାତ୍‍କାରଗୁଡ଼ିକୁ କିପରି ପରସ୍ପରର ପରିପୂରକ ହୁଅନ୍ତି, ମୁଁ ସେକଥାକୁ ଅଙ୍ଗେ ନିଭାଇଛି ଏବଂ ଧନ୍ୟ ହୋଇଛି । ରବୀନ୍ଦ୍ରନାଥ, ମହାତ୍ମା ଗାନ୍ଧୀ ଓ ଶ୍ରୀ ଅରବିନ୍ଦଙ୍କୁ ହିଁ ଏହି ଶତାବ୍ଦୀର ପୃଥିବୀକୁ ଭାରତବର୍ଷର ସର୍ବୋତ୍ତମ ଅବଦାନ ବୋଲି ଅବଶ୍ୟ ସ୍ଵୀକାର କରିବାକୁ ହେବ-। ତିନିଜଣଯାକ ନିଜ ଜୀବନର ନିର୍ମାଣାତ୍ମକ ପର୍ଯ୍ୟାୟରେ ପଶ୍ଚିମ ଜଗତ ସହିତ ପରିଚିତ ହୋଇଥିଲେ । ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ମଧ୍ୟରେ ଏହି ଶତାବ୍ଦୀରେ ଘଟିଥିବା ମୂଲ୍ୟ ସମନନ୍ଵୟର ପରିଣାମ ସ୍ଵରୂପ ଭାରତବର୍ଷ ଏହି ତିନି ମନୀଷୀଙ୍କୁ ପାଇବାର ସୌଭାଗ୍ୟ ଯେ ଲାଭ କରିଛି, ସେକଥାଟି ମଧ୍ୟ ସ୍ଵୀକାର କରିବାରେ କେହି କଦାପି ଅନିଚ୍ଛୁକ ହେବେନାହିଁ । ଏହି ତିନିଜଣଙ୍କର ଜନ୍ମ ଭାରତବର୍ଷରେ ହୋଇଛି, ମାତ୍ର ସେମାନଙ୍କର ଉପଲବ୍‍ଧ ସତ୍ୟଗୁଡ଼ିକର ଏବଂ ସେମାନେ ସୂଚାଇଦେଇ ଯାଇଥିବା ପଥରଗୁଡ଼ିକର ଯେଉଁ ଆବେଦନ ରହିଛି, କେବଳ ସମଗ୍ର ବିଶ୍ଵର ପରିପ୍ରେକ୍ଷୀରେ ହିଁ ତାହାର ଯଥାର୍ଥ ଆକଳନ କରାଯାଇ ପାରିବ । ମହାତ୍ମା ଗାନ୍ଧୀ ବା ଶ୍ରୀ ଅରବିନ୍ଦ କିମ୍ବା ରବୀନ୍ଦ୍ରନାଥଙ୍କୁ ବାଦ୍ ଦେଇ ଆଧୁନିକ ଭାରତରେ ପ୍ରକୃତରେ କେଉଁ କଥାଟିର ଆଲୋଚନା କରାଯାଇ ପାରିଚ ? ଅଳସୁଆମାନେ ସେମାନଙ୍କ ନାମରେ ଦେଉଳ ତିଆରି କରିଦେବେ, ମାତ୍ର ସଚେତନ ଭାରତବର୍ଷ ସେମାନଙ୍କୁ ନିଜପାଇଁ ବହୁ ପ୍ରେରଣାର ଉତ୍ସ ବୋଲି ଜାଣିବ ଓ ଆଗକୁ ବାଟ କାଢ଼ିବ ।

 

ରବୀନ୍ଦ୍ରନାଥ, ମହାତ୍ମା ଗାନ୍ଧୀ ଏବଂ ଶ୍ରୀ ଅରବିନ୍ଦଙ୍କୁ ଭୂମି ପାଇଥିବାରୁ ମୁଁ କେବଳ ଭାରତବର୍ଷକୁ ଯେ ସମଗ୍ର ଓ ଅନ୍ତରଙ୍ଗ ଭାବରେ ବୁଝିପାରୁଛି ତା’ କିନ୍ତୁ ଆଧୁନିକ ପୃଥିବୀରେ ଘଟୁଥିବା ଯାବତୀୟ ଘଟଣା ତଥା ଆଲୋଡ଼ନକୁ ମଧ୍ୟ ମୁଁ ଅଧିକ ମୋହଯୁକ୍ତ ଭାବରେ ବୁଝିପାରୁଛି-। ସମ୍ଭବତଃ ସେହି କାରଣରୁ କେବେହେଲେ ନିରାଶ ଲାଗୁନାହିଁ, କେବେହେଲେ ଠକିବାକୁ ମନ ହେଉନାହିଁ; ଖସି ପଳାଇବାର ଦୁର୍ବୁଦ୍ଧି ମଧ୍ୟ ମୋତେ ଛୁଇଁ ପାରୁନାହିଁ । ଭାରତବର୍ଷରେ ପ୍ରଚାରିତ ହୋଇଥିବା ଅଧିକାଂଶ ତଥାକଥିତ ପ୍ରଜ୍ଞା ମଣିଷମାନଙ୍କୁ ସତେଅବା ପଳାଇ ଯିବାକୁ ହିଁ ଅଧିକ ପ୍ରବର୍ତ୍ତାଇଛି, ବାବାଜୀ ହେବା ସକାଶେ ଏକ ଦୁର୍ବୁଦ୍ଧିପୂର୍ଣ୍ଣ କୁମନ୍ତ୍ରଣା ଦେଇପାରିଛି । ଏଠି ସାଧୁ ସନ୍ଥ, ମନୀଷୀ ଓ ମହାପୁରୁଷମାନେ ସତକୁ ସତ କ’ଣ ଖୋଜୁଥିଲେ ଏବଂ ପାଇଲା ବେଳକୁ ସତେଅବା ଅନ୍ୟ କ’ଣଟିଏ ପାଇଲେ କି କ’ଣ କେଜାଣି, ସେମାନେ ଭାରି ବିହ୍ଵଳ ହୋଇ ଗୋଟାଏ ହିମାଳୟକୁ ଆଦରି: ଯାଇଛନ୍ତି ଏବଂ ଅନୁଗତ ଅନୁଗାମୀମାନଙ୍କୁ ସେହି ଗୋଟିଏ ଥାନରେ ହିଁ ଭଗବାନ ବିଦ୍ୟମାନ ରହିଛନ୍ତି ବୋଲି କେଡ଼େ ଦର୍ପର ସହିତ ବୁଝାଇ କହିବାକୁ ଚେଷ୍ଟା କରିଛନ୍ତି-। ଏହି ପୃଥିବୀଟାକୁ ତୁଚ୍ଛା ଅର୍ଥହୀନ ଏବଂ ସକଳ କଳୁଷର ଆଗାର ବୋଲି କହିଛନ୍ତି । ଏହି ସଂସାରରେ କେହି କାହାରି ନୁହନ୍ତି ବୋଲି ନାସ୍ତିକଙ୍କ ଭଳି ଘୋଷଣା କରି ପକାଇଛନ୍ତି । ଯଦି ଭଗବାନ ସବୁ ମଣିଷଙ୍କ ଭିତରେ ରହିଛନ୍ତି, ଯଦି ସିଏ ବିଶ୍ଵ ଭରି ପ୍ରକୃତରେ ରହିଛନ୍ତି, ତେବେ ଏଠି କେହି କାହାରି ନୁହନ୍ତି ବୋଲି ମିଛ କହିବାକୁ ଜଣେ ଭଗବତସମର୍ପିତ ମଣିଷର ମନ କିପରି ଓ କାହିଁକି ବଳିବ-? ଭାରତୀୟ ବିଦ୍ୟାର ଜଙ୍ଗଲଟା ଭିତରେ ସେଥିଲାଗି ରବୀନ୍ଦ୍ରନାଥ, ମହାତ୍ମା ଗାନ୍ଧୀ ଏବଂ ଶ୍ରୀ ଅରବିନ୍ଦଙ୍କର ଏକ ସ୍ଵତନ୍ତ୍ର ସ୍ଥାନ ରହିଛି, ଯେଉଁଟିକୁ ସ୍ଵତନ୍ତ୍ର ବୋଲି ବୁଝି ଗ୍ରହଣ କରିପାରିଲେ ଆମକୁ ଏହି ପୃଥିବୀରେ ଉଦାସୀନ ଏବଂ ଉପୋକ୍ଷାପୂର୍ଣ୍ଣ ହୋଇ ରହିବାକୁ ମୋଟେ ଇଚ୍ଛା ହେବନାହିଁ ।

 

ଭାରତବର୍ଷରେ ଯେଉଁ ପଲ୍ଲବଗ୍ରାହୀମାନେ ଏହି କ୍ରୟୀଙ୍କ ମଧ୍ୟ କାହାକୁ ଜଣକୁ ଦୈବାତ୍ ଗଳାରେ ପଥର ପରି ବାନ୍ଧିବାର ଧନ୍ଦା ଭିତରେ ଯାଇ ପଶି ଯାଇଛନ୍ତି, ସେମାନେ ସେହି ନିର୍ବାଚିତ ଜଣଙ୍କୁ ହିଁ ସତେଅବା କାନ୍ଧରେ ନେଇ ବସାଇବାର ସଉକରେ ପଡ଼ିଯାଇ ବଡ଼ ସନ୍ତାପିତ ହେଉଛନ୍ତି-। ସତ୍ୟକୁ ନେଇ ସଂପ୍ରଦାୟମାନ ଗଢ଼ିବା, ଯୁଗେ ଯୁଗେ ଏହି ଅବ୍ୟାପାରଟି କେତେ ମଣିଷଙ୍କର ଏକ ପ୍ରିୟ ମାମଲତରେ ପରିଣତ ହୋଇ ରହିଛି । ସେମାନେ ସତ୍ୟ ତଥା ସତ୍ୟର ବାର୍ତ୍ତାବହମାନଙ୍କୁ ଠାକୁର କରି ପକାଇଛନ୍ତି । ଭାରତବର୍ଷରେ ସେହି ଅରୀତିଟାକୁ ସମ୍ଭବତଃ ଏକ ବିଶେଷ ଧୁରନ୍ଧରତା ସହିତ କାର୍ଯ୍ୟକାରୀ କରାଯାଇ ଆସିଛି । ଭକ୍ତର ଜଞ୍ଜାଳ ଏବଂ ଅତିଚାରିତଗୁଡ଼ାକର ଜାଲରେ ପଡ଼ି ହିଁ ଯୁଗେ ଯୁଗେ ସତ୍ୟ ଓ ଭଗବାନଙ୍କୁ ଖଣ୍ଡ ଖଣ୍ଡ ହୋଇଯିବାକୁ ପଡ଼ିଛି । ଭାରତବର୍ଷରେ ତାହା ହୁଏତ ଏକ ବିଶେଷ ଜାକଜକମରେ କରାଯାଇଛି-। ସେହି ସକାଶେ, ପୃଥିବୀର ଗୋଟିଏ ଗୋଟିଏ ଶ୍ରେଷ୍ଠ ସତ୍ୟର ଉଦ୍‍ଘାଟନ ଏହି ଭୂମିରେ ହୋଇଥିଲେ ମଧ୍ୟ ଭାରତବର୍ଷ ହତଶ୍ରୀ ହୋଇ ରହିଛି ମଣିଷମାନେ ତାମସିକତା ଭିତରେ ବୁଡ଼ି ରହିଛନ୍ତି । ଭାରତର ସାଂପ୍ରାଦାୟିକ ନେତାମାନେ ସେହି ପ୍ରକ୍ରିୟାଟିରେ ନାହିଁ ନଥିବା ସହଯୋଗ କରି ଆସିଛନ୍ତି । ଶ୍ରୀ ଅରବିନ୍ଦ, ମହାତ୍ମା ଗାନ୍ଧୀ ଓ ରବୀନ୍ଦ୍ରନାଥଙ୍କୁ ଘୋର ମୋହତିଶଯ୍ୟା ଦ୍ଵାରା ଗୋଟିଏ ଗୋଟିଏ ପିତୁଳା କରି ନପକାଇ, ଦେଉଳଗୁଡ଼ାକ ଅପେକ୍ଷା ସତ୍ୟକୁ ହିଁ ଅଧିକ ଲୋଡ଼ି ଯଦି ଆମେ ସେମାନଙ୍କୁ ଅଧ୍ୟୟନ କରନ୍ତେ, ସେମାନେ ବଞ୍ଚିଥିବା ବିଶ୍ଵଟି ମଧ୍ୟକୁ ଉଚିତ ଶ୍ରଦ୍ଧା ଏବଂ ଅଙ୍ଗୀକାରବଦ୍ଧତା ସହିତ ଅବଲୋକନ କରିବାକୁ ମନ କରନ୍ତେ, ସେମାନଙ୍କର ଜୀବନରୁ ହିଁ ସେମାନଙ୍କୁ କଳ୍ପନା କରିବାର ପ୍ରୟାସ କରନ୍ତେ, ତେବେ ସେମାନେ ସମସ୍ତେ ଆମର ବନ୍ଧୁ ବୋଲି ଦୃଶ୍ୟମାନ୍ ହୋଇ ଆସନ୍ତେ, ସଙ୍ଗୀ ହୋଇ ଆମ ସହିତ ଏବେ ମଧ୍ୟ ବାଟ ଚାଲୁଥିବା ପରି ଲାଗନ୍ତେ-। ତଦ୍ଦ୍ୱାରା ଭାରତବର୍ଷକୁ ଯେଉଁ ଆଖିଟି ମିଳିପାରନ୍ତା; ତାହା ଆମକୁ ଏଠି ପରସ୍ପରକୁ ଗିଳି ପକାଇବାକୁ ଆଦୌ ବାଟ ଛାଡ଼ି ଦିଅନ୍ତାନାହିଁ । ମୁଁ ଗାନ୍ଧୀରୁ ଆରମ୍ଭ କରି ରବୀନ୍ଦ୍ରନାଥ ବାଟଦେଇ ଶ୍ରୀ ଅରବିନ୍ଦଙ୍କ ଯାଏ ଆସିଛି । ଗୋଟିଏ ଶିଖର ଆଉଗୋଟିଏ ଶିଖରକୁ ସର୍ବଦା କେଡ଼େ ସହଜତା ସହିତ ବାଟ ଦେଖାଇ ଦେଇଛି । ଶିଖର ଶିଖର ଭିତରେ ପୃଥିବୀରେ ଝଗଡ଼ା ଲାଗିବାର ସତକୁ ସତ ଆଦୌ କୌଣସି କାରଣ ନାହିଁ । ଶିଖରଟିକୁ ଆରୋହଣ ନକରି ଆମ ଭିତରୁ ଯେଉଁମାନେ ସତେ ଅବା କେଉଁ କୁବୁଦ୍ଧିଟିଆର ପଡ଼ି ସବାଆଗ ସେଇଟା ମୋ’ ସମ୍ପତ୍ତି ବୋଲି କହିବାର ଢମ କରନ୍ତି, ସେହିମାନେ ହିଁ ପ୍ରମାଦର କାରଣ ହୁଅନ୍ତି, ପ୍ରତ୍ୟାଖ୍ୟାତ ହୋଇ ରହିଥାନ୍ତି ।

 

ଭାରତ ବର୍ଷରେ ଛଅଜଣ ଊର୍ଦ୍ଧ୍ଵରେ ରହିବେ ବୋଲି ଛଅଶହ ଜଣ ମଣିଷକୁ ଘୁଷୁରି କରି ରଖାଯାଇଛି । ଏହି ରୀତି ଏଠାରେ ଯୁଗଯୁଗର ଚାଲି ଆସିଛି । ଶାସ୍ତ୍ର, ଧର୍ମ, ସାହିତ୍ୟ, ସୁଖ ଏବଂ ସଂସ୍କୃତି ସବୁକିଛି ଅଳ୍ପସଂଖ୍ୟକ ମନୁଷ୍ୟଙ୍କର ପ୍ରାୟ ଏକ ଭୋଗମାହାଲରେ ପରିଣତ ହୋଇ ରହିଛି-। ତଳେ ଅନ୍ଧାର ଘୋଟି ରହିଛି, ଉପରେ ଉଦାତ୍ତ ଭାଷାରେ ଆଲୋକର ସ୍ତ୍ରୋତଗାନ ହେଉଛି-। ଆଧୁନିକ କାଳରେ ତାହା ବଦଳି ଯାଇଥାନ୍ତା । ବିଶେଷ କରି ଭାରତବର୍ଷ ରାଜନୀତିକ ସ୍ଵାଧୀନତା ଲାଭ କଲାପରେ ଏହି ଦିଗରେ ନିର୍ଦ୍ଦିଷ୍ଟ ପଦକ୍ଷେପମାନ ଗ୍ରହଣ କରା ଯାଇଥାନ୍ତା-। ବିଗତ ପଚାଶବର୍ଷର ଘଟଣା ଏବଂ ଅଭିପ୍ରାୟଗୁଡ଼ିକ କହୁଛି ଯେ, ପ୍ରଧାନତଃ ଉଚିତ ନେତୃତ୍ଵର ଅଭାବରୁ ହିଁ ସେକଥା ଘଟିଛି । ବହୁତ ମଣିଷଙ୍କୁ ଦଳି ଦେଇ ଅଳପ ମଣିଷ ସବୁକିଛି ମାଡ଼ି ବସିବେ ଏବଂ ତାହାକୁ ହିଁ ଅଗ୍ରଗତି ବୋଲି କୁହାଯିବ, ଆମ ଦେଶର ଯାବତୀୟ ନେତୃତ୍ଵ ଅତ୍ୟନ୍ତ ନୃଶଂସ ଭାବରେ ସେହି କଥାରେ ବିଶ୍ଵାସ କରି ଆସିଛି । ଭାରତବର୍ଷ କହିଲେ ଯଦି ତୁମେ ଏଠାରେ ବାସ କରୁଥିବା ମଣିଷମାନଙ୍କୁ ହିଁ ସବା ଆଗ ବୁଝୁଥିବ, ତେବେ ତୁମେ ଅବଶ୍ୟ ଅନ୍ୟପ୍ରକାରେ ଚିନ୍ତା କରିବ । ଅନ୍ୟପ୍ରକାରେ କାର୍ଯ୍ୟ ମଧ୍ୟ କରିବ । ଶ୍ରୀ ଅରବିନ୍ଦ ତଳକୁ ଓହ୍ଲାଇ ଆସିବା କଥା କହିଛନ୍ତି-। ଏକଦା ମହାତ୍ମା ଗାନ୍ଧୀ ମଧ୍ୟ ଅନ୍ୟୋଦୟ ଅର୍ଥାତ୍ ସର୍ବୋଦୟ କଥା କହିଥିଲେ । ଶାନ୍ତିନିକେତେନର ଯାବତୀୟ ଉଦ୍ୟମରେ ସତେଅବା କୋଉଠି କ’ଣ ଖଣ୍ଡିଆ ରହିଯାଉଛି ବୋଲି ଅନୁଭବ କରି ରବୀନ୍ଦ୍ରନାଥ ସମାନ ଭାରତରେ ଯାବତୀୟ କ୍ଷେତ୍ରରେ ନେତୃତ୍ଵଗୁଡ଼ିକୁ ଦିନୁ ଦିନ ସତେଅବା ଭାରି ଏକପାଖିଆ ହୋଇଯାଉଛି । ଅତ୍ୟନ୍ତ ଆତ୍ମକାମୀ ହୋଇଯିବାରୁ ଏହି ଦେଶର ନିୟତି ଭିତରେ ଦେଶବାସୀ ସମସ୍ତେ ଅବଶ୍ୟ ସାମିଲ ହୋଇ ଯେ ରହିବେ, ସେହି ଅସଲ କଥାଟିକୁ ଭୁରୁଡ଼ି ଦେବାରେ ଲାଗିଛି । ଚାଲାଖ ମଣିଷମାନେ ମିଶି ଦେଶଟାରେ ସତେଅବା ଏକ ନବ ସାମନ୍ତବାଦକୁ ସ୍ଥାୟୀ ରଖିବାକୁ ଇଚ୍ଛା କରୁଛନ୍ତି ।

 

ଦରିଦ୍ରମାନେ ମଧ୍ୟ ମନୁଷ୍ୟ, ସେମାନେ ମଧ୍ୟ ଏହି ଦେଶର ନାଗରିକ ଭାରତୀୟ ଧର୍ମଚାରଣା ମଧ୍ୟ ସତେଅବା ସେହି କଥାଟିକୁ ଲୁଚାଇ ରଖିବାକୁ ଇଚ୍ଛା କରିଛି । ଭାରତର ଧର୍ମାତ୍ମାମାନେ ‘ଦରିଦ୍ରନାରାୟଣ’ର ଦରିଦ୍ର ବିଚାରଟି ପର୍ଯ୍ୟନ୍ତ ଯାଇ ପାରିଛନ୍ତି । ଦରିଦ୍ରମାନଙ୍କୁ ନାରାୟଣ ଜ୍ଞାନରେ ଦେଖିବା ଓ ସେମାନଙ୍କର ସେବା କରି ନିଜପାଇଁ ପୂଣ୍ୟ ଅର୍ଜିବା ବିଷୟରେ କୁହା ନଯାଇ ଯଦି ଦରିଦ୍ରମାନେ ମଧ୍ୟ ନାରାୟଣଙ୍କୁ ନିଜ ଭିତରେ ବହନ କରି ରହିଛନ୍ତି ବୋଲି ଆମର ଉତ୍ତମମାନେ ସବୁଠାରୁ ଅଧିକ ମହତ୍ତ୍ଵ ଦେଇ କହି ପାରିଥାନ୍ତେ, ତେବେ ଏଠି ମଣିଷମାନଙ୍କର ତଦ୍ଦ୍ଵାରା ହୁଏତ ଅଧିକ ହିତ ସାଧିତ ହୋଇଥାନ୍ତା । ଏବେ ମଧ୍ୟ ଭାରତରେ ସରକାରୀ ଓ ବେସରକାରୀ ଉଭୟ ସ୍ତରରେ ଦରିଦ୍ରମାନଙ୍କର ସେବା ହିଁ ହେଉଛି । ଦରିଦ୍ରମାନଙ୍କୁ ତଥାକଥିତ ଅଦରିଦ୍ରମାନେ ସେମାନଙ୍କର ସମକକ୍ଷ ବୋଲି ଏବେ ମଧ୍ୟ ସ୍ଵୀକାର କରୁନାହାନ୍ତି । ତୁମେ ଯଦି ଓହ୍ଲାଇ ନ ଆସି ପାରିବ, ତେବେ ଏହି ପୃଥିବୀରେ ଦୂରତାଗୁଡ଼ିକୁ ବଢ଼ାଇବାରେ ହିଁ ସାହାଯ୍ୟ କରୁଥିବ, ଅର୍ଥାତ୍ ଯାବତୀୟ ଅଧ୍ୟାତ୍ମ ଲାଗି ଦ୍ରୋହୀର ଆଚରଣ କରୁଥିବ । କେବଳ କେତେକ ବ୍ୟକ୍ତି ଅଥବା କେତେକ ବଗ ଜଗତରେ ସକଳ ସୁଯୋଗର ଅଧିକାରୀହୋଇ ରହିଥିବେ ଓ ଅନ୍ୟମାନେ ସେମାନଙ୍କର ଅନୁଗ୍ରହ ଉପରେ ନିର୍ଭର କରୁଥିବେ, ଏହାଦ୍ୱାରା ସାମନ୍ତବାଦଟା ଅଧିକ ନିର୍ମମ ହେଉଥିବ ସିନା, ଅଧ୍ୟାତ୍ମ ଅପମାନିତ ହେବାରେ ଲାଗିଥିବ । ସମାନ ସୁଯୋଗ ସମ୍ଭବ କରିବାରେ, ଅନ୍ନମୟ ଜୀବନର ଦୁଃଖଗୁଡ଼ିକୁ ଯଥାସମ୍ଭବ ସବୁ ମଣିଷଙ୍କ ପାଇଁ ଦୂର କରି ଆଣିବାରେ ଗତ ଦୁଇ ତିନି ଶତାବ୍ଦୀ ଧରି ପୃଥିବୀରେ ଯେଉଁ ଉଦବେଳନ ଆରମ୍ଭ ହୋଇଛି, ଶ୍ରୀ ଅରବିନ୍ଦ ସେଥିଲାଗି ବିଜ୍ଞାନକୁ ଏବଂ ଆଧୁନିକ ଇଉରୋପର ଉଦ୍ୟମକୁ ବିଶେଷ ଶ୍ରେୟ ପ୍ରଦାନ କରିଛନ୍ତି । ସେହି ଉଦ୍ୟମର ପଥରେ ଇଉରୋପ ବାର ବାର ଭୁଲ କରିଛି ଏବଂ ବେଳେବେଳେ ଗୋଟାସୁଦ୍ଧା ବସ୍ତ୍ରସର୍ବସ୍ଵ ଦେବାକୁ ଇଚ୍ଛା କରୁଥିବା ପରି ମନେ ହୋଇଛି ସତ, ତଥାପି ମର୍ମରେ ରହିଥିବା ଉଦ୍ଦେଶ୍ୟଟି ତଥାପି ସାଧୁ ହୋଇ ରହିଛି । ସେହି ଉଦ୍ୟମ ବହୁଗୁଣିତ ହେବ । ଶ୍ରୀ ଅରବିନ୍ଦଙ୍କର ଶବ୍ଦଗୁଡ଼ିକୁ ପ୍ରାୟ ବ୍ୟବହାର କରି କହିଲେ ଦଳିତମାନେ ଉପରକୁ ଉଠିବେ, ପଛୁଆ ବର୍ଗମାନେ ଆଗକୁ ଯିବେ ଏବଂ ମାନବସମାଜ କ୍ରମେ ଏପରି ଗୋଟିଏ ସୋପାନରେ ଆସି ପହଞ୍ଚିବେ, ଯେତେବେଳେ କି ସବୁ ମଣିଷ ଶିକ୍ଷାର ଅଧିକାରୀ ହେବେ, ସେମାନଙ୍କ ହାତରେ ପର୍ଯ୍ୟାପ୍ତ ଅବସର ରହିଥିବ ଏବଂ ସମସ୍ତଙ୍କୁ ସମାନ ସୁଯୋଗ ମିଳିବ । ଏଇଟି ମୂଳଦୂଆ, ସର୍ବପ୍ରଥମ ଆବଶ୍ୟକତା । ଆହୁରି ଆଗକୁ ରହିଥିବା ପାହାଚଗୁଡ଼ିକୁ ତା’ପରେ ଯାଇ ସମ୍ଭବ କରାଯାଇ ପାରିବ । ତେବେଯାଇ ଆମର ଯାବତୀୟ ଅଗ୍ରଗତି ସୁସ୍ଥ ହେବ,—ଆମ ଲାଗି ରହିଥିବା ପରବର୍ତ୍ତୀ ପ୍ରତିଶ୍ରୁତିଗୁଡ଼ିକ ପାଇଁ ଆମକୁ ଉଚିତ ଭାବରେ ତିଆରି କରିନେବ ।

 

ଏହି କାର୍ଯ୍ୟଟି ପୃଥ୍ଵୀବିବର୍ତ୍ତନର ପରବର୍ତ୍ତୀ କାମ । ତେଣୁ ଓହ୍ଲାଇ ଆସିବାକୁ ହେବ । ଅସମାନତା ଜନିତ ଆତ୍ମକାମୀ ଚେତନାଗୁଡ଼ିକ ଯାହାକୁ ସ୍ୱାସ୍ଥ୍ୟକର ନଲାଗିବ, ସିଏ ଉଚିତ ଆସ୍ପୃହାଟିକୁ ସଙ୍ଗୀ କରି ଆଗକୁ ଏକ ଅନ୍ୟ ଚେତନା ମଧ୍ୟକୁ ପ୍ରବେଶ କରିବ । ଅର୍ଥାତ୍ ଆପଣାକୁ ସିଏ ଅଧିକ ଯୋଗ୍ୟ କରିବ; ଜ୍ଞାନରେ, ଭକ୍ତିରେ ଏବଂ କର୍ମରେ ଅଧିକ ସମର୍ଥ କରିବ, ଆପଣାର ଅହଂରୂପୀ ଗମ୍ଭୀରିଟାକୁ ସଂପ୍ରସାରିତ କରିଦେଇ ସିଏ ଅନ୍ୟମାନଙ୍କ ସହିତ ଗୋଟିଏ ବିଶ୍ଵର ଆବେଦନ ଯୁକ୍ତ ହୋଇ ରହିଛି ବୋଲି ଉପଲବ୍‍ଧ କରିବ । ଏବଂ, ତା’ପରେ ଯେଉଁ ତଳଟିକୁ ଛାଡ଼ି, ଊର୍ଦ୍ଧ୍ଵକୁ ଚାଲିଯାଉଥିଲା, ସେଇ ତଳହିଁ ତାକୁ ଟାଣିବ । ସିଏ ଓହ୍ଲାଇ ଆସିବ । ଆପଣାର ନୂଆ ଉପଲବ୍‍ଧଟି ସହିତ ତଳକୁ ଓହ୍ଲାଇବ । ଏଠି ଅନ୍ୟ ସମ୍ଭାବନାଟି କଥା କହିବ, ଏକ ଅନ୍ୟଭଳି ସମ୍ବନ୍ଧରେ ଆପଣାକୁ ଅନ୍ୟମାନଙ୍କ ସହିତ ଯୋଡ଼ିବ । ପୃଥିବୀରେ ସେତେବେଳେ ସମସ୍ତେ ତାକୁ ମହଗାମୀ ସଙ୍ଗୀ ପରି ଦିଶିବେ । ଚେତନାର ସଂକ୍ରମଣ ହେବ, ଅନ୍ୟ ଏକ ପ୍ରତ୍ୟୟକୁ ମୂଳ କରି ସମାଜ ଗଢ଼ାହେବ । ପୁରୋଗାମୀମାନଙ୍କର ତପସ୍ୟା ସେତିକିବେଳେ ଯାଇ ଫଳବତୀ ହେବ । ତେଣୁ, ପୁରାତନ ଅର୍ଥରେ ଯାହାକୁ ମୋକ୍ଷ ବୋଲି କୁହାଯାଇ ଆସିଥିଲା, ଶ୍ରୀ ଅରବିନ୍ଦଙ୍କର ଅଧ୍ୟାତ୍ମଗଣିତ ଅନୁସାରେ ତାହା ଆଦୌ ଆମ ଜୀବନର ଲକ୍ଷ ନୁହେଁ; ସାଧନା ଦ୍ଵାରା, ଶ୍ରଦ୍ଧା ଦ୍ଵାରା, ଏକ ନୂତନ ବିଶ୍ଵାସ ଏବଂ ସାହସ ଦ୍ଵାରା ଆମେ ଆମର ପ୍ରାଣକୁ, ମନକୁ ଅନୁରୂପ ଭାବରେ ରାଜି କରାଇ ଏକ ନୂତନ ଆତ୍ମୀୟତାର ସୋପାନରେ ଯାଇ ପହଞ୍ଚିବା ଏବଂ, ସେହି ଆତ୍ମୀୟତାର ସତ୍ୟଦର୍ଶନକୁ ଆପଣାର ପରମ ପାଥେୟ କରି ପୁନର୍ବାର ପୃଥିବୀ ମଧ୍ୟକୁ ଫେରିଆସିବା, ପୃଥିବୀକୁ ବଦଲାଇବା । ପୃଥିବୀ ଅହଂର ସ୍ତରରୁ ଅଧ୍ୟାତ୍ମର ସ୍ତରକୁ ଆସିବ । ଏବଂ, ସେହି ଅନୁସାରେ ସମାଜ ବଦଳିବ, ତାହା ଅନ୍ନକୁ ମଧ୍ୟ ବାଦ ଦେବନାହିଁ । ଆଗର ପ୍ରଜ୍ଞା କହୁଥିଲା, ଏଗୁଡ଼ିକ ମିଥ୍ୟା ଓ ମାୟା, ଏଗୁଡ଼ିକୁ ଛାଡ଼ିଲେ ଯାଇ ତୁମେ ମୁକ୍ତିଲାଭ କରିବ । ଶ୍ରୀ ଅରବିନ୍ଦ ଆମକୁ ସଂପ୍ରସାରଣର କଥା କହିଲେ । ନିଜର ଚେତନାରେ ସଂପ୍ରସାରଣ ଘଟାଇବ, —ମାତ୍ର, ତା’ପରେ ସ୍ଵାର୍ଥପର ପରି ପଳାଇ ଯିବନାହିଁ । ପୁଣି ଏଇଠାକୁ ପ୍ରତ୍ୟାବର୍ତ୍ତନ କରିବ, ଲବ୍‍ଧ ଆଲୋକଟି ବଳରେ ଏଠି ଏକ ଅନ୍ୟ ଦୀକ୍ଷାର କଥା କହିବ । ତୁମେ ନିଜେ ସେହି ଦୀକ୍ଷାଟି ଗ୍ରହଣ ଯେ କରିଛି । ନିଜର ଯାବତୀୟ ଇହସମ୍ପର୍କରେ ଏବଂ ଇହଚିନ୍ତନରେ ତାହାର ପରିଚୟ ଦେବ । ଏହିପରି ଭାବରେ ସେହି ପରିବର୍ତ୍ତନର ପ୍ରକ୍ରିୟାରେ ଯନ୍ତ୍ରରୂପେ ବ୍ୟବହୃତ ହେବ । କିନ୍ତୁ ଓହ୍ଲାଇ ନଆସି କେଉଁଠି ବିଶେଷ ଦ୍ଵୀପଟିଏ ନିର୍ମାଣ କରି ଯଦି ସେଠାକୁ ପଳାଇଯିବ, ତେବେ ତୁମେ ସତକୁ ସତ ଆଦୌ କୌଣସି ସମ୍ପଦ ପାଇଛ କି ନାହିଁ, ପୃଥିବୀ ସେହି ବିଷୟରେ ମଧ୍ୟ ସନ୍ଦେହ କରିବାଲାଗି ଅବଶ୍ୟ କାରଣ ରହିଥିବ ।

 

ମହାତ୍ମା ଗାନ୍ଧୀଙ୍କର ଯାବତୀୟ ଆହ୍ଵାନ ଏବଂ ଉଦ୍ୟମ ପଛରେ ସେହି କଥାଟି ମୂଳରେ ରହିଥିଲା । ବିଦେଶୀର ହାତରୁ ମୁକ୍ତ ହେବାର ଯେଉଁ ସର୍ବପ୍ରଥମ କାର୍ଯ୍ୟଟିରେ ସେ ନେତୃତ୍ଵ ନେଇଥିଲେ, ତାହାକୁ ସେ ରାଜନୀତି ବିପ୍ଳବ ବୋଲି କହୁଥିଲେ । ଭାରତବର୍ଷ ସ୍ଵାଧୀନତା ହାସଲ କରିବାପରେ ସେ ସାମାଜିକ ବିପ୍ଳବ କଥା କହିଲେ । ସାମାଜିକ ବିପ୍ଳବ ସକଳ ଅର୍ଥରେ ରାଜନୀତିକ ବିପ୍ଳବଠାରୁ ଅଧିକ କଷ୍ଟସାଧ୍ୟ ହେବ ଓ ଆମଠାରୁ ଅନେକ ଅଧିକ ଦାବି କରିବ ବୋଲି ମହାତ୍ମା ଗାନ୍ଧୀ ସଂପୃକ୍ତ ସମସ୍ତଙ୍କୁ ସତର୍କ କରି ଦେଇଥିଲେ । ସେହି ଦ୍ଵିତୀୟ ମାର୍ଗ ଦର୍ଶନଟି ନିମନ୍ତେ ଗାନ୍ଧୀ ବେଶୀ ଦିନ ଆମମାନଙ୍କ ଭିତରେ ରହିଲେ ନାହିଁ ଏବଂ ଯେଉଁମାନେ କ୍ଷମତାସୀନ ହେବାରୁ ନିର୍ମାଣର ସକଳ କ୍ଷେତ୍ରରେ ନେତୃତ୍ଵ ଦେଲେ ସେମାନେ ସେହି ସାମାଜିକ ବିପ୍ଳବଟି ହେଉ ବୋଲି ହୁଏତ ଇଚ୍ଛା ବି କରୁନଥିଲେ । ତେଣୁ, ଭାରତବର୍ଷରେ ବହୁତ କଥା ଏହିପରି ଭାବରେ ଅଧାପନ୍ତରିଆ ହୋଇ ରହିଗଲା । ନେତୃତ୍ଵଗୁଡ଼ିକୁ ତଳକୁ ଓହ୍ଲାଇଲେ ନାହିଁ । ତେଣୁ, ତଳ ଉପର ଭିତରେ ବ୍ୟବଧାନ ହିଁ ବଢ଼ିଲା । ଭେଦ, ସ୍ଵାର୍ଥ, ଲମ୍ପଟତା ବୁଦ୍ଧି ପାଇଲା । ଅଭିନୟମାନେ ସତେଅବା ଛତିଶି ହାତ ଲମ୍ବ ହୋଇଗଲେ । ଶିକ୍ଷା ଦ୍ଵାରା ଦେଶର ପରବର୍ତ୍ତୀ ପୀଢ଼ିଟିକୁ ଏକ ଅନ୍ୟ ଆଖି ପ୍ରଦାନ କରାଯାଇ ପାରିଥାନ୍ତି । ଶିକ୍ଷା ମଧ୍ୟ ସାମନ୍ତବାଦୀ ଚକ୍ରାନ୍ତ ଭିତରେ ମହତ ହରାଇ ପକାଇଲା । ଏବଂ, ଯେଉଁମାନେ ତଥାକଥିତ ଉଚ୍ଚତର ଶିକ୍ଷା ଲାଭ କଲେ, ସେମାନେ ଅଧିକ ଧୂର୍ତ୍ତ ହେଲେ, ଅଧିକ ରକ୍ଷଣଶୀଳ ହେଲେ । ଏବଂ ସେହିମାନେ ହିଁ ସାହିତ୍ୟ, ସଂସ୍କୃତି ଓ ସଭ୍ୟତାର କ୍ଷେତ୍ରଗୁଡ଼ିକୁ ଭୋଗ କରିବାର ସବୁ ଅଧିକାରକୁ ମାଡ଼ିବସିଲେ । ଯେଉଁ ମଣିଷମାନେ ସେମାନଙ୍କର ସମକକ୍ଷ ହୋଇ ପାରିବା ସକାଶେ ଆବଶ୍ୟକ ସୁଯୋଗ ଲାଭ କରିଥାନ୍ତେ, ସଚେତନ ଓ ସମ୍ପନ୍ନ ହୋଇ ପାରିଥାନ୍ତେ, ଏମାନେ ସେମାନଙ୍କ ଉପରେ ଘୋଡ଼ା ଚଢ଼ିଲେ । ସତେଅବା ଏଠି ସବୁଯାକ କଳ ବିଗିଡ଼ିଗଲା; ମଣିଷ ମଣିଷ ଭିତରେ ଆଉ ବିଶ୍ଵାସ ରହିଲାନାହିଁ ।

 

ଜଣେ ଶିକ୍ଷକ ଏହିସବୁ ବିଷୟରେ ଅବଶ୍ୟ ଚିନ୍ତା କରିବ । ଯଦି ସିଏ ଏହି ମାଟିକୁ ନିଜର ବୋଲି ଅନୁଭବ କରୁଥିବ, ଯଦି ସିଏ ନିଜ ଭିତରେ ଆଦୌ କୌଣସି ସତ୍ୟର ଉପଲବ୍ଧ କରୁଥିବ ଏବଂ ତାହାରି ଅନୁସାରେ ଜୀବନଟିଏ ବଞ୍ଚିବା ଲାଗି ମନ କରୁଥିବ, ଯଦି ସିଏ ସେହି ଆତ୍ମୀୟତାକୁ ସାଙ୍ଗରେ ନେଇ ଅନ୍ୟ ମଣିଷାମାନଙ୍କୁ ଲୋଡ଼ି ବାହାରିଥିବ, ଯଦି ସିଏ ବୈରାଗୀ ହୋଇ ପଳାଇ ଯିବାକୁ ଇଚ୍ଛା କରୁନଥିବ, ତେବେ ନିଜ କର୍ମସଙ୍କଳ୍ପର ନକ୍ସା ଭିତରେ ସିଏ ଏଗୁଡ଼ିକ ବିଷୟରେ ମଧ୍ୟ ଅନ୍ତତଃ ଆପଣାଲାଗି ବାଟଟିଏ ବାହାର କରିବାକୁ ଅବଶ୍ୟ ଚେଷ୍ଟା କରିବି । ଅତ୍ୟନ୍ତ ବ୍ୟାକୁଳ ହୋଇ ସମଧର୍ମୀମାନଙ୍କୁ ଖୋଜିବାରେ ଲାଗିଥିବ । ସିଏ ଯାହା ଯେଉଁପରି ରହିଛି, ତାହା ସହିତ ଆଦୌ ଖାପ ଖାଇ ଯିବନାହିଁ । ଏକ ବିକଳ୍ପ ନିମନ୍ତେ ତିଆରି ହେବ । ବିଗତ ଦଶନ୍ଧିଗୁଡ଼ିକରେ ମୁଁ ଯେତେ ଯେତେ ଥାନରେ ପ୍ରବେଶ କରିଛି, ସେଠାରେ ସେହି ବିକଳ୍ପମାନଙ୍କୁ ଖୋଜିଛି ! ସେହି ସତୀର୍ଥମାନେ ହିଁ ମୋତେ ଆଶାବାଦୀ ହୋଇ ରହିବାରେ ସବୁଠାରୁ ଅଧିକ ସାହାଯ୍ୟ କରିଛନ୍ତି । ଆଗାମୀ ପରିବର୍ତ୍ତନଟି ଯେ ପ୍ରଧାନତଃ ସୁହୃତମାନଙ୍କ ହାତରେ ରହିବ, ମୋ’ର ବିବେଚନା ଭିତରେ ସେହି କଥାଟି ଅତ୍ୟନ୍ତ ସ୍ପଷ୍ଟ ହୋଇ ଯାଇଛି । ଯେଉଁମାନେ ପୃଥିବୀରେ ପଇତା ବାଣ୍ଟି ବୁଲନ୍ତି, ସେମାନେ ହୁଏତ ଜଣେ କାହାକୁ ମଧ୍ୟ ସୁହୃତ୍‍ରୂପେ ପାଇ ପାରନ୍ତିନାହିଁ । ସମ୍ଭବତଃ ନିଜପାଖରେ ମଧ୍ୟ ନିଜକୁ ଲୁଚାଇ ରଖିଥାନ୍ତି । ଯେଉଁମାନେ ତଳକୁ ଓହ୍ଲାଇବେ ବୋଲି ମନ କରିଛନ୍ତି ସେମାନେ ସୁହୃତ୍ ହୁଅନ୍ତୁ । ପରସ୍ପରକୁ ଆବିଷ୍କାର କରନ୍ତୁ । ପୃଥିବୀରେ ଖୁସୀ ବଢ଼ାନ୍ତୁ, ରାଢ଼ପଣର ବିନାଶ ଘଟାନ୍ତୁ । ରବୀନ୍ଦ୍ରନାଥ, ଶ୍ରୀ ଅରବିନ୍ଦ ଏବଂ ମହାତ୍ମା ଗାନ୍ଧୀ ମୋତେ ଯେତିକି ଚିହ୍ନା ଦେଲେ, ମୁଁ ସେତିକି ଅଧିକ ଖୁସୀ ହୋଇ ତଳକୁ ଓହ୍ଲାଇବାର ବଳ ପାଇଲି । କାଦୁଅ ଭିତରେ କାଳେ କେଉଁଠି ଲାଖି ରହିଯିବ ବୋଲି ଆଉ କୌଣସି ଡର ମାଡ଼ିଲାନାହିଁ । ନିଜକୁ ବିଶ୍ଵାସ କରିହେଲା, ସତେଅବା କାହାର ଯନ୍ତ୍ରଟିଏ ପରି ମନେହେଲା । ଯନ୍ତ୍ର ନହେବାକୁ ଫିକର କରୁଥିବା ମଣିଷ ହିଁ ପଳାଇ ଯିବା ସକାଶେ ସୁଯୋଗ ଉଣ୍ଡୁଥାଏ । ସେଇଠି ଶୁଖିଲା ଉଚ୍ଚ ଜାଗାଟିଏ ଦେଖି ରହିଯାଏ । ଭଗବାନଙ୍କର ନାଆଁରେ ବଜାର ବସାଏ । ଆପଣାର ଅସମର୍ଥତାଟିକୁ ଲୁଚାଇ ରଖିବା ନିମନ୍ତେ ଅହରହ ନଳ ଖଞ୍ଜିବାରେ ଲାଗିଥାଏ । ଭାରତବର୍ଷରେ ଅସମର୍ଥମାନେ ହିଁ ସତେଅବା ଆଗତୁରା ଯାଇ ଉଚ୍ଚଥାନଗୁଡ଼ିକୁ ମାଡ଼ି ବସିଛନ୍ତି । ମଣିଷକୁ ଜନ୍ମ ଜନ୍ମ ଧରି ତୁଚ୍ଛା ପୌତ୍ତଳିକ କରି ରଖିବାର ଫିକର କରୁଛନ୍ତି । ଆତ୍ମୀୟତାର ସୂତ୍ରଟିକୁ ହରାଇ ବସିଛନ୍ତି । ଏବଂ, ସେହି ସୂତ୍ରଟି ବ୍ୟତୀତ ତୁମେ ଭଗବାନଙ୍କ ସହିତ ଯୁକ୍ତ ହୋଇ ରହିଛି ବୋଲି ବି ପୁଣି କିପରି କହିପାରିବ ?

 

୧୯୮୫ ମସିହାରେ ଚୀନ୍ ଗଲି; ୧୮୮୯ରେ ଫିନଲାଣ୍ଡ ଏବଂ ୧୯୮୮ରେ ତତ୍କାଳୀନ ସୋଭିଏଟ ରୁଷିଆ । ଏବଂ, ୧୯୯୦-୯୧ରେ ପୁଣି ତିନିମାସ ପାଇଁ ଇସ୍ରାଏଲ୍ । ଇସ୍ରାଏଲକୁ ଯିବା ଓ ସେଠାରେ ଫେରିବା ବାଟରେ ଜର୍ମାନୀ । ଦ୍ଵିତୀୟ ମହାଯୁଦ୍ଧ ପରେ ଜର୍ମାନୀ ପଶ୍ଚିମ ଓ ପୂର୍ବ ଏହିପରି ଦୁଇଭାଗରେ ବିଭକ୍ତ ହୋଇ ରହିଥିଲା । ଆଗରୁ ମୁଁ ଜର୍ମାନୀ ବୋଲି ଯାହା ଦେଖିଥିଲି ସେଇଟି ହେଉଛି ପଶ୍ଚିମ ଜର୍ମାନୀ । ହଁ, ବର୍ଲିନ୍ ଆଗରୁ ବି ଯାଇଥିଲି । ମାତ୍ର, ପାଚେରୀ ଏପଟେ ହିଁ ଯାହା ବର୍ଲିନକୁ ଦେଖିଥିଲି । କେବଳ ଥରେ ଟୁରିଷ୍ଟ ହୋଇ ନିର୍ଦ୍ଧାରିତ କେତେ ଘଣ୍ଟା ସକାଶେ ପୂର୍ବ ବର୍ଲିନ୍ ବୁଲି ଯାଇଥିଲି । ଗାଡ଼ି ଭିତରୁ ଥାଇ ପୂର୍ବ ବର୍ଲିନ୍ ଦେଖିବା ଓ କୌଣସି ଗୋଟିଏ ପାର୍କରେ ଗାଡ଼ିଭିତରୁ ବାହାରି କିଞ୍ଚିତ୍ ବୁଲାବୁଲି କରିବା । ସ୍ଥାନୀୟ କୌଣସି ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରିବା ନିଷିଦ୍ଧ ଥିଲା । ବହିରାଗତ ମଣିଷଟିଏ ଦେଖିଲେ କାଳେ ତା’ସହିତ କଥା କହିବାକୁ ମନ ହେବ, ସେଥିଲାଗି ଆମକୁ ହାବୁଡ଼ିଯିବା ମାତ୍ରକେ ସ୍ଥାନୀୟ ମଣିଷମାନେ ବାଆଁରେଇ ହୋଇ ଆଉଆଡ଼େ ଆଖି ବୁଲେଇ ଦେଉଥିଲେ । ମାତ୍ର, ୧୯୯୦ ବେଳକୁ ବର୍ଲିନର ପାଚେରୀ ଭାଙ୍ଗି ସାରିଥିଲା । ପଶ୍ଚିମ ଓ ପୂର୍ବ ଜର୍ମାନୀ ମଧ୍ୟରେ ରହିଥିବା ପ୍ରାୟ ପନ୍ଦରଶହ କିଲୋମିଟରର ଉଚ୍ଚା ତାରବାଡ଼କୁ ଫାଡ଼ି ଦିଆଯାଇଥିଲା । ସେଠି ବନ୍ଧୁମାନେ ଗାଡ଼ୀ କରି ମୋତେ ପ୍ରାୟ ଗୋଟାଏ ସପ୍ତାହ ତେଣେ ବୁଲାଇ ଆଣିଥିଲେ । ସିଏ ଏକ ଅଭିନବ ଅନୁଭୂତି-। ମୋ’ର ମନେ ଅଛି, ୧୯୫୨ ମସିହାରେ ଗୁଏଟିଙ୍ଗେନ୍ ବିଶ୍ୱବିଦ୍ୟାଳୟରେ ଗ୍ରୀଷ୍ମାବକାଶର କେତୋଟି ଦିନ କଟାଉଥିବା ସମୟରେ କେତେଜଣ ଛାତ୍ରବନ୍ଧୁଙ୍କ ସହିତ ଆମେ ସୀମାରେ ଥିବା ତାରବାଡ଼ ଦେଖିବାକୁ ଯାଇଥିଲୁ । ଏଥର ପୂର୍ବ ଜର୍ମାନୀ ପଡ଼ିବ ଏବଂ ତେଣୁ ଆଉ ଆଗକୁ ଯିବା ନିଷିଦ୍ଧ ବୋଲି ଗୋଟାଏ ଜାଗାରେ ଲେଖା ହୋଇ ରହିଥିଲା । ତଥାପି ଏକ ଖଳସାହସିକ ଆଗ୍ରହରେ ଆମେ ଗୋଟାଏ ଶସ୍ୟବିଲ ଭିତରେ ଆଣ୍ଠେଇ ଆଣ୍ଠେଇ ଆହୁରି ଖଣ୍ଡେ ଦୂର ଆଗକୁ ଯାଇଥିଲୁ । ଗୋଟାଏ ଉଢ଼ୁଆଲ ଥାନରୁ ମୁଁ ସେପଟର ଫଟୋଟାଏ ବି ନେଇଥିଲି । ସେପାଖରେ ମଞ୍ଚାଉପରେ ପୂର୍ବ ଜର୍ମାନୀର ସଶସ୍ତ୍ର ଜଗୁଆଳିମାନେ ପହରା ଦେଉଥିଲେ । ଆମ ଉପରେ ଆଖି ପଡ଼ିଥିଲେ ସେମାନେ ଇଚ୍ଛା କରିଥିଲେ ଆମଆଡ଼କୁ ଗୁଳି ବି ଫୁଟାଇ ପାରିଥାନ୍ତେ ।

 

୧୯୬୩ ମସିହାରେ ସୋନେନବର୍ଗଠାରେ ଅଧ୍ୟାପନା କରୁଥିବା ସମୟରେ ମଧ୍ୟ କେତେଥର ଏହି ତାରବାଡ଼ର ସୀମାଯାଏ ମୁଁ କେତେଥର ଯାଇଛି । ଗୋଟାଏ ଗୋଟାଏ ଥାନରେ ହୁଏତ କୌଣସି ଘରର ଗୋଟାଏ ଫାଳ ଏପଟେ ଓ ଆଉଗୋଟାଏ ଫାଳ ସେପଟେ ଥିବାର ଦେଖି ଆସିଥିଲି । ସେପଟକୁ ଅନାଇ ସବୁ ରହସ୍ୟପୂର୍ଣ୍ଣ ମନେ ହେଉଥିଲା । ସିଏ ଯେପରି ଏକାବେଳେକେ ଆଉଗୋଟାଏ ପୃଥିବୀ । ବହିର କଥା ଅନୁସାରେ ସେପାଖରେ ଆଦର୍ଶବାଦୀମାନେ ପୃଥିବୀଟାକୁ ନିବୁଜ କରି ରଖି ନିଜ ମଡ଼େଲର ସମାଜଟିଏ ଗଢ଼ୁଥିଲେ । ଯିଏ ମଣ ହେଉନଥିଲା, ତାକୁ କୌଣସି ନିସ୍ତାର ନଥିଲା । ତାରବାଡ଼ର ସେପାଖରେ ପ୍ରାୟ ଶହେ ମିଟର ଚଉଡ଼ାରେ ଟ୍ରାକ୍ଟର ସାହାଯ୍ୟରେ ହଳ କରିଦିଆ ଯାଇଥିଲା । ସେହି ଆୟତନଟି ଭିତରେ ଜନବସତି ବା ଗଛବୁରୁଛ ଆଦୌ କିଛି ନଥିଲା, ଯେପରିକି ଯାଉ ଚଣ୍ଡାଳ ତେଣୁ ପଶ୍ଚିମ ପଟକୁ ଆସିବାକୁ ଇଚ୍ଛା କରିବ, ତାକୁ ସହଜରେ ଠାବ କରାଯାଇ ପାରିବ ଓ ଗୁଳି କରି ଲାଛି ଦିଆଯାଇ ପାରିବ । ବର୍ଲିନ ପ୍ରାଚୀରର ତାରବାଡ଼ ଏପାଖରେ ବସି ସେପାଖକୁ ଅତ୍ୟନ୍ତ ତିକ୍ତ ଭାବରେ ଅଣାଇଥିବା ସମୟରେ ବନ୍ଧୁମାନେ ମୋ’ର ଯେଉଁ ଫଟୋଟି ନେଇଥିଲେ, ସେଇଟି ଏବେ ବି ମୋ’ ପାଖରେ ଅଛି, ଯାହା ମଣିଷଲାଗି ପ୍ରକୃତରେ ଭଲ, କାରପଟଦାରମାନେ ତାକୁ କାହିଁକି ଏପରି ଚାରିପଟୁ କିଳି ରଖିବେ ଓ ବାହାର ସହିତ କୌଣସି ସଂସ୍ରବ ହୋଇଗଲା ମାତ୍ରକେ ସେଥିରେ କାହିଁକି ଏପରି କଳୁଷ ଲାଗିଯିବ, ମୁଁ ସେତେବେଳେ ସେହି କଥାଟିକୁ ଭାବୁଥିଲି । ମୁଁ ଆଗରୁ ମାର୍କସ୍‍ବାଦ ବିଷୟରେ ଯାହାସବୁ ପଢ଼ିଥିଲି, ସୋଭିଏଟ୍ ଋଷିଆର ସାମ୍ୟବାଦୀ ପ୍ରୟୋଗଟି ବିଷୟରେ ମୁଁ ଯେତିକି ଜାଣିଥିଲି, ସେଇଟା ସହିତ ଏହି ପାଚେରୀଦିଆ ବ୍ୟବସ୍ଥାଗୁଡ଼ାକୁ ମୋଟେ ଖାପ ଖୁଆଉ ପାରୁନଥିଲି ।

 

ଏଥର ସେସବୁ କୌଣସି ବାଧା ନଥିଲା । ଗାଡ଼ିରେ ବସି ଯାଉଥିବା ସମୟରେ କେଉଁଠାରେ ଆଗର ପଶ୍ଚିମ ଜର୍ମାନୀ ସାରିଲା ଓ ପୂର୍ବ ଭାଗଟା ଆରମ୍ଭ ହୋଇଗଲା, ଯେତେ ଜାଗରୂକ ହୋଇ ରହିଥିଲେ ମଧ୍ୟ ମୁଁ ସେକଥା କିଛି ଜାଣି ପାରିଲିନାହିଁ । ଏପଟର ସେପଟକ ଯାଇଥିବା ରାସ୍ତାଗୁଡ଼ିକ ନିକ କରି ସଫା ହୋଇ ରହିଥିଲା । ମଝିରେ ମଝିରେ ଏପାଖ ସେପାଖକୁ ଅନାଇଲେ ଯାହା ଠାଏ ଠାଏ ଦରଭଙ୍ଗା ତାରବାଡ଼ମାନେ ଖଣ୍ଡେ ଦୂରଯାଏ ଠିଆ ହୋଇ ରହିଥିଲେ-। ବିତରା ଏରି ତାରବାଡ଼ମାନେ ଦୀର୍ଘ ଚାଳିଶିବର୍ଷ କାଳ ମଣିଷର ରହିଲେ, ମୁଁ ନୀରବରେ ସେହିକଥା ଭାବୁଥିଲି । ମୋ’ର ସହଯାତ୍ରୀ ବନ୍ଧୁମାନେ ସମସ୍ତେ ପଶ୍ଚିମର ବାସିନ୍ଦା; —ତେଣୁ ସେମାନଙ୍କର ପ୍ରତିକ୍ରିୟାଗୁଡ଼ିକୁ ଅତ୍ୟନ୍ତ ଭଲ ଭାବରେ ବୁଝି ହେଉଥିଲା । ପ୍ରଥମ ଦିନ ରାତିରେ ଆମେ ଆଇସେନାଖ୍ ନାମକ ସହରରେ ରହିଲୁ । ଆଇସେନାଖର ଦୁର୍ଗରେ ମାର୍ଟିନ୍ ଲୁଥର୍ ଏକଦା ବନ୍ଦୀ ହୋଇ ରହିଥିଲେ । ଭିତରକୁ ଯାଇ ଆମେ ଟିକିନିଖି ସବୁ ଦେଖିଥିଲୁ । ମୋଟା କାଠର ଯେଉଁ ଟେବୁଲଟି ଉପରେ ସିଏ ବାଇବେଲକୁ ଲାଟିନ୍ ଭାଷାରୁ ଜର୍ମାନକୁ ଅନୁବାଦ କରିଥିଲେ, ସେଇଟିକୁ ଦେଖିଲୁ । ତହିଁ ଆରଦିନ ଏକାନ୍ତ ଅଜଣା ଭାବରେ ଏକ ଇସ୍କୁଲ ଭିତରେ ପଶିଗଲୁ-। ଶିକ୍ଷକମାନଙ୍କୁ ପରିଚୟ ଦେଲାପରେ ସେମାନେ ଶ୍ରେଣୀଗୃହକୁ ଡାକି ନେଇଗଲେ-। ଅନ୍ୟ ଶିକ୍ଷକମାନଙ୍କ ସହିତ ଏକାଠି ବସି ଆଲୋଚନା ମଧ୍ୟ ହେଲା । ପୂର୍ବ ଜାର୍ମାନୀର ଶାସନ ସମୟରେ କର୍ତ୍ତାମାନେ ବାନ୍ଧି ଦେଇଥିବା ସୂତ୍ର ଅନୁସାରେ ବହୁ ବର୍ଷ ପାଠ ପଢ଼ାଇ ଆସିଥିବା ଆଜ୍ଞାମାନେ ଏବେ ଏକାବେଳେକେ ଏକ ନୂତନ ଧାରାରେ ସବୁ କରିବାକୁ ପ୍ରଶିକ୍ଷିତ ହେବାରେ କେତେ କେତେ ଅସୁବିଧାର ଯେ ସମ୍ମୁଖୀନ ହେଉଥିଲେ, ତାହାର ବହୁତ କିଛି ସୂଚନା ମିଳି ଯାଉଥିଲା । ସେମାନେ ଏବଯାଏ ଯେଉଁ ଲଟାରେ ଯାଇ ପଶିଥିଲେ, ସେଗୁଡ଼ିକରୁ ବାହାରି ଆଉଗୋଟାଏ ଗଢ଼ଣ ଭିତରକୁ ଆସିବା ଆଦୌ ସହଜ ନଥିଲା ।

 

ଆଇସେନାଖ୍ ପରେ ଜର୍ମାନୀର ସଂସ୍କୃତିସହର ଭାଇମାର୍ । ସେଠାରେ ଆମେ ବେଶ୍ କେତେଦିନ କଟାଇଥିଲୁ । ଦିନଯାକ ବୁଲୁ, ରାତିରେ ଆସି ଜଣଙ୍କର ବୈଠକଖାନାରେ ଶୋଇପଡ଼ୁ-। ଯେଉଁଠି ସମୟ ହୁଏ କିମ୍ବା ଭୋକ କରେ, ସେଠାରେ ଖାଇନେଉ । ଭାଇମାର୍ ସହରର ସର୍ବପ୍ରଧାନ ଆକର୍ଷଣ ଗୁଏଟେଶିଲର୍ ସଂଗ୍ରହାଳୟ । ଏ ଉଭୟେ ହେଉଛନ୍ତି ଜର୍ମାନ୍ ସାହିତ୍ୟର ଦୁଇ ବନ୍ଦନୀୟ ସାହିତ୍ୟସ୍ରଷ୍ଟା । ସେମାନେ ଏହି ସହରରେ ଜୀବନର ବହୁତ ବର୍ଷ ଅତିବାହିତ କରିଥିଲେ । ଜର୍ମାନ୍ ଦର୍ଶନ ଓ ସାହିତ୍ୟର ନୀତଶେ, ହେଆଡ଼ର ଓ ହାଇନେ ସମସ୍ତେ ଭାଇମାର ସହିତ ସଂପୃକ୍ତ ଥିଲେ । କମୁନିଷ୍ଟ୍ ଶାସନର ସମୟରେ ମଧ୍ୟ ସଂଗ୍ରହାଳୟଟିକୁ ନିଖୁଣ ଭାବରେ ରଖାଯାଇ ଆସିଥିଲା । ସଂଗ୍ରହାଳୟ ଦେଖିସାରି ଆମେ ଯେତେବେଳେ ଘରକୁ ଫେରିଆସୁ, ସେତେବେଳେ ପରିବାରର ବୃଦ୍ଧ ଦମ୍ପତିଙ୍କ ସହିତ ବିଗତ ଚାଳିଶି ବର୍ଷର ନାନା ଦୁଃଖସୁଖ ପଡ଼େ-। ଦୁହେଁ କମ୍ୟୁନିଷ୍ଟ ନଥିଲେ, ମାତ୍ର ତଥାପି ନିଜର ପିଲାମାନଙ୍କୁ ଭସାଇ ଦେବେନାହିଁ ବୋଲି ସେମାନେ କେବେ ପାଟି ନଫିଟାଇ ସେହି ଶାସନକୁ ସହ୍ୟ କରି ଆସିଥିଲେ । ସାଧାରଣ ମଣିଷମାନଙ୍କୁ ମୂକ ହୋଇ ରହିବାକୁ ବାଧ୍ୟ କରି ଗୋଟାଏ ଉପଦ୍ରବୀ ଶାସନ କିପରି ଏକ ଅନୁକ୍ଷଣ ତ୍ରାସର ପରିବେଶ ଭିତରେ ତା’ର ଆଦର୍ଶବାଦକୁ ଜାରି କରି ରଖେ, କାହାଣୀଗୁଡ଼ିକରୁ ତାହାରି ନମୁନାସବୁ ମିଳି ଯାଉଥିଲା । ଉପରକୁ ସମସ୍ତେ ବୋଲି ମାନୁଥିଲେ ଏବଂ ଭିତରେ ନିଜର ବିବେକକୁ ଯଥାସମ୍ଭବ ଲୁଚାଇ ରଖିବାକୁ ହିଁ ପ୍ରୟାସ କରୁଥିଲେ । ଶାସନକୁ ସମର୍ଥନ ଦେବାଲାଗି ଋଷିଆର ସୈନ୍ୟଛାଉଣି ମୁତୟନ ହୋଇ ରହିଥିଲେ । ସେଇମାନେ ସତେଅବା ଜର୍ମାନୀର ଏଇ ଖଣ୍ଡଟାକୁ ଶାସନ କରୁଥିଲେ ।

 

ଦିନେ ବୁଖେନ୍‍ଭାଲ୍ଡ଼୍ ଯିବା ରାସ୍ତାରେ ଆମେ ଏକାଧିକ ସ୍ଥାନରେ ଏହି ରୁଷୀୟ ଛାଉଣିଗୁଡ଼ାକୁ ଦେଖିବାକୁ ମଧ୍ୟ ପାଇଥିଲୁ । ସେତେବେଳକୁ ରୁଷିଆ ଭାଙ୍ଗି ସାରିଲାଣି, ପୂର୍ବ ଜର୍ମାନୀ ପଶ୍ଚିମ ଜର୍ମାନୀ ସହିତ ମିଶି ସାରିଲାଣି । ତଥାପି ଏହି ସୈନ୍ୟମାନେ ଘରକୁ ଫେରିନାହାନ୍ତି । ଏହା ଘଟଣାକ୍ରମେ ସତେଅବା ଏକ ନିତାନ୍ତ ମାନବିକ ସମସ୍ୟାରେ ପରିଣତ ହୋଇ ଯାଇଥିଲା । ଯେଉଁ ସରକାର ବା ହୁକୁମତ୍ ସେମାନଙ୍କୁ ଏକଦା କରଦରାଜ୍ୟ ପୂର୍ବଜର୍ମାନୀକୁ ପଠାଇଥିଲା, ସେହି ହୁକୁମତ୍‍ ତ ଗଲାଣି । ତେବେ ଏହି ସୈନ୍ୟମାନେ ଦେଶକୁ ଫେରିଲେ ସେମାନଙ୍କୁ କିଏ ପୁଣି ଥଇଥାନ କରିବ ଏବଂ କାହା ଭରସାରେ ସେମାନେ ଦେଶକୁ ଫେରିବେ ? ଏହି ସୈନ୍ୟମାନେ ଏକଦା ଜର୍ମାନ୍ ଅଧିବାସୀମାନଙ୍କ ଲାଗି ଚରମ ଭୟର ସନ୍ତକ ହୋଇ ରହିଥିଲେ । ବର୍ତ୍ତମାନ, ଋଷିଆର କର୍ତ୍ତୃତ୍ଵ ହଟିଯିବା ପରେ ଏମାନେ ସ୍ଥାନୀୟ ଜର୍ମାନମାନଙ୍କ ଲାଗି ଘୋର ଅସୂୟା ଏବଂ ଅସହିଷ୍ଣୁତାର ପାତ୍ର ହୋଇଗଲେ, ତେଣୁ, ଏମାନଙ୍କର ଛାଉଣିଗୁଡ଼ିକ ଆଡ଼କୁ ଅନାଇ ଏମାନେ ସତେଅବା କୌଣସି ଘେଟୋରେ ବାସ କରୁଥିବା ପରି ମନେ ହେଉଥିଲା ।

 

ବୁଖେନ୍‍ଭାଲଡ଼୍ ହେଉଛି ନାତ୍‍ସୀ ଅମଳର ଏକ ମାରଣଶିବିର । ଆଗରୁ ପଶ୍ଚିମ ଜର୍ମାନୀରେ ମୁଁ ବେଆର୍ଗେନ୍ ବେଲସେନ୍ ବୋଲି ଆଉଗୋଟିଏ ମାରଣ-ଶିବିର ଦେଖିଥିଲି । ଭିତରକୁ ଯାଉନଥିଲି, କେବଳ ବାହାରୁ ବାହାରୁ ଯାହା ଦେଖିଥିଲି । ବୁଖେନ୍‍ଭାଲଡ଼୍ ବର୍ତ୍ତମାନ ସର୍ବସାଧାରଣଙ୍କ ପାଇଁ ଖୋଲିଗଲାଣି । ପ୍ରତ୍ୟେହ ଗାଡ଼ୀ ଗାଡ଼ୀ ଟୁରିଷ୍ଟ ଯାଉଛନ୍ତି ଏବଂ ପ୍ରଶିକ୍ଷିତ ଗାଇଡ଼ମାନେ ସେମାନଙ୍କୁ ସବୁ ବୁଲାଇ ଦେଖାଉଛନ୍ତି । ସଂପୃକ୍ତ ଘଟଣାଗୁଡ଼ିକୁ ମଧ୍ୟ ବିସ୍ତାରିତ ଭାବରେ ବର୍ଣ୍ଣନା କରି କହିଦେଉଛନ୍ତି । ଅନ୍ଧାର ଘରଭିତରେ ସମସ୍ତଙ୍କୁ ଏକାଠ ବସାଇ ଫିଲ୍ମ ଦ୍ଵାରା ସବୁ ଦେଖାଇ ଦିଆଯାଉଛି । ଏଠାରେ ନାତ୍‍ସୀ ଅମଳରେ କିପରି ହଜାର ହଜାର ମଣିଷଙ୍କୁ ବନ୍ଦୀ କରି ରଖି ବହୁ ନିର୍ଯ୍ୟାତନା ଦେଇ ଶେଷକୁ ଗୁଳି କରି ଅଥବା ବିଷବାଷ୍ପ ଭିତରକୁ ପୂରାଇ ଦେଇ ମାରି ଦିଆଯାଉଥିଲା ବୁଖେନ୍‍ଭାଲଡ଼୍ ସେହି ସ୍ମୃତିଗୁଡ଼ିକୁ ବହନ କରି ଛିଡ଼ା ହୋଇଛି । ଯୁଦ୍ଧ ସାରିବା ବେଳକୁ ଯେଉଁ ମୁଷ୍ଟିମେୟ ବନ୍ଦୀ ତଥାପି ବଞ୍ଚି ରହିଥିଲେ, ସେମାନେ ଫିଲ୍‍ମଟିରେ ଶେଷକୁ କିପରି ଏହାର କଦାପି ପୁନରାବୃତ୍ତି ହେବନାହିଁ ବୋଲି ଗୀତଟିଏ ଗାଇଥିଲେ, ତାହାକୁ ମଧ୍ୟ ଜାଣିଲି । ସେମାନେ ସତେଅବା ପୃଥିବୀରେ ବାସ କରୁଥିବା ଆମ ସମସ୍ତଙ୍କୁ କ’ଣ ଗୋଟାଏ ବିଷୟରେ ସାବଧାନ କରି ଦେଉଥିଲେ ।

 

ବର୍ଲିନ୍ ପହଞ୍ଚିବା ବାଟରେ ଆମେ ଭୁଟେମ୍‍ବୁର୍ଗଠାରେ ମଧ୍ୟ ଦଣ୍ଡେ ଅଟକିଥିଲୁ । ହଁ, ବାଟରେ ନାଉମ୍‍ବଗ ବୋଲି ଏକ ସ୍ଥାନରେ ଆଉଗୋଟିଏ ଅତ୍ୟନ୍ତ ସୁନ୍ଦର ଗୀର୍ଜା ଭିତରକୁ ଯାଇ କଳାକୃତିଗୁଡ଼ିକୁ ଦେଖିବାର ସୁଯୋଗ ମଧ୍ୟ ମିଳିଥିଲା । ଯେଉଁ ଗୀର୍ଜାରେ ନିଜର ପ୍ରାୟ ଶହେଟି ଅଭିଯୋଗକୁ ଲେଖି ମାର୍ଟିନ୍ ଲୁଥର୍ ପୋପଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିଲେ, ସେଇଟି ହେଉଛି ରହି ଭୁଟେମ୍‍ବୁର୍ଗ୍ ଗୀର୍ଜା । ତା’ପରେ ଇଉରୋପରେ କେତେ କ’ଣ ଘଟିଲା । ସାରା ପୃଥିବୀକୁ ମଧ୍ୟ ପ୍ରବାହିତ କରିଥିଲା । ଖ୍ରୀଷ୍ଟୀୟ ଧର୍ମଶାସନ ଦୁଇଭାଗରେ ବିଭକ୍ତ ହୋଇଗଲା । ଏବେ ତ ହୁଏତ ଦୁଇଶହ ଭାଗରେ ବିଭାଜିତ ହୋଇ ରହିଛି । ଅଫିମ ପ୍ରତି ଆସକ୍ତିର ପ୍ରକାରଭେଦ ଅନୁସାରେ ଗୋଷ୍ଠୀ ଓ ସମ୍ପ୍ରଦାୟମାନେ ବି ତିଆରି ହୋଇଛନ୍ତି । ପୃଥିବୀର ଯାବତୀୟ ଧର୍ମରେ ଠିକ୍ ସେହିକଥା ଘଟିଛି ।

 

ଏକ ରାତ୍ରିର ପ୍ରଥମ ପ୍ରହରରେ ଆମେ ବର୍ଲିନ୍ ସହରରେ ଯାଇ ପହଞ୍ଚିଲୁ । ପୂର୍ବ ଓ ପଶ୍ଚିମ ଦୁଇଖଣ୍ଡ ଯାକ ଏକତ୍ର ହେବା ଫଳରେ ଏବେ ବର୍ଲିନ ସହର ବୃହଦାକାର ଧାରଣ କରିଛି । ଯେଡ଼ିକି ବଡ଼ ସହର, ସେତିକି ଅଧିକ ସମସ୍ୟା ଆମେ ପଶ୍ଚିମ ବର୍ଲିନରେ ଜଣେ ବନ୍ଧୁଙ୍କ ସହିତ ରହିଲୁ । ରହିଲୁର ଅର୍ଥ ହେଉଛି ସେହିଠାରେ ଆମର ରାତ୍ରି ଯାପନର ବ୍ୟବସ୍ଥା ହେଲା । ଦିନଯାକ ବୁଲିବାରେ କଟି ଯାଉଥିଲା । ବର୍ଲିନ୍‍ର ପ୍ରାଚୀର ସଦ୍ୟ ଭାଙ୍ଗିଥାଏ । ସେଥିରୁ ବାହାରିଥିବା ସିମେଣ୍ଟ୍ ଖଣ୍ଡଗୁଡ଼ିକୁ ଟୁରିଷ୍ଟ୍‍ମାନେ ସ୍ମାରକରୂପେ କିଣି ନେଉଥାନ୍ତି । ଆମର ଅଧିକାଂଶ ସମୟ ପୂର୍ବବର୍ଲିନ୍ ଅଞ୍ଚଳରେ ବିତୁଥିଲା । ନୂଆ ନୂଆ ଚିହ୍ନା ହୋଇ ଯାଉଥିଲା । ରାତିରେ ସାନ ସାନ ଗୋଷ୍ଠୀରେ ଆମେ ଏକାଠି ବସୁଥିଲୁ । ସମସ୍ତେ ଅଙ୍ଗେ ନିଭାଇଥିବା କାହାଣୀଗୁଡ଼ିକୁ କହୁଥିଲେ । ମୁଁ ଚକିତ ହୋଇ ଶୁଣୁଥିଲି । ସେହି ପୂର୍ବ ବର୍ଲିନ୍‍ର ଗୋଟିଏ ବିମାନବନ୍ଦରରୁ ମୁଁ ଇସ୍ରାଏଲ ଗଲି । ଇସ୍ରାଏଲରୁ ତିନିମାସ ପରେ ଫେରି ସେଇଠାରେ ହିଁ ଓହ୍ଲାଇଥିଲି । ଏଥର ଆମେ ପୂର୍ବ ବର୍ଲିନ୍‍ର ଗୋଟିଏ ହୋଟେଲରେ ରହିଲୁ । ରାତିରେ ବହୁ ତରୁଣ ଶିକ୍ଷକଙ୍କର ଗୋଟିଏ ଗୋଟିଏ ଗୋଷ୍ଠୀରେ ଆମେ ଏକାଠି ହେଉଥିଲୁ ।

 

ସେଇମାନଙ୍କ ଠାରୁ ଘଟଣାଟି ଶୁଣୁଥିଲି, ସେଇଟି ସମସ୍ତଙ୍କୁ ମଧ୍ୟ କହିବା ଆବଶ୍ୟକ । ତେଣେ ପୂର୍ବ ଇଉରୋପର ଗୋଟିକପରେ ଗୋଟିଏ ଦେଶରେ ତଥାକଥିତ କମ୍ୟୁନିଷ୍ଟ ଶାସନଗୁଡ଼ିକ ଭାଙ୍ଗି ପଡ଼ିଥାଏ, ତଥାପି ପୂର୍ବ ଜର୍ମାନୀରେ କିଛି ହୋଇନଥାଏ । ବର୍ଲିନ୍ ସହରର ପାଚେରୀଟା ସେହି ଆଗପରି ଠିଆ ହୋଇ ରହିଥାଏ । ଏଠାରେ ବି କିଛି ହେବ ନାହିଁ ? ବାହାରକୁ କିଛି ଜଣା ପଡ଼ୁ ନଥାଏ, ସିନା, ମାତ୍ର ଭିତରେ ଭିତରେ କୋଉଁଠି କ’ଣ କଡ଼ ଲେଉଟାଉ ଥାଏ । ହଠାତ୍ ପାଞ୍ଚଜଣ ତରୁଣ ସ୍ଥିର କଲେ ଯେ, ସେମାନେ ସେହିଦିନ ଠାରୁ ହାତରେ ପାଞ୍ଚୋଟି ମହମବତୀ ଜଳାଇ ରାତିରେ ଅମୁକ ସ୍ଥାନଠାରୁ ଅମୁକ ସ୍ଥାନ ପର୍ଯ୍ୟନ୍ତ ନୀରବରେ ଚାଲି ଚାଲି ଯିବେ । ଦିହରେ କଳା କପଡ଼ା ପିନ୍ଧିଥିବେ, ତାହା ପ୍ରତିବାଦ ଜ୍ଞାପନର ପ୍ରତୀକ ହୋଇ ରହିଥିବ । ଏମାନେ ଦୁଇ ତିନିଦିନ ପର୍ଯ୍ୟନ୍ତ ସେହିଭଳି କଲାପରେ ତାହା ଏକ ବିଚାରରୂପେ ସଂକ୍ରାମିତ ହୋଇଗଲା । ସାରା ପୂର୍ବ ଜର୍ମାନୀରେ ହଜାର ହଜାର ତରୁଣ ସେହିପରି ହାତରେ ମହମବତୀ ଧରି ନୀରବ ପ୍ରତିବାଦ ଜଣାଇଲେ । ଏଥର ଏଠାରେ ମଧ୍ୟ କିଛି ଅବଶ୍ୟ ହେବା ବା ଘଟିବା ଉଚିତ ବୋଲି ଇଚ୍ଛା ପ୍ରକାଶ କରି ଲେଖାମାନ ବାହାରିଲା, ବିତରିତ ହେଲା । ବଳଗୁଡ଼ିକୁ ଏକାଠି କଲା । ତା’ପରେ ହଠାତ୍ ଦିନେ ବର୍ଲିନରେ ପାଚେରୀ ଭାଙ୍ଗିଗଲା, ପନ୍ଦରଶହ କିଲୋମିଟରର ତାରବାଡ଼କୁ ମଧ୍ୟ ଉପାଡ଼ି ଦିଆଗଲା । ଘାତୁକମାନଙ୍କ ସହିତ ଟ୍ୟାଙ୍କ୍‍ମାନେ ଛିଡ଼ାହୋଇ ଥିଲେ, କିଛି କରି ପାରିଲେନାହିଁ । ବିଧାତାର ଇଚ୍ଛା ବଦଳି ସାରିଥିଲା । ଅସ୍ତ୍ରଧାରୀ ସରକାର ତା’ ଆଗରେ ଆଉ କ’ଣ କରିପାରିବ ? ବନ୍ଧୁମାନେ ଦିନେ ମୋତେ ମୋଟା ବହିଟିଏ ଉପହାର ଦେଲେ । Revolution der kerzen (ମହମବତୀମାନଙ୍କର ବିପ୍ଳବ) ନାମକ ସେହି ସଂକଳନଟିରେ ସେହି ପ୍ରତିବାଦ-ପର୍ଯ୍ୟାୟର ଗପ, କବିତା, ସାନ ନାଟକ ଓ ପ୍ରବନ୍ଧମାନ ଏକାଠି ଛପା ହୋଇଥିଲା-

 

୧୯୮୮ ମସିହାରେ ସୋଭିଏଟ୍ ଋଷିଆର ଲିଥୁଆନିଆ ନାମକ ରାଜ୍ୟରେ ପ୍ରାୟ ସପ୍ତାହେ ରହିବାର ସୁଯୋଗ ମିଳିଲା । ଶୁଣିଥିଲି, ଲିଥୁଆନିଆର ଭାଷା ସଂସ୍କୃତର ଏକ ଅତ୍ୟନ୍ତ ନିକଟବର୍ତ୍ତୀ ଭାଷା । ଏହି ଶତାବ୍ଦୀର ଆରମ୍ଭରେ ସେହି ଦେଶର ଜଣେ ଭାଷାବିତ୍ ଓଡ଼ିଆ ଭାଷାର ଯେଉଁ ବ୍ୟାକରଣ ଲେଖିଥିଲେ, ରାଜଧାନୀ ଭିଲନିଉସ୍‍ର କେନ୍ଦ୍ର ଗ୍ରନ୍ଥାଗାରରେ ସେଇଟିକୁ ମଧ୍ୟ ଦେଖିଲି । ଦିନେ ଆଉଗୋଟିଏ ସୁନ୍ଦର ସହର କାଉନାସ୍କୁ ମଧ୍ୟ ଆମେ ଯାଇଥିଲୁ । ସେଠାରେ ମଧ୍ୟ ନାତ୍‍ସୀମାନେ ଏକ ବନ୍ଦୀଶାଳାରେ କରିଥିବା ଅତ୍ୟାଚାରର ନମୁନାଗୁଡ଼ିକୁ ଦେଖିଲୁ । ଫେରିବା ବାଟରେ ଏପରି ଗୋଟିଏ ଗାଆଁକୁ ଆସିଲୁ । ଯେଉଁଠାରେ ସ୍ଥାନୀୟ ଗରିଲାମାନେ ଶାସକ ନାତ୍‍ସୀବାହିନୀର ଜଣେ ଦୁଇଜଣଙ୍କୁ ମାରି ଦେଇଥିଲେ ବୋଲି ତାହାର ଜବାବରେ ନାତ୍‍ସୀମାନେ ଗାଆଁର ଲୋକମାନଙ୍କ ହାତରେ ବିଲରେ ପୋଖରୀଟାଏ ଭଳି ଗାତ ଖୋଲାଇଲେ ଏବଂ ସେଥିରେ ସମସ୍ତଙ୍କୁ ଜୀଅନ୍ତା ପୋତି ପକାଇଥିଲେ । ସେତେବେଳକୁ ମସ୍କୋରେ କମ୍ୟୁନିଷ୍ଟ ଶାସନରୂପୀ ଭୈରବଙ୍କର ଦେଉଳରୁ ପଥର ଖସିବାକୁ ଆରମ୍ଭ ହେଲାଣି । ଏଥର ଏହି ବ୍ୟବସ୍ଥା ଭାଙ୍ଗିଯିବ ବୋଲି ପ୍ରାୟ ପ୍ରତିଦିନ ନୂଆ ପ୍ରତ୍ୟୟ ମିଳି ଯାଉଥାଏ । ଲିଥୁଆନିଆରେ ମଧ୍ୟ ହାୱାଗୁଡ଼ିକ ସେଥିଲାଗି ପ୍ରସ୍ତୁତ ହେବାରେ ଲାଗିଥାନ୍ତି । ରାଜଧାନୀର ଏକ ମୁଖ୍ୟ ସ୍ଥାନରେ ପ୍ରତିଦିନ ଦଳେ ମଣିଷ ଧାରଣାଦେଇ ଅନଶନ କରି ବସୁଥାନ୍ତି । ସେମାନେ ଆଦୌ କୌଣସି ଧ୍ୱନି କରୁନଥାନ୍ତି । ଏଣିକି ରୁଷିଆର କମ୍ୟୁନିଷ୍ଟ ପତାକା ବଦଳରେ ସେମାନେ ଲିଥୁଆନିଆରେ ଆଗରୁ ଚଳି ଆସିଥିବା କ୍ଷମତାକୁ ବ୍ୟବହାର କରିବେ ବୋଲି ଦାବି କରୁଥାନ୍ତି । ପାଞ୍ଚବର୍ଷ ପୂର୍ବେ ଏପରି ବିକ୍ଷୋଭଟିଏ ହୋଇଥିଲେ ସମ୍ଭବତଃ ରୁଷ୍ ସୈନ୍ୟମାନଙ୍କର ଗୁଳିରେ ଖପୁରି ଉଡ଼ି ଯାଇଥାନ୍ତା । ମାତ୍ର, ସେଦିନ ଆଉ କଦାପି ଆସିବାନାହିଁ ବୋଲି ଚଢ଼େଇମାନେ ସତେଅବା ମଣିଷମାନଙ୍କୁ କହି ସାରିଥିଲେ । ଭିଲ୍ ନିଉସ୍‍ର ରାସ୍ତାଗୁଡ଼ିକର ନାମକରଣ, ମଧ୍ୟ ଋଷିଆର ବଡ଼ ବଡ଼ ମଣିଷଙ୍କର ନାମ ଅନୁସାରେ କରାଯାଇଥିଲା । ସେଇଟି ବିଷୟରେ ମଧ୍ୟ ଅସନ୍ତୋଷ କମ୍ ନଥିଲା । ଉପରେ ସବୁ ବ୍ୟବସ୍ଥା ଅନୁସାରେ ଚାଲୁଥିଲେ ମଧ୍ୟ ସତେଅବା ଆଉ କ’ଣ ଗୋଟାଏ ଶୀଘ୍ର ଅବଶ୍ୟ ଘଟିବ ବୋଲି ନାଗରା ବାଜି ସାରିଥିଲା ।

 

୧୯୮୯ରେ ମଝି ଫିନ୍‍ଲାଣ୍ଡ୍‍ର ଏକ ବିଶ୍ୱବିଦ୍ୟାଳୟରେ ଗୋଟିଏ ସେମିନାରରେ ଯୋଗ ଦେବାକୁ ଯାଇଥିଲି । ସେମିନାର୍ ତ ସତଟା ଦିନରେ ସରିଗଲା । ମାତ୍ର, ପୁରୁଣା ବନ୍ଧୁମାନଙ୍କୁ ଆଉଥରେ ସଂଖୋଳି ଆସିବାକୁ ତେଣ ମାସେ ପର୍ଯ୍ୟନ୍ତ ରହିଗଲା । ମୁଁ ପ୍ରଥମେ ଯେଉଁମାନଙ୍କୁ ଜାଣିଥିଲି, ସେମାନେ ଇତିମଧ୍ୟରେ ବୁଢ଼ା ହୋଇ ସାରିଥିଲେ ଅଥବା ପୃଥିବୀକୁ ବିଦା ହୋଇ ଯାଇଥିଲେ । ସେମାନଙ୍କର ପିଲାମାନେ ସଂସାର କରୁଥିଲେ । ଟେଲିଫୋନ୍ ଲଗାଇଦେବା ମାତ୍ରକେ ସମସ୍ତେ ଆସ ବୋଲି କହିଲେ । ଗ୍ରୀଷ୍ମକାଳର ଫିନଲାଣ୍ଡ ପ୍ରାୟ ଏକ ଉତ୍ସବର ସମୟ । ବିଧାତାର ବି ଏପରି ଅନୁଗ୍ରହ ଯେ ତୁମେ ଦିନରେ ବାଇଶିଘଣ୍ଟା ସୂର୍ଯ୍ୟାଲୋକ ମଧ୍ୟରେ ରହିପାରିବ-। ବାଲ୍‍ଗା ହରିଣମାନେ ପଲ ପଲ ହୋଇ ବୁଲୁଥାନ୍ତି । ଗୋଧୂଳିର ରହସ୍ୟସୃଷ୍ଟିକାରୀ ଆଲୁଅରେ ହ୍ରଦମାନେ ଚିକ୍‍ଚିକ୍‍ କରୁଥାଆନ୍ତି । ସେହି ଦେଶଟି ମୋ’ର ପ୍ରକୃତରେ କେତେ ପ୍ରିୟ, ସବୁଥର ସେଠାକୁ ଯାଇଁ ହିଁ ମୁଁ ତାହା ଅନୁଭବ କରିଥାଏ । ସେହି ଦେଶର ଭାଷାଟି ଓ ସେଦେଶରେ ଲୋକସଙ୍ଗୀତଗୁଡ଼ିକ ସତେଅବା ଅବଚେତନ ଭିତରେ କେଉଁଠି ସାଇତାହୋଇ ରହିଥାନ୍ତି, ଘରେ ଆସି ପହଞ୍ଚିଲା ପରି ଅନର୍ଗଳ ହୋଇ ବାହାରି ଆସନ୍ତି । ମୁଁ କାବା ହୋଇଯାଏ ।

 

୧୯୮୫ ନାସିହାରେ ମୁଁ ଚୀନ୍ ଦେଶରେ ତିନି ସପ୍ତାହ କଟାଇଥିଲି । ମୁଁ ଚୀନ୍ ଭାଷା ଜାଣିନାହିଁ, ତେଣୁ କେବଳ ଦୋଭାଷିଆମାନଙ୍କର ସାହାଯ୍ୟରେ ହିଁ ସେଠାରେ ଯାହାକିଛି ଦେଖିଥିଲି ଓ ଶୁଣିଥିଲି । ଯେତିକି ଦେଖିଲି, ଏତେ ଅଭିଭୂତ ହୋଇ ପଡ଼ିଥିଲି ଯେ, ତେଣୁ ଆସି ମୋ’ର ଅନୁଭବଗୁଡ଼ିକୁ ଏକାଠି କରି ‘ଭାରତରୁ ଚୀନ୍’ ନାମକ ଗୋଟାଏ ପୂରା ବହି ଲେଖି ପକାଇଥିଲି । ଚୀନ୍ ଭାରତବର୍ଷ ପରି ଏକ ପୁରୁଣା ସଭ୍ୟତା । ଲୋକସଂଖ୍ୟା ଭାରତଠାରୁ ଅଧିକ, ବିଗତ ପ୍ରାୟ ପଚାଶବର୍ଷ ହେଲା ସେଠା ଜୀବନର ଯାବତୀୟ କ୍ଷେତ୍ରରେ ମଣିଷମାନଙ୍କୁ ସେମାନଙ୍କର ସମ୍ମାନଜନକ ଭାଗ ଦେବାଲାଗି ଯେଉଁସବୁ ଉଦ୍ୟମ ହୋଇଛି ଏବଂ ହେଉଛି, ତାହା ମୋତେ ଏକାଧିକ ପ୍ରକାରେ ଉଦ୍‍ବୁଦ୍ଧ କରିଥିଲା । ସେହି ଦେଶକୁ ବୁଲି ଦେଖଥିବା ସମୟରେ ମୁଁ ନିରନ୍ତନ ନିଜର ଦେଶଟି କଥା ଭାବୁଥିଲି । ଭାରତବର୍ଷରେ ମଣିଷ ମଣିଷ ଭିତରେ ଏଭଳି ବହୁ ଦୂରତାକୁ ସ୍ଥାୟୀ କରି ରଖିବାଲାଗି କାହିଁକି ସର୍ବଦା ଏତେ ପରାମର୍ଶ ଦିଆଯାଇଛି କେଜାଣି ?

 

୧୯୯୦-୯୧ରେ ମାତ୍ର ତିନିମାସ ପାଇଁ ଇସ୍ରାଏଲ୍ ଯାଇଥିଲି ଅଧ୍ୟାପନାର କାର୍ଯ୍ୟରେ-। ସଇଁତିରିଶି ବର୍ଷ ପରେ ଇସ୍ରାଏଲରେ ଯାହା ଦେଖିଲି, ତା’ ଭିତରେ ମୁଁ ଆଗରୁ ସେଠି ଦେଖିଥିବା ପୁରୁଣା ଚିତ୍ରଗୁଡ଼ିକ ଆଦୌ କେଉଁଠି–ହେଲେ ନଥିଲା । ଇତିମଧ୍ୟରେ ଇସ୍ରାଏଲ୍ର ଖାଲି ଅର୍ଥାତ୍ ସମ୍ପନ୍ନତା ଯେ ବହୁଗୁଣରେ ବୃଦ୍ଧି ପାଇଥିଲା ତା’ ନୁହେଁ, ଇସ୍ରାଏଲ୍ର ସାମୂହିକ ଜୀବନଟି ମଧ୍ୟ ଅନୁରୂପ ଭାବରେ ପାକଳ ହୋଇଥିବାର କେତେ କେତେ ପ୍ରମାଣ ମିଳି ଯାଉଥିଲା । ମଣିଷମାନେ ବି ପାକଳ ମନେ ହେଉଥିଲେ । ମାତ୍ର ଚାଳିଶିଟି ବର୍ଷରେ ସେମାନେ ଦେଶର ଚେହେରା ବଦଳାଇ ଦେଇଥିଲେ । ତା’ର ସର୍ବପ୍ରଧାନ କାରଣ ହେଉଛି ଯେ, ସେଠାରେ କୌଣସି ଯୋଜନାରେ ମଣିଷମାନଙ୍କୁ ପରସ୍ପରଠାରୁ ଅଲଗା ଅଲଗା କରି ବିଚାର କରାଯାଇ ନଥିଲା ଏବଂ ତେଣୁ କୌଣସି ଉଦ୍ୟମରେ ଅସାଧୁତା ନାମକ ସେହି ସର୍ବଭକ୍ଷୀ ମନ୍ଦ ପୋକଟି ପ୍ରବେଶ କରି ନଥିଲା-। ଇହୁଦୀମାନେ ପୃଥିବୀର ବହୁପ୍ରକାର ସମାଜରୁ ଏହି ନୂଆ ଦେଶଟିକୁ ଆସିଥିଲେ, ସେମାନଙ୍କର ଦେହର ରଙ୍ଗ ପରସ୍ପରଠାରୁ ଅଲଗା ଅଲଗା ଥିଲା, —ସଂସ୍କାରଗୁଡ଼ିକ ମଧ୍ୟ ଭିନ୍ନ ଭିନ୍ନ ହୋଇ ରହିଥିଲା । ଏମାନଙ୍କୁ ସତେ ଗୋଟିଏ ନିର୍ମାଣର ଯୋଜନା ଭିତରେ ଅନ୍ତର୍ଭୁକ୍ତ କରି ସ୍ଥାୟୀ କରି କିଛି ସମ୍ଭବ କରି ହେବ କି ନାହିଁ ବୋଲି ୧୯୫୩ ମସିହାରେ ମୁଁ ନିଜକୁ କେତେ ଥର ପ୍ରଶ୍ନ କରୁଥିଲି । ୧୯୯୦ କୁ ସେହି କଥାଟିକୁ ଆଖିରେ ଦେଖି ଆସିଲି । ଇସ୍ରାଏଲ୍‍ରେ ମଣିଷ କହିଲେ କାହିଁକି ସବୁ ମଣିଷଙ୍କୁ ବୁଝାଉଛି ଓ ଭାରତବର୍ଷରେ ସେତିକି ମଧ୍ୟ କାହିଁକି ସମ୍ଭବ ହୋଇ ପାରିନାହିଁ, ଏକଥାଟି ଗୁରାଇ ତୁରାଇ ହୋଇ ବହୁ ପ୍ରଶ୍ନ ଓ ବହୁ ଅନୁମାନରୂପେ ମୋତେ ଭାରି ଆଚ୍ଛନ୍ନକରି ରଖିଥିଲା ।

 

ଏବେ ମଧ୍ୟ କମ୍ ଆଚ୍ଛନ୍ନକରି ରଖିନାହିଁ । ଜଣେ ଶିକ୍ଷକ ଏହି ବିଷୟରେ କ’ଣ କରିପାରିବି ? ଜଣେ ଶିକ୍ଷକ ପ୍ରକୃତରେ କ’ଣ କରି ନପାରିବ ? ଯେଉଁ ଶିକ୍ଷକ ଶିକ୍ଷାବିଭାଗ ନାମକ ଅନ୍ଧବୃତ୍ତର ଗୋଲାମୀ କରୁଥିବ, ସିଏ ଅବଶ୍ୟ ବାବାଜୀ ହୋଇ ବେଶ୍ ରହିଯିବ । ଯାହା କରିବାର ଭଗବାନ କରିବେ ଏବଂ ତେଣୁ ମଣିଷର କିଛି କରିବାର ନାହିଁ ବୋଲି ନିଜକୁ ଅଲିଅଳି ଭାବରେ ବୁଝାଇଦେଇ ସିଏ ନିଜର ଭାଗ୍ୟଟିକୁ ଭୋଗ କରିବା ହିଁ ଏକ ଅଳ୍ପଶକ୍ତି ଜୀବର ଏକମାତ୍ର ଗତି ବୋଲି ହୁଏତ ଗ୍ରହଣ କରିନେବେ । ମାତ୍ର, ଯଦି ଜଣେ ଶିକ୍ଷକ ଭିତରେ କୋଉଠି ନିଆଁ ଖଣ୍ଡେ ଥିବ, ଯଦି ସିଏ ଏହି ଭୂମିଟି ପ୍ରତି ତା’ର ଏକ ଦାୟିତ୍ଵ ରହିଛି ବୋଲି ହୃଦୟଙ୍ଗମ କରୁଥିବ, ତେବେ ସିଏ ପ୍ରକୃତରେ କ’ଣ ନକରି ପାରିବ ? କିଛି ନହେଲେ ଅନ୍ତତଃ ଶୀତଳ ହୋଇ ନଯିବାକୁ ନିଜ ପାଖରେ ଶପଥ ନେବ । ତା’ପାଖରେ ବସି ପାଠ ପଢ଼ୁଥିବା ପିଲାମାନଙ୍କୁ ମଣିଷର ପରିଚୟ ଦେଇଦେଖି ଶିଖିବି । ଅନ୍ତତଃ ନିଜପାଖରେ ଅସାଧୁ ହେବନାହିଁ । ଏତିକି ହେବାପରେ ସିଏ ସାଙ୍ଗ ଖୋଜି ବାହାରିବ । ସାଙ୍ଗ ଅବଶ୍ୟ ମିଳିବେ । ତା’ର ଆନ୍ତରିକତାର ପରୀକ୍ଷା ଲାଗି କ୍ଷେତ୍ରଟିଏ ଅବଶ୍ୟ ମିଳିବ । ଅବଶ୍ୟ ପୁରୁଣା ସ୍ଵାର୍ଥମାନେ ପରିହାସ କରିବେ, କଳଗୁଡ଼ାକୁ କଦାପି ବଦଳାଇ ହେବନାହିଁ ବୋଲି ତୁମକୁ ପ୍ରବଚନ ଶୁଣାଉଥିବେ । ସବୁ ଯୁଗରେ ଯାହା ହୋଇଛି, ସେହି ସବୁକିଛି ହେବ । ବିରୋଧ ସବୁଯୁଗରେ ହୋଇଛି, ତଥାପି ପରିବର୍ତ୍ତନ ମଧ୍ୟ ହୋଇଛି । ସେହି ପରିବର୍ତ୍ତନର ଇତିହାସ ହିଁ ମନୁଷ୍ୟ ସଭ୍ୟତାର ଇତିହାସ । ତୁମେ ନିଜେ କାହାପଟେ ରହିଛି, ଅବଶ୍ୟ ସବୁକିଛି ତାହାରି ଉପରେ ନିର୍ଭର କରିବ ।

 

ଜୀବନରେ ଶିକ୍ଷକଟିଏ ହେବାକୁ ବାଛି ନେଇଥିଲି । କେଡ଼େ ସହଜରେ ସେହି କାରଣରୁ ଅନ୍ୟ ସୁଯୋଗଗୁଡ଼ିକୁ ଛାଡ଼ି ଆସିହେଲା । ମନରେ ଲେଶମାତ୍ର ଖେଦ ହୋଇନଥିଲା । ଗୋଟିକୁ ନିଜର ସ୍ଵଧର୍ମ ବୋଲି ପଇସାରିଲେ ଅନ୍ୟଗୁଡ଼ିକୁ ଛାଡ଼ି ଆସିବା ସକାଶେ ଆଦୌ ନିଜ ସହିତ ସଂଗ୍ରାମ କରିବାକୁ ପଡ଼େନାହିଁ । ଯିଏ ବାଛି ନଥାଏ, ସେଇ ହଇରାଣ ହୁଏ, ସେଇ ଗୋଲାମୀ କରେ । ନିଜ ଭିତରେ ତା’ର କୌଣସି ସୂର୍ଯ୍ୟଦର୍ଶନ ଘଟିନଥାଏ । ଭିତରେ ସୂର୍ଯ୍ୟଟିଏ ରହିଛି ବୋଲି ବାଟଟିଏ ବାଛିନଥିବା ଜଣେ ବ୍ୟକ୍ତିକୁ ତୁମେ କିପରି ବୁଝାଇ କହିପାରିବ ? ସମ୍ଭବତଃ ସେଇଥିଲାଗି ବାଟଟିଏ ପାଇନଥିବା ଏବଂ ବାଟ ଅଲବତ ପାଇ ଯାଇଛନ୍ତି ବୋଲି ଅଭିନୟ କରୁଥିବା ମଣିଷଙ୍କର ମେଳ ଭିତରକୁ ଆସିଲେ ମୋତେ ଭାରି ଅସହଜ ମନେହୁଏ । ବିଚରା ସେମାନେ ସର୍ବବିଧ ଅର୍ଥରେ ସଫଳ ହୋଇଛନ୍ତି ବୋଲି କେତେ ଠାଣି କରିବାରେ ଲାଗିଥାନ୍ତି । ମୁଁ ଠାଣି କରି ପାରେନାହିଁ । ଜଣେ ଶିକ୍ଷକ ହୁଏତ ଇଚ୍ଛା କଲେମଧ୍ୟ ତଥାପି ଠାଣି ଭିତରେ ରହି ପାରିବନାହିଁ । ଠୋ’କରି ଧରା ପଡ଼ିଯିବ । ପଛକୁ ଅନାଇ ମୁଁ ଚମ୍ପତିମୁଣ୍ଡାକୁ ଦେଖି ପାରୁଛି । ସେଠାରେ ମାତ୍ର ଚାରୋଟି ବର୍ଷରେ ଶିକ୍ଷାର ଆନନ୍ଦମୟ ପୃଥିବୀଟିଏ ସମ୍ଭବ କରିବାରେ ଆମେ ଦଳେ କିପରି ମସ୍ତ ହୋଇ ରହିଥିଲୁ, ମୁଁ ସେକଥା କେବେ ଭୁଲି ପାରିବିନାହିଁ । ସେଠି ଜ୍ୟେଷ୍ଠ କନିଷ୍ଠ ବାରି ହେଉନଥିଲା । ଦୂରତାନାମକ ବ୍ୟାଧି କେଉଁଠିହେଲେ ନଥିଲା । କେହି ଉଗ୍ର ନଥିଲେ କି କେହି ନିଜକୁ ହୀନ ବୋଲି ମଣୁନଥିଲେ । ସେହି ଆସ୍ଥାନଟି ଯଦି ଭାଙ୍ଗି ଯାଇନଥାନ୍ତା, ଏବେ ମଧ୍ୟ ରହିଥାନ୍ତି, ତେବେ ଆମକୁ ଯନ୍ତ୍ରରୂପେ ବ୍ୟବହାର କରି ଓଡ଼ିଶାରେ କ’ଣ ଯେ ସମ୍ଭବ ହୋଇଥାନ୍ତା, ବେଳେ ବେଳେ ସେ କଥା ଭାବିବାକୁ ବି ଭାରି ମନ ହୁଏ । ସେଠି ଶେଷକୁ କୁଆ ଉଡ଼ାଇବାକୁ କାହିଁକି ଅନ୍ୟ ଦଳେ ଆଉପ୍ରକାର ମଣିଷ ଆସି ପହଞ୍ଚିଲେ ଏବଂ ଗଣିତ ଅନୁସାରେ ସବୁ ଦୋରସ୍ତ କରି ରଖିବେ ବୋଲି ଘୋଷଣା ଯେ କଲେ, ଏହି ଦ୍ଵାରା ସେମାନଙ୍କର କ’ଣ ବା ଲାଭ ହେଲା ? ଯିଏ ନିଜ ଭିତରେ ଆଉ କ’ଣଟିଏ ହୋଇ ରହିଥାଏ ଓ ଉପରେ ଶିକ୍ଷାରେ ଏକ ତୁମୁଳ ପରିବର୍ତ୍ତନ କରାଇବେ ବୋଲି ଘୋଡ଼ା ଚଢ଼ି ଆସିଥାଏ, ସେମାନେ ନିଜପାଇଁ ସତକୁ ସତ କ’ଣଟିଏ ବାଛି ଥାଆନ୍ତି ? ସେମାନେ ସମ୍ଭବତଃ ନିଜ ବ୍ୟତୀତ ଆଉ କିଛିହେଲେ ଦେଖି ପାରୁନଥାନ୍ତି । ନିଜ ଉଗ୍ରତା ଗୁଡ଼ାକର ଗୋଲାମ ହୋଇ ରହିଥାନ୍ତି । ଯାବତୀୟ ପ୍ରଦର୍ଶନରେ ମୁଖ୍ୟତଃ ନିଜକୁ ଲୋଡ଼ୁଥାନ୍ତି ।

 

ମୋ’ର ପରମ ସୌଭାଗ୍ୟ ଯେ, ମୁଁ ଆଦୌ କୌଣସି କ୍ଷେତ୍ରରେ ମୋଟେ ଏକାନୁହେଁ । ମୋ’ସହିତ ଅନ୍ୟମାନେ ମଧ୍ୟ ଅଛନ୍ତି । ଓଡ଼ିଶାରେ ଓଡ଼ିଶାଯାକର ଲୋକ ରହିଛନ୍ତି । ଓଡ଼ିଶାର ପରମ ସୌଭାଗ୍ୟ ଯେ, ଓଡ଼ିଶା ତା’ବାଟରେ ମୋଟେ ଏକା ନୁହେଁ, ଓଡ଼ିଶା ପଛକୁ ଏକ ଭାରତବର୍ଷ ରହିଛି । ଭାରତବର୍ଷ ପଛରେ ପୃଥିବୀଟିଏ ରହିଛି । ଏବଂ, ଯଦି ଆମେ ଆହୁରି ଆଗକୁ ରାଜୀହୋଇ ପାରିବା, ତେବେ ପୃଥିବୀ ମଧ୍ୟ ଏକା ନୁହେଁ, ତା’ପଛରେ ଭଗବାନ ଅଛନ୍ତି, ଚେତନାଟିଏ ରହିଛି, ଏବଂ ସେହି ଅନୁସାରେ ଆସ୍ପୃହାଟିଏ ରହିଛି । ଏକ ବିବର୍ତ୍ତନ ଅନୁଷଣ ଲାଗି ରହିଛି । ମଣିଷମାନେ ସହଯୋଗ କଲେ, ସଚେତନ ହେଲେ, ରାଜି ହେଲେ ତାହା ଅଧିକ ତ୍ଵରାର ସହିତ ହେଉଛି । ନହେଲେ ତାହାରି ଗତି ଧିମେଇ ଯାଉଛି । ତଥାପି ଗତି ବନ୍ଦ ହୋଇ ଯାଉନାହିଁ । ନିଜ ଭିତରେ ଏହିଭଳି ପ୍ରତ୍ୟୟଟିଏ ରହିଥିଲେ ଓ ଏହିପରି ଖିଅଗୁଡ଼ିକ ଲାଗି ରହିଥିଲେ ସମ୍ଭବତଃ କ୍ଷୋଭ କରିବାର ମଧ୍ୟ କୌଣସି କାରଣ ନାହିଁ । ସାନ ବୃତ୍ତଟିର ଅବଲମ୍ବନ ହୋଇ ବୃହତ୍ ବୃତ୍ତଟିଏ ଅଛି,ବୃହତ୍ ବୃତ୍ତଟିକୁ ଅବଲମ୍ବନ ଯୋଗାଇ ଦେଇ ବୃହତ୍ତର ବୃତ୍ତଟି ମଧ୍ୟ ଅବଶ୍ୟ ରହିଛି, ସାନ ଇଚ୍ଛାଗୁଡ଼ିକୁ ମୁହାଁଇ ନେବାଲାଗି ବଡ଼ ଇଚ୍ଛାମାନେ ରହିଛନ୍ତି; ସ୍ଥାନୀୟକୁ ଆବଶ୍ୟକ ଦମ୍ଭ ଯୋଗାଇଦେଇ ଏକ ବିଶ୍ଵଜନୀନ ରହିଛି । ଏହି କଥାଟିକୁ କେହି କୌଣସି ପ୍ରମାଣ ମୋଟେ ବୁଝାଇଦେଇ ପାରିବ ନାହିଁ । ଉଚିତ ଆଖିଟିଏ ରହିଥିଲେ ଏଇଟି ହିଁ ତୁମ ଜୀବନରେ ସକଳ ଉଦ୍ୟମର ମୂଳ ହୋଇ ରହିଥିବ । ତେଣୁ ବିଫଳତାର କୌଣସି କାରଣ ନାହିଁ, ଏବଂ, ନିଃସଙ୍ଗ ଅନୁଭବ କରିବାର ମଧ୍ୟ କୌଣସି କାରଣ ନାହିଁ । କବିତା ଲେଖିଲାବେଳେ ଯଦି ତୁମେ ନିଜକୁ ନିଃସଙ୍ଗ ବୋଲି କହିବାର ଏକ ଆବଶ୍ୟକତା ଅନୁଭବ କରୁଛ, ତେବେ କହ, ଆମର ସେଥିରେ କୌଣସି ଆପତ୍ତି ନାହିଁ । ମାତ୍ର, ନିଜ ଜୀବନରେ ଯାବତୀୟ ସଂଯୋଜନାରେ ତୁମେ ଯେ ଆଦୌ ନିଃସଙ୍ଗ ନୁହ, ତୁମେ ସେକଥା ଭଲ କରି ଜାଣିଛ ।

 

ନିଜକୁ ବିଫଳ ବୋଲି ଅନୁଭବ କରିବା, ନିଃସଙ୍ଗ ବୋଲି ଅନୁଭବ କରିବା-ଜଣେ ଶିକ୍ଷକ ନିମନ୍ତେ ତାହା ହୁଏତ ସବୁଠାରୁ ବଡ଼ ଅଭିଶାପ । ସିଏ କୌଣସି କାରଣରୁ ନିଜକୁ ନିଜେ ପ୍ରତ୍ୟାଖ୍ୟାନ କରିନଥିଲେ କଦାପି ନିଜକୁ ନିଃସଙ୍ଗ ବୋଲି କହନ୍ତାନାହିଁ । କବିତାରେ, ଗପରେ ଯେଉଁମାନେ ମଣିଷକୁ ନିଃସଙ୍ଗ ବୋଲି ବର୍ଣ୍ଣନା କରିଥାନ୍ତି ଓ ନିଜକୁ ମଧ୍ୟ ସେହି ସରଳୀକରଣଟି ଭିତରେ ସାମିଲକରି ରଖିଥାନ୍ତି, ସେମାନେ କ’ଣ ନିଜ ଅବଜ୍ଞାରୁ ନିଜକୁ ପ୍ରତ୍ୟାଖ୍ୟାନ କରି ଥାଆନ୍ତା କି ? ଜଣେ ସଚେତନ ଭାବରେ ସ୍ଵପ୍ନ ଦେଖୁଥାଏ । ନିଜକୁ ସମସ୍ତଙ୍କର ଏକାବେଳେକେ ମଝିରେ ରଖି ସ୍ଵପ୍ନ ଦେଖୁଥାଏ । ଅର୍ଥାତ୍, ସିଏ ଯନ୍ତ୍ରଟିଏ ହେବାକୁ ରାଜି ହୋଇ ଆସିଥାଏ । ତା’ ଆଗରେ ଯେଉଁ କନିଷ୍ଠମାନେ ବି ଆସି ଏକଜୁଟ ହୋଇଥାନ୍ତି, ତା’ର ସ୍ଵପ୍ନ ଦେଖିବାକୁ ସେମାନେ ମଧ୍ୟ ସାହାଯ୍ୟ କରନ୍ତି । ଭଗବାନଙ୍କର କାମ ଯେ ସରିନାହିଁ, ଭଗବାନ ଯେ ଆଦୌ କୋଉଠି ହେଲେ ପିତୁଳାଟିଏ ହୋଇ ବସି ଯାଇନାହାନ୍ତି, ସେହି ପ୍ରତ୍ୟୟଟିକୁ ଜଣେ ଶିକ୍ଷକ ନିଜ ଭିତରୁ ଲାଭ କରିଥାଏ । ତା’ ବାହାରେ ରହିଥିବା ପୃଥିବୀଟି ମଧ୍ୟ ତାହାକୁ ବହୁ ପ୍ରମାଣ ସହିତ ସୂଚନାଟିଏ ଦେଇ ଯାଉଥାଏ । ଶିକ୍ଷକ ରହି ଯାଏନାହିଁ । ଅତୀତରୁ ଅବଶ୍ୟ ଶିଖେ; ମାତ୍ର, ଭବିଷ୍ୟଟି ଯେପରି ହେବାକୁ ଯାଉଛି ବୋଲି ତାକୁ ତା’ ନିଜ ଦର୍ପଣଟିରେ ଦେଖାଯାଉଥାଏ, ତାହାରି ପରିପ୍ରେକ୍ଷୀରେ ହିଁ ସେ ଅତୀତର ବିଶ୍ଲେଷଣ କରେ । ସିଏ ଅତୀତକୁ ସତେଅବା ଏକ ପ୍ରୟୋଗଶାଳାକୁ ନେଇ କେତେପ୍ରକାରେ ଫାଡ଼େ, ଚିରେ; ଯାହାସବୁ କାମରେ ଲାଗିବ, ସେ ସେଗୁଡ଼ିକୁ ସାଉଁଟି ଧରେ । ବାକିଗୁଡ଼ିକୁ ଅତ୍ୟନ୍ତ କ୍ଷୋଭରହିତ ଭାବରେ ଛାଡ଼ି ଦେଇ ଆସେ ।

 

ମୋ’ ସହିତ ଯେ ସମଗ୍ର ପୃଥିବୀଟି ରହିଛି, ନିୟତି ଯେ ମୋତେ ତା’ର ଯନ୍ତ୍ରରୂପେ ବ୍ୟବାହର କରିବ ବୋଲି ଅନୁକ୍ଷଣ ମୋ’ର ବିଚିତ୍ର ଅନୁଭବଗୁଡ଼ିକର ମଧ୍ୟଦେଇ ମୋତେ ପ୍ରସ୍ତୁତି କରି ନେଉଛି, ସେହି ବିଶ୍ଵାସରେ ହିଁ ମୁଁ ବାହାରକୁ ଯାଇ ବୃହତ୍ତର ପୃଥିବୀଟିକୁ ଦେଖିଆସେ । ସେଠାରେ ମଣିଷମାନଙ୍କର ଗହଣରେ ହିଁ ମୋ’ର ସର୍ବାଧିକ ସମୟ ବ୍ୟୟିତ ହୁଏ । ମଣିଷମାନଙ୍କୁ ମାଧ୍ୟମ କରି ହିଁ ସମଗ୍ର ପୃଥିବୀର ସଂସ୍କୃତି ମୋତେ ସବୁବେଳେ କ’ଣ କହିବାରେ ଲାଗିଥାଏ । ଆଗ କାଳର ସାଧବମାନଙ୍କ ପରି ମୁଁ ସାଙ୍ଗରେ କେତେ କ’ଣ ଧରି ଘରକୁ ଫେରିଆସେ । ବାରବାର ଯାଏ ଓ ବାରବାର ଫେରିଆସେ । ଏହାଦ୍ଵାରା ମୁଁ ସ୍ୱୟଂ ବଦଳି ବଦଳି ଯାଉଥାଏ । ଜଣେ ମୋହାଚ୍ଛନ୍ନ ଶିକ୍ଷକ ହେଉଛି ସିଏ ପଢ଼ାଉଥିବା ପିଲାମାନଙ୍କ ନିମନ୍ତେ ସମ୍ଭବତଃ ସବୁଠାରୁ ବଡ଼ ବିପଦ । ଆଦୌ କୌଣସି ମୋହମୋତେ କେତେଟା ପ୍ରିୟା କେତେଟା ପ୍ରିୟା ଅଳ୍ପତା ଭିତରେଆବଦ୍ଧ କରି ନରଖିବ ମୂଳତଃସେହି କାରଣରୁ ହିଁ ମୁଁ ପୃଥିବୀ ଦେଖିବାକୁ ଯାଏ ଆଧୁନିକ ଯୁଗରେ ପ୍ରତ୍ୟେକ ମନୁଷ୍ୟର ଘର ହେଉଛି ପୃଥିବୀ । ସିଏ ଯାହାକୁ ନିଜର ଦେଶ, ରାଷ୍ଟ୍ର ବା ଜନ୍ମଭୂମି ବୋଲି କହୁଛି, ସିଏ ସବୁକିଛି ହେଉଛନ୍ତି ପୃଥିବୀର ଅଂଶ । ପୃଥିବୀ ରହିଛି ବୋଲି ସେଗୁଡ଼ିକ ରହିଛନ୍ତି । ନିଜକୁ ଅନ୍ତଃତଃ ଏତିକି ସ୍ମରଣ କରାଇ ଦେବା ସକାଶେ ନିଜ ସ୍ଥାନୀୟ ଆୟତନରୁ ବାହାରକୁ ଯିବା ଆବଶ୍ୟକ ହୋଇଥାଏ । ନିଜର ସରୋବରଟି ଯେଡ଼େ ପ୍ରିୟ ଲାଗୁଥିଲେ ମଧ୍ୟ ତଥାପି ସତେଅବା ଜାଣିଶୁଣି ବେଳେବେଳେ ହୁଡ଼ାଗୁଡ଼ିକୁ ଉଠାଇ ନେବାକୁ ପଡ଼େ-। ତେବେ ପଚି ସଢ଼ି ଯିବାର ବହୁ ପ୍ରମାଦରୁ ରକ୍ଷା ମିଳେ । ଜଣେ ମଣିଷର ଗବାକ୍ଷଗୁଡ଼ିକ ବନ୍ଦ ହୋଇଗଲେ ତା’ ଭିତରେ ନାନାବିଧ ଅସୁସ୍ଥତା ଆସି ପଶିଯାଏ । ଏବଂ ନିଜେ ଅସୁସ୍ଥ ହେବା ମାତ୍ରକେ ତା’ର ଧର୍ମ, ତା’ର ଜୀବନଦୃଷ୍ଟି, ତା’ର ଯାବତୀୟ ଉଚ୍ଚାଭିଳାଷ ଏବଂ ଆକାଂକ୍ଷା, ସବୁ ଅସୁସ୍ଥ ହୋଇଯାଏ । ବୃହତ୍‍ଟିକୁ ଜାଣିଲେ ଯାଇ ନିଜର ତଥାକଥିତ ସ୍ଥାନୀୟଟିକୁ ତାର ଯଥାର୍ଥ ବୃହତ୍ତ ତଥା ସମ୍ଭାବନା ଦେଇ ଦେଖିହୁଏ । ପୃଥିବୀର ଯେଉଁଠି ଥିଲେ ମଧ୍ୟ ନିଜକୁ ଧନୀ ବୋଲି ଲାଗେ । ହୁଏତ ସେଇଥିପାଇଁ କି କ’ଣ ଆଉ ଜଣେ ଶିକ୍ଷକଙ୍କ ସହିତ ଭେଟ ହୋଇଗଲେ ମୁଁ ସବାଆଗ ତାଙ୍କର ଗବାକ୍ଷଗୁଡ଼ିକୁ ଦେଖେ । ସେଗୁଡ଼ିକ ଖୋଲି ଅଛନ୍ତି ତ ? କାହାରି ମାନଦଣ୍ଡ ଉପରେ ତାଙ୍କୁ ଦେଖେ, ସିଏ କହୁଥିବା କଥାଗୁଡ଼ିକର ସାରଅସାରକୁ ସେହି ଅନୁସାର ଓଜନ କରେ-। ଏମିତି ମଣିଷଙ୍କ ସହିତ ବନ୍ଧୁବାନ୍ଧିବାକୁ ଆଦୌ ମନ ହୁଏନାହିଁ ।

 

ଏହି ଭାରତବର୍ଷରେ କେବେ କିଛି ହୋଇ ପାରିବନାହିଁ ବୋଲି ଭାରତୀୟମାନେ ଅନେକ ସମୟରେ ମନ୍ତବ୍ୟ କରି କହିଥାଆନ୍ତି । ଶିକ୍ଷିତ ଭାରତୀୟ ମାନେ ସତେଅବା ଅଧିକ ପରିମାଣରେ କହିଥାନ୍ତି । ଅବଶିଷ୍ଟ ଭାରତବର୍ଷରେ ହୁଏତ ହୋଇପାରିବ ପଚ୍ଛକେ, ମାତ୍ର ଓଡ଼ିଶାର କଦାପି ହୋଇ ପାରିବନାହିଁ ବୋଲି ଓଡ଼ିଶାରେ ଶିକ୍ଷିତ ଓଡ଼ିଆମାନେ ବି ଆଦୌ କମ୍ କହନ୍ତି ନାହିଁ । ଏହି ଶିକ୍ଷିତମାନେ, ତଥାକଥିତ ଶିକ୍ଷିତ ଏବଂ ଉଚ୍ଚଶିକ୍ଷିତମାନେ ଓଡ଼ିଶାକୁ ଭୋଗ କରୁଥାନ୍ତି ବୋଲି ସେମାନେ ସମ୍ଭବତଃ ସେପରି କହନ୍ତି । ଏପରି କହିବାରୁ ସତେଅବା ଭାରି ରସ ପାଆନ୍ତି । କିଏ ସରକାର ଭିତରେ ଉଚ୍ଚପଦରେ ରହିଛି, ସତେଅବା କେତେ କ’ଣ କରୁଥିବା ପରି ସେ ସବୁବେଳେ ନଙ୍ଗନଙ୍ଗ ଓ ଲଣ୍ଡଭଣ୍ଡ ହେବାରେ ଲାଗିଛି । ତଥାପି କହୁଛି ଯେ,ସରକାର ଦ୍ଵାରା ପ୍ରକୃତରେ କେବେ କିଛି ହୋଇ ପାରିବନାହିଁ । ତୁମେ ହୁଏତ ଶିକ୍ଷାରେ ଅଛ, ସ୍ୱାସ୍ଥ୍ୟରେ ଅଛ, ନିର୍ମାଣରେ ଅଛ ଅଥବା ଯୋଜନା ଭିତରେ ଅଛ । ରଜା ପରି ଛଇ ଦେଖାଉଛ ଏବଂ ଦରବାର ଜମାଇ ରଖୁଛ । ତଥାପି କହୁଛ ଯେ, ଏଠି ପ୍ରକୃତରେ ଆଦୌ କିଛିହେଲେ ହୋଇପାରିବ ନାହିଁ । ସେମାନଙ୍କ ଭିତରୁ କେତେ କେତେ ବାହାରକୁ ଯାଉଛନ୍ତି, ବିକଳ୍ପମାନ ଦେଖୁଛନ୍ତି, ପାଠ ପଢ଼ି ନାଆଁ କରୁଛନ୍ତି ଓ କେଡ଼େ ବଡ଼ ହୋଇ ଫେରିଆସୁଛନ୍ତି ,ସେଠାରେ ଏତେସବୁ କାହିଁକି ସମ୍ଭବ ହେଉଛି ଏବଂ ଏଠାରେ କାହିଁକି ହେଉନାହିଁ, ସେବିଷୟରେ କ’ଣ ସେମାନେ ଆଦୌ କିଛି ଭାବୁନଥିବେ ? ବଡ଼ମାନଙ୍କର ଗହଣ ଭିତରେ ଆସି ସେମାନଙ୍କର ଧାତୁଗୁଡ଼ିକୁ ପରୀକ୍ଷା କରି ଦେଖିଲି ଅନେକ ସମୟରେ ଏକ ଧାରଣା ହୋଇଯାଇଥାଏ ଯେ, ଆମ ଦେଶରେ ଯିଏ ଯେଉଁ କାମଟିରେ ରହିଛି, ସିଏ ସେଇଟି ସତକୁ ସତ ହେବ ବୋଲି ହୁଏତ ଆଦୌ ବିଶ୍ଵାସ କରୁନାହିଁ । ତଥାପି ପ୍ରବୀଣ ଦପରେ ଲାଗିଛି, ଭାରି ଦୌଡ଼ ଧାପଡ଼ କରୁଛି,—ମାତ୍ର ନିଜକୁ ସେଥିଲାଗି ଦାୟୀ ବୋଲି ଗ୍ରହଣ କରି ପାରିନାହିଁ । ଏବଂ, ସବାଉପରେ ରହିଥିବା ରାଜନୀତିବାଲାମାନେ, —ସେମାନେ ସମାଜବାଦ, ଗଣତନ୍ତ୍ର, ସମସ୍ତଙ୍କ ପାଇଁ ଶିକ୍ଷା ଓ ସମସ୍ତଙ୍କ ପାଇଁ ରୋଜଗାର ବିଷୟରେ ଯାହାସବୁ କହୁଛନ୍ତି, ସେସବୁରେ ସେମାନେ ସତକୁ ସତ ବିଶ୍ଵାସ ରଖିଛନ୍ତି ତ ? ଯାହାର ସର୍ବନିମ୍ନ ବିଶ୍ଵାସଟିଏ ମଧ୍ୟ ନାହିଁ, ତା’ପାଖରେ ତୁମେ ଯେତେ ଯାହା ଆଣି ଖଞ୍ଜିଦେଲେ ମଧ୍ୟ ସିଏ ବିଚରା ଆଉ କ’ଣ କରିପାରିବ ?

 

ଓଡ଼ିଶା ସମେତ ଭାରତରେ ଶିକ୍ଷିତମାନେ ସଂଖ୍ୟାରେ କମ୍ ଅଶିକ୍ଷିତମାନେ ସଂଖ୍ୟାରେ ବେଶୀ । ଏଠି ଅଳପଟା ହିଁ ଅଧିକରୁ ଶାସନ କରୁଛି । ହୁଏତ ଯୁଗ ଯୁଗ ଧରି ସେହି ରୀତିରେ ସବୁକିଛି ହୋଇଛି । ସ୍ଵାଧୀନତା ପରେ ଏଥିରେ ପରିବର୍ତ୍ତନ ହୋଇଥାନ୍ତା, ମାତ୍ର ହେଉନାହିଁ । ଯେଉଁ ସମାଜରେ ଶହେରେ ପାଞ୍ଚଜଣ ମଣିଷ ପଞ୍ଚାନବେଙ୍କୁ ଶାସନ କରୁଛନ୍ତି, ପଞ୍ଚାନବେଙ୍କୁ ଅନ୍ଧାର ଭିତରେ ରଖି ପାଞ୍ଚଜଣ ଧୋବଲା ଦେଖା ଯାଉଛନ୍ତି, ସେଠାରେ ଉପରଆଡ଼ୁ ଯେତେଯାହା କରାଗଲେ ମଧ୍ୟ କଳଟା କଦାପି ବଦଳିବ ନାହିଁ । ଉଦାହରଣସ୍ୱରୂପ, ଯଦି ସବୁପିଲା ପାଠ ପଢ଼ିବେ ସମାନ ସୁଯୋଗ ଲାଭ କରିବେ ଏବଂ ପ୍ରତିଭା ଅନୁସାରେ ସମସ୍ତେ ଅନୁଗତି କରିବାର ବ୍ୟବସ୍ଥାଟିକୁ ଗ୍ରହଣ କରି ନିଆଯିବ, ତଦ୍ୱାରା ଏହି ପାଞ୍ଚଜଣ ଅବଶ୍ୟ କ୍ଷତିଗ୍ରସ୍ତ ହେବେ । ଦେଶଟା ସେମାନଙ୍କର ଅଙ୍ଗୁଳି ନିର୍ଦ୍ଦେଶରେ ଆଉ ମୋଟେ ଚଳିବନାହିଁ । ତେଣୁ ଅଧିକମାନେ ଆହୁରି ଅଧିକ ହୁଅନ୍ତୁ, ସେଥିଲାଗି ସେମାନଙ୍କ ନିମନ୍ତେ ସ୍ଵତନ୍ତ୍ର ବରାଦମାନ ରହୁ, ସେମାନେ ଅଲଗା ଭାଷାରେ ଓ ଅଲଗା କଦରରେ ପାଠପଢ଼ନ୍ତୁ, ଦେଶଟାକୁ ଭୋଗ କରୁଥାନ୍ତୁ—ଭୋଗୀମାନେ ତାହା ଅବଶ୍ୟ ଇଚ୍ଛା କରିବେ । ଭାରତବର୍ଷରେ ବର୍ତ୍ତମାନ ସେହି ଭୋଗୀମାନଙ୍କର ରାଜତ୍ଵ ଚାଲିଛି । ରାଜଶକ୍ତି କହିଲେ ସେହିମାନଙ୍କୁ ବୁଝାଉଛି । ଶିକ୍ଷାକହିଲେ ଶିକ୍ଷାବିଭାଗକୁ ଓ ସେଠି ବସିଥିବା ଚତୁର ଉତ୍ତମମାନଙ୍କୁ ବୁଝାଉଛି । ସେମାନେ ହାଉଆଟାକୁ ତୁଷ୍ଟ କରି ରଖିଲେ ବୋଲି ମଝିରେ ମଝିରେ ଦୟା ଦେଖାଇବାର ଯୋଜନାମାନ କରୁଛନ୍ତି । ଏହି ଦେଶର ମଣିଷ ଦୟା ଏବଂ ଅନୁକମ୍ପାର ପାତ୍ରହୋଇ ରହିଥିବା ପର୍ଯ୍ୟନ୍ତ ଏଠାରେ ଲୋକଶକ୍ତି ଶୀତଳହୋଇ ରହିଥିବ । ତେଣୁ ଉପରେ ଗଠନଗୁଡ଼ିକରେ ପରିବର୍ତ୍ତନକରି ମଧ୍ୟ ତୁମେ ସବାତଳେ ରହିଥିବା ମଣିଷର ଭାଗ୍ୟକୁ ବଦଳାଇ ପାରିବନାହିଁ । ଅଳପ ମଣିଷମାନେ ଏଠି ସବୁକିଛିକୁ ଭୋଗ କରିବେ ବୋଲି ସ୍ଵାଧୀନ ଭାରତବର୍ଷରେ ସେମାନଙ୍କୁ ଶୁଆଇ ରଖାଯାଇଛି । ସେମାନେ ନିଜେ ନିଦ ଭାଙ୍ଗି ନଉଠିଲା ପର୍ଯ୍ୟନ୍ତ ତୁମେ ଦୟା ଦେଖାଇ ସେମାନଙ୍କର ସମ୍ଭବତଃ ଅଧିକ କ୍ଷତି କରିବାରେ ଲାଗିଥିବ ।

 

ପୂର୍ଣ୍ଣାଙ୍ଗ ଶିକ୍ଷାର କ୍ଷେତ୍ରରେ ନିଜକୁ ସମ୍ପୃକ୍ତ ରଖି ଏକ ଅନ୍ୟ ଭବିଷ୍ୟର ଦର୍ପଣଉପରେ ମୁଁ ଚତୁର୍ଦ୍ଦିଗରେ ରହିଥିବା ମନୁଷ୍ୟମାନଙ୍କୁ ଯେତିକି ବୁଝିଲି, ମୋ’ ସକ୍ରିୟତାର ପରିସରଟି ମଧ୍ୟ ସମ୍ଭବତଃ ସେଇଥିରୁ ଦ୍ୟୋତନା ପାଇଁ ଆଉଏକ ଆଡ଼କୁ ପ୍ରସାରିତ ହୋଇଗଲା । ଏଠି କିଛି କରୁଥିବା ସଙ୍ଗେ ସଙ୍ଗେ ସେଠି ମଧ୍ୟ କିଛି କରିବାକୁ ହେବ । ଶିକ୍ଷା କିଭଳି ହେବା ଉଚିତ, ଏଠି ତାହାରି ପ୍ରୟୋଗ କରୁଥିବା ସଙ୍ଗେ ସଙ୍ଗେ ତେଣେ ବଗଡ଼ ହୋଇ ପଡ଼ିଥିବା ଜମିଗୁଡ଼ିକୁ ମଧ୍ୟ ସେଥିଲାଗି ପାଗ କରି ଆଣିବାକୁ ପଡ଼ିବ । ଠିକ୍ ଏତିକିବେଳେ କେତେଜଣ ବନ୍ଧୁ ବି ମିଳିଗଲେ, ଯେଉଁମାନେ କି ସେହି କାର୍ଯ୍ୟଟିକୁ କରୁଥିଲେ । ସେମାନେ ସେଥିରେ ମୋଟେ ବି ସାମିଲ୍ କରିନେଲେ । ମୁଁ ଲୋଡ଼ୁଥିବା ଗୋଟିଏ ଥଳ ମୋତେ ମିଳିଗଲା । ଭାରତବର୍ଷରେ ଯେଉଁ ମନୁଷ୍ୟମାନଙ୍କୁ ଶତାବ୍ଦୀ ଶତାବ୍ଦୀ ଧରି ବଞ୍ଚିତ କରି ରଖାଯାଇଛି । ସେମାନେ ମଧ୍ୟ ଏହି ଭୂମିକୁ ନିଜର ବୋଲି କହିବେ, ଆଧୁନିକ ସଂସାରକୁ ଜାଣିବାପାଇଁ ଆଖିଟିଏ ପାଇବେ, ପଶୁ ସଦୃଶ ପେଟଭରଣାର ଶ୍ରମିକଷଣରେ ହିଁ ସେମାନଙ୍କର ସବୁସମୟ ମୋଟେ ନଷ୍ଟ ହୋଇ ଯିବନାହିଁ, —ଏହିସବୁ ଲକ୍ଷକୁ ସମ୍ମୁଖରେ ରଖି କାର୍ଯ୍ୟ କରୁଥିବା ଗୋଟିଏ ବନ୍ଧୁଦଳରେ ମିଶି ମୁଁ ନିଜ ଜୀବନରେ ସତେଅବା ଏକ ସୁସ୍ଥ ଭାରସାମ୍ୟ ଲାଭ କରି ପରିଲି । ଦେଶର ଶିକ୍ଷା କହିଲେ ଏଠି ସବୁ ପିଲାଙ୍କର ଶିକ୍ଷାକୁ ଯେ ବୁଝାଏ, ସେଇଟିର ଅସଲ ମହତ୍ତ୍ଵଗୁଡ଼ିକୁ ବୁଝିପାରୁଥିବା ସଙ୍ଗେ ସଙ୍ଗେ ମଣିଷ ଅବଶ୍ୟ ନିଜର ପରିଧିଗୁଡ଼ିକୁ ବଦଳାଇବ, ନିଜ ନଜରର ମାନଦଣ୍ଡଗୁଡ଼ିକୁ ମଧ୍ୟ ଅନୁରୂପ ଭାବରେ ଅବଶ୍ୟ ପ୍ରସାରିତ କରି ଆଣିବି । ତଦ୍ଦ୍ୱାରା ମୋ’ର ନିଜର ମଧ୍ୟ ବହୁତ ଲାଭହେଲା, ମୋ ଅନ୍ଦାଜର ଚେରଗୁଡ଼ିକ ଆହୁରି ମଜବୁତ ଓ ସଚେତନ ହୋଇ ପାରିଲି ।

 

ପାଠ ପଢ଼ିବା କହିଲେ ଆମେ ପାଠ ପଢ଼ିଥିବା ଲୋକମାନେ ଅକ୍ଷରଜ୍ଞାନକୁ ବୁଝୁ । ଅକ୍ଷରଜ୍ଞାନ ବଳରେ ଜଣେ ମଣିଷ ବହି ପଢ଼ି ପାରୁଥିବ, କିଛି ହିସାବକିତାବ ମଧ୍ୟ କରି ପାରୁଥିବ, ଇତ୍ୟାଦି, ଇତ୍ୟାଦି । ଯେଉଁ ପାଠ ଦି’ଅକ୍ଷର ପଢ଼ି ଆମେ ପଢ଼ୁଆମାନେ ଅଧିକ ଚତୁର ହୋଇଛୁ, ଅଧିକ ହୃଦୟହୀନ ହୋଇଛୁ ଏବଂ ଅଧିକ ଧନ ରୋଜଗାର କରିବାର ମତଲବରେ ବିବେକକୁ ବିଲୁପ୍ତ କରିଦେଉଛି, ଏବେ ପାଠପଢ଼ାରୁ ବଞ୍ଚିତ ହୋଇ ରହିଥିବା ବାକି ମଣିଷଙ୍କୁ କ’ଣ ଆମେ ସେହି ପାଠ ପଢ଼ାଇବା ? ଭାରତବର୍ଷ ସ୍ଵାଧୀନ ହେବାପରେ ସରକାରଙ୍କ ତରଫରୁ ଏହି ଦିଗରେ ଯେତେ ଯାହା ପିଲାମାନେ ସେଥିରେ ପାଠ ପଢ଼ି ବଡ଼ ହେଉଛନ୍ତି, ସେମାନେ ଅଧିକାଂଶ ଚତୁର ହେଉଛନ୍ତି, ନିଜର ପ୍ରାୟ ସବୁଯାକ ଚେର ଛିଣ୍ଡାଇ ମୂଳତଃ ଅନୁକରଣ କରୁଛନ୍ତି । ଆମରି ରୀତିରେ ପାଠ ପଢ଼ୁଥିବା ପର୍ଯ୍ୟନ୍ତ ସେମାନେ କଦାପି ଆମର ସମକକ୍ଷ ହୋଇ ପାରିବେ ନାହିଁ । ଖୁବ୍ ବେଶି ହେଲେ ଆମ ବଡ଼ ଚୌକିଗୁଡ଼ିକ ପାଖରେ ସାନ ଚଉକିମାନ ପକାଇ ବସିବେ ଓ ତାହାରିଦ୍ଵାରା ମୋକ୍ଷଲାଭ ହୋଇଗଲା ବୋଲି ଅନୁଭବ କରିବେ । ହୁଏତ ସବୁଦିନ ସକାଶେ ଆମେ ଆମେ ଆଗେ ରହିଥିବୁ ଓ ସେମାନେ ଆମ ପଛେ ପଛେ ରହିଥିବେ । ଅନୁଗୃହୀତ ହେଉଥିବା, ନିଜ ସମାଜ ପାଇଁ ଡିକୁ ହେବେ । ନିଜପାଖରେ ଭାରି ହାସ୍ୟାସ୍ପଦ ହୋଇ ରହିଥିବେ । ତେଣୁ,ବଞ୍ଚିତ ମଣିଷମାନଙ୍କ ପାଇଁ ଶିକ୍ଷାବ୍ୟବସ୍ଥା ଅନ୍ୟ ପ୍ରକରାର ହେବ । ସେମାନେ ଦଳିତ ଓ ପାଶ୍ଚାତ ହୋଇ ରହି ଆମଠାରୁ ଦୟାଂଶମାନ ପାଇବାକୁ ମୋଟେ ମଙ୍ଗିବେ ନାହିଁ । ସେମାନେ ସଚେତନ ହେବେ, ନାଗରିକ ହିସାବରେ ନିଜର ଅଧିକାର ଗୁଡ଼ିକ ନିମନ୍ତେ ସଂଗ୍ରାମ କରି ଶିଖିବେ । ମଣିଷର ସମ୍ମାନ ଦାବୀ କରିବେ । ଶକ୍ତିମାନ୍ ହେବେ । ଅସଲ ଯାବତୀୟ ଶିକ୍ଷା ହେଉଛି ଜଣେ ମଣିଷକୁ ଶକ୍ତିମାନ୍‍ କରିଗଢ଼ି ଆଣିବାର ଶିକ୍ଷା । ବିଗତ ଶହେବର୍ଷ ହେଲା ଉପରେ ଥିବା ମଣିଷମାନଙ୍କ ପାଇଁ ଆମ ମନୀଷୀମାନେ ଶିକ୍ଷା ଯେଉଁପରି ହେବା ଉଚିତ ବୋଲି ଘୋଷଣା କରି ଯାଇଛନ୍ତି, ସେଥିରେ ମଣିଷଙ୍କୁ ଶକ୍ତିମାନ କରିବାର ବାର୍ତ୍ତାଟି ହିଁ ପୁରୋଭାଗରେ ରହିଛି । ଆମେ ବର୍ତ୍ତମାନ ସେହି ମନୀଷୀମାନଙ୍କୁ ପୂଜା କରୁଛୁ, ମାତ୍ର ଏଣେ ଶକ୍ତି ହରାଉଛୁ, ଭୀରୁ ହେଉଛୁ, ଅନ୍ୟାୟକୁ ଅନ୍ୟାୟ ବୋଲି କହିପାରୁନାହିଁ, ପ୍ରତିବାଦ କରି ପାରୁନାହୁଁ ।

 

ତେଣୁ, ବର୍ତ୍ତମାନ ସମାଜରେ ସବୁଠାରୁ ବଞ୍ଚିତ ସର୍ବନିମ୍ନ ସ୍ତରରେ ଯେଉଁ ଶିକ୍ଷାର କାର୍ଯ୍ୟକ୍ରମ ରହିବ, ତାହା ସେମାନଙ୍କୁ ଅସତ୍ୟ ସହିତ ଅସହଯୋଗ କରିବାର ସାହସ ଆଣିଦେବ । ଭାରତବର୍ଷରେ ଅଧିକାଂଶ ସମୟରେ ଜନସମାଜରେ ସଂସ୍କାର ଏବଂ ପରିବର୍ତ୍ତନ ଆଣିବାଲାଗି ତଥାକଥିତ ଯେତେ ଆନ୍ଦୋନଳ ହୋଇଛି, ତାହାକୁ ଉପରେ ଥିବା ମଣିଷମାନେ କରାଇଛନ୍ତି । ସେମାନେ ଉଦାର ଚିତ୍ତରେ ସେହି ଦିଗରେ କିଞ୍ଚିତ ଚିନ୍ତା କରିଛନ୍ତି । ଉପରବାଲାଙ୍କର ହୃଦୟ ପରିବର୍ତ୍ତନ ଦ୍ଵାରା ହିଁ ସମାଜରୁ ଅଧର୍ମଯିବା ଓ ସତ୍ୟନ୍ୟାୟର ପ୍ରତିଷ୍ଠା ହେବ ବୋଲି କହିଛନ୍ତି । ଏଥର ଏକ ନୂତନ ପଦ୍ଧତିର ପ୍ରୟୋଗଦ୍ଵାରା ଚେଷ୍ଟା କରାଯାଉଥିବା ଯାହା ହେବାକଥା, ତଳୁ ଆରମ୍ଭ ହେଉ । ତଳୁ ନିଦ ଭାଙ୍ଗି ଏପରି ଏକ ଶିକ୍ଷା ଦିଆଯାଉ, ଯାହାଦ୍ଵାରା ମଣିଷମାନେ ଶୀତଳ ହୋଇ ସବୁ ସହିବାକୁ ସିଧା ମନା କରିଦେଇ ପାରିବେ । ସେମାନେ ଦୟା ମାଗିବେନାହିଁ, ସମ୍ମାନ ମାଗିବେ, ନ୍ୟାୟ ମାଗିବାକୁ ବଦ୍ଧପରିକର ହେବେ । ମହାତ୍ମା ଗାନ୍ଧୀଙ୍କର ଭାଷାରେ ଏହାକୁ ସତ୍ୟଗ୍ରହର ବାଟ ବୋଲି କୁହାଯାଇ ପାରନ୍ତା । ଗାନ୍ଧୀଙ୍କ ପରେ ଯେଉଁମାନେ ଗାନ୍ଧୀ ସନ୍ଦେହରେ ତହସିଲ୍‍ଦାର ହୋଇ ରହିଲେ, ନାନା ଅନ୍ୟ ପ୍ରୟୋଜନର ଭେଳିକି ଭିତରେ ପଶିଯାଇ ସେମାନେ ଆଉ ସତ୍ୟାଗ୍ରହର କଥା ନକହିବାକୁ ହିଁ ନିରାପଦ ମଣିଲେ । ଦେଶ ଅଚଳ ହୋଇ ରହିଗଲେ । ଏବେ ସେମାନଙ୍କ ଦ୍ଵାରା ହୁଏତ ଆଉ କମଟି ମୋଟେ ହୋଇ ପାରିବନାହିଁ । ଏବର ନୂତନ ସ୍ଵେଚ୍ଛାସେବୀମାନେ ଇଚ୍ଛା କଲେ ସେହି କାମଟିକୁ ହାତକୁ ନେଇପାରିବେ । ଶିକ୍ଷିତମାନଙ୍କର କୌଣସି ସାହାଯ୍ୟ ନନେଇ ମହାତ୍ମାଗାନ୍ଧୀ ବଞ୍ଚିତମାନଙ୍କର ଯେଉଁ ଆନ୍ଦୋଳନ ଅବଶ୍ୟ ହେବ ବୋଲି ଏକଦା ଚିନ୍ତା କରିଥିଲେ, ସମ୍ଭବତଃ ଏଥର ସେହି ଆନ୍ଦୋଳନଟି ପ୍ରସ୍ତୁତି ହୋଇ ଆସିବ । ଏବଂ ଉଚିତ ନେତୃତ୍ଵ ସମ୍ଭବ ହେଲେ ତାହା ଅଧିକ ତ୍ଵରାନ୍ୱିତ ହୋଇ ପାରିବ ।

 

ପୃଥିବୀସାରା ବର୍ତ୍ତମାନ ପରିବେଶକୁ ରକ୍ଷା କରିବା ବିଷୟରେ ହୁରି ପଡ଼ିଛି । ସେଥିପାଇଁ କୋଟି କୋଟି ଟଙ୍କା ଖରଚ ହେଉଛି । ଯୁଗ ଯୁଗ ଧରି ଯେଉଁ ଭୋଗଲୋଭୀମାନେ ପରିବେଶକୁ ନଷ୍ଟ ଓ ଦୂଷିତ କରି ଆସିଥିଲେ, ସେଇମାନେ ବର୍ତ୍ତମାନ ବୁଦ୍ଧି ବଦଳାଇ ପରିବେଶକୁ ରକ୍ଷା କରିବା ବିଷୟରେ ଅଭିଯାନ କରି ବାହରିଛନ୍ତି । ସେମାନଙ୍କର ଯେତିକି ବୁଦ୍ଧି, ସେଥିରେ ବହୁତ ଗଛ ଲଗାଇଲେ ପରିବେଶ ଶୁଦ୍ଧ ହୋଇଯିବ ବୋଲି ସେମାନେ କହୁଛନ୍ତି । ଆମେ ବି ଅଲବତ ଗଛ ଲଗାଇବା, ଶୁଷ୍କକୁ ସବୁଜ କରିବା । ମାତ୍ର, ଆମେ ସେତିକିଠାରୁ ଆହୁରି ଅନେକ ଅଧିକକୁ ଲକ୍ଷ୍ୟ ରଖିବା । ଆମେ ନିର୍ମମ ବ୍ୟବସ୍ଥାଟାକୁ ବଦଳାଇବା । ମଣିଷ ମଣିଷ ଭିତରେ ଏକ ଅନ୍ୟ ଅସମ୍ପର୍କ ପ୍ରତିଷ୍ଠା ହେଉ ବୋଲି ଦାବୀ କରିବା । ଯେତେଦିନ ଯାଏ ଥୋକେ ଚତୁର ମଣିଷ ଆପେ ଅଧିକ ସୁଖରେ ରହିବେ ବୋଲି ମଣିଷମାନଙ୍କୁ ବୋକା କରି ରଖିଥିବେ,ମଣିଷଠାରୁ ନିଜର ତଥାକଥିତ ସ୍ଵାର୍ଥଗୁଡ଼ାକୁ ଅଧିକ ମୂଲ୍ୟ ଦେଇ ଦେଖୁଥିବେ, ସେପର୍ଯ୍ୟନ୍ତ ପରିବେଶ ଦୂଷିତ ହିଁ ରହିବ-। ଚାରିଆଡ଼େ ହୁଏତ ଗଛ ଭର୍ତ୍ତି ହୋଇ ରହିଥିବ, ମାତ୍ର ମଣିଷ ମଣିଷକୁ ଗିଳିପକାଉଥିବ-। ତେଣୁ ଅଧିକ ମୂଳଭୂତ ଭାବରେ କିଛି ହେଉ, ଅଧିକ ମୂଳଭୂତ ଭାବରେ କିଛିଘଟୁ । ଉପରବାଲାଙ୍କୁ ଫୁସୁଲାଇଲେ କଦାପି ସେହି ନୂତନ ଘଟଣା ଘଟିବନାହିଁ । ମାତ୍ର, ତଳେ ଥିବା ମଣିଷର ନିଦ ଭାଙ୍ଗିଲେ ହୁଏତ ସିଏ ସାମୂହିକ ଜୀବନରେ ଯେଉଁ ନୂଆ ବିବେକର ଦାବୀ କରି ବାହାରିବ, ତାହାରିଦ୍ଵାରା କିଛି ହେବ । ସେତେବେଳେ ଠକି ହେବାକୁ କେହି ରାଜି ହେବେ ନାହିଁ ସେତେବେଳେ ଠକୁଥିବା ମଣିଷମାନଙ୍କର ହୁଏତ ଚେତା ହେବ । ପୃଥିବୀ ଏବେ ଏପରି ଏକ ଚେତନା ମଧ୍ୟରେ ପ୍ରବେଶ କରିବାକୁ ସଜ ହେଉଛି, ଯେଉଁଠାରେ କି ତୁମେ ମଣିଷକୁ, ସବୁ ମଣିଷଙ୍କୁ ସଖାରୂପେ ଓ ସହଚାରୀ ରୂପେ ସ୍ଵୀକାର କରି ନନେବା ପର୍ଯ୍ୟନ୍ତ ସେ କଦାପି ଶାନ୍ତ ହେବନାହିଁ । ସେହି ଚେତନା ଭାରତବର୍ଷକୁ ମଧ୍ୟ ସଂକ୍ରମିତ ହୋଇ ଆସିବ । ନିଜର ପୁରୁଣା ବୁଦ୍ଧିଗୁଡ଼ାକୁ ଖର୍ଚ୍ଚ କରି ଭାରତବର୍ଷର ଉତ୍ତମମାନେ ସେହି ପ୍ରକ୍ରିୟାଟିକୁ କିଞ୍ଚିତ୍ ବିଳମ୍ବିତକରି ରଖିପାରିବେ ସିନା, କଦାପି ଟାଳି ପାରିବେନାହିଁ ।

 

ସମ୍ଭବତଃ, କେବଳ ଜଣେ ଶିକ୍ଷକ ହେବାକୁ ମନ କଲି ବୋଲି ମୁଁ ଏତେ ଏତେ ଚିନ୍ତାକୁ ନିଜର ଚିନ୍ତା ବୋଲି ଗ୍ରହଣ କରିପାରିଲି । ଜଣେ ଶିକ୍ଷକ ଯେଉଁଠାରେ ଯେଡ଼େସ୍ଥାନୀୟ ହୋଇ କାର୍ଯ୍ୟ କରୁଥାଉ ପଛକେ, ସେଇଠି ଥାଇ ତାକୁ ଏହିସବୁ ଚିନ୍ତା କରିବାକୁ ହିଁ ପଡ଼ିବ । ପୃଥିବୀ ବଦଳି ଯାଉଛି, ପାଠ ପଢ଼ିବା ସକାଶେ ତା’ପାଖରେ ଆସି ଏକତ୍ର ହୋଇଥିବା ପିଲାମାନଙ୍କର ଆହ୍ଵାନଗୁଡ଼ିକ ବଦଳି ଯାଉଛି । ମନୁଷ୍ୟଜାତିର ସମ୍ମୁଖରେ ରହି ତାକୁ ସଚଳ କରି ରଖିଥିବା ପ୍ରତିଶ୍ରୁତିଗୁଡ଼ିକ ଏବଂ ସେହି କାରଣରୁ ସଙ୍କଟଗୁଡ଼ିକର ସ୍ଵଭାବ ତଥା ନିହିତାର୍ଥ ବି ବଦଳି ଯିବାରେ ଲାଗିଛନ୍ତି । ଶିକ୍ଷକ ସେହିଅନୁସାରେ ନିଜର ଆଖିକୁ ମଧ୍ୟ ବଦଳାଇବ, ନିଜ ପୃଥିବୀଟିର ପ୍ରସ୍ଥଗୁଡ଼ିକୁ ସିଏ ସର୍ବଦା ସ୍ଥିତିସ୍ଥାପନ କରି ରଖି ପାରୁଥିବ । ଯଥାସମ୍ଭବ କମ୍ ନୀତିବାଦୀ ହେବ ଓ ଯଥାସମ୍ଭବ ସମ୍ବେଦନଶୀଳ ବି ହୋଇପାରିଥିବ । ଶିକ୍ଷକର ସବାବଡ଼ ସମ୍ବଳ ହେଉଛନ୍ତି ତା’ପିଲାମାନେ । ପିଲାମାନେ ହିଁ ତାକୁ ବୁଢ଼ା ହୋଇଯିବାର ଯାବତୀୟ ଫିକରରୁ ବଞ୍ଚାଇ ରଖି ପାରିବେ । ପିଲାମାନଙ୍କର ଆଖିରେ ପୃଥିବୀକୁ ଦେଖିପାରିବା, ଜଣେ ଶିକ୍ଷକଲାଗି ତାହାହିଁ ଯାବତୀୟ ଅର୍ଥରେ ତା’ପାଖରେ ସବୁଠାରୁ ଅଧିକ ବିଶ୍ଵାସଯୋଗ୍ୟ ଆୟୁଧ ହୋଇ ରହିଥିବ । ବାପାମାଆ ତାହା କରି ପାରିବେ ନାହିଁ । ନାନାବିଧ ସ୍ଵାଧିକାରଭାବନା ସେମାନଙ୍କୁ ନିଜର ପିଲାମାନଙ୍କ ବିଷୟରେ ହୁଏତ ଅତ୍ୟନ୍ତ ଭୀତ ଏବଂ କୁଣ୍ଠାଗ୍ରସ୍ତ କରି ରଖିଥିବ । ଜଣେ ସଫଳ ଶିକ୍ଷକ କ୍ରମେ ସିଏ ଯେ ଜଣେ ଶିକ୍ଷକ, ସେକଥା କିପରି ଯେ ଭୁଲିଯାଏ, ସେକଥା ନିଜେ ବି ଜାଣି ପାରେନାହିଁ । ଜଣେ ଶିକ୍ଷକ ହେଲି ଓ ଆଉ କିଛି ହେଲିନାହିଁ ବୋଲି ମୁଁ କେବେହେଲେ ନିଜପାଖରେ ବସି ଦୁଃଖ କରିନାହିଁ । ମୁଁ ଯାହା ହୋଇଥାନ୍ତି ତାହାହିଁ ହେଲି, —ବରଂ ଅନେକ ସମୟରେ ଭାରି ଖୁସୀ ହୋଇ ସେହିକଥା ହିଁ ଭାବିଛି ଓ ନିଜ ଜୀବନଦେବତାଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛି ।

 

ଆଉକିଛି ହୋଇ ପାରିଲିନାହିଁ ବୋଲି ଯେ ଆଉକିଛି ହେଲିନାହିଁ, ସେକଥା ମୋଟେ ନୁହେଁ । ହୁଏତ ଆହୁରି ବହୁତ କିଛି ହୋଇ ପାରିଥାନ୍ତା । କିନ୍ତୁ ସେସବୁ ଭିତରେ ପଶି ଆତ୍ମଘାତୀ ହୋଇଥାନ୍ତି । ପୃଥିବୀରେ କେତେ କ’ଣ ପାଇଥାନ୍ତି, ମାତ୍ର ଆପଣାକୁ ହରାଇଥାନ୍ତି । ବାଇବେଲ୍‍ର ସେହି ସୂତ୍ର ଅନୁସାରେ ପାତକୀ ହୋଇଥାନ୍ତି । ବଡ଼ ଚାକିରି କରିବାର ଥିଲେ ମୁଁ ଭିନେ ପ୍ରକାରେ ପାଠ ପଢ଼ିଥାନ୍ତି । ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେବାଟାକୁ କଦାପି କର୍ତ୍ତବ୍ୟ ବୋଲି ବିବେଚନା କରିନଥାନ୍ତି । ମୋ’ ସାଙ୍ଗ ଏବଂ ସମସାମୟିକ ମଧ୍ୟରୁ ଯେପରି ଅନେକେ ହେଲେ, ଆନ୍ଦୋଳନ ଆରମ୍ଭ ହୋଇଯିବାରୁ ମୁଁ ଘରକୁ ପଳାଇଥାନ୍ତି, ଶିକ୍ଷାଳୟ ଖୋଲିଲେ ପୁଣି ଫେରି ଆସିଥାନ୍ତି । ପାଠରେ ଉଠି ଉଠି ଯାଇଥାନ୍ତି ଓ ଭାରତବର୍ଷ ସ୍ଵାଧୀନତା ଲାଭ କଲାବେଳକୁ ନୟନ ସମ୍ମୁଖରେ ଆତ୍ମୋନ୍ନତିର ଏକ ବୃହତ ଦିଗ୍‍ବଳୟକୁ ଯତ୍ନଶୀଳ ଭାବରେ ଥାପି ରଖି ମୁଁ ଚାକିରିରେ ଯୋଗ ଦେଇଥାନ୍ତି । ଯୁଗାନୁରୂପ କଥାଗୁଡ଼ାକୁ କେହି ଜଣେ ହାକିମ ହିସାବରେ ସ୍ଵାଧୀନ ଭାରତବର୍ଷକୁ ଭୋଗ କରିଥାନ୍ତି । ୧୯୪୨ ଅଗଷ୍ଟ ଆନ୍ଦୋଳନ ଆରମ୍ଭ ହୋଇଯିବା ପରେ ବିକ୍ଷୁବଧପାଟଣା ସହରରୁ ସେଠାରେ ପଢ଼ୁଥିବା ଓଡ଼ିଶାର କେତେକ ଛାତ୍ର କିପରି ବିକଳ ହୋଇ ଗଙ୍ଗାନଦୀରେ ଡଙ୍ଗା କରି ବାହାରି ଆସିଥିଲେ, ସେହି ଚମ୍ପଟୀମାନଙ୍କ ଭିତରୁ କିଏ ଜଣେ ଲେଖିଥିବା ଆତ୍ମଜୀବନୀରୁ ଏବେ ଦିନେ ମୁଁ ସେହିକଥା ପଢ଼ୁଥିଲି । କହିବା ବାହୁଲ୍ୟ, ସେମାନେ ଜୀବିକାର୍ଜନର ସିଡ଼ିରେ କେତେ ଉପରକୁ ଉଠିଲେ, ପଦ ଅନୁସାରେ ଖ୍ୟାତି ଅର୍ଜି ପାରିଲେ । ଭଗବାନ୍ ମୋତେ ଦୟାକଲେ । ମତେ ଗୋଇଠା ମାରି ଗୁଳାଭିତରୁ ବାହାରକୁ ଫୋପାଡ଼ି ଦେଲେ-। କୋଉ ସରକାରୀ ଚାକିରିରେ ମୁଁ ପ୍ରକୃତରେ କେତେଦିନ ତିଷ୍ଠି ପାରିଥାନ୍ତି, ଏପରିକି କୌଣସି ସରକାରୀ କଲେଜ ଅଧ୍ୟାପକଟିଏ ହୋଇ ମଧ୍ୟ କେତେଦିନ ରହି ପାରିଥାନ୍ତି, ଏବେ ବେଳେ ବେଳେ ପଛକୁ ଅନାଇ ସେହିକଥା ଭାବୁଥିବା ସମୟରେ ମୁଁ ମୋ’ର ନକ୍ଷତ୍ରମାନଙ୍କୁ ପ୍ରକୃତରେ ଭାରି ଧନ୍ୟବାଦ ଦେଇଥାଏ । ଏବେ କୌଣସି ସଫଳ ଓ ଆତ୍ମିକୀର୍ତ୍ତିମାନ ସରକାରୀ ହାକିମଙ୍କର ହସ ହସ ବାହାର ମୁହଁଟାକୁ ଦେଖିଲେ ମୁଁ ତାଙ୍କୁ ସତେଅବା ଜଣେ ସର୍ବସମ୍ଭବକାରୀ ମହାପୁରୁଷ ବୋଲି ମନେ ମନେ ସ୍ଵୀକାର କରିନେଇ ପ୍ରମାଣ କରୁଥାଏ ।

 

ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଇ ଜେଲ ଗଲି । ଜେଲ୍ ହିଁ ମୋ’କୋଷ୍ଠୀ ଦେଖି କହି ଦେଲାପରି ମୁଁ କ’ଣ ହେବି ଓ କ’ଣ ହେଲେ ଆତ୍ମଘାତୀ ହୋଇ ରହିବି, ସେକଥା ମୋତେ କହି ଦେଇଥିଲା । ମୁଁ ଯେ ରାଜନୀତି କରିବା ପାଇଁ ତିଆରି ହୋଇନାହିଁ, ସେକଥା ଧରା ପକାଇଦେଲା । ବେଶୀ ବାଟ ହୁରୁଡ଼ା ନହୋଇ ନିଜପାଇଁ ବାଟଟିଏ ବାଛିନେବାରେ ମତେ ଏକ ସ୍ଥିର ଦୃଷ୍ଟି ଆଣି ଦେଇଥିଲା । ମୁଁ ବହି ପଢ଼ିଲି, ଗୀତ ଗାଇଲ, ଗୀତ ଲେଖିଲି, —ନିଜ ଭିତରୁ ମୋ’ ଅସଲ ସାଙ୍ଗଟିକୁ ଆବିଷ୍କାର କରିବାକୁ ମନ ବଳାଇଲି । ବହି ପଢ଼ି ସଂସାରକୁ ବୁଝିଲି, ସେହି ସଂସାରର ପରିପ୍ରେକ୍ଷୀରେ ନିଜକୁ ମଧ୍ୟ ଅଧିକରୁ ଅଧିକ ଗଭୀର ଭାବରେ ବୁଝିଲି । ନିଜ ଦେଶର ସ୍ଵାଧୀନତା ନିମନ୍ତେ ଯେଉଁ ଆନ୍ଦୋଳନ, ସେଥିରେ ଅଂଶଗ୍ରହଣ କରିବାକୁ କାହିଁକି ରାଜନୀତି ବୋଲି କୁହାଯିବ ? ମାତ୍ର, ଦେଶ ସ୍ଵାଧୀନତା ଲାଭ କଲା ପରେ ମୁଁ ରାଜନୀତି ଭିତରେ ରହିଲେ ଯେ ନିଜ ଭିତରେ ରହିଥିବା ସର୍ବୋତ୍ତମଟିକୁ ଦେଶଲାଗି ଦେଇ ପାରିବନାହିଁ, ମୋ ଆଗରେ ସେହି କଥାଟି କ୍ରମେ ସ୍ପଷ୍ଟ ହୋଇ ଉଠୁଥିଲା । ମୋ’ଭିତରେ ସେହି ପିଲାଦିନରୁ ଏମିତି କ’ଣ ଉପାଦାନଟିଏ ରହିଛି, ସେଇ କୋଉଠି ଥାଇ ମଙ୍ଗ ଧରିଥାଏ ବା କଳ ମୋଡୁଥାଏ କେଜାଣି, ମୋ’ର ଯାହା ହେବା ଉଚିତ ବା ଯେଉଁ ବାଟରେ ଯିବା ଉଚିତ ସେଇଟିର କଥା ଭାବିଲା ବେଳେ ନିଜ ଭିତରୁ ମୁଁ ଏକ ସ୍ଵାଭାବିକ ଖୁସୀ ଅନୁଭବ କରେ । ସେଇଥିରୁ ଚଟ୍‍କିନା ଜାଣି ହୋଇଯାଏ ଯେ ଏଇଟି ହେଉଛି ମୋ’ ବାଟ । ଏବଂ, ଯଦି ଖୁସୀ ନଲାଗେ, ତେବେ ନିଜ ଭିତରେ କୋଉଠି ଗଣ୍ଠିଗୁଡ଼ିକ ମୋଡ଼ି ହୋଇ ଯାଆନ୍ତା । ନିଜପାଖରେ ନିଜକୁ ଭାରି ଅସହଜ ଲାଗେ ଏବଂ ବାଟଟା ଯେ ମୋ’ର ନୁହେଁ, ସେହି କଥାଟା ସ୍ପଷ୍ଟ ବି ହୁଏ । ରାଜନୀତି ମୋ’ର ବାଟ ନୁହେଁ । ରାଜନୀତି ଯେ ଏକ ଖରାପ ବାଟ ବୋଲି ମୋ’ ବାଟ ନୁହେଁ, ସେକଥା ମୋଟେ ନୁହେଁ । ରାଜନୀତି ମୋ’ ବାଟ ନୁହେଁ, କାରଣ ମୁଁ ତା’ପାଇଁ ଗଡ଼ା ହୋଇନାହିଁ । ତେଣୁ, ଆଉ କ’ଣ ଟକଳା ଉତ୍ତେଜନାରେ ପଡ଼ି ମୁଁ ଯଦି ରାଜନୀତିକୁ ନିଜର ବାଟବୋଲି ମାନିନେବି, ତେବେ ମୁଁ କାହାରି କୌଣସି କାମରେ ଆଦୌ ଲାଗି ପାରିବିନାହିଁ-। ଏବଂ, ଯଦି ପୃଥିବୀର କାମରେ ଲାଗି ନପାରିବି, ତେବେ ପୃଥିବୀକୁ ଆସିବ ବି କାହିଁକି-?

 

ଜେଲ୍ ଭିତରେ ସହବନ୍ଦୀ ହିସାବରେ ଅନେକ ଗୁରୁଜନ ଥିଲେ; ସେମାନେ ନେତା ଥିଲେ । ସମସାମୟିକ ରାଜନୀତିର ଡଙ୍ଗାରେ ସେମାନେ ସମସ୍ତେ ଏକାବେଳେକେ ମଙ୍ଗ ଉପରେ ଯାଇ ବସିଥିବା ପରି ମନେ ହେଉଥିଲେ । ମଙ୍ଗ ଉପରେ ବସି ଯିଏ ଯେଝାର ନିୟତିଗୁଡ଼ିକୁ ବାଢ଼ୁଥିଲେ । ଅତ୍ୟନ୍ତ ସ୍ଵାଭାବିକ ଭାବରେ ଆମଭଳି ଗଜା ନୂଆମାନଙ୍କ ପାଇଁ ସେମାନେ ଅଭିଭାବକ ହୋଇଗଲେ । ଆମ ଜୀବନ ବିଷୟରେ ଆମକୁ ସାଧୁ ପରାମର୍ଶ ଦେଲେ । ନିଜ ରାଜନୀତିକ ଦଳ ନିମନ୍ତେ ଆମକୁ ବ୍ୟବହାର କରିବା ଉଦ୍ଦେଶ୍ୟରେ ସତେଯେପରି ଆମକୁ ବେଳସୁଁ ବଇନା ଦେଇ ନିଶ୍ଚିତ ରହିବେ ବୋଲି ଇଚ୍ଛା କରୁଥିଲେ । ସ୍ଵାଧୀନତା ପାଇଁ ସରକାରଙ୍କ ସହିତ କଥାବାର୍ତ୍ତା ଆରମ୍ଭ ହେବା ମାତ୍ରକେ ବନ୍ଦୀମାନେ କ୍ରମେ ଖଲାସ ହେଲେ । ଆମ ମିଆଦ ପୂରିଲା, ଆମେ ଖଲାସ ହେଲୁ । ନେତାମାନେ ବିଳମ୍ବରେ ପଦାକୁ ଆସିଲେ । ସେମାନେ ସବାଆଗ ଧରାହୋଇ ଯାଇଥିଲେ ଅଟକବନ୍ଦୀ ହୋଇ ରହିଥିଲେ, ଡେରିରେ ଖଲାସ ହେଲେ । ମୁଁ ପାଠ ପଢ଼ିବା ସକାଶେ ବିଶ୍ଵଭାରତୀ ଶାନ୍ତିନିକେତନ ବାହାରିଲିଣି ବୋଲି ଶୁଣି ସେତେବେଳେ ଜେଲ୍‍ରୁ ବାହାରି ନଥିବା ସେହିପରି କେତେଜଣ ଗୁରୁଜନ ସମ୍ଭବତଃ କିଞ୍ଚିତ୍ ଅଶ୍ଵସ୍ଥ ହୋଇ ପଡ଼ିଥିଲେ । ଆଗ ଖବର ପଠାଇଲେ ଯେ ସମସ୍ତେ ଇଛା କରୁଛନ୍ତି ଯେ ମୁଁ ରାଜନୀତିରେ ରହିବି କାମ କରିବି, ଅର୍ଥାତ୍ ସେମାନଙ୍କ ଦଳରେ ରହି ସେମାନଙ୍କ ଦ୍ଵାରା ହିଁ ବ୍ୟବହୃତ ହେବି । ତେଣୁ ମୋ’ର ପାଠ ପଢ଼ି ଯିବା ଉଚିତ ହେବନାହିଁ । ମୁଁ ସେମାନଙ୍କ କଥା ରଖିଲିନାହିଁ । ତା’ପରେ ସେମାନେ ଚକ୍ରାନ୍ତ କଲେ । ମୁଁ ଯେପରି ଶାନ୍ତିନିକେତନ ନଯାଇ ପାରିବି, ତାହାରି ଚକ୍ରାନ୍ତ କଲେ । ଭାଗ୍ୟକୁ ଶ୍ରୀମତୀ ମାଳତୀ ଦେବୀ ସବୁକଥା ପଦାରେ ପକାଇଦେଲେ ।

 

ପାଠ ପଢ଼ି ଯିବାରେ ମୋ’ର କେତେ ଅସୁବିଧା ରହିଥିଲା । ଶ୍ରୀମତୀ ଚୌଧୁରୀ ମୋତେ କଥା ଦେଇଥିଲେ ଯେ ସିଏ ନିଜେ ଶାନ୍ତିନିକେତନ ଯାଉଛନ୍ତି, ସେଠାରେ ମୋ’ ବିଷୟରେ ସବୁକଥା ବୁଝିବେ, ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ମୋ’ ବିଷୟରେ କହିବେ । ସବୁ ଠିକ୍ ହୋଇଗଲେ ମୋତେ ଖବର ଦେବ ଓ ମୁଁ ତା’ପରେ ଯାଇ ଯିବି । ମୁଁ ନଯାଏ ବୋଲି ପାଞ୍ଚ ରଖିଥିବା ନେତାମାନେ ହୁଏତ ମାଳତୀ ଦେବୀଙ୍କୁ ଅସଲ କଥାଗୁଡ଼ାକୁ କହିଥିବେ ଏବଂ ସିଏ ଶାନ୍ତିନିକେତନ ମୋ’ ବିଷୟରେ କିଛି ବୁଝିବେନାହିଁ ଓ ଆଉ ମୋ’ ପାଖକୁ ଚିଠି ଦେବେନାହିଁ ବୋଲି ତାଙ୍କୁ ଫୁସୁଲାଇଥିବେ । ଚିଠି ଆସିବନାହିଁ ଏବଂ ମୁଁ ଚିଠିକୁ ଅନାଇ ଅନାଇ ରହିଯିବି । ଏହିପରି ବିଚାର କରାଯାଇଥିଲା । ଶ୍ରୀମତୀ ମାଳତୀ ଦେବୀ ମଧ୍ୟ ନିଜର ରାଜନୀତିକ ମନ ଦ୍ଵାରା ପରିଚାଳିତ ହୋଇ କିଛି ବୁଝିନଥିଲେ ଚିଠି ବି ଦେଇନଥିଲେ । ମୁଁ ଅପେକ୍ଷା କରି, ମାତ୍ର ଆଉ ଅଧିକ ଅପେକ୍ଷା ନକରି ଦିନେ ହୁ’ କରି ଯାଇ ସିଧା ଶାନ୍ତିନିକେତନରେ ପହଞ୍ଚିଗଲି । ମୋତେ ଦେଖି ମାଳତୀ ଦେବୀ ଏପରି ଅବାକ ହୋଇଥିଲେ ଯେ ସତକଥାତକ କହି ପକାଇଲେ । ଏବଂ, ତା’ପରେ ସେଠାରେ ମୋ’ର ନାମଲେଖା ବିଷୟରେ ମୋତେ ଆବଶ୍ୟକ ସାହାଯ୍ୟ ମଧ୍ୟ କରିଥିଲେ । ଇଏ ପଚାଶ ବର୍ଷରୁ ଆହୁରି ଅଧିକ ପୂର୍ବର ଘଟଣା ସ୍ଵାଧୀନ ଭାରତବର୍ଷରେ ଉକ୍ତ ବୀରମାନେ ଦେଶ ତଥା ରାଜନୀତିର ନାଟକଟିରେ ଯେଉଁଭଳି ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ତ୍ତ ହୋଇଛନ୍ତି, ସେକଥାଟିକୁ ମୁଁ ଅତ୍ୟନ୍ତ କୌତୂହଳ ସହିତ ଦୂରରେ ଥାଇ ଦେଖିଛି । ସେମାନେ ପାଗ ଅନୁସାରେ କେତେ ଦଳ ବଦଳାଇଛନ୍ତି, ଦେଶଭାଗ୍ୟର ଶାଳଗ୍ରାମଟିକୁ ମାଙ୍କଡ଼ ହାତକୁ ଦେଇଦେବାରେ ନାୟକ ହୋଇଛନ୍ତି । ସ୍ଵୟଂ ପଦମାନଙ୍କରେ ବସିଛନ୍ତି, ନିଜପାଇଁ ଘର ତୋଳିଛନ୍ତି, ନାମ ଅର୍ଜିଛନ୍ତି । ସେମାନଙ୍କ ସାଙ୍ଗରେ ରହିଥିଲେ ମୁଁ ଆଖର କୋଉ ଦଳର ମାଙ୍କଡ଼ଟିଏ ହୋଇଥାନ୍ତି କେଜାଣି ? ଭାଗ୍ୟକୁ ରାଜନୀତି ପାଇଁ ମୁଁ ତିଆରି ହୋଇ ନଥିଲ, ତେଣୁ ବଞ୍ଚିଗଲି । ସ୍ଵପ୍ନରେ ଆଉଗୋଟାଏ ଭବିଷ୍ୟ ସବୁବେଳେ ଦେଖିଲି, ସେଇଟି ଭିତରେ ବର୍ତ୍ତମାନର ଏହି ରାଜନୀତି ନିମନ୍ତେ ଆଦୌ କୌଣସି ପ୍ରୟୋଜନ ରହିବ ନାହିଁ ବୋଲି ବାସନା ପାଇଲି । ସେଇଥିରେ ମଜ୍ଜିଗଲି,ରକ୍ଷା ପାଇଗଲି-

 

ଶିକ୍ଷା ପରି ସାହିତ୍ୟ ମଧ୍ୟ ଚୁମ୍ବକ ପରି ଟାଣେ । ଦୁହେଁ, —ଶିକ୍ଷା ଓ ସାହିତ୍ୟ—ମଣିଷ ପ୍ରତି ସମ୍ବେଦନଶୀଳ ହୋଇ ରହିଥାନ୍ତି । ମଣିଷକୁ ଚିହ୍ନିବାଲାଗି ମଣିଷରୁ ଯଥାସମ୍ଭବ ଅଧିକ ଗଭୀରଯାଏ ଯିବାକୁ ଇଚ୍ଛା ରଖିଥାଆନ୍ତା । ଶିକ୍ଷା ବା ସାହିତ୍ୟ କେହି ମଣିଷକୁ ଲାବୋରେଟରିର ମୂଷା ପରି ବ୍ୟବହାର କରନ୍ତି ନାହିଁ । ଦୁହେଁ ପରିବର୍ତ୍ତନରେ ବିଶ୍ଵାସ ରଖିଥାନ୍ତି, ସେହି ପରିବର୍ତ୍ତନ ନିମନ୍ତେ ବ୍ୟବହୃତ ହୋଇପାରିଲେ ଆପଣାକୁ ସାର୍ଥକ ବୋଲି ଅନୁଭବ କରନ୍ତି । ଦୁହିଁଙ୍କ ମଧ୍ୟରୁ କେହିହେଲେ କର୍ତ୍ତୃତ୍ଵ ଉପରେ ବିଶ୍ଵାସ କରନ୍ତିନାହିଁ । କର୍ତ୍ତୃତ୍ଵବୋଧଟା ହିଁ ସବାଆଗରେ ରହିଥିଲେ ଶିକ୍ଷା ଅଥବା ସାହିତ୍ୟରେ ଖୁବ୍ ବେଶୀ ସୃଜନାତ୍ମକ ପ୍ରାପ୍ତି ସମ୍ଭବ ହୋଇ ପାରେନାହିଁ ବୋଲି ସମସ୍ତେ ଅବଶ୍ୟ ସ୍ଵୀକାର କରିବେ । ଦୁଇଟିଯାକ କ୍ଷେତ୍ରରେ ଦେବାଟା ହିଁ ଅଧିକ, ନେବା ଓ ପ୍ରତ୍ୟାଶା ରଖିବାର ସ୍ଥାନ ଅତ୍ୟନ୍ତ ଗୌଣ । ପ୍ରତ୍ୟାଶା ରଖିଲେ ଧର୍ମତଃ ହତାଶା ହେବାକୁ ହୋଇଥାଏ । ଶିକ୍ଷାଲାଗି ଅସଲ ପ୍ରୀତିଟି ମଣିଷର ଜିଜ୍ଞାସାଶକ୍ତିକୁ ଜାଗୃତ କରିଥାଏ । ସାହିତ୍ୟ ମଧ୍ୟ ସେହି ଜିଜ୍ଞାସାକୁ କମ୍ ଇନ୍ଧନ ଆଣି ଯୋଗାଇ ଦିଏନାହିଁ । ଦ୍ଵାର – ଉନ୍ମୋଚନ ହେଉଛି ଉଭୟଙ୍କର ଧର୍ମ । ତେଣୁ, ମୋ’ ଭିତରେ ଯିଏ ଶିକ୍ଷକଟିଏ ହୋଇ ପୃଥିବୀରେ ଆପଣାର ପରିଚୟ ଦେବାକୁ ଇଚ୍ଛା କରିଛି, ଠିକ୍ ସେଇ ହିଁ ସାହିତ୍ୟର ମାଧ୍ୟମରେ ଆପଣାର ଅଭିବ୍ୟକ୍ତି ଲୋଡ଼ିବାକୁ ମନ ବି ବଳାଇଛି । ଶିକ୍ଷା ଏବଂ ସାହିତ୍ୟକୁ ନେଇ ମୋ’ ଭିତରେ ଆଦୌ କୌଣସି ବିଭାଜନ ନାହିଁ । ଗୋଟାକରୁ କ୍ଳାନ୍ତ ହୋଇ ମୁଁ କେବେହେଲେ ଅବସାଦ ମେଣ୍ଟାଇବା ପାଇଁ ଆଉଗୋଟାଏ ଭିତରକୁ ଆସିନାହିଁ । ମୋ’ ସମୟଟା ବି ଉଭୟ ଭିତରେ କେଡ଼େ ସ୍ଵାଭାବିକ ଭାବରେ ବାଣ୍ଟି ହୋଇ ଯାଇଛି-। ଏତିକି ଅବଶ୍ୟ ଫରକ ରହିଛି ଯେ, ଶିକ୍ଷା ସହିତ ସମ୍ପୃକ୍ତ ରହି ମୁଁ ଥୋକେ ମଣିଷଙ୍କର ସଂସ୍ରବରେ ଆସିଛି; ଏବଂ, ସାହିତ୍ୟ ବେଳେ ଆଉଥୋକେ ମଣିଷଙ୍କର ମେଳ ଭିତରେ ଯାଇ ପଶିଛି-। ସାହିତ୍ୟକମାନଙ୍କର ସଙ୍ଗତି ଲାଭ କରିଛି ।

 

ସାହିତ୍ୟ ଭିତରେ ପଶିଲି ଅର୍ଥାତ୍ ସାହିତ୍ୟ ପଢ଼ିଲି ଓ ସାହିତ୍ୟ ଲେଖିଲି । ନିଜର ବକ୍ତବ୍ୟଗୁଡ଼ିକୁ ମୁଁ ଆପଣାର ବ୍ୟକ୍ତ କରିବାର ଏକ ମାଧ୍ୟମ ରୂପେ ବ୍ୟବହାର କଲି । ଏହାଦ୍ଵାରା ମୁଁ ପ୍ରକୃତରେ କେତେ ନା କେତେ ଉପକୃତ ହେଲି । ସର୍ବପ୍ରଥମ କଥା ହେଉଛି, ନିଜର କଥାଟି କହିବାଲାଗି ମୋତେ ମାଧ୍ୟମଟିଏ ମିଳିଗଲା । କ୍ରମେ ନିଜର ସବୁକିଛି କହିବା ନିମନ୍ତେ ନିଜସ୍ଵ ଏକ ଶୈଳୀ ମଧ୍ୟ ବିବର୍ତ୍ତିତ ହୋଇ ଆସିଲା । ସେଇ ଶୈଳୀଟି ଦେଇ ନିଜେ ନିଜକୁ ଚିହ୍ନିବା, ନିଜର ମଞ୍ଜଗୁଡ଼ାକୁ ପରଖି ଦେଖିବା, ତାହା କମ୍ ଆନନ୍ଦର କଥା ହେଲାନାହିଁ । ଗପ, କବିତା, ଉପନ୍ୟାସ ବା ନାଟକ ଲେଖିଥିଲେ ମୁଁ ନିଜକୁ କେତେ ଉଭା ଓ କେତେ ପୋତା ରଖିଥାନ୍ତି କେଜାଣି, ପ୍ରବନ୍ଧ, ଭ୍ରମଣକାହାଣୀ ଓ ରମ୍ୟରଚନା ଭିତରେ ପ୍ରବେଶ କରିବା ଫଳରେ ନିଜକୁ ଲୁଚାଇ ରଖିବା ନିମନ୍ତେ ଆଉ ସତେଅବା କୌଣସି ଅବକାଶ ହିଁ ରହିଲାନାହିଁ । ଅନେକ ସମୟରେ ନିଜକୁ ଲୁଚାଇ ରଖିବା ପାଇଁ ପୂରା ଇଚ୍ଛା ଥାଏ, ଅଥଚ ଲୁଚାଇ ହେଉନଥାଏ, —ସିଏ ଗୋଟିଏ ପ୍ରକାର ଅବସ୍ଥା ଓ ସେହି ଅନୁସାରେ ଗୋଟିଏ ପ୍ରକାରର ଜୀବନ । ମାତ୍ର, ପ୍ରବନ୍ଧ ଏବଂ ରମ୍ୟରଚନାଦି ଲେଖୁ ଲେଖୁ ଏକାବେଳେକେ ଏପରି ଗୋଟିଏ ସ୍ଥିତିରେ ଆସି ମୁଁ ନିଜକୁ ନେଇ ପହଞ୍ଚିଗଲି, ଯେଉଁଠାରେ କି ନିଜକୁ ଲୁଚାଇ ରଖିବାଲାଗି ମୁଁ କୌଣସି ପ୍ରୟୋଜନ ହିଁ ଅନୁଭବ କରୁନଥିଲି । ଏହିପରି ଭାବରେ ପରସ୍ତକୁ ପରସ୍ତ ଅତିକ୍ରମ କରି ମୁଁ ଏକ କେନ୍ଦ୍ରର ସାକ୍ଷାତ ପାଇଲି । ଅନ୍ୟ ମଣିଷମାନେ ମଧ୍ୟ କ୍ରମେ ଗୋଟିଏ ଗୋଟିଏ କେନ୍ଦ୍ର ପରି ଦିଶିଲେ । ସେହି ଅବବୋଧ ମୋତେ ଜଳଜଳ କରି ଦେଖାଇଦେଲା ଯେ, କେନ୍ଦ୍ର କେନ୍ଦ୍ର ଭିତରେ ଆଦୌ କୌଣସି ଭେଦନାହିଁ । ଆମେ ନିଜେ ହିଁ କେନ୍ଦ୍ର ପାଖରେ କୌଣସ କାରଣରୁ ଚୋର ହୋଇ ବୁଲିବାକୁ ମନ କରୁଥିଲେ ହିଁ ଭେଦଟିଏ ଜନ୍ମେ । ଭେଦରୁ କେତେପ୍ରକାର ଲୁଚକାଳି ଖେଳର ସୂତ୍ରପାତ ହୁଏ । ଯେଉଁମାନେ ଜୀବନ ସହିତ, ସଂସାର ସହିତ ଲୁଚକାଳି ଖେଳ ଖେଳୁଥାନ୍ତି, ସେହିମାନେ ହିଁ ନିଜର କହିବା କଥାଗୁଡ଼ାକୁ ବଜାଇ କରି କହନ୍ତି । ସେହି ବଙ୍କାଇ କରି କହିବାକୁ ଅନେକ ସମୟରେ କଳାତ୍ମକତା ବୋଲି କୁହାଯାଏ । ବଙ୍କେଇ କରି କହିଲେ ଯାଇ ରସର ସୁଆଦ ସୃଷ୍ଟି କରି ହୁଏ । ବଙ୍କେଇ କହିବାକୁ ଥୋକେ ମଣିଷ ସୃଜନଶୀଳତା ବୋଲି କହନ୍ତି ।

 

ଯେଉଁ ଭାଷା ମୋତେ ସବୁଠାରୁ ଅଧିକ ସହଜ ଲାଗେ, ଯେଉଁ ଭାଷା ପାଖରେ ଚାହିଲା ମାତ୍ରକେ ଧରା ଦେଇହୁଏ, ମୁଁ ସେହି ଭାଷାରେ ହିଁ ଯାହାକିଛି ଲେଖିଲି । ତାହାହିଁ ସ୍ଵାଭାବିକ ମନେହେଲା । ଓଡ଼ିଆ ଭାଷାଟି ଯେତିକି ନିଜର ବୋଲି ଲାଗିଲା, ଓଡ଼ିଶାଟା କାହିଁକି ସେତିକି ସ୍ଥାନୀୟ ବୋଲି ବୋଧ ହେଲା । ଏହି ସ୍ଥାନୀୟ ଘରଟିରେ କେତୋଟି ଝରକା ଖୋଲି ଦେଇ ପାରିଲେ ହୁଏତ ପୃଥିବୀଯାକର ପବନ ଆସି ଏଠି ପ୍ରବେଶ କରି ପାରନ୍ତେ, ଆମ ସାମୂହିକ ଜୀବନରେ ବିରାଦରୀ ବୃଦ୍ଧି ପାଆନ୍ତା, ଅନ୍ଦାଜଗୁଡ଼ାକ ମଧ୍ୟ ପ୍ରସାରିତ ହୋଇ ଯାଆନ୍ତେ । ଅନୁବାଦର ଝୁଙ୍କଟା ସମ୍ଭବତଃ ସେଇଥିରୁ ଆରମ୍ଭ ହେଲା । ପୃଥିବୀରେ ଆଉ ଯେତେ ଭାଷା ଓ ସାହିତ୍ୟର ଘର ସହିତ କିଞ୍ଚିତ୍ ପରିଚୟ ହୋଇଥିଲା, ସବୁ ଘରୁ ସମ୍ପଦ ବୋହି ଆଣି ଏହି ଘରଟିକୁ ଭରି ଦେବାପାଇଁ ମନହେଲା । ପ୍ରାୟଶହେବର୍ଷ ତଳେ ଓଡ଼ିଶାର ମନୁଷ୍ୟମାନେ ଯେତେବେଳେ ବାହାରୁ ହିଁ ଏକ ନୂତନ ହାୱା ଲାଗିବା ଫଳରେ ଏକ ନିର୍ଭରଯୋଗ୍ୟ ଆତ୍ମପରିଚୟ ଲାଭ କଲେ, ସେତିକିବେଳୁ ସତେଅବା କ’ଣ ଗୋଟାଏ ରୋଗ ଆସି ଏଠି ଯାବତୀୟ ଅବଲୋକନ ଭିତରେ ପଶିଗଲା, ଯାହାକି ଓଡ଼ିଶାକୁ ଭାରି ସ୍ପର୍ଶକାତର କରି ରଖିଲା । ଅନ୍ତତଃ ସାହିତ୍ୟର କ୍ଷେତ୍ରରେ ଅନ୍ୟାନ୍ୟ ସାହିତ୍ୟରୁ ଅଧିକରୁ ଅଧିକ ଅନୁବାଦ ହୋଇ ପାରିଲେ ଏହି ସ୍ପର୍ଶକାତରତା ଭାଙ୍ଗି ଯାଇ ପାରିବ । କେବଳ ବାହାରଟା ପ୍ରତି ଯେ ଆମର ଘୋର ସ୍ପର୍ଶକାତରତା ରହିଛି ତା’ ନୁହେଁ, ପରସ୍ପର ପାଖରେ ମଧ୍ୟ ଆମେ କମ୍ ସ୍ପର୍ଶକାତର ହୋଇ ରହି ନାହୁଁ । ତାହା ଫଳରେ ଆମର ସାମୂହିକ ସଂହତି, ରାଜନୀତି ଆଚରଣକୁଶଳତା, ପ୍ରାୟ ସବୁକିଛି କେମିତି କାହିଁକି ଭାରି ଦ୍ଵିଧାଗ୍ରସ୍ତ ହୋଇ ରହିଛି । ଆମର ଅତ୍ୟୁତ୍ତମମାନେ ନିଜ ଭାଷାରେ କଥା କହିବାକୁ ଛାନିଆ ହୋଇ ପଡ଼ୁଛନ୍ତି, ଆମ ଅତ୍ୟୁତମାନେ ଆମରି ଭିତରୁ କେତେଟାକୁ ଅଧସ୍ତନ କରି ମାଡ଼ିବସିଲେ ଯାଇ ନିଦା ହୋଇ କିଛି ହାସଲ କରି ପାରିଲେ ବୋଲି ଚିନ୍ତା କରୁଛନ୍ତି । ଅସହିଷ୍ପୃତା, ଅଳ୍ପତା, —ଏହିମାନେ ହିଁ ପରସ୍ପର ସହିତ ଏକାଠି ବାସିବାକୁ ପଡ଼ିଲେ ବେଶ୍ ଅସୁବିଧାରେ ପଡ଼ିଯାଆନ୍ତି । ଓଡ଼ିଶାନାମକ ଭୂମିକୁ ଆମେ ଏପରି ଭାବରେ କାହିଁକି ତିଆରି ନକରିବା, ଯାହାଦ୍ଵାରା କି ଏଠାରେ ସମସ୍ତଙ୍କ ପାଇଁ ଥାନ କରିହେବ, ଉଶ୍ଵାସ ହୋଇ ପରସ୍ପର ପାଖରେ ବସିହେବ ! ବାହାର ପୃଥିବୀ ସହିତ ପରିଚୟ ଅଧିକ ହେଲେ ସମ୍ଭବତଃ ଏହି ବକ୍ରତା କମିବ, ସ୍ଵାଭାବିକ ହେବା ସହଜ ମନେହେବ । ସେତେବେଳେ ନିଜର ଏହି ଘରଟା ମଧ୍ୟ ଅଲବତ ଭଲ ଲାଗିବ ।

 

ଅଧିକରୁ ଅଧିକ ଅନୁବାଦ କରି ଓଡ଼ିଆ ସାହିତ୍ୟ ଭିତରକୁ ଆଣିବାର ମୋ’ ଉତ୍ସାହରେ ଏବେ ମଧ୍ୟ କୋଉଠି କିଛି ଊଣା ହୋଇନାହିଁ । ଓଡ଼ିଶାରେ ସାହିତ୍ୟରେ ସହଚାରୀ ଅନ୍ୟମାନେ ବି କ୍ରମେ ବିଶେଷ ଉତ୍ସାହ ଦେଖାଇ ଅନୁବାଦ ପାଇଁ ବାହାରିଲେଣି । ସିଏ କିନ୍ତୁ ଏକାବେଳେକେ ଏକ ଅନ୍ୟ ପ୍ରକାରର ଉତ୍ସାହ । ଓଡ଼ିଆ ସାହିତ୍ୟକୁ ଓଡ଼ିଶାର ବାହାରକୁ ନେବାକୁ ହେବ, ଅଧିକରୁ ଅଧିକ ଅନୁବାଦ ଦ୍ଵାରା ତାହାକୁ ବାହାରେ ପରିଚିତ କରାଇବାକୁ ହେବ : ଆମକୁ ସମସ୍ତେ ଜାଣିବେ, ବିଶ୍ଵଦରବାରରେ ଆମକୁ ପ୍ରତିଷ୍ଠା ଦେବେ, —ଏବେ ଏହିପରି କେତେ କଥା କୁହାଗଲାଣି । ସମ୍ପୃକ୍ତ ମଠମାନଙ୍କରେ ତାହାକୁ ରୀତିମତ ଏକ ଅଭିଯାନ ପରି ଆରମ୍ଭ କରିବାର ମନ୍ତ୍ରଣା ମଧ୍ୟ କରାଗଲାଣି । ଏହି ମନ୍ତ୍ରଣା ପାଇଁ ବିଶେଷ ଅର୍ଥନିଧିର ବିରାଦ ହେଲାଣି । ଓଡ଼ିଶାରେ ଅଧେ ମଣିଷ ସର୍ବନିମ୍ନ ସାକ୍ଷରତାର ପାହାଚଟିକୁ ମଧ୍ୟ ଆସିନାହାନ୍ତି, ସେହିଅନୁପାତରେ ଏଠି ସାହିତ୍ୟ ଭିତରେ ରହିଥିବା ମଣିଷମାନଙ୍କର ସଂଖ୍ୟା ମଧ୍ୟ ନିଶ୍ଚୟ ନଗଣ୍ୟ ଯୋଇଥିବ । ଏମାନେ ଯୋଗ୍ୟ ହେବେ, ଆମକୁ ପଢ଼ିବେ ଓ ଆମକୁ ବୁଝିବେ, —ସମ୍ଭବତଃ ଏଥିପାଇଁ କେତେକଙ୍କର ଆଦୌ ଧୈର୍ଯ୍ୟ ରହୁନାହିଁ । ନଶ୍ଵର ଜଗତରେ ସେମାନେ ସେଯାଏ ଅପେକ୍ଷା କରିବାଲାଗି ଆଦୌ ରାଜି ହେଉନାହାନ୍ତି । ସେମାନେ ନିଜେ ମୂଳଓଡ଼ିଆ ବହିଗୁଡ଼ିକୁ ପଢ଼ିନଥାନ୍ତୁ ପଛକେ, ସେଗୁଡ଼ିକ ଶୀଘ୍ରାତିଶୀଘ୍ର ଅନ୍ତତଃ ସାଆନ୍ତଭାଷାରେ ଅନୁବାଦ ହୋଇଗଲେ ତାହାରି ଦ୍ଵାରା ହିଁ ସେମାନଙ୍କର ମାନ ବଢ଼ିବ ବୋଲି ସେମାନେ ଅନୁମାନ କରୁଛନ୍ତି । ଭଗବାନ ସେମାନଙ୍କୁ ସେମାନଙ୍କର ଅନୁମାନ ଲାଗି ବରଦିଅନ୍ତି । ଓଡ଼ିଶାର ସାହିତ୍ୟ-ପତାକା ଆଗ ପୃଥିବୀରେ ଉଡ଼ୁ । ଏଣେ ଘର ଉପରେ ଚିଲ ଉଡ଼ୁଥାନ୍ତି । ଓଡ଼ିଆ ଭାଷାର ପେଟରେ ଭଲ ସାହିତ୍ୟଗୁଡ଼ିକ ମୋଟେ ହଜମ ହେବନାହିଁ; ଏଣୁ ସେଗୁଡ଼ିକୁ ଆଗ ଓଡ଼ିଶାରେ ଯଥେଷ୍ଟ ଲୋକେ ଜାଣିବାପୂର୍ବରୁ ବାହାରୁ ରସିକମାନେ ତାହାକୁ ପଢ଼ି ସ୍ଵୀକୃତି ଦିଅନ୍ତୁ, —ସେକଥା ଯଥେଷ୍ଟ ଭାବରେ ନହେବା ଯାଏ ଏମାନେ ନିଜକୁ ନିଃସନ୍ତାନପ୍ରାୟ ମନେ କରୁଥିବେ ବୋଲି ସନ୍ଦେହ କରିବାକୁ ଇଚ୍ଛା ହେଉଛି ।

 

ସ୍ଵାଧୀନତା ପରେ ଓଡ଼ିଶାରେ ସାହିତ୍ୟ ଆଉବାଗେ ଚାଲିଗଲା । ଭୂଇଁ ଛାଡ଼ିଗଲା, ଶିକ୍ଷିତମାନଙ୍କ ନିମନ୍ତେ ସତେଅବା ଏକ ରମଣଦ୍ରବ୍ୟ ହୋଇ ରହିଲା । ଏଠି ଆମ ଘରେ ସାହିତ୍ୟର ତୋରଣ ସଜା ହେବାପାଇଁ ପୂରା ଆଉକୁଆଡୁ ରଙ୍ଗକାଗଜ, ଜରି ଓ ଅନ୍ୟ ସରଞ୍ଜାମମାନ ଆସି ପହଞ୍ଚିଗଲା । ସମସ୍ତେ ସତେଅବା ଭାରି ଅବାଗିଆ ଭାବରେ ଆଧୁନିକ ଦେଖାଯିବାକୁ ଶ୍ରମସାଧନା କଲେ । ନିଜ ଅନ୍ତବୁଜୁଳାରେ ସାମନ୍ତ ହୋଇରହିଲେ, —ଗୋଟିଏ ପ୍ରକାରର ଜୀବନ ବଞ୍ଚିଲେ, ମାତ୍ର, ଆଉ ଗୋଟାଏ ପ୍ରକାର କାବ୍ୟମୈଥୁନକୁ ସରାଗ ଦେଖାଇଲେ । ସମାଜ ମରହଟ୍‍ଟିଆ ଥିଲା, ତାହା ଏକ ବିବର୍ତ୍ତନର ବୋଲି ମାନି ଏକ ଆଧୁନିକ ପର୍ଯ୍ୟାୟକୁ ଉନ୍ନୀତ ଯାଇଥାନ୍ତା । ଏ ଦେଶରେ କେତେ କ’ଣ ବଦଳି ଥାଆନ୍ତା । ସବୁ ମଣିଷ ବିଚାରକୁ ଆସିଥାନ୍ତେ । ପ୍ରାୟ ସତ୍ୟବାଦୀ ଯୁଗରୁ ଓଡ଼ିଆ ସାହିତ୍ୟରେ ଯେଉଁ ଅନ୍ୟ ଦୃଶ୍ୟପଟଗୁଡ଼ିକର ସ୍ଵପ୍ନ ଦେଖାଯାଇ ଆସିଥିଲା, ସ୍ଵାଧୀନତା ପରେ ସାହିତ୍ୟମଧ୍ୟ ଏଥିରେ ନିଜର ଭୂମିକାଟି ବିଷୟରେ ସଚେତନ ହୋଇ ପାରିଥାନ୍ତା, ଲୋକମନ ଓ ଲୋକହୃଦୟର ସଞ୍ଚାଳନା କରାଇ ପାରିଥାନ୍ତା । ଆଦୌ ଆକସ୍ମିକ ଭାବରେ ନୁହେଁ, ଏକାଧିକ କରଣରୁ ଏଣିକି ଯେଉଁ ନୂଆ କବି ଗଳ୍ପକାର ଓ ଅନ୍ୟ କାରିନ୍ଦାମାନେ ଆସିଲେ, ସେମାନେ ନିତାନ୍ତ ଅସାଧୁ ଭାବରେ ଯାବତୀୟ ସାହିତ୍ୟକତାକୁ ପ୍ରାୟ ଗୋଟାସୁଦ୍ଧା ମସ୍ତିଷ୍କଟା ଭିତରେ କିଳି ରଖିଲେ । ଚତୁରୀ ବଢ଼ିଲା, —ଶୈଳୀରେ ନୂଆ ନୂଆ ଗଭା ପିନ୍ଧିଥିବା ଫୁଲେଇମାନେ କଳସ ମୁଣ୍ଡାଇ ଦାଣ୍ଡକୁ ବାହାରିଲେ । ମଣିଷ ପ୍ରକୃତରେ ଯାହା, ତା’ ସାହିତ୍ୟ ପ୍ରକୃତରେ ତାହାକୁ ହିଁ ସମସ୍ତଙ୍କ ପାଖରେ ବାଢ଼ି ଦେଇ ପାରୁଥିବା ଉଚିତ । ଏଣିକି ନିଜକୁ ସତେଅବା ଲୁଚାଇ ରଖିବାକୁ ସାହିତ୍ୟ ନିଜର ଧର୍ମରୂପେ ଗ୍ରହଣ କରିନେଲା । ସାହିତ୍ୟ ପାଇଁ ସାହିତ୍ୟ ହେଲା । ପ୍ରାୟ ଏକ ପ୍ରଶମକ ପରି କାର୍ଯ୍ୟ କଲା । ନିତାନ୍ତ ଶୋଇଥିବା ମଣିଷମାନେ ହଠାତ ସାହିତ୍ୟର ରଣପା ଚଢ଼ି ଆମକୁ ଆଚମ୍ବିତ କରିବାକୁ ଆସିଲେ ।

 

ବିଗତ ପଚାଶବର୍ଷ ଭିତରେ ସାହିତ୍ୟ ଅଧିକାଂଶ ମଣିଷଙ୍କର ଆସ୍ପୃହାରୁ ଅଲଗା ହୋଇ ଅଳପ କେତେଜଣଙ୍କର କଉତୁକ କଉଡ଼ିରେ ପରିଣତ ହୋଇ ରହିଛି । ରାଜନୀତିରେ ଯାହା ହୋଇଛି, ସାହିତ୍ୟରେ ସେଇଆ ହୋଇଛି । ସାହିତ୍ୟିକ ଅବସରଗୁଡ଼ିକୁ ସମସ୍ତେ ସତେଅବା ଏମିତି ବେଶ ହୋଇ ଆସୁଛନ୍ତି, ଯେପରିକି ତୁମେ ସେମାନଙ୍କୁ ମୋଟେ ଚିହ୍ନି ପାରିବନାହିଁ । ଏମାନେ ସମସ୍ତେ ସର୍ବୋପରି ନିଜକୁ ହିଁ ଭଲ ପାଉଛନ୍ତି । ତେଣୁ, ନିଜେ ବିତାଉଥିବା ଜୀବନଟି ପରି ସାହିତ୍ୟରେ ମଧ୍ୟ ଭାରି ଅସଜ ହୋଇ ରହିଛନ୍ତି । ସେମାନଙ୍କ ଗହଣରେ ଜଣେ ଯାଇ ବସି ଆସିବାକୁ ହୃଦୟକୁ କ୍ରମେ ଭାରି ଡର ମାଡ଼ିଲାଣି । ହୃଦୟର ମଧ୍ୟ ଏକ ସ୍ଵୀକୀୟ ମର୍ଯ୍ୟାଦା ରହିଛି । ବେଳେ ଆତ୍ମରତି ମଣିଷମାନେ ହିଁ ସେହି ମର୍ଯ୍ୟାଦାଟିକୁ ଚିହ୍ନି ପାରନ୍ତିନାହିଁ । ଆମେ ସାହିତ୍ୟ ଆତ୍ମରତିମାନଙ୍କର ଏକ ଦୁର୍ଦ୍ଦାନ୍ତ ଆଖଡ଼ାଗୃହରେ ପରିଣତ ହୋଇଛି । ସମସ୍ତେ ଚଉକୀରେ ଯାଇ ବସିବାକୁ ଚକ୍ରାନ୍ତ କରୁଛନ୍ତି, ତଥାପି ସେମାନଙ୍କୁ ବସାଇବା ଲାଗି ହୁଏତ ଚଉକୀଗୁଡ଼ାଙ୍କର ମଧ୍ୟ କୌଣସି ଆଗ୍ରହ ନାହିଁ । ପୁନଶ୍ଚ, ସାହିତ୍ୟ ଭିତରେ ଅମଲାମାନେ ଆସି ପଶିବା ପରେ ସାହିତ୍ୟର ଇଜତଟା ବି ନଷ୍ଟଭ୍ରଷ୍ଟ ହୋଇଗଲାଣି । ଏହିସବୁ କାରଣରୁ ଯଦି ତୁମେ ସାହିତ୍ୟ ଭିତରେ ସାଙ୍ଗ ଖୋଜି ବାହାରିଥିବ, ଯଦି ସାଧୁସଙ୍ଗ ଲୋଡ଼ୁଥିବ, ତେବେ ଏବର ଦରବାରଗୁଡ଼ାକୁ ତୁମକୁ ଆଦୌ ସୁଖ ଦେଇ ପାରିବନାହିଁ । ଯଦି ତୁମେ ସତକୁ ସତ ଆପଣାର ହୃଦୟ ଦେଇ ସଂସାରରେ ବଞ୍ଚିବାକୁ ଇଚ୍ଛା କରୁଥିବ, ତେବେ ଏମାନଙ୍କୁ କେଉଁ ପଙ୍ଗତରେ ଦେଖିବା ମାତ୍ରକେ ତୁମେ ହୁଏତ ଠୋ’ ଠୋ’ ହୋଇ ହସିବାକୁ ମନ କରିବ । ମାତ୍ର, ସେତିକିରେ କଦାପି ପେଟ ପୂରିବନାହିଁ । ତେଣୁ, ପଂକ୍ତିରୁ ଉଠ ଆସିବାକୁ ହିଁ ଇଚ୍ଛା ହେବ ।

 

ଅସତ୍ୟକୁ ଅସତ୍ୟ ଘୋଷଣା କରି ହିଁ ସତ୍ୟର ଆଗମନ ହୋଇଥାଏ । ସାହିତ୍ୟରେ ପ୍ରବନ୍ଧନାମକ ଯେଉଁ ଦ୍ରବ୍ୟଟି ରହିଛି, ସିଏ ମଧ୍ୟ ଧର୍ମତଃ ତାହାହିଁ କରେ । ଅସତ୍ୟକୁ ହସେ, ଅଭିନୟକୁ ହସେ, ଆତ୍ମରତି ଅଳପମାନଙ୍କୁ ହସେ, ଜୀବନକୁ ବିଡ଼ମ୍ବିତ କରି ରଖିଥିବା ମିଛ ରସିକମାନଙ୍କୁ ହସେ । ବୋଲିବା ବାହୁଲ୍ୟ, ସାହିତ୍ୟରେ ଏହିପରି ଏକ ଗ୍ରହଦଶା ପଡ଼ିଥିବା ସମୟରେ ପ୍ରକୃତରେ ପ୍ରବନ୍ଧପାଇଁ ହିଁ ଏକ ଅତ୍ୟୁର୍ବର କାଳଆସି ପହଞ୍ଚିଛି । ରମ୍ୟରଚନା ପାଇଁ ପାଳକ ପଡ଼ିଛି । ଓଡ଼ିଆ ସାହିତ୍ୟରେ ଯେ ଶକ୍ତିଶାଳୀ ପ୍ରବନ୍ଧମାନେ ସମ୍ଭବ ହୋଇ ପାରୁନାହାନ୍ତି, ତାହାର ଏକ ବଡ଼ କାରଣ ବି ହେଉଛି ଯେ, ଓଡ଼ିଆ ସାହିତ୍ୟରେ ଆତ୍ମରତି ମଣିଷମାନଙ୍କର ଅତିରିକ୍ତ ସଂଖ୍ୟାଧିକ ରହିଛି । ଏଠି ସମ୍ଭବତଃ ଅଧିକ ମଣିଷ ସଭାକୁ ଲୋଡ଼ୁଛନ୍ତି, ପ୍ରଶସ୍ତି ଲୋଡ଼ୁଛନ୍ତି, —ଅର୍ଥାତ୍ ମଣିଷକୁ କମ୍ ଲୋଡ଼ୁଛନ୍ତି । ଆଧୁନିକ ଯୁଗ, ଅର୍ଥାତ୍ ଯେଉଁ ଯୁଗଟି ଆସୁଛି ଏବଂ ଯାହାଦ୍ଵାରା ହିଁ ଆମର ପରିତ୍ରାଣ ହେବ, ସେଥିରେ ସିଧା କହିବାର ରୀତିଟି ଅଧିକ ଆଦର ଲାଭ କରିବ ବୋଲି ଅନୁମାନ ହେଉଛି । ତେଣୁ, ପ୍ରବନ୍ଧ ପାଇଁ ଏକ ସମ୍ଭାବନାମୟ ଯୁଗ ଆସୁଛି । ଆତ୍ମସମୀକ୍ଷା, ଅନ୍ତରବଲୋକନ ଓ ଅନ୍ୟମାନଙ୍କୁ ସାମିଲ କରି ନିଜର ମୂଲ୍ୟାୟନ କରି ପାରିବାର ସାମର୍ଥ୍ୟ,–ଏଗୁଡ଼ିକର ଯୁଗ ଆସୁଛି । ସେଇଥିଲାଗି ଏକ ସାର୍ବଜନୀନ ଉଦୟକୁ ଭିତ୍ତିଭୂମି କରି ହିଁ ଆଗାମୀ ସାହିତ୍ୟ ଆପଣାର ପ୍ରାସଙ୍ଗିକତାକୁ ପ୍ରମାଣ କରିପାରିବ । ନିଜ ପାଖରେ ସାଧୁ ହୋଇଥିବା ମଣିଷ ସଂସାର ପାଖରେ କଦାପି ଅସାଧୁ ହୋଇ ପାରିବନାହିଁ । ଅନେକ ମଣିଷ ମନ୍ଦିର ଭିତରକୁ ଯାଇ ଯେପରି କେବଳ ନିଜପାଇଁ ଶୁଭ ମାଗନ୍ତି, ବିଜୟ ମାଗନ୍ତି, ଏକଥା ପ୍ରାୟ ସେହିପରି । ଆମ ସାଂପ୍ରତିକ ସାହିତ୍ୟରେ ମଧ୍ୟ ଏହିଭଳି ମନୁଷ୍ୟମାନେ ଭାରି ପ୍ରବଳ ହୋଇ ରହିଛନ୍ତି । ସେମାନେ ନିଜ ପ୍ରେମରେ ଘାରି ହୋଇ କବିତାଦି ସକଳ ଧନ୍ଦାରେ ରହିଲେ ରହିଥାନ୍ତୁ ପଛକେ, ମାତ୍ର ପ୍ରବନ୍ଧ ଆହୁରି ସାହସ କରୁ, ଆହୁରି ଅଧିକ ଲାଗି ଯୋଗ୍ୟ ହେଉ ।

 

ଏହି ଯାତ୍ରା ସରିବନାହିଁ । ଶିଖରଟିଏ ଉଠିଗଲେ ଆହୁରି ଅନେକ ଶିଖର ଦୃଷ୍ଟିପଥାରୂଢ଼ ହୋଇଆସୁଥିବେ । ହଁ, କୌଣସି ଆଦର୍ଶବାଦକୁ ସଂପ୍ରଦାୟକୁ ଅଥବା ଗୁରୁଧାମକୁ ଶେଷ ଶିଖର ବୋଲି ଗ୍ରହଣ କରି ନେଇଥିଲେ ସମ୍ଭବତଃ ସବୁକଥା ଅନ୍ୟ ପ୍ରକାରର ହୋଇଥାନ୍ତା । ଗୋଟିଏ ଶିଖର ଉପରେ ପହଞ୍ଚିମଣିଷ ଯାହାର ସାକ୍ଷାତ୍‍କାର ଲାଭ କରେ, ସମ୍ଭବତଃ ଅଧିକ ଭଲ ଶବ୍ଦଟିଏ ନପାଇବାରୁ ଯୁଗେ ଯୁଗେ ତାହାକୁ ହିଁ ଭଗବାନ୍ ବୋଲି କୁହାଯାଉଛି । ଯାହାକୁ ଶେଷ ଆସ୍ଥାନଟିଏ ମିଳିଯାଇଛି । ସିଏ ସେହିଠାରେ ହିଁ ଭଗବାନଙ୍କୁ କିଳି ରଖିଛି । ତାଙ୍କୁ ସେ ମୋ’ର ବୋଲି କହୁଛି, ତାଙ୍କୁ ମାର୍କାଟିଏ ଦେଇ ଚିହ୍ନୁଛି । ସେଇ ମାର୍କରେ ସଂସାରକୁ ଚିହ୍ନିଛି । ଆପଣାର ଯାବତୀୟ ସଂସାର ଦେଖିବାକୁ ସେ ଏହିପରି ଭାବରେ ଖଣ୍ଡିଆ କରି ରଖୁଛି । କେଡ଼େ ପରାକ୍ରମ ସହିତ ନିଜେ ଖଣ୍ଡିଆ ହୋଇ ରହିଯାଉଛି । ମାତ୍ର, ଗୋଟିଏ ଶିଖରରେ ପହଞ୍ଚୁ ପହଞ୍ଚୁ ଯଦି ତୁମକୁ ଆଉ ଶିଖରମାନେ ଦୃଶ୍ୟମାନ୍ ହେବେ ଏବଂ ଆକର୍ଷଣ କରିବାକୁ ଲାଗିବେ, ତେବେ ତୁମେ ଆଉ କାହାକୁ ଭଗବାନ୍ ବୋଲି କହି ମୁଣ୍ଡିଆ ମାରିବାକୁ ମନକରିବ ? ଗୋଟାଏ ମାୟା ରହିଛି, ଯାହାକୁ ଶାସ୍ତ୍ରରେ ମାୟା ବୋଲି କୁହାଯାଇପାରିବ । ଏହି ମାୟାକୁ ତୁମେ ଛାଡ଼ି ଛାଡ଼ି ଯାଇପାରିଲେ ଯାଇ ମୋକ୍ଷଲାଭ କରିପାରିବ ବୋଲି ଆପ୍ତବାକ୍ୟ ମାନଙ୍କରେ ଘୋଷଣା କରାଯାଇଛି । ମୁଁ ଯେଉଁ ମାୟାକୁ ଚିହ୍ନିଲି ତାହା ଡୋରଗୁଡ଼ିକୁ ଓଲଟି ଅଧିକ ବାନ୍ଧି ପକାଇଲା । ଏହି ଡୋରଗୁଡ଼ିକର ସମ୍ମୁଖରେ ମୁଁ ସତେଅବା ଏକ ନିମିତ୍ତ ପରି ଦିଶିଲି । ଡୋରଗୁଡ଼ିକୁ ଦେଇ ଯାହା କିଛି ଦେଖିଲି, ଯାହାକିଛିକୁ ସ୍ପର୍ଶ କଲି, ସବୁ କିଛି ମୋତେ ଭଗବତସ୍ପର୍ଶ ପରି ଲାଗିଲେ ।

 

ଏକ ଅନନ୍ତ ସମ୍ଭାବନାର ସ୍ପର୍ଶ, ଏକ ଅନନ୍ତ ଅବିଚ୍ଛନ୍ନତାର ସ୍ପର୍ଶ ଓ ଏକ ଅନନ୍ତ ଆତ୍ମୀୟତାର ସ୍ପର୍ଶ । ଏହି କ୍ରମରେ ନିଜକୁ ମିତ୍ର ବୋଲି ଲାଗିଲା । ଆଧୁନିକ ପୃଥିବୀର କିଛିହେଲେ ବୁଝି ପାରୁନାହିଁ ବୋଲି କୌଣସି ବୈରାଗୀ ବା ସଂସାରତ୍ୟାଗୀ ତୁମକୁ ଏଠି ଉଦାସୀନ ରହିବାକୁ ପଦ୍ମପତ୍ରରେ ଜଳ ହୋଇରହିବାକୁ ପରାମର୍ଶ ଦେଉଛି । କୌଣସି କାରଣରୁ ସିଏ ନିଜକୁ ମିତ୍ରବତ୍ ଦେଖିପାରିନାହିଁ ବୋଲି ପୂରା ପୃଥିବୀଟାକୁ ମିତ୍ରବର୍ଜିତ ବୋଲି ଅନୁଭବ କରୁଛି । ମୋ’ ପାଇଁ ସତ୍ୟମାନେ ଏହି ପୃଥିବୀରେ ଅଛନ୍ତି, ତେଣୁ ସମସ୍ତେ ମିତ୍ରବତ୍ ମନେ ହେଉଛନ୍ତି । ଡାକିଲେ ସମସ୍ତେ ଅବଶ୍ୟ ଉଅ କରିବେ ବୋଲି ପୂର୍ଣ୍ଣପ୍ରତ୍ୟୟ ରହିଛି । ସମ୍ଭବତଃ ସେଇଥିଲାଗି ଏ ବାଟ ସରୁନାହିଁ, ଏ ସାକ୍ଷାତକାର ମଧ୍ୟ ସରୁନାହିଁ । ଗୋଟିଏ ସାକ୍ଷାତକାର ଆଉଗୋଟିଏ ସାକ୍ଷାତକାର ଆଡ଼କୁ ବାଟ କଢ଼ାଇ ନେଉଛି । ସ୍ଵାର୍ଥ ରହିତ ହୋଇ ଦେଖିଲେ ସମସ୍ତେ ଆପଣାର ମିତ୍ର ପରି ଦେଖା ଯାଉଛନ୍ତି । କପଟ ସହିତ ନିଜ ଆଡ଼କୁ ଅନାଇଲେ ବି ହୁଏତ ନିଜ ଭିତରଟା ବି ଦୁଇଖଣ୍ଡ ହୋଇ ଦେଖାଯିବ । ଗୋଟାଏ ପାଖର ଭଗବାନ ଆଉ ଗୋଟାଏ ପାଖର ଭଗବାନ ସହିତ ଲଢ଼େଇ କରିବାରେ ଲାଗିଥିବେ । ତେଣୁ, ସବୁବେଳେ ବାବାଜୀ ହୋଇ ପଳାଇବାକୁ ମନ ହେଉଥିବ । ଏହି ପୃଥିବୀରେ, ନିତାନ୍ତ ସଂସାର ଭିତରେ ଥାଇ ମଧ୍ୟ ଅନେକ ମଣିଷ ବାବାଜୀ ହୋଇରହିଥାନ୍ତି । ସେମାନେ କଇଁଛଟି ପରି ନିଜର ଖୋଳ ଭିତରେ ରହିଥାଆନ୍ତି । ଭାରତବର୍ଷ ପରି ଏକ ଭାଗ୍ୟବାଦୀ ଦେଶରେ କଇଁଛ ଜୀବନଯାପନ କରି ଭଗବତଜୀବନ ଯାପନ କରୁଥିବା ପରି ଅନୁଭବ କରୁଥିବା ମନୁଷ୍ୟପ୍ରାଣୀ ବହୁ ସଂଖ୍ୟାରେ ରହିଛନ୍ତି । ଆମ ବୈରାଗ୍ୟଶାସ୍ତ୍ରମାନେ ବି ଅନେକ ସମୟରେ ଆମକୁ ସେହି କଇଁଛ ତତ୍ତ୍ଵରେ ଜୁଆଇ କରି ରଖିବାକୁ ଖୁବ୍ ଚେଷ୍ଟା କରୁଛନ୍ତି ।

 

ଜୀବନରେ ଆଉ ଯେତେ ଯାହା ହେଲି ପଛକେ, ମୋଟେ କଇଁଛ ହୋଇ ପାରିଲିନାହିଁ । ଶାସ୍ତ୍ରମାନଙ୍କୁ ଲଙ୍ଘି ଯିବାକୁ ଭିତରୁ ଥାଇ କିଏ ଜନନୀ ପରି ଏତେ ଭରସା ଦେଲା କେଜାଣି ? ମୁଁ ସମ୍ଭବତଃ ଭରସାଟିକୁ ହିଁ ଅସଲ ବୋଲି ଚିହ୍ନିଲି । ଭରସା ଦେଉଥିବା ସେହି ଠାକୁରଙ୍କର ଚାରିଟା ହାତ କି ଚଉଦଟା ହାତ ଜାଣିବା ସକାଶେ ତା’ପରେ କାହିଁକି ଆଦୌ ଉତ୍ସାହ ହେଲାନାହିଁ । କେଉଁ ଶିଖରଟାକୁ ଠାକୁରଟାଏ କରି ନଚିହ୍ନିାଇଲେ କାହିଁଙ୍କି କେହି ଚିହ୍ନିପାରିବେ ନାହିଁ । ସେକଥା ମୁଁ ଏବେ ମଧ୍ୟ ବୁଝି ପାରିଲି ନାହିଁ । ଆମ ଧର୍ମମାନଙ୍କରେ ଠାକୁରମାନଙ୍କ ଅପେକ୍ଷା ଶିରଗୁଡ଼ିକର କଥା ଅଧିକ କୁହା ଯାଇଥିଲେ ହୁଏତ ସମ୍ପୃକ୍ତ ସମସ୍ତଙ୍କ ପାଇଁ ଅଧିକ ଶୁଭକର ହୋଇଥାନ୍ତା । ମୁଁ ଯେଉଁ ମାଟିଟା ଉପରେ ଛିଡ଼ା ହୋଇଛି ତାକୁ ଲୋସଡ଼ି ପଡ଼ି ଉତ୍କଳ ଜନନୀ କିମ୍ବା ଭାରତଜନନୀ ବୋଲି ନକହିଲେ ଯେ ମୁଁ ତଥାପି ସେହି ମାଟିଟିକୁ ଚିହ୍ନି ପାରିବି ନାହିଁ କାହିଁକି, ମୋତେ ଏପର୍ଯ୍ୟନ୍ତ କେହି ସେକଥାକୁ ବୁଝାଇ ପାରିଲେ ନାହିଁ । ଠାକୁର କରି ବସାଇ ଦେବାର ପଶ୍ଚାତରେ ପ୍ରକୃତରେ କେଉଁ Hubris ବା ସ୍ଵାଧିକାର ପ୍ରମତ୍ତତା ପ୍ରଚ୍ଛନ୍ନ ହୋଇ ରହିଥା କି, ଯାହାକି ତୁମର ଅସଲ ମୂଳଗୁଡ଼ିକରେ ତୁମକୁ ସତେଅବା ଅସମ୍ମତ କରି ରଖିଥାଏ ? ସତ୍ୟର ସାକ୍ଷାତ୍‍କାର ସର୍ବତ୍ର ଏକ ଗୁହାମୁକ୍ତ ଦ୍ଵାରା ହିଁ ସମ୍ଭବ ହୋଇଥାଏ, କୌଣସି ଗୁହା ଭିତରେ ପ୍ରାୟ ଏକ ଦୂରାଗ୍ରହ ସହିତ ଆପଣାକୁ କିଳି ରଖିବା ଦ୍ଵାରା ମୋଟେ ସମ୍ଭବ ହୁଏନାହିଁ । ବେଳେ ବେଳେ ମନେ ହୁଏ, ପୃଥିବୀର ମଣିଷମାନେ ପ୍ରକୃତରେ ନିଜ ନିଜର ସ୍ଥାନୀୟ ଗୁହାଗୁଡ଼ିକରୁ ବାହାରି ଆସି ସହୃଦୟତାର ଏକ ମୁକ୍ତ ଆକାଶ ତଳେ ଏକତ୍ର ହୋଇଥାନ୍ତେ, —କେହି ଅଲଗା ହୋଇ ରହନ୍ତାନାହିଁ, ଅନ୍ୟମାନଙ୍କ ନାକଠାରୁ ମୋ ’ ନାକଟା ଦଶସୂତା ଅଧିକ ଲମ୍ବ ବୋଲି ଦାବୀ କରିବାକୁ ତାକୁ ଆଦୌ ସୁଖକର ଲାଗନ୍ତା ନାହିଁ । ଆମ ଧର୍ମମାନେ ପ୍ରଧାନତଃ ତାହାହିଁ କରନ୍ତେ, ଆମ ସାହିତ୍ୟ ମଧ୍ୟ ତାହା କରିପାରନ୍ତା । ତେବେ ପୃଥିବୀରେ ଦେବତାବତରଣ ହୁଅନ୍ତା । ଖାଲି ମୋ’ରିଲାଗି ନୁହେଁ, ପୃଥିବୀରେ ସମସ୍ତଙ୍କର ଜୀବନରେ, ବୃହତ୍ତର ପ୍ରତିଶ୍ରୁତିଗୁଡ଼ିକୁ ଦେଇ ସେହି ଦେବତାବତରଣ ଆମକୁ ଅଗ୍ରସର କରାଇ ନେଉଥାନ୍ତା । ଆମକୁ ନିଜ ଭିତରେ ପୃଥିବୀସହିତ ସାକ୍ଷାତ କରାଇ ଦେଉଥାନ୍ତା । ଏବଂ ପୃଥିବୀ ଭିତରେ ଆମକୁ ନାନା ଆତ୍ମୀୟତାରେ ବାନ୍ଧି ରଖିଥାନ୍ତା । ଆମେ ଭାରି ସହଜରେ ଆମ ସହିତ ଅନ୍ୟ ସମସ୍ତଙ୍କୁ ବି ଲୋଡ଼ନ୍ତୁ, ନିଜର ଲୋଚନଗୁଡ଼ିକୁ ଅନୁରୂପ ଭାବରେ ଧୌତ କରି ଆମେ ଅନ୍ୟମାନଙ୍କର ଆଖି ଭିତରେ ମଧ୍ୟ ମହାନ ସମ୍ଭାବନାଗୁଡ଼ିକୁ ପ୍ରତ୍ୟକ୍ଷ କରିପାରନ୍ତୁ । ତା’ ପରେ ଏଠି ଜୀବନଟିକୁ ବଞ୍ଚିବାସତେଅବା ଏକ ମହୋତ୍ସବରେ ପରିଣତ ହୁଅନ୍ତା-। ଅସଲ ମହୋତ୍ସବଟି କେବଳ ମୋତେ ନେଇ ଆଦୌ ନୁହେଁ, ତାହା ଅନ୍ୟ ସମସ୍ତଙ୍କୁ ନେଇ-। ଭାରତବର୍ଷରେ ସମ୍ପୃକ୍ତ ଆମେ ସମସ୍ତେ କେବେ ସେହି କଥାଟିକୁ ବୁଝିବା କେଜାଣି-? ଆମ ଶିଖରଗୁଡ଼ିକ ଉପରେ ଆମେ ସେତେବେଳେ ଅନ୍ୟ ସମସ୍ତଙ୍କୁ ମଧ୍ୟ ସ୍ଥାନ ଦେଇପାରିବା ।

 

ଜଣେ ଜଣେ ବ୍ୟକ୍ତି ହିସାବରେ ଆମେ ପ୍ରତ୍ୟେକେ ନିଜକୁ ଏତେ ଅସୁସ୍ଥ ଭାବରେ ସ୍ୱୟଂସମ୍ପୂର୍ଣ୍ଣ ବୋଲି ଗ୍ରହଣ କରି ନେଇଥାଉ ଯେ, ଏଠି ଭାରତବର୍ଷରେ ସୁସ୍ଥ ଗୋଷ୍ଠୀଟିଏ ଖୁବ୍ ବେଶୀ ସମ୍ଭବ ହୋଇପାରେ ନାହିଁ । ଜଣେ ଉପରେ ଥାଏ, ତା’ କଥା ସମସ୍ତେ ମାନନ୍ତି, —ଏଇଟା ଆମର ସାଧାରଣ ରୀତି ହୋଇ ରହିଥାଏ । ହୁଏତ ଅଳ୍ପ କେତେଜଣ ଚିନ୍ତା କରନ୍ତି, ପଥ ଅପଥ ବାଛି ଦିଅନ୍ତି ଏବଂ ନିର୍ଦ୍ଦେଶ ଦିଅନ୍ତି । ଅନ୍ୟମାନେ ତାହାକୁ ମାନି ବାଟ ଚାଲନ୍ତି । ଏକ ଅସମାନ ସମାଜରେ ଏତିକିଠାରୁ ଅଧିକ ବେଶୀ କିଛି ପ୍ରକୃତରେ ସମ୍ଭବ ହୁଅନ୍ତା ନାହିଁ । ଆମ ପରିବାରରେ ଯାହା, ଶିକ୍ଷାଗୃହରେ ତାହା; ଶାସନରେ ମଧ୍ୟ ସେଇଆ, ଧର୍ମ ଧାରଣାର କ୍ଷେତ୍ରରେ ମଧ୍ୟ ଆଦୌ କିଛି ଭିନ୍ନ ହୋଇ ରହିନଥାଏ । ଜଣେ ଜଣେ ବ୍ୟକ୍ତି ହିସାବରେ ଆମେ ପରସ୍ପରକୁ ଈର୍ଷା କରୁଥାଉ କି ଆମ ସତ୍ୟାନୁମାନ ଗୁଡ଼ିକରେ ଶିଖରଟି ହୁଏତ ଏତେ ଗୋଜିଆ ଓ ମୁନିଆ ହୋଇ ରହିଥାଏ ଯେ, ସେଠାରେ କେବଳ ଆମ ନିଜ ବ୍ୟତୀତ ଆଉ କାହାରିଲାଗି ଜାଗା ହୋଇ ରହିପାରେନାହିଁ କି-? ଆମର ପ୍ରଜ୍ଞାଶୀଳ ବ୍ୟକ୍ତିମାନେ ଆମଠାରୁ ଏତେ ଉଚ୍ଚ ହୋଇ ରହିଥାଆନ୍ତି ଯେ, କେବଳ ଦୂରରେ ଛିଡ଼ା ହୋଇ ସେମାନଙ୍କୁ ପ୍ରଣାମ କରି ହୁଏ ସିନା, ମାତ୍ର ସେମାନଙ୍କର ପାଖକୁ ଆସି ହୁଏନାହିଁ । ଆମର ଗୋଷ୍ଠୀଗୁଡ଼ିକରେ କେବଳ ଜଣେ ମହାଦେବ ରହି ଥାଆନ୍ତି । ଆଉ ସମସ୍ତଙ୍କୁ ତାଙ୍କର ଗଣ ବୋଲି କୁହାଯାଏ । କେବଳ ତାଙ୍କରି ନାଚିବାକୁ ମନ ହେଲେ ସମସ୍ତେ କଥାମାନି ନାଚି ପାରନ୍ତି । ମୋତେ କ’ଣ ପାଇଁ ସେହି ରୀତିଟା ଭାରି ଅରୀତ ପରି ଲାଗେ । ମୋ’ ଭିତରେ ଯାହା ଅସଲ ହୋଇ ରହିଛି, ତାହାହିଁ ଯଦି ଅନ୍ୟମାନଙ୍କ ମଧ୍ୟରେ ବି ଅସଲ ଆଖି ହୋଇ ଖଞ୍ଜା ହୋଇଛି, ତେବେ ମଣିଷ ଭିତରେ ବ୍ୟବଧାନ ମୋତେ କାହିଁକି ରହିବେ ।

 

ଓଡ଼ିଶାରେ ଆମେ ଗୋଷ୍ଠୀଟିଏ ଗଢ଼ିବା, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତିର ବିବେକ ସକ୍ରିୟହୋଇ ରହିଥିବ । ପ୍ରତ୍ୟେକ ବ୍ୟକ୍ତି ଚିନ୍ତା କରିବ, ପ୍ରତ୍ୟେକର ଏକ ନିଜସ୍ଵ ଦୃଷ୍ଟିକୋଣ ଏବଂ ଧାରା ରହିଥିବ । ଏହି କଥାଟି ପ୍ରଥମେ କାହାମୁଣ୍ଡରୁ ବାହାରିଲା କେଜାଣି, ଏଥିରେ ଆମେ ସମସ୍ତେ ରାଜି ହୋଇଗଲୁ । ଏଥିରେ ମତଭେଦ ଅବଶ୍ୟ ରହିବା, ଦୃଷ୍ଟିରେ ମଧ୍ୟ ଭେଦ ରହିବ । ତଥାପି ଏକାଠି ବାଟ ଚାଲୁଥିବା ପରି ଅନୁଭବ ହେଉଥିବ । ବାହାରକୁ ହୁଏତ କେତେ ଫରକ ରହିଥିବ; ବିଦ୍ୟାରେ ଫରକ, ଅର୍ଥସାମର୍ଥ୍ୟରେ ଫରକ, ରୁଚିରେ ଫରକ ଏବଂ ନିଜ ପାଇଁ କ୍ଷେତ୍ରଟିଏ ବାଛିନେବାରେ ମଧ୍ୟ ଫରକ । ତଥାପି କେହି କାହାରିକୁ ଗ୍ରାସ କରି ପକାଇବେ ନାହିଁ । ନିଜେ ବାଟ ଚାଲି ଅନ୍ୟମାନଙ୍କୁ ମଧ୍ୟ ନିଜ ନିଜର ବାଟ ଚାଲିବାକୁ ପ୍ରେରଣା ଦେଉଥିବେ । ବାଟ ଚାଲିବାରେ, ଜୀବନଟିଏ ବଞ୍ଚିବାରେ ସବୁଠାରୁ ବଡ଼ ଆନନ୍ଦ ସମ୍ଭବତଃ ସେହିଠାରେ ନିହିତ ହୋଇ ରହିଛି । ଆଉଜଣେ ମଣିଷକୁ ଛେଳି ପରି ନୁହେଁ ଅଥବା ବାଘ ପରି ନୁହେଁ, ତାକୁ ସହଚାରୀ ପରି ଦେଖିବା, ଯାବତୀୟ ଅଧ୍ୟାତ୍ମର ମୂଳ ସମ୍ଭବତଃ ସେହିଠାରେ ନିହିତ ହୋଇ ରହିଛି । ଅଧ୍ୟାତ୍ମରେ ଭୟର ସ୍ଥାନ ନାହିଁ, ତେଣୁ ଗ୍ରାସ କରି ପକାଇବାର କିମ୍ବା ଗ୍ରସ୍ତ ହେବାର ମଧ୍ୟ କୌଣସି ପ୍ରୟୋଜନ ନାହିଁ-। ଆଗକାଳର ମଣିଷ ଭାରି ଅଳପ ଭିତରେ ରହିଥିଲା, ତେଣୁ ନିଜକୁ ଅନ୍ୟମାନଙ୍କ ସହିତ ଏକାଠି ମିଶାଇ ଖୁବବେଶୀ କଳ୍ପନା କରି ପାରୁନଥିଲା । ପ୍ରଧାନତଃ ଝାମ୍ପି ନେବାଟା ହିଁ ଧର୍ମ ହୋଇ ରହିଥିଲା । ଏବେ ତ ଏକ ବୈଜ୍ଞାନିକ ସମୟର ଯାବତୀୟ ବିପୁଳତା ମଣିଷର ଖାଲି ଆଖିକୁ ନୁହେଁ, ହୃଦୟଟାକୁ ମଧ୍ୟ କେତେ କେତେ ପ୍ରସାର ଆଣି ଦେଲାଣି, ସଂସାରରେ ବିଶ୍ଵାସ ବଢ଼ାଇଲାଣି; ଏକ ଭୟମୁକ୍ତ ପାରସ୍ପରିକତା ଯେ ଏହି ଜଗତରେ ଆମ ବଞ୍ଚିବାର ସର୍ବମୂଳ ଶୈଳୀରେ ପରିଣତ ହେବାକୁ ଯାଉଛି, ତାହାର ସୂଚନାମାନ ଆମ ଚମଆଖିକୁ ମଧ୍ୟ ସଫା ହୋଇ ଦିଶିଲାଣି ।

 

ଯେଉଁ ଦେଶର ପରମ୍ପରାରେ ଗୁରୁକୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କର ସମତୁଲ କରି କେଡ଼େ ସହିତ ଦର୍ଶାଇ ଦିଆଯାଉଛି, ସେଠାରେ ସତେଯେପରି ରାମ, ମାଧବ ଓ ସୁଦର୍ଶନ ସମସ୍ତେ ଜଣେ ଜଣେ ଗୁରୁ ହୋଇ ରହିବାକୁ ଇହଜୀବନରେ ଚରମ ଭୋଗବତ୍ ବିଚାର କରୁଛନ୍ତି । ଘରମାନଙ୍କରେ ବାପାମାନେ କେଡ଼େ ଉତ୍ସାହର ସହିତ ସେହି ଭୂମିକାଟିକୁ ଯାବୁଡ଼ି ଧରିଛନ୍ତି । ଚାଟଟିଏ ହେବାକୁ, ଶିକ୍ଷାର୍ଥୀଟିଏ ହେବାକୁ କାହାରି ମନ ନାହିଁ । ନିଜ ନିଜର ପକ୍ଷ ସମର୍ଥନ କରିବାପାଇଁ ଶାସ୍ତ୍ରରୁ ଅନୁରୂପ ବାକ୍ୟମାନ ସର୍ବଦା ମିଳିଯାଉଛି । ତେଣୁ ଏଠି କର୍ତ୍ତୃତ୍ଵ ବେଶୀ ରହିଛି, ନେତୃତ୍ଵ ପ୍ରାୟ ନାହିଁ । ଉପରେ କର୍ତ୍ତୃତ୍ଵ ଏବଂ ଭିତରେ ଅନିଚ୍ଛା । ଉପରେ ବାଧ୍ୟ ବଳଦଙ୍କ ପରି ବୋଲି ମାନିବା ଏବଂ ଭିତରେ ଫାଙ୍କି ଦେଇ ବୁଲୁଥିବା । ଭାରତୀୟ ସାମୂହିକ ଜୀବନରେ ସେଥିଲାଗି ଅଭିନୟ ଅଧିକ କ୍ରିୟାଶୀଳତା ଖୁବ୍ କମ୍ । ଆମେ ଦଳେ ଚିନ୍ତା କଲୁ, ଏଇଟାକୁ ଆମେ ଯଥା ସମ୍ଭବ ଭାଙ୍ଗିଦେବୁ । ଅନ୍ତତଃ ଆମ ନିଜର ମେଳଟି ଭିତରେ ସେଥିଲାଗି କୌଣସି ସ୍ଥାନ ରହିବାନାହିଁ । ଏତିକି ହାସଲ କରିବାକୁ ମଧ୍ୟ ନିଜ ଭିତରେ ବୀରଟିଏ ହେବାକୁ ପଡ଼ିବ, ଆପଣାକୁ ବହୁତ ଅଭ୍ୟସ୍ତତାରୁ ମୁକ୍ତ କରି ଆଣିବାକୁ ପଡ଼ିବ । ଅନ୍ୟ ମଣିଷଟିଏ ଦେଖିଲେ ସତକୁ ସତ ଖୁସୀ ଲାଗୁଥିବ, ଦୁଆରଟି ଆପେ ଆପେ ଖୋଲିଯାଉଥିବ । ଆମ ଭିତରେ କେହି କାହାର କାନ ଧରି ନାହାନ୍ତି, —ଅର୍ଥାତ୍‍ ଆମ ସମସ୍ତଙ୍କର କାନଟିଏ ରହିଛି ଓ କର୍ଣ୍ଣଧାର ହେବାର କୌଣସି ସଉକ ଆମ ଭିତରେ ନାହିଁ । ଆମେ ପ୍ରକୃତରେ ଭାଗ୍ୟବାନ୍, କାରଣ ସେତିକିରୁ ହିଁ ଆମକୁ ସହସ୍ର ଶାସ୍ତ୍ରପାଠର ଫଳ ମିଳିଯାଉଛି । ଆମେ ଦିନକୁ ଦିନ ଅଧିକରୁ ଅଧିକ ହାଲୁକା ହୋଇ ପାରିଲୁଣି । ଅନେକ ହୀନମାନ୍ୟତା କଟିଲାଣି । ବିବେକର ପାଟି ଖୋଲିଲାଣି । ନିଜ ଭିତରେ ଏବଂ ନିଜ ଜୀବନରେ କ’ଣ–ଗୋଟାଏ ଖୋଜିବାକୁ ମନ ହେଲାଣି । ସେହି ଖୋଜିବାରୁ ହିଁ କେତେ ଆନନ୍ଦ ମିଳୁଛି । କ’ଣଗୋଟାଏ ପାଇ ତାକୁ ମୋ’ର ବୋଲି କହି ଲୁଚାଇ ରଖିବା ନିମନ୍ତେ ଆଉ ମୋଟେ ଇଚ୍ଛା ହେଉନାହିଁ । ସବୁ ମଣିଷ ଏକାବେଳକେ ନିକଟରେ ରହିଥିବା ପରି ଲାଗୁଛି । ସେହି ନୈକଟ୍ୟଟିକୁ ଆମେ ଭଗବାନ ବୋଲି ଅନୁଭବ କରୁଛୁ । ଅହଙ୍କାରୀ ହେବାକୁ ଆଉ ମୋଟେ ଭଲ ଲାଗୁନାହିଁ । ଆମ ପ୍ରତ୍ୟେକଙ୍କ ଭିତରେ ପ୍ରକୃତରେ ଏତେ ଏତେ ଶୁଭବାସନା ରହିଛି, —ଏହି ସତ୍ୟଟିର ଆବିଷ୍କାରଟି ହିଁ ଆମକୁ ପରସ୍ପର ପାଖରେ ସୁହୃତ୍ କରି ରଖିଛି, ତେଣୁ, କାହାରି ବାଟ ମୋଟେ ସରୁନାହିଁ, କେହି ଅଟକି ଯାଉନାହିଁ ।

 

ନିଜକୁ ମିତ୍ରର ଚକ୍ଷୁରେ ଦେଖିବା, କିଏ ମୋତେ ଏହି ଗୁମରଟିକୁ ବତାଇଲା, ମୋ’ ଜୀବନରେ ଏହି ରହସ୍ୟଟିର ଉଦ୍‍ଘାଟନ କରି ଦିଆଗଲା ? ଜୀବନରେ ସବୁ ମଣିଷ ଭଲ ଲାଗିଲେ, ମୋତେ ଆଉ କାହାରି ପାଖରେ ମୁଖା ପିନ୍ଧା ନିଜକୁ ଲୁଚାଇ ହନ୍ତସନ୍ତ ହେବାକୁ ପଡ଼ିଲା ନାହିଁ ବୋଲି କ’ଣ ଏପରି ହେଲା କି ? ଅନେକ ସମୟରେ ମୁଁ ଏପରି ବି ଅନୁଭବ କରିଛି ଯେ, ବହୁତ ମଣିଷ ମୋ’ ସହିତ ଭେଟ ହେବ ବୋଲି ସତେଅବା ମୁଖା ପିନ୍ଧି ବସିଥାନ୍ତି; ମାତ୍ର ମୋ’ ମୁହଁରେ ଆଦୌ କୌଣସି ମୁଖା ନଥିବାର ଦେଖି ମୁଖାଟାକୁ ଆପଣାଛାଏଁ ଓହ୍ଲାଇ ପକାନ୍ତି, ନିଜେ ପ୍ରକୃତରେ ଯାହା ଠିକ୍ ସେହିଭଳି ଦିଶନ୍ତି । ଅନେକ ମଣିଷ ସତେଅବା ମୋ’ ପାଇଁ ହାତରେ ବାଡ଼ି ଧରି ଅପେକ୍ଷା କରିଥାନ୍ତି, ମାତ୍ର ମୋ ହାତରେ ଆଦୌ କୌଣସି ବାଡ଼ି ନାହିଁ ବୋଲି ଦେଖିବା ମାତ୍ରକେ କ’ଣ ଭାବି ନିଜ ହାତରୁ ବାଡ଼ିଟା ଫୋପାଡ଼ି ଦେଇଥାନ୍ତି, ସବୁଠାରୁ ଅଧିକ ପରିମାଣରେ ଏହି ଅନୁଭବ ହୋଇଛି ଶ୍ରେଣୀଗୃହମାନଙ୍କରେ । ପାଠ ଘରର ପାଗଟା ଅନୁସାରେ ପିଲାମାନଙ୍କୁ ପାଠ ପଢ଼ାଇବା ସମୟରେ ସତେଅବା ସାଞ୍ଜୁ ପିନ୍ଧି ଗମ୍ଭୀର ହୋଇ ବସିବାକୁ ପଡ଼େ । ମୁଁ କେବେହେଲେ କୌଣସି ସାଞ୍ଜୁ ପିନ୍ଧି ପାଠ ପଢ଼ାଇବାର ଶ୍ରେଣୀଗୁଡ଼ିକୁ ଯାଇନାହିଁ । ବହୁତ ଶିକ୍ଷକ ଶ୍ରେଣୀ ଗୃହକୁ ସତେଅବା କୌଣସି ଯୁଦ୍ଧ ଲଢ଼ିବାକୁ ଯାଉଥିବା ପରି ଦେଖାଯାଆନ୍ତି । ମୋ’ ଜୀବନରେ ସେପରି କୌଣସି ଦୁର୍ଗତି ହୋଇନାହିଁ । ଅଧ୍ୟାପନାକୁ ମୁଁ ମୋ’ ପାଖରେ ଥିବା ଏପରି ଏକ ଚାବିକାଠି ବୋଲି ଜାଣିଛି, ଯାହାଦ୍ୱାରା କି ମୁଁ ସତେଅବା ସବୁ ଦୁଆରେ ପଡ଼ିଥିବା କୋଲପଗୁଡ଼ିକୁ ଖୋଲିଦେଇ ପାରିବି । ହ, କୋଲପ ଫିଟାଇବା ହେଉଛି ମୋ’ କାମ, ପ୍ରତ୍ୟେକ ଶିକ୍ଷକର କାମ । ବାକିସବୁ କାମ ସରସ୍ଵତୀଙ୍କର ।

 

ଜଣେ ଶିକ୍ଷକ ହିସାବରେ ମୁଁ ପିଲାମାନଙ୍କ ଭିତରେ ସର୍ବଦା ସେମାନଙ୍କର ଆଲୋକପାଖଟିକୁ ଦେଖିଛି । ହଁ, ଅନ୍ଧାରମାନେ ଅବଶ୍ୟ ଥିବେ, ମାତ୍ର ମୁଁ ଆଲୋକପାଖଟିକୁ ଦେଖିଛି । ସମ୍ଭବତଃ ତାହାରିଦ୍ଵାରା ହିଁ ସମସ୍ତଙ୍କର ନିକଟବର୍ତ୍ତୀ ହୋଇଯାଇଛି, ନିକଟରୁ ସତ୍ୟକୁ ଦେଖିପାରିଛି, ନିକଟରୁ ନିଜକୁ ମଧ୍ୟ ଦେଖିପାରିଛି । ନିକଟରୁ ଦେଖିପାରିଲେ ଏହି ପୃଥିବୀରେ ତୁମକୁ କିଏ ମିତ୍ରଟିଏ ପରି ନଦିଶିବ ଆପଣ କହିଲେ ! ସମ୍ଭବତଃ ସେଇଥିପାଇଁ ନିଜ ଭିତରେ ମିତ୍ରଟିଏ ହିଁ ପ୍ରତ୍ୟକ୍ଷ କରିଛି । ତୁମର ମିତ୍ରଟିଏ ତୁମର ପାଖେ ପାଖେ ରହିଥିଲେ, ତୁମ ଭିତରର ସଦର ମଫସଲ ସବୁଟିକୁ ଜାଣୁଥିଲେ ମଧ୍ୟ ତୁମ ଭିତରେ ରହିଥିବା ପ୍ରତିଶ୍ରୁତି ଏବଂ ସମ୍ଭାବନାଗୁଡ଼ିକୁ ଠଉରାଇ ପାରୁଥିବାରୁ ତୁମ ଆଡ଼କୁ ଅନାଇ କେବଳ ମୁରୁକି ମୁରୁକି ହସୁଥିଲେ, ତୁମେ ଗୋଟାସୁଦ୍ଧା ତାହାରି ହୋଇ ଯିବନାହିଁ ତ ଆଉ କାହାର ହେବ ? ତାହାରି ହୋଇଯିବା ହିଁ ସମ୍ଭବତଃ ପ୍ରତ୍ୟେକ ମନୁଷ୍ୟର ଜୀବନର ସର୍ବପ୍ରଧାନ ସାଧନା । ସେତିକି ସବାଆଗ ସାଧ୍ୟ ହୋଇଗଲେ ତା’ ପରେ ସବୁକିଛି ସହଜ ହୋଇଯାଏ । ଗୋଟିଏ ବର୍ଷରେ ବର୍ଷ ବର୍ଷର ବାଟ ପରି ଯାଉଥିବା ପରି ଲାଗୁଥାଏ । ଜୀବନଟା ତା’ ପରେ ଆଉ ମୋଟେ ନିରର୍ଥକ ପରି ଲାଗେନାହିଁ । ଏବଂ, ଆହୁରି ବଡ଼ କଥା ହେଉଛି, ନାନା ମିଛ ଅର୍ଥପ୍ରତୀତି ଦ୍ଵାରା ଜୀବନଟାକୁ ଭାରି କରି ରଖିବା ନିଜ ଚାରିପାଖରେ ଏଣୁ ତେଣୁ ଗୁଡ଼ାଏ ବସ୍ତ୍ର ଜମା କରି ରଖି ସେଥିରୁ ସାନ୍ତ୍ଵନା ପାଇବାକୁ କିମ୍ବା ଢମ ଦେଖାଇବାକୁ ଆଦୌ ମନ ହୁଏନାହିଁ ।

 

ଶିଖର ପରେ ଶିଖର, ସୋପାନ ପରେ ସୋପାନ, ତେଣୁ ସକାଳ ପରେ ସକାଳ । ଆରୋହଣ ଏବଂ ଅବତରଣ ଉଭୟ; ଅବଲୀଳା କ୍ରମେ ଆରୋହଣ ଏବଂ ଅବଲୀଳା କ୍ରମେ ଅବତରଣ । ନାନାବିଧ ସନ୍ତାପଦ୍ଵାରା ଆରୋହଣ ନୁହେଁ ବା ଅଜ୍ଞାନର ବଶବର୍ତ୍ତୀ ହୋଇ ଅବତରଣ ମୋଟେ ନୁହେଁ, ସଂସାର ପରି ଜୀବନରେ ମଧ୍ୟ ରାତ୍ରି ମାନେ ଅବଶ୍ୟ ରହିବେ । ରାତ୍ରୀମାନେ ପରବର୍ତ୍ତୀ ଦିନଟିକୁ ପ୍ରସ୍ତୁତ କରିବାରେ ହୁଏତ ସାହାଯ୍ୟ ବି କରିବେ, ପ୍ରେରଣା ଦେବେ । ତେଣୁ ଏହି ରାତ୍ରିଗୁଡ଼ିକୁ ଆଉ ମୋଟେ ଡର ମାଡ଼ୁ ନାହିଁ । ସବୁ ରାତିର ହୃଦୟ ଭିତରେ ତଥାପି ମୋ’ର ସମଦରଦୀ ଜଣେ କିଏ ରହିଛି । ଯିଏ କି ସକାଳଟି ନିମନ୍ତେ ତପସ୍ୟା କରୁଛି । ସୃଷ୍ଟି କାର୍ଯ୍ୟର ପ୍ରକାଶ ଓ ବିମର୍ଷ ପରି ଏହି ସକାଳ ଓ ରାତି । ତେଣୁ ଜୀବନରେ ପରସ୍ପରର ବିରୋଧୀ ହୋଇ ବ୍ୟବହୃତ ହେଉଥିବା ଶବ୍ଦଗୁଡ଼ିକର ଅର୍ଥଟା କ୍ରମେ ଉଣା ହୋଇଆସୁଛି । ଭଲ ମନ୍ଦ, ଆଲୁଅ ଓ ଅନ୍ଧାର ଓ ଦୂର, —ଏହି ଶବ୍ଦଗୁଡ଼ିକ ଭିତରେ ରହିଥିବା ବିରୋଧୀମାନେ ମୋତେ ଆଉ ସେତେବେଶୀ ବିଚଳିତ କରୁନାହାନ୍ତି । ଜୀବନରେ ମୁଁ ସତେଅବା ଆଦୌ କିଛିହେଲେ ପଛରେ ପକାଇଦେଇ ଆସିନାହିଁ । ଏବଂ, ଆଦୌ କେଉଁଠାରେ ଅଟକି ବି ଯାଇନାହିଁ । ସବୁଟି ସତେଅବା ମୋତେ ସ୍ପର୍ଶକରି ରହିଛନ୍ତି । ତେଣୁ, ଏହି ସବୁକିଛିକୁ ବୁଝିବା ମଧ୍ୟ ସହଜ ହୋଇଯାଉଛି । କେବଳ ଜାଣିବା ବା ତଥ୍ୟ ଠୁଳ କରି ରଖୁଥିବା ମଣିଷ ତଥାପି ନିତାନ୍ତ ଅମଙ୍ଗ ଓ ଅଥର୍ବ ହୋଇ ରହି ଯାଇପାରେ । ବୁଝିବା ମଣିଷ ତାହା କରି ପାରେନାହିଁ । ସିଏ ଯେ ଏହିସବୁ କିଛିଟି ପାଇଁ ଦାୟୀ ହୋଇ ରହିଛି, ବୁଝିବା ଲୋକଟିର ପ୍ରତ୍ୟୟ ଭିତରେ ସେହି କଥାଟି ସବାଆଗ ଦୃଷ୍ଟିଗୋଚର ହେଉଥାଏ । ଯେଉଁ ସୋପାନଗୁଡ଼ିକୁ ମୁଁ ଅତିକ୍ରମ କରି ଆସିଛି, ସେହି ସୋପାନଗୁଡ଼ିକୁ ମୋ’ର ନମସ୍କାର; ଏବଂ, ଯେଉଁ ସୋପାନଗୁଡ଼ିକୁ ଅତିକ୍ରମ କରିବା ତଥାପି ବାକି ରହିଛି, ସେଗୁଡ଼ିକୁ ମଧ୍ୟ ନମସ୍କାର । ଯେଉଁ ଶିଖରଗୁଡ଼ିକୁ ପାରି ହୋଇ ଆସି ସାରିଲାଣି, ମୋ’ର ସେହି ସବୁକୁ ନମସ୍କାର; ଯେଉଁ ଶିଖରଗୁଡ଼ିକୁ ମୁଁ ଯାଇ ପହଞ୍ଚିବି ବୋଲି ଜନନୀ ସଦୃଶ ଅପେକ୍ଷା କରି ରହିଛନ୍ତି, ସେହି ଶିଖରଗୁଡ଼ିକୁ ମଧ୍ୟ ମୋ’ର ନମସ୍କାର । ଯେଉଁ ତଳଗୁଡ଼ିକ ମୋତେ ଶିଖରଯାଏ ଅନାଇବାକୁ ଶିଖାଇଛନ୍ତି । ସେହି ତଳଗୁଡ଼ିକୁ ମଧ୍ୟ ମୋ’ର ନମସ୍କାର । ସେଗୁଡ଼ିକୁ ମୁଁ କଦାପି ନିମ୍ନ ବୋଲି କହିବିନାହିଁ । ନିମ୍ନଗୁଡ଼ିକୁ ହିଁ ଭୂମିଟିଏ ଯୋଗାଇ ଦିଅନ୍ତି, ଯେଉଁଠାରେ ଗୋଡ଼ଟି ଠାକିଥାଏ ବୋଲି ଛିଡ଼ାହୋଇ ହୁଏ, ଉପରକୁ ଚାହିଁ ହୁଏ ଓ ଉଚ୍ଚଗୁଡ଼ିକର ସନ୍ଧାନ ମିଳେ । ଯେଉଁସବୁ ସକାଳକୁ ମୁଁ ଅତିକ୍ରମ କରି ଆସିଲି, ସେହିଗୁଡ଼ିକର ସୂର୍ଯ୍ୟ ହିଁ ଏପର୍ଯ୍ୟନ୍ତ ଅନାଗତ ଆଗାମୀ ସକାଳଗୁଡ଼ିକରେ–ମୋ’ଲାଗି ଅପେକ୍ଷା କରିଛନ୍ତି । ବିଶ୍ୱାସର ସହିତ ଅପେକ୍ଷା କରି ରହିଛନ୍ତି । ମୁଁ ମଧ୍ୟ ବିଶ୍ଵାସର ସହିତ ଯିବାରେ ଲାଗିଥିବି, ସେମାନଙ୍କର ଭେଟ ପାଇଯାଉ ଥିବି ।

Image